Unknown

 

 

 

 

 

 

 

 

 

ସମ୍ପାଦକର ସ୍ତମ୍ଭ

(ଦ୍ୱିତୀୟ ଖଣ୍ଡ)

ଚିତ୍ତରଞ୍ଜନ ଦାସ

 

ସୂଚୀପତ୍ର

 

୧.

ନଦୀଜଳରେ ରାଜନୀତି

୨.

ଏତେ ଅସ୍ତ୍ର କାହୁଁ ଆସୁଛି

୩.

ସ୍ପେନ୍‌ ମଧ୍ୟ ବଦଳିଯିବ

୪.

ପ୍ରଭାବକ୍ଷେତ୍ର ଆଙ୍ଗୋଲା

୫.

କଠୋର କାୟିକ ଶ୍ରମ

୬.

ଅଲ୍‌ଷ୍ଟର୍‌ ନା ଅଲ୍‌ସର୍‌

୭.

ହସ୍ତକ୍ଷେପର ଇତିହାସ

୮.

ଅଧିକ ଅର୍ଥର ବରାଦ

୯.

ପୁନର୍ବାର କିଉବା

୧୦.

ଥାଇଲାଣ୍ଡ୍‌ରୁ ବିଦାୟ

୧୧.

ବୁଦ୍ଧିଜୀବୀଙ୍କ ଦାୟିତ୍ୱ

୧୨.

ଆପଣା ହାତ ଜଗନ୍ନାଥ

୧୩.

ପୁନଃମୂଷିକୋପାଖ୍ୟାନମ୍‌

୧୪.

କେବଳ ଅର୍ଥ-ଉପାର୍ଜନ

୧୫.

ବୀରଭୋଗ୍ୟା ବସୁନ୍ଧରା ?

୧୬.

ଏକଚାଟିଆ ଅଧିକାର

୧୭.

ନିରକ୍ଷର ଦେଶର ଭାଗ୍ୟ

୧୮.

ସେରେତ୍‌ସେ ଖାମା

୧୯.

ସିଆଣିଆ ନିରପେକ୍ଷତା

୨୦.

କୁବେର ପୁଅ ବେକାର

୨୧.

ଅର୍ଥନୀତି ଓ ରାଜନୀତି

୨୨.

ମାରଣାସ୍ତ୍ରର ଆତଙ୍କ

୨୩.

ଆଫ୍ରିକାର ନାସିକା

୨୪.

ନାଇରୋବି ସମ୍ମିଳନୀ

୨୫.

ଆଦୌ ଅନ୍ୟାୟ ନୁହେଁ

୨୬.

ମାରଣାସ୍ତ୍ରର ବଜାର

୨୭.

ମୁଣ୍ଡରେ ମଇଳା ବୋହିବା

୨୮.

ଇଉରୋପୀୟ ଏକତା

୨୯.

ସମସ୍ୟାର ଅନ୍ୟ ଏକ କାରଣ

୩୦.

ପଶ୍ଚିମ ବର୍ଲିନ୍‌ର ଦୁଃଖ

୩୧.

ବନ୍ଧୁତ୍ୱପୂର୍ଣ୍ଣ ସହାବସ୍ଥାନ

୩୨.

ଶାନ୍ତିର ସହର

୩୩.

ଲକ୍ଷ୍ୟଭିତ୍ତିକ ଶିକ୍ଷାପଦ୍ଧତି

୩୪.

ସଂଘର୍ଷର ଆଶଙ୍କା

୩୫.

ଅଶନି-ସଙ୍କେତ

୩୬.

ବିଶ୍ୱ-ନିରସ୍ତ୍ରୀକରଣ

୩୭.

ଉତ୍ତେଜିତ ବିବେକ

୩୮.

ଅଙ୍କ୍‌ଟାଡ଼୍‌ରୁ ଆଲଜିଅର୍ସ୍‌

୩୯.

ଭାଙ୍କୋଭର୍‌ ସମ୍ମିଳନୀ

୪୦.

ଘରଡ଼ିହରୁ ଘର

୪୧.

ଶିକ୍ଷାକ୍ଷେତ୍ରରେ ତାରତମ୍ୟ

୪୨.

ସବୁଠାରୁ ବଡ଼ ସମସ୍ୟା

୪୩.

ଅଣଆୟତ୍ତ ଲେବାନନ୍‌

୪୪.

ଦୁଇଟି କୋରିଆ

୪୫.

ଶିକ୍ଷାର ଅନ୍ୟ ଏକ ଉଦ୍ଦେଶ୍ୟ

୪୬.

ନିନ୍ଦାତ୍ମକ ପ୍ରସ୍ତାବ

୪୭.

ଅନୌପଚାରିକ ଶିକ୍ଷା

୪୮.

ଆଙ୍ଗୋଲା ଓ ଆମେରିକା

୪୯.

ବିଶ୍ୱ-ବୈଷମ୍ୟ

୫୦.

ଶ୍ୱେତ ମଣିଷର ବୋଝ

୫୧.

ଡେରିରେ ହେଉ ପଛକେ

୫୨.

ବୃହତ୍‌ଶକ୍ତି ବିବାଦ

୫୩.

ମିଶର ଓ ସିରିଆ

୫୪.

ମିଜୋରାମ୍‌ରେ ନୂଆ ଅଧ୍ୟାୟ

୫୫.

ସ୍ୱତନ୍ତ୍ର ସମ୍ୱାଦବ୍ୟବସ୍ଥା

୫୬.

ସ୍ୱାଧୀନତା ଓ ଭାରତର ବିଚାର

୫୭.

ଅନୁଗ୍ରହରେ ପାଶ୍‌

୫୮.

ସ୍ୱାଧୀନ ସେଚିଲିସ୍‌

୫୯.

କିଏ ଦାୟୀ କାହା ପାଇଁ ?

୬୦.

ପିଲାଙ୍କଦ୍ୱାରା ଶ୍ରମ

୬୧.

ଦକ୍ଷିଣ ଆଫ୍ରିକାର ସମସ୍ୟା

୬୨.

ଆଫ୍ରିକାର ରାଜନୀତିକ ଚକ୍ର

୬୩.

ସର୍ତ୍ତରେ ସାହାଯ୍ୟ

୬୪.

ପୂର୍ବ ଦୃଷ୍ଟି ପୂର୍ବ ରୋଗ

୬୫.

ଜାପାନୀ ପିଲାଙ୍କ ତପସ୍ୟା

୬୬.

ଅକାରଣ ଅନୁଚିନ୍ତା

୬୭.

ନିର୍ଦ୍ଦୟର ଦୟା

୬୮.

ଆକାଶଚାରୀ ବନ୍ଧୁତା

୬୯.

ପାଲେଷ୍ଟାଇନ୍‌ ସମସ୍ୟା

୭୦.

ଇସ୍ରାଏଲ୍‌ର ଚିନ୍ତା

୭୧.

ବସତିର ବ୍ୟବସ୍ଥା

୭୨.

ଜାଳେଣି, ଜଙ୍ଗଲ ଓ ମରୁଭୂମି

୭୩.

ତୃତୀୟ ପୃଥିବୀ ଓ ସହଯୋଗ

୭୪.

ତିରିଶ ହଜାର କୋଟି

୭୫.

ଚୀନରେ ଭୂକମ୍ପ

୭୬.

ଚାରି ବର୍ଷରେ ଥରେ

୭୭.

ଇତିହାସର ସମସ୍ୟା

୭୮.

ବିନା କାରଣ ବିନା ସର୍ତ୍ତ

୭୯.

ମିଶର ଓ ଇସ୍ରାଏଲ୍‌

୮୦.

ବିଶ୍ୱ-ଅର୍ଥନୈତିକ ବ୍ୟବସ୍ଥା

୮୧.

ତୃତୀୟ ପୃଥିବୀ-ନୂଆ ପୃଥିବୀ

୮୨.

ଗୋଷ୍ଠୀମୁକ୍ତତା ଓ ବିଶ୍ୱଶାନ୍ତି

୮୩.

ବହିଃଆକ୍ରମଣର ଆଶଙ୍କା

୮୪.

ପଗ୍‌ୱାଶ୍‌ ସମ୍ମିଳନୀ

୮୫.

ଭେଳାରୁ ଭେଳା ବୁଡ଼ିବ

୮୬.

ରକ୍ତପାତ ଅନିବାର୍ଯ୍ୟ କି ?

୮୭.

ଧନଠାରୁ ମନ ବେଶି ଲୋଡ଼ା

୮୮.

ସତର୍କତା ଲୋଡ଼ା

୮୯.

ଅଧିକାର ଓ ଅଧିକାରଭଙ୍ଗ

୯୦.

ତୁମେ ମାର ଯେତେ ମାଡ଼ ମାରିବ

୯୧.

ଲେବାନନ୍‌ରେ ସିରିଆ କାହିଁକି ପଶିଲା ?

୯୨.

ଆନ୍ତର୍ଜାତିକ ଆଇନ

୯୩.

ଅନେକ ଆଶାର ଦ୍ୱୀପ

୯୪.

ଶିକ୍ଷକମାନଙ୍କ ଶପଥ

୯୫.

ଦୁଃଖୀ ଜାପାନୀ ପିଲା

୯୬.

ପୁନରାବର୍ତ୍ତନ

୯୭.

ଭେଟୋ ଉପରେ ଭେଟୋ

୯୮.

ଏବେ ବି ଆଶାବାଦୀ

୯୯.

ଅବାଞ୍ଛିତ ସହର

Image

 

ନଦୀଜଳରେ ରାଜନୀତି

 

ଇତିହାସ ପ୍ରସିଦ୍ଧ ଇଉଫ୍ରେଟିସ୍‌ ନଦୀ ଆର୍ମିନିଆର ମାଳଭୂମିରୁ ବାହାରି ସିରିଆ ହୋଇ ଇରାକ୍‌ବାଟେ ପାରସ୍ୟ ଉପସାଗର ଭିତରକୁ ବହିଯାଉଛି । ଆଜିକୁ ପ୍ରାୟ ପାଞ୍ଚହଜାର ବର୍ଷ ପୂର୍ବେ ସେହି ନଦୀ ସେହି ଅବବାହିକାଟିରେ ଠିକ୍‌ ସେହିପରି ବହୁଥିଲା ଓ ପ୍ରାଚୀନ ବେବିଲୋନ୍‌ ସଭ୍ୟତାର ପେଣ୍ଠଗୁଡ଼ିକୁ ଜଳଦାନ କରୁଥିଲା । ପୃଥିବୀର ସଭ୍ୟତାର ଅନେକ ପ୍ରଥମ ଅବଦାନ ଆଣିଦେଇଥିବା ସୁମେରୀୟ ସଭ୍ୟତା ଏହି ନଦୀଟିର ଜଳରେ ହିଁ ସେଚିତ ହୋଇ ରହିଥିଲା । ପୃଥିବୀର ପ୍ରାୟ ସର୍ବପ୍ରଥମ କୃଷି ହୁଏତ ଏହି ନଦୀଟିର ଜଳଦ୍ୱାରା ସମ୍ଭବ ହୋଇଥିଲା ।

 

ବର୍ତ୍ତମାନ ଏହି ନଦୀର ଜଳକୁ ନେଇ ସିରିଆ ଆଉ ଇରାକ୍‌ ଏହି ଦୁଇଦେଶ ମଧ୍ୟରେ ବିବାଦ ଲାଗିଛି । ଇଉଫ୍ରେଟିସ୍‌ ନଦୀରେ କେବଳ ତିନି ଋତୁରେ ପାଣି ରହେ, ଖରାଦିନେ ନଦୀର ଧାର କ୍ଷୀଣ ହୋଇଯାଏ । ତେଣୁ ଇରାକ୍‌ର ଚାଷୀକୁ କୃଷିକାର୍ଯ୍ୟ ପାଇଁ ସଂରକ୍ଷିତ ଜଳ ଉପରେ ନିର୍ଭର କରିବାକୁ ପଡ଼େ । କିନ୍ତୁ ଉପରୁ ସିରିଆ ସରକାର ଜଳର ପ୍ରବାହକୁ ତଳକୁ ନ ଛାଡ଼ିବାରୁ ଏବେ ତାହା ସମ୍ଭବ ହୋଇପାରୁ ନାହିଁ । ଏକଦା କୃଷିର ଆଦିଭୂମି ହୋଇ ରହିଥିବା ଇରାକ୍‌ର ସମତଳ ଭୂମିରେ କୃଷି କ୍ରମେ ମରି ମରି ଯାଉଛି । ଗତ ଦୁଇଟି ବର୍ଷ ହେଲା ଏହା ଏକ ସଂକଟରୂପେ ଆବିର୍ଭୂତ ହୋଇଛି । ସିରିଆ ଏବଂ ଇରାକ୍‌ ମଧ୍ୟରେ ଯେଉଁ ରାଜନୀତିକ ବିବାଦ ଲାଗିଛି, ତାହାର ଅସୂୟାଗୁଡ଼ାକ କ୍ରମେ ନଦୀଜଳ ଯୋଗାଣର କ୍ଷେତ୍ରକୁ ସଂକ୍ରାମିତ ହୋଇଆସିଛି ଓ ଇରାକ୍‌ର ପ୍ରାୟ ତିରିଶ ଲକ୍ଷ ଚାଷୀ ଏହାଦ୍ୱାରା କ୍ଷତିଗ୍ରସ୍ତ ହେଉଛନ୍ତି ।

 

ସବୁଠାରୁ ମଜା କଥା ହେଉଛି ଯେ ଯେଉଁ ଦୁଇ ରାଜନୀତିକ ଦଳ ସିରିଆ ଏବଂ ଇରାକ୍‌ରେ ରାଷ୍ଟ୍ରଶାସନର ଦାୟିତ୍ୱରେ ଅଛନ୍ତି, ସେମାନେ ମାତ୍ର କେତୋଟି ବର୍ଷ ତଳେ ଗୋଟିଏ ରାଜନୀତିକ ଦଳରୂପେ କାର୍ଯ୍ୟ କରୁଥିଲେ । ସେହି ଦଳଟିକୁ ବାଥ୍‌ ଦଳ ବୋଲି କୁହାଯାଉଥିଲା । ବାଥ୍‌ ପାଟି ଅର୍ଥାତ୍‌ ଆରବ ସାମାଜିକ ପୁନର୍ଜାଗରଣ ପାର୍ଟି । ଏବେ ଆଭ୍ୟନ୍ତରୀଣ ବିବାଦ ଲାଗି ଦଳଟି ଦୁଇଫାଙ୍କ ହୋଇଯାଇଛନ୍ତି । ପ୍ରତ୍ୟେକ ପଟ ଆପଣାକୁ ଅସଲ ବାଥ୍‌ ପାର୍ଟି ବୋଲି ଦାବୀ କରୁଛନ୍ତି ଓ ଅନ୍ୟ ପଟଟିକୁ ସମ୍ପୂର୍ଣ୍ଣ ଭାବରେ ପ୍ରତ୍ୟାଖ୍ୟାନ କରୁଛନ୍ତି । ଏହି ଆନ୍ତର୍ଦଳୀୟ ବିବାଦ ଅନ୍ତଃରାଷ୍ଟ୍ରୀୟ ବିବାଦରେ ପରିଣତ ହୋଇଛି ଓ ଇଉଫ୍ରେଟିସ୍‌ ନଦୀର ଅତ୍ୟାବଶ୍ୟକ ଜଳସମ୍ପଦ ଉପରେ ସେଥିଲାଗି ବଳର ପରୀକ୍ଷା ଚାଲିଛି ।

 

ସିରିଆ ଇରାକ୍‌ ସହିତ ଯାବତୀୟ ବାଣିଜ୍ୟିକ ସମ୍ପର୍କ ଛିନ୍ନ କରିଛି ଓ ଇରାକ୍‌ର ଉଡ଼ାଜାହାଜଗୁଡ଼ିକୁ ସିରିଆର ଆକାଶରେ ଉଡ଼ିବାକୁ ଅନୁମତି ଦେଉନାହିଁ । ଦୁଇ ଦେଶ ତରଫରୁ ପରସ୍ପର ବିରୁଦ୍ଧରେ ଉତ୍ତେଜିତ କୁତ୍ସାପ୍ରଚାର ଚାଲିଛି । ଆରବ ଲିଗ୍‌, ସୋଭିଏଟ୍‌ ଋଷିଆ, ବିଶ୍ୱବ୍ୟାଙ୍କ୍‌ ଓ ତେଲମାଲିକ ସାଉଦୀ ଆରବ ତରଫରୁ ଏହା ଭିତରେ ଏକାଧିକବାର ମଧ୍ୟସ୍ଥତା ଦ୍ୱାରା ବିବାଦ ମେଣ୍ଟାଇ ଦେବାର କେତେ ଉଦ୍ୟମ ହେଲାଣି, ମାତ୍ର ସେସବୁ ବିଫଳ ହୋଇଯାଇଛି । ଏପରିକି ସାଉଦୀ ଆରବର ତୈଳଲବ୍‌ଧ ଧନରୁ ସିରିଆକୁ ୧୪୪ କୋଟି ଏବଂ ଇରାକ୍‌କୁ ୭୨ କୋଟି ଟଙ୍କା ଧାରସ୍ୱରୂପ ଦିଆଯିବାର ପ୍ରଲୋଭନ ଦେଖା ହୋଇଥିଲେ ମଧ୍ୟ ତଥାପି ବିବାଦ ତୁଟାଇବା ଲାଗି ଉଭୟ ପକ୍ଷର କେହି ରାଜି ହୋଇନାହାନ୍ତି ।

 

ଜଳ ଅଭାବରୁ ଇରାକ୍‌ର ଏହି ଅଞ୍ଚଳରୁ ଶହ ଶହ କୃଷକ ଅନ୍ୟ କୌଣସି ସ୍ଥାନରେ ଜୀବିକାର ଅନ୍ୱେଷଣ କରିବା ଲାଗି ସ୍ଥାୟୀ ବାସ ଛାଡ଼ି ଚାଲିଯାଉଛନ୍ତି । ଆଗେ ଯେଉଁଠି ଧାନ ଫସଲ ହେଇଥିଲା, ଏବେ ଯଥେଷ୍ଟ ଜଳର ଅଭାବରୁ ସେଠାରେ କେବଳ ପିଆଜ ଚାଷ ହୋଇପାରୁଛି । ସିରିଆର ଆଉ ଏକ ପ୍ରଧାନ ଅଭିଯୋଗ ଯେ ଇରାକ୍‌ ଆରବ ଜଗତର ସ୍ୱାର୍ଥକୁ ଇରାନ୍‌ ପାଖରେ ବିକି ଦେଇ ସେଥିରୁ ସୁବିଧା ହାସଲ କରୁଛି । ଇରାକ୍‌ର କ୍ଷମତାସୀନମାନଙ୍କର ବିରୋଧୀ କୁର୍ଦ୍‌ମାନଙ୍କୁ କୌଣସିପ୍ରକାର ସହାୟତା ଦେବନାହିଁ ବୋଲି ପ୍ରତିଶ୍ରୁତି ଦେଇ ଇରାନ୍‌ ଇରାକ୍‌ଠାରୁ ଆହୁରି କେତେ ସୁବିଧା ହାସଲ କରିନେଇଛି । ଇରାନ୍‌ର ଦକ୍ଷିଣାଞ୍ଚଳରେ ବାସ କରୁଥିବା ଆରବବଂଶୀୟ ଅଧିବାସୀମାନଙ୍କୁ ସଂଗଠିତ କରି ଆରବଜଗତ ତରଫରୁ ଏକ ଆରବିସ୍ଥାନ ପ୍ରତିଷ୍ଠା କରିବାର ଆନ୍ଦୋଳନକୁ ଉତ୍ସାହିତ କରାଯାଉଥିଲା । ଇରାକ୍‌ ଏହି ଆନ୍ଦୋଳକୁ କୌଣସି ସମର୍ଥନ ଦେବନାହିଁ ବୋଲି ଇରାନ୍‌କୁ ଜବାବ ଦେଇଛି ।

 

ତେଣୁ ରାଜନୀତିକ ବିବାଦରୁ ହିଁ ଜଳବିବାଦର ଜନ୍ମ ହୋଇଛି ଏବଂ ଏହି ରାଜନୀତିକ ବିବାଦର ମୂଳଗୁଡ଼ିକ ଦୁଇଦେଶର ନାନା ସମ୍ପର୍କର ଇତିହାସରେ କେତେ ଆଡ଼କୁ ଓ କେତେ ଗଭୀରକୁ ମାଡ଼ିକରି ରହିଛି । ସିରିଆର ରାଜନୀତିକ ଶରଣପ୍ରାର୍ଥୀମାନଙ୍କୁ ବାଗ୍‌ଦାଦ୍‌ରେ ଆଶ୍ରୟ ଦେଇ ମଧ୍ୟ ଇରାକ୍‌ ସିରିଆର ବିରାଗଭାଜନ ହୋଇଛି । ଏହି ଶରଣପ୍ରାର୍ଥୀମାନଙ୍କ ଜରିଆରେ ସିରିଆରେ ପ୍ରତିଷ୍ଠିତ ସରକାରଙ୍କୁ ଗାଦୀଚ୍ୟୁତ କରିବାଲାଗି ଇରାକ୍‌ ଅନ୍ତତଃ ଦୁଇଥର ଉଦ୍ୟମ କରାଇଛି ବୋଲି ମଧ୍ୟ ଏକ ଅଭିଯୋଗ ରହିଛି ।

 

ମଧ୍ୟପ୍ରାଚ୍ୟର ରାଜନୀତିରେ ସାଧାରଣତଃ ଆରବଗୋଷ୍ଠୀ ଓ ଇସ୍ରାଏଲ ମଧ୍ୟରେ ଲାଗିଥିବା କଳହକୁ ସବୁଠାରୁ ବଡ଼ କଳହ ବୋଲି କୁହାଯାଏ । ମାତ୍ର ସେହି ଗୋଟିଏ ତଥାକଥିତ ଆରବଗୋଷ୍ଠୀ ମଧ୍ୟରେ ହିଁ କେତେ ସ୍ଥାନୀୟ ଅଥଚ ଅତ୍ୟନ୍ତ ଅନିଷ୍ଟକାରୀ କଳହମାନ ରହିଛି, ଆରବଜଗତ ଓ ଇସ୍ରାଏଲ ସହିତ ତା’ର କଳହକୁ ବୁଝିପାରିବାକୁ ହେଲେ ଆମକୁ ସେଗୁଡ଼ିକର ବି ମର୍ମଭେଦ କରିବାକୁ ପଡ଼ିବ । ଏହି ଅନ୍ତଃକଳହ ଓ ଅନେକ ସମୟରେ ଉତ୍କଟ ଭାବରେ ବଡ଼ ସ୍ଥାନୀୟ ଓ ଅନାବଶ୍ୟକ କଳହଗୁଡ଼ାକ ଆରବଜଗତର ବଳକୁ ଯେ ଭାରି ବିକ୍ଷିପ୍ତ ଓ ବିଭକ୍ତ କରିପକାଉଛି, ସେହି କଥାଟି ଆମ ଆଗରେ କ୍ରମଶଃ ସ୍ପଷ୍ଟ ବି ହୋଇଯିବ । ଆରବଭୂମିରେ ବିସ୍ତୃତ ଓ ବ୍ୟାପକ ବିକାଶର ସମ୍ଭାବନା ରହିଛି, ଜନବଳ ଓ ଅର୍ଥବଳ ଉଭୟ ରହିଛି । ମାତ୍ର ନାନା ପ୍ରକାର ଅକାରଣ ଆଦିମ-ଯୁଗୀୟ କଜିଆ ଭିତରେ ଏକ ନିର୍ବୋଧ ଉତ୍ସାହ ନେଇ ଛନ୍ଦି ହୋଇ ରହିଥିବା ହେତୁ ଆରବଜଗତ ଯେ ତଥାପି ବଡ଼ ଅଜାଗ୍ରତ ଅବସ୍ଥାରେ ରହିଛି ଓ ବିଶ୍ୱର ନୂତନ ଆହ୍ୱାନଗୁଡ଼ିକ ସହିତ ତାଳ ଦେଇ ଚାଲିପାରୁନାହିଁ, ଏପରି କହିବା ଲାଗି ମଧ୍ୟ ଏକାଧିକ କାରଣ ରହିଛି ।

 

ତା ୨୫.୦୯.୧୯୭୫ ରିଖ

Image

 

ଏତେ ଅସ୍ତ୍ର କାହୁଁ ଆସୁଛି

 

ଆଗେ ଅର୍ଥାତ୍‌ ପୁରାଣ କାଳରେ ଅନ୍ୟାୟ ଆଉ ନ୍ୟାୟ ଭିତରେ ଯୁଦ୍ଧ ହେଉଥିଲା । ପୃଥିବୀରେ ରାଜନୀତିର ବିକାଶ ସଙ୍ଗେ ସଙ୍ଗେ ଆମ ଆଧୁନିକ କାଳଟା ପର୍ଯ୍ୟନ୍ତ ଆଦର୍ଶ ଆଉ ଆଦର୍ଶ ଭିତରେ ଯୁଦ୍ଧ ଓ ସଂଘର୍ଷ ଲାଗୁଥିଲା । ଏପରିକି, ଏହି ଦ୍ୱିତୀୟ ମହାଯୁଦ୍ଧଟି ସରିବା ପରେ ପୃଥିବୀର ରାଷ୍ଟ୍ରଗୁଡ଼ାକୁ ଆଦର୍ଶର ଗୋଟାଏ ଗୋଟାଏ ମାର୍କା ଅନୁସାରେ ଏକାବେଳେକେ ଦୁଇଟି ଶିବିରରେ ବିଭକ୍ତ କରି ରଖିବାଲାଗି ମଧ୍ୟ କେତେମନ୍ତେ ପ୍ରଚେଷ୍ଟା କରାଯାଉଥିଲା । ଏବେ ସେଇଟା ମଧ୍ୟ ପୁରୁଣା ହୋଇଗଲାଣି । ଏବେ ଅସ୍ତ୍ରଶସ୍ତ୍ର ମଧ୍ୟରେ ଯୁଦ୍ଧ ଚାଲିଛି । ଦୁଇପକ୍ଷରୁ ଅସ୍ତ୍ରର ପ୍ରୟୋଗ କରାହେଉଛି । ବୁଝାମଣାର କୌଣସି ଅବକାଶ ସମ୍ଭବ କରାଇବା ଆଗରୁ ମଧ୍ୟ ପକ୍ଷଗୁଡ଼ାକ ଅସ୍ତ୍ର ଯୋଗାଡ଼ କରିବାରେ ଲାଗି ଯାଉଛନ୍ତି । ଯେଉଁପଟ ଅଧିକ ସଫଳ ଭାବରେ ଅସ୍ତ୍ର ଧାରଣ ଏବଂ ଅସ୍ତ୍ର ପ୍ରୟୋଗ କରିପାରିବ, ରାଷ୍ଟ୍ର ଅଥବା ରାଜନୀତିର ଭାଗ୍ୟକୁ କେବଳ ସେଇ ନିର୍ଦ୍ଧାରଣ କରିପାରିବ ବୋଲି ଏକ ବିଶ୍ୱାସ ମଧ୍ୟ ଆମ ପୃଥିବୀରେ କ୍ରମେ ଅଧିକ ଦୃଢ଼ ହେବାରେ ଲାଗିଛି ।

 

ଆଫ୍ରିକାର ଗୋଟିଏ ଦେଶ ଆଙ୍ଗୋଲା, ସେଠି ଆଉ ଦୁଇମାସ ଗଲେ ଦେଶକୁ ରାଜନୀତିକ ସ୍ୱାଧୀନତା ମିଳିବ ବୋଲି ଘୋଷଣା ହୋଇସାରିଛି । ସ୍ୱାଧୀନତା ଆସିଲେ ତାହା କାହା ହାତକୁ ଶ୍ରୀଫଳରୂପେ ଆସିବ, ସ୍ୱାଧୀନତା ଆସିବା ପୂର୍ବରୁ ହିଁ ବର୍ତ୍ତମାନ ବିବାଦମାନ ଦୁଇଟି ପକ୍ଷ ମଧ୍ୟରେ କେବଳ ଅସ୍ତ୍ର ଦ୍ୱାରା ହିଁ ତାହାର ମୀମାଂସା ହେଉଛି । ମାଳୟ ଦ୍ୱୀପପୁଞ୍ଜ ଭିତରେ ବକଟେନାକୁ ସ୍ଥଳ ‘ଟିମୋର’-ସେଠାରେ ମଧ୍ୟ ରାଜନୀତିକ ସ୍ୱାଧୀନତା ଆସିବ ବୋଲି ଘୋଷଣା ହୋଇସାରିଛି । ସେଠାରେ ମଧ୍ୟ ଅସ୍ତ୍ର ଧରି କ୍ଷମତାକାମୀ ଦୁଇଟିଯାକ ପକ୍ଷ ପ୍ରାର୍ଥୀରୂପେ ଦଣ୍ଡାୟମାନ ହୋଇଗଲେଣି ଓ ସେମାନଙ୍କ ଭିତରେ ଯୁଦ୍ଧ ଚାଲିଛି । ସେହିପରି ବକଟେ ଆଉଗୋଟିଏ ଦ୍ୱୀପ ସାଇପ୍ରସ୍‌, ସେଠି ସମସ୍ତେ ଏକାଠି ମିଶି ପ୍ରାୟ ଦୁଇଟି ଦଶକ କାଳ ସ୍ୱାଧୀନତାକୁ ଭୁଞ୍ଜିସାରିବା ପରେ ବର୍ତ୍ତମାନ ଗ୍ରୀକ୍‌ ଏବଂ ତୁର୍କୀ ଭାଷାଭାଷୀ ନାଗରିକମାନଙ୍କ ମଧ୍ୟରେ ପୁଣି ସଶସ୍ତ୍ର ବିବାଦ ଆରମ୍ଭ ହୋଇଛି । ଦ୍ୱୀପଟିକୁ ଦୁଇଭାଗ କରି ଦୁଇଟା ସ୍ୱାଧୀନତା ଭୋଗ କରିବାଲାଗି ସେଠି ଶକ୍ତିଶାଳୀ ଆନ୍ଦୋଳନ ମଧ୍ୟ ଆରମ୍ଭ ହୋଇଯାଇଛି । କାହାପଟରେ କେତେ ନ୍ୟାୟ ରହିଛି ଓ କାହା ଭାଲରେ ବିଜୟ ଲିଖିତ ହୋଇ ରହିଛି, ସେଇଟାର ନିଷ୍ପତ୍ତି ସେଠାରେ ମଧ୍ୟ ସେହି ଅସ୍ତ୍ରରେ ହେଉଛି । ସେଠି ଲଢ଼ୁଆ ନାଗରିକମାନଙ୍କ ହାତରେ ଏତେବେଶି ଅସ୍ତ୍ର ରହିଛି ଯେ ଦେଶର ସରକାର ଓ ତାଙ୍କର ସୈନ୍ୟସାମନ୍ତ ମଧ୍ୟ ଦେଶଟାକୁ ଆପଣା କାବୁରେ ରଖିପାରୁନାହାନ୍ତି ।

 

ଏମାନଙ୍କ ହାତକୁ ଏତେ ଅସ୍ତ୍ରଶସ୍ତ୍ର କେଉଁଠାରୁ ଆସିଲା ? ଏପର୍ଯ୍ୟନ୍ତ ପରାଧୀନ ହୋଇ ରହିଥିବା ଆଙ୍ଗୋଲାର ନାଗରିକ ଓ ପକ୍ଷଗୁଡ଼ାକ ହାତରେ ଏସବୁ ଅସ୍ତ୍ରଶସ୍ତ୍ର କାହୁଁ ଆସିଲା ? ସାନ ଟିମୋରର ଉନ୍ମତ୍ତ ଦୁଇଟି ଶିବିରକୁ କିଏ ଏତେ ଏତେ ଅସ୍ତ୍ର ଆଣି ଯୋଗାଇ ଦେଇଗଲା ? ସାଇପ୍ରସ୍‌ରେ ଗୋଟିଏ ଘରକୁ ଦୁଇଖଣ୍ଡ କରିଦେବାକୁ ସେଠି ସରକାରଙ୍କ ଆଖିରେ ଧୂଳି ଦେଇ କେଉଁଠାରୁ କିଏ ଏତେ ଅସ୍ତ୍ର ଆଣିଦେଲା ? ଏବେ ଅନେକେ କହୁଛନ୍ତି ଯେ ଆଫ୍ରିକା ମହାଦେଶ ଗୋଟାକଯାକ କ୍ରମେ ଏହିପରି ଭାବରେ ଏକ ବିରାଟ ଅସ୍ତ୍ରାଗାରରେ ପରିଣତ ହେବାକୁ ବସିଲାଣି-। ଆଫ୍ରିକାର ଦେଶଗୁଡ଼ିକୁ ଏକ ନୂତନ ଭବିଷ୍ୟର ଦ୍ୱାରଦେଶରେ ଆଣି ଠିଆ କରାଇଥିବା ସେହି ମହାଦେଶର ନବଲବ୍‌ଧ ସ୍ୱାଧୀନତାକୁ ଅନ୍ତର୍ବିବାଦର ବିଷ ଦ୍ୱାରା ନଷ୍ଟ କରିଦେବାକୁ ସେଠି କେହି ପ୍ରକୃତରେ କୌଣସି ଚକ୍ରାନ୍ତ କରୁଛି କି ଏବଂ ସେଇଥିଲାଗି ସେଠାରେ ଏତେ ଏତେ ଅସ୍ତ୍ର ଆଣି ଭର୍ତ୍ତି କରିଦେବାରେ ଲାଗିଛି କି ?

 

ଏଇଟା ଏକାନ୍ତ ସତ୍ୟ ଯେ ଆଙ୍ଗୋଲାରେ ବ୍ୟବହୃତ ହେଉଥିବା ଅସ୍ତ୍ରଶସ୍ତ୍ରଗୁଡ଼ାକ କଦାପି ଆଙ୍ଗୋଲାରେ ତିଆରି ହୋଇନାହିଁ, ଟିମୋରରେ ବ୍ୟବହୃତ ହେଉଥିବା ଅସ୍ତ୍ରଶସ୍ତ୍ର ସେଇଠି ସମୁଦ୍ରରେ ଜାଲ ପଡ଼ି କଦାପି ଛଣାହୋଇ ଆସିନାହିଁ କିମ୍ୱା ସାଇପ୍ରସ୍‌ରେ ଉଭୟପକ୍ଷ ଦ୍ୱାରା ବ୍ୟବହୃତ ହେଉଥିବା ଅସ୍ତ୍ରଗୁଡ଼ାକ ମଧ୍ୟ ସାଇପ୍ରସ୍‌ର କୌଣସି ଖଣି ଭିତରୁ ବାହାରି ନାହିଁ । ସେଗୁଡ଼ାକ ସବୁ ସ୍ଥଳରେ ବାହାରୁ ଆମଦାନୀ ହୋଇ ଭିତରକୁ ଆସିଛି । ପକ୍ଷଗୁଡ଼ାକୁ ନାନାପ୍ରକାରେ ପ୍ରଲୁବ୍‌ଧ କରି ଏଗୁଡ଼ାକ ଭିତରେ ପଶିବା ଲାଗି ବାହାରର ଆଉ କେଉଁମାନେ ଆପଣା ଲାଗି ଗୋଟିଏ ଗୋଟିଏ ମାର୍ଗର ସୁରାଖ କାଢ଼ି ନେଇଛନ୍ତି । ପୃଥିବୀରେ କୌଣସି ବଡ଼ ଯୁଦ୍ଧ କରାଇ ନ ଦେବା ଲାଗି ସେମାନେ ଏମିତି ଏକାଧିକ ସାନ ଯୁଦ୍ଧର ବରାଦ କରିପାରିଛନ୍ତି । ଅସ୍ତ୍ରର ବଜାରକୁ ସଚଳ କରି ରଖିଛନ୍ତି । ତେଣୁ ଅସ୍ତ୍ରର ଉତ୍ପାଦନକୁ ଲାଭଜନକ କରି ରଖିଛନ୍ତି ।

 

ପୃଥିବୀରେ ଶାନ୍ତି ପ୍ରତିଷ୍ଠା ଲାଗି ଏହି ମୂଢ଼ ଚତୁରପଣଗୁଡ଼ାକୁ ମଧ୍ୟ ବନ୍ଦ କରିବାକୁ ପଡ଼ିବ । ଭିଏତ୍‌ନାମ୍‌ରେ ବ୍ୟବହୃତ ହେଉଥିବା ଅସ୍ତ୍ରରୁ ଗୋଟିଏ ହେଲେ ବି ସେଠି ତିଆରି ହେଉନଥିଲା, ଏପରିକି ମଧ୍ୟପ୍ରାଚ୍ୟରେ ବର୍ତ୍ତମାନ ବ୍ୟବହୃତ ହେଉଥିବା ଅସ୍ତ୍ରଶସ୍ତ୍ରର ଅନେକାଂଶ ବି ସେଠାରେ ଆଦୌ ତିଆରି ହୋଇନାହିଁ ।

 

ଆପଣା ଦେଶକୁ ଆପେ ଚଳାଇବାର ଦାୟିତ୍ୱଟିକୁ ବହନ କରିବା ଆଗରୁ ଏବଂ ଆପଣା ଦେଶ ଲାଗି ଉପଯୁକ୍ତ ବାଟଟିଏ ବିକଶିତ କରାଇ ଆଣିବା ପୂର୍ବରୁ ଯେଇଁଠି ଅସ୍ତ୍ରବଳ ଅଜାଡ଼ି ଦେଇ ଏବାଟରେ ବା ସେବାଟରେ ଯିବା ଲାଗି ବାହାରୁ ପ୍ରଲୁବ୍‌ଧ କରାଯାଉଛି, ସେଠାରେ ଏକ ନବ୍ୟ ଉପନିବେଶବାଦର ପ୍ରଲୁବ୍‌ଧ କରାଯାଉଛି, ସେଠାରେ ଏକ ନବ୍ୟ ଉପନିବେଶବାଦର ପ୍ରତାରଣାକୁ ପ୍ରଶ୍ରୟ ଦିଆଯାଉଛି, ସ୍ୱାଧୀନତାକୁ ବିକୃତାବୟବ କରିଦିଆଯାଉଛି ଓ ସମଗ୍ର ପୃଥିବୀର ଶାନ୍ତିକୁ ବିପନ୍ନ କରି ରଖାଯାଉଛି ।

 

ତା୨୯.୦୯.୧୯୭୫ ରିଖ

Image

 

ସ୍ପେନ୍‌ ମଧ୍ୟ ବଦଳିଯିବ

 

ଆଇବେରିୟା ଅନ୍ତରୀପରେ ମୋଟ ଦୁଇଟି ଦେଶ, ଗୋଟିଏ ସ୍ପେନ୍‌, ଆଉ ଗୋଟିଏ ପର୍ତ୍ତୁଗାଲ୍‌ । ଏହି ଅନ୍ତରୀପଟି ଉତ୍ତରରେ ଫ୍ରାନ୍‌ସର ପିରିନିଜ୍‌ ପର୍ବତମାଳା ଦ୍ୱାରା ସତେଅବା ଇଉରୋପୀୟ ଆକାଂକ୍ଷାପ୍ରବାହରୁ ବହୁଦିନରୁ ବିଚ୍ଛିନ୍ନପ୍ରାୟ ହୋଇ ରହିଯାଇଛି । ଦକ୍ଷିଣରେ ଜିବ୍ରାଲ୍‌ଟର ବାଟେ ଉତ୍ତର ଆଫ୍ରିକାରୁ ମୁର୍‌ମାନେ ଏହି କ୍ଷେତ୍ରଟିକୁ ଆସି ଏହି ଦୁଇ ଦେଶରେ ସାମନ୍ତବାଦୀ ଦୃଷ୍ଟିଟିକୁ ଯେପରି ଆହୁରି ଦୃଢ଼ କରି ରଖିଦେଇଛନ୍ତି । ଇଉରୋପର କୌଣସି ପ୍ରକାର ବିପ୍ଳବର ଧକ୍‌କା ଏଠାରେ ଯଥେଷ୍ଟ ପରିମାଣରେ ବାଜିଥିଲା ପରି ଆଦୌ ମନେହୁଏ ନାହିଁ । ତେଣୁ ସାମାଜିକ ଓ ରାଜନୀତିକ କ୍ଷେତ୍ରରେ ସେଠି ଯୁଗର ଗତି ସତେଅବା ପୋକଟିଏ ପରି ଘୁଷୁରି ଘୁଷୁରି ଯାଉଛି ।

 

ଏହି ଶତାଦ୍ଦୀର ତୃତୀୟ ଦଶକରେ ଯେତେବେଳେ ସ୍ପେନ୍‌ରେ ଲୋକତନ୍ତ୍ରର ପ୍ରତିଷ୍ଠା ହେଲା ଓ ପୁଣି ଲୋକତନ୍ତ୍ରର ବିନାଶ ବି କରାଗଲା, ବୋଧହୁଏ ସେତିକିବେଳେ ହିଁ ପ୍ରଥମଥର ପାଇଁ ସମସ୍ତ ସ୍ପେନ୍‌ ଉପରେ ଇଉରୋପର ଜନଗଣଙ୍କ ଦୃଷ୍ଟି ପଡ଼ିଥିଲା । ସ୍ପେନିଶ ଗୃହଯୁଦ୍ଧ ବୋଲି ଖ୍ୟାତ ସେହି ବିପ୍ଳବ ଏବଂ ପ୍ରତିବିପ୍ଳବରେ ଇଉରୋପର କେତେ ଚିନ୍ତାଶୀଳ ବ୍ୟକ୍ତି, କବି ଓ କଳାକାର ଆସି ଝାସ ଦେଇଥିଲେ । ପ୍ରାଣ ବି ଦେଇଥିଲେ । ତଥାପି ସ୍ପେନ୍‌ରେ ଏକଛତ୍ର ଶାସନ ହିଁ ରହିଲା, ଭାଗ୍ୟର ଚକ ପଛମୁହାଁ ହୋଇ ରହିଲା, ପୁରୁଣାଟାର ଖୁଣ୍ଟରେ ବନ୍ଧା ହୋଇ ରହିଲା । ବିଜୟୀ ଜେନେରାଲ ଫ୍ରାନ୍‌ସିସ୍କୋ ଫ୍ରାଙ୍କୋ ସ୍ପେନ୍‌ରେ ଏକଛତ୍ର ଅଧିପତି ରୂପେ ଆସନ ମାଡ଼ି ରହିଲେ । ସିଏ ଆଜି ମଧ୍ୟ ସେଠାରେ ଶାସକ ହୋଇ ରହିଛନ୍ତି, ଗତ ଦୀର୍ଘ ଛତିଶିବର୍ଷ ହେଲା ସ୍ପେନ୍‌ରେ ଶାସନ କରୁଛନ୍ତି । ଗତ ଛତିଶିବର୍ଷ ଭିତରେ ଇଉରୋପରେ କେତେ କ’ଣ ବଦଳିଥିଲେ ମଧ୍ୟ ସ୍ପେନ୍‌ରେ ପ୍ରାୟ କିଛି ହେଲେ ବଦଳି ନାହିଁ ।

 

ବିଗତ ଦ୍ୱିତୀୟ ମହାଯୁଦ୍ଧରେ ଫ୍ରାଙ୍କୋ ହିଟ୍‌ଲର୍‌ ଓ ମୁସୋଲିନିଙ୍କ ପକ୍ଷରେ ଥିଲେ । ହିଟ୍‌ଲର୍‌ ଓ ମୁସୋଲିନିଙ୍କର ରାଜନୀତିକ ସ୍ୱେଚ୍ଛାଚାରିତାଗୁଡ଼ାକୁ ହିଁ ସିଏ ଆପଣା ଲାଗି ମଧ୍ୟ ରାଷ୍ଟ୍ରୀୟ ଶାସନାଦର୍ଶ ରୂପେ ଗ୍ରହଣ କରୁଥିଲେ । ସ୍ପେନ୍‌କୁ ସିଏ ଗୋଟିଏ ଦୃଢ଼ ଦୁର୍ଗ ପରି ତିଆରି କରିବାର ଉଚ୍ଚାଭିଳାଷ ରଖିଥିଲେ; ଯେଉଁଠି ବାହାରର କୌଣସି ପବନ ବାଜିବ ନାହିଁ, ବାହାରୁ କୌଣସି ପ୍ରକାର ସଂକ୍ରମଣ ଆସିବ ନାହିଁ, ସେହିପରି ଏକ ସୁଦୃଢ଼ ଦୁର୍ଗ ।

 

ଶାସନ ଫ୍ରାଙ୍କୋଙ୍କୁ ବର୍ତ୍ତମାନ ୮୨ ବର୍ଷ ହେଲାଣି । କେତେବର୍ଷ ପୂର୍ବେ ପ୍ରାୟ ବାଧ୍ୟ ହୋଇ ସ୍ପେନ୍‌ ଲାଗି ସେ ତାଙ୍କର ଜଣେ ଉତ୍ତରାଧିକାରୀ ଠିକ୍‌ କରିଦେଇଛନ୍ତି । ସମଗ୍ର ସ୍ପେନ୍‌ ପ୍ରାୟ ଅଣନିଶ୍ୱାସୀ ହୋଇ ସେହି ପରିବର୍ତ୍ତନଟି ଲାଗି ଅପେକ୍ଷା କରି ରହିଛି । କାରଣ ସଚେତନ ପ୍ରତ୍ୟେକ ସ୍ପେନ୍‌ବାସୀ ଏହି କଥାଟିକୁ ଖୁବ୍‌ ଭଲକରି ଜାଣିଛି ଯେ ଫ୍ରାଙ୍କୋଙ୍କ ଦ୍ୱାରା ମନୋନୀତ ହୋଇଥିଲେ ମଧ୍ୟ ତାଙ୍କର ଉତ୍ତରାଧିକାରୀ ଜୁଆନ୍‌ କାର୍ଲୋସ୍‌ ଇଚ୍ଛା କଲେ ମଧ୍ୟ କଦାପି ସ୍ପେନ୍‌ ଉପରେ ଫ୍ରାଙ୍କୋଙ୍କ ପରି ଏକଛତ୍ର ଅଧିନାୟକ ହୋଇ ରହିପାରିବେ ନାହିଁ । ଗାଦୀବଦଳ ସଙ୍ଗେ ସଙ୍ଗେ ସ୍ପେନ୍‌ରେ ଆହୁରି କେତେ କ’ଣ ପଟବଦଳା ନିଶ୍ଚୟ ଘଟିବ ଓ ରାଜନୀତିକ ବିବର୍ତ୍ତନର କ୍ଷେତ୍ରରେ ସ୍ପେନ୍‌ ଏକ ନୂତନ ପଦକ୍ଷେପ ଗ୍ରହଣ କରିବ ।

 

ଫ୍ରାଙ୍କୋ ଏପର୍ଯ୍ୟନ୍ତ ତାଙ୍କର ସର୍ବକର୍ତ୍ତୃତ୍ୱଶାଳୀ ପୋଲିସ ବାହିନୀଦ୍ୱାରା ଦେଶକୁ ଆପଣାର ଟିପ ଅଗରେ ଶାସନ କରାଇ ଆସିଛନ୍ତି । ଫ୍ରାଙ୍କୋଙ୍କ ପରେ ଏଗୁଡ଼ିକରେ ନିଶ୍ଚୟ ପରିବର୍ତ୍ତନ ଘଟିବ । ୩୬ ବର୍ଷ ପୂର୍ବେ ଲୋକତନ୍ତ୍ରକୁ ଧ୍ୱଂସ କରିଦିଆଗଲାବେଳେ ଯେଉଁସବୁ ଆକାଙ୍‌କ୍ଷା ଉପରେ କୁଠାରାଘାତ କରାହୋଇଥିଲା, ବର୍ତ୍ତମାନ ସେହିସବୁ ଆକାଙ୍‌କ୍ଷାକୁ କ୍ରମେ ପୁଣି ବାଟ ଛାଡ଼ିଦିଆଯିବ । ଲୋକମାନଙ୍କୁ ନାଗରିକ ହିସାବରେ ସେମାନଙ୍କର ସ୍ୱାଭାବିକ ସ୍ୱାଧୀନତାଗୁଡ଼ିକୁ ଫେରାଇ ଦିଆଯିବ, ଦେଶରେ ମୁକ୍ତ ନିର୍ବାଚନ ହେବ, ପ୍ରତିନିଧି ଶାସନକୁ ବାଟ ଛାଡ଼ି ଦିଆଯିବ, ମତ ପ୍ରକାଶ ଓ ପ୍ରେସ୍‌ର ସ୍ୱାଧୀନତା ରହିବ ଏବଂ ସରକାରୀ ଦୁର୍ନୀତିର ମଧ୍ୟ ସମାପ୍ତି ଘଟିବ । ସମଗ୍ର ସ୍ପେନ୍‌ ବର୍ତ୍ତମାନ ସେହି ପରିବର୍ତ୍ତନଟି ଲାଗି ଦିନ ଗଣୁଛି ।

 

ଏବେ ସ୍ପେନ୍‌ରେ ଏକ ନମୁନା ହିସାବରେ ନିଆଯାଇଥିବା ଗୋଟିଏ ଲୋକମତର ଗଣନାରୁ ଯାହା ଜଣାପଡ଼ିଛି, ସେଇଟି ଅନୁସାରେ ସେହି ଦେଶର ଶତକଡ଼ା ୭୮ ଭାଗ ଲୋକ ସ୍ପେନ୍‌ରେ ଲୋକତନ୍ତ୍ରର ପୁନଃ ପ୍ରବର୍ତ୍ତନ ହେଉ ବୋଲି ଇଚ୍ଛା ପ୍ରକାଶ କରିଛନ୍ତି । ସ୍ପେନ୍‌ର ଆର୍ଥିକ ସ୍ଥିତିଟି ଦ୍ୱାରା ବାଧ୍ୟ ହୋଇ ଦେଶର ପ୍ରାୟ ୩୩ ଲକ୍ଷ ଲୋକ ଦେଶର ବାହାରେ ଶ୍ରମିକରୂପେ କାର୍ଯ୍ୟ କରୁଛନ୍ତି । ଏମାନେ ପଶ୍ଚିମ ଜର୍ମାନୀ, ଫ୍ରାନ୍‌ସ, ବେଲ୍‌ଜିଅମ୍‌, ସୁଇଜରଲାଣ୍ଡ୍‍ ଓ ବ୍ରିଟେନ୍‌ ପ୍ରଭୃତି ଦେଶରେ କାର୍ଯ୍ୟ କରୁଛନ୍ତି । ସେମାନେ କାର୍ଯ୍ୟ କରୁଥିବା ଦେଶଗୁଡ଼ିକରେ ସ୍ପେନ୍‌ ତୁଳନାରେ ସେମାନେ ଅଧିକ ମଜୁରୀ ପାଉଛନ୍ତି, ଏକ ପରିଶ୍ରମଲବ୍‌ଧ ସୁଖୀ ଜୀବନର ପ୍ରତିଶ୍ରୁତି ପାଉଛନ୍ତି । ସେସବୁ ଦେଶରେ ମତବ୍ୟକ୍ତ କରିବାର ସ୍ୱାଧୀନତା ରହିଛି, ସଂଘବଦ୍ଧ ହୋଇ ଆପଣାର ଅଧିକାରଗୁଡ଼ିକୁ ଲାଭ କରିବା ଲାଗି ଶ୍ରମିକମାନଙ୍କର ସ୍ୱାଧୀନତା ରହିଛି, ସମାଜକଲ୍ୟାଣର କେତେ କେତେ ଯୋଜନା ସେସବୁ ଦେଶରେ କାର୍ଯ୍ୟକାରୀ ହେଉଛି । ଏକ ଅଧିକ ଉନ୍ନତ ଭାଗ୍ୟ ଓ ଅଧିକ ସଚେତନ ରାଷ୍ଟ୍ରୀୟ ଜୀବନର ସଂକ୍ରମଣଟି ହୁଏତ ଏହି ଶ୍ରମିକମାନଙ୍କ ଜରିଆରେ ଲୋକତାନ୍ତ୍ରିକ ଇଉରୋପରୁ ପ୍ରାଚୀରବେଷ୍ଟିତ ସ୍ପେନ୍‌ରେ ମଧ୍ୟ ପ୍ରବେଶ କରିଛି ଓ ସେଠି ଜଳାଶୟମାନଙ୍କରେ ନୂତନ ଗତିଶୀଳତାର ସଞ୍ଚାର କରିଛି । ସ୍ପେନ୍‌ର ଲୋକମାନେ କ୍ରମେ ନୂତନ ଭାବରେ ଭାବିବାକୁ ଆରମ୍ଭ କରିଛନ୍ତି । ପୁରୁଣା ଏକାଧିପତି ଶାସନ ଓ ତାହାରି ପୃଷ୍ଠପୋଷକତାର ଆସନ ମାଡ଼ି ରହିଥିବା କାଥୋଲିକ୍‌ ଧର୍ମର ବାଧ୍ୟତାଗୁଡ଼ାକର ବଶ ହୋଇ ରହିବା ବ୍ୟତୀତ ଅନ୍ୟ ପଥ ଯେ ରହିଛି, ସ୍ପେନ୍‌ର ଲଙ୍କାଗଡ଼ରେ ମଧ୍ୟ କ୍ରମଶଃ ଏହିପରି ଏକ ନୂତନ ପ୍ରତ୍ୟୟ ଜନ୍ମଲାଭ କରିଛି ।

 

ସେହି ପ୍ରତ୍ୟୟ ହିଁ ପୁରୁଣା ଧାରାରେ ପରିବର୍ତ୍ତନ ଆଣିବାକୁ ଯାଉଛି, ମଣିଷକୁ ଏକ ନୂତନ ସ୍ୱୀକୃତି ଦେବାପାଇଁ ଯାଇଛି ।

 

ତା ୩୦.୦୯.୧୯୭୫ ରିଖ

Image

 

ପ୍ରଭାବକ୍ଷେତ୍ର ଆଙ୍ଗୋଲା

 

ଆଙ୍ଗୋଲା ଦେଶ ସ୍ୱାଧୀନ ହେବା ପୂର୍ବରୁ ସେଠାରେ ତିନୋଟି ରାଜନୀତିକ ଦଳ ଭିତରେ କ୍ଷମତା ଲାଗି ଲଢ଼େଇ ଲାଗିଥିଲା । ଏଥିମଧ୍ୟରୁ ଅଗଷ୍ଟିନୋ ନେଟୋଙ୍କ ଦଳ ଆଗରୁ ଆଙ୍ଗୋଲାର ସ୍ୱାଧୀନତା ଲାଗି ସଂଗ୍ରାମ କରୁଥିବା ଏକମାତ୍ର ଦଳରୂପେ କାର୍ଯ୍ୟ କରୁଥିଲା, ସ୍ୱୀକୃତ ବି ହୋଇସାରିଥିଲା । ମାତ୍ର ପରେ ଆମେରିକା ଏବଂ ଦକ୍ଷିଣ ଆଫ୍ରିକାଠାରୁ ହେମତ ପାଇ ସେଠାରେ ଆଉ ଦୁଇଟି ଦଳ ମୁଣ୍ଡ ଟେକିଲେ, ଆପଣାକୁ ସ୍ୱାଧୀନ ଆଙ୍ଗୋଲାର ଭାଗ୍ୟାଧିକାରୀ ବୋଲି ଦାବୀ କଲେ । ସେମାନଙ୍କୁ ସକ୍ରିୟ ଓ ପରୋକ୍ଷ ଭାବରେ ସାହାଯ୍ୟ କରିବାକୁ ଓ ସେମାନଙ୍କର ପଟ ଲଢ଼ିବାକୁ ଦକ୍ଷିଣ ଆଫ୍ରିକାରୁ ସୈନ୍ୟବାହିନୀ ଆସି ପହଞ୍ଚିଲେ, ଦୂର ପଶ୍ଚିମ ଇଉରୋପରୁ ମଧ୍ୟ ଭତ୍ତାପ୍ରାପ୍ତ ସୈନିକ ଆସି ପହଞ୍ଚିଗଲେ । କେତେବର୍ଷ ତଳେ ସେହି ଆଫ୍ରିକାର ଆଉ ଗୋଟିଏ ଉପନିବେଶ କଙ୍ଗୋର ଭବିଷ୍ୟମୀମାଂସା ହେଉଥିବା ସମୟରେ ସେଠାରେ ଯେପରି ଇଉରୋପରୁ ସୈନ୍ୟମାନେ ଆସି ପହଞ୍ଚି ଯାଇଥିଲେ, ଠିକ୍‌ ସେହିପରି ।

 

ଏସବୁ ଏଡ଼େଭଳି ଶ୍ରଦ୍ଧା କାହିଁକି ପ୍ରଦର୍ଶିତ କରାଗଲା ? ଯେଉଁ ଆଙ୍ଗୋଲାର ନାମ ରାଜନୀତିର ଆଲୋଚନାରେ ପ୍ରାୟ କେବେହେଲେ ପଡ଼ିନଥିଲା, ସେହି ଆଙ୍ଗୋଲା ହଠାତ୍‌ ଏତେ ଏତେ ରାଷ୍ଟ୍ରର ବଦାନ୍ୟତାର ଶିକାର ହୋଇପଡ଼ିଲା କିପରି ? ଏହାକୁ କ’ଣ ଆମେ ଆଦର୍ଶଗତ କୌଣସି ଶ୍ରଦ୍ଧା ବୋଲି କହିବା ? ଦ୍ୱିତୀୟ ମହାଯୁଦ୍ଧ ପରେ ଯେଉଁଠି ଯେତେ ସ୍ଥାନୀୟ ରଣକ୍ଷେତ୍ର ସୃଷ୍ଟି କରାଯାଉଥିଲା, ସେତେବେଳେ ତାକୁ ଏକ ଆଦର୍ଶଗତ ଆବଶ୍ୟକତା ବୋଲି ପ୍ରଚାର କରାଯାଉଥିଲା । ହୁଏତ ଆଙ୍ଗୋଲା ବେଳକୁ ମଧ୍ୟ ସମ୍ପୃକ୍ତ ହସ୍ତକ୍ଷେପକାରୀମାନେ ଏହି ଆଦର୍ଶର ଦ୍ୱାହି ଦେବାଲାଗି ନିଶ୍ଚୟ ବାହାରି ପଡ଼ିବେ । କିନ୍ତୁ ଆଦର୍ଶ ଅନେକ ସମୟରେ ପ୍ରଚ୍ଛନ୍ନ ଅନ୍ୟ ମତଲବଗୁଡ଼ାକୁ ଘୋଡ଼ାଇ ରଖିବା ଲାଗି ଏକ ଆବରଣରୂପେ ମଧ୍ୟ କାର୍ଯ୍ୟ କରିଥାଏ । କ୍ୟୁବାରେ ବି ପ୍ରାୟ ପନ୍ଦର ବର୍ଷ ତଳେ ତାହା ସେହିପରି ଏକ ଆବରଣ ରୂପେ ବ୍ୟବହୃତ ହୋଇଥିଲା । ଲାଟିନ୍‌ ଆମେରିକାରେ ଅର୍ଥନୈତିକ ସ୍ୱାର୍ଥର ବ୍ୟାଘ୍ର ଆଦର୍ଶକୁ ଏକ ଖୋଳପରି ବ୍ୟବହାର କରି ଏକ ଅସହନୀୟ ସ୍ଥାଣୁତାକୁ ହିଁ ପ୍ରାୟ ଜବରଦସ୍ତି କରି ରକ୍ଷା କରିଆସିଛି ଓ ତଦ୍ଦ୍ୱାରା ଅନେକ ଲାଭବାନ ହେବାରେ ଲାଗିଛି ।

 

ଆଙ୍ଗୋଲାରେ ଆମେ ପ୍ରାୟ ସେହିପରି ଏକ ମତଲବ କାର୍ଯ୍ୟ କରିଥିବାର ଦେଖିବାକୁ ପାଇବା । ଆଙ୍ଗୋଲା ହେଉଛି ପ୍ରାକୃତିକ ନାନା ସମ୍ପଦରେ ପରିପୂର୍ଣ୍ଣ ହୋଇ ରହିଥିବା ଏକ ଭୂମି । ଆଙ୍ଗୋଲା ନାନା ଖଣିଜ ପଦାର୍ଥର ଭୂମି । ତେଣୁ ଆର୍ଥିକ ଲାଭର ଏକ ବହୁମୂଲ୍ୟ ଚରାଭୂମି ଏବଂ ଗତ କେତେଶହ ବର୍ଷର ଔପନିବେଶିକତାର କାଳରେ ତାହା ଠିକ୍‌ ସେହିପରି ଭାବରେ ହିଁ ବ୍ୟବହୃତ ହୋଇଆସିଥିଲା । ଇଉରୋପୀୟ ପୁଞ୍ଜ ଖଟାଇ ଆଙ୍ଗୋଲରେ ସୁଲଭ ଶ୍ରମଶକ୍ତି ସାହାଯ୍ୟରେ ଅତୁଳ ଲାଭ କମାଇବାର ଏକ କ୍ଷେତ୍ରରୂପେ ଏହି ଆଙ୍ଗୋଲାକୁ ବ୍ୟବହାର କରାଯାଇଆସିଥିଲା । ଆଙ୍ଗୋଲାରେ ଯେତେ ଯେତେ ବିଦେଶୀ କମ୍ପାନୀ ରହିଥିଲେ ଏବଂ ସେହି ଦେଶର କଞ୍ଚାମାଲକୁ ଯନ୍ତ୍ରୋଦ୍ୟୋଗର ଯନ୍ତାଳ ଭିତରେ ପକାଇ ଯେପରି ଲାଭ କମାଉଥିଲେ, ଆମେ ସେଇଥିରୁ ହିଁ ସମଗ୍ରତଃ ଔପନିବେଶିକ ଶାସନର ତଳେ ପ୍ରକୃତରେ ସର୍ବେସର୍ବା ହୋଇ ବସିଥିବା ଆର୍ଥିକ ନ୍ୟସ୍ତସ୍ୱାର୍ଥଗୁଡ଼ିକର ଏକ ପରିଚୟ ପାଇପାରିବା ।

 

କେତେ ପର୍ତ୍ତୁଗୀଜ କମ୍ପାନୀର ମୁଖା ପିନ୍ଧି ଏବେ ମଧ୍ୟ ଏକାଧିକ ଇଉରୋପୀୟ ଦେଶର ପୁଞ୍ଜି ଖଟାଇ ଆଙ୍ଗୋଲାରେ କେତେ କେତେ ବ୍ୟାପାରୀ ସଂସ୍ଥା କାର୍ଯ୍ୟ କରୁଛନ୍ତି । ସେଠାରେ ତୁଳା ଉତ୍ପାଦନ ଓ ତୁଳାକୁ ଶିଳ୍ପରେ ଲଗାଇବାର ମୋଟା ବେପାରଟି ଯେଉଁ କମ୍ପାନୀ ହାତରେ ରହିଛି, ସେଥିରେ ବେଲ୍‌ଜିଅମ୍‌ର ଅଂଶ ରହିଛି, ଫ୍ରାନ୍‌ସର ଗୋଟିଏ ବଡ଼ ବ୍ୟାଙ୍କ୍‌ର ମଧ୍ୟ ସେଥିରେ ଟଙ୍କା ଲଗାଣ ହୋଇଛି । କଫି ଉତ୍ପାଦନ କ୍ଷେତ୍ରରେ ଏହି ଆଙ୍ଗୋଲା ହେଉଛି ପୃଥିବୀରେ ତୃତୀୟ ଦେଶ ଏବଂ କଫିର ଯାବତୀୟ କାରବାର ଏକାଚାଟିଆ ହୋଇ ସେଠି ଗୋଟିଏ ବିଦେଶୀ କମ୍ପାନୀ ହାତରେ ରହିଛି । ଆଙ୍ଗୋଲାର ହୀରାଖଣିସବୁ ସେହିପରି ଗୋଟିଏ ବିଦେଶୀ ବ୍ୟାଙ୍କ୍‌ର ଅର୍ଥପତିମାନଙ୍କ ହାତରେ ରହିଛି । ଏମାନଙ୍କ ଭିତରେ ଆମେରିକାଠାରୁ ଆରମ୍ଭ କରି ଦକ୍ଷିଣ ଆଫ୍ରିକା ପର୍ଯ୍ୟନ୍ତ କେତେ କେତେ ଦେଶର ଧନପତି ରହିଛନ୍ତି । ଆଙ୍ଗୋଲାର ଲୁହାଖଣି ଏବଂ ଇସ୍ପାତର ଉତ୍ପାଦନକୁ ଆଉ ଗୋଟିଏ ବିଦେଶୀ କମ୍ପାନୀ ବୁଝୁଛି । ଏହି କମ୍ପାନୀର ଅଂଶୀଦାର ରୂପେ ପଶ୍ଚିମ ଜର୍ମାନୀ, ଡେନ୍‌ମାର୍କ, ଇଂଲଣ୍ଡ୍‌ ଓ ଫ୍ରାନ୍‌ସ୍‌ର ଶିଳ୍ପପତିମାନେ ରହିଛନ୍ତି ଏବଂ ପେଟ୍ରୋଲ କାରବାର ପୂରାପୂରି ଆମେରିକା, ବେଲ୍‌ଜିଅମ୍‌, ପର୍ତ୍ତୁଗାଲ ଓ ଦକ୍ଷିଣ ଆଫ୍ରିକାର ଅର୍ଥ-ମାଲିକଙ୍କର ସମ୍ପତ୍ତି ହୋଇ ରହିଛି ।

 

ଅର୍ଥାତ୍‌ ଆଙ୍ଗୋଲା ଏପର୍ଯ୍ୟନ୍ତ ମଧ୍ୟ ଯଥାର୍ଥରେ ସ୍ୱାଧୀନ ହୋଇନାହିଁ । ଏହି ବିଦେଶୀ କମ୍ପାନୀ ଅର୍ଥନୀତି ଯେ ନୂତନ ଆଙ୍ଗୋଲାର ନିର୍ମାଣନୀତିରେ ପଦେ ପଦେ ପ୍ରତିବନ୍ଧକ ହୋଇ ଠିଆ ହେବ, ସେଥିରେ କୌଣସି ସଂଶୟ ନାହିଁ । ରାଜନୀତିକ ସ୍ୱାଧୀନତା ପରେ ଆର୍ଥିକ ସ୍ୱତନ୍ତ୍ରତା ହାସଲ କରିବା ଲାଗି ଆଙ୍ଗୋଲାକୁ ଆହୁରି ଗୋଟିଏ ସୋପାନ ଅତିକ୍ରମ କରିବାକୁ ହିଁ ପଡ଼ିବ ।

 

ତା ୨୧.୦୩.୧୯୭୬ ରିଖ

Image

 

କଠୋର କାୟିକ ଶ୍ରମ

 

ଶରୀରକୁ ଦଣ୍ଡ ଦେଲେ ମଣିଷର ମନଟା ଯେ ସାଧ୍ୟ ହୋଇଯାଏ, ସେକଥା ଆମର ଏକ ବିଶ୍ୱାସରୂପେ କାଳ କାଳରୁ ପ୍ରତିଷ୍ଠିତ ହୋଇ ରହିଆସିଛି । ନିର୍ବୁଦ୍ଧିଆ ପିଲାର ଗାଲରେ ଛଅଟା ଚାପୁଡ଼ା ମାରିଦେଲେ ତତ୍‌କ୍ଷଣାତ୍‌ ତା’ ଭିତରେ ବୁଦ୍ଧିର ଉଦୟ ଅର୍ଥାତ୍‌ ଚୈତନ୍ୟୋଦୟ ହୁଏ ବୋଲି ଆମ ସମାଜ ଓ ଆମ ଶିକ୍ଷାର ପୂର୍ବତନ ସିଦ୍ଧବିଦ୍ୟ ବଡ଼ମାନେ କହିଯାଇଛନ୍ତି । ମାଡ଼ଗୁଡ଼ାକ ଆଗେ ଆମ ସ୍କୁଲମାନଙ୍କରେ ପାଠ୍ୟକ୍ରମର ପ୍ରାୟ ଏକ ଅପରିହାର୍ଯ୍ୟ ଅଂଶ ହୋଇ ରହିଥିଲା । ଅର୍ଥାତ୍‌ ଶିକ୍ଷକଙ୍କର ଅର୍ଜିତ ପାଠ ସହିତ ଏକ ଅନିବାର୍ଯ୍ୟ ଆନୁଷଙ୍ଗିକ ଭାବେ ତାଙ୍କରି ଆଚରିତ ଶାଠ ହୋଇ ରହିଥିଲା । ଅନେକ ସମୟରେ ବିଦ୍ୟାଳୟର ‘ଅସାରେ ଖଳୁ ସଂସାରେ’ ଏହି ଶାଠଟା ହିଁ ପାଠ ଅପେକ୍ଷା ହୁଏତ ଅଧିକ କାମରେ ଲାଗୁଥିଲା, ଅଧିକ କାମ ଦେଇପାରୁଥିଲା, ଶିକ୍ଷକଙ୍କୁ ଏକ ପାରଙ୍ଗମ ଶିକ୍ଷକରୂପେ ଚିହ୍ନାଇ ଦେଉଥିଲା ।

ଏବେ ଗୋଟିଏ କଲେଜର ବାର୍ଷିକ ଉତ୍ସବରେ ଦିଆଯାଇଥିବା ଏକ ଭାଷଣରେ କୁହାଯାଇଛି ଯେ, ଶିକ୍ଷାନୀତି କଠୋର କାୟିକ ଶ୍ରମ ଉପରେ ପ୍ରତିଷ୍ଠିତ ହେବା ଉଚିତ । ଶରୀରକୁ କଷ୍ଟ ଦେଲେ ଯେ ବିଦ୍ୟାର୍ଥୀର ବିଦ୍ୟାଗ୍ରହ ବଢ଼ିବ, ସିଏ ଅଧିକ ପରିମାଣରେ ବାଡ଼ ଭିତରେ ରହିବ ଓ ଆମର ବୋଲ ଅନୁସାରେ ଯେ ତିଆରି ହେବ, ଏହିପରି ଏକ ପାରମ୍ପରିକ ଏବଂ ସ୍ୱୀକୃତ ଅବିଶ୍ୱାସକୁ ଭିତ୍ତି କରି ଏହି ଉକ୍ତିଟିକୁ ପ୍ରକଟ କରାଯାଇଛି କି ? ଆମ ସମାଜରେ ଯେଉଁ ପ୍ରବୀଣ ଓ ପଦସ୍ଥମାନେ ଉତ୍ସବମଞ୍ଚ ଉପରେ କଠୋର କାୟିକ ଶ୍ରମର ପକ୍ଷ ସମର୍ଥନ କରି ଆନୁଷ୍ଠାନିକ ଉପଦେଶମାନ ଦେଇଥାନ୍ତି, ସେମାନେ ନିଜେ ଯେଉଁ ପାଠ ପଢ଼ିଲେ, ସେଥିରେ କାୟିକ ଶ୍ରମକୁ ଅପାଠୁଆମାନଙ୍କର କଷଣଭୋଗ ବୋଲି କୁହାଯାଉଥିଲା; ସେମାନେ ଯେଉଁ ସମାଜରେ ମଣିଷ ହେଲେ, ବଡ଼ ଓ ସଫଳ ମଣିଷ ହେଲେ, ସେହି ସମାଜରେ କାୟିକ ଶ୍ରମକୁ ଯାବତୀୟ ପ୍ରକାରର ତୁଚ୍ଛତା ସହିତ ଦେଖାଯାଉଥିଲା । ଏମାନେ ସବୁ ସାରି ଏ ଶେଷ ପ୍ରହରରେ ଯେ କାୟିକ ଶ୍ରମର କଥା କହିଲେ, ଏବର ଶିକ୍ଷାନୀତିରେ କାୟିକ ଶ୍ରମ ଓ ପୁଣି କଠୋର କାୟିକ ଶ୍ରମର ପ୍ରତିଷ୍ଠା ହେଉ ବୋଲି ଯେ କହିଲେ, ତାହାକୁ କାୟିକ ଶ୍ରମର ହିଁ ଭାଗ୍ୟ ବୋଲି କହିବାକୁ ହେବ ।

ମହାତ୍ମା ଗାନ୍ଧୀ ଯେଉଁ ଶିକ୍ଷାକୁ ଜାତୀୟ ଶିକ୍ଷା ରୂପେ ପ୍ରଚଳନ କରାଇବାକୁ ଇଚ୍ଛା କରୁଥିଲେ, ସେଥିରେ ପାଠ୍ୟକ୍ରମରେ କାୟିକ ଶ୍ରମ ରହିଥିଲା । ଏକ ସୁସ୍ଥ ସମାଜ ଶ୍ରମ ଓ ଯୋଗ୍ୟତା ଉପରେ ପ୍ରତିଷ୍ଠିତ ହେବ, ବାବୁଗିରି ଓ ଆଳସ୍ୟପ୍ରିୟ ଅସୂୟା ଉପରେ ଯେ ପ୍ରତିଷ୍ଠିତ ହେବନାହିଁ, ତା’ ପଛରେ ଏହି ଅସଲ ଜୀବନଦୃଷ୍ଟିଟି ନିହିତ ହୋଇ ରହିଥିଲା । ସେତେବେଳେ ଭାରତର ସାନ ବଡ଼, ପ୍ରାଦେଶିକ ଓ ସ୍ଥାନୀୟ ସବୁ ସରକାର ତାହାକୁ ହିଁ କାଗଜପତ୍ରରେ ନୀତି ବୋଲି ଗ୍ରହଣ କରିନେଲେ । ତା’ପରେ ଖାଲି କେତୋଟି ସ୍କୁଲରେ ସେହି ଶ୍ରମମାଧ୍ୟମ ଶିକ୍ଷାର ପ୍ରବର୍ତ୍ତନ କରାଗଲା । ସେଠାରେ କେବଳ ପିଲାମାନଙ୍କୁ ହିଁ ଶ୍ରମରେ ମଣ କରିବାର ଅଭିନୟ କରାଗଲା । ମାଷ୍ଟର ବାବୁ ହେଲେ କାମ କଲେ ନାହିଁ । ସ୍କୁଲକୁ ଦେଖିବାକୁ ଆସୁଥିବା ବାବୁମାନେ ସେମାନଙ୍କର ସେହି ପାରମ୍ପରିକ ରୀତିରେ କେବଳ ବାବୁ ହୋଇ ରହିଲେ ଏବଂ ରାଜଧାନୀର ଯେଉଁମାନେ ଦଶଗୁଣ ଅଧିକ ପଇସା ଓ ଶହଗୁଣ ଅଧିକ ମଧୁର କଥା ଖରଚ କରି ନୂତନ ଶିକ୍ଷାର କର୍ଣ୍ଣଧାର ହୋଇ ରହିଲେ, ରିପୋର୍ଟ ଦେଲେ ଓ ରିପୋର୍ଟ ଛପାଇଲେ, ସେମାନେ ସବୁଠାରୁ ଅଧିକ ସିଆଣିଆ ହୋଇ ରହିଲେ, ଆପଣା ଲାଗି ଓ ଆପାଣା ପିଲାଙ୍କ ଲାଗି ସେମାନେ ଅଲଗା ଭୋଗ ଓ ଅଲଗା ଚଳଣିର ବ୍ୟବସ୍ଥା କଲେ । ଶିକ୍ଷା ଖଣ୍ଡ ଖଣ୍ଡ ହୋଇଗଲା, ଶଠତା ଦ୍ୱାରା ସତେଅବା ଶତଧା ହୋଇ ରହିଲା, ଜାତୀୟ ଆକାଂକ୍ଷା ଓ ଜାତୀୟ ଭବିଷ୍ୟକୁ ପ୍ରାୟ ଜାଣିଶୁଣି ପ୍ରବଞ୍ଚିତ କରି ରଖାଗଲା-

ତେଣୁ ଯାହା ଅଛି, ଯଦି ତାହାହିଁ ଥିବ, ତେବେ ଅତି କଠୋର କାୟିକ ଶ୍ରମ ଦ୍ୱାରା ଆମ ଶିକ୍ଷାନୀତିକୁ ରାମ୍ପୁଡ଼ି ବିଦାରି ପକାଇଲେ ମଧ୍ୟ ତଦ୍ଦ୍ୱାରା କଦାପି ଶାଗ ସିଝିବ ନାହିଁ । ଚାଲାଖମାନଙ୍କର ଚାଲାଖି ଚାଲିଥିବ । ଦେଉଳରେ ଦିଅଁ ନ ଥାଇ ମଧ୍ୟ ବାହାରକୁ ଘଣ୍ଟାବାଡ଼ିଆ ହେଉଥିବ । କାୟିକ ଶ୍ରମ ପ୍ରତି ଆମର ଦୃଷ୍ଟିକୋଣ ବଦଳିଲେ ଯାଇ ଯାହା ହେବ । ଯେଉଁ ବାବୁମାନେ ଗୋଟାଏ ପୁରୁଷ ଧରି ଏ ଦେଶଟାକୁ ବିକିଭାଙ୍ଗି ଆପଣାର ପ୍ରତିଷ୍ଠା ବଢ଼ାଇ ଆସିଛନ୍ତି, ଏ ଦରିଦ୍ରଙ୍କ ଦେଶରେ ସାହେବ ହୋଇ ରହିଛନ୍ତି, ସେମାନଙ୍କର ଦୃଷ୍ଟିକୋଣ ବଦଳିଲା ବୋଲି କିଛି ପ୍ରମାଣ ମିଳିଲେ ଯାଇ ହୁଏତ କିଛି ହେବ । ଯେଉଁମାନେ ବାଧ୍ୟହୋଇ ଶ୍ରମ ଖଟୁଛନ୍ତି, ସେମାନଙ୍କ ପିଲାଙ୍କୁ ଅଡ଼ାଇ ଆଣି କଠୋର କାୟିକ ଶ୍ରମ ଭିତରେ ଖଟାଇଲେ ତଦ୍ଦ୍ୱାରା କେବଳ ଅଶିକ୍ଷିତ ବାବୁଗିରିର ଧୂର୍ତ୍ତତାଗୁଡ଼ାକ ହିଁ ଏହି ଦେଶରେ ବଳବାନ୍‌ ହୋଇ ରହିଥିବ ।

ଶିକ୍ଷାରେ ଶ୍ରମଲାଗି ସ୍ଥାନ ଅବଶ୍ୟ ରହିବା ଉଚିତ, ଏକଥା ଗାନ୍ଧୀଙ୍କ ପୂର୍ବରୁ କାର୍ଲ୍‌ ମାର୍କ୍‌ସ୍‌ ମଧ୍ୟ କହିଥିଲେ । ଏ ଦୁହେଁଯାକ ଏକ ଅନ୍ୟ ସମାଜ ଓ ଅନ୍ୟ ମୂଲ୍ୟର ପ୍ରତିଷ୍ଠା ଚାହୁଁଥିଲେ । ମଣିଷକୁ, ପ୍ରତ୍ୟେକ ମଣିଷକୁ ସେମାନେ ମଣିଷର ମର୍ଯ୍ୟାଦାରେ ପ୍ରତିଷ୍ଠିତ କରିବାକୁ ଚାହିଁଥିଲେ । ସମାଜରେ ପ୍ରଚଳିତ ଶିକ୍ଷା ସେହି ମର୍ଯ୍ୟାଦାର ପ୍ରତିଷ୍ଠା ଲାଗି ହିଁ କାର୍ଯ୍ୟ କରୁ ବୋଲି ଅଭିଳାଷ କରିଥିଲେ ଓ ସେହି ଅନୁସାରେ ଶିକ୍ଷାର ଏକ ଯୋଜନା ବି ପ୍ରସ୍ତୁତ କରିଥିଲେ । ଆମ ଶିକ୍ଷା ଜରିଆରେ ଆମେ ପ୍ରକୃତରେ କେଉଁ ସମାଜ ଲାଗି ପ୍ରସ୍ତୁତ ହେଉଛେ ? ତାହା ଆଜି ସମସ୍ତଙ୍କ ଦୃଷ୍ଟିରେ ଓ ଚିନ୍ତାରେ ନିର୍ଦ୍ଦିଷ୍ଟ ହୋଇଯିବା ଉଚିତ ।

ତା ୨୪.୦୩.୧୯୭୬ ରିଖ

Image

 

ଅଲ୍‌ଷ୍ଟର୍‌ ନା ଅଲ୍‌ସର୍‌

 

ଯେତେବେଳେ ବହୁ ବର୍ଷର ସଂଗ୍ରାମ ଏବଂ ଯନ୍ତ୍ରଣା ଭୋଗ ପରେ ଏହି ଶତାଦ୍ଦୀର ଆରମ୍ଭରେ ଆୟର୍ଲାଣ୍ଡ୍‌ ସ୍ୱାଧୀନ ହେଲା, ଅର୍ଥାତ୍‌ ଗ୍ରେଟ୍‌ ବ୍ରିଟେନ୍‌ର ହାବୁଡ଼ରୁ ନିଷ୍କୃତି ପାଇ ଆପଣାର ଭାଗ୍ୟକୁ ଆପେ ଗଢ଼ିବାର ଅବସର ଲାଭ କଲା, ସେତେବେଳେ ଭୌଗୋଳିକ ଆୟର୍ଲାଣ୍ଡ୍‌ର ଉପର ମୁଣ୍ଡରେ ଠିକ୍‌ ଉତ୍ତର କଣକୁ ଅଲ୍‌ଷ୍ଟର୍‌ ବୋଲି କଣେ ବୋଲି ଗୋଟିଏ ଜାଗାକୁ ଗ୍ରେଟ୍‌ ବ୍ରିଟେନ୍‌ ନିଜ କବଳରୁ ଛାଡ଼ିଲା ନାହିଁ ଏବଂ ସେଇଠି ଆଗାମୀ ଯୁଗ ଯୁଗ ପାଇଁ ବିଷକିଳା ପୋତାହୋଇ ରହିଲା, ଏକ ଘାଆ ପଚିବାକୁ ଲାଗିଲା । ତତ୍କାଳୀନ ସାମ୍ରାଜ୍ୟରକ୍ଷକମାନେ ଆୟର୍ଲାଣ୍ଡ୍‌ ହାତରୁ ଖସିଗଲା ବୋଲି ଯେତିକି ହାୟ ହାୟ ହୋଇଥିବେ, ଅଲ୍‌ଷ୍ଟର୍‌ ନାମକ ଏକ କୂଟନୈତିକ ଅଲ୍‌ସର୍‌ ସୃଷ୍ଟି କରାଗଲା ବୋଲି ନିଶ୍ଚୟ ସେତିକି ଆଶ୍ୱାସନା ବି ପାଇଥିବେ ।

 

ଅଲ୍‌ଷ୍ଟର୍‌ର ମୋଟ ଲୋକସଂଖ୍ୟା ପନ୍ଦର ଲକ୍ଷ, ସେଥିରୁ ପ୍ରୋଟେଷ୍ଟାଣ୍ଟ୍‌ ହେଉଛନ୍ତି ଦଶଲକ୍ଷ ଓ କାଥୋଲିକ୍‌ ହେଉଛନ୍ତି ବାକି ପାଞ୍ଚଲକ୍ଷ । ଆୟର୍ଲାଣ୍ଡ୍‌ କହିଲେ ପୂର୍ଣ୍ଣତଃ ପ୍ରାୟ ଏକ କାଥୋଲିକ୍‌ ଦେଶକୁ ହିଁ ବୁଝାଏ । ତେଣୁ ଅଲ୍‌ଷ୍ଟର୍‌ରେ ବାସ କରୁଥିବା ପ୍ରୋଟେଷ୍ଟାଣ୍ଟ୍‌ମାନେ ଏଡ଼େବଡ଼ ଏକ କାଥୋଲିକ୍‌ ଜନସମୂହ ସହିତ ରାଜନୀତିକ ଓ ରାଷ୍ଟ୍ରୀୟ କ୍ଷେତ୍ରରେ ଯୋଡ଼ା ହୋଇ ରହିଲେ କାଳେ ଆପାଣାର ବିଶିଷ୍ଟ ଏକତ୍ୱଟିକୁ ସୁରକ୍ଷିତ ରଖି ନ ପାରିବେ, ଆୟର୍ଲାଣ୍ଡ୍‌ ସ୍ୱାଧୀନତା ପାଇଲାବେଳେ ସେମାନେ ସେହି ଭୟଟିକୁ ଏକ ରାଜନୀତିକ ରୂପ ଦେଇଥିଲେ ଏବଂ ତତ୍କାଳୀନ ବ୍ରିଟିଶ୍‌ ରାଷ୍ଟ୍ରନେତାମାନେ ପରୋକ୍ଷରେ ତାହାକୁ ସମର୍ଥନ କରିଥିଲେ । ଫଳରେ ଅଲ୍‌ଷ୍ଟର୍‌ ଆୟର୍ଲାଣ୍ଡ୍‌ ଠାରୁ ଅଲଗା ହୋଇ ରହିଲା । ଗ୍ରେଟ୍‌ ବ୍ରିଟେନ୍‌ର ଏକ ଅଂଶ ହୋଇ ରହିଲା । କହିବା ବାହୁଲ୍ୟ ଯେ ବ୍ରିଟିଶ୍‌ ସାମ୍ରାଜ୍ୟ-ନାୟକମାନେ ଭାରତ ପ୍ରଭୃତି ଏକାଧିକ କ୍ଷେତ୍ରରେ ଗୋଟିଏ ଘରକୁ ଖଣ୍ଡ ଖଣ୍ଡ କରିବାର ଯେଉଁ ନୀତିଟିକୁ ଅନୁସରଣ କରିଆସିଛନ୍ତି, ଆୟର୍ଲାଣ୍ଡ୍‌ ଓ ଅଲ୍‌ଷ୍ଟର୍‌ ବେଳେ ମଧ୍ୟ ସେମାନେ ଅଭ୍ୟସ୍ତ ଭାବରେ ସେହି ନୀତିଟିକୁ ଅନୁସରଣ କଲେ । କାରଣ ଇଂଲଣ୍ଡରେ ମଧ୍ୟ ପ୍ରୋଟେଷ୍ଟାଣ୍ଟ୍‌ମାନଙ୍କ ସହିତ କାଥୋଲିକ୍‌ମାନେ ମିଶିକରି ଅଛନ୍ତି, ବ୍ରିଟିଶ୍‌ମାନଙ୍କ ସହିତ ଆଇରିଶ୍‌ମାନେ ମିଶିକରି ଅଛନ୍ତି । ପୁରୁଷାନୁକ୍ରମେ ରହିଛନ୍ତି । ତେବେ ଆୟର୍ଲାଣ୍ଡ୍‌ ଓ ଅଲ୍‌ଷ୍ଟର୍‌ ଏକାଠି ରହି ନ ପାରିଥାଆନ୍ତେ କାହିଁକି ?

 

ବ୍ରିଟିଶ୍‌ ସରକାରଙ୍କର ସଚିବାଳୟରେ ଅଲ୍‌ଷ୍ଟର୍‌ର ଶାସନ ଲାଗି ଏକ ସ୍ୱତନ୍ତ୍ର ବିଭାଗ ରହିଛି, ସେଥିରେ ମୁଖ୍ୟରୂପେ ଜଣେ ସ୍ୱତନ୍ତ୍ର ମନ୍ତ୍ରୀ ବି ଅଛନ୍ତି । ପଶ୍ଚିମ ଜର୍ମାନୀରେ ଆଗେ ଯେମିତି ପୂର୍ବ ଜର୍ମାନୀର ବ୍ୟାପାର ବୁଝିବା ଲାଗି ଜଣେ ସ୍ୱତନ୍ତ୍ର ମନ୍ତ୍ରୀ ରହିଥିଲେ ବା ପାକିସ୍ଥାନ ସରକାରରେ ଅଧିକୃତ କାଶ୍ମୀର ଅଞ୍ଚଳର ବ୍ୟାପାର ବୁଝିବା ଲାଗି ହୁଏତ ଯେପରି ଏବେ ମଧ୍ୟ ଜଣେ ସ୍ୱତନ୍ତ୍ର ମନ୍ତ୍ରୀ ରହିଛନ୍ତି, ପ୍ରାୟ ଠିକ୍‌ ସେହିପରି । ଅଲ୍‌ଷ୍ଟର୍‌ରେ ବାସ କରୁଥିବା ପ୍ରୋଟେଷ୍ଟାଣ୍ଟ୍‌ମାନେ ଏହି ବ୍ୟବସ୍ଥାକୁ ସର୍ବୋତ୍ତମ ବ୍ୟବସ୍ଥା ରୂପେ ସ୍ୱୀକାର କରି ନେଇଛନ୍ତି । ଅଲ୍‌ଷ୍ଟର୍‌ରେ ସେମାନେ ହୁଏତ ଏକମାତ୍ର ଗୋଷ୍ଠୀ ରୂପେ ଶାସନର ଦାୟିତ୍ୱ ନେବେ, ନଚେତ୍‌ ଅଲ୍‌ଷ୍ଟର୍‌ ସିଧା ଲଣ୍ଡନ୍‌ରୁ ଶାସିତ ହେବ, ଏହିପରି ଗୋଟିଏ ଜିଦ୍‌ରେ ସେମାନେ ଗତ କେତେ ପୁରୁଷ ଧରି ସକଳ ପରିବର୍ତ୍ତନ ଲାଗି ପ୍ରତିବନ୍ଧକ ହୋଇ ରହିଛନ୍ତି-

 

ପ୍ରୋଟେଷ୍ଟାଣ୍ଟ୍‌ ଓ କାଥୋଲିକ୍‌ ଉଭୟେ ମିଶି ସଂଖ୍ୟାଗତ ଅନୁପାତ ମୁତାବକ ଅଲ୍‌ଷ୍ଟର୍‌ରେ ଏକ ପ୍ରତିନିଧି ଶାସନ ଚଳାଇବେ, ସେମାନେ ଏଥିରେ ମୋଟେ ରାଜି ନୁହନ୍ତି । କାଥୋଲିକ୍‌ମାନେ ଏହି ବ୍ୟବସ୍ଥାଟିକୁ ମାନିନେବାକୁ ରାଜି ଅଛନ୍ତି, ପ୍ରୋଟେଷ୍ଟାଣ୍ଟ୍‌ମାନେ ଆଦୌ ରାଜି ନୁହନ୍ତି । ଗତବର୍ଷ ବ୍ରିଟିଶ୍‌ ସରକାରଙ୍କ ତରଫରୁ ସେଠାରେ ନିଆଯାଇଥିବା ଗଣଭୋଟରୁ ଅନ୍ତତଃ ଏତିକି ପରିଣାମ ପ୍ରକାଶ ପାଇଥିଲା ।

 

ଏହିପରି ଏକ ରାଜନୀତିକ ଟଣାଓଟରା ଭିତରେ ଅଲ୍‌ଷ୍ଟର୍‌ ସନ୍ତ୍ରାସବାଦୀମାନଙ୍କ ପାଇଁ ଏକ ଉର୍ବର ଭୂମିରେ ପରିଣତ ହୋଇଛି । ସନ୍ତ୍ରାସବାଦୀ ଓ ଉଗ୍ରବାଦୀ ଉଭୟ ପଟରେ ଅଛନ୍ତି, ପ୍ରୋଟେଷ୍ଟାଣ୍ଟ୍‌ ପଟରେ ଅଛନ୍ତି ଓ କାଥୋଲିକ୍‌ ପଟରେ ମଧ୍ୟ ଅଛନ୍ତି । କାଥୋଲିକ୍‌ ଉଗ୍ରବାଦୀମାନେ ଅଲ୍‌ଷ୍ଟର୍‌ ଆଇରିଶ୍‌ ସାଧାରଣତନ୍ତ୍ର ସହିତ ମିଶିଯାଉ ବୋଲି ଦାବୀ କରୁଛନ୍ତି ଓ ଆପଣାର ଏକ ଅସ୍ଥାୟୀ ସନ୍ତ୍ରାସବାହିନୀ ଗଠନ କରିଛନ୍ତି । ଅଲ୍‌ଷ୍ଟର୍‌ବାସୀଙ୍କର ରାଜନୀତିକ ଭବିଷ୍ୟତଟିକୁ ଜାଣିବା ଲାଗି ୧୯୭୩ ଠାରୁ ଏହା ଭିତରେ ଛଅଥର ଗଣଭୋଟ ନିଆସରିଲାଣି । ମାତ୍ର ତଦ୍ଦ୍ୱାରା କୌଣସି ସ୍ଥିର ମୀମାଂସା ହୋଇପାରିନାହିଁ । ସନ୍ତ୍ରାସକାରୀମାନଙ୍କ ହାତରେ ହିଁ ସବୁଯାକ ସାମର୍ଥ୍ୟ ଠୁଳ ହୋଇ ରହିଥିବା ପରି ମନେ ହେଉଛି । କେବଳ ୧୯୭୫ ମସିହାରେ ହିଁ ଉଭୟ ପକ୍ଷରୁ ୨୪୫ ଜଣ ବ୍ୟକ୍ତି ସନ୍ତ୍ରାସବାଦର ହାତରେ ପ୍ରାଣ ହରାଇଛନ୍ତି ।

 

ବ୍ରିଟେନ୍‌ ଯଦି ଆଉ ହେଳା ନ କରି ଓ କୂଟନୀତିରେ ଆଉ ଅଧିକ କୌଣସି ବିଚକ୍ଷଣତା ନ ଦେଖାଇ ଅଲ୍‌ଷ୍ଟର୍‌କୁ ତା’ର ଆପଣା ହାତରେ ଛାଡ଼ିଦେଇ ଆସିବ, ତେବେ ତାହାର ପରିଣାମ କ’ଣ ହେବ ? ବ୍ରିଟେନ୍‌ ଭୟ କରୁଛି ଯେ ସେଠି ପ୍ରୋଟେଷ୍ଟାଣ୍ଟ୍‌ ଓ କାଥୋଲିକ୍‌ ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ଖଣ୍ଡଯୁଦ୍ଧ ଲାଗିଯିବ । ବ୍ରିଟେନ୍‌ର ଆହୁରି ଭୟ ହେଉଛି ଯେ ଏପାଖରେ ଗ୍ଲାସ୍‌ଗୋ, ଲିଭର୍‌ପୁଲ୍‌ ପ୍ରଭୃତି ଅଞ୍ଚଳରେ ଯେଉଁଠି ବ୍ରିଟିଶ ଏବଂ ଆଇରିଶ ଏକାଠି ମିଶିକରି ରହିଛନ୍ତି, ସାଂପ୍ରଦାୟିକତାର ସକ୍ରିୟ ଦ୍ୱେଷଗୁଡ଼ାକ ସେଠାକୁ ମଧ୍ୟ ବ୍ୟାପିଯିବ । ବର୍ତ୍ତମାନ ଯେଉଁ ନିଆଁଟି କେବଳ ଅଲ୍‌ଷ୍ଟର୍‌ରେ ସୀମାବଦ୍ଧ ହୋଇ ରହିଛି, ସେତେବେଳେ ତାହା ହୁଏତ ଘରଗୋଟାକୁ ଜଳାଇବାକୁ ଆରମ୍ଭ କରିବ । ତେଣୁ ବ୍ରିଟିଶ୍‌ ସରକାର ଲାଭକ୍ଷତିର ହିସାବ କରୁଛନ୍ତି-

 

ତା ୨୭.୦୩.୧୯୭୬ ରିଖ

Image

 

ହସ୍ତକ୍ଷେପର ଇତିହାସ

 

ଯେଉଁ ରାଷ୍ଟ୍ରର ଅଧିକ ସୈନ୍ୟବାହିନୀ ରହିଛି, ଅଧିକ ପଇସା ରହିଛି, ଅଧିକ ଶିଳ୍ପ ଓ ଉଦ୍ୟୋଗ ରହିଛି ଏବଂ ମାଟିତଳେ କେତେ ନା କେତେ ଖଣିଜର ଅତୁଳ ଐଶ୍ୱର୍ଯ୍ୟ ରହିଛି, ସିଏ ସାଧାରଣତଃ ପୃଥିବୀ ଗୋଟାକୁ ଆପଣାର ଜମିଦାରୀ ବୋଲି ଭାବୁଥାଏ, ନିଜକୁ ସଂସାର ଗୋଟାକର ତତ୍ତ୍ୱାବଧାରକ ବୋଲି ମନେ କରୁଥାଏ, ସାରା ସଂସାରରେ ନାୟକତ୍ୱ କରିବାକୁ ଆପଣାର ସତେଅବା ଭଗବତ୍‌ଦତ୍ତ ଗୋଟିଏ ଦାୟିତ୍ୱ କରିବାକୁ ଆପଣାର ସତେଅବା ଭଗବତ୍‌ଦତ୍ତ ଗୋଟାଏ ଦାୟିତ୍ୱ ବୋଲି ବିଚାର କରୁଥାଏ ।

ଏଗୁଡ଼ାକ ସାମ୍ରାଜ୍ୟବାଦୀ ଯୁଗର କଥା । ସେତେବେଳେ ସାମ୍ରାଜ୍ୟ ଓ ସାମ୍ରାଜ୍ୟଗତ ସ୍ୱାର୍ଥଗୁଡ଼ାକ ଅନୁସାରେ ମଣିଷ-ଭାଗ୍ୟର ସୁମାରି ହେଉଥିଲା । ମହାଦେଶଗୁଡ଼ାକୁ ଏହି ସାମ୍ରାଜ୍ୟର ଗୋଡ଼ରେ ଘୁଙ୍ଗୁରପରି ବାନ୍ଧିକରି ରଖାଯାଉଥିଲା । ପୃଥିବୀର କୌଣସି ଗୋଟିଏ ଜାତି ଉପରେ ସମସ୍ତ ପୃଥିବୀର ରକ୍ଷଣାବେକ୍ଷଣର ଦାୟିତ୍ୱଟି ବିଧାତାଙ୍କ ଦ୍ୱାରା ନ୍ୟସ୍ତ ହୋଇ ରହିଛି ବୋଲି ସେତେବେଳେ କେଡ଼େ ଗମ୍ଭୀର ଭାବରେ କେତେ ନୀତିର ବୟାନ କରାହେଉଥିଲା । ଧର୍ମ ଠିକ୍‌ ସେଇକଥା କହୁଥିଲା, ରାଜନୀତିକ ବୁଦ୍ଧି ତଥା ବିଚକ୍ଷଣତା କହିଲେ ସେତେବେଳେ କାର୍ଯ୍ୟତଃ ଏହିପରି ଏକ ବୁଦ୍ଧିକୁ ବୁଝାଉଥିଲା ।

ସାମ୍ରାଜ୍ୟଗୁଡ଼ାକ ଗୋଟି ଗୋଟି ହୋଇଗଲେ । କିନ୍ତୁ ଆଗର ସେହି ସିଂହାସନଗୁଡ଼ାକ ହୁଏତ ସେମାନଙ୍କର ପୂର୍ବ ସଂସ୍କାରଟିକୁ ଛାଡ଼ିପାରିଲେ ନାହିଁ, ରାତି ପ୍ରକୃତରେ ପାହିଲା ବୋଲି ବିଶ୍ୱାସ କରିପାରିଲେ ନାହିଁ । ସେମାନେ ଦୃଶ୍ୟ ସାମ୍ରାଜ୍ୟଗୁଡ଼ାକ ସ୍ଥାନରେ ଅଦୃଶ୍ୟ ସାମ୍ରାଜ୍ୟର ପ୍ରତିଷ୍ଠାର ଫିସାଦମାନ ଖୋଜିଲେ । ରାଜ୍ୟ ଜୟ କରି ନୁହେଁ, ନିଜ ବାଣିଜ୍ୟିକ ବୃହତ୍ତର ସାମର୍ଥ୍ୟର ଚାପ ପକାଇ, ପଇସା ଦେଇ, ବିକାଶର ନାନା ଯୋଜନାରେ ତଥାକଥିତ ସାହାଯ୍ୟ କରି, ଯୁଦ୍ଧ ସରଞ୍ଜାମ ଓ ଯୁଦ୍ଧପ୍ରସ୍ତୁତି ଲାଗି ଟଙ୍କାଗୁଞ୍ଜା ଦେଇ ଏବଂ ସର୍ବୋପରି ଆଉ ଏକ ବୃହତ୍‌ଶକ୍ତିର ଭୟରୁ ଅପେକ୍ଷାକୃତ ସାନ ଆଉ ଅଳ୍ପସମ୍ୱଳ ଆଉ ଗୋଟିଏ ଦେଶକୁ ରକ୍ଷା କରିବାକୁ ସେଠାରେ ନିଜ ସୈନ୍ୟବାହିନାଙ୍କର ଛାଉଣୀ ପକାଇ ସେମାନେ ନିଜ ନିଜର ପ୍ରଭାବମଣ୍ଡଳ ବିସ୍ତାର କଲେ ଓ ତାହାକୁ ହିଁ ଆପଣାର ସାମ୍ରାଜ୍ୟ ବୋଲି ମଣିଲେ । ଗତ ମହାଯୁଦ୍ଧ ପରେ ଏହି ତିରିଶିବର୍ଷ ମଧ୍ୟରେ ଆମ ପୃଥିବୀର ରାଜନୀତି ପ୍ରଧାନତଃ ଏହିପରି ଏକ ଆଦର୍ଶ ଭିତରେ ପଡ଼ି ଛଟପଟ ହେଉଛି ।

ଗତ ତିରିଶିବର୍ଷ ଭିତରେ ଯୁକ୍ତରାଜ୍ୟ ଆମେରିକା ପୃଥିବୀର ଏକ ବୃହତ୍‌ଶକ୍ତି ହିସାବରେ ଏହି ରାଜନୀତିଟିକୁ ହିଁ ଆଚରି ଆସିଛି, ଦୃଶ୍ୟ ସାମ୍ରାଜ୍ୟ ଅପେକ୍ଷା ଅଦୃଶ୍ୟ ସାମ୍ରାଜ୍ୟ ଦ୍ୱାରା ହିଁ ଅଧିକ ଉପକୃତ ହେବା ସମ୍ଭବ ବୋଲି ଦୃଢ଼ ବିଶ୍ୱାସ ରଖିଆସିଛି । ଆମେରିକା ପୃଥିବୀର ବର୍ତ୍ତମାନ ସମେତ ଭବିଷ୍ୟତଟାକୁ ବି ସମ୍ଭାଳିବା ଲାଗି ନିଜକୁ ସତେଅବା ବିଧାତାପ୍ରେରିତ ବୋଲି ମନେକରି ଆସିଛି । ପୃଥିବୀଯାକ ମହାଜନୀ କାରବାର କରିଛି, ପୃଥିବୀଯାକ ଦାନୀପଣ ଦେଖାଇଛି, ପୃଥିବୀଯାକ ସୈନ୍ୟଛାଉଣୀ ମେଲାଇ ବସିଛି । ମହାସାଗରଗୁଡ଼ାକରେ ଆପଣାର ଯୁଦ୍ଧଭେଳାଗୁଡ଼ାକୁ ପଇଁତରା କରାଇବାରେ ଲାଗିଛି । ପୃଥିବୀର ଭବିଷ୍ୟ ଏବଂ ପୃଥିବୀର ଶାନ୍ତିଲାଗି ଠିକା ନେଇଥିବା ପରି ତାହା ସବୁଠିଁ ଯାଇ ହସ୍ତକ୍ଷେପ କରିଛି । କହିବା ବାହୁଲ୍ୟ, ଏହା ଫଳରେ ତାହା ସବୁଠାରେ ହିଁ ମୁହଁରେ ଖାଲି କଳା ବୋଳି ଆସିଛି, ପୃଥିବୀରେ ଅଧିକ ଶତ୍ରୁ କରିବାର ଅବ୍ୟାପାର କରିଛି ।

ଆମେରିକା କୋରିଆରେ ହସ୍ତକ୍ଷେପ କରିଥିଲା, ଭିଏତ୍‌ନାମ୍‌, ଲାଓସ୍‌ ଏବଂ କାମ୍ୱୋଡ଼ିଆରେ ହସ୍ତକ୍ଷେପ କରିଥିଲା ଓ ଏବେ ମଧ୍ୟ କରୁଛି, କ୍ୟୁବାର ଭାଗ୍ୟକୁ ଆପଣାର ଶରମୁଣି ଦେଇ ସାଧ୍ୟ କରି ରଖିବାକୁ ସେ ସେଠାରେ ମଧ୍ୟ ହସ୍ତକ୍ଷେପ କରିଥିଲା । ଲାଟିନ୍‌ ଆମେରିକାର କେଉଁ ଦେଶରେ କେଉଁ ଦଳ ଆସି କ୍ଷମତାରେ ରହିବ ବା କିଏ ଆସି ଗାଦିରେ ବସିବ, ଏଗୁଡ଼ାକ ବହୁବର୍ଷ ହେଲା ଆମେରିକାର ସତେଅବା ସ୍ୱରାଷ୍ଟ୍ର ବ୍ୟାପାର ହୋଇ ରହିଛି । ଏବେ ଆଙ୍ଗୋଲାରେ ଆମେରିକା ପୁଣି ଥରେ ଆପଣାର ସେହି ବୃତ୍ତଟିକୁ ହିଁ ବଡ଼ ହାସ୍ୟସ୍ପଦ ଭାବରେ ଧରାପକାଇଦେଇଛି ଏବଂ ପଶ୍ଚିମ ଇଉରୋପର ରାଷ୍ଟ୍ରନୀତିରେ ଏବେ ମଧ୍ୟ ହସ୍ତକ୍ଷେପ କରୁଛି ବୋଲି ଅଳ୍ପଦିନ ତଳେ ଯୁଗୋସ୍ଲାଭିଆର ମାର୍ଶାଲ ଟିଟୋ ଆମେରିକାର ସମାଲୋଚନା ବି କରିଛନ୍ତି-। ଅନ୍ୟର ବ୍ୟାପାରରେ ହସ୍ତକ୍ଷେପ କରିବା ବ୍ୟତୀତ ଆମେରିକାର କ’ଣ ଅନ୍ୟ କୌଣସି ରାଜନୀତି ନାହିଁ ? ସେ ଦେଶର ନେତାମାନେ କ’ଣ ଏହିପରି ହସ୍ତକ୍ଷେପ ନ କଲେ ହୁଏତ ତିଷ୍ଠି ପାରିବେ ନାହିଁ ବୋଲି ଏତେ ଭୟ କରୁଛନ୍ତି ?

ହସ୍ତକ୍ଷେପର ରାଜନୀତି ଏପର୍ଯ୍ୟନ୍ତ ଅଳ୍ପ ବହୁତ ଲୁଚାଲୁଚି ହୋଇ ଚାଲିଥିଲା, ଫୋର୍ଡ଼୍‌ ଏବଂ କିସିଞ୍ଜିରଙ୍କ ହାତରେ ଅଢ଼ା ପଡ଼ିବାଦିନୁ ତାହା କ୍ରମଶଃ ପ୍ରକାଶ୍ୟ ହୋଇ ଆସିବାପରି ମନେ ହେଉଛି । ସେମାନଙ୍କର ଆନ୍ତର୍ଜାତିକ ଧମକାଧମକିରେ କେତେ ନୂତନ ଶଦ୍ଦାବଳୀ କ୍ରମେ ବଡ଼ ଜାକଜମକ ସହିତ ସ୍ଥାନ ପାଇଲାଣି । ରାଜନୀତିଟା ଯେ ମୂଳତଃ ଓ କାର୍ଯ୍ୟତଃ ଟଙ୍କା ଏବଂ ଅସ୍ତ୍ରଶସ୍ତ୍ର ଦ୍ୱାରା ହିଁ ସର୍ବୋତ୍ତମ ଭାବରେ ଚଳେ, ସେମାନେ ବୋଧହୁଏ କ୍ରମେ ଏହି ବିଶ୍ୱାସରେ ଦୃଢ଼ ଏବଂ ଅନମନୀୟ ହେବାରେ ଲାଗିଛନ୍ତି ।

 

ତା ୨୮.୦୩.୧୯୭୬ ରିଖ

Image

 

ଅଧିକ ଅର୍ଥର ବରାଦ

 

ଯୁକ୍ତରାଜ୍ୟ ଆମେରିକାର ପ୍ରତିନିଧିସଭାରେ ଏହା ଭିତରେ ଅସ୍ତ୍ରଶସ୍ତ୍ର ସଂକ୍ରାନ୍ତୀୟ ବିଲ୍‌ ପାସ୍‌ ହୋଇଯାଇଛି । ରାଷ୍ଟ୍ରପତି ଫୋର୍ଡ଼ଙ୍କ ସରକାର ପ୍ରତିନିଧିସଭାଠାରୁ ଅସ୍ତ୍ରଶସ୍ତ୍ର ବାବଦରେ ଅଟକଳ କରି ଯେତିକି ଟଙ୍କା ମାଗିଥିଲେ, ପ୍ରତିନିଧି-ସଭା ସରକାରଙ୍କ ଲାଗି ତା’ଠାରୁ ଅଧିକ ଅର୍ଥ ମଞ୍ଜୁର କରିଛି । ଏହି ଅନୁସାରେ ଏବର୍ଷ ଯୁକ୍ତରାଜ୍ୟ ଆମେରିକାରେ ଅସ୍ତ୍ରଶସ୍ତ୍ର ପାଇଁ ୩୩୪୨ କୋଟି ୬୦ ଲକ୍ଷ ଡଲାର ଖର୍ଚ୍ଚ ହୋଇପାରିବ ବୋଲି ବ୍ୟବସ୍ଥା ହୋଇଛି । ରାଷ୍ଟ୍ରପତିଙ୍କ ସରକାର ଏହି ବାବଦରେ ଖର୍ଚ୍ଚ କରିବା ପାଇଁ ଯେତିକି କୋଟି ଡଲାର ମାଗିଥିଲା, ଏହି ପରିମାଣଟି ହେଉଛି ତା’ଠାରୁ ୭୦ କୋଟି ଡଲାର ଅଧିକ ।

 

ଆମେରିକା ଋଷିଆ ତୁଳନାରେ ପଛରେ ପଡ଼ିଯାଇଛି ବୋଲି କାରଣ ଦର୍ଶାଇ ଏହି ଅଧିକା ଅର୍ଥର ବ୍ୟବସ୍ଥା ହୋଇଛି । କହିବା ବାହୁଲ୍ୟ ଯେ ଆମେରିକା ଏବଂ ଋଷିଆ ଉଭୟେ ଏକାଠି ଗୋଟିଏ ପକ୍ଷରେ ରହି ଗତ ମହାଯୁଦ୍ଧଟିକୁ ଲଢ଼ିଥିଲେ, ସେହି ଯୁଦ୍ଧରେ ଏକାଠି ବିଜୟଲାଭ କରିଥିଲେ ଏବଂ ଯୁଦ୍ଧ ପରେ ଏକ ନୂତନ ଆକାଙ୍‌କ୍ଷାରେ ସମଗ୍ର ପୃଥିବୀ ଏହି ଦୁଇ ବୃହତ୍‌ଶକ୍ତିଙ୍କଠାରୁ ଅନେକ ଅନ୍ୟ ନେତୃତ୍ୱର ପ୍ରତ୍ୟାଶା ମଧ୍ୟ କରୁଥିଲା । ବିଶ୍ୱଯୁଦ୍ଧ ପରେ ବିଶ୍ୱଗୋଟାକୁ ଅଧିକ ସୁନ୍ଦର ଓ ଅଧିକ ଭବିଷ୍ୟମୁଖୀ କରି ଗଢ଼ିବାରେ ବୃହତ୍‌ଶକ୍ତିଦ୍ୱୟ ଆମ ସମସ୍ତଙ୍କୁ କେତେ ପ୍ରେରଣା ଦେଇଥାନ୍ତେ, କେତେ ସଙ୍କଟ ଓ ପ୍ରତିବନ୍ଧକ ମଧ୍ୟରୁ ଆମକୁ ବାଟ ବଢ଼ାଇ ନେଇଯାଇଥାନ୍ତେ । କିନ୍ତୁ ସେକଥା ହୋଇପାରିଲା କେଉଁଠି ? ଯୁଦ୍ଧ ପରେ ଆମ ପୃଥିବୀକୁ ଦୀର୍ଘ ଅନେକ ବର୍ଷ ଧରି ଏକ ନୂତନ ନିର୍ମାଣ ଓ ନବବିଧାନର ପର୍ଯ୍ୟାୟ ମଧ୍ୟ ଦେଇ ଗତି କରିବାକୁ ହୋଇଥାନ୍ତା । ବିଶେଷକରି ବର୍ତ୍ତମାନର ରାଜନୀତିରେ ଯାହାକୁ ତୃତୀୟ ପୃଥିବୀ ବୋଲି କୁହାଯାଇଛି, ସେଥିରେ ବାସ କରୁଥିବା କୋଟି କୋଟି ଜନତା ବୃହତ୍‌ଶକ୍ତିମାନଙ୍କଠାରୁ ଏହି ନବବିଧାନରେ କେତେ କ’ଣ ସାହଚର୍ଯ୍ୟ ଆଶା କରିଥିଲେ । ମାତ୍ର ସେକଥା ହୋଇପାରିଲା ନାହିଁ । ମୂଳରୁ ହିଁ ପରସ୍ପର ପ୍ରତି ଏକ ଅହେତୁକ ଭୟ ଓ ଅସୁନ୍ଦର ଈର୍ଷା ବୃହତ୍‌ଶକ୍ତିମାନଙ୍କୁ କ୍ଷୁଦ୍ରମନ ଓ ସଙ୍କୁଚିତ କରିପକାଇଲା । ବିଶେଷକରି ଯୁକ୍ତରାଷ୍ଟ୍ରର ବୈଦେଶିକ ନୀତି ପରସ୍ପର ପ୍ରତି ରହିଥିବା ଆପଣାର ଅସୂୟାଟାକୁ ହିଁ ବିଶ୍ୱରାଜନୀତିରେ ତାର ପ୍ରଥମ ନିର୍ଣ୍ଣୟଶିଳା କରି ରଖିଲା, ସୈନ୍ୟସାମନ୍ତ ବଢ଼ାଇଲା, ବିଶ୍ୱଯାକ ଖେଦିଗଲା, କେତେ କେତେ ଦେଶରେ କେତେ କେତେ ଜନତାଙ୍କୁ ବିଭ୍ରାନ୍ତ କରାଇଲା, ପ୍ରଲୁବ୍‌ଧ କରି ରଖିଲା । ଏଥିପାଇଁ ଯେତେ ପଇସା ଦରକାର ହେଲା, କାରପଟଦାରମାନଙ୍କ ହାତକୁ ସେଇଟା ଆଗ ମିଳିଗଲା, ଚାହିଦାଠାରୁ ଅନେକ ଅଧିକ ପରିମାଣରେ ମିଳିଗଲା । ବିଜ୍ଞାନରୁ ପ୍ରାୟ ପୂରାପୂରି ଏଥିପାଇଁ ଆଣି ଖଟାଇ ରଖାଗଲା ଏବଂ ଏ ସବୁଗୁଡ଼ାକୁ ଜାତୀୟ ଉଦ୍ୟମ, ଜାତୀୟ ସ୍ୱାର୍ଥରକ୍ଷା ଏବଂ ଜାତୀୟ ମହିମା ବୋଲି କୁହାଗଲା । ପୃଥିବୀର ରାଜନୀତି ଅର୍ଥାତ୍‌ ରାଜ୍ୟ ବ୍ୟାପାରରେ ଗତ ଦୁଇ ତିନି ଦଶକ ହେଲା ଯୁକ୍ତରାଜ୍ୟ ଆମେରିକା ଯେଉଁ ନୀତିଟିକୁ ସବୁଠାରୁ ଅଧିକ ସରାଗ ଦେଇ ଅନୁସରଣ କରିଆସିଛି, ତାହାର ଅନୁଶୀଳନ କଲେ ଆମ ଆଗରେ ସେହି କଥାଟି ଅତ୍ୟନ୍ତ ସ୍ପଷ୍ଟ ହୋଇଯିବ ।

 

ଏବଂ ବୃହତ୍‌ଶକ୍ତିମାନେ ଅଶୁଭକୁ ପ୍ରଶ୍ରୟ ଦେବା ଯେପରି ଆରମ୍ଭ କଲେ, ସାରା ପୃଥିବୀର ଅନ୍ୟ ଅଧିକାଂଶ ରାଷ୍ଟ୍ର ସତେଅବା ତାହାରି ଅନୁକରଣ କଲେ । ବିଶ୍ୱଭାଗ୍ୟର ମୀମାଂସାକ୍ଷେତ୍ରରେ ରାଷ୍ଟ୍ରୀୟ ସ୍ତରରେ ସତେଅବା ତାହାହଁ ଗୌରବ ଏବଂ ଶ୍ରେୟଃ ହୋଇ ରହିଲା । ଆମ ପୃଥିବୀରେ ଭୋକ ଥିଲା, ଅଶିକ୍ଷା ଥିଲା ଓ ଅନ୍ଧାର ଥିଲା; ସେଗୁଡ଼ାକ ପ୍ରାୟ ଠିକ୍‌ ସେହିପରି ରହିଲା । ସେଗୁଡ଼ାକ ସକାଶେ ମୋଟେ ପଇସା ଅଣ୍ଟିଲା ନାହିଁ । ପୃଥିବୀର ପିଲାଙ୍କ ସକାଶେ ପୃଥିବୀର ପଇସା ଅଣ୍ଟିଲା ନାହିଁ । ମାତ୍ର ନୂଆ ଅସ୍ତ୍ର, ନୂଆ ଲଢ଼େଇ ଓ ନୂଆ ସଙ୍କଟ ସୃଷ୍ଟି ପାଇଁ ଯାହାକୁ ଯେତେ ପଇସା ମିଳିଲା, ବୁଦ୍ଧିର ବି କୌଣସି ଅଭାବ ହେଲା ନାହିଁ । ବଡ଼ମାନଙ୍କର ହେଲାନାହିଁ କି ସାନମାନଙ୍କର ହେଲା ନାହିଁ । ଦୁର୍ବଳ ଦେଶର ସହାୟତା କରିବା ନାଆଁରେ ଅସ୍ତ୍ର-ବିତରଣ ଓ ଅସ୍ତ୍ର-ପ୍ରସାରଣର ବନ୍ୟା ବୋହିଲା । ପୃଥିବୀଟାକୁ ଗୋଟାଏ ଆଧୁନିକ ଅସ୍ତ୍ରାଗାର ରୂପେ ଚଉକଷ କରି ଗଢ଼ାଗଲା ।

 

ଆମେରିକା ସରକାରଙ୍କର ସାହାଯ୍ୟ ତାଲିକାରେ ଏପରି ଅନେକ ଦେଶ ଅଛନ୍ତି, ଯେଉଁମାନେ କି ଆମେରିକାରୁ ମିଳୁଥିବା ସାହାଯ୍ୟକୁ ଯଥାସମ୍ଭବ ଅସ୍ତ୍ର ବଢ଼ାଇବାରେ ହିଁ ଖରଚ କରିଛନ୍ତି । ଖାଦ୍ୟଭଣ୍ଡାରକୁ ଊଣା ରଖି ଅସ୍ତ୍ରାଗାରଗୁଡ଼ାକୁ ଆହୁରି ଅଧିକ ସମ୍ୱଳ-ସମ୍ପନ୍ନ କରି ଗଢ଼ିଛନ୍ତି । ଆମେରିକା ସରକାରଙ୍କୁ ମିଳିଥିବା ଏକ ରିପୋର୍ଟ ଅନୁସାରେ ସାନ ପାକିସ୍ଥାନ ବି କୁଆଡ଼େ ସେହିକଥା କରିଛି । ଆର୍ଥିକ କ୍ଷେତ୍ରରେ, ଉଦ୍ୟୋଗ ଏବଂ ଖାଦ୍ୟଉତ୍ପାଦନ କ୍ଷେତ୍ରରେ ପାକିସ୍ଥାନ ଆମେରିକାଠାରୁ ଯେଉଁ ପଇସା ମାଗିକରି ଆଣିଛି, ସେସବୁକୁ ତାହା ଅଭିପ୍ରେତ ଉଦ୍ଦେଶ୍ୟଗୁଡ଼ିକ ଲାଗି ମୋଟେ ଲଗାଇନାହିଁ, ସେଗୁଡ଼ାକ ସିଏ ଅସ୍ତ୍ରବଳ ବଢ଼ାଇବାରେ ଲଗାଇଛି । କେବଳ ପାକିସ୍ଥାନ ନୁହେଁ, ଏସିଆ ଓ ଆଫ୍ରିକାର ଅନେକ ଦେଶ ହୁଏତ ଠିକ୍‌ ସେହିକଥା କରିଛନ୍ତି । ପୃଥିବୀର ଦୁଇ ବୃହତ୍‌ଶକ୍ତି ପାରସ୍ପରିକ ପ୍ରତିଦ୍ୱନ୍ଦ୍ୱିତାର ଜାଲରେ ପଡ଼ିଯାଇ ଆମ ସମସ୍ତଙ୍କୁ ଅସ୍ତ୍ରବଳ ଉପରେ ହିଁ ସବୁଠାରୁ ଅଧିକ ଆସ୍ଥାବାନ ହୋଇ ରହିବାକୁ ଫୁସୁଲାଇଛନ୍ତି । ଆମ ରାଷ୍ଟ୍ରଗୁଡ଼ିକର ତଦ୍ଦ୍ୱାରା କ୍ଷମତା ବଢ଼ିଛି ସତ, ମାତ୍ର ରାଷ୍ଟ୍ରଗୁଡ଼ିକ ଦୁର୍ବଳ ହୋଇପଡ଼ିଛନ୍ତି, ବିଶ୍ୱ-ଦରବାରରେ ଆପଣାର ମୁହଁଟିକୁ ହରାଇଛନ୍ତି । ପୃଥିବୀର ଭାଗ୍ୟ ବିପନ୍ନ ହୋଇ ରହିଛି ।

 

ତା ୩୦.୦୩.୧୯୭୬ ରିଖ

Image

 

ପୁନର୍ବାର କିଉବା

 

କିଉବାର ପାଞ୍ଜି ପୁଣି ଥରେ ଫିଟିବାକୁ ଯାଉଛି । କିଉବାର ପଡ଼ୋଶୀ କିଉବା ଉପରେ ପୁଣି ଥରେ ରାଗିଛି । ୧୯୬୧ ମସିହାରେ ପ୍ରାୟ ଏହିପରି ଗୋଟିଏ ପରିସ୍ଥିତି କିଉବାକୁ ନେଇ ସୃଷ୍ଟି ହୋଇଥିଲା । କିଉବାର କାଷ୍ଟ୍ରୋ ସେତେବେଳେ ସ୍ୱାଧୀନ କିଉବାର ଅର୍ଥନୀତି ଏବଂ ରାଜନୀତିକୁ ନେଇ ଭୟମୁକ୍ତ ଭାବରେ ବିଚାର କରିବାକୁ ଆରମ୍ଭ କରୁଥିଲେ । ପ୍ରତିବେଶୀ ଆମେରିକା ସେକଥାଟାକୁ ଆଦୌ ସହ୍ୟ କରିପାରିଲା ନାହିଁ । କାରଣ ଆମେରିକାର ନୀତି ହେଉଛି ଯେ ତା’ର ସ୍ଥାନୀୟ ପ୍ରତିବେଶୀମାନଙ୍କର ସେ ସ୍ୱୟଂ ତତ୍ତ୍ୱାବଧାରକ, ମାଲିକ ଓ ମୀମାଂସକ ହୋଇ ରହିବ । ତା’ର ରାଜି ନ ଥାଇ ଅନ୍ତତଃ ତା’ର ଗୋଲାର୍ଦ୍ଧଟିରେ କୌଣସି ରାଜନୀତି କିମ୍ୱା ଅର୍ଥନୀତି ଆଦୌ ଚାଲିପାରିବ ନାହିଁ । ଏକଥା ଯେ ଠିକ୍‌ ବୋଲି ଆମେରିକା ସରକାର ଏପରି କହୁଥିଲା, ସେକଥା ଆଦୌ ନୁହେଁ । ପଶ୍ଚିମ ଗୋଲାର୍ଦ୍ଧରେ ବହୁ ବର୍ଷ ଧରି ଏହାହିଁ ହୋଇଆସିଥିଲା, ତେଣୁ ଏହି ବ୍ୟବସ୍ଥାଟିରେ ଅଭ୍ୟସ୍ତ ହୋଇ ଓ ସେଇଥିରୁ ସର୍ବାଧିକ ପରିମାଣରେ ଲାଭବାନ ହୋଇ ଆମେରିକା ସେଇଟାକୁ ହିଁ କ୍ରମେ ଠିକ୍‌ ବୋଲି ମନେ କରିଆସିଥିଲା ଓ ସେହି ଠିକ୍‌ ପକ୍ଷରେ ଲଢ଼ିବାକୁ ଆପଣାର ବନ୍ଧୁକଗୁଡ଼ାକୁ ଅନୁରୂପ ଭାବରେ ପ୍ରସ୍ତୁତ କରିଥିଲା ।

୧୯୬୧ ମାମଲାଟି ଘଟିବାର ପନ୍ଦର ବର୍ଷ ହେବାକୁ ଯାଉଛି । ଏହା ଭିତରେ ଆମ ପୃଥିବୀର ଦୃଷ୍ଟିକୋଣରେ କେତେ କ’ଣ ପରିବର୍ତ୍ତନ ହୋଇଯିବାର କଥା । ଏହି ପନ୍ଦର ବର୍ଷ ଭିତରେ ଆଫ୍ରିକା ନୂଆ ହୋଇ ଗଢ଼ା ହୋଇଛି, ଜାତିସଂଘର ଛାଞ୍ଚ ବଦଳିଯାଇଛି ଓ ତେଣୁ ବିଶ୍ୱରାଜନୀତି ମଧ୍ୟ ସତେଅବା ଏକ ନୂତନ ନୀତିଭୂମି ଆଡ଼କୁ ଉତ୍ତୋଳିତ ହୋଇ ଆସିଛି । ମାତ୍ର ଏଥିରେ ଆଉ ଯାହାକିଛି ହୋଇଥାଉ ବା ନ ହୋଇଥାଉ, ଆମ ପୃଥିବୀର ତଥାକଥିକ ବୃହତ୍‌ଶକ୍ତିମାନଙ୍କର ବହୁତ କ୍ଷତି ହୋଇଛି ଏବଂ ଏକ ବୃହତ୍‌ଶକ୍ତି ହିସାବରେ ଯୁକ୍ତରାଜ୍ୟ ଆମେରିକାର ବି ଅନେକ କ୍ଷତି ହୋଇଛି । ଆମେରିକା ଆଗେ ଭାବୁଥିଲା ଯେ ପୃଥିବୀରେ ଯେଉଁଠି ଯାହା ଅନ୍ୟାୟ ହେବ, ସେଠାରେ ରିପୁଦମନ କରିବାଲାଗି କେବଳ ଆମେରିକାର ହିଁ ଦଉଡ଼ିଯିବାର ଅଧିକାର ରହିବ । ଏହି ନ୍ୟାୟଟି ଅନୁସାରେ ଆମେରିକା କୋରିଆକୁ ଯିବ, ଭିଏତ୍‌ନାମ୍‌ ଯିବ, ମଧ୍ୟପ୍ରାଚ୍ୟ ଯିବ, ଆଙ୍ଗୋଲାକୁ ବି ଯିବ । ଗୋଇନ୍ଦାଙ୍କର ଜାଲ ବିଛାଇ ପୃଥିବୀର ସବୁ ଦେଶରେ ଜନଭାଗ୍ୟକୁ ମନଇଚ୍ଛା ବଦଳାଇ ଦେଇପାରିବ, ଇଚ୍ଛା ଅନୁସାରେ ରାଜାମାନଙ୍କୁ ବସାଇଦେଇ ବି ପାରୁଥବ, ରାଜାମାନଙ୍କୁ ନିକାଲିଦେଇ ପାରୁଥିବ । ପରିବର୍ତ୍ତିତ ପୃଥିବୀରେ ସେଗୁଡ଼ାକ କ୍ରମେ ଆଉ ମୋଟେ ଚଳିବ ନାହିଁ ବୋଲି ମନେ ହେଉଛି । କିନ୍ତୁ ବୃହତ୍‌ଶକ୍ତିମାନେ ସେକଥା ସ୍ୱୀକାର କରିବା ତ ବହୁ ଦୂରର କଥା, ବିଶ୍ୱାସ କରିବାକୁ ବି ରାଜି ନୁହନ୍ତି ।

ଆଙ୍ଗୋଲାରେ ରାଜନୀତିକ ସ୍ୱାଧୀନତା ପରେ ଯେଉଁ ଗୃହଯୁଦ୍ଧ ଲାଗିଥିଲା, ସେଠାକୁ କିଉବା ସୈନ୍ୟ ସାହାଯ୍ୟ ପଠାଇଥିଲା, ଅସ୍ତ୍ରର ସାହାଯ୍ୟ ବି ପଠାଇଥିଲା । ଆଙ୍ଗୋଲାରେ ଯାହା ଅବଶ୍ୟ ହେବାର ଥିଲା ତାହାହିଁ ଘଟିଲା । ସେଠି ଆମେରିକା ଯେଉଁ ପଟଟିକୁ ହେମତ ଦେଇ ରଖିଥିଲା, ଯେଉଁମାନଙ୍କୁ ଶାସକ ବୋଲି ସ୍ୱୀକାର କରିଥିଲା, ଆଙ୍ଗୋଲାର ଜନଗଣଙ୍କର ଯେ ସେମାନେ କୌଣସି ପ୍ରତିନିଧିତ୍ୱ କରୁନାହାନ୍ତି, ସମୟ ଅନୁସାରେ ସେହି କଥାଟି ସଫା ପ୍ରମାଣିତ ହୋଇଗଲା । କିଉବା ଯେଉଁ ପଟଟିର ସକ୍ରିୟ ସମର୍ଥନ କରୁଥିଲା, ସେହି ପଟ ହିଁ ଆଙ୍ଗୋଲାର ଅସଲ ପ୍ରତିନିଧି ବୋଲି ଘୋଷିତ ହେଲା, ପୃଥିବୀଯାକ ସ୍ୱୀକୃତ ହେଲା । ଏଥିରେ ଆମେରିକାର ଗାତ୍ରଦାହ ହେବାର ହିଁ କଥା ଏବଂ ପ୍ରତିଶୋଧ ପ୍ରକୋପଗୁଡ଼ାକ ମୁହଁରେ ଥିବା କିଉବା ଉପରେ ଆସି ପଡ଼ିବାର ହିଁ କଥା । ତେଣୁ ଅତ୍ୟନ୍ତ ସ୍ୱାଭାବିକ କଥା ଯେ ଯୁକ୍ତରାଜ୍ୟ ଏବେ ଏ ବିଷୟରେ କିଉବାର ସରକାରଙ୍କୁ କେତେ ପଦ କଠୋରବାଣୀ ଶୁଣାଇଦେଇଛି । ଅର୍ଥାତ୍‌ କିଉବାର ସ୍ଥଳଭାଗରେ ରହିଥିବା ଆମେରିକାର ସାନ ପକେଟଟିରେ ଆମେରିକା ତରଫରୁ ପୁଣି ନୌବାହିନୀ ମୁତୟନ ହୋଇ ରହିବେ । ଦରକାର ପଡ଼ିଲେ କିଉବାର ସୈନ୍ୟମାନଙ୍କ ସହିତ ଆମେରିକାର ସୈନ୍ୟମାନଙ୍କର ସେଇଠି ମୁକାବିଲା ହେବ ଇତ୍ୟାଦି ଇତ୍ୟାଦି । ସମସ୍ତେ ହୁଏତ ଆଶଙ୍କା କରୁଥିବେ, ୧୯୬୧ ଭଳି କିଉବାକୁ ନେଇ ଏବେ ପୁଣି ଗୋଟିଏ ଅଭିନୟ ଅଭିନୀତ ହେବ କି ?

ଆମେରିକା ସରକାର ନ ଚାହିଁଲେ ଯେ ଲାଟିନ୍‌ ଆମେରିକାରେ କୋଉଠି କିଛି ହୋଇପାରୁନାହିଁ, ସେହି ସମ୍ପୂର୍ଣ୍ଣ ଭୂଖଣ୍ଡଟାର ସରକାରମାନେ ଏକଥା ଭଲକରି ଜାଣିଛନ୍ତି ଓ ଆମେରିକା ତୁଳନାରେ ଅନେକ ଅଳ୍ପବଳ ହୋଇ ରହିଥିବାରୁ ସେମାନେ ଆଉ ଅନ୍ୟ କିଛି କରିପାରିବେ ବୋଲି ହୁଏତ ବିଶ୍ୱାସ କରୁନାହାନ୍ତି । ଚିଲିରେ ଆୟେଣ୍ଡେଙ୍କ ସରକାର ଚିଲିକୁ ନେଇ ନୂତନ କିଛି କରିବେ ବୋଲି ବିଚାର କରିଥିଲେ । ଆମେରିକାର ମନ୍ତ୍ରଣାରେ ଓ ପ୍ରରୋଚନାରେ ଆୟେଣ୍ଡେ ସରକାରଙ୍କର ପତନ ହେଲା, ତାଙ୍କ ଜୀବନକୁ ଉଡ଼ାଇ ଦିଆଗଲା । ସାନ ଦେଶ ବ୍ରିଟିଶ୍‌ ଗାଏନାରେ ମଧ୍ୟ ଆମେରିକାର ସ୍ୱାର୍ଥରେ ବାଧା ପଡ଼ୁଛି ବୋଲି ପରିବର୍ତ୍ତନର ଅନେକ ଯୋଜନା ସେମିତି ଅକାମୀ ହୋଇପଡ଼ିଛି ବୋଲି ଏବେ ସେଠା ବିରୋଧୀଦଳ ନେତା ଶ୍ରୀଯୁକ୍ତ ଚେଦି ଜଗନ ତାଙ୍କର ଏକ ବହିରେ ଉଲ୍ଲେଖ କରିଛନ୍ତି । ଏସବୁ ରାଜନୀତି, ପୁରାତନ ରାଜନୀତି । ଏହିସବୁ ଧମକ ଅର୍ଥହୀନ ଧମକ । ଏବେ ଇଚ୍ଛା କଲେ ମଧ୍ୟ ଆନ୍ତର୍ଜାତିକ ରାଜନୀତିର କୌଣସି ଜିଦ୍‌ ପୃଥିବୀରେ କୌଣସି ପ୍ରକାର ଯୁଦ୍ଧ ଲଗାଇ ଦେଇପାରିବ ନାହିଁ । ବୃହତ୍‌ଶକ୍ତିମାନେ ସମୟର ଆବଶ୍ୟକତା ଅନୁସାରେ ନିଜେ ସିନା ବଦଳିଯିବେ, ମାତ୍ର ସେମାନେ ଇଚ୍ଛା ନ କରୁଛନ୍ତି ବୋଲି ପୃଥିବୀର ଘଣ୍ଟା ଆଉ ପଛକୁ ଚାଲିପାରିବ ନାହିଁ ।

ତା ୩୧.୦୩.୧୯୭୬ ରିଖ

Image

 

ଥାଇଲାଣ୍ଡ୍‌ରୁ ବିଦାୟ

 

ଯୁକ୍ତରାଜ୍ୟ ଆମେରିକାର ସୈନ୍ୟମାନେ ଥାଇଲାଣ୍ଡ୍‌ରୁ ବିଦାୟ ହୋଇଗଲେ । ସମ୍ୱାଦପତ୍ରରେ ଦିଆଯାଇଥିବା ହିସାବରୁ ଜାଣିବାକୁ ମିଳୁଛି ଯେ ଗତ ଭିଏତ୍‌ନାମ୍‌ ଯୁଦ୍ଧ ଲାଗିଥିଲାବେଳେ ଥାଇଲାଣ୍ଡ୍‌ର ସାତୋଟି ଘାଟିରେ ଆମେରିକାର ୭୫୦ରୁ ଅଧିକ ଲଢ଼ୁଆ ଉଡ଼ାଜାହାଜ ଓ ୪୮୦୦୦ ପର୍ଯ୍ୟନ୍ତ ସୈନ୍ୟ ରହିଥିଲେ । ଭିଏତ୍‌ନାମ୍‌ ଯୁଦ୍ଧ ସରିବା ପରେ ପରେ ସେଠାରୁ ୪୪୦୦୦ ସୈନ୍ୟଙ୍କୁ ଅପସରାଇ ନିଆଯାଇଥିଲା । ବାକି ଚାରିହଜାର ଥିଲେ । ସେମାନେ ଏହାରି ଭିତରେ ବିଦା ହୋଇଯିବେ ।

 

ବିଦା ହୋଇଯିବାର ଏହି ଘଟଣାଟି ପଛରେ ପ୍ରାୟ ଦୀର୍ଘ କୋଡ଼ିଏ ବର୍ଷର ଇତିହାସ ରହିଛି । ଭିଏତ୍‌ନାମ୍‌ ଯୁଦ୍ଧଟି ଲାଗିବାର ଯେତିକି ବର୍ଷ ହେଲା, ପ୍ରାୟ ସେତିକି ବର୍ଷର ଇତିହାସ । ଭିଏତ୍‌ନାମ୍‌ ଯୁଦ୍ଧରେ ଆମେରିକା ଆସି ମାମଲାତି କରିବାର ଓ ଦକ୍ଷିଣପୂର୍ବ ଏସିଆର ରାଜନୀତିକ ବିକାଶର ଆକାଶଟିକୁ ଜନ୍‌ ଫଷ୍ଟର୍‌ ଡଲେସ୍‌ଙ୍କର ଯୁଦ୍ଧନୀତିର ମେଘ ଆଚ୍ଛନ୍ନ କରି ରଖିବାର ଇତିହାସଟି ସହିତ ଥାଇଲାଣ୍ଡ୍‌ର ଏକାଧିକ ଘାଟିରେ ଆମେରିକା ସୈନ୍ୟ ମହଜୁଦ କରି ରଖିବାର ଇତିହାସ ଅଙ୍ଗାଅଙ୍ଗୀ ଭାବରେ ଜଡ଼ିତ ହୋଇ ରହିଛି । ଥାଇଲାଣ୍ଡ୍‌ର ଆବଶ୍ୟକତା ଥିଲା ବୋଲି ଯେ ଥାଇଲାଣ୍ଡ୍‌ରେ ଆମେରିକାର ସୈନ୍ୟ ଆସି ରହିଲେ, ସେକଥା ଆଦୌ ନୁହେଁ । ସେମାନେ ସେଇ ଆମେରିକା ତରଫର ଖରଚରେ ରହିଲେ । ଥାଇଲାଣ୍ଡ୍‌ର ଆପଣା ସୈନ୍ୟବାହିନୀ ସହିତ ଏମାନଙ୍କର କୌଣସି ସମ୍ୱନ୍ଧ ନଥିଲା ବା ଥାଇଲାଣ୍ଡ୍‌ ସଶସ୍ତ୍ର ବାହିନୀର ସେନାପତିମାନଙ୍କ ପ୍ରତି ଏମାନଙ୍କର କୌଣସି ଅନୁରକ୍ତି ନଥିଲା । ଆମେରିକାର ଇଚ୍ଛାରେ ଓ ଆମେରିକାର ଆବଶ୍ୟକତା ପୂରଣଲାଗି ଆମେରିକାର ଖରଚରେ ଏହି ସୈନ୍ୟବାହିନୀ ଥାଇଲାଣ୍ଡ୍‌ ଭୂଇଁରେ ଛାଉଣୀ ମାରି ରହିଥିଲେ । ଏହାର ପ୍ରତିବଦଳରେ ଥାଇଲାଣ୍ଡ୍‌ ସରକାରକୁ ଆମେରିକା ସରକାର ହୁଏତ ବାର୍ଷିକ କେତେ ହଜାର ଡଲାର ଆର୍ଥିକ ସାହାଯ୍ୟ ଦେଉଥିଲେ । ଆନ୍ତର୍ଜାତିକ ରାଜନୀତିରେ ଏସବୁ ଯେ ଆଜି ମଧ୍ୟ ଘଟୁଛି, ଆମ ପୃଥିବୀର ରାଜନୀତିକ ବିକାଶକୁ ପଛାଇ ରଖିବାରେ ଏଇଟି ମଧ୍ୟ ଗୋଟିଏ ବଡ଼ କାରଣ ହୋଇ ରହିଛି ।

 

ଥାଇଲାଣ୍ଡ୍‌ରୁ ଆମେରିକା ସୈନ୍ୟ ଓ ଆମେରିକାର ଲଢ଼ୁଆ ବିମାନମାନେ ପୂର୍ବପଟେ ଭିଏତ୍‌ନାମ୍‌ରେ ଯୁଦ୍ଧ ଲଢ଼ିବାକୁ ଯାଉଥିଲେ ଏବଂ ଆଦେଶ ଅନୁସାରେ ପୁନର୍ବାର ଘାଟିଗୁଡ଼ିକୁ ଫେରିଆସୁଥିଲେ । ଥାଇଲାଣ୍ଡ୍‌ ଆମେରିକାର ଯୁଦ୍ଧ ଲଢ଼ିବାରେ ଗୋଦାମଘର ହୋଇ ରହିଥିଲା ଏବଂ ଏହିସବୁ ନାନା ବ୍ୟବସ୍ଥାକୁ ଏକ ନ୍ୟାୟାନୁମୋଦନର ଆକାର ଦେବାଲାଗି ଆମେରିକା ସରକାରଙ୍କର ଅଭିଳାଷ, ଅନୁଯୋଜନା ଏବଂ ଅର୍ଥବ୍ୟୟ ଦ୍ୱାରା ଦକ୍ଷିଣପୂର୍ବ ଏସିଆ ମେଣ୍ଟ ବୋଲି ଗୋଟିଏ ମେଣ୍ଟ ବି ଗଢ଼ା ହୋଇଥିଲା । ଏଥିରେ ଭିଏତ୍‌ନାମ୍‌ ଅଞ୍ଚଳକୁ ଘେରି ରହିଥିବା ବିଭିନ୍ନ ଦେଶ ସଦସ୍ୟଦେଶ ରୂପେ ରହିଥିଲେ । ଭିଏତ୍‌ନାମ୍‌ ଯୁଦ୍ଧର ଖାସ୍‌ ଖଟୁଲି ତତ୍କାଳୀନ ଦକ୍ଷିଣ ଭିଏତ୍‌ନାମ୍‌ ଥିଲା । ତତ୍କାଳୀନ କାମ୍ୱୋଡ଼ିଆରେ ଅନୁଗତ ଲୋନ୍‌ ନୋଲ୍‌ ସରକାର ଥିଲେ, ଥାଇଲାଣ୍ଡ ଥିଲା, ଫିଲିପାଇନ୍‌ ଥିଲା, ଅଷ୍ଟ୍ରେଲିଆ ଏବଂ ନିଉଜିଲାଣ୍ଡ୍‌ ମଧ୍ୟ ରହିଥିଲେ । ଏସବୁ ମେଣ୍ଟ ଯେ ଜଣେ କର୍ତ୍ତାଙ୍କ ବରାଦରେ ହୋଇଥିଲା, ଭିଏତ୍‌ନାମ୍‌ ଯୁଦ୍ଧ ସରିବା ସଙ୍ଗେ ସଙ୍ଗେ ତାହା ଜଣା ପଡ଼ିଗଲା । ଭିଏତ୍‌ନାମ୍‌ ଭୂମିରୁ ଆମେରିକା ବିଦାୟ ହୋଇ ଚାଲିଯିବା ପରେ ସେହି ମେଣ୍ଟର ଆବଶ୍ୟକତା ମଧ୍ୟ ମେଣ୍ଟିଗଲା । ସେହି ମେଣ୍ଟକୁ ନ ଭାଙ୍ଗିବାକୁ ଆଉ ତର ସହିଲା ନାହିଁ । ଥାଇଲାଣ୍ଡ୍‌ର ପ୍ରଧାନମନ୍ତ୍ରୀ ସ୍ୱୟଂ ଅଷ୍ଟ୍ରେଲିଆ ଯାଇ ସେଠି ମେଣ୍ଟକୁ ଲାଜରକ୍ଷା ସହିତ କିପରି ଭାଙ୍ଗି ଦିଆଯାଇପାରିବ, ତାହାର ଏକ ବରାଦ କରିଆସିଲେ ଏବଂ ସମ୍ପୃକ୍ତ ସେହି ଅଞ୍ଚଳଟିରୁ ଆମେରିକାର ଛାଇ ହଟିଯିବା ସଙ୍ଗେ ସଙ୍ଗେ ଏସବୁ ଜାତୀୟ ଇଚ୍ଛା ବିରୁଦ୍ଧରେ ଲୋକମତ ଏପରି ପ୍ରତ୍ୟକ୍ଷ ଓ ପ୍ରବଳ ହୋଇଉଠିଲା ଯେ, ମେଣ୍ଟର ମୁହଁ ଦେଖାଇ ରହିବାକୁ ମଧ୍ୟ ଆଉ କୌଣସି ଅବକାଶ ରହିଲା ନାହିଁ ।

 

ଆମେରିକାର ସୈନ୍ୟମାନେ ତୁରନ୍ତ ଥାଇଲାଣ୍ଡ୍‌ ଛାଡ଼ି ଚାଲିଯାଆନ୍ତୁ ବୋଲି ଦାବୀ କରି ଥାଇଲାଣ୍ଡ୍‌ ଜାତୀୟ ଛାତ୍ର ସଂସ୍ଥା ପକ୍ଷରୁ ଗତ କେତେଦିନ ହେଲା ବିକ୍ଷୋଭମାନ ଲାଗି ରହିଥିଲା ଏବଂ ଥାଇଲାଣ୍ଡ୍‌ର ଜନମତ ମଧ୍ୟ ଏହି ବିକ୍ଷୋଭ ପଛରେ ଦୃଢ଼ ଭାବରେ ରହିଥିଲା । ଥାଇଲାଣ୍ଡ୍‌ ସରକାର ଆମେରିକାର ସୈନ୍ୟ-ଅପସାରଣ ବିଷୟରେ ଶୀଘ୍ର ଏକ ସିଧା ଘୋଷଣା କରନ୍ତୁ ବୋଲି ଛାତ୍ରମାନଙ୍କ ପକ୍ଷରୁ ଦାବୀ ହେଉଥିଲା । ବାଧ୍ୟ ହୋଇ ହେଉ ବା ଆଉ ଯେଉଁ କାରଣରୁ ହେଉ, ଥାଇଲାଣ୍ଡ୍‌ ସରକାର ନିଜ ତରଫରୁ ଏବେ ସେହି ଘୋଷଣାଟି କଲେ । ଘୋଷଣା ପରେ ଛାତ୍ରମାନେ ସେମାନଙ୍କର ଆନ୍ଦୋଳନ ପ୍ରତ୍ୟାହାର କରି ନେଇଛନ୍ତି ବୋଲି ମଧ୍ୟ ଖବର ପ୍ରକାଶ ପାଇଛି ।

 

ଦକ୍ଷିଣପୂର୍ବ ଏସିଆର ଜାତୀୟ ବିକାଶର ଇତିହାସରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହେଉଛି । ଗତ କୋଡ଼ିଏ ବର୍ଷ ହେଲା ସେହି ଅଞ୍ଚଳର ରାଜନୀତି ଏକ ଅନ୍ଧାର ଓ ତଜ୍ଜନିତ ଯାବତୀୟ ଦୌରାତ୍ମ୍ୟ ମଧ୍ୟଦେଇ ଗତି କରିବାକୁ ବାଧ୍ୟ ହେଉଥିଲା । ବର୍ତ୍ତମାନ ସେହି ପରାଧୀନତା କଟିଯାଇଛି । ଏଥର ସେଠାରେ ଜନ-ଆକାଙ୍‌କ୍ଷାର ମଙ୍ଗଟିକୁ ପୁଣି କୋଉଆଡ଼କୁ ମୋଡ଼ା ହେବ ଏବଂ ତାହାକୁ କିଏ ମୋଡ଼ିବ ?

 

ତା ୦୩.୦୪.୧୯୭୬ ରିଖ

Image

 

ବୁଦ୍ଧିଜୀବୀଙ୍କ ଦାୟିତ୍ୱ

 

ଯିଏ ଆପଣାର ବୁଦ୍ଧିକୁ ସମାଜର ସେବାରେ ଲଗାଏ, ସିଏ ବୁଦ୍ଧିଜୀବୀ ନା ଯିଏ ଆପଣାର ବୁଦ୍ଧିକୁ ବିକି ପେଟ ପୋଷେ, ସିଏ ବୁଦ୍ଧିଜୀବୀ ? ପୁଣି ଯିଏ ଆପଣାକୁ ବୁଦ୍ଧିଜୀବୀ ବୋଲି କହି, ବୁଦ୍ଧିଆ ହୋଇ ଗୋଟାଏ ଦେଶରେ ବା ଗୋଟାଏ ସମାଜ ସକାଶେ କିଛି ନ ଦେଇ ଆପଣା ଲାଗି ଗୋଟାସୁଦ୍ଧା ସବୁ ମାଡ଼ି ବସିବାକୁ ଚାହେଁ, ଆମେ ତାକୁ ପ୍ରକୃତରେ କ’ଣ କହିବା ?

 

ଆମ ଦେଶରେ ବୁଦ୍ଧିଜୀବୀ ଅଳପ-ତା’ର ଅର୍ଥ ନୁହେଁ ଯେ ଏ ଦେଶର କେବଳ ଅଳ୍ପ ଲୋକଙ୍କ ପାଖରେ ବୁଦ୍ଧି ରହିଛି । ବିଜ୍ଞାନର ବକ୍ତବ୍ୟ ଅନୁସାରେ ବୁଦ୍ଧି ଏକ ପ୍ରଚ୍ଛନ୍ନ ଶକ୍ତି ହିସାବରେ ମଣିଷ ମାତ୍ରକେ ସମସ୍ତଙ୍କ ପାଖରେ ରହିଛି । ସମାଜ ଭିତରେ ଯେଉଁ ମଣିଷକୁ ଅନୁକୂଳ ପରିବେଶ ମିଳୁଛି, ତାହାରି ବୁଦ୍ଧି ଅନୁରୂପ ଭାବରେ ବିକଶିତ ହେବାର ସୁଯୋଗ ପାଉଛି । ଯାହାକୁ ସୁଯୋଗ ମିଳୁନାହିଁ, ତା’ର ବୁଦ୍ଧିଶକ୍ତିର ବିକାଶ ହୋଇ ପାରୁନାହିଁ ।

 

ଆମ ଦେଶରେ ନାନା କାରଣରୁ ସବୁ ମଣିଷପିଲାଙ୍କୁ ସ୍କୁଲକୁ ଆଣିବା ଅର୍ଥାତ୍‌ ବୁଦ୍ଧି-ପ୍ରତିଭାର ସମୁଚିତ ବିକାଶଲାଗି ଅନୁକୂଳ ପରିବେଶ ଯୋଗାଇଦେବା ଏପର୍ଯ୍ୟନ୍ତ ସମ୍ଭବ ହୋଇପାରିନାହିଁ । ଦେଶରେ ସମ୍ୱଳ ନାହିଁ, ସାମୂହିକ ଉତ୍ସାହ ବା ଉଦ୍ୟମ ନାହିଁ, ଯଥୋଚିତ ନେତୃତ୍ୱ ଆମ ଶିକ୍ଷାକ୍ଷେତ୍ରରେ ଆହୁରି ସୃଷ୍ଟି ହୋଇପାରି ନାହିଁ, - ଏହା ପଛରେ ଏହିପରି ନାନା କାରଣ ରହିଛି । ମାତ୍ର ବାଛି ବାଛି ଦେଶର ସବୁଯାକ ଅଧିକ ବୁଦ୍ଧିମାନ ପିଲାଙ୍କୁ ଯେ ପାଠ ପଢ଼ିବାର ସୁଯୋଗ ମିଳୁଛି, ସେକଥା ମଧ୍ୟ ନୁହେଁ । ହୁଏତ ଏପରି ହେଉଛି ଯେ ଯେଉଁଠାରେ ଇଚ୍ଛା ରହିଚି, ବିକଶିତ ହୋଇପାରିବାର ମସଲା ରହିଛି, ସେଠାରେ ସୁଯୋଗ ନାହିଁ ବା ସମ୍ୱଳ ନାହିଁ ଏବଂ ଯେଉଁଠି ଇଚ୍ଛା ନାହିଁ, ଆପଣାକୁ ବିକଶିତ କରାଇବାର ପ୍ରବୃତ୍ତି ନାହିଁ ବା ପ୍ରେରଣା ନାହିଁ, ହୁଏତ ସେହିଠାରେ ହିଁ ସବୁଯାକ ସୁଯୋଗ ଏବଂ ସମ୍ୱଳ ସାଇତା ହୋଇ ରହିଯାଉଛି । ଏଣୁ ଆମ ଦେଶର ପ୍ରକୃତ ବୁଦ୍ଧିପ୍ରତିଭା ଯେ ସ୍କୁଲକୁ ଆସିପାରୁନାହିଁ, ଶିକ୍ଷାବିତ୍‌ମାନେ ସବୁଦିନେ ଏହି ଦୁଃଖଟାକୁ ବୈଜ୍ଞାନିକ ତଥ୍ୟପ୍ରମାଣ ଦେଇ କହିଆସିଛନ୍ତି ।

 

ଆମ ଦେଶରେ ଯେଉଁମାନେ ପାଠ ପଢ଼ିଛନ୍ତି, ପାଠରେ ଅନେକ ଉପରଯାଏ ଯାଇଛନ୍ତି ଏବଂ ଜୀବନରେ ସେହି ଅର୍ଜିତ ପାଠର ପ୍ରମାଣପତ୍ର ଦେଖାଇ ଉଦର ପୋଷଣ କରୁଛନ୍ତି, ଅନ୍ୟ ଯଥାର୍ଥତର କୌଣସି ଶଦ୍ଦର ଅଭାବରୁ ସେହିମାନଙ୍କୁ ହିଁ ବୁଦ୍ଧିଜୀବୀ ବୋଲି କୁହାଯାଇଥାଏ । ଏମାନେ ପାଠ ପଢ଼ିଲାବେଳେ କାହାରି ସକାଶେ ପାଠ ପଢ଼ି ନଥିଲେ । ଏମାନେ ନିଜର ଜୀବନ-ଭବିଷ୍ୟକୁ ଦୋରସ୍ତ ଓ ଅଧିକ ଉପାର୍ଜନଶୀଳ କରିବାକୁ ପାଠ ପଢ଼ିଥିଲେ । ଆମ ଦେଶର ପ୍ରଚଳିତ ଶିକ୍ଷାରେ କୌଣସି ପ୍ରକାର ବଚନବଦ୍ଧତା ପ୍ରାୟ କେବେହେଲେ ନଥିଲା, କୌଣସି ପ୍ରକାର ସମର୍ପଣଭାବ ନଥିଲା । ତେଣୁ ଆମର ଉଚ୍ଚଶିକ୍ଷାଳୟମାନଙ୍କରୁ ଯେଉଁମାନେ ଯୋଗ୍ୟତା ଅର୍ଜନ କରି ବାହାରିଲେ ଓ ଦେଶରେ ବୁଦ୍ଧିଜୀବୀ ବୋଲାଇଲେ, ଦେଶ ପ୍ରତି, ସମାଜ ପ୍ରତି ସେମାନଙ୍କର ଅର୍ଜିତ ପାଠ ବା ଜ୍ଞାନ କୌଣସି ପ୍ରକାରେ ଦାୟିତ୍ୱଶୀଳ ବୋଲି ଅନୁଭବ କରିବାକୁ ଖୁବ୍‌ କମ୍‌ ସୁଯୋଗ ପାଉଥିଲା । ବରଂ ଓଲଟା କଥା ହିଁ ଅଧିକତର କ୍ଷେତ୍ରରେ ଘଟୁଥିଲା । ଯେଉଁ ଦେଶରେ କୋଟି କୋଟି ମଣିଷ ଅଶିକ୍ଷା ଭିତରେ ଅଛନ୍ତି, ସମାଜକୁ ଆପଣାର ଅକ୍ତିଆରକୁ ଆଣି ସେହିମାନଙ୍କୁ ଯଥାସମ୍ଭବ ଶୋଷଣ କରିବାକୁ ହିଁ ଶିକ୍ଷିତପଣିଆ ହୁଏତ ଅଧିକ ଉତ୍ସାହ ପାଉଥିଲା । ହୁଏତ ସେଇଥିଲାଗି ଆମ ବୁଦ୍ଧିଜୀବମାନଙ୍କୁ ପ୍ରାୟ ପାରମ୍ପରିକ ଭାବରେ ବାବୁ ବୋଲି କୁହାହୋଇ ଆସୁଥିଲା । ସେମାନେ ଡାକ୍ତର ନୁହନ୍ତି, ଇଂଜିନିୟର ନୁହନ୍ତି, ଅଧ୍ୟାପକ ନୁହନ୍ତି ବା ବୈଜ୍ଞାନିକ ନୁହନ୍ତି । ସେମାନେ କାଗଜକଲମରେ ଏସବୁ ବେଶ୍‌ ହୋଇପାରନ୍ତି, ମାତ୍ର ଯେଉଁ ସମାଜର ଅନାବନା ଭିତରେ ସେମାନେ ଦ୍ରୁମବତ୍‌ ଶୋଭା ପାଉଛନ୍ତି, ସେହି ସମାଜରେ ସେମାନେ ହେଉଛନ୍ତି ବାବୁ ଏବଂ ସଂସ୍କାରସିଦ୍ଧ ଚଳଣି ଅନୁସାରେ ସମାଜର ସେମାନଙ୍କ ପ୍ରତି କର୍ତ୍ତବ୍ୟ ରହିଛି, ମାତ୍ର ସେମାନଙ୍କର ବି ସମାଜ ପ୍ରତି ବା ଦେଶ ପ୍ରତି କୌଣସି କର୍ତ୍ତବ୍ୟ ରହିଛି ବୋଲି ସାହସ କରି ପୁଣି କିଏ କହିବ ?

 

ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ଏବେ ବୁଦ୍ଧିଜୀବୀମାନଙ୍କର ଦାୟିତ୍ୱ ବିଷୟରେ ପ୍ରସଙ୍ଗକ୍ରମେ ଉଲ୍ଲେଖ କରିଛନ୍ତି । ବୁଦ୍ଧିଜୀବୀମାନଙ୍କର ଦାୟିତ୍ୱ ବିଷୟରେ ପ୍ରସଙ୍ଗକ୍ରମେ ଉଲ୍ଲେଖ କରିଛନ୍ତି । ବୁଦ୍ଧିଜୀବୀମାନେ ଦେଶ ଓ ସମାଜ ପ୍ରତି ରହିଥିବା ସେମାନଙ୍କର ଦାୟିତ୍ୱ ବିଷୟରେ ଅନେକ ସମୟରେ ସଚେତନ ହେଉନାହାନ୍ତି ବୋଲି ସେ ଦୁଃଖ ପ୍ରକାଶ କରିଛନ୍ତି । ବୁଦ୍ଧିଜୀବୀ ଓ ଦାୟିତ୍ୱ-ସଚେତନତାକୁ ଏକାଠି କରିବାକୁ ହେଲେ ଆମ ଦେଶରେ ବୁଦ୍ଧିମତ୍ତା ଓ ଶିକ୍ଷାକୁ ମଧ୍ୟ ଏକାଠି କରିବାକୁ ହେବ, ଶିକ୍ଷା ଓ ଶିକ୍ଷା ଲାଗି ଯୋଗ୍ୟତାକୁ ଏକାଠି କରିବାକୁ ହେବ, ଶିକ୍ଷା ମଧ୍ୟରେ ସମର୍ପଣ ଭାବଲାଗି ସ୍ଥାନ ରଖିବାକୁ ହେବ, ବ୍ୟକ୍ତିତ୍ୱ-ଗଠନ ଓ ଏକ ସୁସ୍ଥ ଦୃଷ୍ଟିର ଅର୍ଜନ ଆଡ଼କୁ ମଧ୍ୟ ଧ୍ୟାନ ଦେବାକୁ ହେବ । ତେବେ ଯାଇ ଆମ ବୁଦ୍ଧିଜୀବୀ ପ୍ରକୃତରେ ଆମର ହୋଇରହିବେ, ଆଉ ବାବୁ ହୋଇ ରହିବେ ନାହିଁ, ଆମର ଯାବତୀୟ ଜାତୀୟ ଉଦ୍ୟମରେ ଚକ୍ଷୁ ପରି ହୋଇରହିବେ ।

 

ତା ୦୪.୦୪.୧୯୭୬ ରିଖ

Image

 

ଆପଣା ହାତ ଜଗନ୍ନାଥ

 

ଏବେ ସମ୍ୱାଦପତ୍ରରେ ପ୍ରକାଶ ପାଇଛି ଯେ ଶ୍ରୀଲଙ୍କାର ସରକାର ସେହି ଦେଶର କଫି, ରବର ଓ ନଡ଼ିଆ ଶିଳ୍ପର ଜାତୀୟକରଣ କରିନେଇଛନ୍ତି । ଶ୍ରୀଲଙ୍କାର ରେଭିନିଉ ବାବଦରେ ଯେତେ ଅର୍ଥ ଆଦାୟ ହେଉଥିଲା, ତାହାର ଶତକଡ଼ା ଅଶିଭାଗ ଏହି ତନୋଟି ଉଦ୍ୟୋଗରୁ ହିଁ ଉପଲବ୍‌ଧ ହେଉଥିଲା ଏବଂ ଏହି ଉଦ୍ୟୋଗଗୁଡ଼ିକ ମୁଖ୍ୟତଃ ବିଦେଶୀମାନଙ୍କ ହାତରେ ରହିଥିଲା-। ଔପନିବେଶିକ ଯୁଗରୁ ଏହିପରି ଧନ୍ଦା ଲାଗି ରହିଥିଲା ବା ଆହୁରି ଅଧିକ ନିର୍ଭୁଲ ଭାବରେ କହିଲେ ଏହିସବୁ ଧନ୍ଦାଗୁଡ଼ାକ ଚଳାଇ ପାରିବା ଲାଗି ହିଁ ଶ୍ରୀଲଙ୍କାକୁ ଏକ ଉପନିବେଶରେ ପରିଣତ କରାଯାଇଥିଲା । ବିଦେଶୀ ପୁଞ୍ଜିପତିମାନେ ଜମିଦାରୀ ପରି ଉପନିବେଶଗୁଡ଼ାକର ଉଦ୍ୟୋଗ-କ୍ଷେତ୍ରଗୁଡ଼ାକୁ ମାଡ଼ି ବସିଥିଲେ, ସ୍ଥାନୀୟ ଶସ୍ତା ମଣିଷଙ୍କୁ କାମ ଖଟାଇ ଏବଂ ସେମାନଙ୍କୁ ଚିରଦିନ ସେହି ଶ୍ରମିକ କରି ରଖି ସେମାନେ ଆପେ ଆପେ ଲକ୍ଷ ଲକ୍ଷର ଉପାୟ କରିପାରୁଥିଲେ । ଉପନିବେଶବାଦର ଇତିହାସରେ ଆମେ ପୃଥିବୀରେ ଯେଉଁ ମହାଦେଶକୁ ଯିବା, ସବୁଠାରେ ହିଁ ସେହି କାହାଣୀଟିକୁ ଦେଖିବାକୁ ପାଇବା ।

 

ଗତ କୋଡ଼ିଏ ତିରିଶି ବର୍ଷ ଭିତରେ ଉପନିବେଶଗୁଡ଼ିକ ରାଜନୀତିକ ସ୍ୱାଧୀନତା ଲାଭ କଲେ । ମାତ୍ର ସବୁଠାରେ ଅର୍ଥନୈତିକ ସ୍ୱାଧୀନତା ଲାଭ କରି ନ ଥିଲେ । ଅନେକ କ୍ଷେତ୍ରରେ ହୁଏତ ଅର୍ଥନୈତିକ ସ୍ୱାଧୀନତା ଦିଆ ନ ଯିବାର ସର୍ତ୍ତରେ ହିଁ ରାଜନୀତିକ ସ୍ୱାଧୀନତା ମିଳିବ ବୋଲି ଲେଖାପଢ଼ା ବି ହୋଇଥିଲା । ଏହା ପଛରେ କାରଣ ଥିଲା, କୈଫିୟତ୍‌ ତା’ ଠାରୁ ଅଧିକ ଥିଲା, ହୁଏତ ଆବଶ୍ୟକତା ବି ଥିଲା । ଯେଉଁସବୁ ଦେଶରେ ଔପନିବେଶିକ କାଳରେ ଏହି ଉଦ୍ୟୋଗମାନ ଚାଲିଆସିଥିଲା, ସେହି ଦେଶର ଲୋକେ ରାଜନୀତିକ ସ୍ୱାଧୀନତା ଲାଭ କଲାପରେ କୁଆଡ଼େ ସେହିସବୁ ଉଦ୍ୟୋଗକୁ ସ୍ୱୟଂ ଚଳାଇ ପାରିବା ସକାଶେ ଉପଯୁକ୍ତ ଭାବରେ ପ୍ରଶିକ୍ଷିତ ହୋଇପାରିନଥିଲେ । କାହିଁକି ହୋଇ ପାରିନଥିଲେ, ଏହା ପଛରେ ଉପନିବେଶର ଲୋକମାଙ୍କର ଅଯୋଗ୍ୟତା ଏକ କାରଣ ହୋଇ ରହିଥିଲା ନା ଉପନିବେଶ ଅମଳର ଉଦ୍ୟୋଗନୀତି ସେମାନଙ୍କୁ ସେପରି କୌଣସି କୁଶଳତା ହାସଲ କରିବାରୁ ଜାଣିଶୁଣି ବଞ୍ଚିତ କରି ରଖିଥିଲା, ସେକଥାର ଅନୁଧ୍ୟାନ କଲେ ଆମକୁ ଏହି ବିଷୟରେ ନିଶ୍ଚୟ ଅନେକ ଅନ୍ତଃଦୃଷ୍ଟି ମିଳିଯାଇପାରିବ ।

 

ଏହି କାରଣରୁ ଇଂଲଣ୍ଡ ମିଶରରୁ ବିଦା ହୋଇଯିବା ପରେ ମଧ୍ୟ ମିଶରର ଆୟଭଣ୍ଡାର ସୁଏଜ କେନାଲ ବ୍ରିଟିଶ ଓ ଫରାସୀ କମ୍ପାନୀଗୁଡ଼ିକ ହାତରେ ରହିଥିଲା । ଠିକ୍‌ ଏହି କାରଣରୁ ଆଫ୍ରିକାର ସୁନାଖଣିଗୁଡ଼ାକ ବିଦେଶୀ କମ୍ପାନୀମାନଙ୍କ ହାତରେ ରହିଛି । ଆଫ୍ରିକାର ଜଙ୍ଗଲ ଶିଳ୍ପ, କାର୍ପାସ ଶିଳ୍ପ ଓ ଏପରିକି ସାଧାରଣ ଉନ୍ନତ କୃଷିକ୍ଷେତ୍ରଗୁଡ଼ାକ ମଧ୍ୟ ବିଦେଶୀ ସତ୍ୱାଧିକାରୀମାନଙ୍କ ହାତରେ ରହିଛି । ଭେନେଜୁଏଲାରେ ତେଲଖଣିଗୁଡ଼ାକ ଏବେଯାଏ ଆମେରିକାର ବ୍ୟବସ୍ଥାପକ ଓ ବିଶେଷଜ୍ଞମାନଙ୍କ ହାତରେ ରହିଥିଲା । ଠିକ୍‌ ଏହି କାରଣରୁ ହିଁ ଆମେରିକାର ଜେନେରାଲ୍‌ ଫୁଡ଼ସ୍‌ ଲାଟିନ୍‌ ଆମେରିକାରେ ଔଦ୍ୟୋଗିକ କୃଷିବ୍ୟାପାରର ସିଂହଭାଗଟିକୁ ଏବେ ମଧ୍ୟ ହାତରେ ରଖିଛି । ଠିକ୍‌ ସେହି କାରଣଟିର ଚକ୍ରାନ୍ତରେ ପଡ଼ି ଶ୍ରୀଲଙ୍କାର ଅସଲ ଉଦ୍ୟୋଗଗୁଡ଼ିକ, ଅର୍ଥାତ୍‌ ତା’ର ସର୍ବମୋଟ ରେଭିନିଉର ତିନିଚଉଠରୁ ଅଧିକ ଅନ୍ୟମାନଙ୍କ ହାତରେ ଥିଲା, ଭାଗ ଲାଗିଥିଲା ଏବଂ ବିଦେଶୀମାନେ ହିଁ ଏସବୁରେ ସର୍ବପ୍ରଧାନ ଭାଗଟିର ଅଧିକାରୀ ହୋଇ ରହିଆସିଥିଲେ ।

 

ଜାତୀୟକରଣ ଆଦୌ ଏକ ସହଜ ପରିବର୍ତ୍ତନ ନୁହେଁ । ବିଦେଶୀମାନେ ବୁଝୁଥିବା ସମୟରେ ସମ୍ପୃକ୍ତ ଉଦ୍ୟୋଗଗୁଡ଼ିକରୁ ଯେତିକି ଲାଭ ହେଇଥିଲା, ଜାତୀୟକରଣ ଦ୍ୱାରା ସଙ୍ଗେ ସଙ୍ଗେ ଯେ ସେତିକି ଲାଭ ହେବ ବା ସେହି ଉଦ୍ୟୋଗଗୁଡ଼ିକ ସେହିପରି ଦକ୍ଷତାର ସହିତ ନିଶ୍ଚୟ ଚାଲିବ, ଏକଥା ମଧ୍ୟ ବାସ୍ତବରେ ନ ଘଟିପାରେ । ଏହିସବୁ ଯୁକ୍ତି ଦେଇ ଆମ ଦେଶ ସମେତ ଅନେକ ଦେଶରେ ଜାତୀୟକରଣକୁ ଏକ ଭ୍ରମାତ୍ମକ ଅର୍ଥନୀତିକ ନୀତି ବୋଲି ଚିତ୍ର କରିବାକୁ ଚେଷ୍ଟା କରାଯାଇଥାଏ । ଯଦି ଅର୍ଥନୀତି ପାଇଁ ମଣିଷ ନହୋଇ ମଣିଷ ପାଇଁ ହିଁ ଅର୍ଥନୀତି ହୋଇଥାଏ, ଯଦି ସୁସ୍ଥ ଅର୍ଥନୀତି କହିଲେ ଯାବତୀୟ ପ୍ରକାରର ପ୍ରତ୍ୟକ୍ଷ ତଥା ପରୋକ୍ଷ ଶୋଷଣର ଅନ୍ତ ହେବାକୁ ହିଁ ବୁଝାଏ, ତେବେ ଜାତୀୟକରଣକୁ ଅନେକ ଦୃଷ୍ଟିରୁ ଏକ ପ୍ରଶସ୍ତତର ପନ୍ଥା ବୋଲି କହିବାକୁ ହେବ । ଜାତୀୟକରଣରେ ଝୁଣ୍ଟିବା ଅନେକ ହେବ, ଅନଭିଜ୍ଞତାରୁ ଅନେକ ପ୍ରମାଦ ସହିବାକୁ ପଡ଼ିବ, ମାତ୍ର ତଥାପି ଏକଥା ସତ୍ୟ ଯେ ଏହାରି ଦ୍ୱାରା ହିଁ ଲୋକଶକ୍ତି ବଢ଼ିବ । ଗୋଟିଏ ଜାତିର ଆର୍ଥିକ ଆତ୍ମବିଶ୍ୱାସ ବଦଳିବ ଓ ତେଣୁ ଲୋକଭାଗ୍ୟ ବଦଳିବ ।
 

ଜାତୀୟକରଣ କେବଳ ଏକ ରାଜନୀତିକ ଚାଲ୍‌ ନୁହେଁ-ପରିପକ୍ୱତା ଓ ପ୍ରଶିକ୍ଷିତତା ଅର୍ଜନ କରିବା ଦିଗରେ ଏହା ହେଉଛି ଏକ ଆବଶ୍ୟକ ପଦକ୍ଷେପ । ଇଂଲଣ୍ଡରେ ଯେ ସରକାର କୋଇଲା ଉଦ୍ୟୋଗର ଜାତୀୟକରଣ କରିଛନ୍ତି, ଏକ ରାଜନୈତିକ ଚାଲ୍‌ ହିସାବରେ ତାହା କଦାପି କରିନାହାନ୍ତି । ତାହା ନ ହୋଇଥିଲେ ଶାସକମାନେ ବଦଳିବା ସଙ୍ଗେ ସଙ୍ଗେ ସେହି ନିଷ୍ପତ୍ତିଟି ମଧ୍ୟ ବଦଳିଯାଇଥାନ୍ତା । ଜାତୀୟକରଣ ଦ୍ୱାରା ଇଂଲଣ୍ଡର ପ୍ରକୃତ ଲାଭ ହେଉଛି ବୋଲି ତାହା ତିଷ୍ଠି ରହିଛି । ଶ୍ରୀଲଙ୍କାରେ କେତୋଟି ଉଦ୍ୟୋଗର କ୍ଷେତ୍ରରେ ଯେଉଁ ଜାତୀୟକରଣର ଘୋଷଣା ହେଲା, ତଦ୍ଦ୍ୱାରା ଶ୍ରୀଲଙ୍କାକୁ ମଧ୍ୟ ଏଥର ନିଃସନ୍ଦେହ ଭାବରେ ନାନା ନୂତନ ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିବ ।

 

ତା ୧୦.୦୪.୧୯୭୬ ରିଖ

Image

 

ପୁନଃମୂଷିକୋପାଖ୍ୟାନମ୍‌

 

ଯୁକ୍ତରାଜ୍ୟ ଆମେରିକା ଓ ତୁରସ୍କ ଭିତରେ ସତ୍ୟ ଯେଉଁ ଦେବାନେବା ରାଜିନାମାଟା ସ୍ୱାକ୍ଷରିତ ହେଲା, ତାହା ଫଳରେ ଆମେରିକାରୁ ତୁରସ୍କକୁ ଶହେ କୋଟି ଡଲାର ସାହାଯ୍ୟ ପୁନାର୍ବାର ମିଳିବ । ସାଇପ୍ରସ୍‌ ଦ୍ୱୀପର ଗଣ୍ଡଗୋଳ ବେଳେ ତୁରସ୍କ ଯେପରି ସେଠାରେ ଆପଣାକୁ ଲିପ୍ତ କରାଇ ପକାଇଥିଲା, ସେଥିରେ ବ୍ୟଥିତ ବା ରୁଷ୍ଟ ହୋଇ ଯୁକ୍ତରାଜ୍ୟ ଆମେରିକାର ସରକାର ତୁରସ୍କକୁ ଯାବତୀୟ ପ୍ରକାରର ସାହାଯ୍ୟ ଦେବା ବନ୍ଦ କରିଦେଇଥିଲେ । ଏହି ଘୋଷଣା ପ୍ରତି ଆପଣାର ଓଲଟା ରୁଷ୍ଟତା ପ୍ରଦର୍ଶନ କରି ତୁରସ୍କର ସରକାର ମଧ୍ୟ ଆମେରିକାର ତୁରସ୍କରେ ରହିଥିବା ସାମରିକ ଘାଟିଗୁଡ଼ାକୁ ଏଥର ଉଠାଇ ଦିଆଯିବ ଓ ସେଠାରେ ବିନିଯୁକ୍ତ ହୋଇ ରହିଥିବା ଆମେରିକାର ସୈନ୍ୟସାମନ୍ତ ଏଣିକି ନିଜ ଦେଶକୁ ବାହୁଡ଼ିଯିବେ ବୋଲି ନିଷ୍ପତ୍ତି ଗ୍ରହଣ କରିସାରିଥିଲେ ।

 

ସାଇପ୍ରସ୍‌ର ମାମଲା ଏବେ ସୁଦ୍ଧା ତୁଟିନାହିଁ । ଅର୍ଥାତ୍‌ ସାଇପ୍ରସ୍‌ରେ ତୁରସ୍କର ହସ୍ତକ୍ଷେପ ଏବେ ସୁଦ୍ଧା ବନ୍ଦ ହୋଇନାହିଁ । ବରଂ ଏକଥା ମଧ୍ୟ କୁହାଯାଇପାରିବ ଯେ ଏହି ହସ୍ତକ୍ଷେପ ପୂର୍ବ ତୁଳନାରେ ଅଧିକ ସକ୍ରିୟ ଭାବରେ ଚାଲିଛି, ଅପେକ୍ଷାକୃତ କମ୍‌ ପରୋକ୍ଷ ଭାବରେ ମଧ୍ୟ ଚାଲିଛି । ସାଇପ୍ରସ୍‌ର ଉତ୍ତର ଖଣ୍ଡରେ ସାଇପ୍ରସ୍‌ର ତୁର୍କୀ ଭାଷାମାନେ ପ୍ରାୟ ଏକ ତୁର୍କୀସ୍ତାନୀ-ସାଇପ୍ରସ୍‌ ଗଠନ କରିସାରିଲେଣି, ସାଇପ୍ରସ୍‌କୁ ଦୁଇଭାଗ କରିବାର ମସୁଧାଗୁଡ଼ିକ ପ୍ରାୟ ପକ୍‌କା ହୋଇ ସାରିଲାଣି ଏବଂ ସେହି ଦ୍ୱୀପରେ ତୁର୍କୀଭାଷୀଙ୍କ ସଂଖ୍ୟା ବଢ଼ାଇବାଲାଗି ତୁରସ୍କରୁ ସାଇପ୍ରସ୍‌କୁ ମଣିଷ ବୁହାଚାଲିଛନ୍ତି । କହିବା ବାହୁଲ୍ୟ ଯେ, ଏହିସବୁ ଅନୀତି ଓ ରାଜନୀତି ପଛରେ ତୁରସ୍କ ସରକାରଙ୍କର ସମର୍ଥନ ରହିଛି, ଆଶୀର୍ବାଦ ରହିଛି, ପ୍ରତ୍ୟକ୍ଷ ହାତ ମଧ୍ୟ ରହିଛି । ତେଣୁ ସାଇପ୍ରସ୍‌ରେ ତୁରସ୍କର ଯେଉଁ ହସ୍ତକ୍ଷେପ ଦ୍ୱାରା ରୁଷ୍ଟ ହୋଇ ଆମେରିକା ତୁରସ୍କକୁ ସକଳ ପ୍ରକାରର ସାହାଯ୍ୟ ବନ୍ଦ କରିଦେଇଥିଲା, ସେହି ହସ୍ତକ୍ଷେପ ପୂର୍ବପରି ବଳବତ୍ତର ରହିଥିଲେ ମଧ୍ୟ ତଥାପି ଆମେରିକା ସରକାର ହଠାତ୍‌ କାହିଁକି କୋହଳ ହୋଇପଡ଼ିଲେ, ପୁଣି ବନ୍ଧୁତା ଯୋଡ଼ିଲେ ଓ ଭାରଥୋର ପଠାଇଲେ, ସେକଥା ବୁଝିବା ବଡ଼ କଷ୍ଟକର ହୋଇପଡ଼ୁଛି ।

 

ତୁରସ୍କ ଦେଶରେ ଆମେରିକା ସରକାରଙ୍କର ସାମାରିକ ଘାଟିଗୁଡ଼ିକ ଦୀର୍ଘ ଅନେକ ବର୍ଷ ହେଲା ରହିଆସିଥିଲା । ଉତ୍ତର ଆଟଲାଣ୍ଟିକ୍‌ ଚୁକ୍ତି ସଙ୍ଗଠନରେ ତୁରସ୍କ ଗୋଟିଏ ସଦସ୍ୟ ହୋଇଥିବାରୁ ସେହି ଚୁକ୍ତିର ବାହୁ-ଆଶ୍ରୟ ଗ୍ରହଣ କରି ଏହି ସୈନ୍ୟ-ମୁତୟନ ହୋଇଥିଲା, ଘାଟି ଓ ଛାଉଣୀଗୁଡ଼ାକର ପ୍ରତିଷ୍ଠା ହୋଇଥିଲା । ଇଉରୋପର କମ୍ୟୁନିଷ୍ଟ ଖଣ୍ଡଟିକୁ ପୂର୍ଣ୍ଣ ସଶସ୍ତ୍ର ଓ ସତର୍କ ଭାବରେ ଚାରିଆଡ଼ୁ ଘେରିକରି ରହିପାରିବା ଲାଗି ନାଟୋ ସଂଗଠନର ବ୍ୟହାବରଣ ତଳେ ଆମେରିକାର ସାମରିକ କୂଟନୀତି ଆପଣାକୁ ଏହିପରି ଭାବରେ କାର୍ଯ୍ୟକାରୀ କରି ରଖିଥିଲା । ବର୍ତ୍ତମାନ ଅନେକ କହୁଛନ୍ତି ଯେ, ସେତେବେଳର ପରିସ୍ଥିତି କ୍ରମେ ଅନେକ ପରିମାଣରେ ବଦଳିଗଲାଣି । ଶତ୍ରୁତା ଓ ସତର୍କତାର ବହଳ ଦୁର୍ବୁଦ୍ଧିଗୁଡ଼ାକ କୁଆଡ଼େ କ୍ରମେ ପାତଳ ହୋଇ ଆସିଲାଣି । ଏହା ମଧ୍ୟରେ ଋଷିଆ ଓ ଆମେରିକା ମିଶି ସାନ ଓ ବଡ଼ କେତେ କେତେ ଚୁକ୍ତି ସ୍ୱାକ୍ଷର କରିସାରିଲେଣି । ଭୟଗୁଡ଼ାକ କୁଆଡ଼େ ଭାଙ୍ଗି ଭାଙ୍ଗି ଗଲାଣି । ମାତ୍ର ତଥାପି ଘାଟିଗୁଡ଼ାକ ଆଗରୁ ଯେମିତି ଥିଲା ସେଗୁଡ଼ାକୁ ସେମିତି ରଖିବାର ଆବଶ୍ୟକତାଗୁଡ଼ାକ କୁଆଡ଼େ ଆଗରୁ ଯେମିତି ଥିଲା ସେମିତି ରହିଛି । ତେଣୁ ତୁରସ୍କ ଯେତେବେଳେ ଆମେରିକାର ଘାଟିଗୁଡ଼ାକୁ ତୁରସ୍କରୁ ଉଠାଇଦେବା ଲାଗି ନିଷ୍ପତ୍ତି ନେଲା, ସେତେବେଳେ ଆମେରିକା ତୁରସ୍କକୁ ସାହାଯ୍ୟ ନ ଦେବାର ତାଙ୍କର ପୂର୍ବ ଘୋଷଣାଟିକୁ ମଧ୍ୟ ବଦଳାଇଦେବାକୁ ବାଧ୍ୟ ହେଲା, ପୁନର୍ବାର ମୂଷିକ ହେଲା । ମାତ୍ର, ତୁରସ୍କ ଲାଗି ଆମେରିକାର ସାହାଯ୍ୟ ବେଶି ଦରକାର ହେଲା ବା ତୁରସ୍କ ଲାଗି ଆମେରିକାର ଛାଉଣୀଗୁଡ଼ାକ ରହିବା ବେଶି ଦରକାର ହେଲା, ସେକଥାର ଭାଗମାପ ବିଚାର କରିବାକୁ ଗଲେ ଆମକୁ ତଥାପି ଆହୁରି କେଡ଼େ କେଡ଼େ ଗଡ଼ିଆରେ ଯାଇ ଜାଲ ପକାଇବାକୁ ହେବ ।

 

ଏସବୁ ଯାହା ହେଲା, ସେଥିରେ ଗ୍ରୀସ୍‌ ସରକାର ଆପଣାର ରୁଷ୍ଟତା ପ୍ରକାଶ କରିଛନ୍ତି, ପ୍ରତିବାଦ ଦରଜ କରାଇଛନ୍ତି । ସବୁଠାରୁ ଅସଲ ମଜା ଓ ଅସଲ ବିଡ଼ମ୍ୱନାର କଥାଟା ହେଇଛି ଯେ, ଉଭୟେ ତୁରସ୍କ ଏବଂ ଗ୍ରୀସ୍‌ ହେଉଛନ୍ତି ନାଟୋ ସାମରିକ ସଂଗଠନର ଜଣେ ଜଣେ ସଦସ୍ୟ । ଦୁଇଟିଯାକ ଭୂଇଁରେ ସେହି ଗୋଟିଏ ସାମାରିକ ନିଷ୍ପତ୍ତି ଅନୁସାରେ ନାଟୋ ନାମରେ ଆମେରିକାର ସୈନ୍ୟଘାଟି ରହିଛି, ଦୁଇଟିଯାକ ଦେଶ ସାଇପ୍ରସ୍‌କୁ ଗଣ୍ଠି କରି ପରସ୍ପରର ଶତ୍ରୁରୂପେ ଅବତୀର୍ଣ୍ଣ ହୋଇଛନ୍ତି, ଆମେରିକାର ଗୁଳିବାରୁଦ ଧରି ଲଢ଼ିବାରେ ଲାଗିଛନ୍ତି । ତୁରସ୍କକୁ ସାହାଯ୍ୟ ବନ୍ଦ କରିଦିଆଗଲାବେଳେ ନିଶ୍ଚୟ ଖୁସି ହୋଇଥିବା ଗ୍ରୀସ୍‌ ବର୍ତ୍ତମାନ ତୁରସ୍କକୁ ପୁଣି ସାହାଯ୍ୟ ଦିଆଯିବାର ଘୋଷଣାରେ ରୁଷ୍ଟ ହେବା ଏକାନ୍ତ ସ୍ୱାଭାବିକ ।

 

ତା ୧୧,୦୪.୧୯୭୬ ରିଖ

Image

 

କେବଳ ଅର୍ଥ-ଉପାର୍ଜନ

 

ଓଡ଼ିଶାର ସ୍ୱାସ୍ଥ୍ୟମନ୍ତ୍ରୀ ଏବେ ଡାକ୍ତରମାନଙ୍କର ଏକ ଗହଣରେ ଭାଷଣ ଦେଇ ସେମାନଙ୍କୁ କହିଛନ୍ତି ଯେ କେବଳ ଅର୍ଥ ଉପାର୍ଜନ ଡାକ୍ତରୀ ଧନ୍ଦାର ଉଦ୍ଦେଶ୍ୟ ହୋଇ ରହିବା ଉଚିତ ନୁହେଁ । କେବଳ ଅର୍ଥର ଉପାର୍ଜନ ଡାକ୍ତରୀ ଧନ୍ଦାର ଅର୍ଥାତ୍‌ ଡାକ୍ତରମାନଙ୍କର ଉଦ୍ଦେଶ୍ୟ ହୋଇ ରହିଲେ ତଦ୍ଦ୍ୱାରା ଜାତୀୟ ବିକାଶ ବାଧାପ୍ରାପ୍ତ ହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ସତର୍କ କରିଦେଇଛନ୍ତି ।

 

ଖାଲି ଡାକ୍ତରୀ ଧନ୍ଦା କାହିଁକି, ସମାଜରେ ସମାଜଲାଗି ଚାଲିଥିବା ଯେକୌଣସି ଧନ୍ଦାର କ୍ଷେତ୍ରରେ ମଧ୍ୟ କେବଳ ଅର୍ଥ ଉପାର୍ଜନ ଉଦ୍ଦେଶ୍ୟ ହୋଇ ରହିବା ଉଚିତ ନୁହେଁ ଏବଂ କେବଳ ଅର୍ଥ ଉପାର୍ଜନ ଯେକୌଣସି ଧନ୍ଦା କ୍ଷେତ୍ରରେ ଉଦ୍ଦେଶ୍ୟ ହୋଇ ରହିଲେ ଜାତୀୟ ବିକାଶ ଅବଶ୍ୟ ବାଧାପ୍ରାପ୍ତ ହେବ । ଏହା କେବଳ ଏକ ଅନୁମାନ ନୁହେଁ, ଏହା ହେଉଛି ଏକ ଅଭିଜ୍ଞତା । ଗତ କୋଡ଼ିଏ ପଚିଶିବର୍ଷ ଭିତରେ ଏହି ଦେଶକୁ ଓ ଏହି ସମାଜକୁ କର୍ମଭୂମି ରୂପେ ବ୍ୟବହାର କରି ଆପଣାର ଜୀବନକୁ ଗଠନ କରିଥିବା ଆମ ପ୍ରତ୍ୟେକଙ୍କର ନିଶ୍ଚୟ ଏହି ଅଭିଜ୍ଞତାଟି ହିଁ ହୋଇଥିବ-। ଏହି ଅଭିଜ୍ଞତାଟିକୁ ସାବ୍ୟସ୍ତ କରିବାରେ ଆମେ ପ୍ରତ୍ୟେକେ ସାନ ବଡ଼ ବିଭିନ୍ନ ଭୂମିକାରେ ଅଭିନୟ କରିଥିବା ଏବଂ ଗତ ପଚିଶିବର୍ଷ ଭିତରେ ଜାତୀୟ ବିକାଶର କ୍ଷେତ୍ରରେ ଆମର ଏଠି ଯେଉଁସବୁ ବିଡ଼ମ୍ୱନା ଘଟିଯାଇଛି, ସେଥିରେ ଆମ ପ୍ରତ୍ୟେକଙ୍କର ନିଶ୍ଚୟ ଏକ ସ୍ୱକୀୟ ଭାଗ ରହିଥିବ ।

 

ଆମ ଦେଶର ନାନାବିଧ ଧନ୍ଦା ଓ କର୍ମସଂସ୍ଥାନର କ୍ଷେତ୍ରରେ କେବଳ ଅର୍ଥ ଉପାର୍ଜନ ହିଁ ଉଦ୍ଦେଶ୍ୟ ହୋଇ ରହିଆସିଛି ଏବଂ ତେଣୁ ତଦ୍ଦ୍ୱାରା ଜାତୀୟ ବିକାଶ ଅତ୍ୟନ୍ତ ଭୟଙ୍କର ଭାବରେ ବାଧାପ୍ରାପ୍ତ ହୋଇଛି । ଆମେ ଡାକ୍ତରୀ ପଢ଼ିଛୁ, ଡାକ୍ତର ବନିଛୁ; ଇଂଜିନିୟରିଙ୍ଗ୍‌ ପଢ଼ିଛୁ, ଇଂଜିନିଅର ବନିଛୁ; ବିଜ୍ଞାନ ପଢ଼ିଛୁ, ବୈଜ୍ଞାନିକ ବନିଛୁ । ଦୃଷ୍ଟାନ୍ତଗୁଡ଼ାକୁ ଆହୁରି ଆଗକୁ ଲମ୍ୱାଇ ବେଶ୍‌ କହିହେବ ଯେ ଆମେ ଓକିଲାତି ପଢ଼ିଛୁ, ଓକିଲ ବନିଛୁ; ମୂଳଧନ ସାଇତିଛୁ, ବ୍ୟବସାୟୀ ବନିଛୁ ଅଥବା ପାଠ ପଢ଼ିଛୁ, ବଡ଼ ଚାକିରିରେ ପଶିଛୁ । ଏବଂ ଅଧିକାଂଶ ସ୍ଥଳରେ ଆମର ବିଦ୍ୟାଗୁଡ଼ାକ ଆଉ କୁଆଡ଼େ ଉଡ଼ିଯାଇଛି, ଆମର ଉପାର୍ଜିତ ଯୋଗ୍ୟତା ଏବଂ ବିଶେଷଜ୍ଞତାଗୁଡ଼ାକ ତୁଚ୍ଛା ଏକ ନିର୍ମମ ଅତିଚତୁର ଶାଠରେ ପରିଣତ ହୋଇ ଆମକୁ କେବଳ ଅର୍ଥ ଉପାର୍ଜନର ଆପଣା ଗହ୍ୱରଟି ମଧ୍ୟରେ ପ୍ରବିଷ୍ଟ କରାଇ ଦେଇଛି, ତାହାରି ଭିତରେ ହିଁ ଆମକୁ ତତ୍ପର ଏବଂ ତଲ୍ଲୀନ କରି ରଖିଦେଇଛି । ଆମର ବାପମାଆ ଓ ଆତ୍ମୀୟସ୍ୱଜନ ଏହିଟିକୁ ହିଁ ଆମର ଅସଲ ଓ ଏକମାତ୍ର ସଫଳତା ବୋଲି ସ୍ୱୀକୃତି ଦେଇଛନ୍ତି । ରତ୍ନାକରର ପରିବାର ରତ୍ନାକରକୁ ହେମତ୍‌ ଦେଇ ରଖିଛି ।

 

ଫଳରେ ଆମେ ସମସ୍ତେ ଟଙ୍କାରେ ମୋଟା ହୋଇଛୁ, ଟଙ୍କାରେ କୋଠା କରିଛୁ, ଟଙ୍କା ଦ୍ୱାରା ହିଁ ସୁନାରୂପା ଏକାଠି କରିଛୁ । ଏହାରି ଫଳରେ ଆମ ଦେଶରେ ଡାକ୍ତରମାନଙ୍କ ସଂଖ୍ୟା ଓ ଡାକ୍ତରୀବିଦ୍ୟାର ପ୍ରସାର ବହୁଗୁଣିତ ହେବା ସଙ୍ଗେ ସଙ୍ଗେ ଆମର ଡାକ୍ତରଖାନା ଗୁଡ଼ାକ ସତେଅବା କୋଉ ମାଲଗୁଜାରି ସିରସ୍ତା ପରି ହୋଇ ରହିଛି । ଇଞ୍ଜିନିୟରମାନଙ୍କର ସଂଖ୍ୟା ଏବଂ ଇଞ୍ଜିନିୟରିଂ କଲେଜରେ ଆମର କୃତିତ୍ୱମାନ ବୃଦ୍ଧି ପାଇବା ସତ୍ତ୍ୱେ ଆମ ଦେଶରେ ରାସ୍ତାଗୁଡ଼ାକ ଅଣ୍ଟାଭଙ୍ଗା ହୋଇ ପଡ଼ିଛନ୍ତି, ପୋଲଗୁଡ଼ାକ ଦଦରା ହୋଇ ପଡ଼ିଛନ୍ତି ଓ ମୂଳଦୁଆଗୁଡ଼ାକ ନିପଟ କଞ୍ଚା ହୋଇ ରହିଛନ୍ତି ଏବଂ ଇଞ୍ଜିନିୟରମାନେ ଲକ୍ଷ୍ମୀମନ୍ତ ହୋଇ ରହିଛନ୍ତି । ଦେଶରେ ଓକିଲଙ୍କ ସଂଖ୍ୟା ବଢ଼ିଛି, ମାତ୍ର ନ୍ୟାୟଗୁଡ଼ାକ ସତେଅବା ଗୋଟିଏ ପାଖକୁ ଆଉଜି ପଡ଼ି ରହିଯାଇଛନ୍ତି । ଆମର ବୈଜ୍ଞାନିକମାନେ ଖାଲି ଏହି ଦେଶରେ ନୁହେଁ, ବିଦେଶରେ ମଧ୍ୟ ଖ୍ୟାତି କମାଇଛନ୍ତି, ମେଡ଼ାଲ ପାଇଛନ୍ତି; ମାତ୍ର ଯେଉଁ ବିଜ୍ଞାନ ଏଠି ଆଧୁନିକ ଜୀବନର ରନ୍ଧନଶାଳାରେ ଲୁଣ ପରି ହୋଇ ରହିଥାନ୍ତା, ତାହା ବଡ଼ ବଡ଼ ସହରରେ ବଡ଼ ବଡ଼ କୋଠାଘରେ ବଡ଼ ବଡ଼ ଚଉକୀରେ ସୁମୂଲ୍ୟ ଓ ସୁଦୃଶ୍ୟ ପାଟକନା ପରି ଗୁଡ଼ାଇ ହୋଇ ରହିଛି । ଦେଶଟାଯାକ ସତେଅବା ବିଜ୍ଞାନପରିତ୍ୟକ୍ତ ହୋଇ ରହିଛି । ଅର୍ଥ ଉପାର୍ଜନ ହିଁ ଘୋଡ଼ା ଛୁଟାଇ ଧୂଳି ଉଡ଼ାଇ ଆଖିକୁ ଝଲସାଇ ଦେଇଛି ।

 

ସ୍ୱାଧୀନତା ସଂଗ୍ରାମରେ ଆମ ଦେଶରେ ଡାକ୍ତରମାନେ ଯୋଗ ଦେଇଥିଲେ, ଇଞ୍ଜିନିୟରମାନେ ଯୋଗ ଦେଇଥିଲେ, ଓକିଲମାନେ ଯୋଗ ଦେଇଥିଲେ, ବୈଜ୍ଞାନିକମାନେ ବି ସହଯୋଗ କରିବାକୁ ଆସିଥିଲେ । ଅର୍ଥ ଉପାର୍ଜନର ନାନା ନିଶ୍ଚିତ ପନ୍ଥା ଛାଡ଼ି ଏକ ଅନ୍ୟ ଆଗ୍ରହ ଓ ଆକାଂକ୍ଷାକୁ ବରଣ କରିନେଇ ସେମାନେ ଏକ ନୂତନ ପ୍ରଭାତର ପ୍ରତୀକ୍ଷା କରୁଥିବା ରାତ୍ରିର ଶିବିରରେ ଏକତ୍ର ସମ୍ମିଳିତ ହୋଇଥିଲେ । ସେମାନେ ଆଜି ଗଲେ କୁଆଡ଼େ ? ଆମ ଦେଶରେ ଯେଉଁ ଆତ୍ମାଟି ଶୋଇଛି, ଆମେ ତାହାରି ଭିତରୁ ହିଁ ସେମାନଙ୍କୁ ପୁଣି ଜାଗୃତ କରି ଆଣିପାରିବା । ପୁରୁଷାର୍ଥ ଜାଗୃତ ହୋଇ ଆସିଲେ କେବଳ ଅର୍ଥ ଉପାର୍ଜନର ସବୁଯାକ ଅଣଉଦ୍ଦେଶ୍ୟ କୁଆଡ଼େ ଛାଡ଼ି ପଳାଇଯିବ ।

 

ତା ୧୬.୦୪.୧୯୭୬ ରିଖ

Image

 

ବୀରଭୋଗ୍ୟା ବସୁନ୍ଧରା ?

 

ବିଗତ କେତେବର୍ଷ ଧରି କେତେକ ରାଷ୍ଟ୍ରଶାସନ କ୍ଷେତ୍ରରେ ଏକ ନିର୍ଦ୍ଦିଷ୍ଟ ଶ୍ରେଣୀର ନାଟକୀୟ ପରିବର୍ତ୍ତନମାନ ଘଟିବାରେ ଲାଗିଛି । ଏପରିକି ସେସବୁ କ୍ଷେତ୍ରରେ ନିର୍ବାଚନର ଆବଶ୍ୟକତା ବି ଉପଲବ୍‌ଧି କରାଯାଉନାହିଁ । ଏପରି ଆକସ୍ମିକଭାବେ ଏହି ଘଟଣାମାନ ଘଟିଯାଉଛି ଯେ ଗୋଟିଏ ଦିନର ଗୋଟିଏ ମାତ୍ର ମୁହୂର୍ତ୍ତ ଭିତରେ ଏକ ବିସ୍ଫୋରଣ ଘଟିଗଲାଭଳି ମନେ ହେଉଛି । ଏହି ପରିବର୍ତ୍ତନର ମୁଖ୍ୟ ନାୟକ କେଉଁଠି ସାମରିକ ବାହିନୀର ସେନାଧ୍ୟକ୍ଷ ତ ଅନ୍ୟ କେଉଁଠି ଏକ ବିଦ୍ରୋହୀ ସୈନ୍ୟଗୋଷ୍ଠୀର ନେତା, ଜଣେ ଛୋଟକାଟର ସେନାପତି । ଏମାନେ ପ୍ରତିଷ୍ଠିତ ସରକାରଙ୍କୁ ଗାଦିରୁ ହଟାଇ ନିଜହାତରେ ଶାସନ-ଚାବୁକ ଧରି ବସୁଛନ୍ତି । ଗାଦିଚ୍ୟୁତ ଶାସନମୁଖ୍ୟ ଓ ସେମାନଙ୍କ ଅନୁଚରମାନଙ୍କ ହାତରେ ବେଡ଼ି ପଡ଼ୁଛି । ଦୁର୍ନୀତି, ଅନ୍ତର୍ଘାତୀ କାର୍ଯ୍ୟ ଏବଂ ନାନା ପ୍ରକାର ଅଭିଯୋଗରେ ସ୍ୱତନ୍ତ୍ର ଅଦାଲତ ବା ସାମରିକ, ଅଦାଲତରେ ସେମାନଙ୍କର ବିଚାର ହେଉଛି । ହୁଏତ କାହାକୁ ଫାଶୀ ହେଉଛି, ଅନ୍ୟ କାହାକୁ ଯାବଜ୍ଜୀବନ କାରାଦଣ୍ଡ ଭୋଗ କରିବାକୁ ପଡ଼ୁଛି ।

 

ଆଖିପିଛୁଳାକେ ଘଟିଯାଉଥିବା ଏହି ବିସ୍ଫୋରଣକୁ ଗୋଟିଏ କଥାରେ ବିଦ୍ରୋହ ବା ସାମରିକ ବିଦ୍ରୋହ କୁହାଯାଉଛି । ଗାଦିନସୀନ ବିଦ୍ରୋହୀ ନେତାମାନଙ୍କର ଅଭିଯୋଗ ଯେ ଗାଦିଚ୍ୟୁତ ସରକାର ସଂପୂର୍ଣ୍ଣ ଦୁର୍ନୀତିଗ୍ରସ୍ତ ଏବଂ ଅପାରଗ ।

 

ପ୍ରକାରାନ୍ତରେ କହିଲେ, ସେମାନେ ନିଜ ପାରିବାରପଣିଆ ଜାହିର କରି ଦୈହିକ ବଳ ପ୍ରୟୋଗ ପୂର୍ବକ ଶାସନ କ୍ଷମତା ହାତକୁ ନେବାକୁ ବାହାନ୍ତି । ସତେ ଯେମିତି ବସୁନ୍ଧରାଟି ବୀରଭୋଗ୍ୟା ବୋଲି ପୁରାଣ ଶାସ୍ତ୍ରରେ ଯାହା ଉଲ୍ଲେଖ କରାଯାଇଛି ସେମାନେ ତାହା ପ୍ରମାଣ କରିଦେବାକୁ ଚାହାନ୍ତି । ଶାସନ କ୍ଷମତା ପାଇଁ ସେମାନଙ୍କ ବ୍ୟକ୍ତିଗତ ଉଗ୍ର ଆକାଙ୍‌କ୍ଷାକୁ କେନ୍ଦ୍ର କରି ଦେଶ ଓ ଜାତିର ଭାଗ୍ୟରେ ବହୁ ଉଲ୍ଲେଖନୀୟ ଓଲଟପାଲଟ ଘଟିଯାଉଛି । ଏହି ବୀରମାନଙ୍କ ବ୍ୟକ୍ତିଗତ ଭୋଗଦଖଲର ଅଭିଳାଷକୁ କେନ୍ଦ୍ରକରି ଯେଉଁସବୁ ରୋମାଞ୍ଚକର କାହାଣୀମାନ ସୃଷ୍ଟି ହେଉଛି, ତାହାହିଁ ସଂପୃକ୍ତ ଜାତି ଏବଂ ଏ ପୃଥିବୀର ଇତିହାସଭାବେ ଲେଖା ହୋଇ ରହୁଛି ।

 

ଦକ୍ଷିଣ ଆମେରିକାର ସବା ଦକ୍ଷିଣକୁ ଏଡ଼େବଡ଼ ଦେଶ ଆର୍ଜେଣ୍ଟିନା, ସେଠି ଏକାଧିପତି ପେରନ୍‌ଙ୍କ ଅନ୍ତେ ତାଙ୍କର ଧର୍ମପତ୍ନୀ ଏଷ୍ଟେଲା ପେରନ୍‌ ରାଜ୍ୟର ଏକାଧିକର୍ତ୍ତ୍ରୀ ହୋଇ ଏତେଦିନ ଗାଦୀରେ ରହିଥିଲେ । ଏବେ ସେଠାରେ ଦୀର୍ଘ ସାନସାନ କୁଚକାୱାଜ ପରେ ଶାସନମଞ୍ଚ ବଦଳିଗଲା । ଶ୍ରୀମତୀ ପେରନ୍‌ ବନ୍ଦୀଶାଳାକୁ ଗଲେ ଏବଂ ତାଙ୍କ ସ୍ଥାନରେ ଆର୍ଜେଣ୍ଟିନା ପଦାତିକ ବାହିନୀର ମୂଖ୍ୟ ଜଣେ ସୈନ୍ୟସର୍ବାଧ୍ୟକ୍ଷ ରାଷ୍ଟ୍ରପତି ପଦରେ ଅଭିଷିକ୍ତ ହେଲେ । ଏହି ପରିବର୍ତ୍ତନଟି ଘଟିବାର ଅବ୍ୟବହିତ ପରେ ହିଁ ସେହି ଦେଶର ରାଜଧାନୀରୁ ରେଡ଼ିଓ ଘୋଷଣା କରି କହିଲା ଯେ, ଦେଶର ଅବସ୍ଥା ସ୍ୱାଭାବିକ ଅଛି, ସବୁଠି ସବୁ ଶାନ୍ତ ରହିଛି ।

 

ଗତ କୋଡ଼ିଏ ବର୍ଷ ଭିତରେ ଏହି ଅଭିନୟଟିକୁ ଗଣି ଗଣି ହୁଏତ ପୃଥିବୀର ସପ୍ତତିତମ ବା ଅଶୀତିତମ ଅଭିନୟ ବୋଲି କୁହାଯାଇପାରିବ । ଆଫ୍ରିକାରେ ପ୍ରାୟ ଶହେରୁ ପଚସ୍ତରୀ ଭାଗ ଦେଶରେ ବିପ୍ଳବ ନାଆଁରେ, ପ୍ରଗତିବାଦ ନାଆଁରେ, ଆଫ୍ରିକୀୟ ଆଦର୍ଶ ଓ ଆଫ୍ରିକୀୟ ବ୍ୟକ୍ତିତ୍ୱର ପ୍ରତିଷ୍ଠା ନାଆଁରେ ଏହି ଅଭିନୟଗୁଡ଼ାକର ପୁନରାବୃତ୍ତି ହେବାରେ ଲାଗିଛି । ଏଥିଓପିଆରେ ଆଗରୁ ରାଜା ଥିଲେ, ରାଜା ଗଲେ ଏବଂ ତାଙ୍କ ଜାଗାରେ ସୈନ୍ୟବାହିନୀର ମୁଖ୍ୟମାନେ ରାଜଗାଦୀଗୁଡ଼ାକର ଚାରିପାଖରେ ଆସି ରୁଣ୍ଡ ହୋଇଗଲେ । ଏବେ ଯେଉଁସବୁ ନବସ୍ୱାଧୀନ ରାଜ୍ୟକୁ ମିଶାଇ ମଧ୍ୟ-ଆଫ୍ରିକା ବୋଲି କୁହାଯାଉଛି, ସେଠାରେ ପ୍ରତ୍ୟେକ ଦେଶରେ ରାଷ୍ଟ୍ରମୁଖ୍ୟ ନାଆଁରେ ଜଣେ ଜଣେ ସେନାଧ୍ୟକ୍ଷ ହିଁ ଅବସ୍ଥାପିତ ହୋଇ ରହିଛନ୍ତି । ପଶ୍ଚିମ ଆଫ୍ରିକାର ପରିସ୍ଥିତି ମଧ୍ୟ କୌଣସି ଗୁଣରେ ଆଦୌ ଭିନ୍ନ ନୁହେଁ । ଘାନା, ନାଇଜିରିଆ ପ୍ରଭୃତିରେ ତ ଏହି ଅଭିନୟ ଦେଖି ଦେଖି ବିଚାରା ଲୋକମାନଙ୍କୁ ଚିଟା ଲାଗିବଣି । ଉତ୍ତର ଆଫ୍ରିକାର ଲିବିୟା ଓ ଆଲ୍‌ଜିରିଆରେ ପ୍ରଚଣ୍ଡ ସେନାଧ୍ୟକ୍ଷମାନେ ହିଁ ଶାସନ କରୁଛନ୍ତି, ଦେଶକୁ ସାବାଡ଼ କରି ଗଢ଼ୁଛନ୍ତି । ସୁଦାନ ଦେଶରେ ଇଏ ତାକୁ ତଡ଼ିବା ଓ ସିଏ ୟାକୁ ତଡ଼ିବାର ଅଭିନୟ କେତେଥର ସମାହିତ ହୋଇଗଲାଣି । ସବୁଥର ସୈନ୍ୟ-ମୁଖ୍ୟମାନେ ହିଁ ଏହିସବୁ ଉତ୍ସବର କର୍ତ୍ତା ଓ ଭର୍ତ୍ତା ହୋଇ ଅଭିନୟ କରିଛନ୍ତି ।

 

ଲାଟିନ୍‌ ଆମେରିକା ଗୋଟାସୁଦ୍ଧା ସେହି ବୀରମାନଙ୍କର ଅଧୀନରେ । ସେଠାରେ ସବୁଠାରୁ ବଡ଼ ବିଡ଼ମ୍ୱନାର ବିଷୟ ଏହି ଯେ ପଶ୍ଚିମ ଗୋଲାର୍ଦ୍ଧ ଅର୍ଥାତ୍‌ ତଥାକଥିତ ନୂତନ ପୃଥିବୀର ସବୁଠାରୁ ବଡ଼ ଗଣତନ୍ତ୍ର ପଇସା, ପ୍ରଚାର ଓ ପୋଲିସ ଶକ୍ତି ଖର୍ଚ୍ଚ କରି ସେହିସବୁ ବୀରଶାସନ ଅର୍ଥାତ୍‌ ଏକାଧିପତ୍ୟକୁ ସେସବୁ ଦେଶମାନଙ୍କରେ ପ୍ରାୟ ଅମର କରି ରଖିବାକୁ ଚେଷ୍ଟା କରୁଛି । ଏସିଆରେ କାମ୍ୱୋଡ଼ିଆକୁ ସୈନ୍ୟମାନେ ଜାବୁଡ଼ି ଧରିଛନ୍ତି, ଇଣ୍ଡୋନେସିଆର ସୁନ୍ଦର ଦ୍ୱୀପଗୁଡ଼ିକ ସୈନ୍ୟ-ଶାସକମାନଙ୍କ ଭୋଗ ଲାଗି ପ୍ରାୟ ନିରାପଦ ଭାବରେ ମହଜୁଦ ହୋଇ ରହିଛି-

 

ବୀରମାନେ ଆହୁରି ବୀର ବନୁଛନ୍ତି, ଆଧୁନିକ ଅସ୍ତ୍ରଶସ୍ତ୍ର, ଆଧୁନିକ ଆନ୍ତର୍ଜାତିକ ରାଜନୀତି ଓ ଆଧୁନିକ ରକ୍ଷାନୀତିଗୁଡ଼ାକ ଯେପରି ସବୁଠାରେ ଏହିମାନଙ୍କୁ ହିଁ ସେହିପରି ବନାଇ ରଖିବା ଲାଗି ଉତ୍ତେଜକ ଓ ଉତ୍‌ପ୍ରେରକ ପରି କାର୍ଯ୍ୟ କରୁଛନ୍ତି । ଜନଭାଗ୍ୟ ହାଟରେ ଗଡ଼ୁଛି । ଜାତି, ଦେଶ, ସଂସ୍କୃତି, ଐତିହ୍ୟ ଓ ଇତିହାସ ସବୁକିଛି ବନ୍ଧୁକଧାରୀମାନଙ୍କର ଆଦେଶରେ କୁଆଡ଼େ ଉଡ଼ାଇ ଦିଆଯାଉଛି । ଲୋକମାନଙ୍କ ଲାଗି ଲୋକଶାସନ ଯେ ସବୁଠାରୁ ଅଧିକ ପ୍ରଶସ୍ତ ଓ ଅଧିକ ଶୁଭକାରୀ, ଏହି କଥାଟିକୁ ସବୁଠାରୁ ବଡ଼ ସତ୍ୟବୋଲି ସେମାନେ ଉପଲବ୍‌ଧି କରୁନାହାନ୍ତି । ପୃଥିବୀ ବିଷୟରେ ପ୍ରତ୍ୟେକ ଆଶାବାଦୀ ଏ ବିଷୟରେ ନିଶ୍ଚୟ ବିଚାର କରିବାକୁ ଇଚ୍ଛା କରିବ ।

 

ତା ୧୮.୦୪.୧୯୭୬ ରିଖ

Image

 

ଏକଚାଟିଆ ଅଧିକାର

 

ଏବେ ପେରୁର ରାଜଧାନୀ ଲିମାଠାରେ ମିଳିତ ଜାତିସଂଘ ସାମାଜିକ ତଥା ଅର୍ଥନୈତିକ କାଉନ୍‌ସିଲ୍‌ର ଏକ ବିଶେଷ କମିଶନର ବୈଠକ ବସିଥିଲା । ବର୍ତ୍ତମାନ ପୃଥିବୀର ଅର୍ଥନୈତିକ କାରବାର ଏବଂ ବ୍ୟାପାରର କ୍ଷେତ୍ରରେ ବଡ଼ ବଡ଼ କେତୋଟି ଜାତିର ମୂଳଧନକୁ ଏକାଠି କରାଯାଇ ଗଢ଼ାଯାଇଥିବା କମ୍ପାନୀମାନେ ଯେପରି ନିରଙ୍କୁଶ ସ୍ଥିତି ହାସଲ କରି ପୃଥିବୀର ଅର୍ଥନୈତିକ ପ୍ରଗତିକୁ ବାଟ ଉଗାଳି ରଖିଛନ୍ତି, ବୈଠକରେ ସେହି ବିଷୟଟି ଉପରେ ଆଲୋଚନା କରାଯାଇଥିଲା । ପୃଥିବୀରେ ଯେଉଁସବୁ ଦେଶର ବିଶେଷ ପରିସ୍ଥିତିଗୁଡ଼ିକୁ ଏକାଠି ଗୋଟିଏ ସମଗ୍ର ନାମ ଦେଇ ତୃତୀୟ ପୃଥିବୀ ବୋଲି କୁହାଯାଇଛି, ପୃଥିବୀରେ ଚାଲିଆସିଥିବା ଏକଚାଟିଆ ଅର୍ଥନୈତିକ ପ୍ରତିପତ୍ତି ଓ ସ୍ୱାର୍ଥଗୁଡ଼ିକର ସେହି ପୃଥିବୀ ଉପରେ ଯେଉଁ ଘାତକ ପ୍ରଭାବମାନ ପଡ଼ୁଛି, ତାହା ଉପରେ ଗଭୀର ଚିନ୍ତା ବ୍ୟକ୍ତ କରାଯାଇଥିଲା ।

 

ଅର୍ଥନୀତିର କ୍ଷେତ୍ରରେ ଏକଚାଟିଆ ପ୍ରତିପତ୍ତିଗୁଡ଼ାକୁ ଜାହିର କରି ରଖିବା ହେଉଛି ସାମ୍ରାଜ୍ୟବାଦ ଓ ଉପନିବେଶ ସ୍ଥାପନ କାଳର ଏକ ଦୁଃଖପୂର୍ଣ୍ଣ କାହାଣୀ । ବର୍ତ୍ତମାନ ଚିହ୍ନା ସାମ୍ରାଜ୍ୟବାଦର ବିଲୁପ୍ତ ହୋଇସାରିଲାଣି । ଉପନିବେଶଗୁଡ଼ିକ ସ୍ୱାଧୀନ ହେଲେଣି । ମାତ୍ର ସେମାନେ ରାଜନୀତିକ ସ୍ୱାଧୀନତା ହାସଲ କରିଥିଲେ ମଧ୍ୟ ପୁରୁଣା ବିଶ୍ୱର ନାନା ଅର୍ଥନୈତିକ ଏକଚାଟିଆ ଜାଳ ଦ୍ୱାରା ସେମାନଙ୍କର ଗୋଡ଼କୁ ଏବେ ମଧ୍ୟ ବାନ୍ଧିକରି ରଖି ଦିଆଯାଇଛି । ଆଗକୁ ଯେଉଁମାନେ ଉପନିବେଶ ଥିଲେ, ଏବେ ସେହିମାନଙ୍କୁ ହିଁ ତୃତୀୟ ପୃଥିବୀ ବୋଲି କୁହାଯାଉଛି, ସେଇମାନଙ୍କୁ ବିକାଶଶୀଳ ରାଷ୍ଟ୍ରବୋଲି କୁହାଯାଉଛି । ଆଗରୁ ଏମାନଙ୍କର ଯାବତୀୟ ଅର୍ଥନୀତିକୁ ସାମ୍ରାଜ୍ୟଶକ୍ତିର ମୂଳସ୍ୱାର୍ଥଟି ସହିତ ଗୁନ୍ଥିକରି ରଖାଯାଇଥିଲା । ସେହି ପୂର୍ବଶାପରୁ ମୁକ୍ତହୋଇ ବିକାଶଶୀଳ ରାଷ୍ଟ୍ରମାନେ ନିଜ ଗୋଡ଼ରେ ନିଜେ ଠିଆହେବାକୁ ପ୍ରାଣପଣେ ଚେଷ୍ଟା କରୁଛନ୍ତି, ଆପଣାର ଅର୍ଥନୈତିକ ମୂଳଗୁଡ଼ିକୁ ଦୃଢ଼ କରିବା ଲାଗି ଚେଷ୍ଟା କରୁଛନ୍ତି । କିନ୍ତୁ ପୂର୍ବରୁ ଏହି ସଂସାରଟାକୁ ପ୍ରଭାବର ଏକ ପ୍ରଶସ୍ତ ଓ ନିରକ୍ଷ କ୍ଷେତ୍ର ବୋଲି ବିଚାରି ଆସିଥିବା ଏକଚାଟିଆ ନ୍ୟସ୍ତସ୍ୱାର୍ଥଗୁଡ଼ିକ ନାନାବିଧ କୌଶଳରେ ସେହି ଚେଷ୍ଟାରେ ପୂର୍ବର ନାନା କୁବ୍ୟବସ୍ଥାର ଦ୍ୱାହିଦେଇ ବ୍ୟାଘାତ ସୃଷ୍ଟି କରିବାରେ ଲାଗିଛନ୍ତି । ପୁରାତନ ନିର୍ଭରଶୀଳତା ଓ ଅସହାୟତାଗୁଡ଼ାକୁ ସେମାନେ ସତେଅବା ଚିରସ୍ଥାୟୀ କରି ରଖିବାକୁ ଇଚ୍ଛା କରୁଛନ୍ତି ।

 

ବିକାଶଶୀଳ ଦେଶଗୁଡ଼ିକରେ କୋଟି ଓ ନିୟୁତ ସଂଖ୍ୟାରେ ସେହିମାନଙ୍କର ପୁଞ୍ଜି ଖଟାଯାଉଛି ଓ ପୃଥିବୀର ଅର୍ଥନୈତିକ ଭବିଷ୍ୟତକୁ ବିପନ୍ନ କରି ରଖାଯାଉଛି, ସାମ୍ରାଜ୍ୟବାଦୀ ଯୁଗ ପରି ଆଦିମ ଓ ଅମାନୁଷିକ କରି ରଖାଯାଉଛି । ଏସିଆ, ଆଫ୍ରିକା ଏବଂ ଲାଟିନ୍‌ ଆମେରିକାରେ ଏକଚାଟିଆ ବ୍ୟାପାର କରୁଥିବା ଅତିକାୟ କମ୍ପାନୀଗୁଡ଼ିକ ବିଭିନ୍ନ ଦେଶରେ ରହିଥିବା କୃଷିକ୍ଷେତ୍ର, ଧାତୁଭଣ୍ଡାର, ତୈଳଶୋଧନ ଏବଂ ବଜାରର ମାଲିକ ହୋଇ ରହିଛନ୍ତି । ପୃଥିବୀରେ କଞ୍ଚାମାଲ କାରବାରର ମୋଟ ପରମାଣର ଅଧେ ଏହିମାନଙ୍କର ହାତରେ ରହିଛି ଓ ଆପଣା ରପ୍ତାନୀ ବାଣିଜ୍ୟର ପାଞ୍ଚଭାଗରୁ ଚାରିଭାଗ ଅଂଶ ଲାଗି ବିକାଶଶୀଳ ଦେଶମାନେ ସେହି ଏକଚାଟିଆ ଭୋଗ କରୁଥିବା କମ୍ପାନୀଗୁଡ଼ିକ ଉପରେ ନିର୍ଭର କରୁଛନ୍ତି ।

 

ଗୋଟିଏ ହିସାବରୁ ଜାଣିବାକୁ ମିଳୁଛି ଯେ, କେବଳ ୧୯୬୬-୭୦ ଭିତରେ ହିଁ ଏହି ବିଦେଶୀ ବଡ଼ କମ୍ପାନୀମାନେ ବିଭିନ୍ନ ବିକାଶଶୀଳ ଦେଶମାନଙ୍କଠାରୁ ଲାଭ ଆକାରରେ ପ୍ରାୟ ୧୫୦ କୋଟି ପାଉଣ୍ଡ ଉପାର୍ଜନ କରିପାରିଥିଲେ । ଏହି କମ୍ପାନୀମାନଙ୍କର କ୍ଷମତା ଏତେଦୂର ଅଧିକ ହୋଇ ରହିଛି ଯେ ସେମାନେ ବିକାଶଶୀଳ ଦେଶଗୁଡ଼ିକରୁ କିଣୁଥିବା କଞ୍ଚାମାଲର ମୂଲ୍ୟ ସ୍ୱୟଂ ନିର୍ଦ୍ଧାରଣ କରୁଛନ୍ତି । କହିବା ବାହୁଲ୍ୟ ଯେ ସେମାନେ ଏହିସବୁ କଞ୍ଚାମାଲକୁ ଯଥାସମ୍ଭବ କମ୍‌ ଦାମ୍‌ ଦେଇ କିଣୁଛନ୍ତି ଓ ସେଥିରୁ ଉତ୍ପାଦିତ ଦ୍ରବ୍ୟଗୁଡ଼ିକୁ ଯଥାସମ୍ଭବ ଅଧିକ ଦାମ୍‌ରେ ବିକ୍ରୀ କରୁଛନ୍ତି । ଉଦାହରଣ ସ୍ୱରୂପ, ବିଦେଶୀ ଏକଚାଟିଆ କମ୍ପାନୀମାନଙ୍କର ସ୍ୱାମିତ୍ୱରେ ଲାଟିନ୍‌ ଆମେରିକାରେ ଯେଉଁ କଦଳୀ ଚାଷ ହେଉଛି, ତାହା ଫଳରେ କଦଳୀ ଚାଷ କରୁଥିବା ପ୍ରକୃତ ଉତ୍ପାଦନକାରୀମାନେ ପାଶ୍ଚାତ୍ୟର ବଜାରରୁ ବିକ୍ରୀଲବ୍‌ଧ କଦଳୀମୂଲ୍ୟର ମୋଟେ ଏକ ଦଶମାଂଶ ହିଁ ପାଇପାରୁଛନ୍ତି । ବାକି କମ୍ପାନୀମାନଙ୍କ ହାତକୁ ଯାଉଛି । ସାମ୍ରାଜ୍ୟବାଦର ଅମଳରେ ପୃଥିବୀରେ ଯାହାସବୁ ଘଟୁଥିଲା, ବର୍ତ୍ତମାନ ରାଜନୀତିକ ସ୍ୱାଧୀନତା ମିଳିଥିଲେ ମଧ୍ୟ ପୂର୍ବତନ ଉପନିବେଶ ଗୁଡ଼ିକରେ ଅର୍ଥାତ୍‌ ବର୍ତ୍ତମାନର ବିକାଶଶୀଳ ରାଷ୍ଟ୍ରଗୁଡ଼ିକରେ ସେହିଗୁଡ଼ିକର ହିଁ ଅଭିନୟ ଚାଲିଛି । ପୁରାତନ ଶୋଷଣଗୁଡ଼ାକ ବଳବତ୍ତର ରହିଛି ।

 

ଅର୍ଥନୈତିକ କ୍ଷେତ୍ରରେ ପ୍ରଗତିକାମୀ ମଣିଷ ଏକ ସହଯୋଗ-ଯୁଗର ସ୍ୱପ୍ନ ଦେଖୁଥିଲା ବେଳେ ପୃଥିବୀରେ ଯେ ସେହି ପୁରୁଣା ଏକଚାଟିଆ କାରବାରଗୁଡ଼ାକ ତଥାପି ବଳବତ୍ତର ରହିଛି, ତାହାକୁ ମଧ୍ୟ ଆମ ପୃଥିବୀର ଏକ ଅସମର୍ଥକାରୀ ବିଡ଼ମ୍ୱନା ବୋଲି ହିଁ କହିବାକୁ ହେବ ।

 

ତା ୧୯.୦୪.୧୯୭୬ ରିଖ

Image

 

ନିରକ୍ଷର ଦେଶର ଭାଗ୍ୟ

 

ନିରକ୍ଷରତାକୁ ଏକ ଜାତୀୟ ସମସ୍ୟା ବୋଲି ଗ୍ରହଣ କରି ତାହାର ଦୂରୀକରଣ ଦିଗରେ ନିର୍ଦ୍ଦିଷ୍ଟ ଏବଂ ସୁକଳ୍ପିତ ପଦକ୍ଷେପମାନ ଗ୍ରହଣ କରିବା ଲାଗି ଅଳ୍ପଦିନ ତଳେ ରାଷ୍ଟ୍ରପତି ଫକ୍‌ରୁଦ୍ଦିନ ଅଲି ଅହମ୍ମଦ ଆମ ସମସ୍ତଙ୍କୁ ସତର୍କ କରିଦେଇଛନ୍ତି । ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଏକ ସମାରୋହରେ ଭାଷଣ ଦେଇ ସେ ଏହି ବିଷୟଟି ପ୍ରତି ଆମର ଦୃଷ୍ଟି ଆକର୍ଷଣ କରିଛନ୍ତି ।

ଭାରତବର୍ଷରେ ନିରକ୍ଷରତା ଏକ ପୁରାତନ ସମସ୍ୟା । ସମ୍ଭବତଃ ସେଇଥି ସକାଶେ କ୍ରମେ ତାହା ଦେହସୁହା ହୋଇଯାଇଛି ଏବଂ ତେଣୁ ପ୍ରଧାନତଃ ଆମ ଲାଗି ଏହା ପୋଥି ଭିତରର ଗୋଟିଏ ସମସ୍ୟା ହିଁ ହୋଇ ରହିଛି । ନିରକ୍ଷରତା ଦୂରୀକରଣ ଲାଗି ଇଂରେଜ ଅମଳରେ ପ୍ରାୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିଲା । କାରଣ ସେତେବେଳେ ବ୍ରିଟିଶ ସରକାର ଭାରତବର୍ଷରେ ଶିକ୍ଷା ବାବଦର ଯେତେ ଖର୍ଚ୍ଚ କରୁଥିଲେ, ତାହା ପାଠପଢ଼ା ବୟସର ପିଲାଙ୍କ ଲାଗି ହୁଏତ ଶଙ୍ଖେ ପାଣିର ବି କାମ ଦେଇନଥିଲା । ତେଣୁ ନିରକ୍ଷରତା ଦୂର କରିବା ଦିଗରେ ତତ୍କାଳୀନ କର୍ତ୍ତାମାନଙ୍କର ପ୍ରଥମତଃ ସାମର୍ଥ୍ୟ ନଥିଲା, ହୁଏତ ଇଚ୍ଛା ବି ନଥିଲା । ପ୍ରଜା ଯେଉଁଠି ମୂର୍ଖ ରହେ, ସେହିଠାରେ ହିଁ ସେ ନିଷ୍କ୍ରିୟ ହୋଇ ରହିବାକୁ ହିଁ ସବୁଠାରୁ ସହଜ ବାଟ ବୋଲି ଗ୍ରହଣ କରିନିଏ । ମୂର୍ଖ ଓ ନିରକ୍ଷର ପ୍ରଜାଙ୍କ ଉପରେ ଶାସନ କରିବା ଶାସକମାନଙ୍କ ପକ୍ଷରେ ଅପେକ୍ଷାକୃତ ଅଧିକ ସହଜ ହୋଇଯାଏ, ଶାସନ ନିରଙ୍କୁଶ ହୋଇ ଚାଲିବାରେ ଅଧିକ ଅନୁକୂଳତା ସୃଷ୍ଟି ହୁଏ ।

୧୯୩୭ ମସିହାରେ ଯେତେବେଳେ ଭାରତର ଆଠଗୋଟି ରାଜ୍ୟରେ ଭାରତୀୟ ଜାତୀୟ କଂଗ୍ରେସ ମନ୍ତ୍ରୀମଣ୍ଡଳ ଗଠନ କରିପାରିଥିଲା, ସେତେବେଳେ ଯାଇ ଭାରତରେ ନିରକ୍ଷରତା ଦୂରୀକରଣ ଲାଗି ନିର୍ଦ୍ଧିଷ୍ଟ ଭାବରେ କିଛି ଚିନ୍ତା କାରାଯାଇ ପାରିଲା, ସେ ଦିଗରେ କୌଣସି କାର୍ଯ୍ୟକ୍ରମ ହାତକୁ ନିଆଯାଇ ପାରିଲା । ମାତ୍ର ବିଶ୍ୱଯୁଦ୍ଧ ବେଳେ ବ୍ରିଟିଶ ସରକାର ସହିତ ଅସମ୍ମତ ହୋଇ ମନ୍ତ୍ରୀମଣ୍ଡଳମାନ ଓହରି ଆସିବା ହେତୁ ସେହି ଉତ୍ସାହଟି ମଧ୍ୟ ସେତିକିରେ ଡୋର ବନ୍ଧାହୋଇ ରହିଗଲା । ତେଣୁ ନିଃସନ୍ଦେହରେ କୁହାଯାଇ ପାରିବ ଯେ ଭାରତବର୍ଷ ରାଜନୀତିକ ସ୍ୱାଧୀନତା ହାସଲ କରିସାରିବା ପରେ ଯାଇ ଏହି ଦିଗରେ କୌଣସି ନିଶ୍ଚିତ ନୀତି ଓ ପଦକ୍ଷେପ ଗ୍ରହଣ କରାଯାଇପାରିଲା ।

ଆମ ହିସାବଗୁଡ଼ାକ ଅନୁସାରେ ଆମ ଦେଶର ଶତକଡ଼ା ସାକ୍ଷର ସଂଖ୍ୟା ଯେ କ୍ରମଶଃ ବଢୁଛି, ଅର୍ଥାତ୍‌ ଶତକଡ଼ା ନିରକ୍ଷର ସଂଖ୍ୟା ଯେ କ୍ରମଶଃ କମି କମି ଯାଉଛି, ସେଥିରେ କୌଣସି ସନ୍ଦେହ ନାହିଁ । ମାତ୍ର ଏହି ଦିଗରେ ଆମର ଯାବତୀୟ ଉଦ୍ୟମ ଏବଂ ଅଗ୍ରଗତି ସତ୍ତ୍ୱେ ଭାରତରେ ନିରକ୍ଷରମାନଙ୍କର ପ୍ରକୃତ ସଂଖ୍ୟାଟି ବଢ଼ି ବଢ଼ି ଚାଲିଛି । ଦେଶର ଲୋକସଂଖ୍ୟା ଆମର ସିଦ୍ଧିଗୁଡ଼ିକର ଅନୁପାତରେ ଅନେକ ଅଧିକ ରୂପରେ ବଢ଼ିବାରେ ଲାଗିଛି, ଏଇଟି ହେଉଛି ତାହାର ଗୋଟିଏ କାରଣ । ମାତ୍ର ତଥାପି ତାହାକୁ ହିଁ ଏକମାତ୍ର କାରଣ ବୋଲି କଦାପି କୁହାଯାଇ ପାରିବନାହିଁ । ହୁଏତ ସର୍ବପ୍ରଧାନ କାରଣ ବୋଲି ବି କୁହାଯାଇ ପାରିବନାହିଁ । ସର୍ବପ୍ରଧାନ କାରଣ ହେଉଛି ଯେ ନିରକ୍ଷରତା ଦୂରୀକରଣକୁ ଯେତେବେଶୀ ଅଗ୍ରାଧିକାର ଦିଆଯିବାର କଥା, ତାହା ଏପର୍ଯ୍ୟନ୍ତ ଦିଆଯାଇ ନାହିଁ ବା ସେ ବାବଦ ଉଦ୍ୟମଗୁଡ଼ିକ ପୂରା ସଫଳ ହୋଇ ପାରୁନାହିଁ ।

ସାକ୍ଷରତା ଦିଗରେ ଏପର୍ଯ୍ୟନ୍ତ ଯାହା କିଛି ବିଶେଷ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି, ତାହା ପ୍ରାୟ ସବୁଯାକ ହେଉଛି ନିରକ୍ଷର ସାବାଳକମାନଙ୍କୁ ସାକ୍ଷର କରିବାର କାର୍ଯ୍ୟକ୍ରମ । ଆମ ଦେଶର ସାଧାରଣ ଶିକ୍ଷାଯୋଜନାର ଯେ ନିରକ୍ଷରତା ବଢ଼ିବା ଅଥବା କମିବା ସହିତ ଏକ ଘନିଷ୍ଠ ସମ୍ପର୍କ ରହିଛି, ସମସ୍ତେ ସେହି କଥାଟିକୁ ଅବଶ୍ୟ ସ୍ୱୀକାର କରୁଥିବେ । ଶିକ୍ଷାର ଯୋଜନା କହିଲେ ଯେକୌଣସି ଅଳ୍ପ ଉନ୍ନତ ଅଥଚ ଉନ୍ନତିକାମୀ ଦେଶରେ ସବାଆଗ ପ୍ରାଥମିକ ସ୍ତରର ଶିକ୍ଷାକୁ ହିଁ ବୁଝାଇବା କଥା । ଆମ ଦେଶରେ, ପ୍ରାଥମିକ ଶିକ୍ଷା ବିଷୟରେ ଯେତେବେଳେ ଯେଉଁସବୁ ଅଭୀଷ୍ଟ ରଖାଯାଇଛି, ସେଗୁଡ଼ିକ ନାନା କାରଣରୁ ଅପୂରଣୀୟ ରହିଆସିଛି । ତଥାପି, ଏକଥାଟିକୁ କଦାପି ଏଡ଼ିଦେଇ ହେବନାହିଁ ଯେ ଭାରତବର୍ଷରେ ସ୍କୁଲ ଯିବା ବୟସର ପ୍ରତ୍ୟେକ ପିଲା ସ୍କୁଲକୁ ନଆସିବା ପର୍ଯ୍ୟନ୍ତ ଆମେ ନିରକ୍ଷରତାର ସମସ୍ୟାଟିର କୌଣସି ସମାଧାନ ସମ୍ଭବ କରିପାରିବା ନାହିଁ । ପୃଥିବୀର ଯେକୌଣସି ଦେଶରେ ଦୁଇଟିଯାକ ସମସ୍ୟାକୁ ଗୋଟିଏ ସମଗ୍ର ସମସ୍ୟାର ଅଂଶରୂପେ ହିଁ ହାତକୁ ନିଆଯାଇଛି । ମାତ୍ର ଭାରତବର୍ଷରେ, ବିଦେଶୀ ପ୍ରବକ୍ତାମାନଙ୍କ ଅନୁମାନ ଅନୁସାରେ ବ୍ରିଟିଶ ଶାସନ ଭାରତକୁ ଆସିବା ପୂର୍ବରୁ ଯେଉଁଠି କେହି ନିରକ୍ଷର ନଥିଲେ ଅଥବା ନିରକ୍ଷରମାନେ ଅତି ନଗଣ୍ୟ ସଂଖ୍ୟାରେ ଥିଲେ, ସେଠାରେ ବ୍ରିଟିଶ ଆସିବା ପରଠାରୁ ନିରକ୍ଷରତା ଏକ ସମସ୍ୟାରେ ପରିଣତ ହେଲା, କ୍ରମେ ସାମୂହିକ ସାମଗ୍ରିକ ଜୀବନ ମଧ୍ୟକୁ ଆପଣାର କାୟାବିସ୍ତାର କଲା ଏବଂ ସତେଅବା ଏକ ଅଜେୟ ସମସ୍ୟାରେ ପରିଣତ ହୋଇ ରହିଲା ।

ନିରକ୍ଷରତା ଦୂରୀକରଣର ଯେକୌଣସି କାର୍ଯ୍ୟକ୍ରମରେ ଆମକୁ ସୋଭିଏତ୍‌ ଋଷିଆ ପ୍ରଭୃତି ଦେଶଗୁଡ଼ିକଠାରୁ ଅନେକ କିଛି ଶିକ୍ଷା କରିବାକୁ ହେବ । ଭାରତବର୍ଷର ଶିକ୍ଷା ଏପର୍ଯ୍ୟନ୍ତ ପ୍ରଧାନତଃ ଏକ ଲୋକସାନ ହେଉଥିବା ବ୍ୟବସାୟ ରୂପେ ଚଳିଆସିଛି । ନାନା କାରଣରୁ ଏକ ଅତ୍ୟାବଶ୍ୟକ ଆନ୍ଦୋଳନ ରୂପେ ପ୍ରାୟ କେବେ ଚଳିନାହିଁ । ଆମକୁ ସେହି ଦୃଷ୍ଟିକୋଣରେ ପରିବର୍ତ୍ତନ ଆଣିବାକୁ ପଡ଼ିବ । ମୂଳକୁ ଉପରର ତାଳପତ୍ରଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ ବୋଲି ବିଚାରିବାକୁ ହେବ । ତେବେ ଯାଇ ହୁଏତ ପରିବର୍ତ୍ତନ ସମ୍ଭବ ହେବ, ଏକ ଦୀର୍ଘ ପରମ୍ପରା ଭାଙ୍ଗିଯିବ ।

ତା ୨୦.୦୪.୧୯୭୬ ରିଖ

Image

 

ସେରେତ୍‌ସେ ଖାମା

 

ବୋତ୍‌ସୁଆନାର ରାଷ୍ଟ୍ରପତି ସାର୍‌ ସେରେତ୍‌ସେ ଖାମା ଏବେ ଗୋଟିଏ ସପ୍ତାହକାଳ ଭାରତ ଭ୍ରମଣରେ ଆସିଥିଲେ । ଭାରତବର୍ଷ ଛାଡ଼ିବା ପୂର୍ବରୁ ସେ ଏବଂ ଭାରତବର୍ଷର ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ଏକାଠି ଯେଉଁ ବିବୃତିଟି ଦେଇଛନ୍ତି, ସେଥିରେ ପ୍ରଧାନତଃ ଦକ୍ଷିଣ ଆଫ୍ରିକାର ହିଁ ଏକ ପ୍ରଧାନ ସମସ୍ୟା ବିଷୟରେ ଆଲୋଚନା କରାଯାଇଛି ।

 

ଦକ୍ଷିଣ ଆଫ୍ରିକାର ପ୍ରଥମ ଓ ସର୍ବପ୍ରଧାନ ସମସ୍ୟାଟି ହେଉଛି ସଂଖ୍ୟାଗରିଷ୍ଠଙ୍କ ଉପରେ ସଂଖ୍ୟାଲଘୁ ସଂପ୍ରଦାୟର ଏକାଧିପତ୍ୟ ଜାରି ରଖିବାରେ ସମସ୍ୟା । ଏହାର କଟୁତା ଉଣା କରିବା ଲାଗି ଅନେକ ସମୟରେ ଏହାକୁ ବର୍ଣ୍ଣଗତ ସମସ୍ୟା ବୋଲି କୁହାଯାଇଥାଏ । ଏହାର ଏକ ଉଦାହରଣ ଦେଇ କହିଲେ, ରୋଡ଼େସିଆରେ ମୋଟେ ଦୁଇଲକ୍ଷ ଗୋରାଲୋକ ଅଛନ୍ତି ଏବଂ ଷାଠିଏ ଲକ୍ଷ କଳାଲୋକ ବାସ କରୁଛନ୍ତି । ସେଠାରେ ଦୁଇଲକ୍ଷ ଶ୍ୱେତକାୟ ଷାଠିଏ ଲକ୍ଷ ଆଫ୍ରିକାବାସୀଙ୍କ ଉପରେ ଏକଛତ୍ର ଶାସନ କରୁଛନ୍ତି । ଗତ ୧୯୬୫ ମସିହାରୁ ସେଠି ଗୋରାମାନେ ରୋଡ଼େସିଆକୁ ଏକ ସ୍ୱାଧୀନ ଦେଶ ବୋଲି ଏକତରଫା ଘୋଷଣା କରିଦେଇଛନ୍ତି । ସେଠାରେ ଦୁଇଲକ୍ଷ ଗୋରା ଲୋକଙ୍କ ପାଇଁ ସ୍ୱାଧୀନତାର ଘୋଷଣା କରାଯାଇଛି ଏବଂ ଷାଠିଏ ଲକ୍ଷ କଳା ସେମାନଙ୍କର ନିଜ ଦେଶରେ ପରାଧୀନ ହୋଇ ରହିଛନ୍ତି । ଦକ୍ଷିଣ ଆଫ୍ରିକା, ଯାହାକୁ ସତେ ଅବା ବିଦ୍ରୂପ କଲାପରି ଏକ ସାଧାରଣତନ୍ତ୍ର ବୋଲି କୁହାଯାଉଛି, ସେଠାରେ ମଧ୍ୟ ଅନୁରୂପ ଦଶା ରାଜତ୍ୱ କରିବାରେ ଲାଗିଛି । ଦକ୍ଷିଣ ପଶ୍ଚିମ ଆଫ୍ରିକା ଅର୍ଥାତ୍‌ ନାମିବିୟାକୁ ମଧ୍ୟ ଦକ୍ଷିଣ ଆଫ୍ରିକା ନିଜର ହାତରେ ରଖିଛି । ସବୁ ଜାଗାରେ ଗୋରାମାନଙ୍କର ସବୁଯାକ ଅଧିକାର ରହିଛି । ଗୋରାମାନଙ୍କ ହାତରେ ଭୁବନଯାକର ସମ୍ପତ୍ତି ରହିଛି ଓ ପ୍ରକାଶ୍ୟରେ ଘୋଷଣା କରି ଗୋରା ସଭ୍ୟତାକୁ ହିଁ ଏକମାତ୍ର ସଭ୍ୟତା ବୋଲି କୁହାଯାଉଛି । ଏଯୁଗରେ ଏହି କଥାଗୁଡ଼ାକ ଗୋଟାସୁଦ୍ଧା ଯେ ବର୍ବର ମଣିଷର କଥା ପରି ଶୁଭୁଥିବ, ସେଥିରେ କୌଣସି ସନ୍ଦେହ ନାହିଁ । ମାତ୍ର ତଥାପି ତାହା ସମ୍ଭବ ହେଉଛି, ସେହି ଅନୁସାରେ ସବୁ ପ୍ରକାର ଦୁଷ୍ଟତା ଓ ଦୌରାତ୍ମ୍ୟକୁ ପ୍ରଶ୍ରୟ ଦିଆଯାଉଛି ଏବଂ ପୃଥିବୀର ବଡ଼ ବଡ଼ ଦେଶମାନେ ଦୂରରୁ ଥାଇ ଦାନ୍ତ ନିକୁଟିବାରେ ଲାଗିଛନ୍ତି ।

 

ସେରେତ୍‌ସେ ଖାମା ଓ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କର ମିଳିତ ଇସ୍ତାହାରଟିରେ ଦକ୍ଷିଣ ଆଫ୍ରିକା ଏବଂ ରୋଡ଼େସିଆରେ ବର୍ଣ୍ଣବୈଷମ୍ୟ ନୀତିର ବିଲୋପ, ନାମିବିୟାର ମୁକ୍ତି ଏବଂ ଏହିସବୁ ରାଷ୍ଟ୍ରରେ ପ୍ରତିଷ୍ଠିତ ସଂଖ୍ୟାଲଘୁ ଶାସନର ଅବସାନ ଲାଗି ଚାଲିଥିବା ମୁକ୍ତି ସଂଗ୍ରାମ ପ୍ରତି ଭାରତର ପୂର୍ଣ୍ଣ ସମର୍ଥନ ରହିଛି ବୋଲି ଘୋଷଣା କରାଯାଇଛି । ଏଠି ସ୍ମରଣ ରଖିବାକୁ ହେବ ଯେ ଏହିସବୁ ଅନ୍ୟାୟପାଠ ଓ ଅନ୍ୟାୟ ଉପରେ ପ୍ରତିଷ୍ଠିତ ରାଷ୍ଟ୍ରଗୁଡ଼ିକ ଭିତରେ ସତେଅବା ଏକ ଦ୍ୱୀପ ପରି ବୋତ୍‌ସୁଆନା ଅବସ୍ଥିତ ରହିଛି । ବୋତ୍‌ସୁଆନାରେ ଖାଲି କଳା ଲୋକ ଅଛନ୍ତି । ଏହି ଦେଶଟି ସ୍ୱାଧୀନତା ଲାଭ କଲାବେଳେ ସେଠାରୁ ଗୋରାମାନଙ୍କୁ ଦକ୍ଷିଣ ଆଫ୍ରିକା ଚାଲିଯିବା ଲାଗି ଅନୁମତି ଦିଆଯାଇଛି । ଅର୍ଥାତ୍‌ ସେଠି ବର୍ତ୍ତମାନ ଗୋଟିଏ ବର୍ଣ୍ଣ ରହିଛି ଏବଂ ଚାରିପାଖରେ ସେହି କୃଷ୍ଣକାୟମାନଙ୍କୁ ମନୁଷ୍ୟପଦବାଚ୍ୟ ବୋଲି ବିଚାରୁ ନଥିବା ଶ୍ୱେତାଙ୍ଗମାନେ ହିଁ ଗୋଟିଏ ଶକ୍ତିଶାଳୀ ବ୍ୟୂହ ମଧ୍ୟରେ ଛକି ରହିଛନ୍ତି । ବୋତ୍‌ସୁଆନାକୁ ଯେ ଏହି ପରିସ୍ଥିତିରେ ନାନା ଅସୁଖକର ଅବସ୍ଥାର ସମ୍ମୁଖୀନ ହେବାକୁ ପଡ଼ୁଥିବ, ଏଥିରେ କୌଣସି ସନ୍ଦେହ ନାହିଁ ।

 

ଦକ୍ଷିଣ ଆଫ୍ରିକାର ବର୍ଣ୍ଣଭେଦ ନୀତି ବିରୁଦ୍ଧରେ ତଥା ସେଠାରେ ଚାଲିଥିବା କୃଷ୍ଣକାୟମାନଙ୍କର ସଂଗ୍ରାମ ପ୍ରତି ପୂର୍ଣ୍ଣ ସହାନୁଭୂତି ପ୍ରକଟ କରି ଭାରତ ସରକାର ସବୁବେଳେ ଓ ସବୁଠାରେ ମତବ୍ୟକ୍ତ କରିଛନ୍ତି । ମିଳିତ ଜାତିସଂଘର ଆଲୋଚନାଗୁଡ଼ିକରେ ମଧ୍ୟ ଭାରତ ସରକାର ସର୍ବଦା ତାହାହିଁ କରି ଆସିଛନ୍ତି । କିନ୍ତୁ ଏହି ସମସ୍ୟାଟିର ଆଉ ଏକ ଦିଗ ମଧ୍ୟ ରହିଛି । ଦକ୍ଷିଣ ଆଫ୍ରିକାରେ ବହୁ ସଂଖ୍ୟାରେ ଭାରତୀୟ ବାସିନ୍ଦାମାନେ ମଧ୍ୟ ଅଛନ୍ତି । ସେମାନେ ସେଠାରେ ଗତ କେତେ ଦଶକ ହେଲା ରହିଛନ୍ତି । ସେଠି ରାଜା ହୋଇ ବସିଥିବା ଶ୍ୱେତାଙ୍ଗମାନଙ୍କର ବର୍ଣ୍ଣବିଦ୍ୱେଷ ନୀତି ଭାରତୀୟମାନଙ୍କୁ ମଧ୍ୟ ପୂର୍ଣ୍ଣ ଅଧିକାରଯୁକ୍ତ ମନୁଷ୍ୟ ବୋଲି ସ୍ୱୀକାର କରୁନାହିଁ ଓ ସେମାନଙ୍କୁ ନାନା ଅଧିକାରରୁ ବଞ୍ଚିତ କରି ରଖିଛି । ଏସବୁ ବିରୁଦ୍ଧରେ ଆପଣାର ଅଧିକାରଗୁଡ଼ିକୁ ସାବ୍ୟସ୍ତ କରିବା ଲାଗି ଭାରତୀୟମାନଙ୍କର ଏକ ସ୍ୱତନ୍ତ୍ର ଆନ୍ଦୋଳନ ମଧ୍ୟ ଜାରି ରହିଛି । ଏହି ଶତାବ୍ଦୀର ଆରମ୍ଭରେ ମହାତ୍ମା ଗାନ୍ଧୀଙ୍କର ସତ୍ୟାଗ୍ରହ ଆନ୍ଦୋଳନରୁ ହିଁ ସେହିଁ ଆବାଜ ଶୁଭିବାକୁ ଆରମ୍ଭ କରିଛି । ମାତ୍ର ଅତ୍ୟନ୍ତ ଦୁଃଖର କଥା ଯେ କୃଷ୍ଣକାୟମାନଙ୍କର ମୁକ୍ତିସଂଗ୍ରାମ ସହିତ ଭାରତୀୟମାନଙ୍କର ଆନ୍ଦୋଳନ ଏପର୍ଯ୍ୟନ୍ତ ଏକ ହୋଇ ପାରିନାହିଁ । ଶତ୍ରୁ ବା ଅନ୍ୟାୟ ଗୋଟିଏ ହେଲେ ମଧ୍ୟ ନ୍ୟାୟ ଲାଗି ସେଠି ଦୁଇଟା ସଂଗ୍ରାମ ଚାଲିଛି ଓ ତାହା ଶତ୍ରୁର ହିଁ ବଳକୁ ବଢ଼ାଉଛି ।

 

ଆଫ୍ରିକାର ବର୍ଣ୍ଣଭେଦରୁ ମୁକ୍ତିଲାଭ କରିବାର ସଂଗ୍ରାମରେ ସେଠାରେ ବାସ କରୁଥିବା ଭାରତୀୟମାନେ ଯେଉଁଦିନ ଆଫ୍ରିକାବାସୀଙ୍କ ସହିତ ଏକାଠି ହୋଇଯାଇ ପାରନ୍ତେ, ଆଫ୍ରିକାର ଭବିଷ୍ୟ ସେଦିନ ଏକ ନିଶ୍ଚିତ ଗତିପଥ ଗ୍ରହଣ କରିପାରନ୍ତା ।

 

ତା ୨୧.୦୪.୧୯୭୬ ରିଖ

Image

 

ସିଆଣିଆ ନିରପେକ୍ଷତା

 

ଏବେ ମଧ୍ୟପ୍ରାଚ୍ୟର ପରିସ୍ଥିତି ଉପରେ ମିଳିତ ଜାତିସଂଘର ନିରାପତ୍ତା ପରିଷଦର ଆଲୋଚନା ହୋଇଥିଲା । ପାଲେଷ୍ଟାଇନ୍‌ ମୁକ୍ତି ସଂଗଠନକୁ ପାଲେଷ୍ଟାଇନ୍ ଅଧିବାସୀଙ୍କର ପ୍ରକୃତ ପ୍ରତିନିଧି ବୋଲି ସ୍ୱୀକୃତି ଦେବାଲାଗି ସେଠି ଯେଉଁ ପ୍ରସ୍ତାବଟି ଉପରେ ଭୋଟ ଭ୍ରହଣ କରାଗଲା, ସେଥିରେ ପରିଷଦର ଅନ୍ୟାନ୍ୟ ସଭ୍ୟମାନେ କିଏ ସପକ୍ଷରେ ଓ ଆଉ କିଏ ବିପକ୍ଷରେ ଭୋଟ ଦେଲେ । ମାତ୍ର ବ୍ରିଟେନ୍‌ ଓ ଫ୍ରାନ୍‌ସ୍‌ ପ୍ରଭୃତି ଆହୁରି କେତେ ଦେଶ ନିରପେକ୍ଷ ରହିଗଲେ । ସେମାନେ ଏପାଖର ହେଲେନାହିଁ କିମ୍ୱା ସେପାଖର ହେଲେ ନାହିଁ । ଧରାପଡ଼ିବେ ନାହିଁ ବୋଲି ସେମାନେ ନିରପେକ୍ଷ ନୀତି ଅବଲମ୍ୱନ କଲେ ଏବଂ ହୁଏତ ସବୁଠାରୁ ଅଧିକ ପରିମାଣରେ ଧରାପଡ଼ିଗଲେ ।

 

ବିଭିନ୍ନ ଆନ୍ତର୍ଜାତିକ ଆଲୋଚନାର କ୍ଷେତ୍ରରେ ମତସୁମାରି ସମୟରେ ଏପକ୍ଷ ନ ହୋଇ କିମ୍ୱା ସେପକ୍ଷ ନ ହୋଇ ମଝିରେ ନିରପେକ୍ଷ ରହିଯିବାର ନୀତି ଆଧୁନିକ ରାଷ୍ଟ୍ରୀୟ କୁଟନୈତିକତାର ଇତିହାସରେ ମୋଟେ ନୂଆ ନୁହେଁ । ଦକ୍ଷିଣ ଆଫ୍ରିକା ବିଷୟରେ ନିରାପତ୍ତା ପରିଷଦ ତଥା ମିଳିତ ଜାତିସଂଘର ସାଧାରଣ ଆସେମ୍ବ୍ଳିରେ ଭୋଟ ଗ୍ରହଣ ହେଉଥିବା ସମୟରେ କେତେକ ଦେଶ ଏପକ୍ଷରେ ଓ ଆଉ କେତେକ ଦେଶ ସେ ପକ୍ଷରେ ମତଦାନ କରନ୍ତି ସତ, ମାତ୍ର ଆହୁରି କେତେକ ଦେଶ ଥାଆନ୍ତି, ଯେଉଁମାନେ କି ଗୋଟାସୁଦ୍ଧା ନିରପେକ୍ଷ ହୋଇ ରହିଯାଆନ୍ତି । ବେଳେବେଳେ ଏପରି ହାସ୍ୟକର ପରିସ୍ଥିତିମାନ ଆସି ପହଞ୍ଚେ ଯେ ଅଳ୍ପସଂଖ୍ୟକ ସଦସ୍ୟଦେଶ ପକ୍ଷ କିମ୍ୱା ବିପକ୍ଷରେ ଭୋଟ ଦିଅନ୍ତି ଏବଂ ଅଧିକ ସଂଖ୍ୟ ଦେଶ ନିରପେକ୍ଷ ରହିଯାଆନ୍ତି । ଏହି ନିରପେକ୍ଷତା ହେଇଛି ଏକ ସିଆଣିଆ ନିରପେକ୍ଷତା । ଏଥିରେ କୌଣସି ସ୍ଥାନରେ କୌଣସି ନିର୍ଲିପ୍ତତା ବା ନିରାସକ୍ତତା ନଥାଏ । ହୁଏତ ଏକ ଅତିଲିପ୍ତତା ମୁହଁ ଲୁଚାଇ ରହିଯିବାକୁ ଚେଷ୍ଟା କରୁଥାଏ ।

 

ଅଧିକାଂଶ ସମୟରେ ଦେଖିବାକୁ ମିଳିଥାଏ ଯେ, ଆନ୍ତର୍ଜାତିକ ରାଜନୀତି ଓ କ୍ଷମତାଖେଳର କ୍ଷେତ୍ରରେ ଯେଉଁମାନେ ତଥାକଥିତ ବଡ଼ ବୋଲି ପରିଚିତ, ଯେଉଁମାନେ କଳି ଲଗାଇଦିଅନ୍ତି, ଭଲଲୋକ ହୋଇ କଳି ଭାଙ୍ଗିବାକୁ ଯାଆନ୍ତି, ସେହିମାନେ ହିଁ ଆନ୍ତର୍ଜାତିକ ଆଲୋଚନାଗୁଡ଼ିକର କ୍ଷେତ୍ରରେ ଚୁପ୍‌ ହୋଇ ନିରପେକ୍ଷ ରହିଯାଆନ୍ତି । ପରେ ଦରକାର ପଡ଼ିଲେ, ଅର୍ଥାତ୍‌ ମୋଟେ ଦରକାର ନ ପଡ଼ିଥିଲେ ମଧ୍ୟ ବଡ଼ ଅସୁନ୍ଦର ଭାବରେ ଆପଣାର ଭେଟୋ ପ୍ରୟୋଗ କରି ବହୁମତକୁ ଅପମାନିତ ଓ ନଷ୍ଟବୀର୍ଯ୍ୟ କରିଦିଅନ୍ତି ସତ ମାତ୍ର ଭୋଟ ଗ୍ରହଣ ସମୟରେ ନିରପେକ୍ଷ ରହିଯାଆନ୍ତି । କେବଳ ଆପେ ରହନ୍ତି ନାହିଁ ମାତ୍ର ତଦୁପରି ସେମାନଙ୍କର ଆଶ୍ରିତ ଦେଶଗୁଡ଼ିକୁ ମଧ୍ୟ ସେହିପରି କୁଆଡ଼େ ହାତ ନ ଟେକିବା ଲାଗି ବାଧ୍ୟ କରନ୍ତି । ବିଶ୍ୱବିବେକକୁ ବାଉଳା ଓ ଭଣ୍ଡୁର କରି ରଖିଦିଅନ୍ତି ।

 

ଏହି ସିଆଣିଆ ନିରପେକ୍ଷତାର ପଛରେ ଅନେକ ସମୟରେ ପୃଥିବୀର ଆନ୍ତର୍ଜାତିକ ସଂସ୍ଥାଗୁଡ଼ିକ ଉପରେ ଏକ ପ୍ରଚ୍ଛନ୍ନ ଅବିଶ୍ୱାସ ରହିଥିବାର ସୂଚନା ମିଳିଥାଏ । ପୃଥିବୀର ସବୁ ଦେଶ ଏକତ୍ର ସାଧାରଣ ସମସ୍ୟାଗୁଡ଼ିକ ଆଲୋଚନା କରିବେ, ସେଗୁଡ଼ିକ ଉପରେ ମତ ଦେବେ ଓ ବହୁମତକୁ ସର୍ବମାନ୍ୟ ମତ ବୋଲି ସ୍ୱୀକାର କରିନେବେ ବୋଲି ଗଣତନ୍ତ୍ରର ଯେଉଁ ପରମ୍ପରାକୁ ଆମ ପୃଥିବୀ ଆନ୍ତର୍ଜାତିକ କ୍ଷେତ୍ରରେ ଆଣି ପ୍ରୟୋଗ କରିବାର ଉଦ୍ୟମ କରୁଛି ଓ ତାହାରି ଦ୍ୱାରା ପୃଥିବୀକୁ ଯୁଦ୍ଧ ଓ ଶତ୍ରୁତାର ସେହି ପାରମ୍ପରିକ ଆବଦ୍ଧତାଟି ମଧ୍ୟରୁ ମୁକ୍ତ କରି ଆଣିବ ବୋଲି ଆଶା ବାନ୍ଧିଛି, ସିଆଣିଆ ନିରପେକ୍ଷତା ତାହାକୁ ସତେଅବା ଗୋଟାସୁଦ୍ଧା ଅବଜ୍ଞା କରିବାରେ ଲାଗିଥାଏ ।

 

ପୃଥିବୀରେ ବଡ଼ ଶକ୍ତିମାନଙ୍କ ହାତରେ ଅର୍ଥ ଅଛି, ଯନ୍ତ୍ରକୌଶଳ ଅଛି, ଅସ୍ତ୍ର ଅଛି ଓ ପାରମ୍ପରିକ ପ୍ରଭାବମଣ୍ଡଳମାନ ବି ରହିଛି । ପୃଥିବୀର ଭାଗ୍ୟ ସବୁଦିନ ଲାଗି ଏହିଗୁଡ଼ାକ ଦ୍ୱାରା ହିଁ ନିର୍ଣ୍ଣିତ ହେବାରେ ଲାଗିଥାଉ, ଅର୍ଥାତ୍‌ ସେହିମାନେ ହିଁ ଅର୍ଥ, ଅସ୍ତ୍ର, ମେଣ୍ଟ ଏବଂ କୂଟନୀତି ବଳରେ ପୃଥିବୀର ଭାଗ୍ୟକୁ ନଚାଇବାରେ ଲାଗିଥାନ୍ତୁ, କୌଣସି କୌଣସି ବୃହତ୍‌ଶକ୍ତି ସମ୍ଭବତଃ ମଞ୍ଜ ଭିତରେ ଏହାହିଁ ଇଚ୍ଛା କରୁଥାନ୍ତି । ନୂଆ ପୃଥିବୀ ଓ ନୂଆ ବ୍ୟବସ୍ଥା କହିଲେ ସେମାନେ ହୁଏତ କେବଳ ସେତିକିମାତ୍ରକୁ ବୁଝନ୍ତି । ସଭାରେ ନିରପେକ୍ଷତା ଅବଲମ୍ୱନ କରି ଏମାନେ ଆପଣାର ସବୁ ବଳ ଖଟାଇ ଆନ୍ତର୍ଜାତିକ ବିବାଦଗୁଡ଼ାକୁ ପାକଳ କରିବାରେ ଲାଗିଥାନ୍ତି । ସେହି ପୁରୁଣା ବ୍ୟାଧିଗୁଡ଼ାକୁ ଓ ତେଣୁ ସେହି ପୁରୁଣା ନୈରାଶ୍ୟଗୁଡ଼ାକୁ ସ୍ଥାୟୀ କରି ରଖିବାରେ ଲାଗିଥାନ୍ତି ଏବଂ ଯାହାକିଛି କରନ୍ତି, କେବଳ ନିରପେକ୍ଷ ଭାବରେ ହିଁ କରୁଥାନ୍ତି ।

 

ତା ୨୪.୦୪.୧୯୭୬ ରିଖ

Image

 

କୁବେର ପୁଅ ବେକାର

 

ଆମେରିକାରୁ ମିଳିଥିବା ଏକ ଖବରରୁ ପ୍ରକାଶ ଯେ ସଂଯୁକ୍ତ ରାଷ୍ଟ୍ର ଆମେରିକାରେ ବେକାର ସମସ୍ୟା ଆଗ ଅପେକ୍ଷା ଆହୁରି ଉତ୍କଟ ହୋଇପଡ଼ିଛି । ସେଠାରେ ମୋଟ ବେକାରଙ୍କ ମଧ୍ୟରୁ ଶତକଡ଼ା ପ୍ରାୟ ପଚାଶ ଭାଗ ହେଉଛି ୨୫ ବର୍ଷରୁ କମ୍‌ ବୟସର ଯୁବକ ଏବଂ ଏମାନଙ୍କର ସଂଖ୍ୟା ସତୁରି ଲକ୍ଷରୁ ଅଧିକ । ଆମେରିକା ସରକାରଙ୍କର ଏକ ହିସାବରୁ ଜଣାପଡ଼ୁଛି ଯେ, ଆମେରିକାରେ ୨୦ ବର୍ଷରୁ ୨୪ ବର୍ଷ ପର୍ଯ୍ୟନ୍ତ ବୟସର ଯୁବକଙ୍କ ମଧ୍ୟରେ ବେକାରଙ୍କ ସଂଖ୍ୟା ଶତକଡ଼ା ୧୩ ଭାଗ ଏବଂ ୧୬ ରୁ ୧୯ ବର୍ଷ ବୟସର ଯୁବକଙ୍କ ମଧ୍ୟରେ ଏହା ଶତକଡ଼ା ୨୦ ଭାଗ । ନିଗ୍ରୋ ଯୁବକମାନଙ୍କ ମଧ୍ୟରେ ବେକାର ସମସ୍ୟା ଅପେକ୍ଷାକୃତ ଅଧିକ ଭୟଙ୍କର ଭାବରେ ଦେଖାଦେଉଛି । ଏମାନଙ୍କ ଭିତରୁ ଶତକଡ଼ା ୩୪.୫ ଭାଗ କୌଣସି କାମ ନ ପାଇ ବୁଲୁଛନ୍ତି ।

 

ଆହୁରି ଖବର ମିଳିଛି ଯେ, ଆମେରିକା କଂଗ୍ରେସର ମିଳିତ ଅର୍ଥନୈତିକ କମିଟି ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଗୋଟିଏ ରିପୋର୍ଟରେ ଏହି ଉତ୍କଟ ବେକାର ସମସ୍ୟାର ଭୟାବହ ସାମାଜିକ ପରିଣତି ବିଷୟରେ ସମ୍ପୃକ୍ତ ସମସ୍ତଙ୍କୁ ସଚେତନ କରାଇ ଦେଇଛନ୍ତି । ବିଶେଷତଃ, ଏବେ ଆମେରିକାରେ ଯେଉଁ ଅପରାଧ ସଂଖ୍ୟାର ବୃଦ୍ଧି ଏବଂ ଅତିରିକ୍ତ ନିଶାସେବନ ପରିଲକ୍ଷିତ ହେଉଛି, ବେକାରୀକୁ ହିଁ ତା’ର ଏକ ବଡ଼ କାରଣ ବୋଲି ସୂଚାଇ ଦିଆଯାଇଛି ।

 

ଆମେ ବେକାରୀର ଆଲୋଚନା କଲାବେଳେ ଆମେରିକା ଓ ଭାରତବର୍ଷର ତୁଳନା କରିବାକୁ ଯିବାନାହିଁ । ବେକାରୀ ସମସ୍ୟା ଆମର ଏଠାରେ ମଧ୍ୟ ଉତ୍କଟ ଅବସ୍ଥାରେ ରହିଛି । ଦେଶର ସମସ୍ତଙ୍କୁ କାମ ଯୋଗାଇ ପାରିବାକୁ ହେଲେ ଦେଶର ଅର୍ଥନୈତିକ ଗଠନ ଓ ସଂଯୋଜନା ଯେପରି ଦୃଢ଼ ହୋଇ ରହିବା ଉଚିତ, ଏକ ବିକଶମାନ ଦେଶ ଭାରତ ନାନା କାରଣରୁ ଏପର୍ଯ୍ୟନ୍ତ ସେହି ଅବସ୍ଥାକୁ ଆସିନାହିଁ । ମାତ୍ର ଯେଉଁ ଆମେରିକା ଆମ ସାଂପ୍ରତିକ ପୃଥିବୀରେ କୁବେର ହୋଇ ରହିଛି, ଯେଉଁ ଆମେରିକା ପ୍ରାୟ ଦଶ ବା ପନ୍ଦର ଶୂନର ସଂଖ୍ୟାରେ ସାମରିକ ଖର୍ଚ୍ଚମାନ କରୁଛି, ଯେଉଁ ଆମେରିକାରେ ମନୁଷ୍ୟର ଆର୍ଥିକ ସମୃଦ୍ଧି ଲାଗି ବିଜ୍ଞାନ ତଥା ବୈଜ୍ଞାନିକ ଗବେଷଣାର ପରିପୂର୍ଣ୍ଣ ସୁଯୋଗ ନିଆଯାଉଛି, ଯେଉଁ ଆମେରିକା ଚନ୍ଦ୍ରକୁ ପାରିହୋଇ ଆଉ ଆଉ ଗ୍ରହଙ୍କ ଲାଗି ମନ କଲାଣି, ସେହି ଆମେରିକାର ମଣିଷ କାମ ନପାଇ ବେକାର ହୋଇ ବୁଲୁଛି କାହିଁକି ? ଏହାର ଉତ୍ତର ଖୋଜିବାକୁ ଯାଇ ଆମକୁ ଯେଉଁ ସମସ୍ୟାଟିର ଆଲୋଚନା କରିବାକୁ ପଡ଼ିବ, ତାହା କେବଳ ଆମେରିକାର ସମସ୍ୟା ନୁହେଁ, ତାହା ହେଉଛି ଅଧିକତର ପରିମାଣରେ ଆଧୁନିକ ପୁଞ୍ଜିବାଦର ଏକ ସମସ୍ୟା, ଆଧୁନିକ ସଭ୍ୟତାର ଏକ ସମସ୍ୟା ଏବଂ ଆଧୁନିକ ଅର୍ଥନୀତିଦର୍ଶନର ଏକ ସମସ୍ୟା ।

 

ମଣିଷ ଲାଗି ଅର୍ଥନୀତିର ବ୍ୟବସ୍ଥା ହେବ ନା ମଣିଷକୁ ଅର୍ଥନୈତିକ ସ୍ୱାର୍ଥ ଲାଗି ଯେକୌଣସି ପ୍ରକାରେ ଅନୁକୂଳିତ କରି ରଖାଯିବ ? ଅର୍ଥନୀତିର କ୍ଷେତ୍ରରେ ମଣିଷର ଅର୍ଥାତ୍‌ ପ୍ରତ୍ୟେକ ମଣିଷର ଅଧିକରୁ ଅଧିକ ସୁଖବିଧାନ କରିବା ଉଦ୍ଦେଶ୍ୟ ହୋଇ ରହିବ ନା ଅଧିକରୁ ଅଧିକ ଲାଭ କମାଇବା ହିଁ ଇଷ୍ଟ ହୋଇ ରହିବ ? ମଣିଷ ଅର୍ଥକୁ ଚଳାଇବ ନା ଅର୍ଥ ମଣିଷ ଉପରେ ପ୍ରାୟ ଏକ ଭଗବାନ ହୋଇ ବସିବ ? ଆମେ ଯାହାକୁ ପୁଞ୍ଜିବାଦୀ ଅର୍ଥନୀତି ବୋଲି କହୁ, ସେଥିରେ ଅଧିକରୁ ଅଧିକ ଲାଭ କମାଇବାକୁ ହିଁ ଇଷ୍ଟ ବୋଲି ସ୍ୱୀକାର କରାଯାଏ ମଣିଷକୁ ଅରକ୍ଷିତ, ଅକିଞ୍ଚନ ଓ ଅସମର୍ଥ କରି ରଖି ଉତ୍ପାଦନ ବୃଦ୍ଧି କରିବା ଏବଂ ତାହାରି ଜରିଆରେ ଜାତୀୟ ଉପାଜନ ବୃଦ୍ଧି କରିବାକୁ ହିଁ ଅସଲ କାମ୍ୟ ବୋଲି ମାନି ନିଆଯାଏ । ଗତ ପ୍ରାୟ ଶହେବର୍ଷ ହେଲା ସମାଜବାଦୀ ବିଚାରର ଆହ୍ୱାନ ଫଳରେ ମରହଟ୍ଟୀ ପୁଞ୍ଜିବାଦୀ ଦୃଷ୍ଟିରେ କେତେକ ପରିବର୍ତ୍ତନ ହେଲାଣି ସତ, ମାତ୍ର ତଥାପି ମୂଳ ଦୃଷ୍ଟିଗୁଡ଼ିକ ପ୍ରଧାନତଃ ମଣିଷକୁ ଛାଡ଼ିକରି ରହିଛି ।

 

ତଥାକଥିତ ବିକାଶଶୀଳ ଦେଶଗୁଡ଼ିକର ପୁଞ୍ଜିବାଦର ଏହି ଅଭିଜ୍ଞତାରୁ ଅନେକ କିଛି ଶିଖିବାର ରହିଛି । ଆମେ ଏଠାରେ ଯେଉଁ ଅର୍ଥନୀତିର ମୂଳଦୁଆଟିକୁ ପକାଇବା, ସେଠି ମଣିଷ ଉପରେ ଲାଭ ଖୁଣ୍ଟ ହୋଇ ଠିଆ ହେବ ନା ଯାବତୀୟ ଉତ୍ପାଦନ ମଣିଷର ହିଁ ବଳକୁ ବଢ଼ାଇବ ? ଦିନେ ନା ଦିନେ ଆମକୁ ମଧ୍ୟ ଏହି ପ୍ରଶ୍ନଟିର ଉତ୍ତର ବାଛିନେବାକୁ ପଢ଼ିବ ।

 

ତା ୨୫.୦୪.୧୯୭୬ ରିଖ

Image

 

ଅର୍ଥନୀତି ଓ ରାଜନୀତି

 

ପୃଥିବୀରେ ଅର୍ଥନୀତି ଆଗ ନା ରାଜନୀତି ଆଗ ? ଅର୍ଥନୀତି ବଡ଼ ନା ରାଜନୀତି ବଡ଼-? ଅର୍ଥାତ୍‌ କୌଣସି ରାଷ୍ଟ୍ରର ଅର୍ଥନୀତି ସେହି ରାଷ୍ଟ୍ରର ରାଜନୀତିକୁ ପରିଚାଳିତ କରେ ଅର୍ଥାତ୍‌ ନିୟନ୍ତ୍ରଣ କରି ରଖିଥାଏ ନା ରାଜନୀତି ଅର୍ଥନୀତିକୁ ପରିଚାଳିତ ଓ ନିୟନ୍ତ୍ରଣ କରୁଥାଏ ? ଶନି ବଡ଼ ନା ଲକ୍ଷ୍ମୀ ବଡ଼, ଏହି ବିଷୟରେ ମୀମାଂସା କରିବାକୁ ବାଧ୍ୟ ହୋଇ ଶ୍ରୀବତ୍ସ ରାଜା ଏକଦା ବଡ଼ ହଟହଟାରେ ପଡ଼ିଥିଲେ । ମାତ୍ର ସୌଭାଗ୍ୟର କଥା ଏତିକି ଯେ, ଲକ୍ଷ୍ମୀ ଆଉ ଶନି କେବେହେଲେ ପରସ୍ପର ସହିତ ଏକାଠି ହୋଇ ରହିନଥାନ୍ତି, ମାତ୍ର ଅନ୍ତତଃ ଆମ ଏହି ଆଧୁନିକ ପୃଥିବୀରେ ସର୍ବତ୍ର ଅର୍ଥନୀତି ଏବଂ ରାଜନୀତି ଉଭୟେ ଗୋଟିଏ କ୍ଷେତ୍ରରେ ଅବସ୍ଥିତ ରହିଛନ୍ତି, ଆମ ପୃଥିବୀକୁ ଗଢ଼ିବାରେ ଓ ବିଗାଡ଼ିବାରେ ଲାଗିଛନ୍ତି । ଅର୍ଥନୀତି ରାଜନୀତିର କାନ ଧରୁଛି, ପୁଣି ରାଜନୀତି କେତେବେଳେ କର୍ତ୍ତା ସାଜି ଅର୍ଥନୀତି ଉପରେ ସ୍ୱାମିତ୍ୱ ଦେଖାଉଛି ।

 

ଆଙ୍ଗୋଲାରେ ସ୍ୱାଧୀନତା ଲାଭର କଳସ କେଉଁ ପାର୍ଟିର ହାତକୁ ଯିବ, ସେହି ସମସ୍ୟାଟିକୁ ନେଇ ନିକଟ ଅତୀତରେ ଆଫ୍ରିକାର ସେହି ଅଞ୍ଚଳଟିରେ ଯେଉଁ ଉଗ୍ର ତାମସାମାନ ଲାଗିଥିଲା, ସେଥିରେ ଯୁକ୍ତରାଜ୍ୟ ଆମେରିକାର ସରକାର ଦକ୍ଷିଣ ଆଫ୍ରିକାର ଗୋରାବାଦୀ ସରକାର ସହିତ ହାତ ମିଳାଇ ଆଙ୍ଗୋଲାର ସଂଗ୍ରାମ କ୍ଷେତ୍ରରେ ଯାଇ ଅବତୀର୍ଣ୍ଣ ହୋଇ ଯାଇଥିଲେ । ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରୀୟ ଆଦର୍ଶଟି ସହିତ ଆମେରିକାର ରାଷ୍ଟ୍ରୀୟ ଆଦର୍ଶରେ କୌଣସି ମେଳ ବା ସଙ୍ଗତି ଥିବାରୁ ଯେ ଏପରି ହେଉଥିଲା, ସେକଥା ମୋଟେ ଠିକ୍‌ ନୁହେଁ । ଦକ୍ଷିଣ ଆଫ୍ରିକାର ଗୋରାମାନେ ଅନୁସରଣ କରୁଥିବା ବର୍ଣ୍ଣବୈଷମ୍ୟ ନୀତିକୁ ସମର୍ଥନ କରୁଥିବାରୁ ଆମେରିକା ସରକାର ଯେ ସେପରି କଲେ ଓ ଧରା ପଡ଼ିଲେ, ସେକଥା ମଧ୍ୟ ନୁହେଁ । ଆଙ୍ଗୋଲା ଅଞ୍ଚଳରେ ଆମେରିକାର ଉଦ୍ୟୋଗପତିମାନଙ୍କର ଅନେକ ସ୍ୱାର୍ଥ ନ୍ୟସ୍ତ ହୋଇ ରହିଛି ଓ ସେହି ସ୍ୱାର୍ଥଗୁଡ଼ିକ ଆଗରୁ ଯେଉଁଭଳି ଥିଲା ସେହିଭଳି ରହିବ; ଅର୍ଥାତ୍‌ ଆଙ୍ଗୋଲାର ରାଷ୍ଟ୍ରୀୟ ଦାୟିତ୍ୱଟି ନିଜର ସମର୍ଥନକାରୀଙ୍କ ବ୍ୟତୀତ ସେଠାରେ ଆଉ କାହା ହାତରେ ପଡ଼ି ସେଗୁଡ଼ିକ ବିପନ୍ନ ହୋଇ ପଡ଼ିବ ନାହିଁ । ଆମେରିକା ଏଇଥିଲାଗି ହିଁ ବଡ଼ ଅକୁଶଳ ଭାବରେ ସଂପୃକ୍ତ ବ୍ୟାପାରଟି ମଧ୍ୟକୁ ମାଡ଼ି ଯାଇଥିଲା ବୋଲି ପର୍ଯ୍ୟବେକ୍ଷକମାନେ କହୁଛନ୍ତି ।

 

ଆଫ୍ରିକା ମହାଦେଶ ହିଁ ଦୀର୍ଘ ଅନେକ ବର୍ଷ ହେଲା ଆମେରିକାକୁ ତା’ର ଅତ୍ୟାବଶ୍ୟକ କେତେକ କଞ୍ଚାମାଲ ଯୋଗାଇ ଆସୁଛି । ଆମେରିକାରେ କାମରେ ଲାଗୁଥିବା ମୋଟ ମାଙ୍ଗାନିଜ ଧାତୁର ଶତକଡ଼ା ୫୪ ଭାଗ ଆଫ୍ରିକାରୁ ଆମଦାନୀ ହୋଇଆସୁଛି । ଶତକଡ଼ା ୪୭ ଭାଗ କୋବାଲଟ୍‌ ଆସୁଛି, ୨୪ ଭାଗ କ୍ରୋମ୍‌ ଓ ୨୨ ଭାଗ ଗ୍ରାଫାଇଟ୍‌ ଆସୁଛି । ପୃଥିବୀର ଯେଉଁସବୁ ଦେଶ ଆମେରିକାକୁ ତେଲ ଯୋଗାଉଛନ୍ତି, ସେମାନଙ୍କ ମଧ୍ୟରେ ଆଫ୍ରିକା ନାଇଜିଆ ଦେଶର ସ୍ଥାନ ଦ୍ୱିତୀୟରେ । ଆଫ୍ରିକାର ପଣ୍ୟବଜାରରେ ମଧ୍ୟ ଆମେରିକାର କମ୍‌ ସ୍ୱାର୍ଥ ନିହିତ ହୋଇ ରହିନାହିଁ । ୧୯୬୦ ଓ ୧୯୬୯ ଭିତରେ ଆମେରିକାରୁ ଆଫ୍ରିକାକୁ ରପ୍ତାନି ଦ୍ରବ୍ୟର ପରିମାଣ ଶତକଡ଼ା ୧୨୦ ଭାଗ ବୃଦ୍ଧି ପାଇଛି । ୧୯୭୫ ମସିହାରେ ପ୍ରଥମ ଛଅ ମାସରେ ଆମେରିକା ଆଫ୍ରିକାକୁ ପ୍ରାୟ ୨୪୦ ଭୋଟି ଡଲାର ମୂଲ୍ୟର ନାନା ଦ୍ରବ୍ୟ ରତ୍ପାନି କରିଛି ଓ ୧୯୭୩ରେ ଏହି ଅବଧିଟି ମଧ୍ୟରେ ସେଠାକୁ ରପ୍ତାନି ହୋଇଥିବା ଦ୍ରବ୍ୟର ଏହା ଦୁଇଗୁଣ ବୋଲି ହିସାବ କରାଯାଇଛି । ୧୯୭୩ରେ ଆପଣାର ଆଫ୍ରିକା-ବାଣିଜ୍ୟ ଫଳରେ ଆମେରିକାକୁ ୬୮ କୋଟି ଡଲାର ଲାଭ ମିଳିଛି । ୧୯୭୫ରେ ପରିମାଣଟି ବଢ଼ି ୯୬ କୋଟି ହୋଇଛି ବୋଲି ଅନ୍ଦାଜ ଲଗାଯାଇଛି । ଏକଚାଟିଆ ଅଧିକାର ପାଇ ଆଫ୍ରିକାରେ ବାଣିଜ୍ୟ କାରବାର କରୁଥିବା ଆମେରିକାର କମ୍ପାନୀମାନେ ହିଁ ଏହି ଲାଭାଂଶର ଅଧିକାରୀ ହୋଇଛନ୍ତି ।

 

ଆଫ୍ରିକାରେ ଆମେରିକାର ମୂଳଧନ ଖଟାହେବା ହିଁ ଏକ ଲାଭଜନକ କାରବାର ହୋଇ ରହିଛି । ଆଫ୍ରିକାରେ ଖଟାହୋଇଥିବା ଆମେରିକାନ୍‌ ଘରୋଇ ପୁଞ୍ଜିର ପରିମାଣ ୧୯୬୪ ରେ ୧୮୦ କୋଟି ଡଲାର ଥିଲା ଓ ୧୯୭୩ ବେଳକୁ ତାହା ୪୧୦ କୋଟିକୁ ବୃଦ୍ଧି ପାଇସାରିଥିଲା ।

 

ଆଫ୍ରିକା ଏକ ଉପନିବେଶ ହୋଇ ରହିଥିବା ବେଳୁ ଆର୍ଥିକ ସ୍ୱାର୍ଥ ଏବଂ ଆର୍ଥିକ ଲାଭର ଏହିସବୁ ମଞ୍ଜି ପୋତା ହୋଇଥିଲା । ସ୍ୱାଧୀନ ଆଫ୍ରିକାରେ ସେହି ପୁରାତନ ସୌଧଟି କୁଆଡ଼େ ଧୂଳିସାତ୍‌ ହୋଇଯିବ । ସ୍ୱାଧୀନ ଆଫ୍ରିକା କଦାପି କୌଣସି ଏକଚାଟିଆ ବ୍ୟବସାୟକୁ ପ୍ରଶ୍ରୟ ଦେବନାହିଁ । ଆମେ ସେଇଥିଲାଗି ଆମେରିକାକୁ ଆଫ୍ରିକା ମହାଦେଶରେ ସ୍ୱାଧୀନତା ଓ ନୂତନ ସ୍ଥାପନାର ବିପକ୍ଷ ଶିବିରରେ ଦେଖିବାକୁ ପାଉଛୁ କି ? ଆଜି ଏ ପ୍ରଶ୍ନଟି ସମସ୍ତଙ୍କ ମନକୁ ଆନ୍ଦୋଳିତ କରୁଥିବା ଏକ ସ୍ୱାଭାବିକ କଥା ନୁହେଁ କି ?

 

ତା ୨୬.୦୪.୧୯୭୬ ରିଖ

Image

 

ମାରଣାସ୍ତ୍ରର ଆତଙ୍କ

 

୧୯୪୬ ମସିହାରେ ଯେତେବେଳେ ଜାପାନର ଦୁଇଟି ସହର ଉପରେ ଆମ ଏଯୁଗର ପ୍ରଥମ ପରମାଣୁ ବୋମା ପକାହେଲା, ସେତେବେଳେ ପୃଥିବୀର କେବଳ ଗୋଟିଏ ଦେଶକୁ ସେହି ବୋମା ତିଆରି କରିବାର ବିଦ୍ୟାଟି ଜଣାଥିଲା । କେବଳ ଆମେରିକା ହିଁ ସେହି ଗୁମରଟିକୁ ଜାଣିଥିଲା । ଏହି ଗୋଟିଏ ଅସାଧାରଣ ବିଦ୍ୟା, ଯାହା କେବଳ ଆମେରିକାରେ ଅଛି ଏବଂ ପୃଥିବୀରେ ଆଉ କାହାରି ପାଖରେ ନାହିଁ, ଆମେରିକାକୁ ସମ୍ଭବତଃ ତାହା ଅନନ୍ତକାଳ ଲାଗି ପୃଥିବୀର ରାଜନୈତିକ ଓ ସାମାଜିକ କ୍ଷେତ୍ରରେ ଅଗ୍ରଣୀ ଏବଂ ଅଜେୟ କରି ରଖିବ ବୋଲି ଆମେରିକାର ରାଷ୍ଟ୍ରନେତାମାନେ ସେତେବେଳେ ନିଶ୍ଚୟ କେଡ଼େ ହୃଷ୍ଟ ହୋଇପଡ଼ିଥିବେ; କିନ୍ତୁ ଏହି ହୃଷ୍ଟତା ଆଦୌ ବେଶିଦିନ ସ୍ଥାୟୀ ହେଲାନାହିଁ । ଆମେରିକା ଯାହା ଜାଣିଥିଲା, ଋଷିଆର ବୈଜ୍ଞାନିକମଣ୍ଡଳୀ ତାଙ୍କ ଦେଶର ସରକାରଙ୍କୁ ମଧ୍ୟ ସେଇଟିକୁ ଆଣି ଯୋଗାଇଦେଲେ । ବୋମା ବିଦ୍ୟାର ଏହି ନୂତନ କ୍ଷେତ୍ରରେ ତୁମୁଳ ପ୍ରତିଦ୍ୱନ୍ଦିତା ଚାଲିଲା, ସାନ ବୋମା ପରେ ବଡ଼ ବୋମା ତିଆରି ହେଲା । ସାନ ପରମାଣୁ ବୋମା ପରେ ପ୍ରାୟ ଦଶ ହଜାର ଗୁଣ ଅଧିକ ଧ୍ୱଂସକାରିଣୀ ଶକ୍ତି ବହନ କରୁଥିବା ନୂଆ ଉଦ୍‌ଯାନ ବୋମା ଆସି ପହଞ୍ଚିଲା ଏବଂ ସୌଭାଗ୍ୟବନ୍ତମାନଙ୍କ ଶିବିରରେ ଆମେରିକା ଓ ଋଷିଆ ପଛକୁ ଇଂଲଣ୍ଡ୍‌ ଆସିଲା, ଫ୍ରାନ୍‌ସ୍‌ ଆସିଲା, ଚୀନ୍‌ ପଛକୁ ଭାରତ ମଧ୍ୟ ଆସି ପହଞ୍ଚିଲା । ଯାହାର ଅଧିକାର ଦିନେ ପୃଥିବୀର ଗୋଟାଏ ଦେଶକୁ କେଡ଼େ ହୃଷ୍ଟ ହୋଇ ପଡ଼ିବାର ଅବସର ଆଣି ଦେଇଥିଲା, ପ୍ରାୟ ପଚିଶିଟା ବର୍ଷ ଭିତରେ ତାହା ସମଗ୍ର ପୃଥିବୀ ଲାଗି ଏକ ଭୟାବହ ଆତଙ୍କରେ ପରିଣତ ହୋଇଗଲା ।

 

ଆମେରିକା ଯୁକ୍ତରାଜ୍ୟର ଜଣେ ଖ୍ୟାତିବାନ ବୈଜ୍ଞାନିକ ଶ୍ରୀ ଡେଭିଡ଼୍‌ ଲିଲିଏନ୍‌ଥାଲ୍‌ ଏବେ ଆମେରିକା ଏକତରଫା ଭାବରେ ପୃଥିବୀର ଅନ୍ୟାନ୍ୟ ଦେଶକୁ ପରମାଣୁ ଶକ୍ତି ସମ୍ୱନ୍ଧୀୟ ଯାବତୀୟ ସାମଗ୍ରୀ ଓ ସରଞ୍ଜାମ ରପ୍ତାନୀ କରିବା ବନ୍ଦ କରିଦେଉ ବୋଲି ମନ୍ତବ୍ୟ ପ୍ରକାଶ କରୁଛନ୍ତି-। ଆମେରିକାର ବହିଃବାଣିଜ୍ୟ କ୍ଷେତ୍ରରେ ଆମେରିକା ଏହି ବାବଦକୁ ବର୍ଷରେ ପ୍ରାୟ ୭୨୦ କୋଟି ଟଙ୍କାରୁ ଅଧିକ ଉପାର୍ଜନ କରୁଛି । ତେଣୁ ତାଙ୍କର ଏହି ସତର୍କବାଣୀ ଓ ଏହି ପ୍ରସ୍ତାବକୁ ଆମେରିକାର ଶାସନକର୍ତ୍ତାମାନେ ପ୍ରକୃତରେ କେତେଦୂର ଗୁରୁତ୍ୱ ଦେଇ ଶୁଣିବେ ସେ ବିଷୟରେ ସନ୍ଦେହ କରିବାର ଯଥେଷ୍ଟ କାରଣ ରହିଛି । କିନ୍ତୁ ଅବସ୍ଥା ଏତେ ବିପଦପୂର୍ଣ୍ଣ ହୋଇପଡ଼ିଲାଣି ଯେ ପରମାଣୁ ଶକ୍ତିର ଅଧିକାରୀ ହୋଇଥିବା ପୃଥିବୀର ଅନ୍ୟ ଦେଶମାନେ ଏଦିଗରେ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରିବା ପୂର୍ବରୁ ଆମେରିକା ଏକତରଫା ଏହା କରୁ ଓ ପୃଥିବୀର ବୁଦ୍ଧିକୁ ଏ ବିଷୟରେ ସଚେତନ କରି ଦେଉ ବୋଲି ବୈଜ୍ଞାନିକ ଲିଲିଏନ୍‌ଥାଇ ଦୃଢ଼ ଭାବରେ ଘୋଷଣା କରିଛନ୍ତି ।

 

୧୯୭୩-୧୯୭୪ ବେଳେ ଆରବର ତେଲ ମାଲିକ ସରକାରମାନେ ତେଲର ମୂଲ୍ୟକୁ ଯେପରି ଏକତରଫା ଭାବରେ ବଢ଼ାଇଦେଲେ, ତା’ପରେ ପୃଥିବୀର ଅନେକ ଦେଶ ପରମାଣୁ ଶକ୍ତିବିଶିଷ୍ଟ ଶକ୍ତିଉତ୍ପାଦନ କେନ୍ଦ୍ରମାନ ଆରମ୍ଭ କରିବା ଦିଗରେ ପ୍ରଲୁବ୍‌ଧ ହୋଇଛନ୍ତି ଏବଂ ତାହା ଫଳରେ ପୃଥିବୀର ଅନେକ ଦେଶ ଏହି ପରମାଣୁ ଶକ୍ତିର କ୍ରେତା ହୋଇ ବାହାରିଛନ୍ତି । ଏହା ଫଳରେ ଏହି ସଂକ୍ରାନ୍ତୀୟ ସରଞ୍ଜାମଗୁଡ଼ିକର ଚାହିଦା ମଧ୍ୟ ଅତିରିକ୍ତ ପରିମାଣରେ ବୃଦ୍ଧି ପାଇଛି । ଏହି କ୍ଷେତ୍ରରେ ଆସନ୍ତା ପାଞ୍ଚବର୍ଷ ଭିତରେ ପ୍ରାୟ ୩୦୦୦୦ କୋଟି ଟଙ୍କାରୁ ଅଧିକ ପରିମାଣର କାରବାର ଚାଲିବ ବୋଲି ଆଶଙ୍କା କରାଯାଉଛି ।

 

ପାରମାଣବିକ ରିଆକ୍‌ଟର୍‌ ଯଦି ଏହିପରି ଭାବରେ ପ୍ରସାରଲାଭ କରେ, ତେବେ ତଦ୍ଦ୍ୱାରା ଯେ କେବଳ ଶକ୍ତିର ଉତ୍ପାଦନ ହେବ ତା’ ନୁହେଁ, ସେଥିରୁ ବର୍ଷକୁ ପ୍ରାୟ ୩୦୦୦ ପରମାଣୁ ବୋମା ତିଆରି କଲାଭଳି ଯଥେଷ୍ଟ ପରିମାଣରେ ପ୍ଲୁଟୋନିଅମ ମଧ୍ୟ ମିଳିବ ବୋଲି ଅନୁମାନ କରାଯାଉଛି । ଯେଉଁସବୁ ଦେଶ ବର୍ତ୍ତମାନ ଶକ୍ତି ପାଇଁ ପାରମାଣବିକ ରିଆକ୍‌ଟର୍‌ ଲାଗି ଆଗ୍ରହ ପ୍ରକାଶ କରୁଛନ୍ତି, ଆଣବିକ ଅସ୍ତ୍ର ଲାଗି ମଧ୍ୟ ସେମାନଙ୍କ ଭିତରେ ପ୍ରଚ୍ଛନ୍ନ ଆଗ୍ରହ ରହିଛି ବୋଲି ସନ୍ଦେହ କରାଯାଉଛି । ଏଠାରେ ବ୍ରାଜିଲ୍‌, ଦକ୍ଷିଣ ଆଫ୍ରିକା, ଦକ୍ଷିଣ କୋରିଆ, ଇରାନ୍‌ ଓ ଆର୍ଜେଣ୍ଟିନାର ଦୃଷ୍ଟାନ୍ତ ନିଆଯାଇପାରେ । ଅଧିକ ଶକ୍ତି ଲାଗି ପାରମାଣବିକ ରିଆକ୍‌ଟର୍‌ରୁ କାମ ନେଉ ନେଉ ଏମାନେ ହୁଏତ ହଠାତ୍‌ ପରମାଣୁ ବୋମା ଆଡ଼କୁ ମନ ବଳାଇ ପକାଇବେ ।

 

ଶତାବ୍ଦୀର ଶେଷ ବେଳକୁ ପୃଥିବୀର ପ୍ରାୟ ୭୫ଟି ଦେଶ ପରମାଣୁ ଅସ୍ତ୍ର ତିଆରି କରିପାରୁଥିବେ ବୋଲି ଆମେରିକାର ସ୍ୱର୍ଗତ ରାଷ୍ଟ୍ରପତି କେନେଡ଼ି ଥରେ ଏକ ଚେତାବନୀ ଦେଇ କହିଥିଲେ । ପୃଥିବୀର ରାଷ୍ଟ୍ରମାନେ ଜାତୀୟତାବାଦୀ ଏକ ଉଗ୍ରତାଦ୍ୱାରା ପ୍ରେରିତ ହୋଇ ହୁଏତ ସେହି ସ୍ଥିତି ଆଡ଼କୁ ଅଗ୍ରସର ହେବାକୁ ଆରମ୍ଭ କଲେଣି ବୋଲି ଏବେ ବୈଜ୍ଞାନିକମାନେ ଆମକୁ ଚେତାବନୀ ଶୁଣାଇ ଦେଇଛନ୍ତି ।

 

ତା ୨୮.୦୪.୧୯୭୬ ରିଖ

Image

 

ଆଫ୍ରିକାର ନାସିକା

 

ଆଫ୍ରିକା ମହାଦେଶର ଉତ୍ତରପୂର୍ବ ଅଗଟି ଠିକ୍‌ ଯେଉଁଠାରେ ମୁନିଆ ହୋଇ ସମୁଦ୍ର ଭିତରକୁ ପଶିଯାଇଛି, ସେହିଠାରେ ସୋମାଲିଆ ସାଧାରଣତନ୍ତ୍ର ଅବସ୍ଥିତ । ସୋମାଲିଆ ଆଗେ ଅଂଶତଃ ଫ୍ରାନ୍‌ସ୍‌ର ଓ ଅଂଶତଃ ଇତାଲୀର ଉପନିବେଶ ହୋଇ ରହିଥିଲା । ସୋମାଲିଆ କହିଲେ ନ୍ୟାୟତଃ ସୋମାଲି ଜାତିର ଲୋକମାନେ ବାସ କରୁଥିବା ଭୂମିକୁ ବୁଝାଇବା ଉଚିତ । ମାତ୍ର ରାଜନୀତିକ ଅର୍ଥରେ ବର୍ତ୍ତମାନ ଯେତିକି ଅଞ୍ଚଳକୁ ସୋମାଲିଆ ବୋଲି କୁହାଯାଉଛି, ସମଗ୍ର ସୋମାଲି ଜାତି କେବଳ ସେତିକି ଅଞ୍ଚଳ ଭୂମିରେ ବାସ କରୁନାହାନ୍ତି । ସେମାନେ ଆହୁରି ନାନା ଦେଶରେ ବାସ କରୁଛନ୍ତି । ବିଶେଷତଃ ଏଥିଓପିଆ, କେନିଆ ଏବଂ ଜିବୁଟି ବନ୍ଦର ଚାରିପାଖରେ ରହିଥିବା ଫରାସୀ ଔପନିବେଶିକ ଅଞ୍ଚଳରେ ସୋମାଲିମାନେ ବାସ କରୁଛନ୍ତି ।

 

୧୯୬୦ରେ ଔପନିବେଶିକ ଶାସନରୁ ମୁକ୍ତ ହୋଇ ଏକ ସ୍ୱାଧୀନ ରାଜ୍ୟ ହିସାବରେ ପ୍ରତିଷ୍ଠିତ ହେବା ପରେ ସୋମାଲିଆର ସରକାରୀ ନାୟକମାନେ ସୋମାଲିମାନେ ବାସ କରୁଥିବା ସବୁଯାକ ଅଞ୍ଚଳକୁ ଗୋଟିଏ ଶାସନର ଅଧୀନକୁ ଅର୍ଥାତ୍‌ ସୋମାଲିଆର ଅଧୀନକୁ ଆଣିବାକୁ ଆପଣାର ଜାତୀୟ ନୀତି ବୋଲି ଗ୍ରହଣ କରି ଆସିଛନ୍ତି । ବିଶେଷ କରି ୧୯୬୯ ମସିହାରେ ସୋମାଲିଆରେ ଏକ ସୈନିକ ଶାସନ କାଏମ୍‌ ହେବା ପରଠାରୁ ଏହି ଉଦ୍ୟମରେ ସତେଅବା ଅଧିକ ଉତ୍ସାହର ଡେଣା ଲାଗିଛି ଓ ତଦ୍ଦ୍ୱାରା ଏହି ଅଞ୍ଚଳଟିରେ କ୍ରମଶଃ ଅଧିକ ଉତ୍ତେଜନା ସୃଷ୍ଟି ହେବାକୁ ଆରମ୍ଭ କରିଛି ।

 

ଏବଂ ସେହିଦିନଠାରୁ ଏଥିଓପିଆ ହିଁ ସେମାଲିଆର ନେତାମାନଙ୍କର ସର୍ବପ୍ରଧାନ ଶରବ୍ୟ ହୋଇଛି । ୧୯୭୪ ମସିହାରେ ଯେତେବେଳେ ଏଥିଓପିଆରେ ଦୀର୍ଘ ପ୍ରତିଷ୍ଠିତ ସମ୍ରାଟ ଶାସନର ଅବସାନ ଘଟିଲା, ସେତେବେଳେ ଉପୁଜିଥିବା ଅନିଶ୍ଚିତ ଅବସ୍ଥାଟିରୁ ଫାଇଦା ଉଠାଇବା ଲାଗି ସୋମାଲିଆକୁ ନିଶ୍ଚୟ ଅଧିକ ଉତ୍ସାହ ମିଳିଥିବ । ଏଥିଓପିଆର ଦକ୍ଷିଣପୂର୍ବ କୋଣରେ ତେଲଖଣି ଥିବାର ସମ୍ଭାବନା ପ୍ରକାଶ ପାଉଛି ଏବଂ ସେହି ଅଞ୍ଚଳଟିରେ ସୋମାଲି ଯାଯାବରମାନେ ବିଚରଣ କରୁଥିବାରୁ ସେଇଟିକୁ ନିଜର ବୋଲି ଦାବୀ କରିବାପାଇଁ ସୋମାଲିଆକୁ ଆଉ ଏକ କାରଣ ମିଳିଛି । ପୁଣି ସେତିକିବେଳେ ଏଥିଓପିଆରେ ଏକ ଭୟଙ୍କର ମରୁଡ଼ି ଅବସ୍ଥା ଆସି ପଡ଼ିଥିବାରୁ ସେହି ଦେଶରେ ବାସ କରୁଥିବା ବିଭିନ୍ନ ଜାତି ମଧ୍ୟରେ ଯେଉଁ ଅସନ୍ତୋଷ ଓ ବିକ୍ଷୁବ୍‌ଧତା ଦେଖା ଦେଇଛି, ସେଇଟି ମଧ୍ୟ ସୋମାଲିଆର ଶାସକମାନଙ୍କ ଲାଗି ଆଶାର କାରଣ ହୋଇଛି । ଏଥିଓପିଆର କେନ୍ଦ୍ର ଶାସନଟିର ବିରୁଦ୍ଧରେ ତାହାର ଏକ ପ୍ରଦେଶ ଇରିଟ୍ରିଆରେ ଯେଉଁ ବିଦ୍ରୋହ ହୋଇଛି, ସୋମାଲିଆ ପ୍ରାୟ ଆରମ୍ଭରୁ ହିଁ ତାହାକୁ ଉତ୍ସାହିତ କରିଆସିଛି ।

 

ଏହି ଶତ୍ରୁତାକୁ ଅଧିକ ଉତ୍ତେଜିତ କରିବା ଲାଗି ଧର୍ମର ସାହାଯ୍ୟ ମଧ୍ୟ ନିଆଯାଇଛି । ସୋମାଲିଆ ନିଜକୁ ଇସ୍‌ଲାମିକ୍‌ ବୋଲି କହି ଖ୍ରୀଷ୍ଟିଆନ୍‌ମାନଙ୍କ ଦ୍ୱାରା ଶାସିତ ଏଥିଓପିଆକୁ ଆପଣାର ଏକ ଶତ୍ରୁ ବୋଲି ଦେଖାଇବା ଲାଗି ଏକ ସହଜ ପ୍ରମାଣ ପାଇଯାଇଛି । ଅବଶ୍ୟ ଏଥିଓପିଆରେ ରହିଥିବା ମୁସଲମାନମାନଙ୍କୁ କେବଳ ଗୋଟିଏ କୁପ୍ରରୋଚନା ଦେବା ବ୍ୟତୀତ ଏଥିରେ ଆଉ କୌଣସି ସାରବତ୍ତା ନାହିଁ । କାରଣ ସମ୍ପତ୍ତିର ସମାଜୀକରଣ ଏବଂ ପୁରୁଷ ସହିତ ସ୍ତ୍ରୀକୁ ସମାନ ଅଧିକାର ଦେବାର ସରକାରୀ ଆଦେଶ ବିରୁଦ୍ଧରେ ପ୍ରତିବାଦ କରିଥିବାରୁ ସୋମାଲିଆ ସରକାର ସେଠି କେତେକେତେ ମୁସଲମାନ ଧର୍ମମୁଖ୍ୟମାନଙ୍କୁ ପ୍ରାଣଦଣ୍ଡ ବି ଦିଆଇଛନ୍ତି । ତେଣୁ ଧର୍ମକୁ ରାଜନୀତିକ ଉଦ୍ଦେଶ୍ୟସିଦ୍ଧିରେ ଆଣି ଖଟାଇବା ବ୍ୟତୀତ ଧର୍ମ ବିଷୟରେ ସୋମାଲିଆ ସରକାରଙ୍କର ପ୍ରକୃତରେ ଯେ କୌଣସି ଆଗ୍ରହ ରହିଛି, ସେପରି ବିଶ୍ୱାସ କରିବାର କୌଣସି କାରଣ ନାହିଁ । ସୋମାଲି ଭାଷା ମଧ୍ୟ ଏଣିକି ଆରବୀ ଲିପି ବଦଳରେ ଲାଟିନ୍‌ ଲିପିରେ ଲେଖାଯିବ ବୋଲି ଅଧ୍ୟାଦେଶ ଜାରି ହୋଇ ସାରିଲାଣି । ସୋମାଲିଆ ଆରବ ଲୀଗ୍‌ରେ ଗୋଟିଏ ସଦସ୍ୟ ଦେଶ ହୋଇ ରହିଥିବାରୁ ଅଧିକାଂଶ ଆରବ ଦେଶ ଏଥିଓପିଆ ବିରୁଦ୍ଧରେ ସୋମାଲିଆର ଦାବୀଗୁଡ଼ିକୁ ହିଁ ସମର୍ଥନ କରୁଛନ୍ତି ।

 

ଏସବୁ ଉଗ୍ରତାକୁ ଏକ ତ୍ୱରାନ୍ୱିତତା ଏବଂ ପ୍ରକୋପ ଆଣିଦେବା ପଛରେ ବୃହତ୍‌ ଶକ୍ତିମାନଙ୍କର ଅସ୍ତ୍ରସାହାଯ୍ୟ ଏକ ବଡ଼ କାରଣ ହୋଇ ରହିଛି । ସ୍ମରଣ ରଖିବାକୁ ହେବ ଯେ ସୋମାଲିଆ ଏବଂ ଏଥିଓପିଆ ଉଭୟ ଦେଶରେ ସୈନ୍ୟାଧ୍ୟକ୍ଷମାନଙ୍କର ବିପ୍ଳବବାଦୀ ସରକାରମାନ ସ୍ଥାପିତ ହୋଇଛି ଓ ସେମାନେ ପ୍ରକୃତି ଦ୍ୱାରା ପ୍ରବୃତ୍ତ ହେଲାପରି ସବୁ ସମସ୍ୟାର ସାମରିକ ସମାଧାନଟାକୁ ହିଁ ସର୍ବାଗ୍ର ସମାଧାନ ବୋଲି ବିଚାର କରି ବସୁଛନ୍ତି ଏବଂ ଏକ ଜନସମୂହର ରାଜନୀତିକ ବିକାଶକୁ ସମ୍ଭବତଃ ଆଦୌ ମହତ୍ତ୍ୱପୂର୍ଣ୍ଣ ବୋଲି ବିଚାରୁ ନାହାନ୍ତି । ପୃଥିବୀର ରାଜନୀତିକ ଉତ୍ତାପକ୍ଷେତ୍ରରେ ଏଥିଓପିଆ ଗୋଟିଏ ବୃହତ୍‌ଶକ୍ତି ପାଖରୁ ଅସ୍ତ୍ରଶସ୍ତ୍ର ପାଉଛି ଏବଂ ସୋମାଲିଆ ଆରପଟଟିରୁ ଆପଣାର ଯାବତୀୟ ସାମରିକ ଖୋରାକ ହୁଏତ ମାଗିବା ପୂର୍ବରୁ ମଧ୍ୟ ପାଇଯାଉଛି । ତେଣୁ ଜାତୀୟ ନୀତିଗୁଡ଼ିକର ନିର୍ଦ୍ଧାରଣ ପୂର୍ବରୁ ହିଁ ସାମରିକ ବଳର ଦମ୍ଭ ଦ୍ୱାରା ପ୍ରେରିତ ହୋଇ ପାରସ୍ପରିକ କଳହ ଭିତରେ ଶକ୍ତିକ୍ଷୟ କରିବାକୁ ଓ ତଦ୍ଦ୍ୱାରା ବହିଃଶକ୍ତିମାନଙ୍କ ହାତରେ କ୍ରୀଡ଼ନକ ହୋଇ ରହିବାକୁ ସଂପୃକ୍ତ ଦେଶଗୁଡ଼ିକୁ ଆଗ ଫନ୍ଦା ମିଳିଯାଉଛି ।

 

ସୋମାଲିଆରୁ ଅସ୍ତ୍ରଶସ୍ତ୍ର ପଠାହୋଇ ଏବେ ଏଥିଓପିଆରେ ବାସ କରୁଥିବା ସୋମାଲିମାନଙ୍କୁ ଦିଆହେବାରେ ଲାଗିଛି ଓ ସେମାନଙ୍କୁ ଏଥିଓପିଆ ବିରୁଦ୍ଧରେ ନାନା ଭଙ୍ଗାରୁଜା କାର୍ଯ୍ୟରେ ତତ୍ପର ହେବାଲାଗି ଉତ୍ସାହିତ କରାଯାଉଛି । ଏହାରି ଫଳରେ ଦକ୍ଷିଣ ଏଥିଓପିଆର କେତେକ ଥାନା ଉପରେ, ସୀମାସ୍ଥ ଶୁଳ୍କ ଆଦାୟ କେନ୍ଦ୍ରଗୁଡ଼ିକ ଉପରେ ଓ ମରୁଡ଼ି ସାହାଯ୍ୟ କେନ୍ଦ୍ରଗୁଡ଼ିକ ଉପରେ ମଧ୍ୟ କେତେକ ଆକ୍ରମଣ ଆରମ୍ଭ ହୋଇ ସାରିଲାଣି । ତେଣେ ଜିବୁଟିର ମହତ୍ତ୍ୱପୂର୍ଣ୍ଣ ବନ୍ଦରଟିକୁ ଦଖଲ କରିବା ଲାଗି ମଧ୍ୟ ସେହି ଫରାସୀ ଉପନିବେଶରେ ସୋମାଲିଆ ସରକାରଙ୍କର ପରୋକ୍ଷ ସମର୍ଥନରେ ଏକ ଗରିଲାବାହିନୀକୁ ସକ୍ରିୟ କରି ରଖାଯାଇଛି । ଏହିସବୁ ସଜବାଜ ଓ ଷଡ଼ଯନ୍ତ୍ର ଦେଖି ଏଥିଓପିଆ ଏବଂ ସୋମାଲିଆ ମଧ୍ୟରେ ହୁଏତ ଏକ ସାନ ଆକାରର ଯୁଦ୍ଧ ଲାଗିଯିବ ବୋଲି ଅନେକେ ଆଶଙ୍କା କରିବାକୁ ଆରମ୍ଭ କଲେଣି ।

 

ତା ୦୭.୦୫.୧୯୭୬ ରିଖ

Image

 

Unknown

ନାଇରୋବି ସମ୍ମିଳନୀ

 

କେନିଆର ରାଜଧାନୀ ନାଇରୋବିଠାରେ ବର୍ତ୍ତମାନ ଆନ୍ତର୍ଜାତିକ ବାଣିଜ୍ୟ ଏବଂ ବିକାଶ ସଂକ୍ରାନ୍ତୀୟ ଏକ ସମ୍ମିଳନୀ ବସିଛି । ଏହି ସମ୍ମିଳନୀ ମୋଟ ତିନି ସପ୍ତାହ ଲାଗି ବସିବ । ପୃଥିବୀର ବିକାଶମୁଖୀ ଓ ସୁବିକଶିତ ଅନେକ ରାଷ୍ଟ୍ରର ପ୍ରତିନିଧିମାନେ ଏହି ସମ୍ମିଳନୀରେ ଯୋଗ ଦେଇଛନ୍ତି ଓ ମିଳିତ ଜାତିସଂଘର ସେକ୍ରେଟାରୀ ଜେନେରାଲ ଶ୍ରୀଯୁକ୍ତ କୁଆର୍ଟ ଭାଲ୍‌ଡ୍‌ହାଇମ୍‌ ଏହି ସମ୍ମିଳନୀର ଉଦ୍‌ଘାଟନ ଭାଷଣ ଦେଇଛନ୍ତି ।

 

ଆନ୍ତର୍ଜାତିକ ଏହି ସମ୍ମିଳନୀଟି ବର୍ଷକୁ ବର୍ଷ ପୃଥିବୀର ନାନା ସ୍ଥାନରେ ବସେ ଏବଂ ପୃଥିବୀର ଅର୍ଥନୈତିକ ପରିସ୍ଥିତି ତଥା ଅର୍ଥନୈତିକ ଭବିଷ୍ୟତ ବିଷୟରେ ଆଲୋଚନା ଓ ପର୍ଯ୍ୟାଲୋଚନାମାନ କରିଥାଏ । ପୃଥିବୀର ଅର୍ଥନୈତିକ ସମ୍ୱନ୍ଧର ପରିସ୍ଥିତିଟି ବର୍ତ୍ତମାନ ଏକ ବଡ଼ ମହତ୍ୱପୂର୍ଣ୍ଣ ପର୍ଯ୍ୟାୟ ମଧ୍ୟଦେଇ ଗତିକରୁଛି । ବର୍ତ୍ତମାନ ମନୁଷ୍ୟଜାତି ଏପରି ଏକ ମୀମାଂସାସ୍ଥଳରେ ଆସି ପହଞ୍ଚଛି, ଯେଉଁଠାରେ କି ପୂରାତନ ଅର୍ଥନୈତିକ ସମ୍ୱନ୍ଧ ଓ ବ୍ୟବସ୍ଥାଗୁଡ଼ାକ ଆଉ ମୋଟେ କାମଦେବ ନାହିଁ ବୋଲି ତା’ର ପ୍ରାୟ ପୂର୍ଣ୍ଣ ହୃଦ୍‌ବୋଧ ହୋଇ ସାରିଲାଣି; ମାତ୍ର ଯୁଗୋଚିତ ଏକ ନୂତନ ଅର୍ଥନୈତିକ ସମ୍ୱନ୍ଧ ଓ ବ୍ୟବସ୍ଥାର ସକ୍ରିୟ ପ୍ରବର୍ତ୍ତନ ଲାଗି ଦୃଷ୍ଟିକୋଣର କ୍ଷେତ୍ରରେ ମନୁଷ୍ୟଜାତିର ଯେଉଁସବୁ ମୌଳିକ ପରିବର୍ତ୍ତନ ଲୋଡ଼ା, ସେଗୁଡ଼ିକ ଲାଗି ରାଷ୍ଟ୍ରୀୟ ସ୍ତରରେ ପୃଥିବୀର ଅଧିକାଂଶ ଜନସମୂହ ଆଦୌ ପ୍ରସ୍ତୁତ ହୋଇ ପାରି ନାହାନ୍ତି । ତେଣୁ ବଡ଼ ଅସନା ଭାବରେ ସେମାନେ ସେହି ପୁରାତନ ଅର୍ଥନୀତି ଓ ତାହାର ରୀତିଗୁଡ଼ାକୁ ଧରି ପଡ଼ି ରହିଛନ୍ତି ।

 

ଆଗେ ଜାତୀୟ ଅର୍ଥନୀତି ଥିଲା । ଜାତି କହିଲେ ସେତେବେଳେ ଇଉରୋପ ଓ ଆମେରିକାର କେତେଟା ଦେଶକୁ ବୁଝାଉଥିଲା । ସେତେବେଳେ ଉପନିବେଶବାଦର ସହଜ ଡିହଟା ଉପରେ ପୁଞ୍ଜିବାଦୀ ଅର୍ଥନୀତିର ସଫଳ ଓ ସୁଦୃଢ଼ ଖୁଣ୍ଟଗୁଡ଼ାକ ବଡ଼ ଆଣ୍ଟରେ ଠିଆହୋଇ ରହିଥିଲା । ଗତ ପଚିଶିବର୍ଷ ଭିତରେ ପୃଥିବୀର ରାଜନୀତିକ ମାନଚିତ୍ରଟି ଏକାବେଳକେ ଓଲଟପାଲଟ ହୋଇଗଲା । ଉପନିବେଶଗୁଡ଼ାକ ସ୍ୱାଧୀନ ସାର୍ବଭୌମ ରାଷ୍ଟ୍ରରେ ପରିଣତ ହେଲେ-। ପ୍ରତ୍ୟେକ ରାଷ୍ଟ୍ରକୁ ସଦସ୍ୟ ହୋଇ ରହିବାର ସମାନ ଅଧିକାର ଦେଇ ମିଳିତ ଜାତିସଂଘର ପ୍ରତିଷ୍ଠା ହେଲା । ସମଗ୍ର ପୃଥିବୀ ଲାଗି ପ୍ରଥମଥର ପାଇଁ ଏକାଠି ଯୋଜନା କରାଗଲା-। ପୁରାତନ ରାଜନୀତି ବଦଳିଯାଉଥିବା ସଙ୍ଗେ ସଙ୍ଗେ ପୁରାତନ ଅର୍ଥନୀତିଟା ଯେ ଆଉ ମୋଟେ କୌଣସି କାମ ଦେବନାହିଁ, ସେକଥା କ୍ରମେ ସ୍ପଷ୍ଟ ହୋଇଯିବାକୁ ଲାଗିଲା । ବିଶେଷଜ୍ଞମାନେ ପ୍ରାୟ ଏକ ଅଭୂତପୂର୍ବ ନୂଆ ଆଖିରେ ବିଶ୍ୱ-ଅର୍ଥନୀତିର ନୂଆ ମସୁଧାମାନ କରିବାକୁ ଲାଗିଲେ । ସମଗ୍ର ପୃଥିବୀ ଲାଗି ବିକାଶ ଦଶକର ପାଳନ କରାଗଲା । ମନୁଷ୍ୟଜାତି ସତେଅବା ଏକ ନୂତନ ମେରୁଦଣ୍ଡ ସହିତ ଠିଆ ହେବାକୁ ଇଚ୍ଛା କରୁଥିଲା ପରି ବୋଧ ହେବାକୁ ଲାଗିଲା ।

 

ଆନ୍ତର୍ଜାତିକ ବାଣିଜ୍ୟ ଓ ଆନ୍ତର୍ଜାତିକ ବିକାଶର ମାଧ୍ୟମରେ ଆନ୍ତର୍ଜାତିକ ଅର୍ଥନୈତିକ ବ୍ୟବସ୍ଥାକୁ ଆମେ ଯେ ଏକ ନୂଆ ଛାଞ୍ଛରେ ଅନୁକୂଳ କରି ଆଣି ପକାଇ ପାରିବା, ଏକଥାଟା ସମ୍ଭବ ପରି ମନେହେଲା । ଜାତୀୟବାଦୀ ଅର୍ଥନୀତିରେ ଯେଉଁ ରାଷ୍ଟ୍ରମାନେ ବଳି ଆସିଥିଲେ ଓ ସେଥିରୁ ଲାଭବାନ୍‌ ହୋଇଆସିଥିଲେ, ଏହି ପରିବର୍ତ୍ତନରେ ସେହିମାନେ ସବୁଠାରୁ ଅଧିକ ପ୍ରତିକ୍ରିୟାଶୀଳ ମନୋବୃତ୍ତି ଦେଖାଇଲେ । କାଳର ନୂତନ ଦାବୀ ଅନୁସାରେ ସେମାନେ ନୂତନ ଅର୍ଥନୈତିକ ଭାଷାରେ କଥା କହିଲେ ସତ, ମାତ୍ର ତଥାପି ପୁରାତନ ଅନେକ ଭୟ ଓ ଅନେକ ନିରାପତ୍ତାକୁ ଛାଡ଼ିବା ଲାଗି ସହଜରେ ସମ୍ମତ ହେବାକୁ ଚାହିଲେ ନାହିଁ । ବାଣିଜ୍ୟ ଓ ବିକାଶର ଆନ୍ତର୍ଜାତିକ କାଉନ୍‌ସିଲ୍‌ଟି ବର୍ଷ ବର୍ଷ ଧରି ଏହି ସମସ୍ୟାରୁ ଉକୁ ହେଉଥିବା ପ୍ରଶ୍ନଗୁଡ଼ିକର ହିଁ ଆଲୋଚନା କରିଆସୁଛି ଏବଂ ଯାହା ଅତି ସହଜରେ ବୁଝିହେବ, ସେହି ଆଲୋଚନାରେ ରାଷ୍ଟ୍ରମାନେ କ୍ରମେ ଦୁଇଭାଗରେ ବିଭକ୍ତ ହୋଇଯିବ ପରି ମନେହେଉଛନ୍ତି । ଗୋଟାଏ ପାଖରେ ଧନୀ ରାଷ୍ଟ୍ରମାନେ, ଯେଉଁମାନଙ୍କର ଉପନିବେଶ ଥିଲା, ଏବେ ମଧ୍ୟ ଅଦୃଶ୍ୟ ଅର୍ଥନୈତିକ ଉପନିବେଶମାନ ରହିଛି । ଆଉଗୋଟିଏ ପାଖରେ ବିକାଶମୁଖୀ ରାଷ୍ଟ୍ରମାନେ, ଯେଉଁମାନେ ବିକାଶର ଏକ ସୁଦୃଢ଼ ଆରମ୍ଭ ପାହାଚରେ ମଧ୍ୟ ଏପର୍ଯ୍ୟନ୍ତ ଆସି ପହଞ୍ଚି ପାରିନାହାନ୍ତି, ଯେଉଁମାନେ ଆପଣା ଲାଗି ଏକ ନୂତନ ବ୍ୟବସ୍ଥା ଚାହୁଁଛନ୍ତି; ମାତ୍ର ପୁରାତନ ଅର୍ଥନୀତିର ନାନା ଅଶୋଭନୀୟ ନିୟନ୍ତ୍ରଣାଧିକାର ଦ୍ୱାରା ଯେଉଁମାନଙ୍କର ହାତଗୋଡ଼ ପ୍ରାୟ ବାନ୍ଧିହୋଇ ରହିଛି; ଅର୍ଥନୈତିକ ବିକାଶ ସକାଶେ ଯେଉଁ ଅତ୍ୟାବଶ୍ୟକ ଅନ୍ତଃପ୍ରସ୍ତୁତି ଆଗ ଦରକାର, ସେତିକି ଲାଗି ମଧ୍ୟ ସେମାନଙ୍କ ମଧ୍ୟରୁ ଅନେକଙ୍କର ସମ୍ୱଳ ନାହିଁ । ପୃଥିବୀର ଆମଦାନୀ ଓ ରପ୍ତାନୀ ନୀତିଗୁଡ଼ାକ ଏପରି ଭାବରେ ଆଗର ବ୍ୟବସ୍ଥାଟି ସହିତ ବାନ୍ଧିହୋଇ ରହିଛି ଓ ଧନୀ ଦେଶଗୁଡ଼ିକୁ ଆହୁରି ଅଧିକ ଧନୀ ହେବାରେ ହିଁ ସାହାଯ୍ୟ କରୁଛି ଯେ ତାହା ଭିତରୁ ବାହାରି ଅନ୍ୟ ଏକ ଭିତ୍ତିରେ ପୃଥିବୀର ଅର୍ଥନୀତିକୁ ଠିଆ ନ କରାଇବା ପର୍ଯ୍ୟନ୍ତ ବିକାଶମୁଖୀ ଦେଶଗୁଡ଼ିକର ଭାଗ୍ୟରେ ପ୍ରକୃତରେ କୌଣସି ପରିବର୍ତ୍ତନ ହୋଇପାରିବ ବୋଲି ମୋଟେ ଦିଶୁନାହିଁ ।

 

ନାଇରୋବି ସମ୍ମିଳନୀ ସେହି ମୂଳ ବିବାଦଟିକୁ ନେଇ ବ୍ୟସ୍ତ । ପୃଥିବୀର ଅର୍ଥନୀତି ପୃଥିବୀରେ ବାସ କରୁଥିବା ସବୁ ମଣିଷଙ୍କ ପାଇଁ ହେବ ଅଥବା ସେହି ପୁରୁଣା ଏକତରଫା ଭାବରେ ଚାଲୁଥିବ, ସେଠି ସେହି ବିଷୟରେ ଆଲୋଚନା ହେବ । ଏପାଖ ଓ ସେପାଖ ଉଭୟ ପାଖ ଏକାଠି ମିଶି ତାହାର ଆଲୋଚନା କରିବେ । ଏକାଠି ହୁଏତ କୌଣସି ସମାଧାନ ବାହାର କରିବେ । ପ୍ରତିକ୍ରିୟାବାଦୀଙ୍କ ଦୁର୍ଗ ଭିତରୁ ପୃଥିବୀର ଅର୍ଥନୈତିକ ବ୍ୟବସ୍ଥାକୁ ମୁକ୍ତକରି ଆଣିବା ଲାଗି ପୂନର୍ବାର ଏକ ଚେଷ୍ଟା କରାଯିବ ।

 

ତା ୧୦.୦୫.୧୯୭୬ ରିଖ

Image

 

ଆଦୌ ଅନ୍ୟାୟ ନୁହେଁ

 

ଦକ୍ଷିଣ ଆଫ୍ରିକାରେ ବର୍ଷ ବର୍ଷ ଧରି ଯାହା ଚାଲିଆସିଥିଲା, ରୋଡ଼େସିଆରେ ବର୍ତ୍ତମାନ ଠିକ୍‌ ସେଇଆ ଚାଲିଛି । ସେଠାରେ ଅଳ୍ପସଂଖ୍ୟକ ଗୋରାମାନେ ବହୁଗୁଣ ସଂଖ୍ୟକ କଳାମାନଙ୍କ ଉପରେ ସର୍ବେସର୍ବା ହୋଇ ବସିଛନ୍ତି ଏବଂ ପୃଥିବୀର ବିବେକ ତାହା ବିରୁଦ୍ଧରେ ବାରବାର ସ୍ୱର ଉତ୍ତୋଳନ କରିବା ସତ୍ତ୍ୱେ ତାହା ଚାଲିଛି । କଳାମାନଙ୍କର ଭୋଟ ଦେବାର କୌଣସି ଅଧିକାର ନାହିଁ, ଦେଶର ଶାସନରେ କୌଣସି ଭାଗ ନାହିଁ, ଦୟାର ଭାଜନ ହୋଇ କିଞ୍ଚିତ୍‌ ଅନୁଗ୍ରହ ଲାଭ କରିବା ବ୍ୟତୀତ ଆଉ କୌଣସି ଭାଗ୍ୟ ନାହିଁ । ଦେଶର ଶିକ୍ଷା, ଦେଶର ବିଚାରାଳୟ ଓ ଦେଶର ନାଗରିକତା ସେମାନଙ୍କୁ ହୀନତର ବୋଲି ଘୋଷଣା କରି ରଖିଛି ଏବଂ ଏହି ଅନ୍ୟାୟଟିକୁ ଜବର କରି ରଖିବା ଲାଗି ଗୋରାମାନଙ୍କ ହାତରେ ଅସ୍ତ୍ରଶସ୍ତ୍ର ରହିଛି, ସେନାବାହିନୀ ରହିଛି ଏବଂ ପୃଥିବୀର କେତେକ ଗୋରା ଦେଶଙ୍କର ସମର୍ଥନ ମଧ୍ୟ ରହିଛି ।

 

ଗୋରା ଅଳ୍ପମତର ଏହି ଅନ୍ୟାୟଶାସନ ବିରୁଦ୍ଧରେ କଳା ବହୁମତର ଯେଉଁ ପ୍ରତିବାଦ ସବୁବେଳେ ହୋଇଆସିଛି; ତାହା ଗତ କେତେ ଦଶକର ଏକ ଦୁଃଖପୂର୍ଣ୍ଣ ଇତିହାସ ହୋଇ ରହିଛି । ଦକ୍ଷିଣ ଆଫ୍ରିକା ଓ ରୋଡ଼େସିଆର ସେହି କାହାଣୀଟି ମଧ୍ୟରେ ମହାତ୍ମା ଗାନ୍ଧୀଙ୍କର ସତ୍ୟାଗ୍ରହ ଆନ୍ଦୋଳନ ରହିଛି, ବିଶପ୍‌ ଆଲ୍‌ବର୍ଟ ଲୁଥୁଲିଙ୍କର ମାନବିକ ଅଧିକାର ଲାଗି ସଂଗ୍ରାମ ମଧ୍ୟ ରହିଛି । ରୋଡ଼େସିଆ ଓ ଦକ୍ଷିଣ ଆଫ୍ରିକାର ବନ୍ଦୀଶାଳାରେ କେତେକେତେ ସଂଗ୍ରାମୀଙ୍କର ପ୍ରାଣ ଯାଇଛି, କେତେକେତେ ସଂଗ୍ରାମୀ ସେଠାରେ ଆଜି ମଧ୍ୟ କଳାତିପାତ କରୁଛନ୍ତି । କେତେ ନେତା ଆପଣା ଦେଶରୁ ନିର୍ବାସିତ ହୋଇ ରହିଛନ୍ତି, ଆହୁରି କେତେକ ନିଜ ଦେଶରେ ଆତ୍ମଗୋପନ କରି ରହିଛନ୍ତି-। ସଂଗ୍ରାମଟିକୁ ବାରବାର ଦବାଇ ଦିଆଯାଇଥିଲେ ମଧ୍ୟ ତାହା ଏବେବି ବଞ୍ଚିରହିଛି, କ୍ରମଶଃ ଅଧିକ ଶକ୍ତି ଠୁଳ କରିବାରେ ଲାଗିଛି ।

 

ଦକ୍ଷିଣ ଆଫ୍ରିକା ଓ ରୋଡ଼େସିଆକୁ ପୃଥିବୀର କେତେକ ଦେଶ ସାହାଯ୍ୟ କରୁଛନ୍ତି ଓ ତାକୁ ବଳ ଦେଇ ବଞ୍ଚାଇ ରଖିଛନ୍ତି । କିଏ ପରୋକ୍ଷରେ ସାହାଯ୍ୟ କରୁଛି, ପୁଣି ଆଉ କିଏ ପ୍ରତ୍ୟକ୍ଷରେ ସାହାଯ୍ୟ କରୁଛି । କିଏ ବାଣିଜ୍ୟ ସମ୍ପର୍କ ରଖିଛି ଏବଂ କିଏ ଅସ୍ତ୍ରଶସ୍ତ୍ର ବିକୁଛି । ଅନ୍ୟ ପକ୍ଷରେ ସଂଗ୍ରାମୀ ବହୁମତର ପକ୍ଷରେ ସମଗ୍ର ବିଶ୍ୱର ବିବେକ ରହିଛି । ଯେଉଁସବୁ ରାଷ୍ଟ୍ର ଅସ୍ତ୍ର ଦେଇ ଓ ବାଣିଜ୍ୟ ଦ୍ୱାରା ରୋଡ଼େସିଆ ଓ ଦକ୍ଷିଣ ଆଫ୍ରିକାକୁ ସାହାଯ୍ୟ କରୁଛନ୍ତି, ସେହିସବୁ ଦେଶର ସାଧାରଣ ଓ ସଚେତନ ଜନଗଣଙ୍କର ବିବେକ ମଧ୍ୟ କଳା ବହୁସଂଖ୍ୟକଙ୍କ ପକ୍ଷରେ ରହିଛି-

 

ଅଳ୍ପଦିନ ତଳେ ଆଇନଜ୍ଞମାନଙ୍କର ଏକ ଆନ୍ତର୍ଜାତିକ କମିଶନ ମନ୍ତବ୍ୟ କରି କହିଛି ଯେ ଦକ୍ଷିଣ ଆଫ୍ରିକା ଓ ରୋଡ଼େସିଆରେ ବର୍ଣ୍ଣଗତ ବୈଷମ୍ୟକୁ ମୂଳ କରି ଯେଉଁ ଅନ୍ୟାୟ ଶାସନ ଚାଲିଛି, ତାହାକୁ ଦୂର କରିବା ଲାଗି ସଶସ୍ତ୍ର ସଂଗ୍ରାମର ପନ୍ଥା ଅବଲମ୍ୱନ କଲେ ଏବଂ ପୃଥିବୀର ଅନ୍ୟ କୌଣସି ରାଷ୍ଟ୍ର ଅଥବା ଜନଗଣ ସେହି ସଂଗ୍ରାମରେ ସକ୍ରିୟ ଭାବରେ ସହଯୋଗ କରିବାକୁ ଗଲେ ତାହା ଆଦୌ ଅନ୍ୟାୟ ହେବନାହିଁ । ଯେଉଁଠି ମଣିଷକୁ ମଣିଷ ବୋଲି ସ୍ୱୀକାର କରାଯାଉନାହିଁ, ଯେଉଁଠାରେ ବହୁମତର ମୁଖକୁ ବନ୍ଦ କରି ରଖି ଅଳ୍ପମତର ଦୌରାତ୍ମ୍ୟ ଚାଲିଛି, ଶହ ଶହ ସଂଖ୍ୟାରେ ଲୋକହତ୍ୟା କରାଯାଇ ପ୍ରତିବାଦକୁ ଭୟଭୀତ କରି ରଖିବାକୁ ଚେଷ୍ଟା କରାଯାଉଛି, ସେଠି ସେହି ଦୌରାତ୍ମ୍ୟକୁ ଦୂର କରିବାଲାଗି କୌଣସି ପ୍ରକାର ପ୍ରୟାସରେ ସହଯୋଗ କଲେ ତାହା ଆଦୌ ଅନ୍ୟାୟ ନୁହେଁ । ଆନ୍ତର୍ଜାତିକ ଆଇନଜ୍ଞ କମିଶନଙ୍କର ଏହି ମନ୍ତବ୍ୟଟି ଉଚିତ ସମୟରେ ହିଁ ପ୍ରକାଶ ପାଇଛି ।

 

ଆଙ୍ଗୋଲା ସ୍ୱାଧୀନତା ଲାଭ କରିବା ପରେ ରୋଡ଼େସିଆ, ନାମିବିୟା ଓ ଦକ୍ଷିଣ ଆଫ୍ରିକାରେ ଚାଲିଥିବା ନୃଶଂସ ଦୌରାତ୍ମ୍ୟର ଅନ୍ତ କରିବାଲାଗି ସମଗ୍ର ଆଫ୍ରିକା ଯେପରି ବଦ୍ଧପରିକର ହୋଇ ବାହାରିଲାଣି, ନୂଆଦେଶ ମୋଜାମ୍ୱିକ୍‌ ମଧ୍ୟ ଆପଣାର ସକଳ କ୍ଷତିକୁ ବରଣ କରିନେଇ ରୋଡ଼େସିଆ ସହିତ ଆପଣାର ଯାବତୀୟ ସୀମା କାରବାରକୁ ବନ୍ଦ କରିଦେଇଛି । ଆଫ୍ରିକା ବାହାରେ ଥିବା ପୃଥିବୀର ପ୍ରାୟ ପ୍ରତ୍ୟେକ ଦେଶର ଜନଗଣ ମଧ୍ୟ ଏହି ଅନ୍ୟାୟ ଆଉ ଅଧିକ ଦିନ କଦାପି ଚାଲିବା ଉଚିତ ନୁହେଁ ବୋଲି ହୃଦୟଙ୍ଗମ କରି ସାରିଲେଣି । ପୃଥିବୀର ଦୃଷ୍ଟିକୋଣ ବଦଳିଯାଉଛି । ପୁରୁଣା ଜାତୀୟତାର ଦୁର୍ଗଗୁଡ଼ାକ ଭୁଷୁଡ଼ି ପଡ଼ୁଛି । ରାଜନୀତି ଆଉ କୌଣସି ଜାତୀୟ ସ୍ୱେଚ୍ଛାଚାରିତାର ଅନ୍ଧାରବେଢ଼ା ମଧ୍ୟରେ ସୀମାବଦ୍ଧ ହୋଇ ରହିନାହିଁ । ବିଶ୍ୱର ପ୍ରତ୍ୟେକ ମନୁଷ୍ୟ ତା’ର ବିବେକକୁ ପ୍ରୟୋଗ କରି ସମୁଦାୟ ପୃଥିବୀଟି ସମ୍ୱନ୍ଧରେ ଆପଣାର ମତ ଦେବାକୁ ଶିଖିଗଲାଣି । ଏହି ପରିବର୍ତ୍ତିତ ପରିସ୍ଥିତିରେ ନାମିବିୟା ଓ ରୋଡ଼େସିଆ ଯେ ଗୋଟାଏ ଗୋଟାଏ ଅନମନୀୟ ଅତ୍ୟାଚାରର ସନ୍ତକ ହୋଇ ରହିବା ଆଦୌ ଉଚିତ ନୁହେଁ, ସେକଥା କ୍ରମେ ଅଧିକରୁ ଅଧିକ ମନୁଷ୍ୟ ଉପଲବ୍‌ଧି କରିସାରିଲେଣି ।

 

ଆମ ଆଇନଗୁଡ଼ାକ ଗତ ଅନେକ ଦଶକ ହେଲା ଜାତୀୟତାର ପରିଧି ଭିତରେ ଆବଦ୍ଧ ହୋଇ ରହିଆସିଛନ୍ତି । ତେଣୁ ଆମ ବିବେକଗୁଡ଼ାକ ମଧ୍ୟ ଅନେକ ସ୍ଥଳରେ କେବଳ ଜାତୀୟ ହୋଇ ରହିବାକୁ ପ୍ରଶ୍ରୟ ପାଇଛି । ଅନେକ ଅନ୍ୟାୟ ଓ ଅନେକ ଦୌରାତ୍ମ୍ୟକୁ ଆମେ ସମ୍ପୃକ୍ତ ଏକ ଦେଶର ଆଭ୍ୟନ୍ତରୀଣ ବ୍ୟାପାର ବୋଲି କହି ସେଗୁଡ଼ାକୁ ପ୍ରାୟ ଆଖି ବୁଜିଦେଇ ରହିବାରେ ବେଶ୍‌ ଅଭ୍ୟସ୍ତ ହୋଇ ରହିଛୁ । ଏଗୁଡ଼ାକ ମଧ୍ୟ କ୍ରମେ ବଦଳିବ, ପାଚେରୀଗୁଡ଼ାକ ଭାଙ୍ଗି ଭାଙ୍ଗି ଯିବ । ଆନ୍ତର୍ଜାତୀୟ ଆଇନ କହିଲେ ସେତେବେଳେ ଆଉ ଜାତି ଜାତି ମଧ୍ୟରେ କାର୍ଯ୍ୟକାରୀ ହେଉଥିବା ଆଇନକୁ ବୁଝାଇବ ନାହିଁ । ସମଗ୍ର ପୃଥିବୀକୁ ଗୋଟିଏ ଏକକ ରୂପେ ଦେଖି ମନୁଷ୍ୟକୁ ଯାବତୀୟ ଜାତି ଆୟତନର ଉପରେ ରଖି ଏକ ଆନ୍ତର୍ଜାତିକ ନ୍ୟାୟକୁ ଆଦର୍ଶ କରି ଧରି ସେତେବେଳେ ଆଇନର ନୂତନ ଅବଧାରଣା କରାଯିବ ।

 

ତା ୧୧.୦୫.୧୯୭୬ ରିଖ

Image

 

ମାରଣାସ୍ତ୍ରର ବଜାର

 

ବିଶେଷଜ୍ଞମାନେ କହୁଛନ୍ତି ଯେ ପୃଥିବୀର ପ୍ରାୟ ଅଧେ ଭାଗରେ କୋଟି କୋଟି ଲୋକ ଖାଦ୍ୟ ଅନାଟନ ଓ ଦୁର୍ଭିକ୍ଷର ସମ୍ମୁଖୀନ ହେବାକୁ ଯାଉଛନ୍ତି । ତେଣେ ଆଉ ଦଳେ ବିଶେଷଜ୍ଞ ଉପଲବ୍‌ଧ ହିସାବଗୁଡ଼ିକୁ ଏକାଠି କରି ଆମକୁ ଏକଥା ବି କହୁଛନ୍ତି ଯେ ଖାଦ୍ୟଦ୍ରବ୍ୟରେ ଆମ ପୃଥିବୀର ସବୁଠାରୁ ବଡ଼ କାରବାର ହେଉନାହିଁ । ପୃଥିବୀର ସବୁଠାରୁ ବଡ଼ କାରବାର ମାରଣାସ୍ତ୍ରରେ ହେଉଛି । ଆମ ପୃଥିବୀରେ ସବୁଠାରୁ ବେଶି ପଇସା ଅସ୍ତ୍ରଶସ୍ତ୍ରର କିଣା ଓ ବିକାରେ ବ୍ୟବହୃତ ହେଇଛି ।

ଲଣ୍ଡନ୍‌ରେ ଅବସ୍ଥିତ ଆନ୍ତର୍ଜାତିକ ସମର ଗବେଷଣା କେନ୍ଦ୍ରର ହିସାବ ଅନୁସାରେ ପୃଥିବୀରେ ୧୯୭୪-୭୫ ଗୋଟିଏ ବର୍ଷରେ ସର୍ବମୋଟ ୯୦୦ କୋଟି ଡଲାର ମୂଲ୍ୟର ଅର୍ଥାତ୍‌ ଭାରତୀୟ ହିସାବ ଅନୁସାରେ ପ୍ରାୟ ୭୫୦୦ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର କାରବାର ହୋଇଥିଲା । ତାହାର ପୂର୍ବ ବର୍ଷ ଏହି ପରିମାଣର ଅଧେ ଅଂଶ ଏହି କାର୍ଯ୍ୟଟିରେ ଲାଗିଥିଲା । ଅବଶ୍ୟ ଏଠାରେ ଏହି କଥାଟିକୁ ସ୍ମରଣ ରଖିବାକୁ ହେବ ଯେ ଦେଶ ଦେଶ ମଧ୍ୟରେ ହୋଇଥିବା ସାମରିକ ବିକାକିଣାର ଜ୍ଞାତ ଚୁକ୍ତିଗୁଡ଼ିକୁ ଆଧାର କରି ଏହି ହିସାବଟିକୁ କରାଯାଇଛି । ଏସବୁ କ୍ଷେତ୍ରରେ ସବୁଯାକ ଚୁକ୍ତି ଯେ ଜ୍ଞାତ ଭାବରେ ହୁଏ, ସେଭଳି ବିଶ୍ୱାସ କରିବାର କୌଣସି କାରଣ ନାହିଁ । ବେଳେବେଳେ ବା ଅନେକ ସମୟରେ ଦୁଇଟି ଦେଶ ବା ଅନେକ ଦେଶ ମଧ୍ୟରେ ସାମରିକ ବିକାକିଣାର କେତେ କେତେ ଚୁକ୍ତି ବା ରାଜିନାମା ଏପରି ଭାବରେ ହୁଏ, ଯାହାକୁ କି ବାହାରୁ ଆଉ କାହାରି ଜାଣିବାର କୌଣସି ଜୁ’ ନଥାଏ । ତେଣୁ ବିକାକିଣାର ପ୍ରକୃତ ପରିମାଣଟି ଏହାଠାରୁ ଯେ ନିଶ୍ଚୟ ଅନେକ ଅଧିକ ହୋଇଥିବ, ଏଥିରେ ମଧ୍ୟ କୌଣସି ସନ୍ଦେହ ନାହିଁ । ଆଉ ଜଣେ ସାମରିକ ହିସାବ ବିଶେଷଜ୍ଞଙ୍କ ମତରେ କେବଳ ୧୯୭୪ ମସିହାରେ ହିଁ ପୃଥିବୀରେ ୧୮୦୦ କୋଟି ଡଲାର ଅର୍ଥାତ୍‌ ପ୍ରାୟ ୧୫୦୦୦ କୋଟି ଟଙ୍କା ମୂଲ୍ୟର ଅସ୍ତ୍ର-ବିକାକିଣା କରାଯାଇଛି ।

ମଧ୍ୟପ୍ରାଚ୍ୟର କେତୋଟି ଦେଶ ସେହି କେତୋଟି ବର୍ଷରେ କେତେ ପରିମାଣରେ ବାହାରୁ ଅସ୍ତ୍ରଶସ୍ତ୍ର କିଣିଛନ୍ତି, ତାହାର ଏକ ପର୍ଯ୍ୟାଲୋଚନା କଲେ ଆମେ ଏହି ବୃହତ୍‌ ବଜାରଟିର ହୁଏତ ଏକ ଅନୁମାନ କରିପାରିବା । ୧୯୭୪-୭୨ ମସିହାରେ ଇରାନ୍‌ ୩୩୦ କୋଟି ଡଲାର ଅର୍ଥାତ୍‌ ପ୍ରାୟ ୨୮୦୦ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ଖରିଦ କରିଥିଲା । ଏହି ଦୁଇଟି ବର୍ଷର ଅବଧି ମଧ୍ୟରେ ସାଉଦିଆରବ ସର୍ବମୋଟ ପ୍ରାୟ ୩୨୯ କୋଟି ଓ ଲିବିୟା ପ୍ରାୟ ୨୦୦ କୋଟି ଡଲାରର ଅସ୍ତ୍ରଶସ୍ତ୍ର କିଣିଥିଲା । ସାନ ଦେଶଟିଏ ହେଲେ ମଧ୍ୟ କୁଏତ୍‌ ୫୬ କୋଟିରୁ ଅଧିକ ଡଲାର ମୂଲ୍ୟର ସାମରିକ ଅସ୍ତ୍ର କ୍ରୟ କରୁଥିଲା । ତା’ଠାରୁ ଆହୁରି ସାନ ଓମାନ୍‌ ୧୯୭୪-୭୫ ଗୋଟିଏ ବର୍ଷରେ ୨୦ କୋଟିରୁ ଅଧିକ ଡଲାରର ଅସ୍ତ୍ରଶସ୍ତ୍ର କିଣିଥିଲା । ଏକଥା ସ୍ମରଣ କରାଇଦେବାର ଆଦୌ କୌଣସି ପ୍ରୟୋଜନ ନାହିଁ ଯେ ପେଟ୍ରୋଲିୟମ୍‌ର ଆନ୍ତର୍ଜାତିକ ବଜାରରେ ମଧ୍ୟପ୍ରାଚ୍ୟର ବିଭିନ୍ନ ଦେଶ ଯେଉଁ ଅସୁମାରି ପଇସା ଉପାର୍ଜନ କରିପାରିଲେ, ତାହାରି ଫଳରେ ସେମାନେ ଏତେ ଏତେ କୋଟି ଖର୍ଚ୍ଚ କରି ଅସ୍ତ୍ରଶସ୍ତ୍ର କିଣିବା ଲାଗି ସମର୍ଥ ହୋଇପାରିଲେ ।

ସାମରିକ ଅସ୍ତ୍ରଶସ୍ତ୍ର କାରବାର ବିଷୟରେ ଆମକୁ ବିସ୍ମିତ କରାଇବା ଲାଗି ଆହୁରି କେତେକ ହିସାବ ମଧ୍ୟ ରହିଛି । ଉଦାହରଣ ସ୍ୱରୂପ, ବିଗତ ପଚିଶି ବର୍ଷ ଭିତରେ ଯୁକ୍ତରାଜ୍ୟ ଆମେରିକା ସର୍ବମୋଟ ୩୬୦୦ କୋଟି ଡଲାର ମୂଲ୍ୟର ସମରାସ୍ତ୍ର ବିକ୍ରୟ କରିପାରିଛି । କେବଳ ଗୋଟିଏ ବର୍ଷ ୧୯୭୪ରେ ସାରା ପୃଥିବୀରେ ମୋଟ ଯେତେ ଅସ୍ତ୍ରଶସ୍ତ୍ରର ବିକ୍ରୟ ହୋଇଥିଲା, ତାହାର ଶତକଡ଼ା ୪୬ ଭାଗ କେବଳ ସେହି ଆମେରିକା ହିଁ କରିଥିଲା । ଗତ ପଚିଶି ବର୍ଷ ଭିତରେ ନାଟୋ ସଂଗଠନର ପନ୍ଦରଟିଯାକ ସଦସ୍ୟ ଦେଶର ଦେଶରକ୍ଷା ବଜେଟ ୧୮୩୦ କୋଟି ଡଲାରରୁ ୧୧୮୪୦ କୋଟି ଡଲାରକୁ ବୃଦ୍ଧି ପାଇଛି । ଅପର ପକ୍ଷରେ ୱାର୍ରସ ମେଣ୍ଟର ଅନ୍ତର୍ଭୁକ୍ତ ଦେଶଗୁଡ଼ିକର ଦେଶରକ୍ଷା ଅର୍ଥାତ୍‌ ସାମରିକ ଖର୍ଚ୍ଚ ଯେ ନିଶ୍ଚୟ ଅନେକଗୁଣିତ ହୋଇଥିବ, ସେଥିରେ ଆଦୌ କୌଣସି ସନ୍ଦେହ ନାହିଁ । ଏବେ ଆଉ ଗୋଟିଏ ସମ୍ୱାଦ ମିଳିଛି ଯେ, ଦକ୍ଷିଣ ଆଫ୍ରିକା ଇସ୍ରାଏଲ୍‌ ସହିତ ଯୁଦ୍ଧାସ୍ତ୍ର କାରବାରର ଗୋଟିଏ ଚୁକ୍ତି ସ୍ୱାକ୍ଷର କରିଛି । ଦକ୍ଷିଣ ଆଫ୍ରିକାର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ଫଷ୍ଟର ଏବେ ଇସ୍ରାଏଲ୍‌ ଯାଇ ଏହି ଅସ୍ତ୍ର କାରବାରକୁ ପକ୍‌କା କରି ଆସିଥିବେ । ଏଡି ରାଜିନାମା ଅନୁସାରେ ଦକ୍ଷିଣ ଆଫ୍ରିକା ଇସ୍ରାଏଲ୍‌ଠାରୁ ଏକ ବୃହତ୍‌ ପରିମାଣ ମୂଲ୍ୟର ଅସ୍ତ୍ରଶସ୍ତ୍ର କିଣିବ ଏବଂ ଏକଥା ଶୁଣିଲେ ଆମେ ହୁଏତ ଆଦୌ ବିଶ୍ୱାସ କରିବା ନାହିଁ ଯେ ବିକିବାକୁ ଯାଉଥିବା ଏହିସବୁ ଅସ୍ତ୍ରକୁ ଇସ୍ରାଏଲ ସ୍ୱୟଂ ନିଜ ଦେଶରେ ତିଆରି କରୁଥିବ । ଇସ୍ରାଏଲ ଆମେରିକାଠାରୁ ଯେଉଁ ଅସ୍ତ୍ର ସାହାଯ୍ୟ ପାଉଛି, ସେଇଥିରୁ କେତେକ ଅସ୍ତ୍ରକୁ ହିଁ ସେ ବିକିବ । ଏକ ତୃତୀୟ ଦେଶର ସାହାଯ୍ୟରେ ଅସ୍ତ୍ରଶସ୍ତ୍ରର କାରବାର ଆମ ପୃଥିବୀରେ କ୍ରମେ ବେଶ୍‌ ଏକ ନିୟମିତ ପରମ୍ପରାରେ ପରିଣତ ହୋଇସାରିଲାଣି ।

ଦୁର୍ଭିକ୍ଷ ଆଉ ଖାଦ୍ୟ ଅନାଟନର ପୃଥିବୀରେ ମାରଣାସ୍ତ୍ର କିଣାବିକାଟା ଯେ ଏତେ ସରଗରମଭାବେ ସ୍ଥୂଳ ସ୍ତରରେ ଚାଲିଛି, ଏଥିରୁ ଆମ ଆନ୍ତର୍ଜାତିକ ପରିସ୍ଥିତି ମଧ୍ୟରେ ବିମୂଢ଼କାରୀ ଗୋଟିଏ ବିରୋଧର ପରିଚୟ ଆମକୁ ଅବଶ୍ୟ ମିଳିଯିବା ଉଚିତ । ଏହାର ଶେଷ ପରିଣତି କ’ଣ ହେବ ? ପୃଥିବୀର ଅଧେ ଲୋକଙ୍କୁ ଭୋକରେ ଓ ଅଶିକ୍ଷା ଭିତରେ ରଖି ପୃଥିବୀର ରାଷ୍ଟ୍ରମାନେ ଅସ୍ତ୍ରର ବିରାଟ ସ୍ତୂପ ମଧ୍ୟରେ କି ସ୍ୱର୍ଗ ଗଢ଼ିବେ ବୋଲି କଳ୍ପନା କରିଛନ୍ତି, ସେମାନଙ୍କୁ ହିଁ ଜଣାଥିବ ।

ତା ୧୨.୦୫.୧୯୭୬ ରିଖ

Image

 

ମୁଣ୍ଡରେ ମଇଳା ବୋହିବା

 

ଏଯୁଗକୁ ଆମେ ସମସ୍ତେ ବିଜ୍ଞାନର ଯୁଗ ବୋଲି କହୁ । ବହିରେ ପଢ଼ୁ, ରଚନାରେ ଲେଖୁ, ତେଣୁ ଏଯୁଗକୁ ବିଜ୍ଞାନର ଯୁଗ ବୋଲି ସହଜରେ କହି ପକାଇଥାଉ । ତଥାପି ବହୁ କ୍ଷେତ୍ରରେ ବିଜ୍ଞାନ ଆମ ଘରକୁ ଆସିନଥାଏ, ଆମ ଜାତୀୟ ଘରର ଏକ ଅନ୍ୟତମ ଖୁଣ୍ଟରୂପେ ତଥାପି ବିଜ୍ଞାନର ବ୍ୟବହାର ହୋଇ ନଥାଏ । ଦେଶରେ କଲେଜମାନଙ୍କରେ ବିଜ୍ଞାନ ପଢ଼ା ହେଉଥାଏ, ଆଖି ଖୋସିହୋଇ ଗଲାପରି କେତେ କେତେ ବିଜ୍ଞାନାଗାର ମଧ୍ୟ ଥାଏ, ତଥାପି ବିଜ୍ଞାନ ଆମ ଘର ଓ ଆମ ଜୀବନ ପାଖରୁ ଅନେକ ଦୂରରେ ଥାଏ । ଆମେ ଅନ୍ତରୀକ୍ଷ ଯାନ ଓ ଅନ୍ତରୀକ୍ଷ ଯାତ୍ରା ବିଷୟରେ ପଢ଼ୁ, ବିଜ୍ଞାନର ଡେଣା ଲଗାଇଥିବା ଆଧୁନିକ ମନୁଷ୍ୟର ଜୟଯାତ୍ରା ବିଷୟରେ ପଢ଼ୁ, କେଡ଼େ ହୃଷ୍ଟ ହେଉ-ମାତ୍ର ତଥାପି ଆମରି ଆଖି ଆଗରେ କେତେ କେତେ ଅବୈଜ୍ଞାନିକ ଆଦିମତା ଏବଂ ବର୍ବରତାକୁ ପ୍ରଶ୍ରୟ ଦେବାରେ ଲାଗିଥାଉ ।

 

ଏ ଦେଶରେ ଅନେକ ମଣିଷ ଏବଯାଏ ମୁଣ୍ଡରେ ମଇଳା ବୋହୁଥିଲେ । ସେମାନେ ଆମ ପାଇଁ ଏହି କାର୍ଯ୍ୟଟିକୁ କରିବେ ବୋଲି ଆମେ ମ୍ୟୁନିସିପାଲଟିକୁ ଟିକସ ଦେଉଥିଲୁ । ତେଣୁ ସେମାନଙ୍କଠାରୁ ଏହି କାର୍ଯ୍ୟଟିକୁ କରାଇ ନେବାଲାଗି ଧର୍ମତଃ ଆମର ଏକ ଅଧିକାର ରହିଛି ବୋଲି ଆମେ ଭାରି ସ୍ୱାଭାବିକ ଭାବରେ ମାନିନେଉଥିଲୁ । ଆମ ସମାଜର ପାରମ୍ପରିକ ମଇଳାଗୁଡ଼ାକ ବ୍ୟବସ୍ଥାରୂପେ ପ୍ରତିଷ୍ଠିତ ହୋଇ ସେହି ପ୍ରଥାଟିକୁ ଠିକ୍‌ ବୋଲି କହୁଥିଲା ।

 

କିନ୍ତୁ ଯୋଉ ଜାତିର ମଣିଷ ହେଲେ ମଧ୍ୟ, ପ୍ରତ୍ୟେକ ମଣିଷ ଯେ ମୂଳତଃ ମଣିଷ ଓ ତା’ପରେ ଯାଇ ଏ ଜାତିର ଅଥବା ସେ ଜାତିର ମଣିଷ, ଆମର ସାମାଜିକ ବିବେକ ଭିତରେ ସେକଥାଟା ମୋଟେ ପଶି ପାରୁନଥିଲା । ତେଣୁ ମଇଳା କାଢ଼ିବାର ଓ ମଇଳାକୁ ଉପକାରୀ ନାନା କାମରେ ଲଗାଇବାର କେତେ କେତେ ବୈଜ୍ଞାନିକ ଉପାୟ ଆମର ବିଶେଷଜ୍ଞମାନଙ୍କୁ ବେଶ୍‌ ଜଣାଥିଲେ ମଧ୍ୟ ତଥାପି ପୁରୁଣାଟା ହିଁ ଭାରି ସୁରୁଖୁରୁରେ ଓ ନିରାପଦରେ ଚାଲୁଥିଲା । ଆମ ପାଇଖାନାକୁ ହାତରେ ସଫାକରି ମଇଳାକୁ ଟୋକେଇରେ ବୋଝ କରି ମୁଣ୍ଡରେ ବୋହିବା ଲାଗି ଆମରି ଲାଗି ଲୋକ ମହଜୁଦ ରହିଥିଲେ । ଅସଲ କଥା ହେଉଛି ବିଜ୍ଞାନକୁ ଯଥାର୍ଥ ଭାବରେ ମନୁଷ୍ୟର କାର୍ଯ୍ୟରେ ଲଗାଇପାରିବା ଲାଗି ସମାଜରେ ଏକ ଅନରୂପ ହାଉଆ ଆସିବା ଉଚିତ, ଅର୍ଥାତ୍‌ ଏକ ଆବଶ୍ୟକତା ଅନୁଭୂତ ହେବା ଉଚିତ । ଏହାକୁ ଏକ ଅନୁରୂପ ସମାଜଚେତନା ମଧ୍ୟ କୁହାଯାଇପାରିବ । ତା’ ନହେଲେ ବିଜ୍ଞାନ ତଥାପି ପୋଥିପାଠ ହୋଇ ରହିଥିବ, ବୈଜ୍ଞାନିକମାନେ ଆମ ସମାଜରେ ସାମନ୍ତ ଓ ମହନ୍ତଙ୍କର ମର୍ଯ୍ୟାଦା ପାଇ ରହିଥିବେ, ଅଥବ ସାମାଜିକ ଜୀବନ ବିଜ୍ଞାନଠାରୁ ବହୁ ଦୂରବର୍ତ୍ତୀ ହୋଇ ରହିଥିବ ।

 

ମଣିଷର ମଇଳା ମଣିଷ ବୋହିବ ନାହିଁ, ଏଇଟାକୁ ଅନେକେ ହୁଏତ ଗୋଟିଏ ନୀତିକଥା ବୋଲି କହିବେ, ମାତ୍ର ଏହା ହେଉଛି ଗୋଟିଏ ନିର୍ଦ୍ଦିଷ୍ଟ ସାମାଜିକ ବେତନାର ପରିଚାୟକ-। ସେହି ଚେତନାଟିର ସୃଷ୍ଟି ନ ହୋଇଥିବା ପର୍ଯ୍ୟନ୍ତ ଆମେ ମଇଳା ବୋହିବାଟାକୁ ବେଶ୍‌ ସହିଯାଉଥିବା, ଆମର ଯାବତୀୟ ଶିକ୍ଷା ଓ ଶିକ୍ଷିତ ବିବେକ ସତ୍ତ୍ୱେ ସହିଯାଉଥିବା । ମାତ୍ର ଯେତେବେଳେ ଯଥାର୍ଥ ମୁହୂର୍ତ୍ତଟି ଆସିଯିବ, ଯେତେବେଳେ ସାମାଜିକ ଚେତନାର ଭୂମିଟି ତିଆରି ହୋଇଯିବ, ସେତେବେଳେ ଏପର୍ଯ୍ୟନ୍ତ ସହନୀୟ ହୋଇ ରହିଥିବା ଅନେକ କଥା ହଠାତ୍‌ ଏକାବେଳେକେ ଅସହନୀୟ ବୋଲି ମନେହେବ । ସ୍ୱୀକୃତ ହୋଇ ଆସିଥିବା ଅନେକ ଅଭ୍ୟସ୍ତତା ହଠାତ୍‌ ବର୍ବରତା ବୋଲି ଦେଖାଯିବ ।

 

ସେହିପରି ଏକ ମୁହୂର୍ତ୍ତ ବର୍ତ୍ତମାନ ଆମ ଦ୍ୱାରଦେଶରେ ଆସି ପହଞ୍ଚିଥିଲା ପରି ସୂଚନାମାନ ମିଳୁଛି । ସେଇଥିଲାଗି ମଣିଷର ମଇଳା ବୋହିବା ଯାଏ ପ୍ରବେଶ କରିପାରିବା ଲାଗି ଆମର ଆଖି କ୍ରମେ କ୍ରମେ ସାହସ କରିବାକୁ ଆରମ୍ଭ କଲାଣି । ପ୍ରତ୍ୟେକ ମଣିଷକୁ ମନୁଷ୍ୟର ପ୍ରତିଷ୍ଠା ଦେବାଲାଗି ଓ ସେଥିଲାଗି ଆମର ଅର୍ଜିତ ଯାବତୀୟ ଜ୍ଞାନ ଏବଂ ବିଜ୍ଞାନରୁ କାର୍ଯ୍ୟ ନେବାଲାଗି ଯେଉଁ ସାମାଜିକ ସଚେତନତା ଓ ସଚଳତା ଅନେକ ବର୍ଷରୁ ଅପେକ୍ଷିତ ହୋଇ ରହିଥିଲା, ବର୍ତ୍ତମାନ ତାହାହିଁ ଆମ ଜାତୀୟ ଜୀବନର ଏକ ପ୍ରଧାନ ଉତ୍‌ପ୍ରେରକ ହୋଇଆସୁଥିବା ପରି ସଙ୍କେତ ମିଳୁଛି ।

 

ସମାଜର ପରିବର୍ତ୍ତନ ବିଷୟରେ ମଧ୍ୟ ସଙ୍କେତ ମିଳୁଛି । ସମାଜ କହିଲେ ଯେ ସମସ୍ତଙ୍କୁ ବୁଝାଏ, ସମ୍ମାନ କହିଲେ ଯେ ସମସ୍ତଙ୍କର ସମ୍ମାନକୁ ବୁଝାଏ, କ୍ରମେ ସେହି ଉପଲବ୍‌ଧିର ମୁହୂର୍ତ୍ତ ଆସି ଆମକୁ ଗଲାପରି ମନେହେଉଛି । ଯେତେବେଳେ ସାମାଜିକ ଚେତନା ଆଗକୁ ବାଟ କାଢ଼ିନିଏ, ରାଜନୀତି ସେହି ଚେତନାର ପ୍ରହରୀ ହୁଏ ଓ ବିଜ୍ଞାନ ସେବାକାରୀ ହୁଏ, ସେତିକିବେଳେ ସମାଜରେ ବି ପରିବର୍ତ୍ତନ ହୁଏ ।

 

ଆଜି କେନ୍ଦ୍ର ଓ ରାଜ୍ୟ ସରକାର ଏଦିଗରେ ପଥପ୍ରଦର୍ଶକ ହୋଇଥିବାରୁ ଓ ଏଥିପ୍ରତି ସାମାଜିକ ସଚେତନତା ସୃଷ୍ଟି କରିବା କାର୍ଯ୍ୟ ଆରମ୍ଭ କରିଥିବାରୁ ଆମେ ଅଭିନନ୍ଦନ ଜଣାଇଛୁ ।

 

ତା ୧୬.୦୫.୧୯୭୬ ରିଖ

Image

 

ଇଉରୋପୀୟ ଏକତା

 

ଇଉରୋପରେ ଅନେକ ଦେଶ, ଅନେକ ରାଜଧାନୀ, ଅନେକ ଭାଷା । ତା’ ଭିତରେ ପୁଣି ଗୋଟିଏ ପାଖକୁ ପଶ୍ଚିମ ଇଉରୋପ ବୋଲି କୁହାଯାଏ ଓ ଆଉ ଗୋଟିଏ ପାଖକୁ ପୂର୍ବ ଇଉରୋପ ବୋଲି କୁହାଯାଏ ଏବଂ ଏହି ଶବ୍ଦଗୁଡ଼ିକୁ ବ୍ୟବହାର କଲାବେଳେ ସେଠି ସମସ୍ତେ ସେଗୁଡ଼ିକୁ କେବଳ ଏକ ଭୌଗୋଳିକ ଅର୍ଥରେ ନୁହେଁ, ମାତ୍ର ଅଧିକ ପରିମାଣରେ ଏକ ରାଜନୀତିକ ଅର୍ଥରେ ବୁଝନ୍ତି । ଇଉରୋପର ବିଭିନ୍ନ ଦେଶ ଭିତରେ ହିଁ ମେଣ୍ଟ ବନ୍ଧାହୋଇ ଏବଂ ମେଣ୍ଟ ଭଙ୍ଗାହୋଇ ପୃଥିବୀର ଦୁଇ ଦୁଇଟା ମହାଯୁଦ୍ଧ ଲାଗିଛି । ତଥାପି ଏହିସବୁ ଅନେକ ରାଜ୍ୟ, ଅନେକ ସ୍ୱାର୍ଥ ଓ ଅନେକ ଶାସନକୁ ଏକାଠି ମିଶାଇ ସେଠାରେ ଗୋଟିଏ ଅଖଣ୍ଡ ଇଉରୋପ ଗଢ଼ିବାର ଆନ୍ଦୋଳନ କ୍ରମେ ଅଧିକ ଶକ୍ତିଶାଳୀ ହେବାରେ ଲାଗିଛି, ବିଚାରଟି ସତେ ଅବା କ୍ରମେ କ୍ରମେ ଦାନାବାନ୍ଧି ଆସୁଛି ।

ବେଶ୍‌ ଅନେକ ବର୍ଷ ପୂର୍ବେ ଇଉରୋପର ମୋଟେ ସାତୋଟି ଦେଶକୁ ନେଇ ଇଉରୋପୀୟ କମନ୍‌ ମାର୍କେଟ୍‌ ଗଢ଼ାଯାଇଥିଲା । ଏହି ସାତୋଟି ଦେଶ ସହିତ ପରେ ଇଂଲଣ୍ଡ୍‌ ଓ ଡେନ୍‌ମାର୍କ୍‌ ଆସି ମିଶିଲେ । ସଦସ୍ୟ ଦେଶର ସଂଖ୍ୟା ନଅ ହେଲା । ଆରମ୍ଭ ପର୍ଯ୍ୟାୟରେ ସଂପୃକ୍ତ ଦେଶଗୁଡ଼ିକର ଅର୍ଥନୈତିକ ସ୍ୱାର୍ଥକୁ କରିବା ହିଁ ଏହି ମେଣ୍ଟର ପ୍ରଧାନ ବା ହୁଏତ ଗୋଟିଏ ମାତ୍ର ଧନ୍ଦା ହୋଇ ରହିଥିଲା । ଦ୍ୱିତୀୟ ମହାଯୁଦ୍ଧ ପରେ ଏସିଆ ଓ ଆଫ୍ରିକାରେ ଥିବା ଉପନିବେଶଗୁଡ଼ିକ ସ୍ୱାଧୀନ ହୋଇଯିବା ସଙ୍ଗେ ସଙ୍ଗେ ଇଉରୋପୀୟ ଦେଶଗୁଡ଼ିକ ଯେଉଁ ଅର୍ଥନୈତିକ ନୂତନ ସ୍ଥିତିର ସମ୍ମୁଖୀନ ହେବାକୁ ବାଧ୍ୟ ହେଲେ, ସେହି ସ୍ଥିତିଟିର ବିଭିନ୍ନ ସମାଧାନ ଲାଗି ହିଁ ଇଉରୋପୀୟ କମନ୍‌ ମାର୍କେଟ୍‌ ଗଢ଼ାଗଲା ।

ମାତ୍ର ଏହି ସଂଘବଦ୍ଧତା କ୍ରମଶଃ ସଂପ୍ରସାରିତ ହେବାକୁ ଲାଗିଲା । ସଦସ୍ୟ ଦେଶଗୁଡ଼ିକର ପ୍ରତିନିଧିମାନଙ୍କୁ ନେଇ ଏକ ଇଉରୋପୀୟ ପାର୍ଲିଆମେଣ୍ଟ ବସିଲା । ଫ୍ରାନ୍‌ସର ଷ୍ଟ୍ରାସ୍‌ବୁର୍ଗ୍‌ଠାରେ ସେହି ପାର୍ଲିଆମେଣ୍ଟର ଅଧିବେଶନଗୁଡ଼ିକ ଡକାହେଲା । ଏପର୍ଯ୍ୟନ୍ତ ଜାତୀୟ ବିଧାନସଭାଗୁଡ଼ିକର ମନୋନୀତ ସଭ୍ୟମାନଙ୍କୁ ନେଇ ଇଉରୋପୀୟ ପାର୍ଲିଆମେଣ୍ଟ ଗଠିତ ହୋଇ ଆସୁଥିଲା । ଏବେ ସଭ୍ୟ ଦେଶମାନେ ବିଚାର କରୁଛନ୍ତି ଯେ, ୧୯୭୮ ମସିହା ମଧ୍ୟଭାଗକୁ ଏକ ପ୍ରତ୍ୟକ୍ଷ ନିର୍ବାଚନ କରାଯାଇ ଇଉରୋପୀୟ ପାର୍ଲିଆମେଣ୍ଟକୁ ସଭ୍ୟମାନେ ନିର୍ବାଚିତ ହୋଇ ଆସିବେ । ପ୍ରତ୍ୟେକ ସଭ୍ୟଦେଶର ଜନସଂଖ୍ୟାର ଅନୁପାତ ଅନୁସାରେ ସେହି ଦେଶରୁ ଇଉରୋପୀୟ ପାର୍ଲିଆମେଣ୍ଟ ଲାଗି ସଦସ୍ୟ ସ୍ଥାନର ସଂଖ୍ୟା ନିର୍ଦ୍ଧାରଣ କରାଯିବ । ଅବଶ୍ୟ ଏକଥା ମଧ୍ୟ ସତ ଯେ ଏହି ବ୍ୟବସ୍ଥାଟି ମଧ୍ୟରେ ଅତି ସାନ ଦେଶଗୁଡ଼ିକୁ ଅନୁପାତରୁ କିଞ୍ଚିତ୍‌ ଅଧିକ ସଂଖ୍ୟାରେ ନିର୍ବାଚିତ ସଦସ୍ୟ ପଠାଇ ପାରିବା ଲାଗି ଏକ ବିଶେଷ ସୁବିଧା ଦିଆଯିବ । ଉଦାହରଣ ସ୍ୱରୂପ ସବୁଠାରୁ ସାନ ସଦସ୍ୟ ଦେଶ ଲକ୍‌ସମ୍‌ବର୍ଗ୍‌-ତାର ଲୋକସଂଖ୍ୟା ମୋଟେ ସାଢ଼େ ତିନିଲକ୍ଷ ହୋଇଥିଲେ ମଧ୍ୟ ଛଅଟି ସଦସ୍ୟ ସ୍ଥାନ ପାଇବ, ହଲାଣ୍ଡ୍‌ କୋଟିଏ ୩୫ ଲକ୍ଷ ଲୋକଙ୍କ ପାଇଁ ୨୭ଟି ସ୍ଥାନ ପାଇବ ଏବଂ ଏମାନଙ୍କ ଭିତରେ ବୃହତ୍ତମ ଦେଶ ପଶ୍ଚିମ ଜର୍ମାନୀ ତା’ର ଛଅକୋଟିରୁ ଅଧିକ ଲୋକଙ୍କ ପାଇଁ ୭୧ଟି ସ୍ଥାନ ପାଇବ । ୧୯୭୮ ମସିହାରେ ପ୍ରକୃତିରେ ଏହି ପ୍ରସ୍ତାବିତ ଇଉରୋପୀୟ ନିର୍ବାଚନଟି ହେବାରେ ଦୁଇଟି ସଦସ୍ୟ ଦେଶ-ଇଂଲଣ୍ଡ୍‌ ଓ ଡେନ୍‌ମାର୍କ୍‌ ସନ୍ଦେହ ପ୍ରକାଶ କରୁଛନ୍ତି । ସ୍ଥିର ହୋଇଛି ଯେ ପ୍ରତ୍ୟକ୍ଷ ନିର୍ବାଚନର ବ୍ୟବସ୍ଥା କରି ନ ପାରିବା ପର୍ଯ୍ୟନ୍ତ ଏହି ଦୁଇଟି ଦେଶ ବର୍ତ୍ତମାନ ପରି ଜାତୀୟ ବିଧାନସଭାରୁ ମନୋନୀତ ସଭ୍ୟମାନଙ୍କୁ ଇଉରୋପୀୟ ପାର୍ଲିଆମେଣ୍ଟକୁ ପଠାଇପାରିବେ । ଆଶାବାଦୀ ଏବଂ ଏକତାବାଦୀମାନେ କହୁଛନ୍ତି ଯେ ଅନ୍ତତଃ ବର୍ତ୍ତମାନର ସଦସ୍ୟ ଦେଶମାନଙ୍କ କ୍ଷେତ୍ରରେ ୧୯୭୮ ମସିହାକୁ ଇଉରୋପୀୟ ପାର୍ଲିଆମେଣ୍ଟ ସକାଶେ ପ୍ରତ୍ୟକ୍ଷ ନିର୍ବାଚନ ସମ୍ଭବ ହୋଇପାରିଲେ ଅବଶେଷରେ ଆଉ କେତେ ବର୍ଷ ମଧ୍ୟରେ ତାହା ଇଉରୋପର ସବୁ ଦେଶଗୁଡ଼ିକ ଲାଗି ମଧ୍ୟ ସେହି ପ୍ରତ୍ୟକ୍ଷ ନିର୍ବାଚନରେ ଭାଗ ନେବାପାଇଁ ବାଟ ଖୋଲିଦେବ ।

ବର୍ତ୍ତମାନ ନଅଟି ଦେଶର ମନୋନୀତ ସଭ୍ୟମାନଙ୍କୁ ନେଇ ଇଉରୋପୀୟ ପାର୍ଲିଆମେଣ୍ଟରେ ୧୯୮ଟି ସ୍ଥାନ ରହିଛି । ୧୯୭୮ ମସିହାର ପ୍ରତ୍ୟକ୍ଷ ନିର୍ବାଚନ ଫଳରେ ଏହି ସ୍ଥାନ ସଂଖ୍ୟା ୩୫୫କୁ ବୃଦ୍ଧି ପାଇବ । ଗତ ଏପ୍ରିଲ ମାସରେ ଲକ୍‌ସମ୍‌ବର୍ଗ୍‍ଠାରେ ସଦସ୍ୟ ଦେଶମାନଙ୍କର ଯେଇଁ ବୈଠକ ବସିଥିଲା, ସାଥିରେ ୧୯୭୮ ମସିହାର ପ୍ରତ୍ୟକ୍ଷ ନିର୍ବାଚନ ବିଷୟରେ ଚର୍ଚ୍ଚା କରାଯାଇଥିଲା ।

ଇଉରୋପୀୟ ଏକତା ବର୍ତ୍ତମାନ ମଧ୍ୟ ଏକ ସ୍ୱପ୍ନ ହୋଇ ରହିଛି । ୧୯୭୮ ମସିହାରେ ପ୍ରତ୍ୟକ୍ଷ ନିର୍ବାଚନରେ ମଧ୍ୟ ଯେଉଁ ବୃହତ୍ତର ପାର୍ଲିଆମେଣ୍ଟ ଜନ୍ମଲାଭ କରିବ, ସେଥିରେ ଖୁବ୍‌ ସମ୍ଭବ ମୁଖ୍ୟତଃ ଆର୍ଥିକ ପ୍ରଶ୍ନଗୁଡ଼ାକର ଚର୍ଚ୍ଚା ହେବ । ରାଜନୈତିକ ପ୍ରଶ୍ନଗୁଡ଼ିକର ଚର୍ଚ୍ଚା ଓ ମୀମାଂସା ପ୍ରତ୍ୟେକ ରାଜ୍ୟର ନିଜସ୍ୱ ଆଭ୍ୟନ୍ତରୀଣ ବ୍ୟାପାର ରୂପେ ନିଷିଦ୍ଧ ହୋଇ ରହିଥିବ । ଖାଲି ଇଉରୋପରେ ନୁହେଁ, ସମଗ୍ର ପୃଥିବୀର ମନୋଭୂମିରେ ମନୁଷ୍ୟ ଆପଣାର ଆଦର୍ଶ ଓ କଲ୍ୟାଣଗୁଡ଼ାକୁ ଜାତୀୟତାର ଆୟତନଟି ଭିତରେ ଆବଦ୍ଧ କରି ରଖିଛି । ସେଇଥିରୁ ସେ ସୁଖ ପାଉଛି । ଆଉ ଗୋଟିଏ ସ୍ତରକୁ ଉଠି ସମଗ୍ର ମହାଦେଶ ବା ସମଗ୍ର ପୃଥିବୀର ଦୃଷ୍ଟିରୁ ଭାବିବା ଲାଗି ତାକୁ ହୁଏତ ଆହୁରି ଅନେକ ପ୍ରସ୍ତୁତ ହେବାକୁ ପଡ଼ିବ, ଏକ ନୂତନ ସମ୍ୱନ୍ଧଭୂମି ଲାଗି ଏକତ୍ର ସମ୍ମତ ହେବାକୁ ପଡ଼ିବ । ତା’ପରେ ଯାଇ ପ୍ରକୃତ ଲକ୍ଷ୍ୟଟି ହାସଲ ହୋଇପାରିବ ।

ତା ୧୭.୦୫.୧୯୭୬ ରିଖ

Image

 

ସମସ୍ୟାର ଅନ୍ୟ ଏକ କାରଣ

 

ମଧ୍ୟପ୍ରାଚ୍ୟରେ ଇସ୍ରାଏଲ ଏବଂ ଆରବ ରାଜ୍ୟଗୁଡ଼ିକୁ ନେଇ ଗତ ଅନେକ ବର୍ଷ ହେଲା ଯେଉଁ ସମସ୍ୟା ଓ ସଂଘର୍ଷର ସୃଷ୍ଟି ହୋଇଛି, ତାହା ପଛରେ ଅନେକ କାରଣ ରହିଛି । ଜଳର ଅଭାବ ଅର୍ଥାତ୍‌ ଜଳର ବଣ୍ଟନ ସମସ୍ୟା ହେଉଛି ତାହାର ଏକ ଅନ୍ୟତକ କାରଣ ।

ସମଗ୍ର ମଧ୍ୟପ୍ରାଚ୍ୟର ଅଞ୍ଚଳ ହେଉଛି ମୁଖ୍ୟତଃ ଏକ ଅଳ୍ପ ଜଳର ଅଞ୍ଚଳ । ଏବେ ଯେଉଁସବୁ ଅଞ୍ଚଳକୁ ନେଇ ଇସ୍ରାଏଲ୍‌ ଦେଶ ଗଠିତ ହୋଇଛି, ସେଠି ପୂର୍ବକାଳରେ ମାତ୍ର କେତେ ହଜାର ମେଷପାଳକଙ୍କ ବ୍ୟତୀତ ଆଉ କେହି ବାସ କରୁନଥିଲେ । ଇସ୍ରାଏଲ୍‌ ରାଜ୍ୟର ସୃଷ୍ଟି ପରେ ଯେତେବେଳେ ସେଠାକୁ ନାନା ଦେଶରୁ ଇହୁଦୀ ଲୋକମାନେ ଆସି ପହଞ୍ଚଲେ, ଇସ୍ରାଏଲ୍‌ ନୂଆ ନାଗରିକ ହେଲେ, ସେତେବେଳେ ନୂତନ ଦେଶଟିର ଲୋକସଂଖ୍ୟା ବୃଦ୍ଧି ପାଇ ତିରିଶି ଲକ୍ଷରେ ପରିଣତ ହେଲା ଏବଂ ଆଗାମୀ କେତୋଟି ବର୍ଷରେ ତାହା ପଚାଶ ଲକ୍ଷର ସୀମାକୁ ସ୍ପର୍ଶ କରିବ ବୋଲି ସମସ୍ତେ ଅନୁମାନ କରୁଛନ୍ତି । ଏହିପରି ପରିସ୍ଥିତିରେ ଜଳ ଯେ କ୍ରମେ ସେଠାରେ ଏକ ସର୍ବମୁଖ୍ୟ ସମସ୍ୟା ହୋଇ ଦେଖାଯିବ, ସେକଥା ବୁଝିବା କାହାରି ପକ୍ଷରେ ଆଦୌ କଷ୍ଟକର ହେବନାହିଁ ।

ଜର୍ଡ଼ାନ୍‌ ନଦୀର ଉପତ୍ୟକା ଏବଂ ବାଇବେଲ୍‌ର ପ୍ରସିଦ୍ଧ ଗାଲିଲି ହ୍ରଦକୁ ହିଁ ଇସ୍ରାଏଲ୍‌ ଆପଣା ଜଳାବଶ୍ୟକତାକୁ ମେଣ୍ଟାଇବାର ପ୍ରଧାନ ସାଧନ ରୂପେ ବ୍ୟବହାର କରିଆସିଛି । ମାତ୍ର ଏହି ଜଳପରିମାଣ ନିକଟ ଭବିଷ୍ୟତରେ ଅଧିକ ଅଯଥେଷ୍ଟ ବୋଲି ପ୍ରମାଣିତ ହେଉଥିବାରୁ ଇସ୍ରାଏଲ୍‌ ଅଚିରେ କେତୋଟି ସମସ୍ୟାର ସମ୍ମୁଖୀନ ହେବାକୁ ଯାଉଛି । ସେଗୁଡ଼ିକ ହେଉଛି, ହଜାର ହଜାର ଇସ୍ରାଏଲ୍‌ବାସୀଙ୍କୁ କ୍ରମେ ପୁନଃପରିଷ୍କୃତ ବ୍ୟବହୃତ ଜଳକୁ ପାନୀୟ ଜଳରୂପେ ବ୍ୟବହାର କରିବାକୁ ବାଧ୍ୟ ହେବାକୁ ପଡ଼ିବ । ସମୁଦ୍ରର ଲୁଣିଜଳକୁ ମଧୁର ଜଳରେ ପରିଣତ କରି ତାହାକୁ ପାନୋପଯୋଗୀ କରିବାର ଯେଉଁ ବୈଜ୍ଞାନିକ ଗବେଷଣା ଇସ୍ରାଏଲ୍‌ରେ ଚାଲିଥିଲା, ତାହା ଅତିରିକ୍ତ ପରିମାଣରେ ବ୍ୟୟସାପେକ୍ଷ ବୋଲି ପ୍ରମାଣିତ ହୋଇସାରିଲାଣି । ଦୂଷିତ ଜଳ ଏବଂ କୃଷି-ବ୍ୟବହୃତ ରାସାୟନିକ ସାମଗ୍ରୀମାନ ପ୍ରବାହିତ ହୋଇ ଆସିବା ଫଳରେ ଗାଲିଲି ହ୍ରଦରେ ଜଳ ମଧ୍ୟ ବେଶ୍‌ ବେଳେବେଳେ ସଂକ୍ରାମିତ ହେବାକୁ ଆରମ୍ଭ କଲାଣି ।

ଏସବୁଥିରୁ କ୍ରମେ ସ୍ପଷ୍ଟ ହୋଇଯାଉଛି ଯେ ଇସ୍ରାଏଲ୍‌କୁ ତା’ ସୀମା ବାହାରେ ଥିବା କୌଣସି ଜଳଭଣ୍ଡାର ଉପରେ ନିର୍ଭର କରିବାକୁ ହିଁ ପଡ଼ିବ । କେବଳ ଗାଲିଲି ହ୍ରଦ ଉପରେ ନିର୍ଭର କରି ରହିବା ତା’ ଲାଗି ଆଦୌ ସମ୍ଭବ ହେବନାହିଁ । ଲେବାନନ୍‌ରେ ଏପରି ଏକ ପ୍ରକାର ଏବେ ଶୁଣିବାକୁ ମିଳିଲାଣି ଯେ ଇସ୍ରାଏଲ୍‌ର ଉତ୍ତରକୁ ଲେବାନନ୍‌ ସୀମାର ଅନେକ ଭିତରକୁ ରହିଥିବା ଓ ଭୂମଧ୍ୟସାଗର ମଧ୍ୟକୁ ପ୍ରବାହିତ ହେଉଥିବା ଗୋଟିଏ ନଦୀ ଉପରେ ଇସ୍ରାଏଲ୍‌ର ଆଖି ରହିଲାଣି । ଆପଣାର ଜଳସମସ୍ୟାକୁ ଦୁଇ କରିବା ଲାଗି ଇସ୍ରାଏଲ୍‌ ସେହି ନଦୀଟି ପର୍ଯ୍ୟନ୍ତ ଉତ୍ତରକୁ ମାଡ଼ିଯିବାକୁ ଏକ ମସୁଧା ରଖିଛି ବୋଲି ଲେବାନନ୍‌ର ନେତାମାନେ ପ୍ରଚାର କରୁଛନ୍ତି । ଅବଶ୍ୟ ଏକଥା ସତ ଯେ ଇସ୍ରାଏଲ ସେହି ପ୍ରଚାରକୁ ନିରର୍ଥକ ବୋଲି କହି ଉଡ଼ାଇ ଦେଇଛି ।

ଜର୍ଡ଼ାନ୍‌ ନଦୀକୁ ଜଳ ଯୋଗାଇ ଦେଉଥିବା ତିନୋଟି ଉପନଦୀ ମଧ୍ୟରୁ କେବଳ ଗୋଟିଏ ଉପନଦୀ ଇସ୍ରାଏଲର ଇଲାକା ମଧ୍ୟରେ ପ୍ରବାହିତ ହୋଇଆସୁଥିଲା । ୧୯୬୭ ଯୁଦ୍ଧ ଫଳରେ ଇସ୍ରାଏଲ ସିରିଆର ଗୋଲାନ୍‌ ପର୍ବତାଞ୍ଚଳ ଦଖଲ କରିଥିବା ଫଳରେ ଆଉ ଗୋଟିଏ ଉପନଦୀ ଉପରେ ମଧ୍ୟ ଇସ୍ରାଏଲର ଆସିଗଲା । ତା’ ପୂର୍ବରୁ ଜର୍ଡ଼ାନ ନଦୀର ଜଳପରିମାଣ କମାଇ ଦେବାର ମତଲବରେ ଆରବମାନେ ସେହି ଉପନଦୀର ଜଳକୁ ଅନ୍ୟତ୍ର ମୁହାଁଇ ନେଉଥିଲେ । ଗୋଲାନ୍‌ ଅଞ୍ଚଳ ଦଖଲ କରିଯିବା ଫଳରେ ଦୁଇଟିରୁ ଅନ୍ତତଃ ଗୋଟିଏ ଉପନଦୀ ଇସ୍ରାଏଲ ହାତକୁ ଆସିଛି ଓ ଇସ୍ରାଏଲ ଯେକୌଣସି ପରିସ୍ଥିତିରେ ମଧ୍ୟ ଗୋଲାନ୍‌ ଅଞ୍ଚଳରୁ ହଟିଯିବ ନାହିଁ ବୋଲି ଜିଦ୍‌ କରି କହୁଛି, ତା’ ପଛରେ ଏଇଟି ମଧ୍ୟ ଏକ କାରଣରୂପେ ବର୍ତ୍ତମାନ ରହିଛି ।

ଏହି ସବୁଯାକ ଜଳାବର୍ତ୍ତକୁ ଏକାଠି ଗୋଟିଏ ଯୋଜନାର ଅନ୍ତର୍ଗତ କରି ଯଦି ଇସ୍ରାଏଲ, ସିରିଆ ଏବଂ ଲେବାନନ୍‌-ଏହି ତିନୋଟି ଦେଶର ଜଳପ୍ରୟୋଜନ ସମସ୍ୟାଟିର ସମାଧାନ କରିବା ଲାଗି ସମ୍ମିଳିତ ଉଦ୍ୟମ କରାଯାଇପାରନ୍ତା, ତେବେ ମଧ୍ୟପ୍ରାଚ୍ୟରେ ଗୋଟିଏ ପକ୍ଷରେ ଇସ୍ରାଏଲ ଓ ଅନ୍ୟ ପକ୍ଷରେ ଆରବ ଦେଶଗୁଡ଼ିକ ମଧ୍ୟରେ ପ୍ରାୟ ଏକ ଦୁଷ୍ଟ ବ୍ରଣପରି ହୋଇ ରହିଥିବା ବିବାଦର ସମସ୍ୟାଟି ମଧ୍ୟ ଏକାବେଳେକେ ଭିନ୍ନରୂପ ଧାରଣ କରିବାକୁ ଆରମ୍ଭ କରନ୍ତା । ଏହି ମିଳିତ ଯୋଜନାଟିକୁ କାର୍ଯ୍ୟକାରୀ କରିବା ଲାଗି ଇସ୍ରାଏଲକୁ ଆରବଦେଶଗୁଡ଼ିକ ସହିତ ନିଶ୍ଚୟ ଏକ ରାଜିନାମା କରିବାକୁ ହୁଅନ୍ତା ଏବଂ ତାହା ମଧ୍ୟପ୍ରାଚ୍ୟର ସମଗ୍ର ବିବାଦଟିର କ୍ଷେତ୍ରରେ ମଧ୍ୟ ଅନେକ ସମାଧାନ ଆଣି ଯୋଗାଇ ଦେଇ ପାରନ୍ତା, ଅନେକ ଅନମନୀୟ ଅନିଛୁକତାକୁ ଦୂର କରିଦେଇ ପାରନ୍ତା । ସେହି ଅଞ୍ଚଳର ଜଳସମ୍ପଦକୁ ସେହି ଅଞ୍ଚଳର ଦେଶଗୁଡ଼ିକ ଏକତ୍ର ବିନିଯୋଗ କରିବାର ସୁଯୋଗ ପାଇଲେ ତାହା ସେହି ଅଞ୍ଚଳଟିର ଖାଦ୍ୟସମ୍ପଦକୁ ବଢ଼ାଇ ପାରନ୍ତା ଓ ଅନେକ ଶତ୍ରୁତା ଏବଂ ଅନେକ ଦୂରତାକୁ ଦୂର କରିଦେଇ ପାରନ୍ତା । ଅର୍ଥାତ୍‌ ଜଳର ସମ୍ମିଳିତ ବିନିଯୋଗ ସେହି ଅଞ୍ଚଳର ସମଗ୍ର ରାଜନୀତି ସ୍ଥିତିଟିକୁ ହୁଏତ ଏକାବେଳେକେ ବଦଳାଇ ଦେଇପାରନ୍ତା ।

ତା ୧୮.୦୫.୧୯୭୬ ରିଖ

Image

 

ପଶ୍ଚିମ ବର୍ଲିନ୍‌ର ଦୁଃଖ

 

ବର୍ଲିନ୍‌ ସହର ଦ୍ୱିତୀୟ ମହାଯୁଦ୍ଧ ପୂର୍ବରୁ ସମୁଦାୟ ଜର୍ମାନୀ ଦେଶର ରାଜଧାନୀ ଥିଲା । ମହାଯୁଦ୍ଧରେ ଜର୍ମାନୀ ହାରିଲା; ଜର୍ମାନୀ ଦୁଇ ଭାଗରେ ବିଭକ୍ତ ହୋଇଗଲା । ପୂର୍ବପଟୁ ଋଷିଆର ସୈନ୍ୟମାନେ ଯେଉଁ ଅଞ୍ଚଳଟି ମଧ୍ୟକୁ ମାଡ଼ି ଆସିଥିଲେ, କାଳକ୍ରମେ ସେଇଟିକୁ ପୂର୍ବ ଜର୍ମାନୀ ବୋଲି କୁହାଗଲା । ପଶ୍ଚିମ ପଟୁ ଅନ୍ୟ ପକ୍ଷର ସୈନ୍ୟମାନେ ଯେଉଁଯାଏ ମାଡ଼ିଯାଇଥିଲେ, ସେଇ ଅଞ୍ଚଳଟି ପଶ୍ଚିମ ଜର୍ମାନୀ ହେଲା । ଦୁଇ ପ୍ରକାର ରାଜନୀତିକ ଆଧିପତ୍ୟ ଓ ଚାପ ଫଳରେ ଏହି ଦୁଇଟି ଖଣ୍ଡ ଦୁଇଟି ରାଷ୍ଟ୍ରରେ ପରିଣତ ହେଲେ, ଦୁଇପ୍ରକାର ଛାଞ୍ଚକୁ ଆଦରି ରହିଲେ ଏବଂ ସେହି ଛାଞ୍ଚ ଦୁଇଟି ମଧ୍ୟରେ ରହିଥିବା ମାନସିକ ବ୍ୟବଧାନ କ୍ରମେ ଏପରି ପ୍ରବଳ ହେଲା ଯେ ଶହ ଶହ ମାଇଲ ଲମ୍ୱିଥିବା ମଝି ସୀମାଟି ଉପରେ ବିଦ୍ୟୁତ୍‌ ତାରର ବାଡ଼ ବସାଇ ଦିଆଗଲା ଓ ସୀମା କଡ଼େ କଡ଼େ ମଞ୍ଚା ଉପରେ ବନ୍ଧୁକଧାରୀ ପ୍ରହରୀ ଜଗି ରହିଲେ ।

ବର୍ଲିନ୍‌ ସହର ଏହି ବିଭାଜନ ଫଳରେ ପୂର୍ବଜର୍ମାନୀ ଭିତରେ ରହିଗଲା । ଯୁଦ୍ଧର ପରବର୍ତ୍ତୀ ଆଧିପତ୍ୟ ବିସ୍ତାରର ଆକସ୍ମିକତା ଦ୍ୱାରା ସେଇଟି ମଧ୍ୟ ପଶ୍ଚିମ ବର୍ଲିନ୍‌ ଓ ପୂର୍ବ ବର୍ଲିନ୍‌ ଏହିପରି ଦୁଇଖଣ୍ଡରେ ବିଭକ୍ତ ହୋଇରହିଲା । ପଶ୍ଚିମ ବର୍ଲିନ୍‌ ପଶ୍ଚିମ ଜର୍ମାନୀର ଏକ ଇଲାକା ହୋଇ ରହିଲା, ପୂର୍ବ ବର୍ଲିନ୍‌ ପୂର୍ବଜର୍ମାନୀର ରାଜଧାନୀ ହେଲା ଏବଂ ଗୋଟିଏ ସହରର ଦୁଇଟି ଖଣ୍ଡ ମଧ୍ୟରେ ରହିଥିବା ଅନତିକ୍ରମ୍ୟ ଦୂରତାକୁ ମୂର୍ତ୍ତ ରୂପ ଦେଇ ମଝିରେ ପାଚିରି ତିଆରି ହେଲା; କଣ୍ଟାବାଡ଼ ଦେଇ ଲୋକମାନଙ୍କୁ ସେପାଖରୁ ଏପାଖକୁ ଆସିବାରୁ ନିବୃତ୍ତ କରି ରଖାଗଲା । ରାଜନୀତିକ ପ୍ରଚାରର ଉତ୍ତେଜନା ଏହିପରି ଭାବରେ ଗୋଟିଏ ସହରର ଦ୍ୱିଖଣ୍ଡିତ ଜୀବନକୁ ବେଶ୍‌ ସ୍ୱାଭାବିକ ବୋଲି ପ୍ରତୀତି ଆଣିଦେଲା ।

ପଶ୍ଚିମ ବର୍ଲିନ୍‌ ପଶ୍ଚିମ ଜର୍ମାନୀର ସୀମାଠାରୁ ପୂର୍ବ ଜର୍ମାନୀରେ ୧୨୫ ମାଇଲ ଭିତରକୁ ଅବସ୍ଥିତ । ଲୋକସଂଖ୍ୟା କୋଡ଼ିଏ ଲକ୍ଷ, ପଶ୍ଚିମ ଜର୍ମାନୀର ଅସଲ ଓ ବୃହତ୍ତର ଭୂଖଣ୍ଡଟିର ଯେକୌଣସି ସହରର ଲୋକସଂଖ୍ୟାଠାରୁ ଅଧିକ । ପଶ୍ଚିମ ଜର୍ମାନୀର ଏହି ବୃହତ୍ତମ ସହରରେ ଉଚ୍ଚଶିକ୍ଷାର ଆସ୍ଥାନମାନ ରହିଛି, ବଡ଼ ବଡ଼ ଶିଳ୍ପୋଦ୍ୟୋଗ କେନ୍ଦ୍ରମାନ ରହିଛି । ସମଗ୍ର ପଶ୍ଚିମ ଜର୍ମାନୀ ତୁଳନାରେ ଏଠି ବେକାର କମ୍‌ ରହିଛନ୍ତି, ଜୀବନ ନିର୍ବାହର ସ୍ୱଚ୍ଛଳତା ମଧ୍ୟ ଅଧିକ ରହିଛି । ଅର୍ଥର କୌଣସି ସମସ୍ୟା ହିଁ ନାହିଁ । କାରଣ ପଶ୍ଚିମ ବର୍ଲିନ୍‌ର ମୋଟେ ବଜେଟର ପ୍ରାୟ ଅର୍ଦ୍ଧାଂଶ ପଶ୍ଚିମ ଜର୍ମାନୀ ସରକାରଙ୍କଠାରୁ ଅନୁଦାନ ସୂତ୍ରରେ ଆସୁଛି । ପଶ୍ଚିମ ବର୍ଲିନ୍‌ରେ ଯେପରି ଅଧିକରୁ ଅଧିକ ପରିବାର ଆସି ବାସ କରନ୍ତି, ସେହି ଦିଗରେ ଆବଶ୍ୟକ ଉତ୍ସାହ ଦେବାଲାଗି ପଶ୍ଚିମ ଜର୍ମାନୀ ସରକାର ପ୍ରତ୍ୟେକ ତରୁଣ ଦମ୍ପତିଙ୍କୁ ୧୫,୦୦୦ ଟଙ୍କା ଋଣ ଦେଉଛନ୍ତି ଏବଂ ସେଠି ସେମାନଙ୍କର ତିନୋଟି ଛୁଆ ହୋଇଯିବା ପରେ ସେମାନଙ୍କୁ ସେହି ଋଣକୁ ପରିଶୋଧ କରିବାକୁ ବି ପଡ଼ୁନାହିଁ । ବ୍ୟବସାୟ ଓ ଅନ୍ୟାନ୍ୟ ବ୍ୟୟ ନିର୍ବାହ ଲାଗି ମଧ୍ୟ ଛୋଟବଡ଼ ଋଣ ଅଳ୍ପ ସୁଧରେ ମିଳୁଛି ।

ତଥାପି, ଏତେସବୁ କରି ମଧ୍ୟ ପଶ୍ଚିମ ଜର୍ମାନୀର ଲୋକସଂଖ୍ୟାରେ କୌଣସି ବୃଦ୍ଧି ହେଉନାହିଁ । ପ୍ରତ୍ୟେକ ବର୍ଷ ପ୍ରାୟ ତିନି ହଜାର ଯୁବକ ଯୁବତୀ ପଶ୍ଚିମ ବର୍ଲିନ୍‌ ଛାଡ଼ି ପଶ୍ଚିମ ଜର୍ମାନୀ ଭିତରକୁ ଚାଲିଯାଉଛନ୍ତି ଏବଂ ଆଗାମୀ ପନ୍ଦରବର୍ଷ ପରେ ସେଠାରୁ ଏହିପରି ଭାବରେ ପ୍ରାୟ ତିନିଲକ୍ଷ ଲୋକ ଛାଡ଼ି ଚାଲିଯାଇଥିବେ ବୋଲି ଆଶଙ୍କା କରାଯାଉଛି । ବର୍ତ୍ତମାନ ପଶ୍ଚିମ ବର୍ଲିନ ସହରରେ କ୍ରମେ ପେନ୍‌ସନଭୋଗୀ ପ୍ରୌଢ଼ ଓ ବୃଦ୍ଧବୟସ୍କମାନଙ୍କର ସଂଖ୍ୟା ହିଁ ବଢ଼ିବାରେ ଲାଗିଛି । ଏବେ ଗୋଟିଏ ହିସାବରୁ ଜଣାଯାଇଛି ଯେ ସେଠି ମୋଟ ଲୋକସଂଖ୍ୟାର ପ୍ରତି ତିନିଜଣରୁ ଜଣେ ହେଉଛି ପ୍ରୌଢ଼ା ବିଧବା, ଯାହାଙ୍କ ବୟସ ୪୫ ବର୍ଷ ଅତିକ୍ରମ କରିଗଲାଣି ।

୧୯୭୧ ଓ ୧୯୭୨ ମସିହାରେ ପଶ୍ଚିମ ଓ ପୂର୍ବଜର୍ମାନୀ ମଧ୍ୟରେ ଯେଉଁ ରାଜିନାମାଗୁଡ଼ିକ ହୋଇଛି, ତଦ୍ଦ୍ୱାରା ପୂର୍ବର ରାଜନୀତିକ ଉତ୍ତେଜନା ଅନେକ ପରିମାଣରେ ହ୍ରାସ ହୋଇଯାଉଛି ଏବଂ ସେଠି ପରିବେଶଟା ଆଗପରି ଗରମ ହୋଇ ରହିବାର ଆଉ କୌଣସି କାରଣ ରହୁନାହିଁ । ତେଣୁ ନାଗରିକ ଜୀବନର ମାନସକ୍ଷେତ୍ରରେ ଏକ ମନ୍ଦତା ପ୍ରବେଶ କରିଯାଉଛି, ସତେଅବା ଗୋଟିଏ ଦ୍ୱୀପ ଭିତରେ ଅଲଗା ହୋଇ ରହିବା ପରି ଲାଗୁଛି ଏବଂ ଏହି ଦ୍ୱୀପଜୀବନର ପ୍ରକୃତରେ ଆଉ କୌଣସି ଆବଶ୍ୟକତା ଅଛି ବୋଲି ନିଜକୁ ବୁଝାଇ ହେଉନାହିଁ । ଅନେକେ ଆଶଙ୍କା କରୁଛନ୍ତି ଆଗାମୀ ଅଳ୍ପ କେତେବର୍ଷ ଭିତରେ ସେଠି ସାମୂହିକ ମାନସରେ ହୁଏତ ଏପରି ଏକ ବାତାବରଣ ସୃଷ୍ଟି ହୋଇଯିବ, ଯେତେବେଳେ କି ସମ୍ପୂର୍ଣ୍ଣ ଆଉ ଗୋଟାଏ ଦେଶ ଭିତରେ ଟାପୁଟାଏ ହୋଇ ତେଣେ ପଶ୍ଚିମ ଜର୍ମାନୀର ଅଂଶ ହୋଇ ରହିବାର ଆଉ କୌଣସି ପ୍ରୟୋଜନ ଅଛି ବୋଲି ମନେ ହେବନାହିଁ । କ୍ରମେ ଅଧିକରୁ ଅଧିକ ବାସିନ୍ଦା ପ୍ରକୃତ ଦେଶଟିକୁ ଫେରିଆସିବେ ଏବଂ ଟାପୁଟି କାଳକ୍ରମେ ଚତୁର୍ଦ୍ଦିଗସ୍ଥ ଭୂଖଣ୍ଡଟି ମଧ୍ୟରେ ମିଶିଯିବ ।

 

ଅର୍ଥାତ୍‌ ସମୟ ସେହି କ୍ଷେତ୍ରରେ ଏକ ତୀବ୍ର ଓ ଉତ୍ତପ୍ତ ରାଜନୀତିକ ଅଡ଼ୁଆର ସମାଧାନ କରିଦେବ ଏବଂ ସମସ୍ତେ ସେହି ସମାଧାନଟିକୁ ହିଁ ବିଧିନିର୍ଦ୍ଦିଷ୍ଟ ବୋଲି ସ୍ୱୀକାର କରିନେବେ । ପରିଶେଷରେ ଏହା ହିଁ ଘଟିବ ବୋଲି ବେଶ୍‌ ଅନୁମାନ କରିହେଉଛି ।

 

ତା ୨୧.୦୫.୧୯୭୬ ରିଖ

Image

 

ବନ୍ଧୁତ୍ୱପୂର୍ଣ୍ଣ ସହାବସ୍ଥାନ

 

ଭାରତବର୍ଷ ଏବଂ ପାକିସ୍ଥାନ ମଧ୍ୟରେ ଏବେ ଇସ୍‌ଲାମାବାଦଠାରେ ଏକ ମିଳିତ ରାଜିନାମା ସ୍ୱାକ୍ଷରିତ ହୋଇଛି । ଏହା ଫଳରେ ଦୁଇଦେଶ ମଧ୍ୟରେ ପୁଣି ଶୀଘ୍ର ଦୂତ ବିନିମୟ ହେବ । ଦୁଇଦେଶ ମଝିରେ ରହିଥିବା ଯେଉଁ ସୀମାଟି ଗତ ପ୍ରାୟ ପାଞ୍ଚ ବର୍ଷ ହେଲା ସକଳ ପ୍ରକାର ଯାତାୟତ ସକାଶେ ବନ୍ଦ ହୋଇ ରହିଥିଲା, ତାହା ଏଣିକି ଖୋଲିଯିବ । ଦୁଇଦେଶ ମଧ୍ୟରେ ଏଣିକି ରେଳଗାଡ଼ି ଯିବା-ଆସିବା କରିବ, ବାଣିଜ୍ୟ-କାରବାର ହେବ, ଏ ଦେଶର ଉଡ଼ାଜାହାଜ ସେ ଦେଶର ଆକାଶପଥ ଦେଇ ଆସିଯାଇ ପାରିବ । ଏସବୁ ସ୍ୱାଭାବିକ ସମ୍ପର୍କ ଗତ ବେଶ୍‌ କେତେବର୍ଷ ହେଲା ସ୍ଥଗିତ ରହିଥିଲା ।

 

ବ୍ରିଟିଶ୍‌ ସାମ୍ରାଜ୍ୟବାଦୀ ଶାସନ କବଳରୁ ମୁକ୍ତ ହେବାଲାଗି ଭାରତବର୍ଷରେ ଯେତେବେଳେ ସ୍ୱାଧୀନତା ସଂଗ୍ରାମ ଚାଲୁଥିଲା, ସେତିକିବେଳେ ସେହି ସଂଗ୍ରାମରେ ପ୍ରାୟ ଏକ ପ୍ରତିବନ୍ଧକ ପୂରାଇ ମହମ୍ମଦ ଅଲି ଜିନ୍ନା ଓ ତାଙ୍କର ରାଜନୀତିକ ଦଳ ଭାରତବର୍ଷର ମୁସଲମାନଙ୍କ ଲାଗି ଏକ ସ୍ୱତନ୍ତ୍ର ରାଜ୍ୟ ଓ ସ୍ୱତନ୍ତ୍ର ଶାସନ ଦାବୀ କରୁଥିଲେ । ସେହି ଦାବୀ ବ୍ରିଟିଶ୍‌ ସାମ୍ରାଜ୍ୟ ଅଧିକାରୀମାନଙ୍କର ଚତୁର କୌଶଳ ଏବଂ ସାମୟିକ ଘଟଣାଗୁଡ଼ିକର ଚକ୍ରଟି ଦ୍ୱାରା ନିର୍ଦ୍ଧାରିତ ହୋଇ ଗୋଟିଏ ଉପମହାଦେଶ ଦୁଇଟି ଦେଶରେ ଭାଗ ଭାଗ ହେଲା ଏବଂ ଶେଷକୁ ବାଂଲାଦେଶର ଉଦୟ ଫଳରେ ଦୁଇଟି ଦେଶ ତିନୋଟି ବି ହେଲା । ସ୍ମରଣ ରଖିବାକୁ ହେବ ଯେ ରାଜନୀତିକ ଦୃଷ୍ଟିରୁ ଏହିପରି ତିନୋଟି ଦେଶର ସୃଷ୍ଟି ହୋଇଥିଲେ ମଧ୍ୟ ଏମାନଙ୍କର ଭୂଗୋଳ ଏକ, ଇତିହାସ ଏକ ଏବଂ ଏପରିକି ନିୟତି ମଧ୍ୟ ଏକ । ଏହି ତିନୋଟି ଦେଶକୁ ଏକତ୍ର ଛନ୍ଦି ରଖିଥିବା ନଦୀଗୁଡ଼ିକ ପରି ଏହି ତିନୋଟିଯାକ ଦେଶର ଭାଗ୍ୟ ନାନା କାରଣରୁ ଏବଂ ନାନା ଆବଶ୍ୟକତାରୁ ସତେ ଅବା ଏକତ୍ର ଗୋଟିଏ ଭାଗ୍ୟରେ ଛନ୍ଦା ହୋଇରହିଛି ।

 

ତେଣୁ ଭାରତବର୍ଷ, ବାଂଲାଦେଶ ଓ ପାକିସ୍ଥାନ ଯେ ପରସ୍ପରର ପ୍ରତିବେଶୀ ହିସାବରେ ପରସ୍ପରର ସହାବସ୍ଥିତ ହୋଇ ରହିବେ, କେବଳ ସେତିକି ନୁହେଁ, ପ୍ରତ୍ୟେକେ ଗୋଟିଏ ଗୋଟିଏ ଦେଶ ରୂପେ ତିଷ୍ଠି ରହିବାକୁ ହେଲେବି ସେମାନଙ୍କୁ ପରସ୍ପର ସହିତ ବନ୍ଧୁତା ସ୍ଥାପନ କରି ରହିବାକୁ ପଡ଼ିବ । ଉପମହାଦେଶଟି ମଧ୍ୟରେ ଏହି ବନ୍ଧୁତା ନରହିଲେ ତଦ୍ଦ୍ୱାରା ବିହିଃଶକ୍ତିମାନେ ଏଠି ଅନୁପ୍ରବେଶ କରିବା ଲାଗି ପ୍ରାୟ ସର୍ବଦା ବଡ଼ ତତ୍ପର ହୋଇ ରହିଥିବେ ଏବଂ ତଦ୍ଦ୍ୱାରା ଏଠି ଏପରି ଏକ ପରିସ୍ଥିତି ସୃଷ୍ଟି କରୁଥିବେ ଯେଉଁଥିରେ କି ତିନୋଟିଯାକ ଦେଶ ଦୁର୍ବଳ ହୋଇ ରହିଥିବେ, ଏପରିକି ଅନେକ ସମୟରେ ବାହାର ଶକ୍ତିମାନଙ୍କ ହାତରେ କ୍ରୀଡ଼ନକ ପରି ହୋଇ ରହିଥିବେ ।

 

ତୁଚ୍ଛା ଏକ ରାଜନୀତିକ ଅକାରଣରୁ ଜନ୍ମଲାଭ କରିଥିବାରୁ ପାକିସ୍ଥାନର ସମଗ୍ର ଆଭିମୁଖ୍ୟଟି ଅଧିକାଂଶ ସମୟରେ ମୁଖ୍ୟତଃ ରାଜନୀତିକ ହୋଇ ହିଁ ରହିଆସିଛି । ଅର୍ଥାତ୍‌, ଭାରତବର୍ଷ ବିରୁଦ୍ଧରେ ପ୍ରଚାର କରିବାଟା ହିଁ ସତେଅବା ପାକିସ୍ଥାନର ଏକ ରାଷ୍ଟ୍ର ହିସାବରେ ତିଷ୍ଠି ରହିବାଲାଗି ଏକମାତ୍ର ପ୍ରେରଣା ଯୋଗାଇ ଆସିଛି । ଭାରତବର୍ଷକୁ ଆପଣାର ସର୍ବପ୍ରଧାନ ଶତ୍ରୁ ବୋଲି ଦର୍ଶାଇ ପାକିସ୍ଥାନ ବାହାରୁ ଅସ୍ତ୍ରଶସ୍ତ୍ର ଆଣିଛି, କେତେଟା ସାମାରିକ ମେଣ୍ଟ ଭିତରେ ଯାଇ ପଶିଛି, ଭାରତବର୍ଷ ଏବଂ ଚୀନ ମଧ୍ୟରେ ଲାଗିଥିବା ବିବାଦରୁ ବେଶ୍‌ ଫାଇଦା ମଧ୍ୟ ଉଠାଇଛି । ଆପଣାକୁ ଏକ ମୁସଲମାନ ରାଷ୍ଟ୍ର ବୋଲି ପରିଚୟ ଦେଇ ଭାରତବର୍ଷ କେବଳ ଯେ ଏକ ହିନ୍ଦୁ-ରାଷ୍ଟ୍ର, ବିଶ୍ୱ ରାଜନୀତିରେ ଏହିପରି ଏକ ଧାରଣା ଆଣି ପୂରାଇ ଦେବାକୁ ମଧ୍ୟ କେତେ କେତେ ଚେଷ୍ଟା କରାଯାଇଛି । ମାତ୍ର ତଥାପି ଭାରତବର୍ଷର ଏହାଦ୍ୱାରା ଯେତେ କ୍ଷତି ନ ହୋଇଛି, ଖାସ୍‌ ପାକିସ୍ଥାନର ହିଁ ତା’ଠାରୁ ଅଧିକ କ୍ଷତି ହୋଇଛି । ପାକିସ୍ଥାନରେ ରାଜନୀତିକ ଉତ୍ତେଜନା ପ୍ରାୟ ଏକ ନିତ୍ୟ ଅଭିଜ୍ଞତା ହୋଇ ରହିଛି, ପାକିସ୍ଥାନର ରାଜନୀତିକ ବାତାବରଣ ସବୁବେଳେ ପ୍ରାୟ ବଡ଼ ଅସ୍ଥିରତାପୂର୍ଣ୍ଣ ହୋଇ ରହିଛି । ମାତ୍ର ସବୁଠାରୁ ବଡ଼ କ୍ଷତି ହେଉଛି ଯେ ଗୋଟିଏ ବିକାଶଶୀଳ ରାଷ୍ଟ୍ର ଓ ଜନସମୂହ ହିସାବରେ ଆପଣାର ଅର୍ଥନୀତିକୁ ଯେପରି ଦୃଢ଼ମୂଳ ଓ ଶକ୍ତିଶାଳୀ କରିବା କଥା, ପାକିସ୍ଥାନ ଏପର୍ଯ୍ୟନ୍ତ ମଧ୍ୟ ତାହା କରିପାରିନାହିଁ । ବିଦେଶୀ ମୂଳଧନ ଓ ବିଦେଶୀ ଅର୍ଥ-ସାହାଯ୍ୟ ଉପରେ ପାକିସ୍ଥାନର ନିର୍ଭରଶୀଳତା ବଢ଼ି ବଢ଼ି ଯାଇଛି । ତେଣୁ ଜାତୀୟ କ୍ଷେତ୍ରରେ ମଧ୍ୟ ଏକ ଅସହାୟତାର ଭାବନା ବଢ଼ି ବଢ଼ି ଯାଇଛି ।

 

ଭାରତବର୍ଷ ଓ ପାକିସ୍ଥାନ ଦୁଇଟିଯାକ ଦେଶରେ କୋଟି କୋଟି ସଂଖ୍ୟାରେ ମଣିଷ ବାସ କରୁଛନ୍ତି । ସେମାନଙ୍କର ମୂଳ ସମସ୍ୟା ରାଜନୀତି ନୁହେଁ । ମୂଳ ସମସ୍ୟା ହେଉଛି ଅର୍ଥନୈତିକ ଦୃଢ଼ତାର ସମସ୍ୟା, ଏକ ଆଧୁନିକ ଓ ପ୍ରଗତିକାମୀ ସମାଜ-ନିର୍ମାଣର ସମସ୍ୟା । ଅର୍ଥାତ୍‌ ଦୁଇଟିଯାକ ଦେଶର ଅଗ୍ରଗତି ଲାଗି ଦୁଇଟିଯାକ ଦେଶକୁ ଯେ ପରସ୍ପରର ବନ୍ଧୁ ହୋଇ ରହିବାକୁ ପଡ଼ିବ-ଏହା ହେଉଛି ଏକ ଅତ୍ୟାବଶ୍ୟକତା ଏବଂ ଉପମହାଦେଶଟିକୁ ଏହିସବୁ ଦୃଷ୍ଟିରୁ ଦୃଢ଼ କରି ଗଢ଼ିବାକୁ ହେଲେ ଏଠାରେ ସର୍ବୋଦୌ ଏକ ପାରସ୍ପରିକ ସଦିଚ୍ଛା ଓ ସତ୍‌ପ୍ରେରଣା ସର୍ବଦା ରହିଥିବା ଦରକାର । ପାକିସ୍ଥାନ ଏହି କଥାଟି ଅଧିକରୁ ଅଧିକ ବୁଝୁଥିବା ସଙ୍ଗେ ସଙ୍ଗେ ଉପମହାଦେଶଟିର ଦେଶଗୁଡ଼ିକ ମଧ୍ୟରେ ସୁସମ୍ପର୍କ ରହିବା ଭାରି ସହଜ ହୋଇଯାଉଥିବ ।

 

ସୁଖର କଥା, ଗତ ୧୯ ତାରିଖ ସକାଳେ ପାକିସ୍ଥାନର ପ୍ରଧାନମନ୍ତ୍ରୀ ଜେଡ଼୍‌.ଏ.ଭୁଟ୍ଟୋ ତାଙ୍କର ଉତ୍ତର କୋରିଆ ଓ ଚୀନ ଗସ୍ତରେ ଯିବା ବାଟରେ ଭାରତୀୟ ଆକାଶ ପଥରେ ଉଡ଼ିଗଲାବେଳେ ଆମ ପ୍ରଧାନମନ୍ତ୍ରୀଙ୍କଠାରୁ ଯେଉଁ ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି ଓ ତାର ଉତ୍ତରରେ ଶ୍ରମତୀ ଗାନ୍ଧୀ ଯେଉଁ ନୂତନ ଆଶା ପ୍ରକାଶ କରିଛନ୍ତି, ତାହା ଉତ୍ତମ ବୁଝାମଣାର ପଥକୁ ଆହୁରି ସୁଗମ କରିଦେବ ବୋଲି ବିଶ୍ୱାସ କରାଯାଉଅଛି ।

 

ତା ୨୨.୦୫.୧୯୭୬ ରିଖ

Image

 

ଶାନ୍ତିର ସହର

 

ଭୂଗୋଳର ଇଂରାଜୀ ମାନଚିତ୍ରରେ ଆମେ ଯାହାକୁ ଜେରୁଜେଲମ୍‌ ବୋଲି କହୁ, ମୂଳ ହିବ୍ର୍ୟୁ ଭାଷାରେ ତାହାର ନାମ ହେଉଛି ଇର୍‌ଉଶାଲୋମ୍‌, ଅର୍ଥାତ୍‌ ଶାନ୍ତିର ସହର; କିନ୍ତୁ ପୃଥିବୀର ଅନ୍ୟାନ୍ୟ ସମସ୍ତ ସହର ତୁଳନାରେ ସମ୍ଭବତଃ ଏହି ସହରଟି ହିଁ ସବୁଠାରୁ ଅଧିକ ଅଶାନ୍ତିର ସ୍ଥଳୀ ହୋଇ ରହିଆସିଛି । ଇତିହାସର ଗତ କେତେ ହଜାର ବର୍ଷ ହେଲା ବାହାରର ଶତ୍ରୁମାନେ ଏହି ସହରକୁ ଏକାଥିକ ବାର ଧ୍ୱଂସ କରିବାକୁ ଆସିଛନ୍ତି । ରୋମାନ୍‌ମାନେ ଜେରୁଜେଲମ୍‌ ଜୟ କରିଛନ୍ତି, ଅର୍ଥାତ୍‌ ଜେରୁଜେଲମ୍‌କୁ ଧ୍ୱସ୍ତ ଛାରଖାର କରିଛନ୍ତି; ପୁଣି ଇସ୍‌ଲାମ ଧର୍ମର ଦିଗ୍‌ବିଜୟ ସମୟରେ ମଧ୍ୟ ଏହି ସହରଟି ପୁନର୍ବାର ବିଜିତ ହୋଇଛି, ଅର୍ଥାତ୍‌ ଧ୍ୱସ୍ତ ହୋଇଛି ଓ ଛାରଖାର ହୋଇଛି ।

 

ଜେରୁଜେଲମ୍‌ ପାରମ୍ପରିକ ଭାବରେ ଶାନ୍ତିର ସହର ବୋଲି ନାମିତ ହୋଇଆସିଛି, କାରଣ ତିନୋଟି ଧର୍ମର କେନ୍ଦ୍ରପୀଠ ହେବାର ଭାଗ୍ୟ ଇତିହାସରେ କେବଳ ଏହି ଗୋଟିଏ ସହରର ହିଁ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଇହୁଦୀ ଧର୍ମ, ତା’ପରେ ଖ୍ରୀଷ୍ଟିୟାନ୍‌ ଧର୍ମ ଓ ସର୍ବଶେଷରେ ଇସଲାମ ଧର୍ମର କେନ୍ଦ୍ରରୂପେ ଜେରୁଜେଲମ୍‌ କାଳେ କାଳେ ପ୍ରସିଦ୍ଧ ହୋଇ ରହିଛି । ଇହୁଦୀମାନଙ୍କର ଧର୍ମପୀଠ ରାଜା ଡେଭିଡ୍‍ଙ୍କର ସମାଧିସ୍ଥାନ ଏହି ସହରରେ ରହିଛି; ଯେଉଁ ସାନ ପାହାଡ଼ଟି ଉପରେ ଏକଦା ଯୀଶୁଖ୍ରୀଷ୍ଟଙ୍କୁ କ୍ରୁସ୍‌ବିଦ୍ଧ କରାଯାଇଥିଲା, ସେହି ଅଲିଭ୍‌ ମାଉଣ୍ଟେନ୍‌ ମଧ୍ୟ ଜେରୁଜେଲମ୍‌ରେ ରହିଛି; ଇସ୍‌ଲାମୀ ବିଜେତାମାନେ ମଧ୍ୟ ଏହି ସହରରେ ଇସ୍‌ଲାମ ଧର୍ମର ସ୍ମାରକରୂପେ ଏଠାରେ କେତେ କେତେ ମସ୍‌ଜିଦର ନିର୍ମାଣ କରାଇଛନ୍ତି । ଯୁଗେ ଯୁଗେ ଏହି ତିନୋଟି ଧର୍ମ ମଧ୍ୟରେ ତକରାଳ ଲାଗିଆସିଛି । ଧର୍ମ-କଜିଆରେ ସାମ୍ରାଜ୍ୟ ବଢ଼ାଇବାର ନିଶା ମିଶି ତାହାକୁ ଆହୁରି ତୀବ୍ର କରିଛି ଏବଂ ଏବେ ତାହାରି ଭିତରେ ରାଜନୀତିର ଅନମନୀୟତାଗୁଡ଼ାକ ମିଶି ସମସ୍ୟାଟିକୁ ଏକ ଆନ୍ତର୍ଜାତୀୟ ସମସ୍ୟାରେ ପରିଣତ କରିଦେଇଛି । ପୃଥିବୀର ବୃହତ୍‌ ଶକ୍ତିମାନେ ମଧ୍ୟ ଏହି କଳହଯଜ୍ଞଟି ଭିତରେ ଆହୂତିରୂପେ ଆସି ପଡ଼ିଛନ୍ତି ।

 

୧୯୪୮ ମସିହାରେ ନୂତନ ଇହୁଦୀ ରାଜ୍ୟ ଇସ୍ରାଏଲ୍‌ ଜନ୍ମଲାଭ କଲାପରେ ଜେରୁଜେଲମ୍‌ ପ୍ରଥମେ ଇହୁଦୀ ଏବଂ ଆରବମାନଙ୍କ ମଧ୍ୟରେ ଦୁଇଭାଗ ହୋଇ ବଣ୍ଟାହୋଇ ରହିଥିଲା । ଗୋଟିଏ ଅଂଶ ଇସ୍ରାଏଲ୍‌ର ଅଧୀନରେ ରହିଥିଲା ଏବଂ ଅନ୍ୟ ଅଂଶଟି ଜର୍ଡ଼ାନ୍‌ର ଅଧୀନ ହୋଇ ରହିଥିଲା । ୧୯୬୭ ମସିହାର ଯୁଦ୍ଧ ଫଳରେ ଇସ୍ରାଏଲ ସଂପୂର୍ଣ୍ଣ ଜେରୁଜେଲମ୍‌ ସହରକୁ ଦଖଲ କରିନେଲା ଓ ସେହିଦିନଠାରୁ ସହରଟି ସଂପୂର୍ଣ୍ଣ ଭାବରେ ଇହୁଦୀ ଅଧିକାରରେ ରହିଲା । ଜେରୁଜେଲମ୍‌ର ଆରବ ଅଧିବାସୀ ଇସ୍ରାଏଲ୍‌ର ସାଧାରଣ ନୀତିଟି ମୁତାବକ ସେହିଦିନଠାରୁ ଇସ୍ରାଏଲର ଏକ ନିମ୍ନତର ସ୍ତରର ନାଗରିକ ହୋଇ ରହିଲେ ଏବଂ ସେଇଥିରୁ ହିଁ ନୂତନ କଳହ ଓ ପ୍ରତିରୋଧର ବୀଜ ପୋତା ହୋଇ ରହିଲା ।
 

ଇସ୍ରାଏଲର ମତଲବ କ୍ରମେ ସ୍ପଷ୍ଟ ହୋଇଯିବାରେ ଲାଗିଛି ଯେ ଇସ୍ରାଏଲ ସମ୍ପୂର୍ଣ୍ଣ ଜେରୁଜେଲମ୍‌ ସହରକୁ ଆପଣାର ଅଧିକାରରେ ରଖିବାକୁ ଇଚ୍ଛା କରୁଛି । ମାତ୍ର ତେଣେ ଅପର ପାଖରେ, ୧୯୬୭ ମସିହାର ଯୁଦ୍ଧବେଳେ ଇସ୍ରାଏଲ ଅଧିକାର କରି ନେଇଥିବା ଆରବ ଅଞ୍ଚଳକୁ ଶୀଘ୍ର ପୁଣି ଫେରାଇଦେଉ ଏବଂ ତେବେଯାଇ ମଧ୍ୟପ୍ରାଚ୍ୟର ସମସ୍ୟା ବିଷୟରେ ଇସ୍ରାଏଲ ସହିତ କୌଣସି କଥାବାର୍ତ୍ତା ହୁଏତ ସମ୍ଭବ ହୋଇପାରିବ ବୋଲି ଆରବ ରାଷ୍ଟ୍ରଗୁଡ଼ିକ ଦାବୀ କରୁଛନ୍ତି । ବାହାରର ଏହି ପ୍ରଭାବଟି ଆସି ଇସ୍ରାଏଲ ଭିତରେ ବାସ କରୁଥିବା ଆରବମାନଙ୍କ ଉପରେ ପଡ଼ୁଛି ଏବଂ ସେମାନେ ଇସ୍ରାଏଲ ସରକାରଙ୍କ ବିରୁଦ୍ଧରେ ସଂତ୍ରାସମୂଳକ ନାନା କାମ ଆରମ୍ଭ କରିଦେଇଛନ୍ତି । ସେମାନଙ୍କୁ ଉଚିତ ଶିକ୍ଷା ଦେବାଲାଗି ଇସ୍ରାଏଲର ସୈନ୍ୟମାନେ ଆରବ ଅଞ୍ଚଳଗୁଡ଼ିକରେ କଡ଼ା ପହରା ଦେବାରେ ଲାଗିଛନ୍ତି । ଏହି ଉତ୍ତେଜନା ଓ ପ୍ରତିଉତ୍ତେଜନା ଫଳରେ ଏବେ ବିକ୍ଷୁବ୍‌ଧ ଜନତା ଉପରେ ଇସ୍ରାଏଲ ତରଫରୁ ଗୁଳିଚାଳନା ହେବା ଫଳରେ ଦୁଇଜଣ ଆରବ ଯୁବକ ପ୍ରାଣ ହରାଇଛନ୍ତି ।

 

ପ୍ରାଣନାଶର ଏହି ଦୃଷ୍ଟାନ୍ତଟି ଯେ କଳହଗୁଡ଼ାକୁ ଆହୁରି ତୀବ୍ର ହେବାଲାଗି ସାହାଯ୍ୟ କରିବ, ସେଥିରେ ଆଦୌ କୌଣସି ସନ୍ଦେହ ନାହିଁ । ଏବଂ ଏଥିରେ ମଧ୍ୟ କୌଣସି ସନ୍ଦେହ ନାହିଁ ଯେ ବାହାରର ଅନ୍ୟ ଦେଶରେ ବାସ କରୁଥିବା ଆରବମାନେ ମଧ୍ୟ ଇସ୍ରାଏଲ ବିରୁଦ୍ଧରେ ଆରମ୍ଭ ହୋଇଥିବା ଏହି ପ୍ରତିରୋଧକୁ ପ୍ରତ୍ୟକ୍ଷରେ ଅଥବା ପରୋକ୍ଷରେ ସହାନୁଭୂତି ବି ଦେଖାଇବାରେ ଲାଗିଛନ୍ତି । ଅର୍ଥାତ୍‌ ମଧ୍ୟପ୍ରାଚ୍ୟର ବୈର ଓ କଳହଗୁଡ଼ାକ ଏହା ଫଳରେ ଅଧିକ ଜଟିଳ ହେବାରେ ଲାଗିଛି । ଆମେରିକାରୁ କିସିଞ୍ଜର ଆସି ଯେ ଏପାଖକୁ କିଛି ଅର୍ଥ ଦେଇ ଓ ସେପାଖକୁ କିଛି ଗୁଳିବାରୁଦ ଦେଇ ଉଭୟ ପକ୍ଷକୁ ଶାନ୍ତ କରିଦେବେ, ତାହା ଆଦୌ ସମ୍ଭାବନାର ପରିଧିଟି ମଧ୍ୟରେ ରହିଥିବା ପରି ମନେ ହେଉନାହିଁ ।

 

ପୃଥିବୀର ବୃହତ୍‌ ଶକ୍ତିମାନେ ଇଉରୋପର ଜେନେଭାରେ ଦୁଇ ପକ୍ଷକୁ ଡାକି ସଭା କରାଇଲେ ମଧ୍ୟ ଏହି ଅଛିଣ୍ଡା ସମସ୍ୟାଟି କଦାପି ତୁଟିବ ନାହିଁ । ଯାବତୀୟ ପାର୍ଥକ୍ୟ ଓ ଯାବତୀୟ ଅନ୍ୟାଭିମୁଖିନତା ସତ୍ତ୍ୱେ ମଣିଷ ମଣିଷ ସହିତ ଏକତ୍ର ବାସ କରିବାକୁ ରାଜି ହେଲେ ହୁଏତ ସେହି ସମସ୍ୟାର ସମାଧାନ ହୋଇଯାଇପାରିବ । ଆରବ ଅଞ୍ଚଳଗୁଡ଼ିକୁ ଯୁଦ୍ଧର ବର୍ବରତା ଭିତରେ ଦଖଲ କରି ନେଇ ତା’ପରେ ନିରାପଦ ହୋଇ ବସିଯାଇପାରିବ ବୋଲି ଇସ୍ରାଏଲ ଦିନେ ହୁଏତ ଯେଉଁ ବିଶ୍ୱାସ ରଖିଥିଲା, ସେହି ବିଶ୍ୱାସଟି କ୍ରମେ ମଉଳି ଗଲାପରି ମନେ ହେଇଛି । ତେଣୁ ସମସ୍ୟାଟି ମୋଟେ ତୁଟି ନାହିଁ । ସମସ୍ୟାଟି ଆହୁରି କଠିନ ହୋଇପଡ଼ିଛି । ଏହା ଭିତରୁ ବାହାରିବା ଲାଗି କିଏ ବାଟ ଦେଖାଇପାରିବ ? ଏହି ପ୍ରଶ୍ନଟି ଏବେ ଚିନ୍ତାର କାରଣ ହୋଇଛି-

 

ତା ୨୩.୦୫.୧୯୭୬ ରିଖ

Image

 

ଲକ୍ଷ୍ୟଭିତ୍ତିକ ଶିକ୍ଷାପଦ୍ଧତି

 

ସମଗ୍ର ଦେଶରେ ଗୋଟିଏ ନିର୍ଦ୍ଦିଷ୍ଟ ଲକ୍ଷ୍ୟଭିତ୍ତିକ ଶିକ୍ଷାପଦ୍ଧତି ପ୍ରଚଳିତ ହେଉ ବୋଲି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀମତୀ ନନ୍ଦିନୀ ଶତପଥୀ ଏବେ ମତ ପ୍ରକାଶ କରିଛନ୍ତି । ସମଗ୍ର ଦେଶରେ ଯେତେବେଳେ ଗୋଟିଏ ନିର୍ଦ୍ଦିଷ୍ଟ ଲକ୍ଷ୍ୟ-ଅଭିମୁଖ ଶିକ୍ଷାପଦ୍ଧତିର ପ୍ରଚଳନ କରାଯାଇପାରିବ, କେବଳ ସେତିକିବେଳେ ଯାଇ ଆମ ଦେଶର ଶିକ୍ଷାକ୍ଷେତ୍ରୀୟ କାର୍ଯ୍ୟକ୍ରମକୁ ପ୍ରକୃତରେ ଏକ ଜାତୀୟ କାର୍ଯ୍ୟକ୍ରମ ବୋଲି କୁହାଯିବ । ବାସ୍ତବ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ବର୍ତ୍ତମାନ ଆମ ଦେଶରେ ଯେତିକି ପାହାଚ, ପ୍ରାୟ ସେତିକି ପ୍ରକାରର ଶିକ୍ଷାପଦ୍ଧତି ପ୍ରଚଳିତ ହୋଇ ରହିଛି । କେଉଁଠି ଭଲ ଶିକ୍ଷା ନାମରେ ପିଲାମାନଙ୍କୁ ଜାତୀୟ ପ୍ରେରଣାସ୍ରୋତ ଏବଂ ପ୍ରେରଣାଉତ୍ସଟି ଠାରୁ ଏକାବେଳକେ ବିଚ୍ଛିନ୍ନ କରି ରଖିଦିଆଯାଉଛି ଏବଂ ଆଉ କେଉଁଠି ଅନ୍ୟ କୌଣସି ପ୍ରେରଣାର ବଶବର୍ତ୍ତୀ ହୋଇ ସମଗ୍ର ଦେଶର ସ୍ୱାର୍ଥଠାରୁ ଆପଣାର ସ୍ୱାର୍ଥକୁ ସତେ ଅବା ଅଲଗା ବୋଲି ବିଚାର କରାଯାଉଛି ।

ଦେଶର ସବୁ ପିଲା ପାଠ ପଢ଼ିବାର ସୁଯୋଗ ପାଇବେ, ପାଠ ପଢ଼ିବାର ଅଧିକାରକୁ ଏହି ଦେଶର ପ୍ରତ୍ୟେକ ପିଲାର ଏକ ଅଖଣ୍ଡନୀୟ ଅଧିକାର ରୂପେ ସ୍ୱୀକାର କରାଯିବ ଏବଂ ସେହି ଅନୁସାରେ ଦେଶର ଶିକ୍ଷାକ୍ଷେତ୍ରରେ ଅନୁରୂପ ବ୍ୟବସ୍ଥା ମଧ୍ୟ ରହିବ, ଏଇଟି ହେଇଛି ଯେକୌଣସି ଜାତୀୟ ଶିକ୍ଷାପଦ୍ଧତିର ସର୍ବପ୍ରଥମ ସର୍ତ୍ତ । ଦେଶର କେତେକ ପିଲାଙ୍କୁ ଅର୍ଥାତ୍‌ କେତେକ ନିର୍ଦ୍ଧିଷ୍ଟ ଶ୍ରେଣୀର ପିଲାଙ୍କୁ ଶିକ୍ଷାରେ ଭୂରିଭୋଜନ ଦିଆଯିବାର ବ୍ୟବସ୍ଥା ହୋଇ ରହିଥିବାବେଳେ ଆହୁରି କେତେକଙ୍କୁ ସେମାନଙ୍କର ପ୍ରାପ୍ୟ ଆହାରରୁ ବଞ୍ଚିତ କରି ରଖାଯାଇଥିବ ଓ ସେହି ଦୂରବସ୍ଥାଟିକୁ ଅବଶ୍ୟମ୍ଭାବୀ ବୋଲି ଦର୍ଶାଇ ତଥାକଥିତ ବିଶେଷଜ୍ଞ ମତଗୁଡ଼ିକର ସାହାଯ୍ୟ ଗ୍ରହଣ କରାଯାଉଥିବ, ଏଭଳି ପରିସ୍ଥିତିରେ କୌଣସି ଦେଶରେ କୌଣସି ଜାତୀୟ ଶିକ୍ଷାପଦ୍ଧତି ସମ୍ଭବ ହେବନାହିଁ ।

ଜାତୀୟ ଶିକ୍ଷାପଦ୍ଧତିର ଦ୍ୱିତୀୟ ଅବଶ୍ୟସର୍ତ୍ତଟି ହେଉଛି ଯେ ଦେଶର ସବୁ ପିଲାଏ ଗୋଟିଏ ପ୍ରକାରର ପାଠ ପଢ଼ିବେ ଏବଂ ସେହି ପାଠକୁ ଯଥାସମ୍ଭବ ଉନ୍ନତ କରି ଗଢ଼ାଯିବ । ଆଧୁନିକ ଜ୍ଞାନ, ବିଜ୍ଞାନ ତଥା ଆଧୁନିକ ଶିକ୍ଷାଦାନ ପ୍ରଣାଳୀର ଲାଭଗୁଡ଼ିକୁ ଦେଶର ପ୍ରତ୍ୟେକ ପିଲାର ମୂଳଦୁଆକୁ ଯଥାର୍ଥ ଭାବରେ ସୁଦୃଢ଼ କରି ଗଢ଼ିବାରେ ସଦିଚ୍ଛାର ସହିତ ବିନିଯୋଗ କରାଯାଇପାରିବ । କେବଳ ସହରର ପିଲାଙ୍କ ପାଇଁ ଭଲ ସ୍କୁଲ ହେବନାହିଁ ଓ ଗାଆଁ ଗହଳର ସ୍କୁଲମାନଙ୍କରେ କୁଆ ଉଡ଼ିବେ ନାହିଁ । ଭଲ ପାଠ ପଢ଼ିବା ଲାଗି କାହାକୁ ଅଧିକ ପଇସା ଖରଚ କରିବାକୁ ପଡ଼ିବ ନାହିଁ । ଯାହାର ଯୋଗ୍ୟତା ରହିଛି, ଉପଯୁକ୍ତ ଆଗ୍ରହ ଓ ପ୍ରତିଭା ରହିଛି, ତାହାକୁ କଦାପି କୌଣସି ଅବ୍ୟବସ୍ଥା ହେତୁ ଶିକ୍ଷାଗତ ଗୁଣାତ୍ମକତାରୁ ବଞ୍ଚିତ କରି ରଖାଯିବ ନାହିଁ । ବିଦ୍ୟାଲାଭର ସର୍ବସ୍ୱୀକୃତ ଓ ରାଷ୍ଟ୍ରସ୍ୱୀକୃତ ସର୍ବପ୍ରଥମ ମାନଦଣ୍ଡ ହୋଇ ରହିବ । ପଇସା ସହିତ ବିଦ୍ୟାଲାଭର ସମର୍ଥତାକୁ ଆଦୌ ଗଅଁଠାଇ କରି ରଖାଯିବ ନାହିଁ ।

ଜାତୀୟ ଶିକ୍ଷାପଦ୍ଧତିର ତୃତୀୟ ସର୍ତ୍ତଟି ହେଉଛି ଯେ, ପାଠ ପଢ଼ି ଏ ଦେଶର ପିଲାର ଚେର ଏହି ଦେଶରେ ମାଡ଼ିବାର ହିଁ ପ୍ରେରଣା ପାଇବ । ଆମର ଶିକ୍ଷିତ ପିଲା ତା’ର ଦେଶକୁ ଭଲ ପାଇବ, ତା’ର ମାଟିକୁ ଭଲ ପାଇବ, ତା’ର ନିଜ ଭାଷାଟିକୁ ଭଲ ପାଇବ, ଏହି ଦେଶର ଭବିଷ୍ୟତ ଲାଗି ସିଏ ନିଜକୁ ଦାୟୀ ବୋଲି ହୃଦୟଙ୍ଗମ କରୁଥିବ । ସିଏ ଏହି ଦେଶର ମଣିଷକୁ ଭଲ ପାଇବ, ତା’ ଆପଣାର ଭବିଷ୍ୟ ନିର୍ମାଣ ସକାଶେ ସିଏ କଦାପି ଏହି ଦେଶରେ ବାସ କରୁଥିବା ମଣିଷମାନଙ୍କର ଭାଗ୍ୟ ସହିତ ଖେଳିବାକୁ ଯିବନାହିଁ । ପୃଥିବୀର ଆଉ କୌଣସି ଭାଷା ପ୍ରତି ଆସକ୍ତ ହୋଇ ସିଏ ଏଠାରେ ତା’ ନିଜ ଭାଷାଟି ସହିତ ଅର୍ଥାତ୍‌ ସେହି ଭାଷାଦ୍ୱାରା ପ୍ରତିପାଳିତ ହେଉଥିବା ମଣିଷମାନଙ୍କ ସହିତ ଆପଣାର ଖିଅଟିକୁ କଦାପି କାଟି ପକାଇବାକୁ ଯିବ ନାହିଁ । ଶିକ୍ଷାର ଏହି ତୃତୀୟ ସର୍ତ୍ତଟି ପୂରଣ ହୋଇ ନ ପାରିଥିବାରୁ ଆମ ଦେଶରେ ତଥାକଥିତ ଅନେକ ଶିକ୍ଷିତ ବ୍ୟକ୍ତି ଏହି ଦେଶରେ ପ୍ରକୃତରେ ଏକ ସମସ୍ୟା ହୋଇ ରହିଛନ୍ତି । ସେମାନେ ଜାତିଭାଗ୍ୟର ଏହି କ୍ରାନ୍ତିକାଳରେ ଅନେକ ଦୁର୍ଭାଗ୍ୟର କାରଣ ହୋଇ ରହିଛନ୍ତି । ଦେଶର ଅନେକ ପରିବର୍ତ୍ତନକୁ ବିଳମ୍ୱିତ କରିଦେବାରେ ସେମାନେ ଜାଣତରେ ଅଥବା ଅଜାଣତରେ ଏକ ନିମିତ୍ତ ପରି କାର୍ଯ୍ୟ କରୁଛନ୍ତି ।

ଯେଉଁସବୁ ଦେଶରେ ଗଣତନ୍ତ୍ର ଓ ଲୋକଶାସନ ପ୍ରକୃତରେ କାର୍ଯ୍ୟକାରୀ ହେଉଛି, ସମାଜିକ ନ୍ୟାୟକୁ ଯେଉଁଠି ଯଥେଷ୍ଟ ମୂଲ୍ୟ ଦେଇ ଗ୍ରହଣ କରାଯାଇଛି, ସେଠାରେ ଜାତୀୟ ଶିକ୍ଷାପଦ୍ଧତି ନାମରେ ନ୍ୟାୟତଃ କେବଳ ଗୋଟିଏ ଲକ୍ଷ୍ୟଭିତ୍ତିକ ଶିକ୍ଷାପଦ୍ଧତିର ହିଁ ପ୍ରଚଳନ କରାହେଉଛି । ପୁରାତନ କାଳରୁ ଏହି କ୍ଷେତ୍ରରେ ଯେତେ ଯାହା ଦୂରତ୍ୱ ରହିଆସିଥିଲା, ଆଗ୍ରହ ଓ ଅଭିରୁଚିର କ୍ଷେତ୍ରରେ ଗୋଟିଏ ଜାତିକୁ ସ୍ୱାର୍ଥଗତ ନାନା ଖଣ୍ଡରେ ବିଭକ୍ତ କରି ରଖିଥିଲା, ସେଗୁଡ଼ିକୁ କ୍ରମଶଃ ଭାଙ୍ଗିଦିଆଯାଉଛି ଓ ସମଗ୍ର ଆଭିମୁଖ୍ୟଟିକୁ ଏକ ବିଜ୍ଞାନସମ୍ମତ ନ୍ୟାୟସଙ୍ଗତ ନୂତନ ମୂଳଦୂଆ ଉପରେ ଗଠନ କରାଯାଉଛି । ଭାରତବର୍ଷ ଆଜି ମଧ୍ୟ ସେହି ନବବିଧାନର ଅନେକ ଦୂରରେ ପଡ଼ିରହିଛି, ବିଚାର ନାମରେ ଅନେକ କ୍ଳୀବତ୍ୱ ଆମର ଦୃଷ୍ଟିକୁ ଆଚ୍ଛନ୍ନ କରି ରହିଛି ଏବଂ ଶିକ୍ଷାକ୍ଷେତ୍ରର ଏହି ଅସୁସ୍ଥତାଗୁଡ଼ାକ ଆମର ସକଳ ନିଷ୍ଠା ସତ୍ତ୍ୱେ ଜାତୀୟ ଜୀବନର ଅନ୍ୟ ଯାବତୀୟ କ୍ଷେତ୍ରକୁ ମଧ୍ୟ ସତେଅବା ସଂକ୍ରମିତ ହୋଇ ରହିଛି । ତେଣୁ ଏ ଦିଗରେ ଆଜି ଏକ ବଳିଷ୍ଠ ନିଷ୍ପତ୍ତି ନେବାର ସମୟ ଉପସ୍ଥିତ ହୋଇଯାଇଛି । ସୁତରାଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀମତୀ ଶତପଥୀଙ୍କ ଏହି ମତାମତ ଉପରେ ଗୁରୁତ୍ୱ ଆରୋପ କରିବାର ଯଥେଷ୍ଟ ଆବଶ୍ୟକତା ରହିଛି ।

ତା ୨୪.୦୫.୧୯୭୬ ରିଖ

Image

 

ସଂଘର୍ଷର ଆଶଙ୍କା

 

ଦକ୍ଷିଣ ରୋଡ଼େସିଆରେ ଶ୍ରୀଯୁକ୍ତ ଇଆନ ସ୍ମିଥ୍‌ ଯେଉଁ ଅଶାସନର ମୁଖମଣ୍ଡନ ହୋଇ ରହିଛନ୍ତି, ତାହା ହେଉଛି ସଂଖ୍ୟାଧିକ୍ୟ ଉପରେ ସଂଖ୍ୟାଲଘୁମାନଙ୍କର ଏକ ଅନ୍ୟାୟ ପ୍ରତିଷ୍ଠିତ ଶାସନ । କିନ୍ତୁ ଦକ୍ଷିଣ ଆଫ୍ରିକାର ଗୋରାମାନଙ୍କର ନୀତିଗ୍ରନ୍ଥଗୁଡ଼ିକ ଅନୁସାରେ ତାହାକୁ ହିଁ ସଭ୍ୟତାର ଶାସନ ବୋଲି କୁହାଯାଉଛି । ଅସଭ୍ୟତାର ବର୍ବର ହୋଇ ରହିବାର ଯେ ଅଧିକାର ରହିଛି, ପୃଥିବୀଯାକର ପ୍ରାୟ ସବୁଯାକ ସଭ୍ୟ ବିବେକକୁ ଜଳକା କରିଦେଇ ଦକ୍ଷିଣ ଆଫ୍ରିକା ପରି ଦକ୍ଷିଣ ରୋଡ଼େସିଆରେ ମଧ୍ୟ ତାହାକୁ ହିଁ ସାବ୍ୟସ୍ତ କରି ରଖାଯାଇଛି । ସେହି ଅଞ୍ଚଳଟି ସହିତ ପାରମ୍ପରିକ ଭାବରେ ନାନା ଆର୍ଥିକ ଏବଂ ବାଣିଜ୍ୟିକ ସ୍ୱାର୍ଥ ମଧ୍ୟରେ ଜଡ଼ିତ ହୋଇ ପଡ଼ିଥିବାରୁ ଇଂଲଣ୍ଡ ଓ ଆମେରିକା ପ୍ରକୃତି ବୃହତ୍‌ଶକ୍ତିମାନେ ମଧ୍ୟ ପ୍ରାୟ ନିଷ୍କ୍ରିୟ ହୋଇ ରହିଛନ୍ତି ।

 

ଇଆନ୍‌ ସ୍ମିଥ୍‌ଙ୍କର ଅନେକ ତତ୍ତ୍ୱ ମଧ୍ୟରେ ଏବେ ଆହୁରି ଏକ ନୂତନ ତତ୍ତ୍ୱ ପ୍ରକାଶ ପାଇଛି । ସେ କହିଛନ୍ତି ଯେ, ଯଦି ଯଥୋଚିତ ସମୟ ଆସିବା ପୂର୍ବରୁ ଦକ୍ଷିଣ ରୋଡ଼େସିଆରେ ବହୁମତ ଶାସନର ପ୍ରବର୍ତ୍ତନ କରାଇ ଦିଆଯାଏ, ତେବେ ସେଠି କଳା ଓ ଗୋରାମାନଙ୍କ ମଧ୍ୟରେ ତୁମୁଳ ସଂଘର୍ଷ ଲାଗିଯିବାର ଅନେକ ଆଶଙ୍କା ରହିଛି । ସେହି ସଂଘର୍ଷଟିକୁ ଏହାର ରଖିବାକୁ ହେଲେ ବର୍ତ୍ତମାନ ସ୍ଥିତାବସ୍ଥା ଯେଉଁଭଳି ଅଛି, ତାହାକୁ ହିଁ ବଜାୟ ରଖିବା ଉଚିତ ବୋଲି ସେ ପ୍ରକାରାନ୍ତରେ ସୂଚନା ଦେବାକୁ ଇଚ୍ଛା କରିଛନ୍ତି ।

 

ଅନେକ ବର୍ଷ ତଳେ ଇଂଲଣ୍ଡର ତତ୍କାଳୀନ ପ୍ରଧାନମନ୍ତ୍ରୀ ଚର୍ଜିଲ ସେହିପରି ଏକ କଥା କହିଥିଲେ । ଭାରତୀୟ ସ୍ୱାଧୀନତା ସଂଗ୍ରାମ ପ୍ରତି ନିଜର ପ୍ରତିକ୍ରିୟା ବ୍ୟକ୍ତ କରି ସିଏ କହିଥିଲେ ଯେ ଭାରତ ଛାଡ଼ି ଚାଲିଯିବା ଲାଗି ଇଂରେଜ ସରକାରଙ୍କର ଆଦୌ କୌଣସି ଅନିଛା ନାହିଁ । ମାତ୍ର ଭାରତବର୍ଷରୁ ଇଂରେଜ ସତ୍ତା ହଟିଯିବା ମାତ୍ରକେ ଭାରତର ମୁଖ୍ୟ ଦୁଇ ସମ୍ପ୍ରଦାୟ ହିନ୍ଦୁ ଓ ମୁସଲମାନମାନଙ୍କ ମଧ୍ୟରେ ଏପରି ଏକ ରକ୍ତାକ୍ତ ସଂଘର୍ଷ ଲାଗିଯିବାର ଆଶଙ୍କା ରହିଛି ଯେ ଅନ୍ତତଃ ଭାରତବାସୀଙ୍କ ହିତ ଦୃଷ୍ଟିରୁ ଇଂରେଜ ଶାସନ ଭାରତବର୍ଷରେ ତିଷ୍ଠି ରହିବା ଏକାନ୍ତ ଆବଶ୍ୟକ ହୋଇପଡ଼ୁଛି । ଏହିପରି ଏକ ଯୁକ୍ତି ଦେଖାଇ ଇଂଲଣ୍ଡର ସାମ୍ରାଜ୍ୟକର୍ତ୍ତାମାନେ ସେତେବେଳେ ଭାରତକୁ ଦୁଇଭାଗ କରିସାରିବା ପରେ, ଅର୍ଥାତ୍‌ ଏଠାରେ କନ୍ଦଳ ଓ କଳହର ସ୍ଥାୟୀ ମଞ୍ଜିଟିଏ ପୋତିସାରିବା ପରେ ଯାଇ ଏଦେଶରୁ ଯିବାଲାଗି ରାଜି ହେଲେ । ସାଇପ୍ରସ୍‌ ଛାଡ଼ିଯିବା ଆଗରୁ ସେଠାରେ ମଧ୍ୟ ଗ୍ରୀକ୍‌ ଓ ତୁର୍କୀମାନଙ୍କ ମଧ୍ୟରେ ବିବାଦର ବିଷକିଳାଟିଏ ପୋତିଦେଇ ଗଲେ । ଆଜି ଆଫ୍ରିକାରେ ଦେଶ ପରେ ଦେଶ ଉପନିବେଶବାଦର ଜାଲ ଭିତରୁ ମୁକ୍ତ ହୋଇ ଆସିବା ସଙ୍ଗେ ସଙ୍ଗେ ଦକ୍ଷିଣ ଆଫ୍ରିକା ଏବଂ ଦକ୍ଷିଣ ରୋଡ଼େସିଆ ଦୁଇଟିମାତ୍ର ଦେଶ ବାକୀ ରହିଯାଇଛନ୍ତି, ଯେଉଁମାନେ କି ପୁରୁଣାଟାକୁ ହିଁ ସତ୍ୟ ବୋଲି ଜାହିର କରି ରଖିବା ଲାଗି ଯାବତୀୟ ପ୍ରକାରର ପରାକ୍ରମର ଭିଆଣ କରିବାରେ ଲାଗିଛନ୍ତି । ସେହି ଦୁଇଦେଶରେ ପ୍ରତିଷ୍ଠିତ ହୋଇଥିବା ତଥାକଥିତ ଶାସନ ଏକ ପୁରୁଣା ବର୍ବରତା ଉପରେ ଆଧାରିତ ହୋଇରହିଛି । ଏବଂ କହିବା ବାହୁଲ୍ୟ ଯେ, ସେହି କାରଣରୁ ହିଁ ସେମାନେ ସେହିଁ ପୁରୁଣା ଯୁକ୍ତି ଦେଖାଇ ହାସ୍ୟାସ୍ପଦ ହେବାରେ ଲାଗିଛନ୍ତି । ପୃଥିବୀ ବଦଳିବା ସଙ୍ଗେ ସଙ୍ଗେ ସେମାନେ ଆଦୌ ବଦଳି ପାରୁନାହାନ୍ତି ।

 

ଅନ୍ୟାୟକୁ ଭାଙ୍ଗି ନ୍ୟାୟର ପ୍ରତିଷ୍ଠା କରିବାକୁ ହେଲେ ତଦ୍ଦ୍ୱାରା ସଂଘର୍ଷର ଆଶଙ୍କା କଦାପି ବଢ଼ିଯାଏ ନାହିଁ; ସେଠାରେ ସଂଘର୍ଷର ଅବସାନ ହିଁ ଘଟେ, ଯଥାର୍ଥ ମାନବୀୟ ସମ୍ୱନ୍ଧର ଅବତରଣିକା ହୁଏ, ମଣିଷକୁ ଚିହ୍ନିବାର ଓ ମଣିଷକୁ ସ୍ୱୀକାର କରିବାର ଏକ ନୂତନ ଭୂମିକା ଜନ୍ମଲାଭ କରେ । ଦକ୍ଷିଣ ରୋଡ଼େସିଆରେ ବର୍ତ୍ତମାନ ବନ୍ଧୁକ ଏବଂ ବର୍ବରତାର ମାଡ଼ ମରାହୋଇ ବହୁମତକୁ ଅର୍ଥାତ୍‌ ଅବଶ୍ୟମ୍ଭାବୀକୁ ଚାପି ଶ୍ୱାସରୁଦ୍ଧ କରି ରଖାଯାଇଛି । ସମଗ୍ର ପୃଥିବୀ ଯେଉଁ ମତିଗତିକୁ ଦୁର୍ମତି ବୋଲି ଜାଣି କୁଆଡ଼େ ପଛରେ ପକାଇ ଆସିଲାଣି, ସେଠାରେ ସେହିଗୁଡ଼ାକୁ ହିଁ ବୁଦ୍ଧି ବୋଲି କୁହାଯାଉଛି ଏବଂ ନିଆଁ କହୁଳି କୁହୁଳି ଉଠୁଛି । କଳାମାନଙ୍କ ଦ୍ୱାରା ଜେଲଖାନା ଭର୍ତ୍ତି ହୋଇ ରହିଛି, କଳାମାନଙ୍କପ୍ରତି ପଶୁଠାରୁ ମଧ୍ୟ ହୀନତର ଆଚରଣ କରାଯାଉଛି; ତଥାପି ସେ ନିଆଁ ଦବୁ ନାହିଁ, ନିଆଁ କୁହୁଳି ଆସୁଛି । ଏବଂ ଅଦୂର ଭବିଷ୍ୟତରେ ଆଫ୍ରିକାର ଦକ୍ଷିଣ ଭାଗରେ ତାହାହିଁ ଏକ ରକ୍ତାକ୍ତ ଭୟାନକ ସଂଘର୍ଷର କାରଣ ହେବାକୁ ଯାଉଛି ।

 

ବର୍ତ୍ତମାନ ଦକ୍ଷିଣ ରୋଡ଼େସିଆରେ କଳାଙ୍କ ଉପରେ ଗୋରାଙ୍କ ଶାସନ ଚାଲିଛି । ତା’ବଦଳରେ ଏକ ଲୋକସଂଗ୍ରାମ ଫଳରେ ଗୋରାମାନଙ୍କ ଉପରେ କଳାମାନଙ୍କର କଦାପି କୌଣସି ଶାସନର ପ୍ରବର୍ତ୍ତନ ହେବାକୁ ଯାଇନାହିଁ । ଆଫ୍ରିକାର କଳାମାନେ ଲୋକଶାସନ ଚାହୁଁଛନ୍ତି, ମନୁଷ୍ୟକୁ ମନୁଷ୍ୟର ନ୍ୟାୟର ପ୍ରତିଷ୍ଠିତ କରିବାକୁ ଚାହୁଁଛନ୍ତି, ଏକ ନୂତନ ମୂଲ୍ୟରେ ରାଜନୀତିର ପ୍ରତିଷ୍ଠା ହେଉ ବୋଲି ସେମାନେ ସଂଗ୍ରାମ ଚଳାଇଛନ୍ତି । ସେହି ଅଞ୍ଚଳର ଅନେକ ଗୋରା ମଧ୍ୟ କଳାମାନଙ୍କ ସହିତ ସେହି ସଂଗ୍ରାମରେ ଏକତ୍ର ହୋଇ ରହିଛନ୍ତି । ତେଣୁ ସେହି ସଂଗ୍ରାମଟି ଫଳରେ ସେଠି ଯେଉଁ ନୂତନ ପ୍ରଭାତର ଉଦୟ ହେବ, ତାହା କୌଣସି ଗୋଟିଏ ବର୍ଣ୍ଣର ଆଧିପତ୍ୟ ହୋଇ ରହିବ ନାହିଁ । ତାହା ଏକଚାଟିଆକୁ ଭାଙ୍ଗିଦେବ, ଉଗ୍ରମନ୍ୟତାକୁ ଭାଙ୍ଗିଦେବ ଏବଂ ମାନବିକ ନ୍ୟାୟପ୍ରତିଷ୍ଠା ଲାଗି ନବଦ୍ୱାରର ଉନ୍ମୋଚନ କରିଦେଇଯିବ ।

 

ତା ୨୫.୦୫.୧୯୭୬ ରିଖ

Image

 

ଅଶନି-ସଙ୍କେତ

 

ଲେବାନନ୍‌ରେ ଶାନ୍ତିରକ୍ଷା ଲାଗି ଫ୍ରାନ୍‌ସ୍‌ କେତେକ ରେଜିମେଣ୍ଟ୍‍ ସୈନ୍ୟ ସେଠାକୁ ପଠାଇବା ଲାଗି ପ୍ରସ୍ତୁତ ଅଛି ବୋଲି ଫ୍ରାନ୍‌ସ୍‌ର ରାଷ୍ଟ୍ରପତି ଏକ ବିବୃତି ଦେଇ କହିଛନ୍ତି । ସଂସାରରେ ଆମେ କେହି ଭୁଲିଯାଇନାହୁଁ ଯେ, ପ୍ରଥମ ମହାଯୁଦ୍ଧର ପରଠାରୁ ଲେବାନନ୍‌ ଫ୍ରାନ୍‌ସ୍‌ର ଅଧୀନରେ ଏକ ଉପନିବେଶ ହୋଇ ରହିଥିଲା । ପ୍ରଥମ ମହାଯୁଦ୍ଧ ପୂର୍ବରୁ ଲେବାନନ୍‌ ତୁରସ୍କର ଅର୍ଥାତ୍‌ ପୂର୍ବକାଳର ଅଟୋମାନ୍‌ ସାମ୍ରାଜ୍ୟର ଅନ୍ତର୍ଗତ ହୋଇ ରହିଥିଲା । ତୁରସ୍କ ସେହି ଯୁଦ୍ଧରେ ଯେଉଁ ଶିବିରରେ ଥିଲା, ସେହି ଶିବିର ଯୁଦ୍ଧରେ ପରାସ୍ତ ହୋଇଥିଲା । ପରାସ୍ତ ହୋଇଥିବା ଦେଶମାନଙ୍କର ରାଜ୍ୟ-ସମ୍ପତ୍ତିକୁ ସେତେବେଳେ ଯେଉଁ ଯୁଦ୍ଧନ୍ୟାୟ ଅନୁସାରେ ବିଜେତାମାନେ ବାଣ୍ଟିକୁଣ୍ଟି ନେଇଥିଲେ, ସେହି ନ୍ୟାୟଟି ଅନୁସାରେ ମଧ୍ୟପ୍ରାଚ୍ୟରେ ସିରିଆ ଓ ଲେବାନନ୍‌ ଫ୍ରାନ୍‌ସ୍‌ ହାତରେ ପଡ଼ିଥିଲା । ଏଥିରେ କୌଣସି ସନ୍ଦେହ ନାହିଁ ଯେ ଫ୍ରାନ୍‌ସ୍‌ ସରକାରଙ୍କର ମଧ୍ୟ ଏହି କଥାଟି ମନେରହିଛି । ଏବଂ ସମ୍ଭବତଃ ସେଇଥିଲାଗି, ଲେବାନନ୍‌ରେ ଏକ ସଙ୍କଟମୟ ପରିସ୍ଥିତି ଲାଗିରହିଥିବା ବେଳେ ଫ୍ରାନ୍‌ସ୍‌ର ରାଷ୍ଟ୍ରପତି ସେଠାରୁ ଗୋଟାଏ ସେନାବାହିନୀ ପଠାଇ ସେଠାରେ ଶାନ୍ତିରକ୍ଷା କରିବେ ବୋଲି କଳ୍ପନା କରିପାରୁଛନ୍ତି ।

ଲେବାନନ୍‌ ଫ୍ରାନ୍‌ସ୍‌ର ଏକ ଉପନିବେଶ ହୋଇ ରହିଥିଲାବେଳେ ଫ୍ରାନ୍‌ସ୍‌ ନିରଙ୍କୁଶ ଭାବରେ ଏହିଭଳି କଳ୍ପନା କରିପାରୁଥିଲା ଏବଂ ସେହି କଳ୍ପନା ଅନୁସାରେ କାର୍ଯ୍ୟ ବି କରିପାରୁଥିଲା-। ସେତେବେଳେ ପୃଥିବୀର ରାଜନୀତିକ ବିବେକ ଅନୁସାରେ ତାହାକୁ ଉଚିତ ଓ ସ୍ୱାଭାବିକ ବୋଲି ବିଚାର କରାଯାଉଥିଲା । ରାଜାମାନେ ଆପଣାକୁ ପ୍ରକୃତରେ ରାଜା ବୋଲି ବିଚାରୁଥିଲେ ଏବଂ ପ୍ରଜାମାନେ ଆପଣାକୁ ପ୍ରଜା ବୋଲି ବିଚାରୁଥିଲେ । ଫ୍ରାନ୍‌ସ୍‌ର ରାଷ୍ଟ୍ରପତି ସତେଅବା ବିଗତ ସେହି ସଂସ୍କାର ବା ଭାବିବାର ଧାରାଟିକୁ ଭୁଲି ପାରିନାହାନ୍ତି ବୋଲି ଏପରି ଏକ ବିବୃତି ଦେଇ ପକାଇଛନ୍ତି-। ବିଗତ ପ୍ରଜାମାନଙ୍କୁ ସେ ଏବେ ମଧ୍ୟ ପ୍ରଜା ବୋଲି ଭାବୁଛନ୍ତି ଏବଂ ବିଗତ ସାମ୍ରାଜ୍ୟାଞ୍ଚଳଗୁଡ଼ାକୁ ଏବେ ମଧ୍ୟ ସେହିପରି ନିଜର ମାହାଲ ବୋଲି ଭାବୁଛନ୍ତି । ନିଜ ଦେଶର ଶାନ୍ତି ଅଥବା ଅଶାନ୍ତି ବିଷୟରେ ସେହି ଦେଶର ଅର୍ଥାତ୍‌ ଦେଶବାସୀଙ୍କର ଦାୟିତ୍ୱ ରହିଛି ଏବଂ ବିଂଶ ଶତାବ୍ଦୀର ଏହି ଭାଗରେ ତତ୍ତ୍ୱାବଧାରକର ବିଚାରଟି ଯେ ପୁରୁଣା ହୋଇଗଲାଣି, ପୁରାତନ ସଂସ୍କାର ଭିତରେ ଛନ୍ଦିହୋଇ ରହି ଫ୍ରାନ୍‌ସ୍‌ର ରାଷ୍ଟ୍ରପତି ସମ୍ଭବତଃ ସେକଥା ହୃଦୟଙ୍ଗମ କରିପାରି ନାହାନ୍ତି ।

ଫ୍ରାନ୍‌ସ୍‌ର ରାଷ୍ଟ୍ରପତି ପୁଣି ଏକଥା ମଧ୍ୟ କହିଛନ୍ତି ଯେ ଫ୍ରାନ୍‌ସ୍‌ର ଏହି ଯୋଜନା ପଛରେ ଆମେରିକା ସରକାରଙ୍କର ମଧ୍ୟ ସମର୍ଥନ ରହିଛି । ଉଭୟେ ଫ୍ରାନ୍‌ସ୍‌ ଓ ଆମେରିକା ପୂର୍ବରୁ ମଧ୍ୟ ଏହିପରି ଏକ ପ୍ରସଙ୍ଗର କ୍ଷେତ୍ରରେ ବଡ଼ ଚମତ୍କାର ଭାବରେ ପରସ୍ପରର ସଦୃଶ ଦୃଷ୍ଟାନ୍ତ ହୋଇ ରହିଛନ୍ତି । ଏଠାରେ ଭିଏତ୍‌ନାମ୍‌ର ଦୃଷ୍ଟାନ୍ତଟିର କଥା ହିଁ କୁହାଯାଉଛି । ଜାପାନୀ ହୋଇ ରହିଛନ୍ତି । ଏଠାରେ ଭିଏତ୍‌ନାମ୍‌ର ଦୃଷ୍ଟାନ୍ତଟିର କଥା ହିଁ କୁହାଯାଉଛି । ଜାପାନୀ ଆକ୍ରମଣ ଫଳରେ ଭିଏତ୍‌ନାମ୍‌ ବା ତତ୍କାଳୀନ ଇଣ୍ଡୋଚୀନ୍‌ରୁ ଫରାସୀ ରାଜତ୍ୱ କୁଆଡ଼େ ମୂଳପୋଛ ହୋଇଯାଇଥିଲା । କେବଳ ଇଣ୍ଡୋଚୀନ୍‌ର ସ୍ୱାଧୀନତାକାମୀ ସଂଗ୍ରାମୀମାନେ ହିଁ ଜାପାନ ସହିତ ଗରିଲା ଯୁଦ୍ଧ ଜାରିକରି ରଖିଥିଲେ । ଦ୍ୱିତୀୟ ମହାଯୁଦ୍ଧରେ ଜାପାନ ପରାଭୂତ ହେଲାପରେ ସେହି ସଂଗ୍ରାମୀମାନେ ହିଁ ଆପଣା ଦେଶଟିର ମାଲିକ ହୋଇଥାନ୍ତେ । ମାତ୍ର ସେଠାରେ ପୁରୁଣା ସୁଆଦଗୁଡ଼ାକୁ ଭୁଲି ନ ପାରିଥିବାରୁ ଫ୍ରାନ୍‌ସ୍‌ ଯାଇ ହସ୍ତକ୍ଷେପ ଆରମ୍ଭ କରିଦେଲା, ସତେ ଅବା ମିଉଜିଅମ୍‌ ଭିତରୁ ବାହାର କରି ପୂର୍ବତନ ରାଜା ବାଓଦାଇଙ୍କୁ ଭିଏତ୍‌ନାମ୍‌ର ପ୍ରକୃତ ଅଧିକାରୀ ବୋଲି ଘୋଷଣା କଲା ଏବଂ ତାଙ୍କରି ପକ୍ଷ ନେଇ ସ୍ୱାଧୀନତାକାମୀମାନଙ୍କ ବିରୁଦ୍ଧରେ ଲଢ଼ିଲା । ଏହି ହସ୍ତକ୍ଷେପର ଚକ୍ରାନ୍ତରେ ଭିଏତ୍‌ନାମ୍‌ ଉତ୍ତର ଓ ଦକ୍ଷିଣ ଦୁଇ ଖଣ୍ଡରେ ବିଭକ୍ତ ହୋଇଗଲା ଓ କେତେବର୍ଷ ପରେ ଦକ୍ଷିଣ ଭିଏତ୍‌ନାମ୍‌ର ତଥାକଥିତ ସରକାରଙ୍କର ଅନୁରୋଧରେ ଆମେରିକା ମଧ୍ୟ ସୈନ୍ୟସାମନ୍ତ ଓ ନାପାମ୍‌ ବୋମାର ବୋଇତ ନେଇ ସେଠି ହାଜର ହୋଇଗଲା । ଆମେରିକାର ମୁଖ୍ୟ ସେନାପତି ସେଠି ଯୁଦ୍ଧଭୂଇଁରେ ନାୟକତ୍ୱ ଗ୍ରହଣ କଲେ । ଭିଏତ୍‌ନାମ୍‌ ସରକାର ସାହାଯ୍ୟ ଲୋଡ଼ିଲେ ବୋଲି ଆମେରିକା ଭିଏତ୍‌ନାମ୍‌କୁ ସୈନ୍ୟବାହିନୀ ପଠାଇଥିଲା ବା ଭିଏତ୍‌ନାମ୍‌କୁ ସୈନ୍ୟବାହିନୀ ପଠାଇ ସେଠିକାର ମାମଲାରେ ହସ୍ତକ୍ଷେପ କରିବ ବୋଲି ଆମେରିକା ସରକାର ଆପଣାର ଭିଏତ୍‌ନାମୀ କେତେକ ସମର୍ଥକଙ୍କୁ ସେଠାରେ କ୍ଷମତାସୀନ କରି ବସାଇଥିଲେ, ଇତିହାସ ପରେ ସେହି କଥାଟି ବିଷୟରେ ଆମକୁ ପ୍ରକୃତ ସାକ୍ଷ୍ୟ ଯୋଗାଇ ଦେଇପାରିବ ।

ଲେବାନନ୍‌ ଏବଂ ସମଗ୍ରତଃ ମଧ୍ୟପ୍ରାଚ୍ୟରେ ଯେଉଁସବୁ ସମସ୍ୟା ନୃଶଂସ ଲୋକହତ୍ୟାରେ ପରିଣତ ହୋଇଛି, ତା’ ପଛରେ ପୃଥିବୀର ବୃହତ୍‌ଶକ୍ତିମାନଙ୍କର ଏକ ଅଭିସନ୍ଧିମୂଳକ ହାତ ରହିଛି । ଏବଂ ଆମେରିକାର ସମର୍ଥନ ଘୋଷଣା କରି ଫ୍ରାନ୍‌ସ ଲେବାନନ୍‌କୁ ସୈନ୍ୟବାହିନୀ ପ୍ରେରଣ କଲେ ତଦ୍ଦ୍ୱାରା ଏହି ଅଭିସନ୍ଧିର ଛିଦ୍ରଗୁଡ଼ାକ ପଦାରେ ପଡ଼ିଯିବ ସତ, ମାତ୍ର ତା’ ଦ୍ୱାରା ଯେଉଁ ଅଶନିର ସଞ୍ଚାର ହେବ, ତାହା କେତେ ଆକ୍ରାନ୍ତରେ କ’ଣ ସବୁ ଯେ ପୋଡ଼ିବ, ଏ ସମଗ୍ର ଯୁଦ୍ଧର ଯୁଗରେ କିଏ ସେକଥା କଳ୍ପନା କରି କହିପାରିବ ? ତେଣୁ ଲେବାନନ୍‌ର ସମସ୍ୟା ଲେବାନନ୍‌ର ହୋଇ ରହୁ । ମଧ୍ୟପ୍ରାଚ୍ୟର ସମସ୍ୟା ମଧ୍ୟପ୍ରାଚ୍ୟଦ୍ୱାରା ତୁଟୁ, ଏଥିପାଇଁ ଆଉ କାହାରି ବଦାନ୍ୟତା ପ୍ରକାଶ ନପାଉ ।

ତା ୨୮.୦୫.୧୯୭୬ ରିଖ

Image

 

ବିଶ୍ୱ-ନିରସ୍ତ୍ରୀକରଣ

 

ମୋଜାମ୍ୱିକ୍‌ର ରାଷ୍ଟ୍ରମୁଖ୍ୟ ଶ୍ରୀଯୁକ୍ତ ମାର୍ସେଲ୍ ଏବେ ସୋଭିଏଟ ଋଷିଆ ଗସ୍ତରେ ଯାଇଥିବା ସମୟରେ ସେଠାରୁ ଦୁଇଦେଶ ତରଫରୁ ଯେଉଁ ସମ୍ମିଳିତ ବିବୃତି ପ୍ରକାଶିତ ହୋଇଛି, ସେଥିରେ ଆହୁରି ଅନେକ କଥା ମଧ୍ୟରେ ବିଶ୍ୱ-ନିରସ୍ତ୍ରୀକରଣ ବିଷୟରେ ଏକ ଇଚ୍ଛା ବ୍ୟକ୍ତ କରାଯାଇଛି । ସମଗ୍ର ବିଶ୍ୱରେ ସମ୍ପୂର୍ଣ୍ଣ ନିରସ୍ତ୍ରୀକରଣ ସମ୍ଭବ କରିବାସକାଶେ ଶୀଘ୍ର ଆନ୍ତର୍ଜାତିକ ସ୍ତରରେ ଏକ ସମ୍ମିଳନୀ ଡକାଯାଉ ଏବଂ ସେ ଦିଗରେ ପ୍ରାଥମିକ ପଦକ୍ଷେପମାନ ନିଆଯାଉ ବୋଲି ବିବୃତିରେ କୁହାଯାଇଛି ।

 

ମୋଜାମ୍ୱିକ୍‌ ଏକ ନୂତନ ରାଷ୍ଟ୍ର ଏବଂ ଶ୍ରୀଯୁକ୍ତ ମାର୍ସେଲ ତାଙ୍କର ମନଃକ୍ଷେତ୍ରରେ ହୁଏତ ଏବେ ମଧ୍ୟ ଜଣେ ସଂଗ୍ରାମୀ ହୋଇ ରହିଛନ୍ତି; ନିରାଟ ରାଜନୀତିଜ୍ଞ ତଥା କୂଟନୈତିକ ସ୍ତରର ଜଣେ ନେତାପଦକୁ ଉନ୍ନୀତ ହେବାଲାଗି ଜଣେ ରାଷ୍ଟ୍ରମୁଖ୍ୟର ରାଜନୀତିକ ଜୀବନରେ ଯେତିକି ସମୟ ଲୋଡ଼ା, ମାର୍ସେଲ୍‌ଙ୍କ ଜୀବନରେ ଏପର୍ଯ୍ୟନ୍ତ ତାଙ୍କୁ ସେତିକି ସମୟ ମିଳିନାହିଁ । ତେଣୁ ସିଏ ମୁଖ୍ୟତଃ ଆଦର୍ଶବାଦୀ ସଂଗ୍ରାମୀର ଆଖିରେ ସଂସାରକୁ ଦେଖୁଛନ୍ତି, ସିଏ ଆଶାବାଦୀ ପରି କଥା କହୁଛନ୍ତି । ଏହି ସଂସାରର ଅନେକ ଆଶାବାଦୀ ଏଥିଲାଗି ଶ୍ରୀଯୁକ୍ତ ମାର୍ସେଲଙ୍କୁ ନିଶ୍ଚୟ ନିଜର କୃତଜ୍ଞତା ଜଣାଇବାକୁ ଇଚ୍ଛା କରିବେ ।

 

ମାତ୍ର ବିଶ୍ୱ-ନିରସ୍ତ୍ରୀକରଣ ବିଷୟରେ କଥା ଉଠିଲାବେଳେ ଅଇବା ଉଠାଇବା ବେଳେ ଆମକୁ ଆହୁରି କେତୋଟି କଥା ମଧ୍ୟ ଆନୁଷଙ୍ଗିକ ଭାବରେ ସ୍ମରଣ ରଖିବାକୁ ପଡ଼ିବ । ଆମର ଏହି ପୃଥିବୀରେ ସବୁଠାରୁ ବଡ଼ କାରବାର ହେଉଛି ଅସ୍ତ୍ରର କାରବାର, ସବୁଠାରୁ ବଡ଼ ବଜାର ହେଉଛି ଅସ୍ତ୍ରଶସ୍ତ୍ର ବିକିବା ଓ କିଣିବାର ବଜାର । ଆମ ପୃଥିବୀରେ କୌଣସି ଦେଶ ତରଫରୁ ଆଉ ଗୋଟିଏ ଦେଶକୁ ଯେଉଁ ସାହାଯ୍ୟ ଦିଆଯାଏ, ତାହାର ସବୁଠାରୁ ବଡ଼ ଅଂଶଟି ହେଉଛି ଅସ୍ତ୍ରଶସ୍ତ୍ର ସାହାଯ୍ୟର ଅଂଶ । ଆମ ପୃଥିବୀରେ ପ୍ରାୟ ପ୍ରତ୍ୟେକ ଦେଶରେ ବାର୍ଷିକ ବଜେଟ୍‌ର ସବୁଠାରୁ ମୋଟା କିସମଟି ହେଉଛି ଅସ୍ତ୍ରଶସ୍ତ୍ର ବାବଦରେ ଖର୍ଚ୍ଚ ହେଉଥିବା କିସମ । ଅସ୍ତ୍ରଶସ୍ତ୍ର ଉତ୍ପାଦନ କରୁଥିବା ତଥାକଥିତ ଶିଳ୍ପଟି ହେଉଛି ଆମ ପୃଥିବୀରେ ସବୁଠାରୁ ବଡ଼ ଶିଳ୍ପ, ସବୁଠାରୁ ଅଧିକ ମର୍ଯ୍ୟାଦା ପାଉଥିବା ଶିଳ୍ପ ଏବଂ, ଯେଉଁ ବୈଜ୍ଞନିକମାନେ ସାରା ପୃଥିବୀଯାକରେ ଅସ୍ତ୍ରଶସ୍ତ୍ରର ଉତ୍ପାଦନ ଏବଂ ଗବେଷଣା କ୍ଷେତ୍ରରେ କାର୍ଯ୍ୟ କରନ୍ତି, ସେହିମାନେ ହିଁ ବୈଜ୍ଞାନିକ ଜଗତରେ ସବୁଠାରୁ ଅଧିକ ବେତନ ପାଆନ୍ତି, ସବୁଠାରୁ ଅଧିକ ସ୍ୱୀକୃତି ପାଆନ୍ତି, ସମ୍ଭବତଃ ସବୁଠାରୁ ଅଧିକ ମର୍ଯ୍ୟାଦା ମଧ୍ୟ ପାଆନ୍ତି ।

 

ପୃଥିବୀଯାକ ପ୍ରକୃତ ସ୍ଥିତିଟି ଏହିପରି ହୋଇ ରହିଥିବା ସମୟରେ ଦୁଇଟି ରାଷ୍ଟ୍ରର ମୁଖ୍ୟ ଯେ ଏହି ବିଷୟଟିର ଚିନ୍ତା କରିଛନ୍ତି, ଏହି ଦିଗରେ ପୃଥିବୀରେ ସମ୍ପୃକ୍ତ ସମସ୍ତଙ୍କୁ ପ୍ରାଥମିକ ଏକ ପଦକ୍ଷେପର ସୂଚନା ଦେଇଛନ୍ତି, ତାହା କିଛି କମ୍‌ କଥା ନୁହେଁ । ପୃଥିବୀର ଅଧିକରୁ ଅଧିକ ରାଷ୍ଟ୍ରମୁଖ୍ୟ ଯଦି ଏହି ଦିଗରୁ ବିଚାର କରିପାରନ୍ତେ ତେବେ ପୃଥିବୀର ସାମୂହିକ ଜଳବାୟୁରେ ହୁଏତ ଏକ ପରିବର୍ତ୍ତନ ସମ୍ଭବ ହୋଇପାରନ୍ତା, ବିଶ୍ୱ ରାଜନୀତିର ଆଗ୍ରହଗୁଡ଼ାକ ବଦଳିବାକୁ ଆରମ୍ଭ କରନ୍ତା, ଲୋକଶାସନ ଅପେକ୍ଷା ଲୋକଭାଗ୍ୟର ନିର୍ମାଣକୁ ହିଁ ମନୁଷ୍ୟବୁଦ୍ଧିର ଏକ ଅଧିକ ପ୍ରଶଂସନୀୟ ପ୍ରୟାସ ବୋଲି ସ୍ୱୀକୃତି ମିଳନ୍ତା । ପୃଥିବୀଯାକ କୁଆଡ଼େ କେହି ଯୁଦ୍ଧ ଚାହାନ୍ତି ନାହିଁ, ତଥାପି ଏହି ପୃଥିବୀରେ ଯୁଦ୍ଧ ହୁଏ ଓ ଯୁଦ୍ଧ ନ ହେଲାବେଳେ ଯୁଦ୍ଧର ତ୍ରାସ ଲାଗିରହିଥାଏ । ଅସ୍ତ୍ରଶସ୍ତ୍ର ବାବତରେ ହେଉଥିବା ଖର୍ଚ୍ଚକୁ ସବୁଠାରେ ଏକ ଅନାବଶ୍ୟକ ବା ଅନ୍ତତଃ ଏକ ଅନୁତ୍ପାଦକ ଖର୍ଚ୍ଚ ବୋଲି କୁହାଯାଏ; ମାତ୍ର ପୃଥିବୀର ସବୁ ଦେଶ ଖାସ୍‌ ଏହି ବାବଦରେ ହିଁ ଜାତୀୟ ଅଟକଳର ସର୍ବାଧିକ ଖର୍ଚ୍ଚ କରିଥାନ୍ତି । ଏହି ବିଡ଼ମ୍ୱନାଟିର ଉତ୍ତର ଅଥବା ରହସ୍ୟ ଖୋଜିବାକୁ ଯାଇ ଆମକୁ ଅନେକ ସମୟରେ ଉପରିଭାଗସ୍ଥ ରାଜନୀତିର ଆହୁରି ଭିତରକୁ ଯିବା ଦରକାର ପଡ଼େ ଏବଂ ତେଣୁ ଅନେକ ସମୟରେ ସେହି ବାଟରେ ଯିବା ଲାଗି ଯଥୋଚିତ ସାହସ ବି ହୁଏ ନାହିଁ । ତେଣୁ ପ୍ରାୟ ବିମଳ ଭାବରେ ଅର୍ଦ୍ଧସମାଧାନଗୁଡ଼ାକୁ ସମାଧାନ ବୋଲି କହିବାକୁ ପଡ଼େ ଓ ନାନା ତାତ୍କାଳିକତା ମଧ୍ୟରେ ବେଶ୍‌ ଉତ୍ସାହିତ ହୋଇ ରହିଯିବାକୁ ପଡ଼େ ।

 

ଏସବୁ ସତ୍ତ୍ୱେ ତଥାପି ସ୍ୱୀକାର କରିବାକୁ ପଡ଼ିବ ଯେ ନିରସ୍ତ୍ରୀକରଣର ସମସ୍ୟା ହେଉଛି ଆମ ପୃଥିବୀର ସବୁଠାରୁ ବଡ଼ ସମସ୍ୟା । ଏକ ବିଶ୍ୱ-ନିରସ୍ତ୍ରୀକରଣର ସମସ୍ୟା ହେଉଛି ମୁଖ୍ୟତଃ ଏକ ସ୍ୱେଚ୍ଛାକୃତ ନିରସ୍ତ୍ରୀକରଣର ସମସ୍ୟା ଏବଂ ନିରସ୍ତ୍ରୀକରଣ ହିଁ ଆମ ଉପସ୍ଥିତ ପୃଥିବୀର ସବୁଠାରୁ ବଡ଼ ଆବଶ୍ୟକତା । ପୃଥିବୀରେ ଅବିକଶିତର ବିକାଶ ଲାଗି, ଅନାଲୋକିତର ଆଲୋକନ ଲାଗି ଓ ଅନଗ୍ରସରକୁ ଯଥାର୍ଥ ବେଗରେ ଅଗ୍ରସର କରାଇନେବା ଲାଗି ଯଥେଷ୍ଟ ଅର୍ଥ ଉପଲବ୍‌ଧ ହେଉନଥିବା ସମୟରେ ତଥାପି ଯେ ସମୁଦ୍ରପାଣି ପ୍ରମାଣରେ ଅସ୍ତ୍ରଶସ୍ତ୍ର ବଢ଼ାଇବାରେ ହିଁ ଅର୍ଥବ୍ୟୟ ହେବାରେ ଲାଗିଥିବ, ଏହା ଆଧୁନିକ ମଣିଷର ଏକ ଗୌରବ ଆଦୌ ନୁହେଁ, ଆଧୁନିକ ରାଜନୀତି କିମ୍ୱା ଅର୍ଥନୀତିର ମଧ୍ୟ ଗୌରବ ନୁହେଁ । ଏଦିଗରେ ଆମେ ପୃଥିବୀର ରାଜନୀତିଜ୍ଞମାନଙ୍କ ଅପେକ୍ଷା ପୃଥିବୀର ବୁଦ୍ଧଜୀବୀ, ବିଚାରକ ତଥା ନୂତନ ମୂଲ୍ୟବୋଧର ପ୍ରତିନିଧିମାନଙ୍କଠାରୁ ଅଧିକ ପ୍ରେରଣା ପାଇବାକୁ ଆଶା କରିବା, ମାନବବାଦୀ ବୈଜ୍ଞାନିକମାନଙ୍କଠାରୁ ଏ ଦିଗରେ ହୁଏତ ଯଥାର୍ଥ ମାର୍ଗଦର୍ଶନ ବି ଆଶା କରିପାରିବା ।

 

ତା ୩୦.୦୫.୧୯୭୬ ରିଖ

Image

 

ଉତ୍ତେଜିତ ବିବେକ

 

ଭୋଟ ଆସନ୍ନ ହୋଇ ଆସୁଥିବା ବେଳେ ସାଧାରଣତଃ ସାମୟିକ ଭାବରେ ଏକ ବିଶେଷ ଉତ୍ତେଜନାର ସୃଷ୍ଟି ହୋଇଥାଏ । ଯେଉଁମାନେ ଭୋଟ ଦିଅନ୍ତି, ସେମାନେ ଉତ୍ତେଜିତ ହୁଅନ୍ତି ଏବଂ ଯେଉଁମାନେ ଭୋଟ ଲଢ଼ନ୍ତି ବା ଜିତିବାକୁ ମନ କରିଥାନ୍ତି, ସେମାନେ ମଧ୍ୟ ଉତ୍ତେଜିତ ହୁଅନ୍ତି । ଏହି କ୍ଷେତ୍ରଟିରେ କିଏ କାହାକୁ ଉତ୍ତେଜିତ କରେ, ସେହି କଥାଟିକୁ କଳନା କରି ଆଦୌ କୁହାଯାଇପାରିବ ନାହିଁ ।

 

୧୯୭୬ ମସିହା ହେଉଛି ଯୁକ୍ତରାଜ୍ୟ ଆମେରିକାର ଭୋଟ ବର୍ଷ । ସେଠି ପ୍ରତ୍ୟେକ ଚାରିବର୍ଷରେ ଭୋଟ ବର୍ଷ ଆସିଥାଏ । ବର୍ଷର ଶେଷବେଳକୁ ସେଠାରେ ଏଥର ଯେଉଁ ଭୋଟ ନିଆଯିବ, ସେଇଟି ଲାଗି ଏବଠାରୁ ବି ଉଦ୍‌ବେଳନ ଆରମ୍ଭ ହୋଇଗଲାଣି । ନୂତନ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବାର ପ୍ରତ୍ୟାଶା ଭାବରେ ସେଠି କେତେ କିଏ ଭାଗ୍ୟ ପରୀକ୍ଷା କରିବାକୁ ବାହାରି ଆସିଲେଣି । ସେହି ପ୍ରତ୍ୟାଶୀମାନଙ୍କ ମଧ୍ୟରୁ ଆମେରିକାର ବର୍ତ୍ତମାନ ରାଷ୍ଟ୍ରପତି ଶ୍ରୀଯୁକ୍ତ ଫୋର୍ଡ଼ ମଧ୍ୟ ଜଣେ । ସିଏ ସ୍ୱୟଂ ନିର୍ବାଚିତ ହୋଇ ରାଷ୍ଟ୍ରପତି ହୋଇନାହାନ୍ତି । ୱାଟର୍‌ଗେଟ୍‌ ବ୍ୟାପାରର ପରିଣାମ ସ୍ୱରୂପ ନିର୍ବାଚିତ ରାଷ୍ଟ୍ରପତି ରିଚାର୍ଡ଼୍‌ ନିକ୍‌ସନ୍‌ ବିଦାୟ ନେଇ ଯିବାପରେ ସିଏ ଏକଦା ଉପରାଷ୍ଟ୍ରପତି ରୂପେ ମନୋନୀତ କରି ଆଣିଥିବା ଶ୍ରୀଯୁକ୍ତ ଫୋର୍ଡ଼୍‌ ଅସ୍ଥାୟୀ ଭାବରେ ରାଷ୍ଟ୍ରପତି ପଦରେ ଆସୀନ ହୋଇଛନ୍ତି । ଆସନ୍ତା ନିର୍ବାଚନରେ ଜିତିଲେ ତାଙ୍କୁ ପ୍ରକୃତରେ ଜଣେ ନିର୍ବାଚିତ ରାଷ୍ଟ୍ରପତି ବୋଲି କୁହାଯାଇପାରିବ । ତେଣୁ ନିର୍ବାଚନରେ ତାଙ୍କର ଅସଲ ଭାଗ୍ୟ ପରୀକ୍ଷା ହେବାକୁ ଯାଉଛି ବୋଲି ମଧ୍ୟ କୁହାଯାଇପାରିବ । ଆମେରିକାର ବର୍ତ୍ତମାନ ରାଷ୍ଟ୍ରପତି ଏବଂ ଆଗାମୀ ରାଷ୍ଟ୍ରପତି ପଦର ପ୍ରତ୍ୟାଶୀ ସେହି ଜେରାଲର୍ଡ଼୍‌ ଫୋର୍ଡ଼୍‌ ଏବେ ନିକଟରେ ଏକ ଭାଷଣରେ କହିଛନ୍ତି ଯେ, ଯଦି ଆମେରିକାର ସ୍ୱାର୍ଥରକ୍ଷା ଲାଗି ନିର୍ଦ୍ଦିଷ୍ଟ ଭାବରେ ଆବଶ୍ୟକ ହୁଏ, ତେବେ ଆମେରିକା ଶକ୍ତି ପ୍ରୟୋଗ କରିବାକୁ କଦାପି ପଶ୍ଚାତ୍‌ପଦ ହେବ ନାହିଁ । ଆମେରିକାର ବୈଦେଶିକ ନୀତି ନିର୍ଦ୍ଧାରଣର କ୍ଷେତ୍ରରେ ଋଷିଆ ଓ ତା’ର ମିତ୍ରରାଷ୍ଟ୍ରମାନଙ୍କ ପ୍ରତି ଦୃଢ଼ନୀତି ଅବଲମ୍ୱନ କରାଯାଉ ନାହିଁ ବୋଲି ଆମେରିକା ସରକାରଙ୍କର ଯେଉଁ ସମାଲୋଚନା କରାଯାଉଛି, ଶ୍ରୀଯୁକ୍ତ ଫୋର୍ଡ଼୍‌ ତାହା ସମ୍ପୂର୍ଣ୍ଣ ଅର୍ଥହୀନ ବୋଲି କହିଛନ୍ତି ।

 

ବର୍ତ୍ତମାନ ପରିସ୍ଥିତିର ପରିପ୍ରେକ୍ଷୀରେ ଶ୍ରୀ ଫୋର୍ଡ଼୍‌ଙ୍କୁ ଏକାବେଳେକେ ଦୁଇଟି ଭୂମିକାରେ ଅବତୀର୍ଣ୍ଣ ହେବାକୁ ପଡ଼ୁଛି । ସିଏ ଏଣେ ଆମେରିକାର ରାଷ୍ଟ୍ରପତି ପଦରେ ରହିଛନ୍ତି ଏବଂ ତେଣେ ଆଗାମୀ ନିର୍ବାଚନରେ ଠିକ୍‌ ସେହି ପଦଟି ପାଇଁ ପ୍ରତ୍ୟାଶୀ ହୋଇ ଠିଆ ହୋଇଛନ୍ତି-। ତେଣୁ ଉକ୍ତ ବିବୃତ୍ତିଟିରେ ସେ ଯେଉଁ ମତ ପ୍ରକାଶ କରିଛନ୍ତି ତାହାକୁ ସେ ଗୋଟିଏ ଦେଶର ସରକାରୀ ସର୍ବୋଚ୍ଚ ମୁଖ୍ୟ ହିସାବରେ ଦେଇଛନ୍ତି ଅଥବା ଏକ ନିର୍ବାଚନରେ ପ୍ରତ୍ୟାଶୀ ହେବାକୁ ଯାଉଥିବାର ଉତ୍ତେଜନାରେ ପଡ଼ି ଦେଇଛନ୍ତି, ସେପଥା କହିବା ଆଦୌ ସହଜ ନୁହେଁ । କିନ୍ତୁ ଆମକୁ ଗୋଟିଏ କଥା ନିଶ୍ଚୟ ସ୍ମରଣ ରଖିବାକୁ ପଡ଼ିବ ଯେ, ନିର୍ବାଚନଗତ ପ୍ରତ୍ୟାଶିତାର କ୍ଷେତ୍ରରେ ବିରୋଧୀମାନଙ୍କ ମନ୍ତବ୍ୟଗୁଡ଼ିକ ପ୍ରତି ଏକ ସ୍ପଷ୍ଟ ପ୍ରତିକ୍ରିୟା ବ୍ୟକ୍ତ କରି ସେ ଏକଥା କହିଛନ୍ତି । ତାଙ୍କର ପ୍ରତିଦ୍ୱନ୍ଦୀମାନେ କହିବାରେ ଲାଗିଛନ୍ତି ଯେ ବର୍ତ୍ତମାନ ଆମେରିକା ସରକାରଙ୍କର ଅର୍ଥାତ୍‌ ସେହି ସରକାରରେ ସର୍ବୋଚ୍ଚ ମଙ୍ଗୁଆଳ ହୋଇ ବସିଥିବା ଫୋର୍ଡ଼ଙ୍କର ବୈଦେଶିକ ନୀତି ଆପଣାକୁ ଭାରି ଦୁର୍ବଳ ବୋଲି ସାବ୍ୟସ୍ତ କରିଦେଇଛି । ଆମେରିକା ଯେ ସାମରିକ ଦୃଷ୍ଟିରୁ ଏକ ଶକ୍ତିଶାଳୀ ରାଷ୍ଟ୍ର, ଆମେରିକାର ସ୍ୱାର୍ଥଗୁଡ଼ିକୁ ସୁରକ୍ଷିତ କରି ରଖିବାର ଦାୟିତ୍ୱଟିକୁ ତୁଲାଇବା ବେଳେ ଫୋର୍ଡ଼ଙ୍କ ସରକାର ସେହି ବାସ୍ତବ ସତ୍ୟଟିରୁ ଯଥେଷ୍ଟ ଫାଇଦା ଉଠାଇ ପାରିନାହାନ୍ତି ବୋଲି ବିରୋଧୀମାନେ ଅଭିଯୋଗ କରି କହିଛନ୍ତି ଏବଂ ସେହି ଅଭିଯୋଗର ଏକ ଟାଣୁଆ ଉତ୍ତର ଦେବାର ଉତ୍ତେଜନାରେ ପଡ଼ି ରାଷ୍ଟ୍ରପତି ଫୋର୍ଡ଼ ଆଗାମୀ ନିର୍ବାଚନଟି ଦୃଷ୍ଟିରୁ ହୁଏତ ଆପଣାର ମହତ ରକ୍ଷା କରିବାକୁ ଯାଇ ନିଜର ସ୍ୱାର୍ଥରକ୍ଷା ଲାଗି ଆମେରିକା ଆବଶ୍ୟକ ହେଲେ ଶକ୍ତିର ପ୍ରୟୋଗ କରିବାରୁ କଦାପି ପଶ୍ଚାତ୍‌ପଦ ହେବ ନାହିଁ ବୋଲି କହିଛନ୍ତି ।

କାରଣ, ଗୋଟିଏ ଗୋଟିଏ ରାଷ୍ଟ୍ରର ସ୍ୱାର୍ଥରକ୍ଷା ଦୃଷ୍ଟିରୁ ଯଦି ଶକ୍ତିର ପ୍ରୟୋଗ କରିବା ଆମ ପୃଥିବୀରେ ଏକ ସ୍ୱାଭାବିକ ରୀତି ହୋଇଥାନ୍ତା, ତେବେ ଏହି ପୃଥିବୀ କେଉଁକାଳୁ ପାଉଁଶ ହୋଇସାରନ୍ତାଣି । ସମସ୍ତ ପୃଥିବୀର ସ୍ୱାର୍ଥ ସହିତ ଯେ ଏକକ ରାଷ୍ଟ୍ରଗୁଡ଼ିକର ସ୍ୱାର୍ଥ ମଧ୍ୟ ଅତି ଘନିଷ୍ଠ ଭାବରେ ଜଡ଼ିତ ହୋଇ ରହିଛି, ଆମ ଏଯୁଗରେ ଅଧିକର ଅଧିକ ପରିମାଣରେ ସେହି କଥାଟି ଅନୁଭୂତ ହେବାରେ ଲାଗିଛି । ସେହି କାରଣରୁ ହିଁ ବିଶ୍ୱ ରାଜନୀତିକ ପରିଭାଷାଗୁଡ଼ାକ ମଧ୍ୟ ଦିନକୁ ଦିନ ବଦଳିଯିବାକୁ ଲାଗିଛି ଏବଂ ସେହି କାରଣରୁ ହିଁ ଆମେରିକା ଭଳି ଏକ ରାଷ୍ଟ୍ର ଦୈତ୍ୟପରି ଏକ ଅସ୍ତ୍ରବଳର ମାଲିକ ହୋଇ ରହିଥିଲେ ମଧ୍ୟ ତଥାପି ଭିଏତନାମ୍‌, ଲାଓସ୍‌ ଓ କାମ୍ୱୋଡ଼ିଆ ପ୍ରଭୃତି ସାନ ସାନ ଦେଶରେ ଦାରୁଣ ହଟାପଟା ଭୋଗିବାକୁ ବାଧ୍ୟ ହେଉଛି, ଅପଦସ୍ଥ ହୋଇ ଘରକୁ ଫେରୁଛି । ରାଷ୍ଟ୍ରପତି ଫୋର୍ଡ଼ ମଧ୍ୟ ଏହି ଆଘାତରେ ଅବଶ୍ୟ ଅଂଶୀଦାର ହୋଇଥିବେ ଓ ସେଥିରୁ କିଛି ଶିକ୍ଷା ବି କରିଥିବେ । ପେଟ୍ରୋଲ ଦର ବଢ଼ିଗଲା ବେଳେ ରାଷ୍ଟ୍ରପତି ନିକ୍‌ସନ୍‌ ଇସ୍ରାଏଲକୁ ଭୂମି କରି ଆରବ ଦେଶଗୁଡ଼ାକୁ ଶକ୍ତିର ପ୍ରୟୋଗ ଦ୍ୱାରା ଜୟ କରିନେବାକୁ ଯେଉଁ ଉପାୟ ପାଞ୍ଚିଥିଲେ, ରାଷ୍ଟ୍ରପତି ଫୋର୍ଡ଼ ଆଉ ସେଇଟିଠାରୁ କିଞ୍ଚିତ୍‌ ପ୍ରେରଣା ପାଇଛନ୍ତି କି ?

ତା ୦୧.୦୬.୧୯୭୬ ରିଖ

Image

 

ଅଙ୍କ୍‌ଟାଡ଼୍‌ରୁ ଆଲଜିଅର୍ସ୍‌

 

ସଂଯୁକ୍ତ ରାଷ୍ଟ୍ରସଂଘର ଆନୁକୂଲ୍ୟରେ ପ୍ରାୟ ଗୋଟିଏ ମାସ ଧରି ଆନ୍ତର୍ଜାତିକ ବାଣିଜ୍ୟ ଓ ବିକାଶର ଯେଉଁ ସମ୍ମିଳନୀ ବସିଥିଲା, ସେଥିରେ କେତେ ସଫଳତା କଅଣ ମିଳିଲା ବା ନ ମିଳିଲା, ସେ ବିଷୟରେ ବିଭିନ୍ନ ସମୀକ୍ଷକ ବିଭିନ୍ନ ପ୍ରକାରର ମତ ଦେଉଛନ୍ତି । ମାତ୍ର ସମସ୍ତ ପୃଥିବୀର ବାଣିଜ୍ୟିକ ତଥା ବିକାଶଗତ ସ୍ୱାର୍ଥକୁ ଗୋଟିଏ ସ୍ୱାର୍ଥରେ ପରିଣତ କରିବାଲାଗି ଯେ ଏବେସୁଦ୍ଧା ଆମ ବାଟରେ ପ୍ରାୟ ଅଲଂଘନୀୟ ଅନେକ ପ୍ରତିବନ୍ଧକ କହିଛି, ସେ ବିଷୟରେ ଆଉ କାହାରି କୌଣସି ସନ୍ଦେହ ରହିଲାନାହିଁ । ଏଥିମଧ୍ୟରେ ନାନା ଆର୍ଥିକ ଖଣ୍ଡସ୍ୱାର୍ଥର ପ୍ରତିବନ୍ଧକ ରହିଛି, ରାଜନୀତିକ ପ୍ରତିବନ୍ଧକ ରହିଛି ଏବଂ ତା’ ସହିତ କେବଳ ଏକ ମିଛ ଉଗ୍ରମନ୍ୟତାଜନିତ ପ୍ରତିବନ୍ଧକମାନ ମଧ୍ୟ ରହିଛି । ଏପର୍ଯ୍ୟନ୍ତ ପୃଥିବୀର ସ୍ୱାର୍ଥ ବୋଲି କିଛି ନଥିଲା । ପ୍ରଧାନତଃ ଜାତୀୟ ସ୍ୱାର୍ଥ ବା ଖଣ୍ଡସ୍ୱାର୍ଥଗୁଡ଼ିକ ରହିଥିଲା । ସାମନ୍ତବାଦୀ ଓ ସାମ୍ରାଜ୍ୟବାଦୀ ନାନା ପୁରାତନ ଅଭ୍ୟସ୍ତତା ଅନେକ ତଥାକଥିତ ବୃହତ୍‌ଶକ୍ତିଙ୍କୁ କାମୁଡ଼ି ରହିଥିଲା । ଏବେ ମଧ୍ୟ ରହିଛି । ତେଣୁ ଲିମାଠାରୁ ନାଇରୋବି ପର୍ଯ୍ୟନ୍ତ ଅଙ୍କ୍‌ଟାଡ଼୍‌ର ଏହି ଗୋଟିଏ ବର୍ଷରେ ବିଶ୍ୱବାଣିଜ୍ୟ ଓ ବିଶ୍ୱବିକାଶର କ୍ଷେତ୍ରରେ ଯେତିକି ଅଗ୍ରଗତିହୋଇଛି, ସେ ବିଷୟରେ ଅନେକେ ଯେ ଅଧିର ହୋଇପଡ଼ୁଥିବାର ପ୍ରବୃତ୍ତ ଦେଖାଉଛନ୍ତି, ସେଥିରେ ଆଦୌ କୌଣସି ବିସ୍ମୟର କାରଣ ନାହିଁ ।

 

ନାଇରୋବି ସମ୍ମିଳନୀ ପରେ ବର୍ତ୍ତମାନ ସେହି ଆଫ୍ରିକା ମହାଦେଶର ଉତ୍ତରଭାଗରେ ଆଲ୍‌ଜିଅର୍ସଠାରେ ଆଉ ଗୋଟିଏ ସମ୍ମିଳନୀ ବସିଛି । ଗୋଷ୍ଠୀନିରପେକ୍ଷ ଦେଶମାନଙ୍କ ପ୍ରତିନିଧିମାନଙ୍କର ଏହି ସମ୍ମିଳନୀ ବସିଛି । ପ୍ରାୟ କେତେମାସ ପରେ କଲମ୍ୱୋଠାରେ ନିରପେକ୍ଷ ଦେଶମାନଙ୍କ ଯେଉଁ ସାଧାରଣ ସମ୍ମିଳନୀଟି ବସିବାକୁ ଯାଉଛି, ପ୍ରଧାନତଃ ତାହାରି ପ୍ରାଥମିକ ପ୍ରସ୍ତୁତି ଲାଗି ହିଁ ଏବେ ଗୋଟିଏ ସମ୍ମିଳନୀ ଆଲଜିୟର୍ସଠାରେ ବସିଛି । ଗୋଷ୍ଠୀନିରପେକ୍ଷ ଦେଶମାନଙ୍କର ନିଜର କୌଣସି ଗୋଷ୍ଠୀ ନାହିଁ । ପୃଥିବୀଟାକୁ ଦୁଇଟି ପରସ୍ପର-ଭୀତ ଓ ପରସ୍ପର-ଭୀରୁ ଗୋଷ୍ଠୀରେ ବିଭକ୍ତ କରିଦେଇ ଏବଂ ତା’ ସହିତ ସାମରିକ ବଳର ରଞ୍ଜକ ଯୋଡ଼ିଦେଇ ଗତ ମହାଯୁଦ୍ଧ ପରେ ପୃଥିବୀର ବିଜୟୀ ବୃହତ୍‌ଶକ୍ତିମାନେ ପୃଥିବୀରେ ପୁଣି ଯେଉଁ ଅସ୍ଥିରତା ଓ ଅଶାନ୍ତତା ବଜାୟ ରଖିବାର ଉପକ୍ରମ କଲେ, ତାହାରି ଏକ ପ୍ରତିବାଦ ତଥା ପ୍ରତିକାର ରୂପେ ହିଁ ତତ୍କାଳୀନ ତିନୋଟି ଦେଶରୁ ଗୋଷ୍ଠୀ ନିରପେକ୍ଷତାର ଆବାଜ ଉଠିଥିଲା । ଇଉରୋପ ଓ ଲାଟିନ୍‌ ଆମେରିକାରେ ସେତେବେଳେ ମାଲିକ ଓ ଭୃତ୍ୟ ଉଭୟ କିସମର ଅନେକ ଦେଶ ଏହି ନୂତନ ଆବାଜକୁ ହୁଏତ ଏକ ଆବାଜ ବୋଲି ବିଶ୍ୱାସ କରିନଥିଲେ । କାରଣ, ସେମାନେ ସେପରି ଏକ ପରମ୍ପରା ସହିତ ଆଦୌ ଅଭ୍ୟସ୍ତ ନଥିଲେ, ତେଣୁ ଏହି ସମ୍ଭାବନାଟିର କଳ୍ପନା ବି କରିପାରି ନଥିଲେ ।

 

ପୃଥିବୀକୁ କେତୋଟି ସ୍ୱାର୍ଥମଣ୍ଡଳ, ଆଦର୍ଶମଣ୍ଡଳ ଓ ଯୁଦ୍ଧାସ୍ତ୍ର ଗୋଦାମରେ ବିଭକ୍ତ କରି ଯେଉଁ ପୁରୁଣା ରଥୀମାନେ ତାହାରି ଦ୍ୱାରା ପୃଥିବୀରେ ଶାନ୍ତି ପ୍ରତିଷ୍ଠା କରିବେ ବୋଲି ଭାବି ଆସିଛନ୍ତି ଓ ଭାବୁଛନ୍ତି, ସେମାନେ ବନ୍ଧୁତା ଓ ସହଯୋଗ କହିଲେ ସ୍ୱାର୍ଥରକ୍ଷା ଏବଂ ସେହି ଉଦ୍ଦେଶ୍ୟରେ ଗଠିତ ହୋଇଥିବା ସାମରିକ ମେଣ୍ଟ ବ୍ୟତୀତ ଆଉ ବେଶୀକିଛି ଭାବିପାରୁ ନାହାନ୍ତି । ଦ୍ୱିତୀୟ ମହାଯୁଦ୍ଧ ପରେ ଏସିଆ ଓ ଆଫ୍ରିକାର ଯେଉଁସବୁ ଦେଶ ସ୍ୱାଧୀନତା ଲାଭ କରିଛନ୍ତି, ବଡ଼ମାନଙ୍କ ଗୋଠ ଭିତରେ ଖଣ୍ଡିଆଙ୍କ ପରି ମାତିବାର ନିଶାଖିଆ ଖେଳରେ ଏମାନେ ଆଦୌ କୌଣସି ସୃହା ଦେଖାଇ ପାରିନାହାନ୍ତି । ଏମାନେ ଆପଣାର ଦେଶଟିକୁ ନୂଆ କରି ନିର୍ମାଣ କରିବାକୁ ଇଚ୍ଛା କରୁଛନ୍ତି । ଅଭିଳଷିତ ସାମାଜିକ, ଅର୍ଥନୈତିକ ଏବଂ ରାଜନୈତିକ ପରିବର୍ତ୍ତନଗୁଡ଼ିକୁ ଯଥାସମ୍ଭବ ସ୍ୱାଭାବିକ ଭାବରେ ସଂଘଟିତ କରାଇ ଆଣିବା ହିଁ ଏହିସବୁ ଦେଶରେ ସର୍ବପ୍ରଧାନ ଉଦ୍ଦେଶ୍ୟ ଓ ସର୍ବପ୍ରଧାନ ପ୍ରଶ୍ନ ହୋଇ ରହିଛି । ଏଥିଲାଗି ମେଣ୍ଟ ଗଢ଼ିବାର କୌଣସି ପ୍ରୟୋଜନ ନାହିଁ, ଉନବିଂଶ ଶତାବ୍ଦୀର ଉପନିବେଶ ଯୁଗରେ ପୃଥିବୀର ଗୋଟିଏ ମହାଦେଶରେ ଆଚରିତ ହୋଇ ଆସିଥିବା ସେହି ପୁରୁଣା ସ୍ଥାନୀୟ ରାଜନୀତିଗୁଡ଼ାକୁ ବିଂଶ ଶତାଦ୍ଦୀରେ ସମୁଦାୟ ମନୁଷ୍ୟ-ପରିବାରର ସମ୍ପୂର୍ଣ୍ଣ ଅନ୍ୟଧର୍ମୀ ସମ୍ମିଳିତ ସମସ୍ୟାଗୁଡ଼ିକର ସମାଧାନ ଲାଗି ଲଗାଇବାର ମଧ୍ୟ କୌଣସି ପ୍ରୟୋଜନ ନାହିଁ ।

 

ଏହି ପୃଥିବୀରେ ବିକଶିତ ହେବାଲାଗି ସବୁ ଜାତି ଓ ସବୁ ଦେଶ ସୁଯୋଗ ପାଇବେ । ଏହି ବିକାଶର କ୍ଷେତ୍ରରେ ଦେଶ ଦେଶ ମଧ୍ୟରେ ସହଯୋଗର ପରିସରମାନ ସଂପ୍ରସାରିତ ହୋଇଯାଉଥିବ, ମନୁଷ୍ୟର ନୂତନ ଭାଗ୍ୟର ନିର୍ମାଣ ଲାଗି ପୃଥିବୀର ଅର୍ଥନୀତି ତଥା ଅର୍ଥଶକ୍ତିର ଅଧିକ କୁଶଳ ଭାବରେ କାର୍ଯ୍ୟରେ ଲଗାଯାଇ ପାରୁଥିବ ଏବଂ ପୃଥିବୀର ନୂଆ ରାଜନୀତି ସେଇଥିରେ ହିଁ ସହାୟତା କରିବାର ଯୋଗ୍ୟ ହେବ, ଏକ ନୂତନ ପରିପକ୍ୱତା ଓ ପାରସ୍ପରିକତା ସୃଷ୍ଟି କରିବାରେ ନିମିତ୍ତ ହେବ, ଏହିସବୁ ଆକାଙ୍‌କ୍ଷାକୁ ଭବିଷ୍ୟତର ବାସ୍ତବତା ବୋଲି ସ୍ୱୀକାର କରିନେବା ଦିଗରେ ଗୋଷ୍ଠୀନିରପେକ୍ଷ ଦେଶଗୁଡ଼ିକର ଉଦ୍ୟମଟି ଅଭିପ୍ରେତ । ପୃଥିବୀର ଦୁଇ ବିବଦମାନ ବିନାଶବୁଦ୍ଧି ଶିବିର ମଧ୍ୟରେ ଏକ ତୃତୀୟ ଶିବିର ଅଥବା ପ୍ରଭାବମଣ୍ଡଳ ହୋଇ ରହି ସେଥିରୁ ଉପଲବ୍‌ଧ ସକଳ ଲାଭ ଉଠାଇବା ସକାଶେ ଗୋଷ୍ଠୀନିରପେକ୍ଷତାର କୌଣସି ଆଗ୍ରହ ନାହିଁ ।

 

ତେଣୁ ଗୋଷ୍ଠୀନିରପେକ୍ଷତା ପଛରେ ଏକ ନୂତନ ସହଯୋଗ, ନୂତନ ସୌହାର୍ଦ୍ଦ୍ୟ ଓ ନୂତନ ବିଶ୍ୱାସର ଦର୍ଶନ ରହିଛି । ବର୍ତ୍ତମାନର ସ୍ଥାନୀୟ ସାମରିକ ସ୍ୱାର୍ଥମେଣ୍ଟଗୁଡ଼ାକ ଭାଙ୍ଗି ଯେତିକି ଶୀଘ୍ର ସମସ୍ତେ ସମୁଦାୟ ପୃଥିବୀର ସାମୂହିକ ଅଗ୍ରଗତି ଲାଗି ଅପ୍ରମତ୍ତ ଓ ନିର୍ଭୟ ହୋଇ ନିଜ ନିଜ ଅବଦାନର ଯୋଗ୍ୟ ହେବେ, ସେତିକିବେଳେ ଯେ ପୃଥିବୀ ପ୍ରକୃତରେ ଅଗ୍ରଗତି କରିପାରିବ, ସେହି ଦର୍ଶନ ତାହାକୁ ହିଁ ଆପଣାର ଦୀର୍ଘମିଆଦ ପ୍ରୟାସକ୍ରମ ବୋଲି ଗ୍ରହଣ କରିନେଇଛି ।

 

ତା ୦୪.୦୬.୧୯୭୬ ରିଖ

Image

 

ଭାଙ୍କୋଭର୍‌ ସମ୍ମିଳନୀ

 

ଏହି ମାସର ଆରମ୍ଭରୁ କାନାଡ଼ାର ଭାଙ୍କୋଭର୍‌ ସହରରେ ବିଶ୍ୱ ଲୋକବସତି ସମ୍ମିଳନୀ ଅନୁଷ୍ଠିତ ହୋଇଛି । ମିଳିତ ଜାତିସଂଘର ଆନୁକୂଲ୍ୟରେ ଏହା ଅନୁଷ୍ଠିତ ହେଉଛି । ପୃଥିବୀର ୧୩୦ଟି ଦେଶର ପ୍ରାୟ ପାଞ୍ଚହଜାର ପ୍ରତିନିଧି ଏହି ସମ୍ମିଳନୀରେ ଯୋଗ ଦେଇଛନ୍ତି । ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ କରୁଛନ୍ତି ଭାରତ ସରକାରଙ୍କର ସଂପୃକ୍ତ ବିଭାଗଟିର ମନ୍ତ୍ରୀ ଶ୍ରୀଯୁକ୍ତ କେ. ରଘୁରାମାୟା ।

 

ସମ୍ମିଳନୀରେ ଉଦ୍‌ଘାଟନ ଭାଷଣ ଦେଇ ସଂଯୁକ୍ତ ରାଷ୍ଟ୍ରସଂଘର ସେକ୍ରେଟାରୀ ଜେନେରାଲ ଶ୍ରୀଯୁକ୍ତ କୁଅର୍ଟ ଭାଲଡ଼୍‌ହାଇମ୍‌ କହିଛନ୍ତି ଯେ, ପୃଥିବୀରେ ଆଜି କୋଟି କୋଟି ମଣିଷ ବାସସ୍ଥାନ ବିଷୟରେ ନାନାପ୍ରକାର ନରଖର ହୋଇ ରହିଥିବା ସମୟରେ ପୃଥିବୀର ଏତେଗୁଡ଼ାଏ ପଇସା ଯୁଦ୍ଧାସ୍ତ୍ର ତିଆରି କରିବାରେ ନିୟୋଜିତ ହେବା ଭାରି ପରିତାପର ବିଷୟ । ମାତ୍ର ଯେତେ ପରିତାପର ବିଷୟ ହୋଇଥଲେ ମଧ୍ୟ ଏଥିରେ ଆବୋଧ୍ୟ ବୋଲି ଆଦୌ କିଛି ରହିବା ଉଚିତ ନୁହେଁ-। ପୃଥିବୀକୁ ପ୍ରଥମତଃ ମଣିଷର ଘର ବୋଲି ଯେଉଁଦିନ ସ୍ୱୀକାର କରି ନିଆଯିବ, ସେଦିନ ସେହି ପୃଥିବୀରେ ଆଜିପରି ଆଉ ଏତେଗୁଡ଼ାଏ ଭୟ ମୋଟେ ରହିବ ନାହିଁ ଏବଂ ଯେଉଁ ପୃଥିବୀରେ ଭୟର ମାତ୍ରା କମିଯିବ, ସେଠାରେ ଯୁଦ୍ଧ ପାଇଁ ଓ ଅସ୍ତ୍ର ପାଇଁ ଏତେ ଅଜସ୍ର ଭାବରେ ପଇସା ଖରଚ କରିବା ଲାଗି ଆଦୌ କୌଣସି ଆବଶ୍ୟକତା ରହିବ ନାହିଁ ।

 

ପୃଥିବୀରେ ସବୁ ମଣିଷଙ୍କ ଲାଗି ଯୋଗ୍ୟ ବା ଅଯୋଗ୍ୟ କୌଣସି ବାସଗୃହ ନାହିଁ । ଯେଉଁଠି ଯେଡ଼େ ବଡ଼ ବଡ଼ ଅଟ୍ଟାଳିକା ତିଆରି କରାଯାଇ ଆକାଶକୁ ଭେଦ କରିଥିବାର ଦମ୍ଭ କରାଯାଉଛି, ବୋଧହୁଏ ସେଇସବୁ ସ୍ଥାନରେ ଆଉ ଥୋକେ ମଣିଷ ସେତିକି ବେଶୀ ନରଖର ହୋଇ ରହିଛନ୍ତି । ଗ୍ରୀଷ୍ମପ୍ରଧାନ ଦେଶଗୁଡ଼ିକ ଅପେକ୍ଷା ଶୀତପ୍ରଧାନ ଦେଶଗୁଡ଼ିକରେ ହୁଏତ ଅଧିକ ନରଖର ହୋଇ ରହିଛନ୍ତି । ଆଉ ଯେଉଁ ଦେଶଗୁଡ଼ିକ ନିଜକୁ ତଥାକଥିତ ବିକାଶଶୀଳ ଦେଶ ବୋଲି କହୁଛନ୍ତି, ସେଠାରେ ଆଗରୁ କୋଠାଘରେ ରହି ଆସିଥିବା ମଣିଷମାନେ ଏଣିକି ଅଧିକ ସୁଦୃଶ୍ୟ ଓ ଅଧିକ ସୁମୂଲ୍ୟ କୋଠାଘରମାନଙ୍କର ଆସି ରହିଲେଣି ସିନା, ମାତ୍ର ଯେଉଁମାନେ ପଚିଶିବର୍ଷ ତଳେ ନରଖର ହୋଇ ରହୁଥିଲେ, ବର୍ତ୍ତମାନ ସେମାନେ ଆହୁରି ନରଖର ହୋଇ ରହିଛନ୍ତି । ଏସିଆର ସହରଗୁଡ଼ାକ ଲୋକସଂଖ୍ୟାରେ ହୁ’ ହୁ’ ହୋଇ ବଢ଼ିବାରେ ଲାଗିଛନ୍ତି ସତ, ମାତ୍ର ଏଠି ସହରଗୁଡ଼ାକ ମୋଟେ ବଢ଼ୁନାହାନ୍ତି, ଘର ପଛରେ ଖିଗଦା ଗଢ଼ିବା ପରି ସହରତଳିଗୁଡ଼ାକ ବଢ଼ିବାରେ ଲାଗିଛି ।

 

ମଣିଷ-ଏଠାରେ ଅସହାୟ ଓ ଅସମର୍ଥ ମଣିଷଙ୍କର କଥା କୁହାଯାଉଛି ଏବଂ ଆମ ପୃଥିବୀରେ ଆଗାମୀ ବେଶ୍‌ କେତେବର୍ଷ ଲାଗି ଏହିମାନେ ହିଁ ଅଧିକ ସଂଖ୍ୟାରେ ରହିବେ–ଯେଉଁଠି ଯେପରି ପାରେ, ସେଠି ଘର ବୋଲି ଯେମିତି ସେମିତି ରହିଯିବାକୁ ଚେଷ୍ଟା କରେ । କିଏ ଗଛତଳେ ରହେ, ଗଛତଳେ ଶୁଏ, କଲିକତା ଓ ବମ୍ବେ ପ୍ରଭୃତି ସହରରେ ହଜାର ହଜାର ମଣିଷ ରାତିରେ ଫୁଟ୍‌ପାଥ ଉପରେ ଶୋଇବାକୁ ଆସନ୍ତି । ଦିଲ୍ଲୀ, ଆଗ୍ରା ପ୍ରଭୃତି ସହରରେ ଦାରୁଣ ଶୀତକାଳରେ ମଧ୍ୟ କେତେଲୋକ ଶଯ୍ୟା ବୋଲି ରେଳବାଇ ଓଭରବ୍ରିଜଗୁଡ଼ାକୁ ଆଦରି ନିଅନ୍ତି । ଆଉ କିଏ ନର୍ଦ୍ଦମାର ଆଧୁନିକୀକରଣ ହେବାଲାଗି ଆସିଥିବା ବଡ଼ ବଡ଼ ସିମେଣ୍ଟ ପାଇପ୍‌କୁ ମଧ୍ୟ ଘର ବୋଲି ଆଦରି ନିଏ । ଆମର ଏହି ସହରରେ ଯେଉଁ ପିଲାମାନେ ଜଳଖିଆ ଦୋକାନମାନଙ୍କରେ ଟୁକୁରା କାମ ସବୁ କରନ୍ତି ସେମାନେ ରାତି ହେଲେ କୋଉଠିକୁ ଶୋଇବାକୁ ଯାଆନ୍ତି ? ଯେଉଁମାନେ ରିକ୍‌ସା ବୁହନ୍ତି, ସେମାନେ କୋଉଠି ଶୁଅନ୍ତି ? ଆମେ ଯେଉଁମାନେ ନିର୍ମଳ ବାତାବରଣ ଭିତରେ ରହିଥାଉ, ସେମାନେ ମଳ ଲାଗିଯିବ ବୋଲି ସେସବୁ ଥାନକୁ ଦେଖିବାକୁ ଯିବାଲାଗି ମଧ୍ୟ ସାହସ କରୁନାହିଁ ଏବଂ, ଆମ ଦେଶରେ ଶିକ୍ଷା ନାମରେ ଯେଉଁମାନେ ଉଚ୍ଚ ଚାକିରୀ ଆଶାରେ ଅର୍ଥନୀତି ଓ ସମାଜ ବିଜ୍ଞାନ-ପ୍ରଭୃତି ପଢ଼ନ୍ତି, ସେମାନେ ନାନା ଅସୁବିଧାରେ ପଡ଼ି ସେସବୁ ଜାଗାକୁ ନ ଯିବାଟାକୁ ହିଁ ନିରାପଦ ମନେ କରନ୍ତି । ବା ଆଉଜଣେ ଅଧସ୍ତନ କର୍ମଚାରୀ ହାତରେ ସଂପୃକ୍ତ ସେହି ସ୍ଥାନଗୁଡ଼ିକରୁ ପ୍ରୟୋଜନୀୟ ତଥ୍ୟାଦି ସଂଗ୍ରହ କରି ଆଣି ନିଜର ନିବନ୍ଧଟିକୁ ପ୍ରସ୍ତୁତ କରିପକାନ୍ତି ।

 

ଆମରି ଏହି ଯୁଗରେ ମନୁଷ୍ୟର ବସତି ସମସ୍ୟାକୁ ଯେ ପ୍ରକୃତରେ ଗୋଟିଏ ସମସ୍ୟା ବୋଲି ସ୍ୱୀକାର କରାଯାଉଛି ଏବଂ ସେହି ସମସ୍ୟାକୁ ନେଇ ଆନ୍ତର୍ଜାତିକ ସ୍ତରରେ ସମ୍ମିଳନୀ ଡକାଯାଉଛି, ପୃଥିବୀ ପକ୍ଷରେ ତାହାକୁ ମଧ୍ୟ ଏକ ଶୁଭ ସୂଚନା ଓ ଅନେକ ଆଶାର କଥା ବୋଲି କୁହାଯାଇ ପାରିବ ଏବଂ ସେଥିଲାଗି ଆମେ ସମସ୍ତେ ଜାତିସଂଘ ନିକଟରେ ନିଶ୍ଚୟ କୃତଜ୍ଞ ରହିବା-। ଆଗେ ଏସବୁ ପ୍ରସଙ୍ଗ ନେଇ ସମ୍ମିଳନୀ ଡକାଯାଉନଥିଲା । ମଣିଷର ସମସ୍ୟା କହିଲେ ସେତେବେଳେ କେତେଟା ଉପରିଭାଗସ୍ଥ କଥାକୁ ହିଁ ବୁଝାଉଥିଲା । ଆଲୋଚନା କହିଲେ ରାଜନୀତିର ଆଲୋଚନାକୁ ବୁଝାଉଥିଲା ଏବଂ ରାଜନୀତିର ଆଲୋଚନା ଭିତରେ ମଣିଷର ଅସଲ ସମସ୍ୟାଗୁଡ଼ାକ କୁଆଡ଼େ ଆଚ୍ଛନ୍ନ ହୋଇ ରହିଯାଉଥିଲା ।

 

ଭାଙ୍କୋଭର୍ ସହର ହେଉଛି କାନାଡ଼ା ଦେଶରେ, କାନାଡ଼ାର ପଶ୍ଚିମାଞ୍ଚଳରେ ଏବଂ କାନାଡ଼ାର ପଶ୍ଚିମାଞ୍ଚଳ ହେଉଛି ଏକ ସମ୍ପନ୍ନ ଅଞ୍ଚଳ । ଆମେ ସାଧାରଣତଃ ସହରତଳି କହିଲେ ଯାହା ବୁଝୁ, ପଶ୍ଚିମ କାନାଡ଼ାରେ ତାହା ହୁଏତ ଆଦୌ ନଥିବ । ତେଣୁ ଭାଙ୍କୋଭର୍ ସହରରେ ବସି ମନୁଷ୍ୟ-ବସତିର ସମସ୍ୟା ବିଷୟରେ ଆଲୋଚନା କରିବାରେ କଥାଟା ଅନେକ ଲୋକଙ୍କ ଆଖିକୁ ଦେବଲୋକରେ ବସି ମର୍ତ୍ତ୍ୟଲୋକ ବିଷୟରେ ଆଲୋଚନା କରୁଥିବା ପରି ହୁଏତ ବଡ଼ ଅସ୍ୱାଭାବିକ ମନେ ହେବ । ଯେଉଁଠାରେ ମନୁଷ୍ୟର ବସତି ସମସ୍ୟା ପ୍ରକୃତରେ ନିକଟ ହୋଇ ରହିଛି, ପୃଥିବୀର ସେହିଭଳି ଏକ ସ୍ଥାନରେ ଏହି ସମ୍ମିଳନୀଟି ବସିଥିଲେ ପ୍ରତିନିଧିମାନଙ୍କୁ ସମସ୍ୟାଟି ବିଷୟରେ ହୁଏତ ପ୍ରତ୍ୟକ୍ଷ ଅନ୍ତଃଦୃଷ୍ଟିମାନ ମିଳିବାର ଅଧିକ ସମ୍ଭାବନା ରହିଥାନ୍ତା । ଏପରିକି କାନାଡ଼ାର ପଶ୍ଚିମାଞ୍ଚଳରେ ନ ବସି ପୂର୍ବାଞ୍ଚଳ କ୍ୱେବେକ୍‌ ପ୍ରଦେଶରେ ବସିଥିଲେ ମଧ୍ୟ ସମ୍ମିଳନୀ ପାଇଁ ତାହା ଅଧିକ ଲାଭପ୍ରଦ ହୋଇଥାନ୍ତା । ବିଜ୍ଞାନୀମାନଙ୍କ ପାଇଁ ଏକ ପ୍ରତ୍ୟକ୍ଷ ଦୃଷ୍ଟାନ୍ତକ୍ଷେତ୍ର ଉପଲବ୍‌ଧ ହୋଇଯାଇଥାନ୍ତା ।

 

ତା ୦୫.୦୬.୧୯୭୬ ରିଖ

Image

 

ଘରଡିହରୁ ଘର

 

ଭାରତବର୍ଷର ଗ୍ରାମ-ଅଞ୍ଚଳରେ ବାସ କରୁଥିବା ଭୂମିହୀନ ମୂଲିଆମାନଙ୍କ ମଧ୍ୟରୁ ଶତକଡ଼ା ୫୪ ଭାଗରୁ ଅଧିକ ଲୋକଙ୍କୁ ଏହି ଗୋଟିଏ ବର୍ଷ ଭିତରେ ଘରଡିହ ଯୋଗାଇ ଦିଆଯାଇ ସାରିଲାଣି ଏବଂ ହିସାବ କରି ଦେଖାଯାଇଛି ଯେ, ଦେଶର ପ୍ରାୟ ଏକ କୋଟି ଦଶଲକ୍ଷ ପରିବାର ନିଜପାଇଁ ଖଣ୍ଡେ କରି ଘରଡିହ ପାଇବାଲାଗି ହକ୍‌ଦାର ହୋଇ ରହିଛନ୍ତି । ଅର୍ଥାତ୍ ସିଧା ଭାବରେ କହିଲେ, ଦେଶର ଏକକୋଟି ଦଶଲକ୍ଷ ପରିବାରଙ୍କର ଆପଣାର ଘରଟିକୁ ମଧ୍ୟ ସେମାନଙ୍କର ଆପଣା ଭୂମି ବୋଲି କହିବାର ଅଧିକାର ନାହିଁ । ଅର୍ଥାତ୍‌ ଆପଣାର ବୋଲି କହିବାକୁ ସେମାନଙ୍କର କୌଣସି ଭୂମି ନାହିଁ ।

 

ଗୋଟିଏ ପରିବାରରେ ହାରାହାରି ପାଞ୍ଚଜଣ ମଣିଷ ବାସ କରୁଛନ୍ତି ବୋଲି ଯଦି ଅନୁମାନ କରାଯାଏ ତେବେ ଏହି ଘରଡିହ ନଥିବା ପରିବାରଗୁଡ଼ିକରେ ସାଢ଼େ ପାଞ୍ଚ କୋଟି ଲୋକ ବାସ କରୁଛନ୍ତି- ଅର୍ଥାତ୍‌ ଆମ ଦେଶର ମୋଟ ଲୋକସଂଖ୍ୟାର ଦଶଭାଗରୁ ପ୍ରାୟ ଭାଗେ ଲୋକ ଏହିସବୁ ପରିବାରରେ ବାସ କରୁଛନ୍ତି । ଏମାନଙ୍କର ନିଜର ବୋଲି କହିବାକୁ ଏ ଦେଶରେ କିଛି ନାହିଁ । ଏମାନେ ପ୍ରତିଦିନ ରୋଜଗାର କରୁଛନ୍ତି, ପ୍ରତିଦିନ ଖାଉଛନ୍ତି । ପ୍ରାୟ ଶହେବର୍ଷ ତଳେ କାର୍ଲ ମାର୍କ୍‌ସ୍‌ ଯେଉଁମାନଙ୍କୁ ସର୍ବହରା ବା ପ୍ରୋଲେଟରିଆଟ୍‌ ବୋଲି କହିଥିଲେ, ଆମେ ଆମ ଦେଶରେ ଏହି କୋଟିଏ ଲୋକଙ୍କୁ ସେହି ଶ୍ରେଣୀର ଅନ୍ତର୍ଭୁକ୍ତ କରିପାରିବା କି ? ଅବଶ୍ୟ ଏକଥା ସତ ଯେ, ଆପଣାର ସିଦ୍ଧାନ୍ତଗୁଡ଼ିକୁ ତିଆରି କରିବା ସମୟରେ ମାର୍କ୍‌ସ୍‌ କେବଳ କାରଖାନାରେ କାମ କରୁଥିବା ତଥାକଥିତ ଶ୍ରମିକମାନଙ୍କୁ ହିଁ ଆଲୋଚନା ମଧ୍ୟକୁ ଆଣିଥିଲେ । ଗାଆଁ ବିଷୟରେ ତାଙ୍କର କୌଣସି ବ୍ୟାଖ୍ୟାନ ନଥିଲା ଓ ସେମାନଙ୍କ ସମ୍ବନ୍ଧରେ ସିଏ ପ୍ରାୟ କିଛି ଲେଖିନଥିଲେ ।

 

କିନ୍ତୁ ଯାହାର ନିଜର ବୋଲି କହିବାକୁ ଘରଡିହ ଖଣ୍ଡେ ନାହିଁ, ଯିଏ ଅନ୍ୟର ଜାଗାରେ ରହିଛି, ପୁରୁଷାନୁକ୍ରମେ ରହିଛି, ପୁରୁଷାନୁକ୍ରମେ ରହିବାକୁ ହିଁ ହୁଏତ ସ୍ୱାଭାବିକ ନିୟତି ବୋଲି ସ୍ୱୀକାର କରିନେଇଛି, ତା’ ସହିତ ଅନୁଧ୍ୟାନଗତ କିଞ୍ଚତ୍‌ ଘନିଷ୍ଠତା ଘଟିଥିଲେ ମାର୍କ୍‌ସ୍‌ ସେମାନଙ୍କୁ ମଧ୍ୟ ପ୍ରୋଲେଟରିଆଟ୍‌ ବୋଲି କହିଥାନ୍ତେ । ସେହି ସର୍ବହରାମାନଙ୍କର ପ୍ରକୃତରେ କୌଣସି ଦେଶ ନାହିଁ ବୋଲି କାର୍ଲ୍‌ ମାର୍କ୍‌ସ୍‌ କହିଥିଲେ । ତାହାର ଅର୍ଥ ହେଉଛି, ଯେଉଁ ଦେଶ ତାର ଦଶଭାଗରୁ ଭାଗେ ମଣିଷଙ୍କୁ ସେମାନଙ୍କର ନିଜର ବୋଲି କହିବାକୁ ଖଣ୍ଡେ ଘରଡିହର ସଂସ୍ଥାନ ବି କରିଦେଇ ପାରିନାହିଁ, ସେହି ଦେଶକୁ ସେହି ବଞ୍ଚିତ ବିସ୍ମୃତ ମଣିଷମାନେ ଆପଣାର ଦେଶ ବୋଲି କହିବାଲାଗି ଭିତରୁ ଆଦୌ କୌଣସି ପ୍ରେରଣା କେବେହେଲେ ଅନୁଭବ କରିବେ ନାହିଁ । ଅର୍ଥାତ୍‌ ବିଗତ ତିରିଶିବର୍ଷ ମଧ୍ୟରେ ଆମ ଦେଶରେ ଏକ କୋଟିରୁ ଅଧିକ ଲୋକଙ୍କର ଏହି ଦେଶକୁ ନିଜର ବୋଲି କହିବାକୁ କୌଣସି ଉଚିତ ପରିବେଶ ଭିତରେ ନଥିଲା । ସେମାନେ ଆମ ଅନ୍ୟମାନଙ୍କ ସହିତ ଏହି ଦେଶରେ ଥିଲେ, ମୁଣ୍ଡ ସୁମାରିରେ ରହିଥିଲେ ସତ, ମାତ୍ର ସେମାନେ ଆମ ସାଙ୍ଗରେ ନଥିଲେ । ଆମ ଜାତୀୟ ଉଦ୍ୟମରେ ନଥିଲେ, ଜାତୀୟ ଆକାଙ୍‌କ୍ଷାଗୁଡ଼ିକ ମଧ୍ୟରେ ନଥିଲେ, ଜାତୀୟ ଯୋଜନାଗୁଡ଼ିକ ଏମାନଙ୍କର ଜୀବନକୁ ପ୍ରାୟ ସ୍ପର୍ଶ କରିନଥିଲା । ଗୋଷ୍ଠୀ ବିକାଶ ଯୋଜନା ଦ୍ୱାରା ଆମ ଦେଶର ଏକ ଷଷ୍ଠାଂଶ ମଣିଷ ପ୍ରାୟ କୌଣସି ପ୍ରକାରରେ ଉପକୃତ ହୋଇନାହାନ୍ତି ବୋଲି ବେଶ୍‌ କେତେବର୍ଷ ତଳେ ଭାରତ ସରକାରଙ୍କ ଦ୍ୱାରା ନିଯୁକ୍ତ ଏକ ଅନୁଧ୍ୟାନ କମିଟି ଯେଉଁ ରିପୋର୍ଟ ଦେଇଥିଲେ ଏବଂ ଯୋଜନା ସହିତ ସଂଶ୍ଳିଷ୍ଟ ଆମ ଅନେକଙ୍କୁ ବିସ୍ମିତ କରିଦେଇଥିଲେ, ଆଲୋଚିତ ଏକ କୋଟି ମଣିଷ ହୁଏତ ସେହି ଏକ ଷଷ୍ଠାଂଶଙ୍କ ମଧ୍ୟରେ ରହିବେ । ଆମେ ଏମାନଙ୍କ କଥା ଭାରତୀୟ ଅର୍ଥନୀତିର ପାଠ୍ୟ ପୁସ୍ତକମାନଙ୍କରେ ପଢ଼ୁଥିଲୁ । କିନ୍ତୁ ଆମ ଦେଶର ପାଠ ଏମାନଙ୍କ ଲାଗି ପ୍ରାୟ କିଛି ହେଲେ କରିପାରିନଥିଲା । ଏମାନେ ଆମ ଦେଶର କୃଷିକ୍ଷେତ୍ରରେ କାମ କରୁଥିଲେ । ଆମ ଦେଶରେ ଭୂମିର ଯେଉଁ ମାଲିକମାନେ ନାନା କାରଣରୁ ସ୍ୱୟଂ ଭୂମିରେ କାର୍ଯ୍ୟ କରନ୍ତି ନାହିଁ, ସେହିସବୁ ଭୂମିରେ ଏମାନେ ମୂଲିଆ ହୋଇ ରହିଥିଲେ । ମାତ୍ର ଅନିକେତ ହୋଇ ରହିଥିଲେ ।

 

ଦେଶର ଅର୍ଥନୀତି ଏହିମାନଙ୍କୁ ସ୍ପର୍ଶ ନ କରିଥିବା ପର୍ଯ୍ୟନ୍ତ ଆମ ଅର୍ଥନୀତି ଏଠି ବାସ କରୁଥିବା ସବୁ ମଣିଷଙ୍କ ସକାଶେ ଉଦ୍ଦିଷ୍ଟ ବୋଲି ଆମେ କଦାପି କହିପାରନ୍ତେ ନାହିଁ । ଏହି ଦେଶଟା ମଧ୍ୟ ସମସ୍ତଙ୍କର ବୋଲି କହିବାକୁ ଆମଲାଗି ଆଉ ଖୁବ୍‌ ବେଶୀ ଔଚିତ୍ୟ ନଥାନ୍ତା । ତେଣୁ ଏହାରି ମଧ୍ୟରେ ଯେଉଁ କେତେ ଲକ୍ଷ ପରିବାର ଅର୍ଥାତ୍‌ ମଣିଷ ଘରଡିହ ପାଇଲେ, ସେମାନେ ପ୍ରକୃତରେ ଏଥର ଘରକୁ ଆସିଲେ ବୋଲି କୁହାଯାଇପାରିବ । ସେମାନେ ଏପର୍ଯ୍ୟନ୍ତ କେବଳ ମୂଲିଆ ହୋଇ ରହିଥିଲେ, ଶରୀରର ଶ୍ରମକୁ ବିକି ପେଟ ପୋଷୁଥିଲେ; ସେମାନେ ଏଣିକି ନାଗରିକ ହେବେ । କ୍ରମେ ଏହି ଦେଶଟିକୁ ମଧ୍ୟ ନିଜର ଘର ବୋଲି ମନେକରିବେ । ଏହି ଦେଶର ଶ୍ରମ ପରି ଏହି ଦେଶର ଗୌରବ ମଧ୍ୟରେ ବି ସେମାନଙ୍କର ଭାଗ ରହିବ । ଏହି ଦେଶରେ ନିଶ୍ଚିତ ହୋଇ ସେମାନେ ଆପଣାର ଭବିଷ୍ୟତ ବିଷୟରେ ଚିନ୍ତା କରିପାରିବେ ।

 

ଯେଉଁମାନେ କ୍ଷେତରେ କାର୍ଯ୍ୟ କରୁଛନ୍ତି, ଆମେ ଯେଉଁମାନଙ୍କୁ ମୂଲିଆ ବୋଲି କହୁଛୁ, ଏକ ସାମାଜିକ ନ୍ୟାୟବ୍ୟବସ୍ଥା ଅନୁସାରେ ସେହିମାନେ ହିଁ ଅବଶେଷରେ କ୍ଷେତର ମାଲିକ ହେବେ-। ଅର୍ଥାତ୍‌ ନିଜର ସଂସାରଟିକୁ ନିଜେ ଫଳାଇବାର ସୁଯୋଗ ପାଇବେ, ଅଥଚ, ଅନ୍ୟ ପ୍ରକାରେ କହିଲେ, ଯେଉଁଠି କେବଳ ମୂଲିଆ ହୋଇ ସେମାନେ ଫଳତକ ଫଳାଇ ଆସିଛନ୍ତି, କ୍ରମେ ସେମାନେ ତାହାକୁ ନିଜର ସଂସାର ବୋଲି ଅନୁଭବ କରିବାର ସୁଯୋଗ ପାଇବେ ଏବଂ ଯେଉଁ ଦେଶର ଭାଗ୍ୟ ସହିତ ସେମାନଙ୍କର ସଂସାରଟି ଘନିଷ୍ଠ ଭାବରେ ସଂଯୁକ୍ତ ହୋଇ ରହିଛି, ତାହାକୁ ମଧ୍ୟ ନିଜର ଦେଶ ବୋଲି ଜାଣିବାର ଅବସର ଲାଭ କରିବେ ।

 

ସାମାଜିକ ପରିବର୍ତ୍ତନ ଦ୍ୱାରା ଯେ ରାଜନୀତିକ ପରିବର୍ତ୍ତନ ଯଥାର୍ଥ ପରିପୂର୍ଣ୍ଣତା ଲାଭ କରେ, ଇଏ ମଧ୍ୟ ତାର ଆଉଗୋଟିଏ ଦୃଷ୍ଟାନ୍ତ ।

 

ତା ୦୬.୦୬.୧୯୭୬ ରିଖ

Image

 

ଶିକ୍ଷାକ୍ଷେତ୍ରରେ ତାରତମ୍ୟ

 

ଶିକ୍ଷାକ୍ଷେତ୍ରରେ କୌଣସି ତାରତମ୍ୟ ରହିବା ଉଚିତ ନୁହେଁ; ଏଇଟି ହେଉଛି ଶିକ୍ଷାଶାସ୍ତ୍ରର କଥା, ଶିକ୍ଷାଦର୍ଶନର କଥା । ଏଇଟି ଗୋଟିଏ ଉଚିତ କଥା । ଆମ ଦେଶରେ ଯେଉଁଠି ଏକ ପୁରୁଣା ଅବ୍ୟବସ୍ଥାକୁ ଏପର୍ଯ୍ୟନ୍ତ ଘୋଷାରି ନିଆଯାଇ ଆସିଛି, ନୂଆ ଶିକ୍ଷା ବିଷୟରେ ଗୋଛାଏ ଗୋଛାଏ କଥା କୁହାଯାଇଥିଲେ ମଧ୍ୟ ସେହି ଦିଗରେ ସାହସ ଥିଲାଭଳି ପ୍ରାୟ କିଛିହେଲେ କରାଯାଇନାହିଁ, ସେଠାରେ ଶିକ୍ଷାର ନାମରେ ଓ ଏପରିକି ଶିକ୍ଷାର ଦ୍ୱାହି ଦେଇ ଗୁଡ଼ାଏ ତାରତମ୍ୟକୁ ଯେ କେବଳ ପୋଷଣ ଦିଆଯାଇ ଆସିଥିବ, ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ-

 

ଶିକ୍ଷାରେ ନାନାପ୍ରକାର ତାରତମ୍ୟ ସୃଷ୍ଟି ହେବାର ବା ସୃଷ୍ଟି କରାଯିବାର ସମ୍ଭାବନା ରହିଛି, ମାତ୍ର ପଇସା ସହିତ ଶିକ୍ଷାଲାଭର ସୁଯୋଗକୁ ନାନା ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଉପାୟରେ ଯୋଡ଼ି ଏହି କ୍ଷେତ୍ରରେ ଯେଉଁ ତାରତମ୍ୟଗୁଡ଼ାକୁ ସୃଷ୍ଟି କରାଯାଏ, ତାହାକୁ ଆମେ ତୁଳନାତ୍ମକ ଭାବରେ ନିକୃଷ୍ଟତମ ବୋଲି କହିବା । ଏବଂ ପୃଥିବୀର ଅଧିକାଂଶ ବିକାଶଶୀଳ ଦେଶରେ ଆମେ ସେହି ତାରତମ୍ୟଟାକୁ ହିଁ ସବୁଠାରୁ ଅଧିକ ପରିମାଣରେ ଦେଖିବାକୁ ପାଇବା । ଏହାଦ୍ୱାରା ନାନାବିଧ କ୍ଷତି ହେଉଛି । ଶିକ୍ଷାର ମାନ ତଳକୁ ତଳକୁ ଯାଉଛି, ଅଳ୍ପସଂଖ୍ୟକ ଶିକ୍ଷିତବର୍ଗ ବହୁସଂଖ୍ୟକ ଶିକ୍ଷାବଞ୍ଚିତଙ୍କଠାରୁ ଅଲଗା ହୋଇ ରହିଯାଉଛନ୍ତି । ଶିକ୍ଷାର ଆୟତନ ଭିତରେ ପଇସାର କରାମତି-ଖେଳ ପଶି ତାହାକୁ ଅତିଶୟ ଦୂଷିତ କରିପକାଉଛି ଏବଂ ଅନେକ କ୍ଷେତ୍ରରେ ଦେଶନିର୍ମାଣର ଦାୟିତ୍ୱ ତଥା ନେତୃତ୍ୱ ଦେଶର ଯୋଗ୍ୟତମମାନଙ୍କର ହାତରେ ରହିବାର ସୁଯୋଗରୁ ବଞ୍ଚିତ ହୋଇ ରହୁଛି । ଏବଂ ଗଣତନ୍ତ୍ର, ଅର୍ଥାତ୍‌ ଦେଶର ଶାସନରେ ଅଧିକରୁ ଅଧିକ ମଣିଷଙ୍କର ସକ୍ରିୟ ଅଂଶଗ୍ରହଣକୁ ଯଦି ଗଣତନ୍ତ୍ର ବୋଲି କୁହାଯାଏ, ଶିକ୍ଷାରେ ମନୁଷ୍ୟକୃତ ନାନା ତାରତମ୍ୟ ରହିବା ଫଳରେ ସେହି ଗଣତନ୍ତ୍ରର ବିବର୍ତ୍ତନଟି ମଧ୍ୟ ପ୍ରାୟ ଅଭିସନ୍ଧିମୂଳକ ଭାବରେ ଅନେକ ପ୍ରକାରେ ବାଧାପ୍ରାପ୍ତ ହେଉଛି ।

 

ଅସଲ ଶିକ୍ଷା ପଇସାକୁ ମାନଦଣ୍ଡ ବୋଲି ଗ୍ରହଣ ନକରି ପ୍ରତିଭାକୁ ହିଁ ଅସଲ ମାନଦଣ୍ଡ ବୋଲି ଗ୍ରହଣ କଲେ । ଏବଂ ତେଣୁ ତାହା ଶିକ୍ଷାକୁ ଏକ ଧର୍ମକାର୍ଯ୍ୟ ବୋଲି ଗ୍ରହଣ ନକରି ଏକ ବିଜ୍ଞାନ ବୋଲି ଗ୍ରହଣ କରେ । ରାଜନୀତିର ପରିଭାଷାରେ କହିଲେ ତାହା ପ୍ରତ୍ୟେକ ନାଗରିକର ଏକ ଅଧିକାର ହିସାବରେ ହିଁ ଆପଣାକୁ ଅନୁକୂଳିତ କରି ରଖିବାକୁ ଚେଷ୍ଟାକରେ । ସେଠାରେ ସହର ଆଉ ଗାଆଁ ଭିତରେ କୌଣସି ତାରତମ୍ୟ ରଖାଯାଏ ନାହିଁ । ଗରିବ ଘରର ପିଲା ଓ ଧନୀଘରର ପିଲା ମଧ୍ୟରେ ବି ତାରତମ୍ୟ ରଖାଯାଏ ନାହିଁ, ସଂଖ୍ୟାଲଘୁ ଓ ସଂଖ୍ୟାଗରିଷ୍ଠ ମଧ୍ୟରେ ତାରତମ୍ୟ ରଖାଯାଏ ନାହିଁ କିମ୍ୱା ତଫସିଲଭୁକ୍ତ କିମ୍ୱା ତଫସିଲ ବାହାରର ମଣିଷମାନଙ୍କ ମଧ୍ୟରେ କୌଣସି ତାରତମ୍ୟ ରଖାଯାଏ ନାହିଁ । ଆମ ଦେଶପରି ସେଠି କେତେ ପିଲାଙ୍କୁ ଦେଶର ସର୍ବୋଚ୍ଚ ଚାକିରିମାନ ପାଇପାରିବା ଲାଗି ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ କରାଯାଏ ନାହିଁ, ଗୋଟିଏ ବିଦେଶୀ ଭାଷାକୁ ଭଲକରି ଜାଣିଲେ ହିଁ ଜଣେ ଅଧିକ ଯୋଗ୍ୟ ହୋଇଗଲା ବୋଲି କଦାପି କୌଣସି ଅନ୍ଧବିଶ୍ୱାସକୁ ପ୍ରଶ୍ରୟ ଦିଆଯାଏ ନାହିଁ । ନିଜର ଭାଷାକୁ ସାନ ଭାବି ବିଦେଶୀ ଅନ୍ୟ କୌଣସି ଭାଷାରେ ହାକିମୀ କରିବାକୁ ଯେକୌଣସି ସଭ୍ୟ ଚଳଣି ଅନୁସାରେ କେବଳ ବର୍ବରତା ବୋଲି କୁହାଯିବା କଥା; ମାତ୍ର ଆମର ଏଠି ତାରତମ୍ୟଟା ହିଁ ଭୂଷଣ ହୋଇଥିବାରୁ ସେଇଟାକୁ ହିଁ ଅଧିକ ବାହାଦୂରୀ ବୋଲି ସ୍ୱୀକୃତି ମିଳିଥାଏ ।

 

ଆମ ଦେଶର ସମାଜ ହେଉଛି ପାରମ୍ପରିକ ଭାବରେ ନାନା ପ୍ରକାର ତାରତମ୍ୟକୁ ପ୍ରାୟ ଏକ ସ୍ୱୀକୃତି ଦେଇଆସିଥିବା ସମାଜ । ଆମ ଆଚରିତ ଧର୍ମଗୁଡ଼ାକରେ ମଧ୍ୟ ପ୍ରାୟ ଏକ ନିୟମ ହିସାବରେ ଭାଗ୍ୟ, କର୍ମ ପ୍ରଭୃତି ନାନା ଭିଆଣ କରାହୋଇ ସେହି ତାରତମ୍ୟଗୁଡ଼ାକୁ ଦୋରସ୍ତ କରି ରଖିବାର ପରାମର୍ଶ ଦିଆଯାଇଛି । ସମ୍ଭବତଃ ସେହି ତାରତମ୍ୟଗୁଡ଼ାକୁ ପ୍ରତିଷ୍ଠିତ କରି ରଖିବାଲାଗି ହିଁ ମଣିଷର ଜୀବନଗତ ଦଶା ଓ ଦୁର୍ଦ୍ଦଶାକୁ ଗ୍ରହନକ୍ଷତ୍ରମାନଙ୍କର କୋପ ଏବଂ ଶାନ୍ତି ସହିତ ନେଇ ଯୋଡ଼ି ଦିଆଯାଇଛି । ମଣିଷ ଯେ ନିଜର ଭାଗ୍ୟକୁ ନିଜେ ଗଢ଼ିପାରିବ ଓ ସେହି ସୁଯୋଗଟି ତା’ର ପ୍ରତିଭା, ଯୋଗ୍ୟତା ଅନୁସାରେ ତାକୁ ତା’ର ସମାଜରେ ଅବଶ୍ୟ ମିଳିବ, ଆମର ଶାସ୍ତ୍ରକାର ଏବଂ ଭାଗ୍ୟକାରମାନେ ସେହି କଥାଟିକୁ ମଣିଷଠାରୁ ଏଠି ସତେ ଅବା ଲୁଚାଇକରି ରଖିଛନ୍ତି ।

 

ମଣିଷକୁ ଆମେ ମୂଳତଃ ମଣିଷ ବୋଲି ଯେତିକି ଅଧିକ ପରିମାଣରେ ସ୍ୱୀକାର କରିବାକୁ ସମର୍ଥ ହେଉଥିବା, ଆମର ଏହି ଦେଶ ଓ ସମାଜଟିକୁ ଆମେ ମଣିଷର ଅନୁକୂଳ କରି ଗଢ଼ିବା ଲାଗି ଯେତିକି ମନ କରୁଥିବା, ଆମର ଚାରିପାଖରେ ରହିଥିବା ନିର୍ମମ ତାରତମ୍ୟଗୁଡ଼ାକ ଆମକୁ ସେତିକି ସେତିକି ଅସହ୍ୟ ବୋଧ ହେଉଥିବ ଏବଂ ଆମକୁ ଯାହା ଅସହ୍ୟ ବୋଧ ହେବ, ଆମ ସମାଜରୁ ତା’ର ଚାଲିଯିବାର ହିଁ ବେଳ ଆସି ପହଞ୍ଚିବ । ଶିକ୍ଷା କ୍ଷେତ୍ରରେ ଆମେ ତାରତମ୍ୟଗୁଡ଼ାକୁ ଇଚ୍ଛାକରି ଆସିଥିଲୁ ଏବଂ ସେହି କାରଣରୁ ହିଁ ସେଗୁଡ଼ାକ ଆମକୁ ଏପରି ଅସହାୟ ଭାବରେ ଘେରି ରହିଥିଲା । ଏଗୁଡ଼ାକ ବଦଳିଯିବା ଉଚିତ ବୋଲି ଆମେ କହୁଥିଲୁ, ସ୍ୱପ୍ନ ଦେଖୁଥିଲୁ ଏବଂ ଭାବପ୍ରବଣ ହୋଇ ଭାବୁଥିଲୁ । ମାତ୍ର ଆଗକୁ ପାଦେ ହେଲେ ଗୋଡ଼ ପକାଇବାକୁ ପ୍ରସ୍ତୁତ ନଥିଲୁ । ଆମରି ଆଖିଆଗରେ ଏଠାରେ ବାଇଶି ପାହାଚରେ ବାଇଶି ପ୍ରକାରର ଶିକ୍ଷା ଦିଆଯାଉଥିଲା, ବାଇଶି ପ୍ରକାରର ବାବୁ ତିଆରି ହେଉଥିଲେ ।

 

ଏଗୁଡ଼ାକ ଆଉ ରହିବ ନାହିଁ । ମଣିଷ ହିଁ ରହିବ । ଏ ପାହାଚଗୁଡ଼ାକ ରହିବ ନାହିଁ, ଦେଶ ରହିବ ଓ ଜାତି ରହିବ । ଦୟା ଦେଖାଉଥିବା କିମ୍ୱା ଦୟାକୁ ଅପେକ୍ଷା କରିଥିବା ଲୋକେ ମଧ୍ୟ ରହିବେ ନାହିଁ, ବିଜ୍ଞାନ ରହିବ । ତେବେଯାଇ ପରିବର୍ତ୍ତନ ହେଲାଭଳି ପରିବର୍ତ୍ତନ ଆସିବ, ଗୋଟିଏ ନୂଆ ସମାଜର ମୂଳଦୁଆ ପଡ଼ିବ ।

 

ତା ୦୭.୦୬.୧୯୭୬ ରିଖ

Image

 

ସବୁଠାରୁ ବଡ଼ ସମସ୍ୟା

 

ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧିଙ୍କ ମତରେ ଏସିଆ ମହାଦେଶର ସବୁଠାରୁ ବଡ଼ ସମସ୍ୟା ହେଉଛି ଦୁଇଟି-ଅନଗ୍ରସରତାର ସମସ୍ୟା ଓ ସାମାଜିକ ନ୍ୟାୟର ସମସ୍ୟା । ଦୁଇଟିଯାକକୁ ଆମେ ଆଦୌ ନିରାପଦ ଭାବରେ ମୂଳତଃ ଗୋଟିଏ ସମସ୍ୟା ବୋଲି କହିପାରିବା ନାହିଁ । କାରଣ ପୃଥିବୀରେ ଏପରି ଅନେକ ଦେଶ ଅଛନ୍ତି, ଯେଉଁଠାରେ କି ରାଜନୀତିକ ଓ ଆର୍ଥିକ କ୍ଷେତ୍ରରେ ଯଥେଷ୍ଟ ପରିମାଣରେ ଏକ ଅଗ୍ରସରତା ସମ୍ଭବ ହୋଇ ପାରିଛି ସତ, ମାତ୍ର ସାମାଜିକ ନ୍ୟାୟର ପ୍ରତିଷ୍ଠା ହୋଇ ପାରିନାହିଁ ଏବଂ କୌଣସି ଅନଗ୍ରସର ଦେଶରେ ଯଥାର୍ଥ ସାମାଜିକ ନ୍ୟାୟକୁ ସମ୍ଭବ କରିପାରିବା, ଅନ୍ତତଃ ଆଧୁନିକ ଯୁଗରେ ଆମେ ଏହାକୁ ଆଦୌ ସମ୍ଭବ ବୋଲି କହିପାରିବା ନାହିଁ-

ଏସିଆ ମହାଦେଶର ପ୍ରଥମ ବଡ଼ ସମସ୍ୟା ହେଉଛି ଅନଗ୍ରସରତା, ଉଭୟ ରାଜନୀତିକ ଅନଗ୍ରସରତା ଏବଂ ଆର୍ଥିକ ଅନଗ୍ରସରତା । ଏହି ଦୁଇ ଅନଗ୍ରସରତା ମଧ୍ୟରୁ କୋଉଟି ଆଗ ଓ କୋଉଟି ପଛ, ସେଇ ବିଷୟରେ ସିଦ୍ଧାନ୍ତବାଦୀମାନଙ୍କ ମଧ୍ୟରେ ନିଶ୍ଚୟ ଅନେକ ମତଭେଦ ରହିଛି-। କୋଉଟି ଆଗ ଆସିଲେ ଆରଟି ତା’ର ଫଳସ୍ୱରୂପ ଆସେ, ଏଇ ବିଷୟରେ ବିଚାରଗତ ପାର୍ଥକ୍ୟ ଅନୁସାରେ ପୃଥିବୀର ବିଭିନ୍ନ ଦେଶରେ ସାମାଜିକ ବିପ୍ଳବ ବିଭିନ୍ନ ରୀତି ଓ ବିଭିନ୍ନ ଭେକ ଗ୍ରହଣ କରିଛି । ହୁଏତ ସତ କଥା ହେଉଛି ଯେ ଗୋଟିଏ କ୍ଷେତ୍ରରେ କୌଣସି ସୁସ୍ଥ ପରିବର୍ତ୍ତନ ଏବଂ ଅଗ୍ରସରତା ଘଟିଲେ ତାହା ଅନ୍ୟଟି ଲାଗି ମଧ୍ୟ ବାଟ ଫିଟାଇଡ଼ିଏ । ଏସିଆ ମହାଦେଶର ଅଧିକାଂଶ ଦେଶ ରାଜନୀତିକ ତଥା ଆର୍ଥିକ ଉଭୟ ଦିଗରୁ ଅନଗ୍ରସର ହୋଇ ରହିଛନ୍ତି । ରାଜନୀତିକ ସ୍ୱାଧୀନତା ହାସଲ କରିବା ପରେ ଗୋଟିଏ ଦେଶର ରାଜନୀତିକ ବିବର୍ତ୍ତନ ଯେଉଁପରି ଧାରା ତଥା ଗତିରେ ହେବା ଉଚିତ, ତାହା ହୋଇ ପାରିନାହିଁ । ପୁରୁଣା ଅମଳର ସେହି ସେଖ୍‌, ନବାବ ଓ ଅମୀରମାନେ ଏବେ ବି ଅଛନ୍ତି, ଲୋକଶକ୍ତିର ଚେତନା ଏବେବି ଏକ ଚେତନା ବୋଲି ଅନୁଭୂତ ହୋଇନାହିଁ । ଜାତୀୟତା କହିଲେ ଏକ ପାରସ୍ପରିକତାକୁ ନ ବୁଝାଇ ଧର୍ମ, ଉଗ୍ରତା ଏବଂ ସ୍ଥାନୀୟତାର କେତେଟା ସଂକୀର୍ଣ୍ଣ ଭାବପ୍ରବଣତାକୁ ହିଁ ବୁଝାଉଛି । ଏବଂ ଯେଉଁ ରାଜନୀତିକ ପରିପକ୍ୱତା ଆସିଲେ କୌଣସି ଦେଶର ରାଜନୀତିକ ନେତୃତ୍ୱ ଆପଣା ଦେଶର ଜନଭାଗ୍ୟ ଏବଂ ଆପଣା ଭୂମିର ନିଜସ୍ୱତାକୁ ସମ୍ମାନ ଦୃଷ୍ଟିରେ ଦେଖିବାକୁ ସମର୍ଥ ହୁଏ, ସେହି ପରିପକ୍ୱତା ଏସିଆର ଅନେକ ଦେଶରେ ଏପର୍ଯ୍ୟନ୍ତ ଆସିନାହିଁ । ସେହି କାରଣରୁ ସେହିସବୁ ଦେଶ ପୃଥିବୀର ବୃହତ୍‌ ଶକ୍ତିମାନଙ୍କର କ୍ରୀଡ଼ନକ ହୋଇ ରହିଛନ୍ତି । ବାହାରୁ ଧନ ଓ ଅସ୍ତ୍ର ଆଣି ବଡ଼ ଅପରିପକ୍ୱ ଭାବରେ ପରସ୍ପର ସହିତ ଲଢ଼ିବାରେ ଲାଗିଛନ୍ତି । ମଧ୍ୟପ୍ରାଚ୍ୟର ସମସ୍ୟାଟି ହିଁ ସମଗ୍ରତଃ ଏହିଭଳି ଏକ ଅପରିପକ୍ୱତାର ସମସ୍ୟା ଏବଂ ଦକ୍ଷିଣପୂର୍ବ ଏସିଆର କେତୋଟି ଦେଶ ଅନେକ ବର୍ଷ ପରେ ନିଜର ଏହି ଅପରିପକ୍ୱତା ଦିଗରେ ସଚେତନ ହୋଇ ଅନ୍ୟ ଦିଗରେ ଭାବିବାକୁ ଆରମ୍ଭ କରୁଛନ୍ତି ।

ରାଜନୀତିକ ଅପରିପକ୍ୱତା ହେତୁ ଆର୍ଥିକ ଅନଗ୍ରସରତା ଆହୁରି ଉତ୍କଟ ହୋଇ ରହିଛି । ରାଷ୍ଟ୍ରୀୟ ରାଜନୀତିର ସ୍ତରରେ ଜୟଚନ୍ଦ୍ର ଓ ପୃଥ୍ୱୀରାଜମାନେ ସିଂହାସନ ଲାଗି ଯୁଦ୍ଧରତ ହୋଇ ରହିଥିବାରୁ ଜ୍ଞାନ ଓ ବିଜ୍ଞାନ ମଣିଷର କାମରେ ଆଦୌ ଲାଗି ପାରୁନାହିଁ । ମଣିଷର ବୁଦ୍ଧିଗୁଡ଼ାକ ମଧ୍ୟ ଅଧିକ ଜ୍ଞାନ ଓ ଅଧିକ ବିଜ୍ଞାନର କୌଣସି ସୁସ୍ଥ ଓ ଲୋକହିତକର ପ୍ରେରଣାରେ ଲଗାହୋଇ ପାରୁନାହିଁ । ଆରବ ଭୂଖଣ୍ଡର ଦେଇ ପଇସାରେ ଇଂଲଣ୍ଡରେ ଜମି କିଣା ହେଉଛି ଓ ଆମେରିକାରୁ ଡାକ୍ତର ଅଣାହୋଇ ଅନାବଶ୍ୟକ ଅମୀରମାନଙ୍କର ଚିକିତ୍ସା କରାଯାଉଛି ସିନା, ମାତ୍ର ମରୁଭୂମି ମରୁଭୂମି ହୋଇ ରହିଛି, ମରୁଭୂମିର ଯାଯାବର ସେହିପରି ଯାଯାବର ହୋଇ ରହିଛି । ଏସିଆ ମହାଦେଶର ରାଜନୀତି ଏସିଆର କୋଟି କୋଟି ସାଧାରଣ ଲୋକଙ୍କୁ ଏହି ବିଂଶ ଶତାଦ୍ଦୀରେ ମଧ୍ୟ ଅଶିକ୍ଷା, ଅନ୍ଧତା, ଦାରିଦ୍ର୍ୟ, ରୁଗ୍‌ଣତା ଏବଂ ଆଳସ୍ୟ ମଧ୍ୟରେ ନାନାପ୍ରକାରେ ବଡ଼ ଅସହାୟ କରି ରଖିଛି ।

ସାମାଜିକ ନ୍ୟାୟର ସମସ୍ୟା ଏସିଆର ଦ୍ୱିତୀୟ ବଡ଼ ସମସ୍ୟା । ସାମାଜିକ ନ୍ୟାୟର ଅର୍ଥ ହେଉଛି ଯେକୌଣସି ଦେଶରେ ଦେଶ କହିଲେ ଦେଶରେ ବାସକରୁଥିବା ସମସ୍ତଙ୍କୁ ବୁଝାଇବ-। ଜାତୀୟ କର୍ତ୍ତବ୍ୟ ଏବଂ ଜାତୀୟ ଅଧିକାର କହିଲେ ସମସ୍ତଙ୍କର କର୍ତ୍ତବ୍ୟ ଓ ଅଧିକାରକୁ ବୁଝାଇବ-। ଦେଶର ଆଇନ ସମସ୍ତଙ୍କ ଲାଗି ସମାନ ଭାବରେ ପ୍ରଯୁଜ୍ୟ ହେବ, ଅର୍ଥାତ୍‌ ତାହା ସମସ୍ତଙ୍କର ରକ୍ଷା କରିବ । ଦେଶର ଶିକ୍ଷାବ୍ୟବସ୍ଥା, ଦେଶର ସମୃଦ୍ଧି ତଥା ଆଧୁନିକତା ଦିଗରେ ଦେଶର ଯାବତୀୟ ପଦକ୍ଷେପ ସମସ୍ତଙ୍କ ଲାଗି ହିଁ ଅଭିପ୍ରେତ ହୋଇ ରହିବ । ଶ୍ରେଣୀ ଶ୍ରେଣୀ ମଧ୍ୟରେ ଶୋଷଣ ରହିବନାହିଁ ଓ ବ୍ୟକ୍ତି ବ୍ୟକ୍ତିକୁ ଶୋଷଣ କରୁନଥିବ । ପୃଥିବୀର ଅନ୍ୟ ଅନେକ ଦେଶରେ ଏହିଗୁଡ଼ିକର ପ୍ରତିଷ୍ଠା ଲାଗି ବଡ଼ ବିପ୍ଳବମାନ ହୋଇଛି । ଏସିଆ ଉପରେ ବର୍ତ୍ତମାନ ଠିକ୍‌ ସେହି ବିପ୍ଳବର ତରବାରୀଟି ଝୁଲୁଛି । ଏଠି ଏସିଆରେ ଆମେ ଇଉରୋପର ପୁନରାବୃତ୍ତି କରିବା ନା ଅଭିଳଷିତ ଯାବତୀୟ ପରିବର୍ତ୍ତନ ଲାଗି ଆପଣାର ଏକ ସ୍ୱକୀୟ ମାର୍ଗ ବାହାର କରିବା ? ଅନଗ୍ରସରତା ଓ ଅନ୍ୟାୟ ସ୍ଥାନରେ ସମ୍ମୁଖଦୃଷ୍ଟି ଏବଂ ସାମାଜିକ ନ୍ୟାୟର ପ୍ରତିଷ୍ଠା କରିବା ଲାଗି ଆମେ ଏସିଆରେ ଏକ ସ୍ୱକୀୟ ପରିପକ୍ୱତାର ପରିଚୟ ଦେଇପାରିବା କି ? ତାହାହିଁ ସମସ୍ୟା । ପ୍ରଧାନମନ୍ତ୍ରୀ ଶ୍ରୀମତୀ ଗାନ୍ଧିଙ୍କର ଉକ୍ତି ଆମକୁ ସେହି ସମସ୍ୟାଟି ବିଷୟରେ ମଧ୍ୟ ଯଥେଷ୍ଟ ସଚେତନ କରି ଦେଇଯିବା ଉଚିତ ।

ତା ୧୬.୦୬.୧୯୭୬ ରିଖ

Image

 

ଅଣଆୟତ୍ତ ଲେବାନନ୍‌

 

ଲେବାନନ୍‌ର ପରିସ୍ଥିତି ସତେଅବା ଆଉ କାହାରି ଆୟତ୍ତ ଭିତରେ ରହିଥିଲା ପରି ମନେ ହେଉନାହିଁ । ଲେବାନନ୍‌ର ପରିସ୍ଥିତି ଯେ ସେହି ଦେଶର ରାଜନୀତିକ ନେତାମାନଙ୍କ ହାତରେ ନଥିଲା, ସେକଥା ଅନେକ ଦିନରୁ ଜଣାପଡ଼ିଯାଇଥିଲା । ରାଜନୀତିକ ନେତାମାନେ ସେଠାରେ ବହୁଦିନ ହେଲା କେବଳ ପରସ୍ପର ମଧ୍ୟରେ ଝଗଡ଼ା ହିଁ କରିଆସିଛନ୍ତି । ଦେଶର ଶାସନ ଭିତରେ କିଏ କେତେ ପର୍ଯ୍ୟନ୍ତ ଭାଗ ପାଇବ ବା ନ ପାଇବ, ବହୁବର୍ଷ ହେଲା ସତେଅବା ତାହାହିଁ ସେଠାରେ ରାଜନୀତିକ ପ୍ରତିଦ୍ୱନ୍ଦ୍ୱିତା ଓ ରାଜନୀତିକ ଅକଲର ସର୍ବପ୍ରଧାନ ବିଚାର୍ଯ୍ୟ ହୋଇ ରହିଆସିଛି । ପୁଣି ଆହୁରି ଦୁର୍ଭାଗ୍ୟର କଥା ଯେ ସେହି ରାଜନୀତି କୌଣସି ରାଜନୀତିକ କିମ୍ୱା ସାମାଜିକ ବିଚାର ଉପରେ ନୁହେଁ, ମାତ୍ର ସାଂପ୍ରଦାୟିକତା ଓ ଧର୍ମଗତ ଗୋଷ୍ଠୀଭାବ ଉପରେ ପ୍ରତିଷ୍ଠିତ ହୋଇରହିଛି ।

 

ସିରିଆର ସୈନ୍ୟମାନେ ଲେବାନନ୍‌ର ଦକ୍ଷିଣଆଡ଼ୁ ମାଡ଼ିଆସି ଲେବାନନ୍‌ ଭିତରେ କେତେକ ଅଞ୍ଚଳ ଓ ବଡ଼ ବଡ଼ ସହର ଦଖଲ କରି ନେଇ ସାରିଲେଣି । ସିରିଆର ଅନୁପ୍ରବେଶ ଘଟିବାର ବହୁ ପୂର୍ବରୁ ହିଁ ସାମରିକ ଆଧିପତ୍ୟ ଦୃଷ୍ଟିରୁ ଲେବାନନ୍‌ ଖଣ୍ଡ ଖଣ୍ଡ କେତେଟା ଅଞ୍ଚଳରେ ବେଶ୍‌ ବିଭକ୍ତ ହୋଇସାରିଥିଲା । ଏଠି ଦକ୍ଷିଣପନ୍ଥୀ ଫାଲାଞ୍ଜିଷ୍ଟ୍‌ମାନେ ଅଧିପତି ହୋଇ ରହିଥିଲେ ତ ସେଠି ବାମପନ୍ଥୀ ଆରବମାନେ ଅଥବା ଫଲେଷ୍ଟାଇନ୍‌ ମୁକ୍ତି ସଂଗଠନର ଗରିଲାମାନେ ଆଧିପତ୍ୟ ବିସ୍ତାର କରି ରହିଥିଲେ । ତେଣୁ ରାଷ୍ଟ୍ରୀୟ ବାହିନୀ ବୋଲି ସେପରି କୌଣସି ନିର୍ଦ୍ଦିଷ୍ଟ ବାହିନୀ ସକ୍ରିୟ ଅବସ୍ଥାରେ ନଥିଲେ । ରାଜଧାନୀ ବେରୁଟ୍‌ରୁ ସ୍ୱୟଂ ପ୍ରଧାନମନ୍ତ୍ରୀ ସୈନ୍ୟମାନଙ୍କୁ ଯେଉଁ ଆଦେଶ ଦେଉଥିଲେ, ଦେଶର ବିଭିନ୍ନ ସ୍ଥାନରେ ରହିଥିବା ସୈନ୍ୟମାନେ ଯେ ତାହା କାର୍ଯ୍ୟକାରୀ କରିବେ, ସେ ବିଷୟରେ ସିଏ ନିଜେ ମଧ୍ୟ ଆସ୍ଥାରଖି ପାରୁନଥିଲେ । ଏଭଳି ଏକ ଅବସ୍ଥାରେ ସିରିଆର ସୈନ୍ୟବାହିନୀ ଯେ ଲେବାନନ୍‌ ଭିତରକୁ ବେଶ୍‌ ଅନେକ ବାଟ ମାଡ଼ିଆସିବେ, ସେଥିରେ ବିସ୍ମୟ ପ୍ରକାଶ କରିବାର ଆଦୌ କୌଣସି କାରଣ ନାହିଁ ।

 

ମାତ୍ର ବିସ୍ମୟର କଥା ହେଉଛି ଯେ ସିରିଆ ସରକାରଙ୍କ ଆଦେଶରେ ସିରିଆର ସୈନ୍ୟମାନେ ଲେବାନନ୍‌ରେ ଶାନ୍ତିପ୍ରତିଷ୍ଠା କରିବା ଉଦ୍ଦେଶ୍ୟରେ ଯେ ଲେବାନନ୍‌ ଭିତରକୁ ପଶିଆସିଲେ, ଆରବ ଜଗତର କୌଣସି ରାଜ୍ୟର ସରକାର ଏପର୍ଯ୍ୟନ୍ତ ତାହାର କୌଣସି ଫଳପ୍ରଦ ପ୍ରତିବାଦ କରିନାହାନ୍ତି । ମନେହେଉଛି, ସେମାନେ ଯେପରି ଏଇଟାକୁ ଏକ ବେଶ୍‌ ସ୍ୱାଭାବିକ ଘଟଣା ବୋଲି ଗ୍ରହଣ କରିନେଇଛନ୍ତି । ସ୍ମରଣ ଥାଇପାରେ ଯେ ଲେବାନନ୍‌ର ପରିସ୍ଥିତି ନେଇ ସିରିଆର ରାଷ୍ଟ୍ରମୁଖ୍ୟ ଆସାଦ୍‌ ଗତ ବେଶ୍‌ କେତେ ଦିନ ହେଲା ବିଶେଷ ଆଗ୍ରହ ପ୍ରକାଶ କରିଆସିଥିଲେ । ତାଙ୍କରି ନିର୍ଦ୍ଦେଶରେ ସିରିଆର ବିଦେଶ ବିଭାଗ ମନ୍ତ୍ରୀ ଖାଡ଼ାମ୍‌ ସ୍ୱୟଂ ବେରୁଟ୍‌ ଆସି ବିବେଦମାନ ଶିବିରଗୁଡ଼ିକ ମଧ୍ୟରେ ଏକ ଆପୋଷ ମିଳାମିଶା କରିନେବାର ପ୍ରଚେଷ୍ଟା ମଧ୍ୟ କରୁଥିଲେ । ଏବଂ ତା’ପରେ ଶାନ୍ତି ପ୍ରତିଷ୍ଠା କରିବା ଲାଗି ସିଧା ସେହି ସିରିଆରୁ ଯେ ସୈନ୍ୟବାହିନୀ ପଠାଇବାକୁ ପଡ଼ିଲା, ଏଥିଭିତରେ ରହସ୍ୟ କେବଳ ସେହି ହିତକାରୀମାନଙ୍କୁ ହିଁ ଗୋଚର ଥିବ ।

 

ଏହି କ୍ଷେତ୍ରରେ ଆହୁରି ଏକ ଉଲ୍ଲେଖଯୋଗ୍ୟ କଥା ହେଉଛି ଯେ ଲେବାନନ୍‌ର ଦକ୍ଷିଣପନ୍ଥୀ ଫାଲାଞ୍ଜିଷ୍ଟ୍‌ମାନେ ଲେବାନନ୍‌ରେ ସିରିଆର ସୈନ୍ୟବାହିନୀର ଅନୁପ୍ରବେଶକୁ ସ୍ୱାଗତ ଜଣାଇଛନ୍ତି । ଫାଲାଞ୍ଜିଷ୍ଟ୍‌ମାନେ ହେଉଛନ୍ତି ଲେବାନନ୍‌ ଦେଶରେ ଥିବା ଖ୍ରୀଷ୍ଟିଆନ୍‌ମାନଙ୍କର ଏକ ଉଗ୍ରପନ୍ଥୀ ଦଳ । ଏମାନେ ଦେଶରେ ପୂର୍ବର ସ୍ଥିତାବସ୍ଥାକୁ ବଜାୟ ରଖିବାକୁ ଚାହାନ୍ତି । ଅର୍ଥାତ୍‌ ଆଗରୁ ରାଷ୍ଟ୍ରପତି ଯେପରି ସେହିମାନଙ୍କ ସମ୍ପ୍ରଦାୟ ମଧ୍ୟରୁ ନିଯୁକ୍ତ ହେବେ ବୋଲି ବ୍ୟବସ୍ଥା ରହିଥିଲା, ସେମାନେ ସେହି ବ୍ୟବସ୍ଥାକୁ ସେହିଭଳି କାୟମ୍‌ ରଖିବାକୁ ଚାହାନ୍ତି । ଖ୍ରୀଷ୍ଟିଆନ୍‌ ମେନୋନାଇଟ୍‌ମାନଙ୍କ ତରଫରୁ ପ୍ରକାଶିତ ଏକ ଇସ୍ତାହାରରେ ଲେବାନନ୍‌ରେ ଶାନ୍ତିର ପ୍ରତିଷ୍ଠା ଲାଗି ସିରିଆର ପ୍ରଚେଷ୍ଟା ପ୍ରତି ସାଧୁବାଦ ଜ୍ଞାପନ କରାଯାଇଛି । ସେମାନେ ଏହି ପଦକ୍ଷେପକୁ ‘ଶାନ୍ତିକାମୀ’ ବୋଲି ବର୍ଣ୍ଣନା କରିଛନ୍ତି । ଇସ୍ତାହାର ଦେଇଥିବା ନେତାମାନଙ୍କ ମଧ୍ୟରେ ଫାଲାଞ୍ଜିଷ୍ଟ୍‌ ଗୋଷ୍ଠୀର ସର୍ବୋଚ୍ଚ ନେତା ରୋମାୟେଲ ରହିଛନ୍ତି ଓ ଲେବାନନ୍‌ର ପୂର୍ବତନ ମେନୋନାଇଟ୍‌ ରାଷ୍ଟ୍ରପତି ପାଞ୍ଜୟେଙ୍କ ସହିତ କଥାବାର୍ତ୍ତା କରିସାରିବା ପରେ ସେମାନେ ଏହି ଇସ୍ତାହାରଟି ଦେଇଛନ୍ତି ।

 

ଏବଂ ଖାସ୍‌ ଏଇଥିଲାଗି ହିଁ ବାହାରର ପର୍ଯ୍ୟବେକ୍ଷକମାନଙ୍କୁ ଲେବାନନ୍‌ର ପରିସ୍ଥିତି ପ୍ରକୃତରେ ଆୟତ୍ତର ବାହାରକୁ ଚାଲିଯାଇଥିବା ପରି ମନେ ହେଉଛି । ଦେଶ ଭିତରେ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ରହିଥିବା ବିବାଦକୁ ଦୂର କରି ଦେଶରେ ଶାନ୍ତିପ୍ରତିଷ୍ଠା କରିବାଲାଗି ଯେତେବେଳେ ବିଦେଶର ଆଉ କୌଣସି ସରକାରର ସାମରିକ ହସ୍ତକ୍ଷେପକୁ ଦେଶର ସାର୍ବଭୌମତ୍ୱ ଉପରେ ଏକ ଆକ୍ରମଣ ବୋଲି ନ କହି ତାହାର ସ୍ୱାଗତ କରାଯାଏ ଏବଂ ତାହାକୁ ଶାନ୍ତିକାମୀ ବୋଲି କୁହାଯାଏ, ସେତେବେଳେ ପ୍ରକୃତରେ କିଏ ଆୟତ୍ତ ଭିତରେ ରହିଥାଏ ? ଏବଂ କୌଣସି ଦେଶର ସମ୍ପୃକ୍ତ ରାଜନୀତିକ ପକ୍ଷମାନେ ଆୟତ୍ତ ଭିତରେ ନଥିବା ବେଳେ ସେହି ଦେଶର ପରିସ୍ଥିତି ଆୟତ୍ତ ଭିତରେ ରହିଛି ବୋଲି କିପରି ବା କୁହାଯାଇପାରେ ? ଲେବାନନ୍‌ ଏହିପରି ଏକ ପରିସ୍ଥିତିର ମଧ୍ୟ ଦେଇ ଗତି କରୁଥିବାବେଳେ ଲେବାନନ୍‌ରେ ଯୁଦ୍ଧବିରତି ଘଟାଇବା ଓ ଯୁଦ୍ଧରତ ପକ୍ଷମାନଙ୍କୁ ସଂଘର୍ଷରୁ କ୍ଷାନ୍ତ କରାଇବା ଲାଗି ନିକଟରେ ୬ଟି ଆରବରାଷ୍ଟ୍ର ପକ୍ଷରୁ ଏକ ମିଳିତ ନିରାପତ୍ତା ବାହିନୀ ପଠାଇବା ପାଇଁ ନିଷ୍ପତ୍ତି କରାଯାଇଥିଲା । କେତେକ ରାଷ୍ଟ୍ରରୁ ଏଥିନିମନ୍ତେ ସୈନ୍ୟଚାଳନା କରାଗଲାଣି ବୋଲି ମଧ୍ୟ ସମ୍ୱାଦ ପ୍ରକାଶ ପାଇଥିଲା । ମାତ୍ର ତାହା ଏପର୍ଯ୍ୟନ୍ତ କୌଣସି ପ୍ରକାରେ କାର୍ଯ୍ୟକାରୀ ହୋଇପାରିଥିବାର ଜଣାଯାଇ ନାହିଁ । ଏବେ ବି ସଂଘର୍ଷ ଲାଗିରହିଛି ଓ ସିରିଆନ୍‌ ସୈନ୍ୟବାହିନୀ ଅଞ୍ଚଳ ପରେ ଅଞ୍ଚଳ ଓ ସହର ପରେ ସହର ଦଖଲ କରି ଇସ୍ରାଏଲ ସୀମା ପର୍ଯ୍ୟନ୍ତ ମାଡ଼ି ଚାଲିଲେଣି ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ଶ୍ରୀ ରବିନ୍‌ କହିଲେଣି ଯେ, ଲେବାନନ୍‌ରେ ଘଟୁଥିବା ଘଟଣାବଳୀ ସମ୍ପର୍କରେ ଇସ୍ରାଏଲ୍‌ ଆଜି ଆଉ ନୀରବଦ୍ରଷ୍ଟା ହୋଇ ରହି ନପାରେ । ସୁତରାଂ ଏହାର ଶେଷ କେଉଁଠି-ଏହାହିଁ ଆଜି ସମସ୍ତେ ବିଚାର କରିବାର କଥା ।

 

ତା ୧୮.୦୬.୧୯୭୬ ରିଖ

Image

 

ଦୁଇଟି କୋରିଆ

 

୧୯୫୪ ମସିହାରେ ଭିଏତ୍‌ନାମର ଯୁଦ୍ଧ ଲାଗିବା ପୂର୍ବରୁ ହିଁ କୋରିଆରେ ଯୁଦ୍ଧ ଲାଗିସାରିଥିଲା । ଦ୍ୱିତୀୟ ମହାଯୁଦ୍ଧ ପରେ ଯେ ପୃଥିବୀରେ ଏକ ଶୀତଳ ଯୁଦ୍ଧ ଲାଗିଛି ଓ ଆହୁରି ଅନେକକାଳ ଯାଏ ଲାଗି ରହିବାର ପୂର୍ଣ୍ଣ ସମ୍ଭାବନା ରହିଛି, ଯୁଦ୍ଧର ପୁରୁଣା ମିତ୍ରମାନେ ଯୁଦ୍ଧ ସରିବା ପରେ ନୂଆ ନୂଆ ଶିବିରରେ ବିଭକ୍ତ ହୋଇ ଯେ ସେହି ଶୀତଳଯୁଦ୍ଧକୁ ଜାରି ରଖିବାକୁ ଯାଉଛନ୍ତି, ସର୍ବପ୍ରଥମେ କୋରିଆ ଯୁଦ୍ଧରୁ ହିଁ ତାହାର ସୂଚନା ମିଳିଥିଲା ।

 

କୋରିଆ କହିଲେ ବର୍ତ୍ତମାନ ଦୁଇଟି ଦେଶକୁ ବୁଝାଏ । ଗୋଟିଏ ଉତ୍ତର କୋରିଆ ଓ ଆରଟି ଦକ୍ଷିଣ କୋରିଆ । ଏହି ଦୁଇ ଦେଶକୁ ନିମିତ୍ତ କରି ପୃଥିବୀର ଦୁଇ ବୃହତ୍‌ଶକ୍ତି ଏଠାରେ ପରସ୍ପରର ସମ୍ମୁଖୀନ ହୋଇ ରହିଛନ୍ତି । ଦୁଇ ଦେଶର ସୀମାରୂପେ ୩୮ ଡିଗ୍ରୀ ଉତ୍ତର ଅକ୍ଷାଂଶରେଖାକୁ ନିର୍ଦ୍ଧାରଣ କରି ଦିଆଯାଇଛି । ଦୁଇ ଦେଶ ମଧ୍ୟରେ ଶାନ୍ତିରକ୍ଷା କରିବା ଲାଗି ଏକଦା କରାଯାଇଥିବା ଏକ ଚୁକ୍ତିର ମାନ୍ୟତା ରକ୍ଷା କରି ଅକ୍ଷାଂଶର ଦକ୍ଷିଣ ପଟକୁ ମିଳିତ ଜାତିସଂଘ ତରଫରୁ କେତେ ଡିଭିଜନ ସୈନ୍ୟ ନିଯୁକ୍ତ ହୋଇ ରହିଛନ୍ତି । ମାତ୍ର ଅସଲ ବ୍ୟୂହଟି ତା’ର ପ୍ରାୟ ସମାନ୍ତର ଭାବରେ ଗଠିତ ହୋଇ ରହିଛି । ସେଥିରେ ଉତ୍ତର ପାଖରେ ଉତ୍ତର କୋରିଆ ତରଫରୁ ପାଞ୍ଚ ଲକ୍ଷ ସୈନ୍ୟ ସଜ୍ଜିତ ହୋଇ ରହିଛନ୍ତି ଏବଂ ଦକ୍ଷିଣ କୋରିଆ ପଟୁ ଦକ୍ଷିଣ ପାଖରେ ଛଅଲକ୍ଷ ସୈନ୍ୟ ଜଗି ରହିଛନ୍ତି । ଉତ୍ତରପଟେ ଅଧିକ ଟ୍ୟାଙ୍କ୍‌, ଅଧିକ ବିମାନ ଓ ଅଧିକ ରକେଟ୍‌ ରହିଛି ଏବଂ ତାହାର ସମକକ୍ଷ ହେବାଲାଗି ଦକ୍ଷିଣ କୋରିଆ ମଧ୍ୟ ଏହି ବାବଦକୁ ଅନେକ ଖରଚ କରିବ ବୋଲି ଆଗାମୀ ଚାରିବର୍ଷ ପାଇଁ ଏକ ମନୋମତ ଯୋଜନା କରି ରଖିଛି । ଇତିହାସର ସବୁ କାଳରେ କୋରିଆ ଗୋଟିଏ ଦେଶ ହୋଇ ରହିଥିଲେ ମଧ୍ୟ ଗତ ପ୍ରାୟ ପଚିଶି ବର୍ଷ ହେଲା ବିଭକ୍ତ ଉଭୟ ଖଣ୍ଡ ମଧ୍ୟରେ ଆଦୌ କୌଣସି ପୌର ସମ୍ପର୍କ ନାହିଁ । ଏପାଖର ଚିଠି ସେପାଖକୁ ଯାଉନାହିଁ ବା ସେପାଖର ତାର ଏପାଖକୁ ଆସୁନାହିଁ । ସୀମା ଆରପାଖରେ ବାସ କରୁଥିବା ଆତ୍ମୀୟସ୍ୱଜନମାନଙ୍କୁ ମଧ୍ୟ ସଂଖୋଳି ଯିବାର କୌଣସି ସମ୍ଭାବନା ନାହିଁ ।

 

ଠିକ୍‌ ବର୍ଷକ ପୂର୍ବେ ଯେତେବେଳେ ଭିଏତ୍‌ନାମରେ ଯୁଦ୍ଧର ଅବସାନ ଘଟିଲା, ସେତେବେଳେ ତାହା ଉତ୍ତର କୋରିଆରେ ମଧ୍ୟ ସ୍ୱଭାବତଃ ଅନେକ ଉତ୍ସାହ ସୃଷ୍ଟି କରିଥିଲା । ଉତ୍ତର କୋରିଆର ଶାସକ କିମ୍‌ ଇଲ ସୁଙ୍ଗ୍‍ ସେତେବେଳେ ଆପଣାର ଦୁଇ ସହାନୁଭୂତିଶୀଳ ପ୍ରତିବେଶୀ-ଚୀନ ଓ ଋଷିଆର ସାହାଯ୍ୟରେ ଦକ୍ଷିଣ-କୋରିଆକୁ ଦଖଲ କରିନେଇ କୋରିଆକୁ ପୁନର୍ବାର ଗୋଟିଏ ଦେଶରେ ପରିଣତ କରିବାକୁ ମନ କରିଥିଲେ ସତ, ମାତ୍ର ତାଙ୍କର ଆଗ୍ରହ ମୁତାବକ ପ୍ରତିବେଶୀମାନଙ୍କର ସେପରି କୌଣସି ଇଚ୍ଛା ଅଛି ବୋଲି ସେ ଆଉ ସଙ୍କେତ ପାଇଲେ ନାହିଁ । ଚୀନ ଓ ଋଷିଆ ସେତେବେଳେ ଆପଣାର ସୀମାବିବାଦ ଓ ଆଦର୍ଶଗତ ପାର୍ଥକ୍ୟର ବିବାଦ ନେଇ ବ୍ୟସ୍ତ ଥିଲେ । ତେଣୁ କେବଳ ଶାନ୍ତିପୂର୍ଣ୍ଣ ଉପାୟରେ ସମୟକ୍ରମେ ଦୁଇ କୋରିଆର ଏକତ୍ରୀକରଣ ଲାଗି ଅପେକ୍ଷା କରିବା ଉଚିତ ବୋଲି ସେମାନେ ପରାମର୍ଶ ଦେଇଥିଲେ ।

 

ଅନ୍ୟପକ୍ଷରେ ଆମେରିକା ଏବଂ ଜାପାନ ହେଉଛନ୍ତି ଦକ୍ଷିଣ କୋରିଆର ଦୁଇ ସହାନୁଭୂତିଶୀଳ ପଡ଼ୋଶୀ । ଏସିଆର ମହାଦେଶୀୟ ଭାଗଟିରୁ, ସବୁଯାକ ଦେଶରୁ ଆପଣାର ସାମରିକ ଘାଟୀ ଓ ବାହିନୀ ଅପସରାଇ ନେବାକୁ ଆମେରିକା ସରକାର ଏବେ ଯେଉଁ ନୀତିର ଘୋଷଣା କରିଛନ୍ତି, ଦକ୍ଷିଣ କୋରିଆ ସେଥିରେ ଏକ ତାତ୍ପର୍ଯ୍ୟପୂର୍ଣ୍ଣ ବ୍ୟତିକ୍ରମ ହୋଇ ରହିଛି । ଉତ୍ତରପଟୁ କୌଣସି ପ୍ରକାର ଆକ୍ରମଣ ହେଲେ ଯୁକ୍ତରାଜ୍ୟ ଆମେରିକା ତରଫରୁ ଆଣବିକ ଶକ୍ତିଯୁକ୍ତ ଅସ୍ତ୍ରାଦିର ବ୍ୟବହାର ବି କରାଯିବ ବୋଲି ସତର୍କବାଣୀ ମଧ୍ୟ ଶୁଣାଇ ଦିଆଯାଇଛି । ବର୍ତ୍ତମାନ ଦକ୍ଷିଣ କୋରିଆରେ ଆମେରିକା ସରକାରଙ୍କର ପ୍ରାୟ ୪୨,୦୦୦ ସୈନ୍ୟ ରହିଛନ୍ତି ।

 

ଦକ୍ଷିଣ କୋରିଆ ଏବଂ ଉତ୍ତର କୋରିଆ ଗୋଟିଏ ହୋଇଗଲେ ସମ୍ଭବତଃ ଜାପାନ ହିଁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେବ । ଦକ୍ଷିଣ କୋରିଆର ଅର୍ଥନୀତି ଓ ବ୍ୟବସାୟ ଲଗାଣ କ୍ଷେତ୍ରରେ ଜାପାନର ଏକ ପ୍ରଧାନ ଅଧିକାରୀ ସ୍ଥାନ ରହିଛି । ଜାପାନ ସେହି ଦେଶରେ ଲକ୍ଷ ଓ କୋଟି ପରିମାଣରେ ପୁଞ୍ଜି ଖଟାଇଛି । ଅନେକ ଦୃଷ୍ଟିରୁ ବିଚାର କରି ଦେଖିଲେ ଆର୍ଥିକ ପ୍ରଭାବର କ୍ଷେତ୍ରରେ ଦକ୍ଷିଣ କୋରିଆ ହିଁ ଜାପାନର ଏକମାତ୍ର ଉପନିବେଶ ହୋଇ ରହିଛି ଏବଂ ଦୁଇ କୋରିଆର କୌଣସି କାରଣରୁ ଏକତ୍ରୀକରଣ ଘଟିଲେ ଜାପାନର ଯାବତୀୟ ଅଧିକାରିତ୍ୱ ଯେ ଅନ୍ତ ହୋଇଯିବ, ଜାପାନ ସେକଥା ଭଲକରି ଜାଣିଛି । ଏକ ରାଜନୀତିକ ସ୍ୱାର୍ଥ ଦୃଷ୍ଟିରୁ ମଧ୍ୟ ଚୀନ ଓ ଋଷିଆ ଭଳି ଦୁଇ ପ୍ରକାଣ୍ଡ ଶକ୍ତି ଓ ଆପଣାର ମଝିରେ ଜାପାନ କୋରିଆକୁ ଏକ ଦୁର୍ବଳ ମଧ୍ୟରାଷ୍ଟ୍ର କରି ରଖିବାକୁ ଇଚ୍ଛା କରୁଛି ।

 

ଉତ୍ତର କୋରିଆ ତରଫରୁ କୌଣସି ଆଶଙ୍କିତ ଆକ୍ରମଣ ସମ୍ମୁଖରେ ଦକ୍ଷିଣ କୋରିଆକୁ ରକ୍ଷା କରିବା ଲାଗି ଆମେରିକାର ଅସ୍ତ୍ରସାହାଯ୍ୟର ଯେତେ ଆବଶ୍ୟକତା ନାହିଁ, ନିଜ ଦେଶରେ ନିଜର ସ୍ଥାନଟିକୁ ନିରଙ୍କୁଶ କରି ରଖିବାଲାଗି ତାହାର ଅନେକ ଅଧିକ ଆବଶ୍ୟକତା ରହିଛି ବୋଲି ଦକ୍ଷିଣ କୋରିଆର ରାଷ୍ଟ୍ରପତି ପାର୍କ୍‌ଙ୍କୁ ଖୁବ୍‌ ଭଲ ଭାବରେ ଜଣା ଅଛି । ଦକ୍ଷିଣ କୋରିଆର ରାଜନୀତିକ ଦୁର୍ଭାଗ୍ୟର ଇତିହାସରେ ରାଷ୍ଟ୍ରପତି ପାର୍କ୍‌ ହେଉଛନ୍ତି ସ୍ୱର୍ଗତ ପୂର୍ବତନ ରାଷ୍ଟ୍ରପତି ସିଗ୍‌ମାନ୍‌ ରୀଙ୍କର ପ୍ରକୃତ ଉତ୍ତରାଧିକାରୀ । ଏହିପରି ଭାବରେ ବୃହତ୍‌ଶକ୍ତି ରାଜନୀତି ସହିତ ଛନ୍ଦି ହୋଇଯିବା ଫଳରେ କୋରିଆର ଉଭୟ ଖଣ୍ଡରେ ସାଧାରଣ ଜନଗଣ ପ୍ରକୃତରେ କ’ଣ ଇଚ୍ଛା କରୁଛନ୍ତି, ସେକଥା ଜାଣିବାର ଆଉ ଉପାୟ ନାହିଁ ।

 

ତା ୧୯.୦୬.୧୯୭୬ ରିଖ

Image

 

ଶିକ୍ଷାର ଅନ୍ୟ ଏକ ଉଦ୍ଦେଶ୍ୟ

 

ରାଜଧାନୀ ଦିଲ୍ଲୀଠାରେ ଏବେ ଅନୁଷ୍ଠିତ ହୋଇଯାଇଥିବା ଉଚ୍ଚ ମାଧ୍ୟମିକ ଶିକ୍ଷାର ଏକ ଜାତୀୟ ସମ୍ମିଳନୀରେ ଉଦ୍‌ଘାଟନ ଭାଷଣ ଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଅଧ୍ୟାପକ ନୁରୁଲ ହାସନ୍‌ କହିଛନ୍ତି ଯେ ଆମ ଦେଶରେ ପ୍ରବର୍ତ୍ତିତ ହେଉଥିବା ଶିକ୍ଷାବ୍ୟବସ୍ଥା ଯଦି ଏହି ଦେଶରେ ପ୍ରାୟ ପ୍ରତିଷ୍ଠିତ ହୋଇ ରହିଥିବା ଜାତି ଓ ସଂପ୍ରଦାୟର ନାନା ବିଭେଦକୁ ଭାଙ୍ଗି ଦେଇ ନପାରେ, ତେବେ ସେହି ଶିକ୍ଷାଦ୍ୱାରା ପ୍ରକୃତରେ କୌଣସି ଉପକାର ହେଉଛି ବୋଲି ଆଦୌ କୁହାଯାଇ ପାରିବନାହିଁ । ଆମର ଶିକ୍ଷା ଆମ ଦେଶର ତରୁଣ ଶିକ୍ଷିତମାନଙ୍କ ମଧ୍ୟରେ ସମାଜବାଦ ଏବଂ ଧର୍ମଗତ ଉଦାରଦୃଷ୍ଟିର ପ୍ରେରଣା ଆଣି ଦେଇପାରିବା ଉଚିତ ବୋଲି ସେ ଉଦ୍‌ବୋଧନ ଦେଇ କହିଛନ୍ତି ।

 

ଏହି ଜାତୀୟ ସମ୍ମିଳନୀରେ ଦେଶର ପ୍ରାୟ ସବୁ ରାଜ୍ୟରୁ ଦୁଇଶହରୁ ଅଧିକ ଶିକ୍ଷାବିତ୍‌ ଯୋଗ ଦେଇଥିଲେ । ଅଧ୍ୟାପକ ହାସନ୍‌ ସେମାନଙ୍କୁ ଭାଷଣ ଦେଇ କହିଛନ୍ତି ଯେ ଦେଶରେ ବର୍ତ୍ତମାନ ଯେଉଁସବୁ ସାମାଜିକ ତଥା ଅର୍ଥନୈତିକ ପରିବର୍ତ୍ତନର ଏକ ନୂତନ ହାଉଆ ସୃଷ୍ଟି ହେବାକୁ ଯାଉଛି, ଆମ ଦେଶର ଶିକ୍ଷା ମଧ୍ୟରେ ବି ତାହାର ସ୍ପନ୍ଦନ ଅନୁଭୂତ ହେବା ଉଚିତ । ଆମର ଶିକ୍ଷା ଆମ ଦେଶବାସୀଙ୍କ ମନରେ ସଂହତି ଏବଂ ଏକତାର ଏକ ଯଥାର୍ଥବୋଧ ଆଣିଦେଇପାରିବା ଉଚିତ ବୋଲି ସେ କହିଛନ୍ତି ।

 

ମୂଳରୁ ଏହି କଥାଟି ଅତ୍ୟନ୍ତ ପରିଷ୍କାର ହୋଇଯିବା ଉଚିତ ଯେ ଆମ ଦେଶର ଶିକ୍ଷାବ୍ୟବସ୍ଥା ଆଗରୁ ଅର୍ଥାତ୍‌ ସ୍ୱାଧୀନତା ପ୍ରାପ୍ତିଠାରୁ ଆରମ୍ଭ କରି ପ୍ରାୟ ଏବଯାଏ ଏସବୁ କିଛିହେଲେ କରୁନଥିଲା । ଶିକ୍ଷାଦ୍ୱାରା ଏସବୁର ସମାଧାନ ହେବା ଉଚିତ ବୋଲି ସେତେବେଳେ ମଧ୍ୟ ଖୁବ୍‌ କୁହାଯାଉଥିଲା ଓ ବଡ଼ ବଡ଼ ରିପୋର୍ଟମାନଙ୍କରେ ଖୁବ୍‌ ଘୋଷଣା କରାଯାଉଥିଲା ସତ, ମାତ୍ର ଶିକ୍ଷାଦ୍ୱାରା ଏସବୁ କିଛିହେଲେ ହେଉନଥିଲା । ଆମ ଦେଶରେ ସାମାଜିକ ପରିବର୍ତ୍ତନର କ୍ଷେତ୍ରରେ କରାଯାଇଥିବା ଅନୁସନ୍ଧାନ ଓ ଅଧ୍ୟୟନଗୁଡ଼ିକ ଆମକୁ ଅତ୍ୟନ୍ତ ସ୍ପଷ୍ଟ ଭାବରେ ସେହି କଥାଟିକୁ ଦେଖାଇ ଦେଇ ପାରିବେ । ଆମ ଦେଶରେ ଶିକ୍ଷିତମାନଙ୍କ ଭିତରେ ବି ଜାତିଭାବନା, ସାଂପ୍ରଦାୟିକ ସଂକୀର୍ଣ୍ଣ ଭାବନା, କ୍ଷୁଦ୍ର ଓ ସ୍ଥାନୀୟ ନାନା ସ୍ୱାର୍ଥର ଭାବନା ପ୍ରାୟ ସେହି ପୂର୍ବଭଳି ପ୍ରବଳ ହୋଇ ରହିଛି । ସମ୍ଭବତଃ ପୂର୍ବ ତୁଳନାରେ କେତେକ କ୍ଷେତ୍ରରେ ଅପେକ୍ଷାକୃତ ଅଧିକ ଉତ୍କଟ ହୋଇଛି । ଆଗେ ସମାଜରେ ଅର୍ଥାତ୍‌ ଗାଆଁମାନଙ୍କରେ ଜାତିଆଣ ଦୂରତାଭାବ ଥିଲା ସତ, ମାତ୍ର ଏକ ସଂହତିଭାବ ଓ ଗୋଷ୍ଠୀଭାବ ବି ରହିଥିଲା । ଆଧୁନିକ ନାନା କାରଣରୁ ଗ୍ରାମସମାଜର ସେହି ସଂହତିଭାବଟି ଭାଙ୍ଗିଗଲା ଓ ଖଣ୍ଠିତ ସ୍ୱାର୍ଥଭାବନା ଶିକ୍ଷିତମାନଙ୍କର ଚତୁରପଣିଆର ମୁହଁ ପାଇ ତେଣେ ଅଧିକ ନିର୍ମମ ହେବାର ସୁବିଧା ମଧ୍ୟ ପାଇଲା । ବାହାରେ ଆଧୁନିକତା ମାଡ଼ିଗଲା, ମାତ୍ର ମଞ୍ଜ ଭିତରେ ସେହି ମରହଟିଆ ସଂକୀର୍ଣ୍ଣତାଗୁଡ଼ିକ ଆମର ଦୃଷ୍ଟିଗୁଡ଼ାକୁ ଅଧିକାଂଶ କ୍ଷେତ୍ରରେ ଅଶିକ୍ଷିତ କରି ରଖିଲା ।

 

ଗୋଟିଏ ଦୃଷ୍ଟିରୁ ବିଚାର କଲେ ଆମର ତଥାକଥିତ ଶିକ୍ଷିତମାନେ ହିଁ ଆମ ଦେଶର ସଂହତିକୁ ଭାଙ୍ଗିବାରେ ହିଁ ଏକ ବଡ଼ ସହାୟକ କାରଣ ହୋଇ ରହିଲେ । ଆମ ଶିକ୍ଷାବ୍ୟବସ୍ଥାରେ ସମସ୍ତେ ଶିକ୍ଷା ପାଉନଥିଲେ, ଅପେକ୍ଷାକୃତ ଅଧିକ ସମ୍ପନ୍ନ ବ୍ୟକ୍ତିମାନେ ହିଁ ଉଚ୍ଚଶିକ୍ଷାର ସୁଯୋଗ ଲାଭ କରୁଥିଲେ । ଗାଁ ଅପେକ୍ଷା ସହର ହିଁ ଅଧିକ ସୁଯୋଗ ଲାଭ କରୁଥିଲା । ତଳଜାତିଗୁଡ଼ିକ ଅପେକ୍ଷା ଉଚ୍ଚବର୍ଣ୍ଣମାନେ ହିଁ ପ୍ରାୟ ସବୁଯାକ ସୁଯୋଗ ପାଉଥିଲେ । ଏମାନେ ଯେଉଁ ପାଠ ପଢ଼ୁଥିଲେ, ସେହି ପାଠରେ ହୃଦୟ ବୋଲି କିଛି ନଥିଲା, ଗୋଟିଏ ଦେଶକୁ ସୁନ୍ଦର କରି ସମଗ୍ର କରି ଗଢ଼ିବାର କୌଣସି ସଂକଳ୍ପ ନଥିଲା । ଏହି ଦେଶର ମଣିଷଙ୍କୁ ହିଁ ସବୁଠାରୁ ଅଧିକ ଆପଣାର ବୋଲି ଗ୍ରହଣ କରିନେବାର କୌଣସି ସାହସ ମଧ୍ୟ ନଥିଲା । ସାଧାରଣତଃ ଏହି ଶିକ୍ଷିତମାନେ ସାରାଦେଶରେ ହାକିମ ହେଉଥିଲେ, ଅଫିସର ବି ହେଉଥିଲେ । ଶତକଡ଼ା ପଞ୍ଚାନବେଙ୍କ ଉପରେ ଶତକଡ଼ା ପାଞ୍ଚ ବାବୁ ହୋଇ ବସୁଥିଲେ । ଏମାନଙ୍କୁ ପ୍ରଶାସନ ଓ ରାଜନୀତିରେ ଅମଲାତନ୍ତ୍ର ବୋଲି କୁହାଯାଏ । ଏମାନେ ଦେଶର ଜୀବନଠାରୁ ଅଲଗା ହୋଇ ରହିଥିଲେ, ଦେଶର ସବୁଯାକ ରଜ୍ଜୁ ଓ ସବୁଯାକ ନାଡ଼ୀକୁ ନିଜର ହାତରେ ରଖିଥିଲେ, ନଚାଉଥିଲେ । ସ୍ଥିତାବସ୍ଥା ଅବିଚଳ ହୋଇ ରହିବାରେ ଏମାନେ ଅତ୍ୟନ୍ତ ବିଶ୍ୱସ୍ତ ଭାବରେ ସାହାଯ୍ୟ କରୁଥିଲେ, କାରଣ ଏମାନେ ହିଁ ସ୍ଥିତାବସ୍ଥାର ପୂର୍ଣ୍ଣକଳେବର ପ୍ରତିନିଧିତ୍ୱ କରିବାରେ ଲାଗିଥିଲେ ।

 

ଶିକ୍ଷାମନ୍ତ୍ରୀଙ୍କର କହିବା ଅନୁସାରେ ଆମର ଶିକ୍ଷାବ୍ୟବସ୍ଥାରେ ଏହିସବୁ ଅବ୍ୟବସ୍ଥା ବା ବ୍ୟବସ୍ଥାହୀନତାକୁ ବଦଳାଇବାର ତାକତ ଜାତ ହେବା ଆବଶ୍ୟକ । ବ୍ୟବସ୍ଥା କହିଲେ ସର୍ବତ୍ର ଏକାଧାରରେ କେତେ କଥାକୁ ବୁଝାଏ, ମାତ୍ର ମୂଳରେ ଏବଂ ଶେଷରେ ସେହି ବ୍ୟବସ୍ଥାଟିକୁ କାର୍ଯ୍ୟକାରୀ କରିବାକୁ ବାହାରିଥିବା ମଣିଷମାନଙ୍କୁ ହିଁ ବୁଝାଏ । ସେହି ମଣିଷମାନେ ସେହି ଶିକ୍ଷାବ୍ୟବସ୍ଥାରେ ସ୍ୱୟଂ ବିଶ୍ୱାସ କରୁଥିବେ, ଏହି ଅବ୍ୟବସ୍ଥାଗୁଡ଼ାକ ଆଶୁ ବଦଳିଯାଉ ବୋଲି ସେମାନେ ପ୍ରକୃତରେ ଇଚ୍ଛା କରୁଥିବେ । ଜାତୀୟ ଜୀବନର କେତେଟା ମର୍ମମୂଲ୍ୟ ଉପରେ ସେମାନଙ୍କର ଅଟଳ ବିଶ୍ୱାସ ରହିଥିବ, ମାନବଜୀବନର କେତେଟା ଚିରନ୍ତନ ମୂଲ୍ୟକୁ ମଧ୍ୟ ସେମାନେ ସର୍ବଦା ଯଥୋଚିତ ମହତ୍ତ୍ୱ ଦେଇପାରୁଥିବେ । ନୂତନର ଆହ୍ୱାନ ଅନୁସାରେ ନିଜ ଭିତରେ ଭାଡ଼ି ବାନ୍ଧି ରହିଥିବା ଯାବତୀୟ ପୁରାତନ ସଂସ୍କାରକୁ ଛାଡ଼ିବାକୁ ସମର୍ଥ ହୋଇ ରହିଥିବେ-। ଅର୍ଥାତ୍‌ ଦେଶର କ୍ରାନ୍ତିରେ ସେମାନେ ପୁରୋଗାମୀ ହେବାକୁ ପ୍ରସ୍ତୁତ ଥିବେ । ନୂତନ ସତ୍ୟଟି ଲାଗି ସଙ୍କଳ୍ପ କରିଥିବେ, ଅର୍ଥାତ୍‌ ସମର୍ପିତ ହୋଇଥିବେ ।

 

ପ୍ରକୃତ ପରିବର୍ତ୍ତନ ଲାଗି ଏହି ସବୁଯାକ କଥା ଆବଶ୍ୟକ ହୁଏ । ଶିକ୍ଷାର କ୍ଷେତ୍ରରେ ପରିବର୍ତ୍ତନ ଲାଗି ସବା ଆଗ ଆବଶ୍ୟକ ହୁଏ । ନହେଲେ ବ୍ୟବସ୍ଥା ବଦଳୁଥାଏ, ଚିଠା ପରେ ଚିଠା ଲେଖା ହେଉଥାଏ; ମାତ୍ର ଏଣେ ପୁରୁଣାଟା ହିଁ ଗୋଟାସୁଦ୍ଧା ଗିଳିକରି ବସିଥାଏ ।

 

ତା ୨୦.୦୬.୧୯୭୬ ରିଖ

Image

 

ନିନ୍ଦାତ୍ମକ ପ୍ରସ୍ତାବ

 

ଦକ୍ଷିଣ ଆଫ୍ରିକାର ସରକାର ଏବେ ସେହି ଦେଶର ଦୁଇଟି ସହରରେ ଯେଉଁ ହତ୍ୟାକାଣ୍ଡ ଭିଆଇଲେ, ଏହି ସପ୍ତାହରେ ଜାତିସଂଘର ନିରାପତ୍ତା କାଉନ୍‌ସିଲରେ ସେହି ବିଷୟରେ ବିଚାର ଆଲୋଚନା କରାଯାଇଥିଲା । ଏହି ଆଲୋଚନାରେ କେତେ ଦେଶର ପ୍ରତିନିଧି ଗରମ ଭାଷଣମାନ ଦେଲେ, ଆଗରୁ ଅନେକ ଥର ଯାହା ହୋଇଆସିଥିଲା, ମୋଟାମୋଟି ତାହାରି ଅନୁବୃତ୍ତି କରି କେତେ ପ୍ରତିନିଧି ଦକ୍ଷିଣ ଆଫ୍ରିକାରେ ଚାଲିଥିବା ବର୍ଣ୍ଣବୈଷମ୍ୟ ନୀତିର ବିରୋଧ କଲେ । ଶେଷକୁ ପରିଷଦରେ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଏକ ନିନ୍ଦାତ୍ମକ ପ୍ରସ୍ତାବ ପାସ୍‌ କରାଗଲା-। ସମ୍ୱାଦପତ୍ରର କହିବା ଅନୁସାରେ ଏହି ପ୍ରସ୍ତାବଟି ସର୍ବସମ୍ମତିକ୍ରମେ ପାସ୍‌ କରାଗଲା ।

 

ଏହି ସପ୍ତାହରେ ଦକ୍ଷିଣ ଆଫ୍ରିକାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଫଷ୍ଟର ପଶ୍ଚିମ ଜର୍ମାନୀ ଗସ୍ତରେ ଆସୁଛନ୍ତି । ତାଙ୍କୁ ଅତିଥିକରି ଆଣୁଥିବା ପଶ୍ଚିମ ଜର୍ମାନୀ ସରକାର ଏହି ଗସ୍ତଟିର ଅବ୍ୟବହିତ ପୂର୍ବରୁ ଔପଚାରିକ ଭାବରେ ଯେଉଁ ସାଧାରଣ ବିବୃତ୍ତିଟି ଦେଇଛନ୍ତି, ସେଥିରେ ସେ ଦକ୍ଷିଣ ଆଫ୍ରିକା ଚଳାଇଥିବା ବର୍ଣ୍ଣବୈଷମ୍ୟ ନୀତିର ତୀବ୍ର ନିନ୍ଦାବାଦ କରିଛନ୍ତି । ଦକ୍ଷିଣ ଆଫ୍ରିକାର ଶ୍ୱେତକାୟମାନେ ସଂଖ୍ୟାରେ ମୁଷ୍ଟିମେୟ ହେଲେ ମଧ୍ୟ ନୃଶଂସ ଭାବରେ ସଂଖ୍ୟାଗରିଷ୍ଠ କୃଷ୍ଣକାୟମାନଙ୍କ ଉପରେ ଯେଉଁ ଏକାଧିକାରର ଦୌରାତ୍ମ୍ୟ ଚଳାଇଛନ୍ତି, ତାହା ତୁରନ୍ତ ଉଠିଯାଇ ସେଠାରେ ବହୁମତର ଶାସନ ପ୍ରବର୍ତ୍ତିତ ହେଉ ବୋଲି ପଶ୍ଚିମ ଜର୍ମାନୀ ସରକାର ଅତ୍ୟନ୍ତ ସ୍ପଷ୍ଟ ଭାବରେ ଘୋଷଣା କରିଛନ୍ତି । ମାତ୍ର ଏଣେ ସେହି ସରକାରର ଏକନମ୍ୱର କର୍ତ୍ତାଙ୍କୁ ପଶ୍ଚିମ ଜର୍ମାନୀକୁ ଯେ ରାଜଅତିଥି କରି ଅଣାଯାଉଛି, ତାହା ଆମକୁ ନିଶ୍ଚୟ ଏକ ବିରୋଧାଭାସ ପରି ମନେ ହୋଇପାରେ । କିନ୍ତୁ ଏଥିରେ ବିସ୍ମୟ ପ୍ରକାଶ କରିବା ଲାଗି ସମ୍ଭବତଃ ଆଦୌ କୌଣସି କାରଣ ନାହିଁ । ବାହାରେ ନିଜର ମୁଖରକ୍ଷା କରିବା ଲାଗି ହୁଏତ ପଶ୍ଚିମ ଜର୍ମାନୀ ସରକାରଙ୍କୁ ଏହିଭଳି ଗୋଟିଏ ବିବୃତ୍ତି ଦେବାକୁ ପଡ଼ିଛି । ଦକ୍ଷିଣ ଆଫ୍ରିକାର ଶାସନମୁଖ୍ୟ ପଶ୍ଚିମ ଜର୍ମାନୀକୁ ଅତିଥି ହୋଇ ଆସୁଥିବା ପ୍ରସଙ୍ଗଟିରୁ ବିଶ୍ୱଜନମତ ଯେପରି ପଶ୍ଚିମ ଜର୍ମାନୀର ସରକାରଙ୍କୁ କୌଣସି ପ୍ରକାରେ ଭୁଲ ନବୁଝେ, ଖୁବ୍‌ ସମ୍ଭବ ସେହି କାରଣରୁ ହିଁ ଶ୍ରୀଯୁକ୍ତ ଫଷ୍ଟର୍‍ ଜର୍ମାନୀରେ ଆସି ପହଞ୍ଚିବା ପୂର୍ବରୁ ଏହିପରି ଗୋଟିଏ କୈଫିୟତ୍‌ ତାଙ୍କୁ ଦେବାକୁ ପଡ଼ିଛି ଏବଂ ଏକଥା ମଧ୍ୟ ସମ୍ପୂର୍ଣ୍ଣ ସତ୍ୟ ଯେ ଶ୍ରୀଯୁକ୍ତ ଫଷ୍ଟରଙ୍କର ଜର୍ମାନୀ ଅବସ୍ଥାନ କାଳରେ ଜର୍ମାନୀ ସରକାରରେ ଥିବା ତୁଙ୍ଗ ମୁଖ୍ୟମାନେ ତାଙ୍କ ସହିତ କଦାପି ବର୍ଣ୍ଣବୈଷମ୍ୟ ବିଷୟରେ ପ୍ରସଙ୍ଗ ପକାଇବେ ନାହିଁ । ସେମାନେ ବର୍ଣ୍ଣବୈଷମ୍ୟର ନୀତିକୁ ଆଦୌ ସ୍ୱୀକୃତି ଦେଉନାହାନ୍ତି ବୋଲି ଅତିଥିଙ୍କ ସମ୍ମୁଖରେ କଦାପି କହିବେ ନାହିଁ । ସେମାନେ ତାଙ୍କ ସହିତ ବାଣିଜ୍ୟ କାରବାର ବିଷୟରେ ଆଲୋଚନା କରିବେ । ଦ୍ୱିଦେଶୀୟ ଦେଣନେଣ ଓ ବିକାକିଣା ବିଷୟରେ ଆଲୋଚନା କରିବେ, ହାଟବଜାର ବିଷୟରେ ଆଲୋଚନା କରିବେ ଏବଂ ଏହି ଯାବତ ଆଲୋଚନା ସମୟରେ ଦକ୍ଷିଣ ଆଫ୍ରିକା ସରକାରଙ୍କ ଦ୍ୱାରା ଆଚରିତ ବର୍ଣ୍ଣବୈଷମ୍ୟ ନୀତି ଏବଂ ସେହି ବିଷୟରେ ପଶ୍ଚିମ ଜର୍ମାନୀ ସରକାରଙ୍କର ବିବୃତ୍ତ ମତାମତଗୁଡ଼ାକ ଅତ୍ୟନ୍ତ ସୁନିଶ୍ଚିତ ଭାବରେ ବିସ୍ମୃତ ହୋଇ ରହିଯିବ ।

 

ଶ୍ରୀଯୁକ୍ତ ଫଷ୍ଟର୍‍ ପଶ୍ଚିମ ଜର୍ମାନୀରେ ରହିଥିବା ସମୟରେ ଆମେରିକା ବୈଦେଶିକ ବ୍ୟାପାରର ମୁଖ୍ୟ ହେନ୍‌ରି କିସିଞ୍ଜର ମଧ୍ୟ ପଶ୍ଚିମ ଜର୍ମାନୀ ଆସିବେ ଏବଂ ସେଇଠି ଦୁଇ ନେତାଙ୍କର ଭେଟ ହେବ । ଭେଟାଭେଟି ହୋଇ ସେମାନେ ପ୍ରକୃତରେ କ’ଣସବୁ କଥା ପକାଇବେ-? ସ୍ମରଣ ରଖିବା ଉଚିତ ଯେ ଶ୍ରୀଯୁକ୍ତ କିସିଞ୍ଜର ମଧ୍ୟ ଜର୍ମାନୀରେ ଫଷ୍ଟରଙ୍କ ସହିତ ସାକ୍ଷାତ କରିବାଲାଗି ଆମେରିକାରୁ ବାହାରିବା ସମୟରେ ଦକ୍ଷିଣ ଆଫ୍ରିକାର ସଂଖ୍ୟାଲଘୁ ଦୌରାତ୍ମ୍ୟ, ଅନ୍ୟାୟ ଏବଂ ବର୍ଣ୍ଣବୈଷମ୍ୟ ନୀତିର ତୀବ୍ର ନିନ୍ଦାବାଦ କରିଛନ୍ତି ଏବଂ ଶ୍ରୀଯୁକ୍ତ ଫଷ୍ଟରଙ୍କ ସହିତ କଥାବାର୍ତ୍ତା କଲାବେଳେ ସିଏ ଯେ ସେହିସବୁ ପ୍ରସଙ୍ଗର ଉତ୍‌ଥାପନ କରିବେ, ସେପରି ବିଶ୍ୱାସ କରିବାଲାଗି ଆଦୌ କୌଣସି ବିଶେଷ କାରଣ ଆଖି ଆଗରେ ମୋଟେ ଦିଶୁନାହିଁ-। ଆମେରିକାର ଦକ୍ଷିଣ ଆଫ୍ରିକା ସହିତ ନିବିଡ଼ ବାଣିଜ୍ୟ ସମ୍ପର୍କ ରହିଛି । ଏହି କ୍ଷେତ୍ରରେ ଦୁହେଁ ଦୁହିଁଙ୍କ ଉପରେ ନିର୍ଭରଶୀଳ ହୋଇ ରହିଛନ୍ତି । ଇଂଲଣ୍ଡ, ଆମେରିକା, ପଶ୍ଚିମ ଜର୍ମାନୀ ଓ ଫ୍ରାନ୍‌ସ ପ୍ରଭୃତି ଶିଳ୍ପବିକଶିତ ଦେଶଗୁଡ଼ିକ ସହିତ ଦକ୍ଷିଣ ଆଫ୍ରିକାର ଅନ୍ତରଙ୍ଗ ବାଣିଜ୍ୟ ସମ୍ପର୍କ ରହିଛି, ସାମାରିକ ସହଯୋଗର ମଧ୍ୟ କେତେ କେତେ ସମ୍ପର୍କ ରହିଛି ଏବଂ ଠିକ୍‌ ସେହି କାରଣରୁ ହିଁ ବାହାରେ ସବୁଆଡ଼େ ଦକ୍ଷିଣ ଆଫ୍ରିକା ଉପରେ ନିନ୍ଦାବାଦର ବର୍ଷଣା ଲାଗି ରହିଥିବା ସତ୍ତ୍ୱେ ଦକ୍ଷିଣ ଆଫ୍ରିକାରେ ତୁଚ୍ଛା ଅନ୍ୟାୟଗୁଡ଼ାକ ହିଁ ରାଷ୍ଟ୍ରରୂପେ ପ୍ରତିଷ୍ଠିତ ହୋଇ ରହିପାରିଛି । ଏହା ହେଉଛି ସବୁଠାରୁ ବଡ଼ ବିସ୍ମୟର କଥା ।

 

ତା ୨୩.୦୬.୧୯୭୬ ରିଖ

Image

 

ଅନୌପଚାରିକ ଶିକ୍ଷା

 

ଔପଚାରିକ ଭାବରେ କୌଣସି ସ୍କୁଲ ବା କଲେଜକୁ ଯାଇ ଯେଉଁ ଶିକ୍ଷା ଲାଭ କରାଯାଏ, ଶାସ୍ତ୍ରର ପରିଭାଷା ଅନୁସାରେ ତାହାକୁ ଔପଚାରିକ ଶିକ୍ଷା ବୋଲି କୁହାଯାଏ । କିନ୍ତୁ ଖାଲି ସ୍କୁଲ ଭିତରେ ଯେ ଶିକ୍ଷାଲାଭ ହୁଏ, ସେକଥା ଆଦୌ ନୁହେଁ । ସ୍କୁଲ ବାହାରେ ମଧ୍ୟ ଶିକ୍ଷାଲାଭ ହୁଏ । ବହି ଭିତରେ ଯେ ସବୁଯାକ ପାଠ ଭର୍ତ୍ତିହୋଇ ରହିଥାଏ ଓ ଜୀବନରେ ପାଠ ପଢ଼ିବାକୁ ଗଲେ ସମସ୍ତଙ୍କୁ ଯେ ବହିର ହିଁ ଶରଣ ନେବାକୁ ପଡ଼େ, ସେକଥା ଆଦୌ ନୁହେଁ । ବହି ବାହାରେ ମଧ୍ୟ ପାଠ ପଢ଼ାଯାଏ, ବୃହତ୍ତର ଜୀବନ ମଧ୍ୟ ବିଦ୍ୟାଲାଭର କ୍ଷେତ୍ରରୂପେ ବ୍ୟବହୃତ ହୋଇପାରେ ।

ବସ୍ତୁତଃ ପୃଥିବୀରେ ଅଧିକ ପରିମାଣରେ ଶିକ୍ଷା ବହି ବାହାରେ ହୁଏ, ଇସ୍କୁଲ ବାହାରେ ହୁଏ, ଅନୌପଚାରିକ ଭାବରେ ହୁଏ ଏବଂ, ଶିକ୍ଷା ବୋଲି ଆମ ଜୀବନରେ ଯାହାସବୁ ପ୍ରକୃତରେ କୌଣସି କାମ ଦିଏ, ଆମେ ଅଧିକାଂଶ ସ୍ଥଳରେ ବହି ବାହାରୁ, ଇସ୍କୁଲ ବାହାରୁ ହିଁ ସେଗୁଡ଼ାକୁ ଶିଖିଥାଉ, ଆମେ ସେଗୁଡ଼ାକୁ ଅଙ୍ଗେ ନିଭାଇ ଶିଖିଥାଉ, ଅନୌପଚାରିକ ଭାବରେ ଶିଖିଥାଉ । ସାଧାରଣ ହିସାବରୁ ଜଣାଯାଉଛି ଯେ, ପୃଥିବୀର ପ୍ରାୟ ଅଧେ ପିଲା ସ୍କୁଲ ଯିବା ବୟସରେ କୌଣସି ସ୍କୁଲକୁ ଆସନ୍ତି ନାହିଁ । ସେମାନଙ୍କ ଲାଗି କୌଣସି ସ୍କୁଲ ନଥାଏ । ଯେଉଁଠି ସ୍କୁଲ ଥାଏ, ଆର୍ଥିକ ଓ ସାମାଜିକ ନାନାବିଧ କାରଣରୁ ସେମାନେ କୌଣସି ପ୍ରକାର ସ୍କୁଲର ମୁହଁ ଦେଖିପାରନ୍ତି ନାହିଁ । ମାତ୍ର ତା’ ବୋଲି ସେମାନେ ଯେ ଅଶିକ୍ଷିତ ହୋଇ ରହିଯାନ୍ତି, ସେକଥା ଆଦୌ ନୁହେଁ । ସେମାନେ କୌଣସି ଔପଚାରିକ ଶିକ୍ଷାର ସୁଯୋଗ ଲାଭ କରିପାରନ୍ତି ନାହିଁ ସତ, ମାତ୍ର ତଥାପି ଜୀବନ ଭିତରେ ହିଁ ଜୀବନଲାଗି ପ୍ରଶିକ୍ଷିତ ହୁଅନ୍ତି । ଔପଚାରିକ ଓ ଅନୌପଚାରିକ ଏହି ଦୁଇ ପ୍ରକାରର ଶିକ୍ଷା ମଧ୍ୟରୁ କୋଉଟା ଆମର ଜୀବନରେ ପ୍ରକୃତରେ ଅଧିକ କାମଦିଏ, ଜୀବନରେ ପ୍ରବେଶ କଲାବେଳେ କୋଉଟା ଆମକୁ ଅଧିକ ବଳ ଓ ଅଧିକ ବିଶ୍ୱାସ ଦିଏ, ସେକଥା ଠିକ୍‌ କରି କହିଦେଇ ପାରିବା ଆଦୌ ସମ୍ଭବ ନୁହେଁ । କୋଉ ଶିକ୍ଷାଟା ମଣିଷକୁ ବାସ୍ତବ ଜୀବନକ୍ଷେତ୍ରରେ ଅଧିକ ପରମୁଖାପେକ୍ଷୀ କରି ରଖେ, ସେକଥା ମଧ୍ୟ କହିପାରିବା ଆଦୌ ସହଜ ନୁହେଁ ।

ଆଗେ ଭାରତବର୍ଷର ସମାଜରେ ତନ୍ତୀପୁଅ ତନ୍ତୀବାପ ପାଖରେ ତା’ର କାର୍ଯ୍ୟରେ ସହାୟତା କରି ନିଜର ବେଉସା ଶିଖୁଥିଲା । କୁମ୍ଭାରପୁଅ କୁମ୍ଭାରବାପ ପାଖରେ କୁମ୍ଭାରର କାର୍ଯ୍ୟ ଶିକ୍ଷା କରୁଥିଲା ଓ ବଡ଼ ହୋଇ ସ୍ୱୟଂ କୁମ୍ଭାର ହୋଇପାରୁଥିଲା । ଚଷା ପୁଅ ବାପା ସାଙ୍ଗରେ ବିଲକୁ ଯାଉଥିଲା, ସହାୟତା କରୁଥିଲା ଓ ବଡ଼ ହୋଇ ଚଷା ହୋଇ ପାରୁଥିଲା । ଏହିପରି ଭାବରେ ବେଉସାମାନେ ପୁରୁଷାନୁକ୍ରମିକ ଭାବରେ ଗଡ଼ିଗଡ଼ି ଆସୁଥିଲେ ଓ ସାମାଜିକ ଜୀବନର ସମ୍ୱନ୍ଧ ଚକଗୁଡ଼ାକୁ ବେଶ୍‌ ସ୍ୱାଭାବିକ ଭାବରେ ଗଡ଼ାଇ ଆଣୁଥିଲେ । ଭାରତୀୟ ପାରମ୍ପରିକ ସମାଜ ଏହି ଚକଗୁଡ଼ିକ ଉପରେ ହିଁ ଗତିଶୀଳ ହୋଇ ରହିଥିଲା, ମୁଖ୍ୟତଃ ଏକ ଅନୌପଚାରିକତାକୁ ଖମ୍ୱ କରି ରହିଥିଲା । ଗାଆଁ ଥିଲା, ସହର ବି ଥିଲା । ଗାଆଁ ସହର ପାଖରେ ଅସହାୟ ଭାବରେ ଆଦୌ ନିର୍ଭରଶୀଳ ହୋଇ ରହିନଥିଲା । ଗାଆଁ ଆଉ ସହର ଉଭୟେ ପରସ୍ପରର ପରିପୂରକ ହୋଇ ରହିଥିଲେ । ଗାଆଁ ସହରଗୁଡ଼ାକୁ ଏକ ମଜବୁତ ମୂଳଦୁଆ ଓ ନିର୍ଭରଶୀଳତା ଯୋଗାଇ ଦେଉଥିଲା, ସହର ଗାଆଁଗୁଡ଼ିକ ଲାଗି ବାହାର ସଂସାର ସହିତ ଯୋଗାଯୋଗ ସ୍ଥାପନର ଗବାକ୍ଷ ଯୋଗାଇ ଦେଉଥିଲା-। ଆଲ୍‌ବରୁନିଙ୍କଠାରୁ ଆରମ୍ଭ କରି ଇଂରେଜ ଏଲଫିନ୍‌ଷ୍ଟୋନ୍‌ଙ୍କ ପର୍ଯ୍ୟନ୍ତ ଯେଉଁମାନେ ଯେତେବେଳେ ଭାରତୀୟ ସମାଜ ବିଷୟରେ କିଛି ଲେଖିଛନ୍ତି, ସେମାନେ ସମସ୍ତେ ଏହି ଦେଶର ଗୋଷ୍ଠୀଜୀବନ ଭିତରେ ଚଉକଷ ହୋଇ ରହିଥିବା ଅନୌପଚାରିକ ଶିକ୍ଷା ଓ ଅନୌପଚାରିକ ସାମାଜିକ ବ୍ୟବସ୍ଥାଗୁଡ଼ିକ ବିଷୟରେ ପ୍ରାୟ ଶତମୁଖ ହୋଇ ବର୍ଣ୍ଣନା କରିଛନ୍ତି ।

ଆମର ଏଯୁଗରେ ଔପଚାରିକ ଶିକ୍ଷା ହିଁ ପ୍ରକୃତ ଶିକ୍ଷା ବୋଲି ସ୍ୱୀକୃତ ହେଉଛି । ନାନା କାରଣରୁ ଓ ନାନା ଆବଶ୍ୟକତାରୁ ଏପରି ହୋଇଛି । ଯେଉଁମାନେ ଏହି ଔପଚାରିକ ଶିକ୍ଷା ଲାଭ କରୁଛନ୍ତି, ଆମେ ସେହିମାନଙ୍କୁ ହିଁ ଶିକ୍ଷିତ ବୋଲି ସ୍ୱୀକୃତି ଦେଉଛୁ, ସେହିମାନଙ୍କ ହାତରେ ହିଁ ଆମର ସମାଜ ଓ ରାଷ୍ଟ୍ରକୁ ଚଳାଇବାର ଦଉଡ଼ିଗୁଡ଼ାକୁ ନେଇ ଧରାଇଦେଉଛୁ । ସେହିମାନେ ଶିକ୍ଷିତ ହେଲେ ବୋଲି ସ୍ୱୀକୃତ ପ୍ରମାଣପତ୍ର ପାଇପାରୁଛନ୍ତି ଓ ପାରଙ୍ଗମ ହେଲେ ବୋଲି ଚିହ୍ନଟ ହୋଇ ରହୁଛନ୍ତି । ତେଣୁ ଅନୌପଚାରିକ ଶିକ୍ଷାର କଥା କହିବା ସମୟରେ ଔପଚାରିକତାରେ ମଣ ହୋଇ ରହିଥିବା ଆମକୁ ସତେଅବା କେମିତି କେମିତି ଲାଗୁଛି । ଅନେକ ସମୟରେ ସେହି ବିଷୟରେ ଆମେ ହୁଏତ କିଛି ଚିନ୍ତା ବି କରିପାରୁନାହୁଁ ।

ଔପଚାରିକ ଶିକ୍ଷାରୁ ଉପୁଜୁଥିବା କେତେକ ପ୍ରମାଦ ଫଳରେ ଏବେ ପୃଥିବୀସାରା ଶିକ୍ଷାବିତ୍‌ମାନେ ପୁନର୍ବାର ଅନୌପଚାରିକ ଶିକ୍ଷା ବିଷୟରେ ଚିନ୍ତା ଓ ସାହସ କରିବାକୁ ଆରମ୍ଭ କଲେଣି । ଇଉନେସ୍କୋ ସ୍ତରରେ ରାଷ୍ଟ୍ରୀୟ ପ୍ରତିନିଧିମାନେ ଏହି ବିଷୟରେ ପଚରାଉଚରା ହେଲେଣି, ମୁଣ୍ଡ ଖେଳେଇଲେଣି, ଆମ ଭାରତବର୍ଷରେ ମଧ୍ୟ ରାଷ୍ଟ୍ର ସ୍ତରରେ ଏଦିଗରେ ନାନା ପଦକ୍ଷେପ ଗ୍ରହଣ କରାଯିବା ଲାଗି ବିଚାର ପଡ଼ିଲାଣି । ଏହି ପରିବର୍ତ୍ତନଟି ସମ୍ୱନ୍ଧରେ ପ୍ରକୃତରେ ଆମ ସମସ୍ତଙ୍କର ଚିନ୍ତା କରିବା ଉଚିତ । କାର୍ଯ୍ୟ ଆରମ୍ଭ କରିବା ଉଚିତ ।

ତା ୨୫.୦୬.୧୯୭୬ ରିଖ

Image

 

ଆଙ୍ଗୋଲା ଓ ଆମେରିକା

 

ଇଉରୋପବାସୀମାନଙ୍କ ପାଇଁ ଯେତେବେଳେ ଆମେରିକାର ଆବିଷ୍କାର ହୋଇ ନଥିଲା, ସେତେବେଳେ ଆଙ୍ଗୋଲା ମଧ୍ୟ ଆବିଷ୍କୃତ ହୋଇନଥିଲା । ଏକ ଭୂମି ରୂପେ ଆଙ୍ଗୋଲା ଅବଶ୍ୟ ରହିଥିଲା, ସେଠାରେ ଆଙ୍ଗୋଲାବାସୀ ଅବଶ୍ୟ ବାସ କରୁଥିଲେ । ମାତ୍ର ଆଙ୍ଗୋଲା ସେତେବେଳେ ପୃଥିବୀର ମାନଚିତ୍ର ଭିତରକୁ ଆସିନଥିଲା ଏବଂ ଇଉରୋପୀୟମାନେ ହିଁ ସେତେବେଳେ ପୃଥିବୀର ମାନଚିତ୍ରଟାକୁ ତିଆରି କରୁଥିଲେ । ପୃଥିବୀର ରାଜନୀତିକ ମାନଚିତ୍ର ତିଆରି ହେଇଥିବା ସଙ୍ଗେ ସଙ୍ଗେ ପୃଥିବୀର ଭୌଗୋଳିକ ମାନଚିତ୍ର ବି ତିଆରି ହୋଇଯିବାରେ ଲାଗିଥିଲା ।

 

ପୃଥିବୀର ମାନଚିତ୍ର ଭିତରକୁ ଆଙ୍ଗୋଲା ସର୍ବପ୍ରଥମେ ଏକ ଉପନିବେଶ ରୂପେ ପ୍ରବେଶ ଲାଭ କଲା । ପର୍ତ୍ତୁଗାଲ୍‍ର ଗୋଟିଏ ଅନ୍ୟତମ ଉପନିବେଶ ବୋଲି ଚିହ୍ନଟ ହୋଇ ରହିଲା-। ପୃଥିବୀର ଲୋକମାନେ ଓ ପୃଥିବୀର ତତ୍କାଳୀନ ରାଜନୀତି ତାକୁ ଆଉ ଆଙ୍ଗୋଲା ବୋଲି ନ ଚିହ୍ନି ପର୍ତ୍ତୁଗାଲ୍‍ର ଅଧୀନସ୍ଥ ଗୋଟିଏ ଉପନିବେଶ ବୋଲି ଚିହ୍ନିଲେ । ଆଫ୍ରିକା ମହାଦେଶଟାକୁ ଯେଉଁ ଆବିଷ୍କର୍ତ୍ତାମାନେ ଆପଣା ମଧ୍ୟରେ ଚେନା ଚେନା କରି ବାଣ୍ଟିନେଲେ, ସେମାନଙ୍କ ମଧ୍ୟରୁ ପର୍ତ୍ତୁଗାଲ ହିଁ ଆଙ୍ଗୋଲାର ମାଲିକ ହୋଇ ରହିଲା ।

 

ଆକାରରେ ଏବଂ ବିସ୍ତାରରେ ଆଙ୍ଗୋଲା ପର୍ତ୍ତୁଗାଲଠାରୁ ଅନେକ ଗୁଣ ବଡ଼ ହେବ । ପ୍ରାକୃତିକ ସମ୍ପଦର କ୍ଷେତ୍ରରେ ମଧ୍ୟ ଆମେ ଆଙ୍ଗୋଲାକୁ ପର୍ତ୍ତୁଗାଲଠାରୁ ଅଧିକ ବିଭବଶାଳୀ ବୋଲି କହିପାରିବା । ପର୍ତ୍ତୁଗାଲ ଗୋଟିଏ ଦେଶ ହିସାବରେ ସ୍ୱାଧୀନ ଥିଲା, କେତେଟା ଉପନିବେଶର ମାଲିକ ହୋଇ ବି ରହିଥିଲା । ମାତ୍ର ରାଜନୀତିକ ଗଣବିବର୍ତ୍ତନ ଦୃଷ୍ଟିରୁ ପର୍ତ୍ତୁଗାଲ ଓ ଆଙ୍ଗୋଲା ଦୁହେଁଯାକ ପ୍ରାୟ ଗୋଟିଏ ସମୟରେ ହିଁ ଆଧୁନିକ ରାଜନୀତିର ସୋପାନଟି ଉପରକୁ ପ୍ରବିଷ୍ଟ ହୋଇଆସିଲେ ବୋଲି ମଧ୍ୟ ବେଶ୍‌ କୁହାଯାଇପାରିବ । ରାଜନୀତିକ ସ୍ଥିରତା ଦୃଷ୍ଟିରୁ ବିଚାର କରି ଦେଖିଲେ ଆଙ୍ଗୋଲା ବର୍ତ୍ତମାନ ଯେଉଁ ସ୍ତରରେ ରହିଛି, ପର୍ତ୍ତୁଗାଲ ମଧ୍ୟ ପ୍ରାୟ ସେହି ସ୍ତରରେ ରହିଛି ବୋଲି ଏକାଧିକ କାରଣ ଦର୍ଶାଇ ନିଶ୍ଚୟ କୁହାଯାଇପାରିବ ।

 

ମାତ୍ର ଅଳ୍ପ କେତେମାସ ପୂର୍ବେ ଯେତେବେଳେ ଆଙ୍ଗୋଲା ଆପଣା ମୁକ୍ତି ସଂଗ୍ରାମର ସର୍ବଶେଷ ପର୍ଯ୍ୟାୟଟି ଦେଇ ଉତ୍ତୀର୍ଣ୍ଣ ହୋଇଆସୁଥିଲା, ଠିକ୍‌ ସେତିକିବେଳେ ଏଣୁ ମାର୍କିନ ଯୁକ୍ତରାଷ୍ଟ୍ର ଏବଂ ତେଣୁ ଦକ୍ଷିଣ ଆଫ୍ରିକା ଉଭୟେ ହସ୍ତକ୍ଷେପ କରିବା ଲାଗି କେତେ ପ୍ରକାରରେ ବିଚକ୍ଷଣତା ଦେଖାଇଥିଲେ । ସେହି ବିଚକ୍ଷଣତାଗୁଡ଼ାକ ବିଫଳ ହୋଇ ଯାଇଥିଲା । ତାହାର ସର୍ବପ୍ରଧାନ କାରଣ ହେଉଛି ଯେ ଉପନିବେଶର ଯୁଗ ଓ ଦୃଶ୍ୟ ତଥା ଅଦୃଶ୍ୟ ଉଭୟ ପ୍ରକାରର ସାମ୍ରାଜ୍ୟବାଦ ଯୁଗର ଏବେ ଅବସାନ ଘଟି ଆସିଲାଣି । ଏହି ଯୁଗଟା ଯେ ଆଉ କଦାପି ପୃଥିବୀର ଭାଗ୍ୟକ୍ଷେତ୍ରକୁ ଫେରିଆସିବ ନାହିଁ, ସେହି ବିଷୟରେ ଏକ ସୁଦୃଢ଼ ପ୍ରତ୍ୟୟ ବିଶ୍ୱ ରାଜନୀତିରେ ଏବଂ ବିଶ୍ୱ ଜନମନରେ ତିଆରି ହୋଇସାରିଲାଣି । କିନ୍ତୁ ପୁରୁଣା ବ୍ୟବସ୍ଥାଟାରୁ ଯେଉଁମାନେ ଲାଭବାନ ହୋଇଆସିଛନ୍ତି, ପୃଥିବୀର ଗୋଟାକୁଗୋଟା ମହାଦେଶକୁ ଅନ୍ଧକାର ମଧ୍ୟରେ ବୁଡ଼ାଇ ରଖି ଯେଉଁମାନେ ଆପଣା ପ୍ରତିପତ୍ତର ବିପଣିଗୁଡ଼ାକୁ ଚଳାଇ ଆସିଛନ୍ତି, ସେମାନେ ଯେ ଏହିସବୁ ପରିବର୍ତ୍ତନଗୁଡ଼ାକ ବିଷୟରେ ଆଦୌ ସହଜରେ ପରତେ ଯିବେ ନାହିଁ, ଏକଥା ଅତ୍ୟନ୍ତ ସ୍ୱାଭାବିକ-। ସେମାନେ ବିଗତ ପ୍ରାୟ ଦେଢ଼ ଶତାବ୍ଦୀ ହେଲା ଯାହା କରିଆସିଥିଲେ, ଆଜି ମଧ୍ୟ ତାକତ ଥିବାତକ ଠିକ୍‌ ସେହିପରି କରିବାକୁ ମନ କରିବେ । ସେମାନେ ଏପର୍ଯ୍ୟନ୍ତ ଆପଣାର ଖୁସୀ ଅନୁସାରେ ହିଁ ପୃଥିବୀର ଭାଗ୍ୟଟାକୁ ଏପାଖ ସେପାଖ କରି ଆସିଥିଲେ, ଆପଣାର ସ୍ୱାର୍ଥଯୋଜନା ବୋଲି ଧରିନେଇଥିଲେ, ସେମାନଙ୍କ ଆପଣା ଭିତରେ ଲାଗୁଥିବା ସ୍ୱାର୍ଥଯୁଦ୍ଧଗୁଡ଼ାକୁ ବିଶ୍ୱଯୁଦ୍ଧ ବୋଲି କହୁଥିଲେ । ସେମାନେ ଏବେ ମଧ୍ୟ ଆମ ପୃଥିବୀଟି ପ୍ରାୟ ଠିକ୍‌ ସେହିପରି ହୋଇ ରହିଛି ବୋଲି ସ୍ୱପ୍ନ ଦେଖିଛନ୍ତି । ସେମାନଙ୍କର ଯାବତୀୟ ଆଦର୍ଶବାଦ, ସ୍ପୃହା ଓ ଆସ୍ପୃହା ପ୍ରଧାନତଃ ସେହି ପୁରୁଣା ଅଭ୍ୟସ୍ତତାଗୁଡ଼ାକ ମଧ୍ୟରେ ଛନ୍ଦି ହୋଇ ରହିଛି । ସଂସାରଯାକ ସବୁକିଛି ହୁ ହୁ ହୋଇ ବଦଳିଯିବାରେ ଲାଗିଥିଲେ ମଧ୍ୟ ସେମାନେ ସେକଥାକୁ ବିଶ୍ୱାସ କରିବାକୁ ଆଦୌ ରାଜି ହୋଇ ପାରୁନାହାନ୍ତି । ସେମାନେ ସେକଥାକୁ ବିଶ୍ୱାସ କରିବାକୁ ଆଦୌରାଜି ହୋଇ ପାରୁନାହାନ୍ତି । ସେମାନେ ଆପଣାକୁ ଆଦୌ ବଦଳାଇ ପାରୁନାହାନ୍ତି ।

 

ଏହି ସପ୍ତାହରେ ବିଶ୍ୱ ନିରାପତ୍ତା ପରିଷଦରେ ଆଙ୍ଗୋଲାର କଥା ପଡ଼ିଥିଲା । ମିଳିତ ଜାତିସଂଘର ସଭ୍ୟ ହେବାଲାଗି ଆଙ୍ଗୋଲା ସରକାରୀ ଭାବରେ ଯେଉଁ ଆବେଦନ କରିଥିଲା, ଏଥର ତାହାରି ବିଚାର ହେଉନଥିଲା । ଆଙ୍ଗୋଲାକୁ ଜାତିସଂଘର ସଦସ୍ୟ କରି ନିଆଯାଉ ବୋଲି ତେରଜଣରୁ ଏଗାରଜଣ ସପକ୍ଷରେ ଭୋଟ ଦେଲେ, ବହୁମତ ଦ୍ୱାରା ଗୃହୀତ ଏହି ପ୍ରସ୍ତାବଟି ଉପରେ ନିଜର ଭେଟୋ କ୍ଷମତାର ପ୍ରୟୋଗ କରି ଆମେରିକା ତାହାକୁ ଅଗ୍ରାହ୍ୟ କରି ରଖିଲା । ଆଙ୍ଗୋଲା ଦେଶରେ ଏବେ ମଧ୍ୟ ବିଦେଶୀ ସୈନ୍ୟ ରହିଛନ୍ତି ଓ ଆଙ୍ଗୋଲାର ରାଜନୀତି ଏପର୍ଯ୍ୟନ୍ତ ସ୍ୱାଧୀନ ଭାବରେ ନିର୍ଣ୍ଣିତ ହେଉନାହିଁ ବୋଲି କାରଣ ଦେଖାଇ ଆମେରିକାର ପ୍ରତିନିଧି ତାଙ୍କ ସରକାରଙ୍କର ଭେଟୋ ପ୍ରୟୋଗଟିର ଘୋଷଣା କରିଦେଲେ ।

 

ମାତ୍ର ଗୋଟିଏ ଦୁଇଟି ଦେଶକୁ ଛାଡ଼ିଦେଲେ ଇଉରୋପ ମହାଦେଶର ପ୍ରାୟ ପ୍ରତ୍ୟେକ ଦେଶରେ ବିଦେଶୀ ସୈନ୍ୟ ମୁତୟନ କରାହୋଇ ରହିଛନ୍ତି । ନାନାପ୍ରକାର କାରଣ ଦେଖାଇ ସେମାନେ ସେଠାରେ ରହିଛନ୍ତି । ପୃଥିବୀର ଅଧିକାଂଶ ସାମରିକ ମେଣ୍ଟଗୁଡ଼ିକୁ ଆମେ ବିଭିନ୍ନ ସ୍ୱତନ୍ତ୍ର ଦେଶ ଭିତରେ ଏକ ମେଣ୍ଟ ବୋଲି ଯେତେ ନ କହିବା, ଅନେକ ସାନ ସାନ ଦେଶର ରାଜନୀତି ଓ ରାଷ୍ଟ୍ରନୀତି ଉପରେ ପୃଥିବୀରେ ବୃହତ୍‌ଶକ୍ତି ବୋଲାଉଥିବା ମାତ୍ର କେତୋଟି ବୃହତ୍‌ ରାଷ୍ଟ୍ରଙ୍କର ଏକପାଖିଆ ହସ୍ତକ୍ଷେପ ବୋଲି ତା’ଠାରୁ ଅନେକ ଅଧିକ ପରିମାଣରେ କହିପାରିବା । ଚୀନ ସାଧାରଣତନ୍ତ୍ର ଉପରେ ଖପ୍‌ପା ହୋଇ ଆମେରିକା ଯୁକ୍ତରାଷ୍ଟ୍ର ଯେପରି ବେଶ୍‌ କେତେବର୍ଷ କାଳ ଦେହ ଫୁଲାଇ ଲାଙ୍ଗୁଡ଼ ବାଡ଼େଇବାରେ ଲାଗିଥିଲା ଓ ଶେଷକୁ ପରିସ୍ଥିତି ଦ୍ୱାରା ହାସ୍ୟାସ୍ପଦ ହୋଇ ତାକୁ ଯେପରି ବାଟ ଛାଡ଼ି ଦେବାକୁ ହେଲା, ଆଙ୍ଗୋଲାର କ୍ଷେତ୍ରରେ ମଧ୍ୟ ଆମେରିକା ସରକାରଙ୍କର ପୁରୁଣା ବୁଦ୍ଧି ସେହି ପ୍ରହସନ ଓ ସେହି ବିଭକ୍ତିର ଏକ ପୁନରାବୃତ୍ତି କରିବା ଲାଗି ବିଚାରି ନାହିଁ ତ ? ମାତ୍ର, ଏଠାରେ ଏକଥାଟିକୁ ଅବଶ୍ୟ ସ୍ମରଣ ରଖିବାକୁ ପଡ଼ିବ ଯେ ଏସବୁ ଅନମନୀୟତାର ପ୍ରଦର୍ଶନ ଦ୍ୱାରା ଆମେରିକା ଆଙ୍ଗୋଲା, ଆଫ୍ରିକା ଅଥବା ପୃଥିବୀର ସମ୍ମୁଖଗତି ବିବର୍ତ୍ତନକୁ ହୁଏତ କିଞ୍ଚିତ୍‌ ପରିମାଣରେ ବିଳମ୍ୱିତ କରି ରଖିପାରିବ ସତ, ମାତ୍ର କଦାପି ସବୁଦିନ ଲାଗି ଅଟକାଇ ରଖିପାରିବ ନାହିଁ ।

 

ତା ୨୮.୦୬.୧୯୭୬ ରିଖ

Image

 

Unknown

ବିଶ୍ୱ-ବୈଷମ୍ୟ

 

ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧି ଏବେ ତାଙ୍କର ଋଷିଆ ଗସ୍ତ ସମୟରେ ବିଭିନ୍ନ ଅବସରରେ ଯେଉଁସବୁ ଆନୁଷ୍ଠାନିକ ଭାଷଣ ଦେଇଛନ୍ତି, ସେଥିରେ ସେ ଅନେକ ମହତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗର ଉତ୍‌ଥାପନ କରିଛନ୍ତି । ଋଷିଆର ଏକ ବୁଦ୍ଧିଜୀବୀ ସମାବେଶରେ ରାଜଧାନୀ ମସ୍କୋ ସହରରେ ଭାଷଣ ଦେଇ ସେ ଆମର ସାଂପ୍ରତିକ ପୃଥିବୀରେ ଦେଶ ଦେଶ ଓ ଜାତି ଜାତି ମଧ୍ୟରେ ରହିଥିବା ବିଷମତାର ସମସ୍ୟାଟି ଆଡ଼କୁ ସଂପୃକ୍ତ ସଭିଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି । ଗୋଟିଏ ଦେଶ ଅଥବା ଜାତି ଭିତରେ ରହିଥିବା ବୈଷମ୍ୟଗୁଡ଼ାକ ଯେପରି ପରିଶେଷରେ ସେହି ଦେଶ ଓ ଜାତିକୁ ଦୁର୍ବଳ କରି ପକାଇବାର କାରଣ ହେବାର ହିଁ ଅଧିକ ସାହାଯ୍ୟ କରିଥାଏ, ସେହିପରି ପୃଥିବୀର ଜାତି ଜାତି ଓ ଦେଶ ଦେଶ ମଧ୍ୟରେ ରହିଥିବା ବିଷମତାଗୁଡ଼ାକ ସମଗ୍ର ବିଶ୍ୱକୁ ହିଁ କ୍ରମଶଃ ଦୁର୍ବଳ କରିପକାଇବ ଓ ପରିଶେଷରେ ସମ୍ପନ୍ନ ତଥା ଅସମ୍ପନ୍ନ ସବୁ ଦେଶକୁ ବିପନ୍ନ କରି ରଖିବାର କାରଣ ହେବାକୁ ବସିବ ବୋଲି ଣ୍ରୀମତୀ ଗାନ୍ଧୀ ସତର୍କବାଣୀ ଶୁଣାଇଛନ୍ତି । ଅତୁଳ ବିନାଶକାରୀ ଶକ୍ତିକୁ ବହନ କରୁଥିବା ଆମ ପୃଥିବୀର ଗଚ୍ଛିତ ଅସ୍ତ୍ରାଗାରଗୁଡ଼ାକଠାରୁ ମଧ୍ୟ ଆନ୍ତର୍ଜାତିକ କ୍ଷେତ୍ରରେ ଆସ୍ଥାନ ମାଡ଼ି ବସିଥିବା ବିଷମତାମାନ ପ୍ରାୟ ଅଧିକ ନିଶ୍ଚିତ ଭାବରେ ଆମ ସମସ୍ତଙ୍କ ପ୍ରତି ଅର୍ଥାତ୍‌ ପୃଥିବୀର ସବୁ ଦେଶ ପ୍ରତି ଏକ ବଡ଼ ବିପଦ ହୋଇ ରହିବ ବୋଲି ସୂଚାଇ ଦେଇଛନ୍ତି ।

 

ପୃଥିବୀର ଗୋଟାଏ ପଟକୁ ବିଶ୍ୱ-ଅର୍ଥନୀତିର ମାନଚିତ୍ର ଉପରେ ବିକଶିତ ଦେଶଗୁଡ଼ିକର ପଟ ବୋଲି କୁହାଯାଏ ଓ ଆଉ ଗୋଟିଏ ପଟକୁ ତଥାକଥିତ ଅଳ୍ପବିକଶିତ ଦେଶଗୁଡ଼ିକର ପଟ ବୋଲି କୁହାଯାଏ । ଏହି ଅଳ୍ପବିକଶିତ ଦେଶଗୁଡ଼ିକୁ ଅନେକ ସମୟରେ ମୁହଁରକ୍ଷା କରି ବିକାଶଶୀଳ ବା ବିକାଶମୁଖୀ ଦେଶ ବୋଲି ମଧ୍ୟ କୁହାଯାଏ । ଏହି ବିକାଶଶୀଳ ଦେଶଗୁଡ଼ିକ ଏବେ ଅର୍ଥାତ୍‌ ବିଗତ ପ୍ରାୟ ପଚାଶବର୍ଷ ମଧ୍ୟରେ ରାଜନୀତିକ ସ୍ୱାଧୀନତା ଲାଭ କରିଛନ୍ତି । ତା’ ପୂର୍ବରୁ ସେମାନେ ଏକ ସାମ୍ରାଜ୍ୟବାଦୀ ବଣ୍ଟନ-ବ୍ୟବସ୍ଥା ମଧ୍ୟରେ କୌଣସି ନା କୌଣସି ସାମ୍ରାଜ୍ୟର ଗୋଟିଏ ଗୋଟିଏ ଉପନିବେଶ ହୋଇ ରହିଥିଲେ । ଏହିସବୁ ଦେଶ ଅର୍ଥାତ୍‌ ଉପନିବେଶର ଅର୍ଥନୀତିଗୁଡ଼ାକ ମଧ୍ୟ ମୂଳ ସାମ୍ରାଜ୍ୟ ବା ଦେଶର ଅର୍ଥନୀତିର କିଙ୍କର ହୋଇ ରହିଥିଲା । କଞ୍ଚାମାଲର ଦେଶ ହୋଇ ରହିଥିଲା, ଶସ୍ତା ଶ୍ରମଶକ୍ତିର ଦେଶ ହୋଇ ରହିଥିଲା ଓ ସହଜଲବ୍‌ଧ ବିକ୍ରୀବଜାର ହୋଇ ରହିଥିଲା । ପୁଞ୍ଜିବାଦର ଯଜ୍ଞରେ ଏହି ଦେଶଗୁଡ଼ିକ ହିଁ ସମିଧରୂପେ ବ୍ୟବହୃତ ହେଉଥିଲେ । ତଦନୁରୂପ ଏକ ଶିକ୍ଷାବ୍ୟବସ୍ଥା ଓ ତଦନୁସାରୀ ଏକ ଶାସନକଳର ବଳରେ ଉପନିବେଶର ମନଟାକୁ ମଧ୍ୟ ପ୍ରାୟ ସର୍ବତ୍ର ସେହି କିଙ୍କରଗିରି ସକାଶେ ମଣ କରି ରଖାଯାଇଥିଲେ । ଇଂଲଣ୍ଡର ସାମ୍ରାଜ୍ୟରୁ ସମ୍ପଦ ଦୁହାଁ ହୋଇ ଇଂଲଣ୍ଡର ଅର୍ଥନୀତିକୁ ସମ୍ପନ୍ନ କରି ରଖାଯାଉଥିଲା । ଆଫ୍ରିକାରେ ଥିବା ଉପନିବେଶଗୁଡ଼ାକର ରକ୍ତରେ ଫ୍ରାନ୍‍ସରେ ଏକ ଉଚ୍ଚତର ଆର୍ଥିକ ମାନର ଜୀବନକୁ ସୁରକ୍ଷିତ କରି ରଖାଯାଉଥିଲା । ବଡ଼ ଇଣ୍ଡୋନେସିଆର କାନ୍ଧ ଉପରେ ସାନ ହଲାଣ୍ଡ ସବାର ହୋଇ ବସିଥିଲା । ଔପନିବେଶିକ କାଳରେ ଏହି ଉପନିବେଶଗୁଡ଼ିକ ତତ୍କାଳୀନ ଯନ୍ତ୍ରବିଜ୍ଞାନ ଓ ଶିଳ୍ପବିପ୍ଳବ ଦ୍ୱାରା ପ୍ରାୟ କୌଣସି ପ୍ରକାରେ ଉପକୃତ ହୋଇପାରି ନଥିଲେ । ଶାସକମାନଙ୍କର ସ୍ୱାର୍ଥମୂଳ ଅନୁଗ୍ରହ ଦ୍ୱାରା ସେମାନେ ଯେଉଁଠି ଯେତିକିର ସୁଯୋଗ ପାଉଥିଲେ, ତାହାକୁ ହିଁ ଭାଗ୍ୟ ବୋଲି ମାନି ଗ୍ରହଣ କରିନେଉଥିଲେ ।

 

ପୃଥିବୀର ବିଷମତାମାନ ଏଇଥିରୁ ଜନ୍ମଲାଭ କଲା । ଉପନିବେଶର ସେହି ଯୁଗରେ ଜ୍ଞାନ ଓ ବିଜ୍ଞାନ ପ୍ରାୟ ଏକଚାଟିଆ ହୋଇ ରହିଥିଲା, ରାଜନୀତିର ଯାବତୀୟ ବିଶ୍ୱକଳ୍ପନା ବଡ଼ ନିର୍ମମ ଭାବରେ ଏକତରଫା ହୋଇ ରହିଥିଲା । ପୃଥିବୀର ଯାବତୀୟ ବେପାର, ବଣିଜ ଓ ବିକାଶ ସେହି ଏକତରଫା ଅବିଚାରଟା ଦ୍ୱାରା ହିଁ ନିର୍ଦ୍ଧାରିତ ହେଉଥିଲା । ଦ୍ୱିତୀୟ ମହାଯୁଦ୍ଧ ପରେ ଯେତେବେଳେ ପୃଥିବୀର ଗୋଟିକ ପରେ ଗୋଟିଏ ପରାଧୀନ ଦେଶ ରାଜନୀତିକ ସ୍ୱାଧୀନତା ଲାଭ କଲେ, ଉପନିବେଶର ଯୁଗଅନ୍ତ ପରେ ପୃଥିବୀର ମାନଚିତ୍ର ଯେତେବେଳେ ଏକ ନୂତନ ଭବିଷ୍ୟଦୃଷ୍ଟିର ମୂଲ୍ୟବୋଧ ଦ୍ୱାରା ଗଢ଼ା ହେବାକୁ ଲାଗିଲା, ସେତେବେଳେ ବିଶ୍ୱସାରା ସମସ୍ତେ ସବୁକ୍ଷେତ୍ରରେ ସବାଆଗ ଏହି ବିଷମତାଗୁଡ଼ାକୁ ହିଁ ସର୍ବାଧିକ ପରିମାଣରେ ପ୍ରତ୍ୟକ୍ଷ କରିବାକୁ ଲାଗିଲେ । ପୁରୁଣା ରାଜନୀତି ସହିତ ପୁରୁଣା ଅର୍ଥନୀତିଟା ମଧ୍ୟ ଭାଙ୍ଗି ନଗଲେ ମନୁଷ୍ୟଜାତି ଯେ ପ୍ରକୃତରେ କୌଣସି ଅଗ୍ରଗତି କରି ପାରିବନାହିଁ, ସେହି କଥାଟି ବିଚାରଶୀଳ ସମସ୍ତଙ୍କ ଆଗରେ ଅଧିକରୁ ଅଧିକ ସ୍ପଷ୍ଟ ହୋଇଗଲା । ଅର୍ଥନୀତି ଏବଂ ଅର୍ଥନୈତିକ କ୍ଷେତ୍ରରେ ଦୃଷ୍ଟିକୋଣଗୁଡ଼ାକରେ ମୌଳିକ ନାନା ପରିବର୍ତ୍ତନ ହୋଇ ନ ପାରିବା ପର୍ଯ୍ୟନ୍ତ ଆନ୍ତର୍ଜାତିକ ରାଜନୀତି ଯେ କାହାରିକୁ ଖୁବ୍‌ ବେଶୀ ପ୍ରତିଶ୍ରୁତି କଦାପି ଦେଇପାରିବ ନାହିଁ, ସେହି କଥାଟି ମଧ୍ୟ ପରିଷ୍କାର ହୋଇଗଲା ।

 

ପୁରାତନ ପୃଥିବୀରେ ଯେଉଁ ଦେଶଗୁଡ଼ିକ ପ୍ରାୟ ସବୁଯାକ ସୁଯୋଗକୁ ମାଡ଼ିବସି ରହିଥିଲେ, ସାଂପ୍ରତିକ ପୃଥିବୀରେ ଖାସ୍‌ ସେହିମାନେ ହିଁ ବିକଶିତ ଦେଶ ହୋଇ ରହିଛନ୍ତି । ଜ୍ଞାନ, ବିଜ୍ଞାନ ତଥା ଆଧୁନିକ ଯାବତୀୟ କୌଶଳର ଲାଭକୁ ପ୍ରଧାନତଃ ଏହିମାନେ ହିଁ ସ୍ୱୟଂ ଭୋଗ କରି ଆସିଛନ୍ତି । ଏମାନେ ଏଯୁଗର ନୂତନ ଆବଶ୍ୟକତା ଓ ନୂତନ ଆକାଂକ୍ଷାଗୁଡ଼ିକ ଅନୁସାରେ ବଦଳିବାକୁ ସହଜରେ ରାଜି ହେଉନାହାନ୍ତି । ଏମାନେ ଅନୁଗ୍ରହ ଦେଖାଇବାକୁ ଆଗଭର ହୋଇ ରହିଛନ୍ତି, ଅସ୍ତ୍ରଶସ୍ତ୍ର ସାହାଯ୍ୟ ଦେଇ ପୃଥିବୀଯାକ ସବୁଠାରେ ବିବାଦଗୁଡ଼ାକୁ ପ୍ରବଳ କରି ବେଶ୍‌ ରଖିପାରୁଛନ୍ତି, ସମଗ୍ର ପୃଥିବୀକୁ ସେମାନଙ୍କ ଉପରେ ନିର୍ଭରଶୀଳ କରି ରଖିବାରେ ଭାରି ତତ୍ପର ଅଛନ୍ତି, କିନ୍ତୁ ସମଗ୍ର ମନୁଷ୍ୟଜାତିର ଭାଗ୍ୟକୁ ଗୋଟିଏ ଭାଗ୍ୟ ବୋଲି ସ୍ୱୀକାର କରି ନେଇ ସଭିଙ୍କ ସହିତ ସମ୍ମିଳିତ ଭାବରେ ଅଗ୍ରଗତି କରିବାକୁ ସେମାନେ ସମସ୍ତେ ଖୁବ୍‌ ବେଶି ରାଜି ହୋଇପାରୁନାହାନ୍ତି । ବିକାଶଶୀଳ ଦେଶଗୁଡ଼ିକର ସତ୍ୱର ବିକାଶ ଲାଗି ଯଥେଷ୍ଟ ପୁଞ୍ଜି ସମ୍ଭବ କରିବା ଉଦ୍ଦେଶ୍ୟରେ ବିକଶିତ ଦେଶର ସରକାରମାନେ ଆପଣା ଜାତୀୟ ଆୟରୁ ଶତକଡ଼ା ଅନ୍ତତଃ ଗୋଟିଏ ଭାଗ ମିଳିତ ଜାତିସଂଘର ବିକାଶପାଣ୍ଠିକୁ ଦାନ କରନ୍ତୁ ବୋଲି ଏହା ମଧ୍ୟରେ ଯେତେଥର ପ୍ରସ୍ତାବ ଆସିଲାଣି, ବିକଶିତ ଦେଶଗୁଡ଼ିକ ସବୁଥର ଏହି ବିଷୟରେ ଅନିଚ୍ଛାହିଁ ପ୍ରକାଶ କରିଛନ୍ତି । ଏହି ଅନିଚ୍ଛାରୁ ଆନ୍ତର୍ଜାତିକ କ୍ଷେତ୍ରରେ ଅନେକ ବିଦ୍ୱେଷ ଉପୁଜୁଛି, ଅନେକ ଅବିଶ୍ୱାସ ଲାଗି ଅବକାଶ ସୃଷ୍ଟି ହେଉଛି ଏବଂ ତାହା ଯେ ସମଗ୍ର ପୃଥିବୀର ମେରୁଦଣ୍ଡଟିକୁ କ୍ରମଶଃ ଅଧିକ ବଳହୀନ କରିଦେଉଛି, ସେଥିରେ କୌଣସି ସନ୍ଦେହ ନାହିଁ ।

 

ତା ୨୯.୦୬.୧୯୭୬ ରିଖ

Image

 

ଶ୍ୱେତ ମଣିଷର ବୋଝ

 

ଦକ୍ଷିଣ ରୋଡ଼େସିଆର ମନମୁଖୀ ଶାସକ ଶ୍ରୀଯୁକ୍ତ ଇଆନ୍‌ ସ୍ମିଥ୍‌ ବେଶ୍‌ କେତେବର୍ଷ ତଳେ ଏକତରଫା ଭାବରେ ବ୍ରିଟିଶ ସାମ୍ରାଜ୍ୟ ଭିତରୁ ଆପଣାକୁ ଅଲଗା କରି ଆଣିଥିଲେ ଓ ଦକ୍ଷିଣ ରୋଡ଼େସିଆକୁ ଏକ ସ୍ୱାଧୀନ ରାଷ୍ଟ୍ର ବୋଲି ଘୋଷଣା କରିଥିଲେ । ଦକ୍ଷିଣ ରୋଡ଼େସିଆରେ ନିଯୁକ୍ତ ହୋଇ ରହିଥିବା ତତ୍କାଳୀନ ବ୍ରିଟିଶ ଗଭର୍ଣ୍ଣରଙ୍କୁ ସେହିଦିନଠାରୁ ନଜରବନ୍ଦୀ କରି ରଖାଗଲା ଓ ଦକ୍ଷିଣ ରୋଡ଼େସିଆରେ ସ୍ୱାଧୀନ ସରକାର ପ୍ରତିଷ୍ଠିତ ହେଲା । ତାହାର ଅର୍ଥ ହେଉଛି ଯେ ଦକ୍ଷିଣ ରୋଡ଼େସିଆରେ ବହୁଲକ୍ଷ କୃଷ୍ଣକାୟ ବାସ କରୁଥିଲେ ମଧ୍ୟ ଇଆନ୍‌ ସ୍ମିଥ୍‌ଙ୍କର ବ୍ୟବସ୍ଥାଟି ଅନୁସାରେ ସେଠାରେ ମାତ୍ର କେତେହଜାର ଶ୍ୱେତକାୟମାନଙ୍କର ହିଁ ଶାସନ ଜାରି ହେଲା । ଯେଉଁମାନେ ସଂଖ୍ୟାଲଘୁ ହୋଇ ରହିଥିଲେ, କେବଳ ସେହିମାନେ ହିଁ ଭୋଟ ଦେବାର ଅଧିକାର ପାଇଲେ । ଲୋକ-ପ୍ରତିନିଧି ହୋଇ ନିର୍ବାଚନ ଲଢ଼ିବାର ଅଧିକାର ପାଇଲେ । ଅର୍ଥନୀତିର କ୍ଷେତ୍ରରେ ମଧ୍ୟ ପ୍ରାୟ ଯାବତୀୟ ଅଧିକାର ଓ ଯାବତୀୟ ପରାକ୍ରମ ଅଳ୍ପସଂଖ୍ୟାକ ଗୋରାମାନଙ୍କ ହାତରେ ରହିଲା । ଦକ୍ଷିଣ ଆଫ୍ରିକାର ତଥାକଥିତ ସାଧାରଣତନ୍ତ୍ରରେ ଗତ କେତେ ଦଶନ୍ଧି ଧରି ଯେଉଁ ଅମାନୁଷିକତା ଓ ଅରାଜନୀତିକତା କର୍ତ୍ତାରୂପେ ଅଧିଷ୍ଠିତ ହୋଇ ରହିଆସିଛି, ଦକ୍ଷିଣ ରୋଡ଼େସିଆରେ ସେହି ଅନ୍ୟାୟର ଆଉଗୋଟିଏ ଦୃଷ୍ଟାନ୍ତକୁ ଜାରି କରି ରଖାଗଲା ।

 

ଇଂଲଣ୍ଡର ସରକାର ଏହିସବୁ ଘଟଣାଦ୍ୱାରା ଅତ୍ୟନ୍ତ କ୍ଷୁନ୍ନ ଏବଂ ମର୍ମାହତ ହୋଇପଡ଼ିଲେ ସତ, ମାତ୍ର ତା’ଠାରୁ ଆଉ ଅଧିକ କିଛି କରିପାରିଲେ ନାହିଁ । ଗତ ୧୯୫୬ ଖ୍ରୀଷ୍ଟାବ୍ଦରେ ମିଶରର ରାଷ୍ଟ୍ରପତି ନାସେର୍‌ ଯେତେବେଳେ ସୁଏଜ୍‌ କେନାଲକୁ ମିଶରର ଜାତୀୟ ସମ୍ପତ୍ତି ବୋଲି ଘୋଷଣା କରିଥିଲେ, ସେତେବେଳେ କୌଣସି କାଳବିଳମ୍ୱ ନକରି ଓ ବିଶ୍ୱବିବେକର ରାୟ ଲାଗି କୌଣସି ଅପେକ୍ଷା ନରଖି ଇଂଲଣ୍ଡର ସରକାର ଇସ୍ରାଏଲ ଓ ଫ୍ରାନ୍‌ସ୍‌କୁ ସାଙ୍ଗରେ ଧରି ଏକ ରୀତିମତ ଯୁଦ୍ଧ ଭିତରକୁ ଡେଇଁ ପଡ଼ିଥିଲେ ସତ, ମାତ୍ର ଏବେ ଦକ୍ଷିଣ ରୋଡ଼େସିଆର ଦୃଷ୍ଟାନ୍ତରେ କିଛି କରିପାରିଲେ ନାହିଁ । ଯାହା ଘଟିଲା, ତାହାକୁ ହିଁ ମାନି ନେଲେ ଏବଂ ଦକ୍ଷିଣ ଆଫ୍ରିକା ପରି ଦକ୍ଷିଣ ରୋଡ଼େସିଆ ସହିତ ମଧ୍ୟ ଆପଣାର ବାଣିଜ୍ୟ ବେପାର ଓ ପଣ୍ୟ-କାରବାରକୁ ଅବ୍ୟାହତ ରଖିଲେ । ବାହାରେ ରାଜନୀତିକ ସୁଆଙ୍ଗଗୁଡ଼ାକର କ୍ଷେତ୍ରରେ ଦକ୍ଷିଣ ଆଫ୍ରିକା ପରି ଦକ୍ଷିଣ ରୋଡ଼େସିଆକୁ ପ୍ରସ୍ତାବ ପରେ ପ୍ରସ୍ତାବ ପାଶ୍‌ କରାହୋଇ ବୟକଟ କରି ରଖାଗଲା ଏବଂ ସେହିସବୁ ପ୍ରସ୍ତାବ ଉପରେ ଭୋଟ ନିଆଯିବା ସମୟରେ ଇଂଲଣ୍ଡ ନିରପେକ୍ଷ ରହିଲା ସତ, ମାତ୍ର ଏଣେ ଦକ୍ଷିଣ ରୋଡ଼େସିଆ ସହିତ ବଣିଜ ବ୍ୟାପାରକୁ ଅବ୍ୟାହତ ରଖିଲା । ସମଗ୍ର ପୃଥିବୀର ବିବେକକୁ ପ୍ରତ୍ୟାଖ୍ୟାନ କରି ଦକ୍ଷିଣ ରୋଡ଼େସିଆ ତଥାପି ତିଷ୍ଠି ରହିଲା, ବହୁସଂଖ୍ୟକଙ୍କ ଉପରେ ଅଳ୍ପସଂଖ୍ୟକଙ୍କର ଏକ ଆତଙ୍କ-ଶାସନକୁ ଜାରି କରି ରଖିଲା । ଦକ୍ଷିଣ ଆଫ୍ରିକା ଯେଉଁପରି ତିଷ୍ଠି ରହିଥିଲା, ଦକ୍ଷିଣ ରୋଡ଼େସିଆ ଠିକ୍‌ ସେହିପରି ହୋଇ ରହିଲା । ନୂତନ ଆଫ୍ରିକା ମହାଦେଶର ବିବର୍ତ୍ତନ ବ୍ୟାପାରଟି ମଧ୍ୟରେ ସତେଅବା ଏକ ଅବ୍ୟାପାର ହୋଇ ରହିଲା ।

 

ସେହି ଦକ୍ଷିଣ ରୋଡ଼େସିଆର ଶାସକ ଇଆନ୍‌ ସ୍ମିଥ୍‌ ଏବେ ଏକ ବିବୃତ୍ତିରେ କହିଛନ୍ତି ଯେ ଅଳ୍ପସଂଖ୍ୟାର ଶାସନ ଯାଇ ଦକ୍ଷିଣ ରୋଡ଼େସିଆରେ ଯଦି କେବେ ଗଣତାନ୍ତ୍ରିକ ରୀତିରେ ବହୁମତର ଅର୍ଥାତ୍‌ କୃଷ୍ଣକାୟମାନଙ୍କର ଶାସନ ପ୍ରବର୍ତ୍ତିତ ହୁଏ, ତେବେ ଦକ୍ଷିଣ ରୋଡ଼େସିଆରେ ବାସ କରୁଥିବା ଶ୍ୱେତକାୟମାନେ ସେ ଦେଶ ଛାଡ଼ି ଅନ୍ୟତ୍ର ଚାଲିଯିବେ ଏବଂ ତଦ୍ଦ୍ୱାରା ଦକ୍ଷିଣ ରୋଡ଼େସିଆର କୃଷ୍ଣକାୟମାନଙ୍କର ହିଁ ସବୁଠାରୁ ଅଧିକ କ୍ଷତି ହେବ । ଅର୍ଥାତ୍‌ ବର୍ତ୍ତମାନ ଯେ ବହୁସଂଖ୍ୟକଙ୍କୁ କାବୁ କରି ରଖି ଦକ୍ଷିଣ ରୋଡ଼େସିଆର ଶ୍ୱେତକାୟମାନେ ସେଠାରେ ଏକତରଫା ମାଲିକ ହୋଇ ରହିଛନ୍ତି ଓ ଏକ ବର୍ବରୋଚିତ ବଞ୍ଚନାକୁ ହିଁ ରାଜନୀତି ଓ ରାଷ୍ଟ୍ରନୀତି ବୋଲି ଜାରି କରି ରଖିଛନ୍ତି, କେବଳ କୃଷ୍ଣକାୟ ବହୁସଂଖ୍ୟକମାନଙ୍କର ହିତ ଏବଂ ସ୍ୱାର୍ଥଦୃଷ୍ଟିରୁ ହିଁ ସେମାନେ ତାହା କରୁଛନ୍ତି ବୋଲି ଇଆନ୍‌ ସ୍ମିଥ୍‌ କହିବା ଲାଗି ଚେଷ୍ଟା କରିଛନ୍ତି ।

 

ଗତ ଦୁଇଶହ ବର୍ଷ ହେଲା ପୃଥିବୀସାରା ଯାହାକୁ ଆମେ ଉପନିବେଶବାଦର ଇତିହାସ ବୋଲି ଜାଣି ଆସିଲେ, ସେଇଟି ପଛରେ ମୂଳତଃ ଏହି ମନୋଭାବଟିର ହିଁ ଏକ ଇତିହାସ ଜବର ହୋଇ ରହିଥିଲା । ଇଉରୋପୀୟ ଔପନିବେଶିକ ଯୁଗରେ ଦୁଇ ମହାମନା ବୋଲି ପ୍ରଖ୍ୟାତ ହୋଇ ରହିଥିବା ଷ୍ଟାନ୍‌ଲି ଏବଂ ଲିଭିଙ୍ଗଷ୍ଟୋନ୍‌ ଯେତେବେଳେ ଆଫ୍ରିକା ମହାଦେଶରେ ପ୍ରବେଶ କରିଥିଲେ, ସେତେବେଳେ ସେମାନେ ପ୍ରଧାନତଃ ଏହିପରି ଗୋଟିଏ ଦୃଷ୍ଟିକୋଣ ନେଇ ହିଁ ପ୍ରବେଶ କରିଥିଲେ-। ଇଉରୋପର କେତେଜଣ ସମାଜବିଜ୍ଞାନୀ ମଧ୍ୟ ସେମାନଙ୍କ କାଳରେ ସେହି ଦୃଷ୍ଟିକୋଣକୁ ସମର୍ଥନ କରି ଆସିଛନ୍ତି । ଇଉରୋପର ଯେଉଁମାନେ ଗୃହୀତ ଧର୍ମଟିକୁ ହିଁ ପୃଥିବୀର ଏକମେତ୍ର ଯଥାର୍ଥ ଧର୍ମ ବୋଲି ଜାଣନ୍ତି ଓ ସେହି ଧର୍ମର ରଙ୍ଗରେ ସାରା ପୃଥିବୀର ମୁହଁକୁ ବିକୃତ କରିଦେବାକୁ ହିଁ ଏକ ଧର୍ମକାର୍ଯ୍ୟ ବୋଲି ବିଚାର କରନ୍ତି, ସେମାନେ ମଧ୍ୟ ଅନେକାଂଶରେ ଏହିଭଳି ଏକ ପ୍ରେରଣା ଦ୍ୱାରା ପ୍ରେରିତ ହୋଇଥାନ୍ତି । ଆଧୁନିକ ଅର୍ଥନୀତି, ରାଜନୀତି ଓ ଏପରିକି ନ୍ୟାୟନୀତିରେ ମଧ୍ୟ ଆମେ ଅନେକ ସମୟରେ ସବାଆଗ ପ୍ରାୟ ଏହି ଦୃଷ୍ଟିକୋଣଟାର ଗନ୍ଧଟାକୁ ହିଁ ବେଶ୍‌ ବାରିନେଇପାରିବା ଏବଂ ଆଧୁନିକ ଆନ୍ତର୍ଜାତିକ ରାଜନୀତିକ ବୋଲିରେ ଏଇଟାକୁ ହିଁ ଶ୍ୱେତମଣିଷର ବୋଝ ବୋଲି କୁହାଯାଏ ।

 

ଏହି ଯୁଗ ହେଉଛି ମୁକ୍ତିର ଯୁଗ ଏବଂ ସବୁ ପ୍ରକାରର ମୁକ୍ତି ସହିତ ଏହା ଭିତରେ ଯାବତୀୟ ବୋଝମୁକ୍ତି ମଧ୍ୟ ଅନ୍ତର୍ଭୁକ୍ତ ହୋଇ ରହିଛି । ସଂସାରରେ ଆଉ କେହି କାହାର ବୋଝ ହୋଇ ରହିବନାହିଁ । ସଂସାରର କୌଣସି ହିତକାରୀ ବାଘ ହରିଣମାନଙ୍କୁ ଆପଣାର ଏକ ବୋଝ ବୋଲି କହି ବାହାଦୂରୀ ଦେଖାଇପାରିବ ନାହିଁ କିମ୍ୱା କୌଣସି ପ୍ରକାର ଅତ୍ୟାଚାର ଅଥବା ଏକାଚାର ଲାଗି ପ୍ରଶ୍ରୟ ପାଇବ ନାହିଁ କିମ୍ୱା କୌଣସି ପ୍ରକାର ଅତ୍ୟାଚାର ଅଥବା ଏକାଚାର ଲାଗି ପ୍ରଶ୍ରୟ ପାଇବ ନାହିଁ । ଅନ୍ଧକାରର ବି ନିଦ ଭାଙ୍ଗିବ, କୃଷ୍ଣକାୟମାନେ ବି ଆଗ ମନୁଷ୍ୟ ହିସାବରେ ସ୍ୱୀକୃତ ହେବେ । ମଣିଷ ସହିତ ମଣିଷ ଏକାଠି କାନ୍ଧ ମିଳାଇ ଅଗ୍ରସର ହେବ । ସ୍ୱାର୍ଥର ଯାବତୀୟ ମଣ୍ଡଳଗୁଡ଼ାକ ଭାଙ୍ଗିଯିବ, ଜଳଭାଗ, ସ୍ଥଳଭାଗ ଅଥବା ଆକାଶମଣ୍ଡଳରେ କୌଣସି ରାଷ୍ଟ୍ରର ଅସ୍ତ୍ରଗରୁ ଦର୍ପଗୁଡ଼ାକ ପରାକ୍ରମ ବିସ୍ତାର କରି ରହିବାର ଅବକାଶ ହିଁ ପାଇବନାହିଁ । ପୃଥିବୀର ବୃହତ୍‌ଶକ୍ତିମାନଙ୍କ ସମେତ ଦକ୍ଷିଣ ରୋଡ଼େସିଆର ଇଆନ୍‌ ସ୍ମିଥ୍‌ ଆପଣାର କୁସଂସ୍କାରଗୁଡ଼ାକୁ ଛାଡ଼ିପାରିବା ଲାଗି ଯେତେ ଅସମର୍ଥ ହୋଇ ରହିଥାନ୍ତୁ ପଛକେ, ଏଥିରେ କୌଣସି ସନ୍ଦେହ ନାହିଁ ଯେ ପୃଥିବୀର ଅଧିକାଂଶ କୃଷ୍ଣକାୟ ଓ ଶ୍ୱେତକାୟ, ବର୍ଣ୍ଣ ଓ ଅବର୍ଣ୍ଣ ସମସ୍ତେ ଆଜି ଏହି ବିଶ୍ୱାସଟିକୁ ନେଇ ଅଗ୍ରସର ହେବାକୁ ଦୃଢ଼ପ୍ରତିଜ୍ଞା ହୋଇ ବାହାରିଛନ୍ତି ।

 

ତା ୦୨.୦୭.୧୯୭୬ ରିଖ

Image

 

ଡେରିରେ ହେଉ ପଛକେ

 

ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରାଗାନ୍ଧୀ ଏବେ କେତେଦିନ ତଳେ ତାଙ୍କର ସପ୍ତାହବ୍ୟାପୀ ଯେଉଁ ସୋଭିଏଟ୍‌ ଋଷିଆ ଗସ୍ତରେ ଯାଇଥିଲେ, ସେଠାରେ କ୍ରେମ୍‌ଲିନ୍‌ ରାଜପ୍ରାସାଦର ଏକ ଭୋଜିସଭାରେ ସେ ଭାରତବର୍ଷର ଗୋଷ୍ଠୀନିରପେକ୍ଷ ଆନ୍ତର୍ଜାତିକ ସମ୍ୱନ୍ଧନୀତି ବିଷୟରେ ମଧ୍ୟ ଆଲୋକପାତ କରିଥିଲେ । ଭାରତର ଅନୁସୃତ ଏହି ନୀତିକୁ ପୃଥିବୀର ଗୋଷ୍ଠୀଅବରୁଦ୍ଧ ଅନେକ ଦେଶ ଓ ଅନେକ ରାଷ୍ଟ୍ରନେତା ମୁଖ୍ୟତଃ ଭୁଲ ହିଁ ବୁଝି ଆସିଛନ୍ତି । ବିଭିନ୍ନ ସମୟରେ ସେମାନେ ଏହାକୁ ବିଭିନ୍ନ ପ୍ରକାରେ ଭୁଲ ବୁଝିଛନ୍ତି, ନାନାପ୍ରକାର ସନ୍ଦେହକୁ ମଝିରେ ଅନ୍ତରାୟ କରି ରଖି ତାହାର ଅର୍ଥ ବୁଝିବାକୁ ଚେଷ୍ଟା କରିଛନ୍ତି ଓ ଭାରତବର୍ଷର ଦୃଷ୍ଟିକୋଣକୁ ହୁଏତ କିମ୍ଭୂତ ଓ ଅବାସ୍ତବ ବୋଲି କହିବାକୁ ମଧ୍ୟ ମନ କରିଛନ୍ତି । ଆଜି ରାଜନୀତିକ ଶ୍ଳେଷୋକ୍ତିରେ ଯାହାକୁ ତୃତୀୟ ପୃଥିବୀ ବୋଲି କୁହାଯାଉଛି, ସେମାନେ ଯେ ସମସ୍ତେ ଗୋଷ୍ଠୀନିରପେକ୍ଷ ହୋଇ ରହିବାକୁ ଇଚ୍ଛା କରୁଛନ୍ତି, ଏହି ସତ୍ୟଟି ଅନେକ ପୁରାତନପନ୍ଥୀଙ୍କୁ ବଡ଼ ଅସୁବିଧାରେ ପକାଇ ଦେଉଛି ।

 

ଭାରତବର୍ଷର ପଣ୍ଡିତ ନେହରୁ, ୟୁଗୋସ୍ଳାଭିଆର ମାର୍ଶାଲ୍ ଟିଟୋ ଏବଂ ମିଶରର ନାସେର-ଏହିମାନଙ୍କୁ ହିଁ ସାମ୍ପ୍ରତିକ ଇତିହାସରେ ଗୋଷ୍ଠୀନିରପେକ୍ଷତାର ପ୍ରଥମ ଜନକ ବୋଲି କୁହାଯାଇଥାଏ । ଏବେ ଶ୍ରୀମତୀ ଗାନ୍ଧୀଙ୍କର କ୍ରେମ୍‌ଲିନ୍‌ ଭାଷଣ ପରେ ବିଦେଶରେ, ବିଶେଷକରି ଗୋଷ୍ଠୀଗତତାର ରଜ୍ଜୁଗୁଡ଼ାକ ଭିତରେ ବାନ୍ଧିହୋଇ ପଡ଼ିଥିବା ରାଷ୍ଟ୍ରଗୁଡ଼ିକରେ ଭାରତର ଗୋଷ୍ଠୀନିରପେକ୍ଷତାକୁ ବୁଝିବା ଅଧିକ ସହଜ ହୋଇପାରିଛି ବୋଲି ସୋଭିଏଟ୍‌ ଋଷିଆର ଜଣେ ପ୍ରଖ୍ୟାତ ସମୀକ୍ଷକ ମତ ପ୍ରକାଶ କରିଛନ୍ତି । ଭାରତବର୍ଷ ବୈଦେଶିକ ଶାସନାଧୀନତାରୁ ମୁକ୍ତ ହେବା ପରେ ସାମ୍ରାଜ୍ୟବାଦୀ ଶକ୍ତିମାନେ ତଥାପି ନୂତନକରି ସ୍ୱାଧୀନ ହୋଇଥିବା ସବୁ ଅଞ୍ଚଳପରି ଭାରତବର୍ଷରେ ମଧ୍ୟ ଯଥାସମ୍ଭବ ଅଧିକ ପ୍ରଭାବ ବିସ୍ତାରକରି ରହିବାକୁ ଚେଷ୍ଟା କରୁଥିଲେ । ଆନ୍ତର୍ଜାତିକ କ୍ଷେତ୍ରରେ ସେହି ଶକ୍ତିଗୁଡ଼ିକ ଦୁଇଟି ମୁଖ୍ୟ ଗୋଷ୍ଠୀ ବାନ୍ଧି ରହିଥିଲେ, ରାଜନୀତିର ଦାଣ୍ଡରେ ସେମାନେ ଆପଣା ଆପଣାର ଜାଲ ମେଲାଇ ବସିଥିଲେ, ପୃଥିବୀର ଯାବତ ଦେଶ କାଳକ୍ରମେ ଏ ଗୋଷ୍ଠୀ ନଚେତ ସେ ଗୋଷ୍ଠୀ ସହିତ ଅବଶ୍ୟ ଯାଇ ମିଶିବେ ଏବଂ ଏହିପରି ଭାବରେ ଇଉରୋପ ଓ ଆମେରିକାକୁ ମେରୁଖୁଣ୍ଟ କରି ପୃଥିବୀଯାକ ଏକ ଆଶଙ୍କିତ ଅବସ୍ଥା ବଳବତ୍ତର ରହିଥିବ ବୋଲି ସେମାନେ ପ୍ରାୟ ବିଶ୍ୱାସକରି ନେଇଥିଲେ । ଏହି ବିଶ୍ୱାସକୁ ସତେଅବା ମିଛ ଓ ହାନିକାରକ ବୋଲି ଘୋଷଣା କରି ନେହରୁ, ନାସେର୍, ଟିଟୋ ଗୋଷ୍ଠୀନିରପେକ୍ଷ ନୀତିର ବୟାନ କଲେ । ପୃଥିବୀର ଅଧିକାଂଶ ଦେଶ କ୍ରମଶଃ ସେହି ନୀତିଟି ଆଡ଼କୁ ଆକୃଷ୍ଟ ହେଲେ । ମେଣ୍ଟଗୁଡ଼ାକ ଭାରି ଅନାକର୍ଷକ ହୋଇ ରହିଗଲା । ମହାଯୁଦ୍ଧର ମଳିରୁ ଜାତ ହୋଇଥିବା ମେଣ୍ଟ ରାଜନୀତି ଓ ଅସ୍ତ୍ରବଣିଜ ବାହାରେ ସେ ପୃଥିବୀରେ ଅନ୍ୟ ଏକ ନିୟତି ରହିଛି, ତାହାର ପ୍ରମାଣ ମିଳିଗଲା, ଏକ ନୂତନ ସମ୍ଭାବନା ମୂର୍ତ୍ତରୂପ ପାଇଲା ଓ ସାମ୍ରାଜ୍ୟବାଦ ଏବଂ ପୁଞ୍ଜିବାଦର ପୁରୁଣା ଯୁକ୍ତିଗୁଡ଼ାକ କ୍ରମେ ଅନାବଶ୍ୟକ ହୋଇପଡ଼ିଲା । ଗୋଷ୍ଠୀନିରପେକ୍ଷତା ଏକ ମେଣ୍ଟ ନୁହେଁ, ଏହା ଏକ ଅନ୍ୟପ୍ରକାର ଦୃଷ୍ଟିକୋଣ । ପୃଥିବୀରେ ଜାତି ଜାତି ଓ ରାଷ୍ଟ୍ର ରାଷ୍ଟ୍ର ମଧ୍ୟରେ ସଦ୍‌ଭାବ ପ୍ରତିଷ୍ଠିତ କରି ରଖିବାକୁ ଗଲେ ପୃଥିବୀକୁ କେତେଟା ଦ୍ୱୀପରେ ବିଭକ୍ତି କରି ରଖିବା ଓ କେତେଟା ବ୍ୟୂହଭିତରେ ଏକ ଶୀତଳ ଯୁଦ୍ଧକୁ ଜାରିକରି ରଖିବାର ଯେ ଆଦୌ କୌଣସି ଆବଶ୍ୟକତା ନାହିଁ, ସେହିକଥାଟି କାଳକ୍ରମେ ସ୍ପଷ୍ଟ ହୋଇଆସିଲା । ସେହିକଥାଟି ଆନ୍ତର୍ଜାତିକ ରାଜନୀତି-କ୍ଷେତ୍ରରେ ଏକ ଶକ୍ତିଶାଳୀ ବିକଳ୍ପରୂପେ ସ୍ୱୀକୃତ ହେଲା, ସଂଯୁକ୍ତ ରାଷ୍ଟ୍ରସଂଘର ବିଚାରଗୃହରେ ମଧ୍ୟ ତାହାର ହାଉଆ ଆସି ବାଜିଲା ।

 

ଡେରିରେ ହେଉ ପଛକେ, ମେଣ୍ଟକୁ ହିଁ ପ୍ରଭାବ ବିସ୍ତାରକରି ରଖିବାର ଏକମାତ୍ର ସାଧନରୂପେ ମାନିନେଉଥିବା ପୃଥିବୀର ବୃହତ୍‌ଶକ୍ତିମାନେ ଯେ କ୍ରମଶଃ ଏହି କଥାଟିକୁ ବୁଝିବାକୁ ଓ ଏହାର ଯୁକ୍ତିଯୁକ୍ତତାକୁ ହୃଦୟଙ୍ଗମ କରିବାକୁ ସମର୍ଥ ହେଉଛନ୍ତି, ସମଗ୍ର ପୃଥିବୀ ଲାଗି ତାହାକୁ ନିଶ୍ଚୟ ଗୋଟିଏ ଶୁଭ ସୂଚନା ବୋଲି କହିବାକୁ ପଡ଼ିବ । ଡେରିରେ ହେଲେ ମଧ୍ୟ ଏହା ଏକ ଶୁଭ ସୂଚନା । ପ୍ରଚାରରେ, ଅସ୍ତ୍ରଶସ୍ତ୍ର ସାହାଯ୍ୟରେ ଏବଂ ମେଣ୍ଟରାଜନୀତିରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ପୃଥିବୀଟାକୁ ଗୋଟିଏ ବୈରପୂର୍ଣ୍ଣ ପ୍ରତିଯୋଗିତାର ବିପଦ ଭିତରକୁ ବାଧ୍ୟକରି ଆଣି ଯେଉଁମାନେ ଏବେ ମଧ୍ୟ ପୃଥିବୀରେ ଭାଗ୍ୟଧର ଭେଟୋଧାରୀ ହୋଇ ରହିବାକୁ ବିଶ୍ୱାସ ରଖିଛନ୍ତି, ଏହି ସତ୍ୟଟି ସେମାନଙ୍କର ବ୍ୟୂହଭିତରେ ମଧ୍ୟ ଯେତେବେଳେ ଏକ ରନ୍ଧ୍ର ଫିଟାଇଦେଇ ପାରିବ, ସେତେବେଳେ ପୃଥିବୀର ରାଜନୀତି ଅନ୍ୟପ୍ରକାର ହେବାକୁ ଆରମ୍ଭ କରିବ । ମନୁଷ୍ୟର ଭାଗ୍ୟ ସେତେବେଳେ ଅନ୍ୟ ନିକିତିରେ ତଉଲାହେବ ଏବଂ ରାଷ୍ଟ୍ର ଓ ରାଷ୍ଟ୍ର ଭିତରେ ବନ୍ଧୁତା କହିଲେ ସେତେବେଳେ ଏକ ସମ୍ପୂର୍ଣ୍ଣ ଅନ୍ୟ କଥାକୁ ବୁଝାଇବ, ଯାହାକୁ କି ପୃଥିବୀର ବିପୁଳ ଭବିଷ୍ୟତ ସର୍ବାନ୍ତଃକରଣରେ ସ୍ୱାଗତ କରିବ ।

 

ତା ୦୫.୦୭.୧୯୭୬ ରିଖ

Image

 

ବୃହତ୍‌ଶକ୍ତି ବିବାଦ

 

ଗତ ଜୁନ୍‌ମାସ ଆରମ୍ଭରେ ଇଂଲଣ୍ଡର କନ୍‌ଜର୍‌ଭେଟିଭ୍ ଦଳ ତରଫରୁ ଗୋଟିଏ ତରୁଣ ପ୍ରତିନିଧି ଗୋଷ୍ଠୀ ଚୀନ ପରିଦର୍ଶନରେ ଯାଇଥିଲେ । ସେହି ସମୟରେ ଚୀନ ସାଧାରଣତନ୍ତ୍ରର ବିଦେଶ ବିଭାଗ ମନ୍ତ୍ରୀ ଶ୍ରୀ ଚିଆଓ ଜୁନ୍‌ ହୁଆ ସେମାନଙ୍କ ସହିତ ଏକ ସାକ୍ଷାତ ସମୟରେ କହିଥିଲେ ଯେ, ପୃଥିବୀର ବୃହତ୍‌ଶକ୍ତିମାନଙ୍କ ମଧ୍ୟରେ ବର୍ତ୍ତମାନ ଯେଉଁ ବିବାଦ ଏବଂ ଅଣ୍ଟା କଷାକଷି ଲାଗି ରହିଛି, ତାହାହିଁ ଆମ ପୃଥିବୀ ସକାଶେ ସବୁଠାରୁ ଅଧିକ ବିପଦଜନକ କଥା ହୋଇ ରହିଛି, ପୃଥିବୀର ଭାଗ୍ୟକୁ ତାହା ସବୁଠାରୁ ଅଧିକ ପରିମାଣରେ ବିପନ୍ନ କରି ରଖିଛି ।

 

ବିଶ୍ୱରାଜନୀତି ଓ ବିଶ୍ୱରାଷ୍ଟ୍ରନୀତିର କ୍ଷେତ୍ରରେ ବୃହତ୍‌ଶକ୍ତି କହିଲେ ସାଧାରଣ ଅର୍ଥରେ ଯାହା ବୁଝାଏ, ତାହା ସହିତ ଆମେ ସମସ୍ତେ ଅଳ୍ପବହୁତ ଅବଶ୍ୟ ପରିଚିତ ରହିଥିବା । ବିଗତ ଦ୍ୱିତୀୟ ମହାଯୁଦ୍ଧର ପରବର୍ତ୍ତୀ ବର୍ଷଗୁଡ଼ିକଠାରୁ ଏହି ପୃଥିବୀର ଦୁଇଟି ଆଦର୍ଶକୁ ଆଶ୍ରୟ କରି ପ୍ରାୟ ସମୁଦାୟ ପୃଥିବୀକୁ ଦୁଇଟି ଶିବିରରେ ବିଭକ୍ତ କରି ରଖିବାର ପ୍ରୟାସ ହୋଇ ଆସିଛି ଓ ଏହି ପୃଥିବୀର ଅନ୍ତଃରାଷ୍ଟ୍ରୀୟ ରାଜନୀତିକୁ ଭିତ୍ତିକରି ଅଧିକାଂଶ ସମସ୍ୟା ଓ ସଂଘର୍ଷଗୁଡ଼ିକର ସୃଷ୍ଟି ହୋଇଆସିଛି । ଏହି ଦୁଇ ଆଦର୍ଶଆଶ୍ରିତ ଶକ୍ତିମାନଙ୍କର ସର୍ବାଧିକ ସାମରିକ ସାମର୍ଥ୍ୟ ରହିଥିବା ହେତୁ ହିଁ ସାମରିକ ଶକ୍ତିକୁ ସବୁଠାରୁ ଅଧିକ ସମର୍ଥ ଶକ୍ତି ବୋଲି ସ୍ୱୀକାର କରିଆସୁଥିବା ବିଶ୍ୱ-ରାଜନୀତି ସେମାନଙ୍କୁ କାଳକ୍ରମେ ବୃହତ୍‌ ଶକ୍ତିରୂପେ ମାନିବାକୁ ଆରମ୍ଭ କରିଛି । ସେହି ଦୁଇଟି ଶକ୍ତିର ଅସ୍ତ୍ରଶସ୍ତ୍ର ଶାନ୍ତିରକ୍ଷା ଏବଂ ସଂଘର୍ଷ ନିବାରଣର ନାନା କୈଫିୟତ୍‌ ଦେଇ ବିଶ୍ୱବ୍ୟାପୀ ହେବାକୁ ଆରମ୍ଭ କରିଛି । ଗତ ପଚିଶି ବର୍ଷରେ ପୃଥିବୀଯାକ ଯେଉଁଠି ଯେତେ ସାନ ସାନ ଖଣ୍ଡଯୁଦ୍ଧ ଓ ଖଳଯୁଦ୍ଧମାନ ଲଢ଼ା ହୋଇଛି; ସେ ସବୁଥିରେ ପ୍ରଧାନତଃ ଏହି ଅସ୍ତ୍ରଗୁଡ଼ିକର ହିଁ ବ୍ୟବହାର କରାଯାଇଛି । ବର୍ତ୍ତମାନ ବିଶ୍ୱର ରାଜନୀତି ଓ ଶକ୍ତି-କଷାକଷିକୁ ବୁଝିବାକୁ ହେଲେ ଆମକୁ ଏହି ବିଚିତ୍ର ବାସ୍ତବତାଟିକୁ ଅବଶ୍ୟ ଦୃଷ୍ଟି ସମକ୍ଷରେ ରଖିବାକୁ ପଡ଼ିବ । ବାହାରକୁ ଯେଡ଼େ ବିଚିତ୍ର ଲାଗିଲେ ମଧ୍ୟ ତାହାକୁ ତଥାପି ଏକ ବାସ୍ତବ ସତ୍ୟରୂପେ ନିଶ୍ଚୟ ସ୍ୱୀକାର କରିନେବାକୁ ପଡ଼ିବ ।

 

ଦ୍ୱିତୀୟ ମହାଯୁଦ୍ଧ ପରେ ବୃହତ୍‌ଶକ୍ତିମାନଙ୍କ ମଧ୍ୟରେ ରଚା ହୋଇ ରହିଥିବା ଏହି ବିବାଦବ୍ୟୂହଟିକୁ ହିଁ ଆମେ ପୃଥିବୀର ସ୍ୱାଭାବିକ ରାଜନୀତିକ ଚେତନାଗତ ବିକାଶର ପଥରେ ସବୁଠାରୁ ବଡ଼ ଅନ୍ତରାୟ ବୋଲି କହିପାରିବା । ବିଶେଷତଃ ଆଜି ତୃତୀୟ ପୃଥିବୀ, ନୂତନ ପୃଥିବୀ ଏବଂ ବିକାଶଶୀଳ ପୃଥିବୀ କହିଲେ ରାଜନୀତିର ପରିଭାଷାରେ ଯେଉଁସବୁ ଦେଶ ଓ ଯେଉଁ ଜନସମଷ୍ଟିଗୁଡ଼ିକୁ ବୁଝାଇଥାଏ, ସେଗୁଡ଼ିକର ସ୍ୱାଭାବିକ ବିକାଶରେ ବୃହତ୍‌ଶକ୍ତି ବିବାଦ ଅତ୍ୟନ୍ତ ବିଘ୍ନ ସୃଷ୍ଟି କରିଛି । ମିଳିତ ଜାତିସଂଘର ବିଶ୍ୱ ବୁଝାମଣାଗୁଡ଼ିକର ପଥରେ ମଧ୍ୟ ତାହା ଏକ ପ୍ରବଳ ଓ ଚତୁର ଅନ୍ତରାୟ ହୋଇ ଠିଆ ହୋଇ ରହିଛି । ଏହି ବୃହତଶକ୍ତିମାନେ ଯେ ଏବେ ଏତେ ପ୍ରବଳ ହୋଇପାରିଛନ୍ତି, ତାହା ପଛରେ ତଥାକଥିତ କ୍ଷୁଦ୍ରଶକ୍ତିମାନଙ୍କର ମଧ୍ୟ କମ୍‌ ଦାୟିତ୍ୱ ରହିନାହିଁ । ବୃହତ୍‌ଶକ୍ତି ମାନଙ୍କଠାରୁ ସାହାଯ୍ୟ ଗ୍ରହଣ କରି ହିଁ ଏହି କ୍ଷୁଦ୍ରଶକ୍ତିମାନେ ନିଜ ନିଜ ଭିତରେ ବାଦ ଲଢ଼ିଛନ୍ତି, ବହିର୍ବଳ ଦ୍ୱାରା ନିଶ୍ଚିତ ଭାବରେ ଅଧିକ ବଳଶାଳୀ ହୋଇ ଆପଣାର ପ୍ରକୋପଗୁଡ଼ାକୁ ପ୍ରାମାଣିକ ବୋଲି ଦେଖାଇ ପାରିବେ ବୋଲି ବିଶ୍ୱାସ ବି କରିଛନ୍ତି । ବିଭିନ୍ନ ଦେଶର ସ୍ୱାଧୀନତା ସଂଗ୍ରାମ ଭିତରେ ମଧ୍ୟ ଏହି ବୃହତ୍‌ଶକ୍ତିମାନେ ବନ୍ଧୁର ବେଶ ପିନ୍ଧି ଛତା ଓ ବାଡ଼ି ଧରି ପହଞ୍ଚିଯାଇଛନ୍ତି । ସଂଗ୍ରାମଗୁଡ଼ିକୁ ନାନାପ୍ରକାରେ ଛିଦ୍ରଯୁକ୍ତ ଓ କଳୁଷିତ କରିପକାଇଛନ୍ତି । ଚେତନାଗୁଡ଼ାକୁ ଏକାବେଳେକେ ବିଗାଡ଼ି ଦେଇଛନ୍ତି ।

 

ପୃଥିବୀରେ ଏକ ତୃତୀୟ ବୃହତ୍‌ଶକ୍ତି ହେବା ଲାଗି ଚୀନର ସାଧାରଣତନ୍ତ୍ର ମଧ୍ୟ କମ୍‌ ପ୍ରଚେଷ୍ଟା କରିନାହିଁ ଓ କରୁନାହିଁ । ଚିଲିଠାରୁ ଆରମ୍ଭ କରି ଦକ୍ଷିଣ ଆଫ୍ରିକା ପର୍ଯ୍ୟନ୍ତ କେତେ ଦେଶର ରାଜନୀତିକ ବିବର୍ତ୍ତନରେ ଚୀନ ତରଫରୁ ପରୋକ୍ଷ ହସ୍ତକ୍ଷେପ କରାଯାଇଛି । ପୃଥିବୀରେ ଅସ୍ତ୍ର ଓ ଅସ୍ତ୍ରାଘାତର ସାମର୍ଥ୍ୟଗୁଡ଼ାକୁ ହିଁ ସବୁଠାରୁ ଅଧିକ ନିର୍ଣ୍ଣାୟକ ସାମର୍ଥ୍ୟ ରୂପେ ଜାରି କରି ରଖିବାରେ ଚୀନର ମଧ୍ୟ ଏକ ସୁନିଶ୍ଚିତ ଅବଦାନ ରହିଆସିଛି । ଆପଣାର ଅସ୍ତ୍ରଶସ୍ତ୍ର ଦ୍ୱାରା ଚୀନ ମଧ୍ୟ କ୍ଷୁଦ୍ରତରମାନଙ୍କ ଚକ୍ଷୁରେ ଆପଣାକୁ ପ୍ରାୟ ଏକ ବୃହତ୍‌ଶକ୍ତି ବୋଲି ଦେଖାଇବା ଲାଗି କେତେପ୍ରକାର ପ୍ରୟାସ କରିଆସିଛି । ଏଗୁଡ଼ାକ ହେଉଛି ସାଂପ୍ରତିକ ଇତିହାସର କଥା ।

 

ବୃହତ୍‌ଶକ୍ତିମାନଙ୍କ ମଧ୍ୟରେ ଲାଗିଥିବା ବିବାଦ ଓ ମାନ କଷାକଷି ହେତୁ ଯେ ଆମ ପୃଥିବୀର ଭାଗ୍ୟ ସର୍ବାଧିକ ବିପଦଗ୍ରସ୍ତ ହୋଇ ରହିଛି, ଚୀନର ବୈଦେଶିକ ବିଭାଗ ମନ୍ତ୍ରୀ ସେକଥା କହି ଏକ ସତକଥା କହିଛନ୍ତି, ଏକ ଉଲ୍ଲେଖଯୋଗ୍ୟ କଥା ବି କହିଛନ୍ତି । ଚୀନ ସାଧାରଣତନ୍ତ୍ରର ପୂର୍ବତନ କୌଣସି ଉଚ୍ଚପଦସ୍ଥ ବ୍ୟକ୍ତି କେବେହେଲେ ଏକଥା କହିନଥିଲେ ।

 

ବର୍ତ୍ତମାନର ବିଦେଶମନ୍ତ୍ରୀ ଯାହା କହିଛନ୍ତି, ଯଦି ସେକଥାଟିରେ ସିଏ ପ୍ରକୃତରେ ବିଶ୍ୱାସ ମଧ୍ୟ କରୁଥାନ୍ତି, ତେବେ ପୃଥିବୀର ଆମ ସମସ୍ତଙ୍କ ଲାଗି ତାହାକୁ ଏକ ଶୁଭ ସଙ୍କେତ ଓ ବଡ଼ ଭରସା ବୋଲି କୁହାଯାଇପାରିବ । ପୃଥିବୀର ଅଧିକାଂଶ ଦେଶ ଓ ଅଧିକାଂଶ ଜନଗୋଷ୍ଠୀ ବିକଶିତ ହେବାକୁ ଚାହୁଁଛନ୍ତି; ବଞ୍ଚିବାକୁ ଚାହୁଁଛନ୍ତି । ଏମାନେ ବୃହତ୍‌ଗୋଷ୍ଠୀ ବିବାଦରେ ପ୍ରାୟ ବାଧ୍ୟ ଓ ପ୍ରଲୁବ୍‌ଧ ହୋଇ ଲିପ୍ତ ହୋଇପଡ଼ିବାକୁ ମୋଟେ ଚାହୁଁନାହାନ୍ତି । ବୃହତ୍‌ଶକ୍ତିମାନେ ଏହି କଥାଟିକୁ ଯେତିକି ଚଞ୍ଚଳ ବୁଝିବେ, ବୃହତ୍ତର ପୃଥିବୀର ସୁସ୍ଥ ବିକାଶରେ ସେମାନେ ସେତିକି ଅଧିକ ସମର୍ଥ ଭାବରେ ଅନେକ ସହଯୋଗ କରି ପାରିବେ । ସମଗ୍ର ପୃଥିବୀ ଲାଗି ସେମାନେ ସେତେବେଳେ ଯଥାର୍ଥ ନେତୃତ୍ୱ ଦେଇ ପାରିବେ ।

 

ତା ୦୬.୦୭.୧୯୭୬ ରିଖ

Image

 

ମିଶର ଓ ସିରିଆ

 

ମିଶର ଏବଂ ସିରିଆ ମଧ୍ୟରେ ପୁନର୍ବାର ମିଳାମିଶା ହେବାର କଥାବାର୍ତ୍ତା ଚାଲିଛି । ଏହାର ଅର୍ଥ ନୁହେଁ ଯେ ମିଶରର ଶ୍ରୀଯୁକ୍ତ ସାଦତ୍‌ ଓ ସିରିଆର ଶ୍ରୀଯୁକ୍ତ ଆସାଦ୍‌ ମଧ୍ୟପ୍ରାଚ୍ୟର କୌଣସି ସ୍ଥାନରେ ଅଥବା କାହିରା କିମ୍ୱା ଡାମାସ୍କସ୍‍ଠାରେ ଦୁଇଦେଶର ଭାଗ୍ୟ ଏବଂ ପାରସ୍ପରିକ ସମ୍ୱନ୍ଧ ନେଇ କୋଉଠି ଏକାଠି ବସି କଥାବାର୍ତ୍ତା କରୁଛନ୍ତି । ସେହି ନୈକଟ୍ୟର ସ୍ତରକୁ ଆସିବାଲାଗି ସେମାନଙ୍କୁ ହୁଏତ ବେଶ୍‌ ଆହୁରି କିଛି ସମୟ ଲାଗିବ ଏବଂ ସେମାନଙ୍କୁ ସେହି ନୈକଟ୍ୟ ଆଡ଼କୁ ଆଣିବା ଲାଗି ବର୍ତ୍ତମାନ ଅନ୍ୟମାନେ ହିଁ ଉଦ୍ୟମ କରିବାରେ ଲାଗିଛନ୍ତି ।

 

ସାଉଦି ଆରବ ଏବଂ କୁଏତ୍‌ ତରଫରୁ ଏହି ଉଦ୍ୟମ ହେଉଛି । ପ୍ରାୟ ମାସକ ତଳେ ସାଉଦି ଆରବର ରାଜଧାନୀ ରିଆଧ୍‌ଠାରେ ଶ୍ରୀ ସାଦତ୍‌ ଏବଂ ଶ୍ରୀ ଆସାଦ୍‌ଙ୍କୁ ଏକତ୍ର ଆଣି ମିଳାଇ ଦେବାପାଇଁ ଏକ ଆୟୋଜନ କରାଯାଇଥିଲା ଏବଂ ଏଥିସକାଶେ, ସଂପୃକ୍ତ ଦୁଇପକ୍ଷ ପ୍ରାୟ ରାଜି ହୋଇ ଆସିଲେଣି ବୋଲି ମନେ ବି ହେଉଥିଲା । ମାତ୍ର ଭେଟ ହେବାର ଠିକ୍‌ ସପ୍ତାହକ ପୂର୍ବରୁ କୌଣସି ବାଧା ଆସି ପହଞ୍ଚିଲା ଓ ସେହି ଭେଟ ଆଉ ସମ୍ଭବ ହୋଇ ପାରିଲାନାହିଁ । ପର୍ଯ୍ୟବେକ୍ଷକ ମହଲ ଅନୁମାନ କରି କହୁଛନ୍ତି ଯେ ସିରିଆ ପ୍ରାୟ ଆକସ୍ମିକ ଭାବରେ ଲେବାନନ୍‌ ଭିତରକୁ ଯେଉଁ ସୈନ୍ୟଚାଳନା କରାଇନେଲା ଓ ସେଠାରେ ଏକ ନୂତନ ପ୍ରକାରର ଯୁଦ୍ଧ ଆରମ୍ଭ କରିଦେଲା, ସେଥିରେ ବିକ୍ଷୁବ୍‌ଧ ହୋଇ ସାଦତ୍‌ ଆଉ ଆସାଦ୍‌ଙ୍କ ସହିତ ଦେଖା ବା କଥାବାର୍ତ୍ତା କରିବାପାଇଁ ମନ କଲେନାହିଁ ।

 

ମିଶର ଏବଂ ସିରିଆ ମଧ୍ୟରେ ରହିଆସିଥିବା ରାଷ୍ଟ୍ରୀୟ ସମ୍ୱନ୍ଧର ଇତିହାସ ହେଇଛି ଏକ ଅତିବିଚିତ୍ର ମିତ୍ରତା ଏବଂ ଶତ୍ରୁତାମୟ ଉଭୟଭାବୀ ସମ୍ୱନ୍ଧର ଇତିହାସ । ଯେତେବେଳେ ଏକଦା ମିଶରର ନାୟକ ଅବଦଲ ଗାମେଲ ନାସେର ଆରବ ଜଗତର ସର୍ବପ୍ରଧାନ ନେତା ରୂପେ ଗଣ୍ୟ ହେବାକୁ ଲାଗିଲେ, ଯେତେବେଳେ ସମଗ୍ର ଆରବ ଜଗତ ପ୍ରାୟ ଏକ ଭାବପ୍ରବଣତା ସହିତ ଗାମେଲ ନାସେରଙ୍କୁ ହିଁ ଆରବ ପୃଥିବୀର ନିର୍ମାତା ଏବଂ ଇସ୍ରାଏଲ ବିରୁଦ୍ଧରେ ସର୍ବମାନ୍ୟ ଏକମାତ୍ର ଶିବିରାଧ୍ୟକ୍ଷ ବୋଲି ମାନିନେବାକୁ ଆରମ୍ଭ କଲା, ସେତେବେଳେ ସିରିଆର ତତ୍କାଳୀନ ରାଷ୍ଟ୍ରନେତାମାନଙ୍କ ଭିତରେ ସେହି ଭାବପ୍ରବଣତା ସର୍ବାଧିକ ପରିମାଣରେ ପ୍ରକାଶ ପାଇଥିଲା ଏବଂ ତାହାରି ଫଳ ସ୍ୱରୂପ ସିରିଆ ମିଶର ସହିତ ଏକାଠି ମିଶିଗଲା ଓ ସଂଯୁକ୍ତ ଆରବ ସାଧାରଣତନ୍ତ୍ରର ପ୍ରତିଷ୍ଠା କରାଗଲା । ସେହି ମଧୁର ସ୍ଥିତିଟି ଅବଶ୍ୟ ବେଶିଦିନ ସ୍ଥାୟୀ ହୋଇ ରହି ପାରିଲାନାହିଁ । ନାସେରଙ୍କ ସାନ୍ନିଧ୍ୟ ମଧ୍ୟରେ ସିରିଆର ସ୍ଥାନୀୟ ନାୟକମାନେ ଆଉ ମୋଟେ ନାୟକ ଭଳି ଦେଖା ଗଲେନାହିଁ । ସିରିଆର ସବୁଠାରୁ ଅଧିକ ଶକ୍ତିଶାଳୀ ରାଜନୀତିକ ପାର୍ଟି ଉପରେ ନାସେର୍‌ଙ୍କର କୋପଦୃଷ୍ଟି ପଡ଼ିଲା । ବାଥ୍‌ ପାର୍ଟିକୁ ହିଁ ସେ ହୁଏତ ସିରିଆରେ ତାଙ୍କ ନେତୃତ୍ୱର ଏକ ପ୍ରଧାନ ପ୍ରତିଦ୍ୱନ୍ଦ୍ୱୀରୂପେ ଦେଖିବାକୁ ଲାଗିଲେ । ଏହିସବୁ କାରଣ ପାଇଁ ମିଶର ଆଉ ସିରିଆ ଅଲଗା ହୋଇଗଲେ । କ୍ରମେ ବାଥ୍‌ ପାର୍ଟି ହିଁ ସିରିଆରେ ରାଜନୀତିକ କ୍ଷମତାକୁ ଆସିଲା ଏବଂ ବର୍ତ୍ତମାନ ମଧ୍ୟ କ୍ଷମତାରେ ରହିଛି । ପୁନଶ୍ଚ ଗତବର୍ଷ ଆମେରିକାର ପ୍ରେରଣାରେ ଅନ୍‌ୱାର ସାଦତ୍‌ ଏକତରଫା ଭାବରେ ଇସ୍ରାଏଲ ସହିତ ଯେଉଁ ଚୁକ୍ତି କରିପକାଇଲେ ଓ ସେହି ଚୁକ୍ତିଟି ଯେତେବେଳେ କାର୍ଯ୍ୟକାରୀ ବି ହୋଇପାରିଲା, ସେତେବେଳେ ସିରିଆର ମନ ଯେ ଆହୁରି ଫାଟିଯାଇଥିବ, ଏଥିରେ କୌଣସି ସନ୍ଦେହ ନାହିଁ । ସେହିଦିନଠାରୁ ମିଶର ସହିତ ସିରିଆର ସମ୍ୱନ୍ଧଟା ମଧ୍ୟ ସେହିପରି ଫଟା ହୋଇ ରହିଛି ।

 

ଏହିସବୁ ପ୍ରାୟ ବ୍ୟକ୍ତିଗତ ତଥା ରାଜନୀତିକ କ୍ଷମତା ଦ୍ୱାରା ଚାଳିତ ହେଉଥିବା ସମସ୍ୟାଗୁଡ଼ିକ ମଧ୍ୟପ୍ରାଚ୍ୟର ସମସ୍ୟାକୁ ଆହୁରି ଜଟିଳ କରି ରଖିଛି ଏବଂ ଯେଉଁପରି ଏକ ପରିସ୍ଥିତି ସମ୍ଭବ ହେଲେ ଆରବ ଜଗତର ଇସ୍ରାଏଲ୍‌ ସହିତ ଏକ ବାସ୍ତବ ଓ ଭଦ୍ର ସମାଧାନ ସମ୍ଭବ ହୋଇପାରନ୍ତା, ତାହା ସମ୍ଭବ ହୋଇ ପାରୁନାହିଁ । ମଧ୍ୟପ୍ରାଚ୍ୟରେ ରାଜା ଓ ନାୟକମାନେ ଏହିପରି ନିଜ ନିଜ ଗଣ୍ଠିରେ ବାନ୍ଧି ହୋଇ ପଡ଼ିଥିବାବେଳେ ମଧ୍ୟପ୍ରାଚ୍ୟର ଲୋକସାଧାରଣ ବି ବେଶ୍‌ ଶୋଇ ରହିଛନ୍ତି । ଏହା ହେଉଛି ସବୁଠାରୁ ବେଶି ବିସ୍ମୟଜନକ କଥା ।

 

ତା ୦୯.୦୭.୧୯୭୬ ରିଖ

Image

 

ମିଜୋରାମ୍‌ରେ ନୂଆ ଅଧ୍ୟାୟ

 

ମିଜୋ ଜାତିର ଲୋକମାନେ ଆମ ଦେଶର ଯେଇଁ ଅଞ୍ଚଳରେ ବାସ କରନ୍ତି, ମିଜୋମାନଙ୍କର ଭାଷାରେ ତାହାକୁ ହିଁ ମିଜୋରାମ୍‌ ବୋଲି କୁହାଯାଏ । ଭାରତବର୍ଷର ଉତ୍ତର ପୂର୍ବ ଖଣ୍ଡର ଲୁସାଇ ପର୍ବତମାଳାକୁ ଆବେଷ୍ଟନ କରି ମିଜୋରାମ୍‌ ଅବସ୍ଥିତ । ଏହି ଅଞ୍ଚଳଟି ଇଂରେଜମାନଙ୍କ ଅମଳରେ ଆସାମ ପ୍ରଦେଶ ସହିତ ଏକାଠି ଯୋଡ଼ା ହୋଇଥିଲା । ଭାରତବର୍ଷ ସ୍ୱାଧୀନ ହେବା ପରେ ମଧ୍ୟ ଅନେକ ବର୍ଷଧରି ତାହା ସେହି ଆସାମ ସହିତ ରହିଥିଲା । ଭାଷା ଅନୁସାରେ ପ୍ରାନ୍ତ ବା ରାଜ୍ୟ ଗଠନ ସକାଶେ ସ୍ୱାଧୀନ ଭାରତବର୍ଷରେ ଯେଉଁ କମିଶନ ବସିଥିଲା, ସେହି କମିଶନ ବି ମିଜୋମାନଙ୍କ ଲାଗି ସ୍ୱତନ୍ତ୍ର ଭାବରେ କିଛି ନ ଭାବି ମିଜୋମାନଙ୍କୁ ଆସାମ ସହିତ ସେହି ପୂର୍ବପରି ଏକାଠି ମିଶାଇ ରଖିବାକୁ ନିଷ୍ପତ୍ତି ଦେଇଥିଲା । ମିଜୋରାମ୍‌ ଏକ ସ୍ୱତନ୍ତ୍ର ଅଞ୍ଚଳରୂପେ ସ୍ୱୀକୃତ ହେବା ଅନେକ ବର୍ଷ ପରର କଥା । ପ୍ରଥମେ ନାଗାମାନଙ୍କ ପାଇଁ ନାଗାଲାଣ୍ଡ ହେଲା, ତା’ପରେ ଆହୁରି ଉତ୍ତରକୁ ଅରୁଣାଚଳ ପ୍ରଦେଶର ରଚନା ହେଲା ଏବଂ ତା’ପରେ ଯାଇ ମିଜୋଖଣ୍ଡର ପାଳି ପଡ଼ିଲା ।

 

ମିଜୋରାମ୍‌ର ଆୟତନ ହେଉଛି ଏକୋଇଶି ହଜାର ବର୍ଗମାଇଲ । ଲୋକସଂଖ୍ୟା ଭୂମିର ବିସ୍ତାର ଅନୁପାତରେ ଅନେକ କମ୍‌-ମୋଟେ ସାଢ଼େ ତିନି ଲକ୍ଷ । ଅଞ୍ଚଳଟାଯାକ କେବଳ ଜଙ୍ଗଲ ଆଉ ପାହାଡ଼ । ରାସ୍ତାଘାଟ ପ୍ରାୟ କିଛି ନାହିଁ କହିଲେ ଚଳେ । ରାଜଧାନୀ ଆଇଜାଲଠାରୁ ଆସାମର ସିଲଚର ପର୍ଯ୍ୟନ୍ତ ଯାହା ଗୋଟିଏ ବୋଲି ରାସ୍ତା ଗତ ପ୍ରାୟ ଶହେବର୍ଷ ହେଲା ରହିଆସିଛି, କେବଳ ସେତିକି । ପୂର୍ବକୁ ବ୍ରହ୍ମଦେଶର ଗହନ ପାର୍ବତ୍ୟ ଅଞ୍ଚଳ ଏବଂ ପଶ୍ଚିମକୁ ବାଂଲାଦେଶର ଦକ୍ଷିଣସ୍ଥ ମାଳଭୂମି । ମିଜୋମାନେ ଅର୍ଥନୈତିକ କାରଣରୁ କେଉଁଠି ଗୋଟିଏ ଜାଗାରେ ସ୍ଥାୟୀ ଭାବରେ ବସବାସ କରି ରହିପାରନ୍ତି ନାହିଁ । କାରଣ ସ୍ଥାୟୀ ଚାଷଜମି ବୋଲି ସେଠାରେ ପ୍ରାୟ କିଛି ହେଲେ ନାହିଁ । ମିଜୋମାନେ ଅସ୍ଥାୟୀ ଭାବରେ ଯେତେବେଳେ ଯେଉଁ ପାହାଡ଼ ତଳେ ପଲା ପକାଇ ରହନ୍ତି, ସେହି ପାହାଡ଼ର ଗଛଗୁଡ଼ିକୁ କାଟି ସେଥିରେ ନିଆଁ ଲଗାଇ ଦିଅନ୍ତି । ତା’ପରେ ପାଉଁଶଭୂଇଁକୁ ଚାଷ କରି ଅସ୍ଥାୟୀ ଭାବରେ କିଛି ଫସଲ କରନ୍ତି । ଫସଲ ଉଠିଗଲେ ଅନ୍ୟ ପାହାଡ଼ର ତଲାସରେ ପୁଣି ଆଉ କେଉଁଠାକୁ ଯାଆନ୍ତି । ସେମାନେ ଏହିପରି କୃଷି ପ୍ରଣାଳୀକୁ ଝୁମ୍‌ ଚାଷ ବୋଲି କହନ୍ତି । ଓଡ଼ିଶାର ପୋଡ଼ୁଚାଷ ସହିତ ଏହାର ତୁଳନା କରାଯାଇପାରେ ।

 

ଦୁର୍ଭିକ୍ଷ ଓ ଖାଦ୍ୟାଭାବ ହେଉଛି ମିଜୋର କାଳ ଏବଂ ତାହାହିଁ ମିଜୋର ନିତ୍ୟ ସାଙ୍ଗ । ଲୋକବିଶ୍ୱାସ ଅନୁସାରେ ସେଠାରେ କୁଆଡ଼େ ପ୍ରତି ୪୮ ବର୍ଷରେ ଗୋଟିଏ ଗୋଟିଏ ଭୀଷଣ ଦୁର୍ଭିକ୍ଷ ପଡ଼ିବା କଥା ଓ ମଡ଼କ ହେବାର କଥା । ୧୯୫୯ ମସିହାରେ ଏହିପରି ଏକ ଦୁର୍ଭିକ୍ଷ ପଡ଼ିଥିବା ସମୟରେ ସେଠି ଯେଉଁ ଜାତୀୟ ରିଲିଫ୍‌ କମିଟି ଗଠିତ ହୋଇଥିଲା, ତାହାହିଁ କାଳକ୍ରମେ ମିଜୋ ଗରିଲା ବାହିନୀରେ ପରିଣତ ହେଲା । ଆତ୍ମଗୋପନକାରୀ ନାଗାମାନଙ୍କର ଅନୁକରଣ କରି ମିଜୋମାନେ ମଧ୍ୟ ଆତ୍ମଗୋପନ କରି ସରକାରୀ ଘର ପୋଡ଼ିଲେ, ସରକାରୀ ଲୋକଙ୍କୁ ଖିନଖରାପ କଲେ । ସେମାନଙ୍କର ନେତା ଲାଲ୍‌ଡ଼େଙ୍ଗା ଏହି ଖଣ୍ଡରଣରେ ଚୀନ ଓ ପାକିସ୍ଥାନ ପ୍ରଭୃତି ବିଦେଶୀ ସରକାରଙ୍କଠାରୁ ସାହାଯ୍ୟ ଓ ପ୍ରୋତ୍ସାହନ ବି ପାଉଥିଲେ । ସେହିସବୁ ଦେଶରେ ମିଜୋ ସ୍ୱେଚ୍ଛାସେବକମାନେ ଗୋପନ ଯୁଦ୍ଧ ପାଇଁ ତାଲିମ ପାଉଥିଲେ । ସେମାନଙ୍କ ତରଫରୁ ଏକ ସ୍ୱାଧୀନ ମିଜୋ ସରକାର ବି ଗଢ଼ା ସରିଥିଲା ।

 

ଏବେ ନିକଟରେ ଏହିସବୁ ଅଶାନ୍ତିର ଅବସାନ ଘଟିଲା । ଶ୍ରୀ ଲାଲ୍‌ଡ଼େଙ୍ଗାଙ୍କ ସମେତ ଛଅଜଣ ମିଜୋ ପତିନିଧିଙ୍କ ସହିତ ଭାରତ ସରକାରଙ୍କ ଘରୋଇ ବିଭାଗ କର୍ତ୍ତୃପକ୍ଷମାନଙ୍କର ଯେଉଁ କଥାବାର୍ତ୍ତା ଓ ମୀମାଂସା ହେଲା, ତାହା ଫଳରେ ମିଜୋମାନେ ଭାରତବର୍ଷର ସାର୍ବଭୌମତ୍ୱ ସ୍ୱୀକାର କଲେ, ମିଜୋରାମକୁ ଭାରତବର୍ଷର ଅଂଶ ବୋଲି ଗ୍ରହଣ କଲେ । ଏହା ମଧ୍ୟରେ ମିଜୋ ଗରିଲାମାନଙ୍କ ମଧ୍ୟରୁ ଅଧିକାଂଶ ସେମାନଙ୍କ ଅସ୍ତ୍ରଶସ୍ତ୍ରକୁ ଭାରତ ସରକାରଙ୍କଠାରେ ସମର୍ପଣ କରି ସାରିଲେଣି । ଆଉ ଅନ୍ୟମାନେ ବି ନିକଟରେ ତାହା କରିବେ ଓ ବାହାରକୁ ଆସିବେ । ସମସ୍ତଙ୍କର ସହଯୋଗରେ ଏକ ଜାତୀୟ ଉଦ୍ୟମରେ ମିଜୋରାମ ନୂଆ ହୋଇ ଗଢ଼ାହେବ । ବର୍ତ୍ତମାନ ତାହା କେବଳ ଏକ କେନ୍ଦ୍ରଶାସିତ ଅଞ୍ଚଳ ହୋଇ ରହିଛି । ନିକଟ ଭବିଷ୍ୟତରେ ତାହା ସମ୍ଭବତଃ ଏକ ପୂର୍ଣ୍ଣ ରାଜ୍ୟପାହିଆ ପାଇବ । ସେଠାରେ ନୂଆ ରାସ୍ତା ହେବ, ନୂଆ ସ୍କୁଲମାନ ବସିବ, ନୂଆ ଗାଆଁର ଯୋଜନା ହେବ । ଦୁର୍ଭିକ୍ଷ ଉପରେ ବିଜୟଲାଭ ହେବ । ଏକ ପୁରାତନ ସମସ୍ୟା ଓ ପୁରାତନ ବୈମନସ୍ୟର ଅବସାନ ଘଟିବ ।

 

ତା ୧୦.୦୭.୧୯୭୬ ରିଖ

Image

 

ସ୍ୱତନ୍ତ୍ର ସମ୍ୱାଦବ୍ୟବସ୍ଥା

 

ଏହି ମାସର ଆରମ୍ଭରେ ଭାରତବର୍ଷର ରାଜଧାନୀ ନୂଆଦିଲ୍ଲୀରେ ଗୋଷ୍ଠୀନିରପେକ୍ଷ ଦେଶମାନଙ୍କର ପ୍ରତିନିଧିଙ୍କୁ ନେଇ ଏକ ସ୍ୱତନ୍ତ୍ର ସମ୍ୱାଦସଂସ୍ଥା ସ୍ଥାପନ କରିବା ଲାଗି ଯେଉଁ ସମ୍ମିଳନୀ ବସିଥିଲା, ତାହାକୁ ଆମେ ନିକଟରେ ହୋଇଯାଇଥିବା ଗୋଷ୍ଠୀନିରପେକ୍ଷ ଦେଶମାନଙ୍କର ବୈଦେଶିକ ବିଭାଗୀୟ ମନ୍ତ୍ରୀମାନଙ୍କର ଆଲଜିଅର୍ସ ସମ୍ମିଳନୀର ଏକ ପରବର୍ତ୍ତୀ ପର୍ଯ୍ୟାୟ ବୋଲି କହିପାରିବା । ଗୋଷ୍ଠୀନିରପେକ୍ଷ ଦେଶମାନଙ୍କ ତରଫରୁ ଗୋଟିଏ ସ୍ୱତନ୍ତ୍ର ସମ୍ୱାଦ-ସଂସ୍ଥା ଅର୍ଥାତ୍‌ ସମ୍ୱାଦବ୍ୟବସ୍ଥାର ପ୍ରଣୟନ କରାଯିବା ଉଚିତ ବୋଲି ଆଲଜିଅର୍ସଠାରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।

 

ଗୋଷ୍ଠୀନିରପେକ୍ଷ ଦେଶ କହିଲେ ଆଜି ପୃଥିବୀର ସଂଖ୍ୟାଧିକ ଦେଶମାନଙ୍କର ଏକ ଗୋଷ୍ଠୀକୁ ବୁଝାଏ । ସମଗ୍ର ପୃଥିବୀକୁ ଆପଣା ମଧ୍ୟରେ ବଣ୍ଟାବଣ୍ଟି କରିବା ଏ ଗୋଷ୍ଠୀର ଉଦ୍ଦେଶ୍ୟ ନୁହେଁ । କିମ୍ୱା ପୃଥିବୀକୁ କେତେଟା ଅଶୁଭକର ପ୍ରଭାବମଣ୍ଡଳରେ ବିଭକ୍ତ କରି ତାହାରି ମଧ୍ୟରେ ମଣ୍ଡଳାଧୀଶ ହୋଇ ନାଚିବା ଲାଗି ମଧ୍ୟ ଏମାନଙ୍କର ଆଦୌ କୌଣସି ମହତ୍ତ୍ୱାକାଙ୍‌କ୍ଷା ନାହିଁ । ମାତ୍ର ଏମାନଙ୍କର ଗୋଟିଏ ସ୍ୱପ୍ନ ରହିଛି, ଏକ ସୁନ୍ଦରତର ଭବିଷ୍ୟ ଗଢ଼ିବାର ଗୋଟିଏ ଯୋଜନା ରହିଛି । ଏହି ଦେଶଗୁଡ଼ିକ ମଧ୍ୟରୁ ଅଧିକାଂଶ ବିଗତ କେବଳ ଦୁଇ ବା ତିନି ଦଶନ୍ଧି ମଧ୍ୟରେ ସ୍ୱାଧୀନତା ଲାଭ କରିଛନ୍ତି । ଔପନିବେଶିକ ଦୁଃସ୍ଥିତି ଭିତରୁ ବାହାରି ଆର୍ଥିକ ସମ୍ପନ୍ନତା ମଧ୍ୟରେ ପ୍ରବେଶ କରିବା ସକାଶେ ବିକାଶର ଯେଉଁସବୁ ସୋପାନ ଅତିକ୍ରମ କରିବା କଥା, ଏମାନେ ସେହିସବୁ ସୋପାନ ଅତିକ୍ରମ କରିବାକୁ ଇଚ୍ଛା କରୁଛନ୍ତି ଓ ଆନ୍ତର୍ଜାତିକ କ୍ଷେତ୍ରରେ ତଦନୁକୂଳ ଏକ ପରିବେଶ କାମନା କରୁଛନ୍ତି । ପୃଥିବୀରେ ଯେଉଁ କେତୋଟି ଦେଶ ବା ଜନସମୂହ ଏବେ ମଧ୍ୟ ନିଜର ସ୍ୱାତନ୍ତ୍ର୍ୟ ଓ ମୁକ୍ତି ଲାଗି ସଂଗ୍ରାମ କରୁଛନ୍ତି, ଗୋଷ୍ଠୀନିରପେକ୍ଷ ତୃତୀୟ ପୃଥିବୀ ସେମାନଙ୍କୁ ମଧ୍ୟ ସାଥୀ କରି ଆଣିବାଲାଗି ଇଚ୍ଛା କରୁଛନ୍ତି । ବୃହତ୍‌ଶକ୍ତି ଓ ପୁରାତନ ରାଜନୀତିକ ସାମନ୍ତବାଦ ଦ୍ୱାରା ଯେତେ ଯେଉଁଠି ନାନା ପ୍ରଭାବବିସ୍ତାର ଓ ଛାୟାମଣ୍ଡଳର ସୃଷ୍ଟି ଦ୍ୱାରା କେତେ ଦେଶର ମୁକ୍ତ ବିକାଶ ବାଧାପ୍ରାପ୍ତ ହୋଇ ରହିଛି, ଏମାନେ ସେଗୁଡ଼ାକର ଅବସାନ ଇଚ୍ଛା କରୁଛନ୍ତି । ଏଣୁ ଏମାନଙ୍କର ସଂଗ୍ରାମ ଏବେ ମଧ୍ୟ ସରିନାହିଁ, ଏମାନଙ୍କର ସ୍ୱପ୍ନ ଏବେ ବି ସଫଳ ହୋଇନାହିଁ ।

 

ମାତ୍ର ଯେଉଁମାନଙ୍କର ସଂଗ୍ରାମ କୋଉକାଳୁ ସରିଯାଇଛି, ପୁରୁଣା ପ୍ରତିଷ୍ଠା ଏବଂ ପୁରୁଣା ଫିକରଗୁଡ଼ାକୁ ବଜାୟ ରଖି ଯେଉଁମାନେ ପୃଥିବୀର ସ୍ଥିତାବସ୍ଥାକୁ ହିଁ ସ୍ଥାୟୀ କରି ରଖିବାକୁ ଚାହୁଁଛନ୍ତି, ପୃଥିବୀରେ ସମ୍ୱାଦ ସରବରାହର ବ୍ୟବସ୍ଥା ପ୍ରାୟ ସେହିମାନଙ୍କର ହାତରେ ରହିଛି । ଇଉରୋପ ଆଉ ଆମେରିକା ବ୍ୟତୀତ ପୃଥିବୀଯାକ ସେମାନଙ୍କ ଆଖିରେ କେଉଁଠି କିଛିହେଲେ ଘଟୁନାହିଁ । ଅଥବା ଯାହାକିଛି ଘଟୁଛି, ସେମାନେ ତାହାକୁ କେବଳ ଆପଣା ପ୍ରଚକ୍ଷୁଗୁଡ଼ିକର ରଙ୍ଗଟି ଦେଇ ଦେଖୁଛନ୍ତି ଓ ତେଣୁ ଯାହାସବୁ ପ୍ରକୃତରେ ଘଟୁଛି, ସେମାନେ ସେଗୁଡ଼ାକୁ ମୋଟେ ଦେଖି ପାରୁନାହାନ୍ତି । ଆଜି ଆଫ୍ରିକା ମହାଦେଶରେ ଯେଉଁ ଉଦ୍‌ବେଳନ ବିଶ୍ୱଆକାଶ ଭିତରକୁ ବ୍ୟାପ୍ତ ହୋଇ ଆସିବାକୁ ଆରମ୍ଭ କଲାଣି, ଲାଟିନ୍‌ ଆମେରିକାର ଯେଉଁସବୁ ଅସନ୍ତୋଷକୁ ସତେଅବା ଅଦୃଶ୍ୟ କୌଣସି ଦୁର୍ଗାଧୀଶ୍ୱର ନିଷେଧର ବଳପୂର୍ବକ ଗୋପନ କରି ରଖିଛି ଓ ବାହାରକୁ ଆସିବାକୁ ଦେଉନାହିଁ, ମଧ୍ୟପ୍ରାଚ୍ୟରେ ବସ୍ତୁତଃ ଯାହାସବୁ ସକାଶେ ଯାବତୀୟ ସମାଧାନ ଅକାମୀ ହୋଇ ରହିଛି, ସେସବୁ ବିଷୟରେ ବିଶ୍ୱବାସୀ ପ୍ରାୟ କିଛିହେଲେ ଜାଣି ପାରୁନାହାନ୍ତି । ସମ୍ୱାଦଗୁଡ଼ିକ ସର୍ବତ୍ର କେବଳ ଛଣା ହୋଇ ଆସୁଛି, ତେଣୁ ବିକୃତ ହୋଇ ଆସିବାକୁ ହିଁ ବାଧ୍ୟ ହେଉଛି । କେବଳ ଇଉରୋପ ଓ ଆମେରିକା ଲାଗି, ସାମରିକ ମେଣ୍ଟଗୁଡ଼ାକ ଲାଗି ଓ ବୃହତ୍‌ଶକ୍ତି ଓ ସେମାନଙ୍କର ଗହଣିଆମାନଙ୍କ ଲାଗି ପୃଥିବୀରେ ଯେପରି ସବୁକିଛି ଘଟୁଛି, ଊନବିଂଶ ଶତାଦ୍ଦୀ ପରି ଆଜି ମଧ୍ୟ ଆମକୁ ସେହିପରି ଏକ ଧାରଣା ଦେବାର ଚେଷ୍ଟା କରାଯାଉଛି ।

 

ସେଇଥିଲାଗି ଗୋଷ୍ଠୀନିରପେକ୍ଷ ଦେଶଗୁଡ଼ିକ ନିଜ ତରଫରୁ ଏକ ସ୍ୱତନ୍ତ୍ର ସମ୍ୱାଦସଂସ୍ଥା ସ୍ଥାପନ କରିବାଲାଗି ସ୍ଥିର କରିଛନ୍ତି । ଏହି ସଂସ୍ଥାଟି ଜରିଆରେ ନୂତନ ସଂସାରଟିର କଥା କୁହାଯିବ-। ଯେଉଁ ସଂସାରଟି ଜନ୍ମଲାଭ କରିବାକୁ ଯାଉଛି, ତାହାରି କଥା କୁହାଯିବ । ଏଥିରେ ସଂଗ୍ରାମର କଥା କୁହାହେବ । ମଣିଷର ଯେଉଁ ସଂଗ୍ରାମଗୁଡ଼ାକ ଏପର୍ଯ୍ୟନ୍ତ ସରିନାହିଁ, ତାହାରି କଥା କୁହାଯିବ । ଏହି ଉଦ୍ଦେଶ୍ୟରେ ନୂଆଦିଲ୍ଲୀରେ ଯେଉଁ ସମ୍ମିଳନୀଟି ବସିଛି, ସଂଯୁକ୍ତ ରାଷ୍ଟ୍ରସଂଘ ତରଫରୁ ମଧ୍ୟ ସେଥିଲଗି ପର୍ଯ୍ୟବେକ୍ଷକ ପ୍ରତିନିଧିଦଳ ଆସି ଯୋଗ ଦେଇଛନ୍ତି । ସାମ୍ୱାଦିକତାର ଇତିହାସରେ ଏକ ନୂତନ ବାଙ୍କ ଓ ଏକ ନୂତନ ମୋଡ଼ ଆପଣାକୁ ପ୍ରତିଷ୍ଠା କରିବାକୁ ଯାଉଛି । ପ୍ରତିଷ୍ଠିତ ପ୍ରଧାନଗୁଡ଼ାକ ଅପ୍ରଧାନ ହେବାକୁ ଯାଉଛି ।

 

ତା ୧୧.୦୭.୧୯୭୬ ରିଖ

Image

 

ସ୍ୱାଧୀନତା ଓ ଭାରତର ବିଚାର

 

ଦେଶର ସ୍ୱାଧୀନତା କହିଲେ କେବଳ ବିଦେଶ ସାମ୍ରାଜ୍ୟ ଓ ବିଦେଶୀ ଶାସନକର୍ତ୍ତାମାନଙ୍କର ଅବସାନ ଘଟାଇ ସେମାନଙ୍କ ସ୍ଥାନରେ ନିଜ ଦେଶର ଲୋକମାନଙ୍କୁ ନେଇ ବସାଇ ଦେବାକୁ ହିଁ ବୁଝାଏ ନାହିଁ । ମାତ୍ର ଦେଶର ସମାଜ ତଥା ଆର୍ଥିକ ଜୀବନକୁ ପୁନର୍ଗଠିତ କରିବାର ଏକ ଦୀର୍ଘ ଧୈର୍ଯ୍ୟଶୀଳ ଅଥଚ ନିଶ୍ଚିତ ଯୋଜନାର ପ୍ରକ୍ରିୟାକୁ ଯେ ବୁଝାଏ, ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀ କିଛିଦିନ ତଳେ ସେହି କଥାଟିପ୍ରତି ସଂପୃକ୍ତ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି । ଭାରତବର୍ଷର ସ୍ୱାଧୀନତା ସଂଗ୍ରାମ କେବଳ ରାଜନୀତିକ କ୍ଷମତାବଦଳ ଲାଗି ହିଁ ଏକ ସଂଗ୍ରାମ ନଥିଲା । ଉନବିଂଶ ଶତାଦ୍ଦୀରେ ଜାତୀୟ ଆତ୍ମପରିଚୟ ଲାଭ ପାଇଁ ଭାରତବର୍ଷରେ ଯେଉଁ ନବଜାଗରଣର ପ୍ରବର୍ତ୍ତନ ହୋଇଥିଲା, ରାଜନୀତିକ ପ୍ରେରଣା, ଅର୍ଥାତ୍‌ ରାଜନୀତିକ କ୍ଷମତାଲାଭର ଇଚ୍ଛା ବା ଲାଳସାଲାଗି ତାହାମଧ୍ୟରେ ହୁଏତ ଆଦୌ କୌଣସି ସ୍ଥାନ ନଥିଲା । ଏହି ପୁନର୍ଜାଗରଣରେ ବିଭିନ୍ନ ପର୍ଯ୍ୟାୟରେ ନେତୃତ୍ୱ ଗ୍ରହଣ କରିଥିବା ରାଜା ରାମମୋହନ ରାୟ, ଲୋକମାନ୍ୟ ତିଳକ, ରବିନ୍ଦ୍ର ନାଥ ଠାକୁର, ଶ୍ରୀ ଅରବିନ୍ଦ ଅଥବା ମହାତ୍ମା ଗାନ୍ଧୀଙ୍କୁ ଆମେ ସେହି କାରଣରୁ ଜଣେ ଜଣେ ରାଜନୀତିକ ନେତା ବୋଲି ନକହି ସବାଆଗ ଜଣେ ଜଣେ ଦ୍ରଷ୍ଟା ବୋଲି କହିବା, ଜଣେ ଜଣେ ନିର୍ମାତା ବୋଲି ହିଁ କହିବା । ଏମାନେ ସମସ୍ତେ ଭାରତବର୍ଷରେ ଏକ ନୂତନ ଯୁଗାଗମର ସ୍ୱପ୍ନ ଦେଖିଥିଲେ; ସେଥିଲାଗି ବିଦେଶୀ ଶାସନରୁ ମୁକ୍ତିକୁ ହିଁ ଦେଶଲାଗି ସର୍ବପ୍ରଥମ ଆବଶ୍ୟକତା ବୋଲି ଅନୁଭବ କରିଥିଲେ ଏବଂ ତାହାହିଁ ସେମାନଙ୍କୁ ରାଜନୀତିକ ଜାଗରଣ ଏବଂ ସଂଗ୍ରାମ ମଧ୍ୟକୁ ଅବତୀର୍ଣ୍ଣ କରାଇ ଆଣିଥିଲା ।

 

ଜଣେ ଜଣେ ଭାରତବାସୀ ହିସାବରେ ଏହି କଥାଟିକୁ ହିଁ ଆମେ ଭାରତର ପରମ ଭାଗ୍ୟ ବୋଲି କହିପାରିବା ଏବଂ ସେଇଥିଲାଗି ସାଂପ୍ରତିକ ସ୍ୱାଧୀନତା ସଂଗ୍ରାମର ଇତିହାସରେ ଭାରତୀୟ ସଂଗ୍ରାମଟିର ଏକ ବିଶେଷ ସ୍ଥାନ ରହିଛି, ତାହାପଛରେ ଏକ ବିଶେଷ ଆବେଦନ ମଧ୍ୟ ରହିଛି, ସ୍ୱାଧୀନତା ପରେ ଭାରତବର୍ଷର ଆଗ୍ରହ ଓ ଆକାଙ୍‌କ୍ଷା ମଧ୍ୟ ଯେଉଁ ପରି ଏକ ବିଶେଷ ମାର୍ଗରେ ଗତି କରିଆସିଛି, ସେଥିପାଇଁ ମଧ୍ୟ ବେଶ୍‌ ଅନେକ ପରିମାଣରେ ଆମେ ଭାରତୀୟ ସ୍ୱାଧୀନତା ସଂଗ୍ରାମର ସେହି ବିଶେଷତାଗୁଡ଼ିକୁ ନିଶ୍ଚୟ ଶ୍ରେଷ୍ଠତର ଆସନ ଦେଇପାରିବା ।

 

ବିଶ୍ୱ-ରାଜନୀତିରେ ଏବେ ଯାହାକୁ ତୃତୀୟ ପୃଥିବୀ ବୋଲି କୁହାଯାଉଛି, ଗତ କୋଡ଼ିଏ ବା ତିରିଶିବର୍ଷ ଭିତରେ ଯେଉଁସବୁ ଦେଶ ଔପନିବେଶିକ ପର୍ଯ୍ୟାୟଟିକୁ ଅତିକ୍ରମ କରି ରାଜନୀତିକ ସ୍ୱାଧୀନତାଲାଭ କରିଛନ୍ତି, ଗୋଟିଏ ଗୋଟିଏ ସ୍ୱାଧୀନ ଦେଶରୂପେ ସେମାନଙ୍କର ବିବର୍ତ୍ତନଟି ଯେଉଁ ମାର୍ଗରେ ଗତିକରି ଆସିଛି ଓ ସେଥିରୁ ଯେଉଁ ଆଗ୍ରହଗୁଡ଼ାକ ସର୍ବାଧିକ ପ୍ରଭାବଶାଳୀ ଆଗ୍ରହରୂପେ ମନେ ହେଇଛନ୍ତି,–ଉକ୍ତ ବିଶେଷତାର ଏକ ପୃଷ୍ଠଭୂମି ଉପରେ ମଧ୍ୟ ଆମେ ସେହି ବିଷୟଟିର ବେଶ୍‌ ଆଲୋଚନା କରିପାରିବା । ଆଫ୍ରିକା ଏବଂ ଏସିଆରେ ସଦ୍ୟ ସ୍ୱାଧୀନତା ଲାଭ କରିଥିବା ଅଧିକାଂଶ ଦେଶ ସତେ ଯେପରି ସ୍ୱାଧୀନତା ସଂଗ୍ରାମର ନାଆଁରେ ପ୍ରଧାନତଃ ଏକ ରାଜନୀତିକ କ୍ଷମତାବଦଳର ସଂଗ୍ରାମ ହିଁ ଲଢ଼ି ଆସିଛନ୍ତି, ସେହିସବୁ ଦେଶରେ ସ୍ୱାଧୀନତା ପାଇବା ପରେ ଘଟି ଆସିଥିବା ଓ ଆସୁଥିବା ବ୍ୟାପାରଗୁଡ଼ିକରୁ ଆମକୁ ଅନେକ ସମୟରେ ପ୍ରାୟ ସେହିଭଳି ଏକ ସଙ୍କେତ ମିଳିଯାଉଛି । ରାଜନୀତିକ ସ୍ୱାଧୀନତା ହାସଲ ହୋଇଯିବା ପରେ ରାଷ୍ଟ୍ରୀୟ ନିର୍ମାଣର ପରବର୍ତ୍ତୀ ଅଧିକ ମହତ୍ତ୍ୱପୂର୍ଣ୍ଣ ଏବଂ ଅପେକ୍ଷାକୃତ ଅଧିକ ଆୟାସସାଧ୍ୟ ପର୍ବଟି ଆରମ୍ଭ ହୋଇ ଯାଇଥା’ନ୍ତା ଏବଂ ସମାଜ-ନିର୍ମାଣର ଏକ ଆଦର୍ଶ ଓ ନୂତନ ମୂଲ୍ୟବୋଧର ଦୃଷ୍ଟି ହିଁ ସେହି ପର୍ବରେ ନେତୃତ୍ୱ ଗ୍ରହଣ କରୁଥାନ୍ତି । ମାତ୍ର ତୃତୀୟ ପୃଥିବୀର ଅଧିକାଂଶ ଦେଶରେ ତାହା ହୋଇପାରିନାହିଁ । ସେଠାରେ ସମସ୍ତେ ବେଶ୍‌ ଧାଉଁଥିବା ପରି ମନେ ହେଉଛନ୍ତି ସତ, ମାତ୍ର ସେହି ଧାଇଁବାଗୁଡ଼ାକୁ ନିୟନ୍ତ୍ରଣ କରିପାରୁଥିବା କୌଣସି ଦୃଷ୍ଟି ସେଠାରେ ରହିଥିବାର ସତେଅବା ଆଦୌ କୌଣସି ପରିଚୟ ମିଳୁନାହିଁ ।

 

ରାଜନୀତିକ କ୍ଷମତାରେ ବସିବାପାଇଁ ଓ ସମ୍ଭବ ହେଲେ ସବୁଯାକ କ୍ଷମତାକୁ ଆବୋରି ରହିବାକୁ ହିଁ ସେସବୁ ଦେଶରେ ପ୍ରାୟ ସତେଯେପରି ମଲ୍ଲଯୁଦ୍ଧ ଲାଗି ରହିଛି । ଘଡ଼ି ଘଡ଼ିକେ ଆସନ ଠିଆ ହୋଇଯାଉଛି, ଆସନ ଚଳିଯାଉଛି । ଏହି କ୍ଷମତା ହାସଲର ଦଉଡ଼ରେ ବିଦେଶୀ ସାମରିକ ଶକ୍ତିକୁ ମଧ୍ୟ ସତେଅବା ସମାଧାନକାରୀ ଏକ ଶକ୍ତିରୂପେ ଅନେକ ସମୟରେ ବିଚାର ବି କରାଯାଉଛି । ଅନେକ ସ୍ଥଳରେ ସୈନ୍ୟମାନେ ଦେଶକୁ ପ୍ରକୃତ ଗଣତନ୍ତ୍ର ବା ପ୍ରତିନିଧିମୂଳକ ଶାସନ ଆଣି ଦେବେବୋଲି ଦେଶର ସବୁ ନୀତି ଓ ରାଜନୀତିକୁ ପ୍ରାୟ ଗୋଟାସୁଦ୍ଧା ଗିଳି ପକାଇବାକୁ ଆସୁଛନ୍ତି । କେଉଁଠି ହେଲେ ପ୍ରାୟ କୌଣସି ଦୃଷ୍ଟି ନାହିଁ, ଭବିଷ୍ୟସ୍ୱପ୍ନ ନାହିଁ, ତେଣୁ ଜାତୀୟ ଭବିଷ୍ୟଚିତ୍ର ବା ସଂକଳ୍ପ ମଧ୍ୟ ନାହିଁ । ତେଣୁ ଭାରତର ଆଦର୍ଶ, ଭାରତର ପରମ୍ପରା, ଭାରତର ବିଚାର ଆଜି ସମସ୍ତଙ୍କ ପାଇଁ ଏକମାତ୍ର ନିର୍ଭାଯୋଗ୍ୟ ଦିଗନ୍ତ ରୂପେ ପ୍ରତିଭାତ ହେବା ଏକ ସ୍ୱାଭାବିକ କଥା ।

 

ତା ୧୨.୦୭.୧୯୭୬ ରିଖ

Image

 

ଅନୁଗ୍ରହରେ ପାଶ୍‌

 

ଭାରତବର୍ଷର କେଉଁ ରାଜ୍ୟରେ ବା ରାଜ୍ୟମାନଙ୍କରେ ପିଲାମାନେ ପରୀକ୍ଷାରେ ସନ୍ତୋଷଜନକ ଭାବେ ଅଧିକ ସଂଖ୍ୟାରେ ପାଶ୍‌ କରୁଛନ୍ତି, ଏକ ତୁଳନାତ୍ମକ ପାଶ୍‌ ଫେଲ୍‌ର ହିସାବ ସଂଗ୍ରହ କରି ବିଶ୍ଳେଷଣ କରି ଦେଖିଲେ ଆମକୁ ହୁଏତ ତା’ର ସମାଚାର ମିଳିଯାଇ ପାରିବ; ମାତ୍ର ଏବର୍ଷ ଆନ୍ଧ୍ର ପ୍ରଦେଶରେ ପିଲାମାନଙ୍କର ପରୀକ୍ଷାଫଳ ଯେ ଅତିଶୟ ଖରାପ ହୋଇଛି, ତାହାର ପ୍ରତିଧ୍ୱନି ସେହି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କର କଥାରୁ ମଧ୍ୟ ଶୁଣିବାକୁ ମିଳୁଛି । ଓଡ଼ିଶାରେ ଏବର୍ଷ ଯେଇଁ ହାଇସ୍କୁଲ ପରୀକ୍ଷା ହୋଇଥିଲା, ସେଥିରେ ସଫଳତାର ସଂଖ୍ୟା ହେଉଛି ଶତକଡ଼ା ଚାଳିଶିରୁ ତଳକୁ-। ଏଇଟା ହେଉଛି ସମଗ୍ର ରାଜ୍ୟର ସଂଖ୍ୟା ଏବଂ ଜିଲାୱାରି ହିସାବଗୁଡ଼ାକୁ ସମୀକ୍ଷା କରି ଦେଖିଲେ ତାହା ଆମକୁ ହୁଏତ ଅଧିକ ନୈରାଶ୍ୟରେ ଆଣି ପକାଇବାକୁ ବସିବ । ମାତ୍ର ଓଡ଼ିଶାରେ ଯଦି ପରୀକ୍ଷାଫଳ ଖରାପ ହୋଇଛି ବୋଲି କୁହାଯାଏ, ଆନ୍ଧ୍ରପ୍ରଦେଶରେ ପିଲାମାନେ ଦର୍ଶାଇଥିବା ପରୀକ୍ଷାଫଳକୁ ତା’ଠାରୁ ଆହୁରି ବେଶି ଖରାପ ବୋଲି କହିବାକୁ ହେବ ।

 

ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଭେଙ୍ଗଲ ରାଓ ଏବର୍ଷ ପିଲାଙ୍କର ପରୀକ୍ଷାଫଳକୁ ନେଇ ଘୋର ଉଦ୍‌ବେଗ ପ୍ରକାଶ କରିଛନ୍ତି । ସିଏ କହିଛନ୍ତି ଯେ ରାଜ୍ୟ ସରକାର ଶିକ୍ଷା ବାବତକୁ ମୁଠାମୁଠା ପଇସା ଖରଚ କରୁଛନ୍ତି ଓ ଅନ୍ୟାନ୍ୟ ଯେକୌଣସି ବିଭାଗ ଅପେକ୍ଷା ଶିକ୍ଷା ବିଭାଗରେ ଅଧିକ ଖରଚ କରୁଛନ୍ତି - ମାତ୍ର ଶିକ୍ଷାକ୍ଷେତ୍ର ସହିତ ସମ୍ଫୃକ୍ତ ଓ ସଂଶ୍ଲିଷ୍ଟ କେହିହେଲେ ସେମାନଙ୍କର ଦାୟିତ୍ୱଟିକୁ ଯଥୋଚିତ ଭାବରେ ଆଦୌ ତୁଲାଇ ପାରୁନାହାନ୍ତି । ପ୍ରଚଳିତ ଶିକ୍ଷାବ୍ୟବସ୍ଥା ଅର୍ଥାତ୍‌ ରାଜ୍ୟସ୍ତରୀୟ ଶିକ୍ଷାଯନ୍ତ୍ରଟାକୁ ଉଦ୍ଦେଶ୍ୟ କରି ସିଏ ଅନେକ କ୍ଷୋଭ ଓ କ୍ରୋଧ ପ୍ରକଟ କରିଛନ୍ତି । ଏହି ବର୍ଷର ବିପର୍ଯ୍ୟୟ ଓ ଶୋଚନୀୟ ଫଳ ପାଇଁ ସେ ଶିକ୍ଷକ, ପିତାମାତା ଓ ପିଲା ସଭିଙ୍କୁ ଦାୟୀ କରିଛନ୍ତି ଓ ଆଗାମୀ ବର୍ଷକୁ ଫଳ ନିଶ୍ଚୟ ଅଧିକ ଭଲ ହେବା ଉଚିତ ବୋଲି ଆଶା ବ୍ୟକ୍ତ କରିଛନ୍ତି-। ଏବର୍ଷର ନୈରାଶ୍ୟକାରୀ ପରୀକ୍ଷାଫଳକୁ କିଞ୍ଚିତ କମ୍‌ ନୈରାଶ୍ୟମୟ ବୋଲି ପ୍ରତିପାଦିତ କରିବାକୁ ଯାଇ ଆନ୍ଧ୍ରପ୍ରଦେଶର ମନ୍ତ୍ରୀମଣ୍ଡଳ ଏକ ବୈଠକରେ ପରୀକ୍ଷାରେ ବସିଥିବା ପ୍ରତ୍ୟେକ ଛାତ୍ରକୁ ଅଧିକ ପାଞ୍ଚନମ୍ୱର ଦେବାଲାଗି ନିଷ୍ପତ୍ତି କରିଛନ୍ତି ଏବଂ ତାହା ଫଳରେ ରାଜ୍ୟରେ ଆଉ କେତେ ହଜାର ପିଲା ଅନୁଗୃହୀତ ହୋଇପାରିବେ ଓ ରକ୍ଷା ପାଇଯିବେ ବୋଲି ଜଣାଯାଇଛି ।

 

ଆମ ପରୀକ୍ଷାଗୁଡ଼ାକରେ ଏବେ ଏତେ ସଂଖ୍ୟାରେ ପିଲାମାନେ କାହିଁକି ଫେଲ୍ ହେଉଛନ୍ତି ? ଖାଲି ଆନ୍ଧ୍ର ପ୍ରଦେଶରେ ନୁହେଁ, ଭାରତବର୍ଷର ପ୍ରତ୍ୟେକ ରାଜ୍ୟରେ ଏବେ କାହିଁକି ଏତେ ପିଲା ଫେଲ୍‌ ହେଉଛନ୍ତି ? ଆଗେ ଶିକ୍ଷକମାନଙ୍କର ଆନୁଷ୍ଠାନିକ ଯୋଗ୍ୟତା ଯେତିକି ଥିଲା, ବର୍ତ୍ତମାନ ତା’ଠାରୁ ଅଧିକ ଯୋଗ୍ୟତା ରହିଛି । ସ୍କୁଲପରି ଦିଶିବାକୁ ଆଗେ ଆମ ସ୍କୁଲଗୁଡ଼ାକର ଯେତିକି ଯୋଗ୍ୟତା ରହିଥିଲା, ନିଃସନ୍ଦେହ ଭାବରେ ଏବେ ତାହାଠାରୁ ଅଧିକ ଯୋଗ୍ୟତା ବଢ଼ିଛି । ଏବର ଶିକ୍ଷାଯନ୍ତ୍ର ଆଗ ତୁଳନାରେ ଦଶଗୁଣ ଅଧିକ ସମାରୋହରେ ଓ ଅଧିକ କଡ଼ା ତତ୍ତ୍ୱାବଧାନରେ ଚାଲିଛି । ଯେଉଁଠି ଜିଲ୍ଲା ପିଛା ଜଣେ ପହରା କରୁଥିଲେ, ବର୍ତ୍ତମାନ ସେଠାରେ ତିନି ଚାରିଜଣ ନିଯୁକ୍ତ ହେଲେଣି । ପିଲାଙ୍କ ଘରେ ମଧ୍ୟ ମାଷ୍ଟରମାନେ ସେମାନଙ୍କ ପଛରେ ଲାଗିଛନ୍ତି ଓ ସେମାନଙ୍କୁ ପାଠ ପଢ଼ାଉଛନ୍ତି । ସେମାନଙ୍କର ପାଠପଢ଼ାକୁ ସୁଗମ ଓ ସୁବହ କରିବା ଲାଗି ଏବେ ରେଡ଼ିମେଡ଼୍‌ କେତେ କେତେ ଆପ୍ୟାୟନକାରୀ ସହଚର ବହି ଲେଖାଗଲାଣି । ସମଗ୍ର ଭାବରେ କହିଲେ, ଶିକ୍ଷାଲାଗି ଆଗେ ଯେତେ ପଇସା ଓ ଯେତେ ମଥା ଖରଚ ହେଉଥିଲା, ଏବେ ତାହାର ଅନେକ ଅଧିକଗୁଣ ମଥା ଓ ପଇସା ଖରଚ ହେଉଛି । ତଥାପି ଫଳ ନଫଳି ଏତେ ପରିମାଣରେ ଅଗାଡ଼ି ଫଳୁଛି କାହିଁକି ? ଶିକ୍ଷା ପରିବର୍ତ୍ତରେ ଅଶିକ୍ଷା ଘୋଟିଯାଉଛି କାହିଁକି ? ସମସ୍ୟା ଘୁଞ୍ଚିବା ପରିବର୍ତ୍ତରେ ସମସ୍ୟା ଆହୁରି ଜଟିଳ ହୋଇଯାଉଛି କାହିଁକି ?

 

ଏହି ପ୍ରଶ୍ନର ଅନେକ କାରଣ ରହିଛି, ଅନେକ ସ୍ତରର କାରଣ ରହିଛି । କିନ୍ତୁ ଯେଉଁଟି ସର୍ବସାମାନ୍ୟ କାରଣ ହୋଇ ଆମ କାନ୍ଧ ଉପରେ ଆସି ବସିଛି, ସେଇଟି ହେଉଛି ଯେ ଏହି ଶିକ୍ଷାର ଦିନ ସରିଗଲାଣି । ଆମର ସାଂପ୍ରତିକ ଆବଶ୍ୟକତା ଓ ସାଂପ୍ରତିକ ଆକାଙ୍‌କ୍ଷାଗୁଡ଼ିକ ଦୃଷ୍ଟିରୁ ଏହି ଶିକ୍ଷାଲାଗି ବର୍ତ୍ତମାନ ଆଦୌ କୌଣସି ଅବକାଶ ନାହିଁ । ଯେଉଁ ଦୋକାନ ଭାଙ୍ଗି ସାରିଲାଣି, ସେହି ଦୋକାନ ଚାଲୁଛି କିପରି ? ଯୋଉ ବାଜାର ଶେଷ ବାଜି ସାରିଲାଣି, ଆମେ ତାକୁ ତଥାପି ବାଜା ବୋଲି କହି ସମ୍ଭାଳି ରଖିଛୁ କିପରି ? ଏସବୁ ପ୍ରଧାନତଃ ଆମ୍ଭମାନଙ୍କର ଅନୁଗ୍ରହରୁ ହେଉଛି । ଆମେ ଅନୁଗ୍ରହ କରି ଭଙ୍ଗା ଦୋକାନଟାକୁ ତଥାପି ଏକ ଦୋକାନ ବୋଲି ସଜାଇ ରଖିଛୁ, ତା’ଲାଗି ଘର ତୋଳି ଦେଉଛୁ, ଉପକରଣ ଗଢ଼ି ଦେଉଛୁ, ତାହାର ନିର୍ମୂଲ୍ୟ ପତ୍ରଗୁଡ଼ାକୁ ହିଁ ଏକମାତ୍ର ପ୍ରମାଣପତ୍ର ବୋଲି ମାନୁଛୁ । ସେଥିଲାଗି ଶହେରେ ମୋଟେ କୋଡ଼ିଏ ଜଣ ସିଝିଲେ ମଧ୍ୟ ଆମେ ତଥାପି ସ୍କୁଲ ପରେ ସ୍କୁଲ ଓ କଲେଜ ପରେ କଲେଜ କରିବାରେ ଲାଗିଛୁ । ଯେତେବେଳେ ନୂଆକୁ ସାହସ ପାଏନାହିଁ, ଯାହା କାମ୍ୟ ତାହାଲାଗି ହୃଦୟର ଓ ସଂକଳ୍ପର ଅଭାବ ରହିଥାଏ, କେବଳ ସେତିକିବେଳେ ଅପାରଗତାଗୁଡ଼ାକ ଅନୁଗ୍ରହର ମୁଖାପିନ୍ଧି ଆତଯାତ ହେବାରେ ଲାଗିଥାନ୍ତି । ଏହା କିନ୍ତୁ ବଡ଼ ଦୁର୍ଭାଗ୍ୟର କଥା । ତୁରନ୍ତ ଏସବୁ କଥାର ପୁନର୍ବିଚାର ହେବା ଦରକାର ।

 

ତା ୧୩.୦୭.୧୯୭୬ ରିଖ

Image

 

ସ୍ୱାଧୀନ ସେଚିଲିସ୍‌

 

ପଶ୍ଚିମ ଭାରତ ମହାସାଗରରେ ଅବସ୍ଥିତ ସେଚିଲିସ୍‌ ଦ୍ୱୀପମାଳା ଏବେ ଏକ ସ୍ୱାଧୀନ ରାଜ୍ୟରୂପେ ଘୋଷିତ ହେଲା । ଆଗରୁ ତାହା ବିଟ୍ରିଶ ସାମ୍ରାଜ୍ୟର ଏକ ଉପନିବେଶ ହୋଇ ରହିଥିଲା । ପାଖରେ ଥିବା ମରିସସ୍‌ ଦ୍ୱୀପ ଯେଉଁଭଳି ବ୍ରିଟିଶ ସାମ୍ରାଜ୍ୟର ଅନ୍ତର୍ଭୁକ୍ତ ହୋଇ ରହିଥିଲା ଓ ଏବେ ସ୍ୱାଧୀନ ହେଲା, ଠିକ୍‌ ସେହିପରି । ଭାରତ ମହାସାଗର, ଆଟଲାଣ୍ଟିକ ମହାସାଗର ଓ ଦ୍ୱୀପମୟ ପ୍ରଶାନ୍ତ ମହାସାଗରର ଏହିସବୁ କ୍ଷୁଦ୍ରାତିକ୍ଷୁଦ୍ର ଦ୍ୱୀପ ଉପରେ ଉପନିବେଶକାରୀ ଶକ୍ତିଗୁଡ଼ିକର କିପରି ବା କେଉଁ କାରଣରୁ ଆଖି ପଡ଼ିଲା, ସେ କଥା ଭାବିଲେ ବେଳେ ବେଳେ ଭାର ଆଶ୍ଚର୍ଯ୍ୟ ହେବାକୁ ପଡ଼ିଥାଏ । ଏହିସବୁ ଛୋଟ ଛୋଟ ଦ୍ୱୀପଗୁଡ଼ିକ ଉପରେ ଆପଣାର ଅଧିକାର ବା ଆଧିପତ୍ୟ ସାବ୍ୟସ୍ତ କରିବା ଲାଗି ସେହି ଶକ୍ତିମାନେ ଯେ ଶ୍ରମକରି ଏତେଦୂରରୁ ସେହି ଦ୍ୱୀପଗୁଡ଼ିକୁ ଆସିଥିଲେ, ସେକଥା ଆଦୌ ନୁହେଁ । ସେମାନେ ଯେତେବେଳେ ନୌବାହିନୀ ନେଇ ମହାସାଗରୀୟ ପଥଗୁଡ଼ିକର ଆବିଷ୍କାର କରୁଥିଲେ, ସେତେବେଳେ ପୃଥିବୀର ମାନଚିତ୍ର ଆଦୌ ସମଗ୍ର ଭାବରେ ତିଆରି ହୋଇନଥିଲା । ତେଣୁ ମହାସାଗରସ୍ଥ ଏହିସବୁ ସାନ ସାନ ଦ୍ୱୀପଗୁଡ଼ିକର ଅବସ୍ଥିତି ବିଷୟରେ ସେମାନଙ୍କର ଆଦୌ କୌଣସି ଅନ୍ଦାଜ ନଥିଲା । ସେମାନେ ଭାରତବର୍ଷକୁ ବାଟ ଖୋଜି ବାହାରିଥିଲେ, ଚୀନକୁ ବାଟ ଖୋଜୁଥିଲେ ଏବଂ ବାଟରେ ଏହିସବୁ ଦ୍ୱୀପରେ ଆସି ଅକସ୍ମାତ୍‌ ହାବୁଡ଼ି ଯାଇଥିଲେ । ଯିଏ ଯେଉଁ ଦ୍ୱୀପରେ ଆସି ସବାଆଗ ପହଞ୍ଚିଗଲା, ସେହି ଦ୍ୱୀପ ତାହାରି ହେଲା ।

 

ସେଚିଲିସ୍‌ ଦ୍ୱୀପମାଳାକୁ ଲାଗିକରି ଡିଏଗୋଗାସିଆ ଦ୍ୱୀପପୁଞ୍ଜ । ଡିଏଗୋଗାସିଆ ନିକଟ ଭବିଷ୍ୟତରେ ସ୍ୱାଧୀନ ହେବାର କୌଣସି ପ୍ରଶ୍ନହିଁ ଉଠୁନାହିଁ । ଅଧିବାସୀ ବୋଲି ସେଠାରେ ଯେଉଁ ମଣିଷମାନେ ଥିଲେ, ସେମାନଙ୍କୁ କେତେବର୍ଷ ତଳେ ମରିସସ୍‌କୁ ପଠାଇ ଦିଆଯାଇଛି । ଇଂରେଜ ସରକାର ଆମେରିକା ସରକାରଙ୍କୁ ଦ୍ୱୀପଟିକୁ ପଟ୍ଟା ଦେଇଛନ୍ତି ଓ ଆପଣାର ନୌଭେଳା ସକାଶେ ଆମେରିକା ବହୁ ଅର୍ଥବ୍ୟୟରେ ସେଠାରେ ଏକ ଘାଟୀ ତିଆରି କରୁଛି । ମହାସମୁଦ୍ର ଭିତରେ ରାଜ୍ୟ ରାଜ୍ୟ ମଧ୍ୟରେ ଯେଉଁ ଦ୍ୱୀପଟିର ଭାଗ୍ୟକୁ ନେଇ କିଣାବିକା ହୋଇଗଲା, ସେହି ଦ୍ୱୀପବାସୀ ଯେ ସେ ବିଷୟରେ କିଛି ଜାଣିଲେ ନାହିଁ ଅଥବା ଆପଣାର ମତ ବ୍ୟକ୍ତ କରିବାର ସୁଯୋଗ ମଧ୍ୟ ପାଇଲେ ନାହିଁ, ଆମ ସଭ୍ୟତାରେ ସେହି କଥାଟି ବର୍ବରତାର ଆଉ ଗୋଟିଏ ଦୃଷ୍ଟାନ୍ତ ରୂପେ ଲିପିବଦ୍ଧ ହୋଇ ରହିବ । ଆଗେ ଦୂର ବାଟକୁ ଯିବାର ପଥରେ ଇଉରୋପୀୟ ରାଜ୍ୟସନ୍ଧାନୀମାନେ ଯେଉଁସବୁ ଦ୍ୱୀପର ଆବିଷ୍କାର କରିଥିଲେ, ସେଥିରୁ କେତୋଟିକୁ ସେମାନେ ଆଜି ମଧ୍ୟ ହାତରୁ ଛାଡ଼ିବାକୁ ରାଜି ନୁହନ୍ତି-। କାରଣ ସାମରିକ ସତର୍କତା ଦୃଷ୍ଟିରୁ ସେଗୁଡ଼ିକର କୁଆଡ଼େ ଭାରି ଗୁରୁତ୍ୱ ରହିଛି ।

 

ଆପଣାର ନୂତନ ପଦରେ ଶପଥଗ୍ରହଣ କରିବାର ଅବ୍ୟବହିତ ପରେ ସେଚିଲିସ୍‌ର ରାଷ୍ଟ୍ରପତି ଡିଏଗୋଗାର୍ସିଆର ପ୍ରଶ୍ନଟିର ଉତ୍‌ଥାପନ କରିଛନ୍ତି ଓ ସେହି ଅବସରରେ ସାଗର ଭିତରେ ପ୍ରାୟ ନିରାଶ୍ରୟ ହୋଇ ରହିଥିବା ସାନସାନ ସ୍ୱାଧୀନ ଦ୍ୱୀପର ବିପନ୍ନ ନିରାପତ୍ତା ଆଡ଼କୁ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି ।

 

ବୃହତ୍‍ଶକ୍ତିମାନେ ପରସ୍ପରକୁ ଛକିବେ, ଜଗିବେ, ଏହି ପ୍ରଚେଷ୍ଟାରେ ସେମାନେ ସ୍ଥଳଭାଗ ସମେତ ପୃଥିବୀର ଜଳଭାଗଗୁଡ଼ାକୁ ମଧ୍ୟ ଉଚ୍ଛନ୍ନ ଓ ବ୍ୟସ୍ତକରି ପକାଇବାରେ ଲାଗିଥିବେ ଏବଂ ଏଭଳି ପରିସ୍ଥିତିରେ ସାନ ସାନ ସ୍ୱାଧୀନ ଦ୍ୱୀପ କିପରି ନିଜ ନିଜର ସ୍ୱାଧୀନ ଅସ୍ତିତ୍ୱକୁ ବଜାୟ ରଖିପାରିବେ, ସେ ସେହି ପ୍ରଶ୍ନଟିର ଉତ୍‌ଥାପନ କରିଛନ୍ତି । ଯେଉଁ ପୃଥିବୀ ଏହିସବୁ ଦ୍ୱୀପର ସ୍ୱାଧୀନତାକୁ ନ୍ୟାୟତଃ ସ୍ୱୀକାର କରୁଛି, ସେହି ପୃଥିବୀ କ’ଣ କାର୍ଯ୍ୟତଃ ସେହି ସ୍ୱାଧୀନତାର ସୁରକ୍ଷାଲାଗି ଦାୟୀ ହୋଇପାରନ୍ତା ନାହିଁ ? ସାନମାନଙ୍କର ସ୍ୱାଧୀନତା ସୁରକ୍ଷିତ ରହିବା ବା ବିପନ୍ନ ହେବା କ’ଣ କେବଳ ଆମ ପୃଥିବୀର କେତୋଟି ସାମରିକ ବୃହତ୍‌ଶକ୍ତିମାନଙ୍କର ଅନୁଗ୍ରହ ସହିତ ହିଁ ଗଅଁଠା ହୋଇ ରହିଥିବ, ପୃଥିବୀରେ ଆମ ସମସ୍ତଙ୍କୁ ଏହି ପ୍ରଶ୍ନଟି ନିଶ୍ଚୟ ପଚରାଯାଇ ପାରିବ । ଆମର ଏହି ପୃଥିବୀ ସାନବଡ଼ ସମସ୍ତଙ୍କ ଲାଗି କେବେଯାଇ ନିରାପଦ ହୋଇପାରିବ ।

 

ତା ୧୪.୦୭.୧୯୭୬ ରିଖ

Image

 

କିଏ ଦାୟୀ କାହା ପାଇଁ ?

 

ପ୍ରାୟ ତିନିବର୍ଷ ତଳେ ଭୁବନେଶ୍ୱରର କେତେକ ହାଇସ୍କୁଲକୁ କ୍ଷେତ୍ରରୂପେ ବ୍ୟବହାର କରି କରାଯାଇଥିବା ଗୋଟିଏ ସର୍ବେକ୍ଷଣରୁ ଜାଣିବାକୁ ମିଳୁଛି ଯେ ରାଜଧାନୀରେ ସ୍କୁଲକୁ ଯାଉଥିବା ମୋଟ ପିଲାଙ୍କ ମଧ୍ୟରୁ ଶତକଡ଼ା ପ୍ରାୟ ୮୩ ଜଣଙ୍କର ପାଠପଢ଼ା ବିଷୟରେ ସେମାନଙ୍କର ବାପମାଆ ପ୍ରାୟ କୌଣସି ତତ୍ତ୍ୱ ନେଉ ନାହାନ୍ତି । ପିଲାମାନଙ୍କର ବାପମାଆମାନଙ୍କୁ ସେମାନଙ୍କର ମାସିକ ଆୟ ଅନୁସାରେ ତିନୋଟି ଶ୍ରେଣୀରେ ବିଭକ୍ତ କରାଯାଇଛି ଏବଂ ସେହି ବିଭିନ୍ନ ଶ୍ରେଣୀର ବାପମାଆମାନେ ସେମାନଙ୍କ ପିଲାଙ୍କ ବିଷୟରେ କ’ଣ କେତେଦୂର ତତ୍ତ୍ୱ ନେଉଛନ୍ତି ବା ନ ନେଉଛନ୍ତି, ତାହାର ଏକ ନିର୍ଦ୍ଧାରଣ କରାଯିବାର ଚେଷ୍ଟା କରାଯାଇଛି । ଶ୍ରେଣୀ ଦୃଷ୍ଟିରୁ ଏହି କ୍ଷେତ୍ରରେ ଯେ ଖୁବ୍‌ ବେଶିକିଛି ପାର୍ଥକ୍ୟ ରହିଛି, ଅଧ୍ୟୟନରୁ ପ୍ରାପ୍ତ ପରିଣାମଗୁଡ଼ିକରୁ ତାହାର ପ୍ରାୟ କୌଣସି ସୂଚନା ମିଳୁନାହିଁ । ଏତିକି ପ୍ରାୟ ସ୍ପଷ୍ଟରୂପେ ଧାରଣା କରାଯାଇ ପାରୁଛି ଯେ ଏବେ ସହରରେ ବାସ କରିବାକୁ ଆସିଥିବା ବାପାମାଆମାନେ ପିଲାମାନଙ୍କ ଲାଗି ଦେଇ ପାରିବା ଭଳି ଖୁବ୍‌ ବେଶୀ ସମୟ ପ୍ରଦାନ କରି ପାରୁନାହାନ୍ତି । ଏହା ପଛରେ ବିବିଧ କାରଣ ରହିଛି-। ଏଥିମଧ୍ୟରୁ କେତେକ ପରିସ୍ଥିତିଗତ ଓ ଆଉ କେତେକ ମୂଲ୍ୟବୋଧଗତ । ଗାଆଁର ପରିସ୍ଥିତି ସହରର ପରିସ୍ଥିତି ଠାରୁ ଅଲଗା । ସହରରେ ଜୀବନ ସହିତ ଲାଗିଥିବା ଚେରଗୁଡ଼ାକ ଗାଆଁର ଭୂଇଁରେ ଲାଗିଥିବା ଜୀବନର ଚେରଗୁଡ଼ାକଠାରୁ ଅନେକ ଅଲଗା । ଯେଉଁମାନେ ଗାଆଁ ଉପରୁ ଭରସା ଛାଡ଼ି ସହରଯାଏ ଆସିଲେଣି ଓ ସହର ଉପରେ ପ୍ରାୟ ଅଧାଅଧି ନିର୍ଭର କରିବାକୁ ଆରମ୍ଭ କରି କ୍ରମେ ଆପଣାକୁ ସହରବାସୀ ବୋଲି ଭାବିଲେଣି, ସେମାନେ ଜୀବନର ସର୍ବାଧିକ ଶକ୍ତି ଓ ସର୍ବାଧିକ ବୁଦ୍ଧିକୁ ଏହି ନୂଆ ଆଦରି ନେଇଥିବା ଦରଶିଖା ଜୀବନ ଲାଗି ମଣହୋଇ ରହିବାରେ ହିଁ ଖଟାଇବାରେ ଲାଗିଛନ୍ତି । ଏହିପରି ଭାବରେ ସେମାନଙ୍କର ଜୀବନଗତ ମୂଲ୍ୟବୋଧ ଏବଂ ମୂଲ୍ୟଶ୍ରଦ୍ଧାଗୁଡ଼ିକ ମଧ୍ୟ ପ୍ରଭାବିତ ହେବାରେ ଲାଗିଛି, କେତେ ପ୍ରକାରେ ମିଶ୍ରିତ ହୋଇଯିବାରେ ଲାଗିଛି ।

 

ଇସ୍କୁଲର ପାଠପଢ଼ା ଉପରୁ ମଧ୍ୟ କ୍ରମଶଃ ବାପାମାଆମାନଙ୍କର ବିଶ୍ୱାସ ତୁଟିଯିବାରେ ଲାଗିଛି, ପିଲାଙ୍କ ପଢ଼ାରେ କିମ୍ୱା ତତ୍‌ସଂକ୍ରାନ୍ତୀୟ ତଥାକଥିତ ଯାବତୀୟ ଅଗ୍ରଗତିରେ ବାପମାଆମାନେ ଯଥେଷ୍ଟ ବା ଯଥୋଚିତ ଆଗ୍ରହ ପ୍ରକାଶ କରୁନଥିବାର ଏପରି ଏକ କାରଣ ରହିଛି ବୋଲି ହୁଏତ ଅନୁମାନ କରାଯାଇପାରେ । ବର୍ତ୍ତମାନ ବାପମାଆଙ୍କ ଭିତରୁ ଅଧିକାଂଶ ଏହି ପାରମ୍ପରିକ ପାଠ ପଢ଼ି ପଢ଼ି ଆସିଛନ୍ତି । ଇସ୍କୁଲରେ ପଢ଼ା ହୋଇଥିବା ପାଠ ଯେ ସେମାନଙ୍କର ପ୍ରାୟ କୌଣସି କାର୍ଯ୍ୟରେ ଲାଗି ନାହିଁ, ସେମାନେ ଅଙ୍ଗେ ନିଭାଇ ସେହି ସତ୍ୟଟିର ଉପଲବ୍‌ଧି କରିଛନ୍ତି । ସେ ପାଠଗୁଡ଼ାକୁ ସେମାନେ କୁଆଡ଼େ ଭୁଲି ସାରିଲେଣି । ଜୀବନରେ ବାଟ ଚାଲିବାକୁ ଓ ସଫଳ ହେଉଛନ୍ତି ବୋଲି କିଞ୍ଚିତ ଅନୁଭବ କରିବାକୁ ସେମାନଙ୍କୁ ହୁଏତ ଅନ୍ୟ ଶାଠଗୁଡ଼ିକ ଉପରେ ନିର୍ଭର କରିବାକୁ ପଡ଼ୁଛି । ପାଠଦ୍ୱାରା ଯେ ଜୀବନକୁ ଏକ ନିର୍ଦ୍ଦିଷ୍ଟ ଦୃଷ୍ଟି ମିଳେ, ନିଜ ବିଷୟରେ ଏକ ସ୍ୱତନ୍ତ୍ର ପ୍ରତ୍ୟୟ ଅର୍ଜନ କରାଯାଏ ଓ ସମ୍ୱନ୍ଧର କ୍ଷେତ୍ରରେ ଏକ ଅନ୍ୟ ପ୍ରକାର ସଖ୍ୟସ୍ଥାପନ କରିବାର ଯୋଗ୍ୟତା ମିଳେ, ସେମାନେ ସେହି ବିଶ୍ୱାସକୁ କୁଆଡ଼େ ହଜାଇ ସାରିଲେଣି ଏବଂ ସେମାନଙ୍କ ଆଗରେ ଏପରି କୌଣସି ବିକଳ୍ପ ବିଦ୍ୟାଳୟ ନାହିଁ, ଯେଉଁଠି ସେମାନେ ଅଧିକ ବିଶ୍ୱାସ ଏବଂ ହୃଦ୍‌ବୋଧ ସହିତ ଆପଣାର ପିଲାଙ୍କୁ ଆଣି ଛାଡ଼ି ପାରିବେ । ତେଣୁ ସେହି ପୁରୁଣା ମେସିନ୍‌ଟାକୁ ହିଁ ମହାମୋକ୍ଷ ବୋଲି ଗ୍ରହଣ କରିବାକୁ ବାଧ୍ୟ ହୋଇ ସେମାନେ ପିଲାମାନଙ୍କୁ ତାହାରି ଭିତରେ ଆରି ମୁହାଁଇ ଦେଇଛନ୍ତି । ଏବଂ ଏହି ପାତକ ସକାଶେ ଆପଣାକୁ ଦାୟୀ କରିବାର କୌଣସି କାରଣ ପାଇନାହାନ୍ତି ।

 

ଏବଂ ପାଠ ପଢ଼ିବା ନାଆଁରେ ଆମ ପିଲାଏ ଆଜି ଯେଉଁ ମେସିନ୍‌ଟା ଭିତରେ ମଣ ହେଉଛନ୍ତି, ତାହା ପିଲାମାନଙ୍କୁ ଅତିରିକ୍ତ ପରିମାଣରେ ଅସହାୟ ଓ ନିର୍ଭରଶୀଳ ହେବାକୁ ଶିଖାଉଛି-। ପିଲାଙ୍କ ଭିତରେ ପଢ଼ିବାଲାଗି ସ୍ୱଭାବତଃ ଏକ ଆଗ୍ରହ ସୃଷ୍ଟି କରିବା ହେଉଛି ପାଠର ଅସଲ କର୍ତ୍ତବ୍ୟ । ଆମେ ମାଷ୍ଟରଙ୍କର ବାଡ଼ି ଏବଂ ବାପମାଆଙ୍କର ଆକଟଗୁଡ଼ାକୁ ଦେଖାଇ ପିଲାଙ୍କ ମନରେ ସେହି ଆଗ୍ରହର ସୃଷ୍ଟି ହୋଇପାରିବ ବୋଲି ପ୍ରକୃତରେ ବିଶ୍ୱାସ କରୁଛୁ କି ଏବଂ ସେହି ବାଡ଼ି ଏବଂ ଆକଟକୁ ହିଁ ବିମୂଢ଼ ଭାବରେ ଆଗ୍ରହ ବୋଲି କହିବାକୁ ଚେଷ୍ଟା କରୁଛୁ କି ? ତେବେ ପାଠ ପଢ଼ିବାକୁ ଯଥାର୍ଥ ଆଗ୍ରହ ରଖିଥିବା ପିଲା ଯେ ଆମର ଏହି ଆଗ୍ରହଟାକୁ ଆଦୌ ଏକ ଆଗ୍ରହ ବୋଲି ସ୍ୱୀକାର ହିଁ କରିବନାହିଁ, ଏ ବିଷୟରେ ଆମେ କେବେହେଲେ ଆତ୍ମସମୀକ୍ଷା କରି ଦେଖିଛୁ କି ? ଆମେ କେହି କାହାପାଇଁ ଦାୟୀ ନୋହୁ । ଆମେ ପ୍ରତ୍ୟେକେ ପ୍ରତ୍ୟେକ ପାଇଁ ଦାୟୀ ଏବଂ ମୂଳତଃ ଆପଣା ପାଖରେ ହିଁ ଦାୟୀ ।

 

ତା ୧୬.୦୭.୧୯୭୬ ରିଖ

Image

 

ପିଲାଙ୍କଦ୍ୱାରା ଶ୍ରମ

 

ଆନ୍ତର୍ଜାତିକ ଶ୍ରମକ୍ଷେତ୍ରରେ ପିଲା କହିଲେ ଆଇନ ଅନୁସାର ଚଉଦବର୍ଷ ପୂରିନଥିବା ପୁଅ ଓ ଝିଅମାନଙ୍କୁ ବୁଝାଏ । ୧୯୭୩ ମସିହାରେ ଆନ୍ତର୍ଜାତିକ ଶ୍ରମ ସଂଗଠନ ତରଫରୁ ଯେଉଁ ସମ୍ମିଳନୀଟି ବସିଥିଲା ଚଉଦ ବର୍ଷରୁ କମ୍‌ ବୟସର ପିଲାଙ୍କୁ କେହି କୌଣସି ପ୍ରକାର କାମରେ ଖଟାଇ ପାରିବେ ନାହିଁ ବୋଲି ତାହା ଏକ ନିୟମ ନିର୍ଦ୍ଧାରିତ କରି ଦେଇଥିଲା । ଏପରି ଗୋଟିଏ ନିୟମ ପ୍ରଣୟନ କରିବା ପଛରେ ସ୍ପଷ୍ଟତଃ ଏହି ଅଭିପ୍ରାୟ ରହିଥିଲା ଯେ ଚଉଦବର୍ଷ ପର୍ଯ୍ୟନ୍ତ ମଣିଷର ବୟସ ହେଉଛି ପାକଳ ହେବାର ବୟସ, ପାଠ ପଢ଼ିବାର ବୟସ, ସଂସାର ଲାଗି ପ୍ରସ୍ତୁତ ହେବାର ବୟସ । ସେହି ବୟସରେ ସେମାନଙ୍କୁ ଯଦି କୌଣସି ସମାଜ କାମରେ ଆଣି ଖଟାଏ ବା ପରିସ୍ଥିତି ଦ୍ୱାରା ବାଧ୍ୟ ହୋଇ ସେମାନେ ଯଦି ପାରିବାରିକ ଉପାର୍ଜନରେ ଯତ୍‌କିଞ୍ଚିତ ସହାୟତା କରି ପାରିବାଲାଗି ନାନାପ୍ରକାର କାମ ଖଟିବାରେ ନିୟୋଜିତ ହୁଅନ୍ତି, ତଦ୍ଦ୍ୱାରା ସେମାନଙ୍କର ବିକାଶ ବ୍ୟାହତ ହୋଇ ପଢ଼ିବା ସ୍ୱାଭାବିକ । ଯେଉଁ ସମାଜ ତା’ର ମଣିଷ ପିଲାଙ୍କୁ ଆଗ ଯୋଗ୍ୟ ହେବାଲାଗି ଯଥୋଚିତ ସୁଯୋଗ ଓ ପରିସର ଯୋଗାଇ ନ ଦେଇ ତାକୁ ଶସ୍ତାରେ କାମରେ ଆଣି ଖଟାଇବାର ବିଚାର କରେ, ସେହି ସମାଜରେ ସବୁ କଥା କଦାପି ଉଚିତ ପ୍ରକାରେ ଚାଲୁନାହିଁ ବୋଲି ମଧ୍ୟ ଅନୁମାନ କରିବାକୁ ହେବ ।

 

ଆନ୍ତର୍ଜାତିକ ଶ୍ରମ ସଂଗଠନର ଉକ୍ତ ନିର୍ଦ୍ଧାରଣଟିକୁ ଆମ ଦେଶରେ କେତେଦୂର କାର୍ଯ୍ୟକାରୀ କରାଯାଇ ପାରିବ, ସେହି ବିଷୟରେ ଆବଶ୍ୟକ ଅନୁଧ୍ୟାନ କରିବା ସକାଶେ ଭାରତ ସରକାରଙ୍କ ଶିକ୍ଷାବିଭାଗ ଗୋଟିଏ କମିଟି ବସାଇଥିଲେ । ଏବେ ସେହି କମିଟି ବିଷୟଟି ଉପରେ ଆପଣାର ମନ୍ତବ୍ୟ ଓ ନିର୍ଣ୍ଣୟମାନ ପ୍ରସ୍ତୁତ କରି ସାରିଲେଣି । କମିଟି କହିଛନ୍ତି ଯେ ବର୍ତ୍ତମାନ ଅବସ୍ଥାରେ ଭାରତବର୍ଷରେ ଉକ୍ତ ନିର୍ଦ୍ଧାରଣଟିକୁ ସମ୍ପୂର୍ଣ୍ଣ ଭାବରେ ଆଦୌ କାର୍ଯ୍ୟକାରୀ କରାଯାଇ ପାରିବ ନାହିଁ । ହଁ, ଏହାକୁ ଏକ ଆଦର୍ଶ ବା ଲକ୍ଷ୍ୟ ବୋଲି ନିଶ୍ଚୟ ଗ୍ରହଣ କରାଯାଇ ପାରିବ ଏବଂ ସେହି ଲକ୍ଷ୍ୟର ଅଧିକରୁ ଅଧିକ ନିକଟବର୍ତ୍ତୀ ହେବାଲାଗି ନିଶ୍ଚୟ କାର୍ଯ୍ୟବିଧାନ କରାଯାଇ ପାରିବ-। ଗତ ନଭେମ୍ୱର ମାସରେ ଏକ ଜାତୀୟ ସେମିନାରରେ ନୂଆଦିଲ୍ଲୀଠାରେ କମିଟି ଆପଣାର ଏହି ନିର୍ଦ୍ଧାରଣଟିକୁ ଉପସ୍ଥାପିତ କରିଥିଲେ ଏବଂ ଏହି ମାସରେ ସେମାନଙ୍କର ଚୂଡ଼ାନ୍ତ ରିପୋର୍ଟଟି ପ୍ରକାଶ ପାଇବ ବୋଲି ଜଣାପଡ଼ିଛି ।

 

କମିଟି ପାଞ୍ଚଥର ଏକାଠି ବସି ବିଚାର କରିଛନ୍ତି ଓ ଏହି ନିର୍ଣ୍ଣୟଟିରେ ଆସି ପହଞ୍ଚିଛନ୍ତି ଯେ ଜାତୀୟ ଅର୍ଥନୈତିକ ବିକାଶର ବର୍ତ୍ତମାନ ଅବସ୍ଥାରେ ପିଲାଙ୍କୁ ଶ୍ରମ ଖଟାଇବାର ପଦ୍ଧତିଟିକୁ ଏକାବେଳେକେ ଉଠାଇଦେବା ଆଦୌ ସମ୍ଭବ ହେବନାହିଁ ଏବଂ ଉଚିତ ମଧ୍ୟ ହେବ ନାହିଁ । କାରଣ ଆମ ଦେଶର ଦାରିଦ୍ର୍ୟର ଗାରତଳେ ରହିଥିବା ଲକ୍ଷ ଲକ୍ଷ ପରିବାର ଆପଣାର ଅନ୍ନସଂସ୍ଥାନ ଲାଗି ପିଲାଙ୍କର ଶ୍ରମ ଖଟିବା ଉପରେ ନିର୍ଭର କରନ୍ତି । ତେଣୁ ଏହି ଅବସ୍ଥାରେ ପିଲାମାନଙ୍କ ଶ୍ରମ ଖଟିବା ଉପରେ ପୂରାପୂରି ନିଷେଧ ଜାରି କରିଦେଲେ ସେହି ପରିବାରଗୁଡ଼ିକର ଏକ ଉପାର୍ଜନସୂତ୍ରକୁ କାଟି ପକାଇବା ପରି ହେବ ଏବଂ ସେମାନେ ତଦ୍ଦ୍ୱାରା ଅନେକ ଦୁଃଖଭୋଗର ସମ୍ମୁଖୀନ ହେବେ ।

 

୧୯୭୧ ଜନଗଣନା ବେଳେ ହିସାବ ନେଇ ଜଣାପଡ଼ିଛି ଯେ ଆମ ଦେଶରେ ପନ୍ଦର ବର୍ଷରୁ କମ୍‌ ବୟସର ପ୍ରାୟ ୧୦୭ ଲକ୍ଷ ପିଲାଶ୍ରମିକ ରହିଛନ୍ତି । ସେହି ବୟସର ମୋଟ ଯେତେ ପିଲା ଆମ ଦେଶରେ ଅଛନ୍ତି, ଏମାନେ ହେଉଛନ୍ତି ତା’ର ଶତକଡ଼ା ୪.୭ ଭାଗ ଏବଂ ଦେଶରେ ଶ୍ରମିକ ରୂପେ କାର୍ଯ୍ୟ କରୁଥିବା ମୋଟ ଲୋକସଂଖ୍ୟାର ଶତକଡ଼ା ୫.୯ ଭାଗ । ଭାରତବର୍ଷରେ ସର୍ବମୋଟ ଯେତେ ପିଲା ପେଟପାଇଁ ନାନା ପ୍ରକାର ଶ୍ରମ ଖଟିବାକୁ ବାଧ୍ୟ ହୁଅନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ (ଶତକଡ଼ା ପ୍ରାୟ ୪୨.୭ ଭାଗ) ଅନ୍ୟର କୃଷିକ୍ଷେତ୍ରରେ ମୂଲ ଲାଗନ୍ତି । ଶତକଡ଼ା ପ୍ରାୟ ଆଠଭାଗ ପଶୁପାଳନ, ଜଙ୍ଗଲ ଚାହା ବଗିଚା ପ୍ରଭୃତି କ୍ଷେତ୍ରରେ କାମ କରନ୍ତି, ଶତକଡ଼ା ଛଅଭାଗ କଳକାରଖାନାରେ କାମ କରନ୍ତି । ପୁଣି ଶତକଡ଼ା ଛଅଭାଗ ଘରୋଇ ଚାକର ଭାବରେ ରହନ୍ତି । ଶତକଡ଼ା ଅଢ଼େଇଭାଗ ବାଣିଜ୍ୟ ବେପାରର କ୍ଷେତ୍ରରେ କାର୍ଯ୍ୟ କରନ୍ତି । ଏମାନଙ୍କ ବ୍ୟତୀତ ଆଉ ଯେଉଁମାନେ ରହିଲେ, ସେମାନେ ନିଜ ଘରର କୃଷିକ୍ଷେତ୍ରରେ କୃଷିକାର୍ଯ୍ୟରେ ସହାୟତା କରନ୍ତି ବୋଲି ସୁମାରିରେ କୁହାଯାଇଛି ।

 

ଏହି ପିଲାମାନେ ଆପଣାର କିଞ୍ଚିତ୍‌ ଉପାର୍ଜନ ଦ୍ୱାରା ପାରିବାରିକ ଦାରିଦ୍ର୍ୟର ମୋଚନରେ ଯେ ନିଶ୍ଚୟ କିଛି ସହାୟତା କରନ୍ତି, ସେଥିରେ କଦାପି କୌଣସି ସନ୍ଦେହ ନାହିଁ । କିନ୍ତୁ ଏକଥା ମଧ୍ୟ ସମାନ ଭାବରେ ସତ ଯେ, ଆମ ଦେଶର ପ୍ରମାଦପୂର୍ଣ୍ଣ ଅର୍ଥନୀତି ହେତୁ ହିଁ ଏମାନେ କାମ ଖଟିବାକୁ ବାଧ୍ୟ ହୁଅନ୍ତି ଓ ପାଠ ପଢ଼ିବାକୁ ସ୍କୁଲକୁ ଯାଇ ପାରନ୍ତି ନାହିଁ । ଆହୁରି ଏକଥା ମଧ୍ୟ ସତ ଯେ, ଏହିଭଳି ଏକ ଅବସ୍ଥାର ଅଧୀନ ହୋଇ ରହିବା ଫଳରେ ଆମ ଦେଶର ଆର୍ଥିକ ଦାରିଦ୍ର୍ୟ ପ୍ରାୟ ବଂଶାନୁକ୍ରମିକ ହୋଇ ରହିଯାଏ, ତାର ଚେରଗୁଡ଼ାକ ଆହୁରି ଗଭୀରକୁ ଜବର ହୋଇ ମାଡ଼ି ମାଡ଼ି ଯାଏ, କାଳକ୍ରମେ ଏକ ସାମାଜିକ ସ୍ୱାଭାବିକତା ସଦୃଶ ପ୍ରତୀତ ହୁଏ ଓ ଆମ ଦେଶରେ ଅନେକ ବ୍ୟକ୍ତି ଜାଣତରେ ଅଥବା ଅଜାଣତରେ ଅଥଚ ପ୍ରାୟ ଅଭ୍ୟସ୍ତ ଭାବରେ ସେଇଟାକୁ ଭାଗ୍ୟ ବୋଲି କହନ୍ତି । ଏହି ବିଷଚକ୍ରଟିକୁ ଆମେ କଦାପି କାମ୍ୟ ବୋଲି କହିବା ନାହିଁ । ସମଗ୍ର ପୃଥିବୀରେ ଆଜି ଅର୍ଥନୀତିର ବ୍ୟବସ୍ଥାକୁ ମଣିଷ ଲାଗି ଅର୍ଥାତ୍‌ ସମାଜର ସମସ୍ତଙ୍କ ଲାଗି ଅଧିକ ଅନୁକୂଳ କରି ତିଆରି କରିବାର ନାନା ପ୍ରଚେଷ୍ଟା କରାଯାଉଥିବା ବେଳେ ଓ କାଳକାଳର ଅନେକ ବଦ୍ଧ ସଂସ୍କାରକୁ ଭାଙ୍ଗି ଦିଆଯାଉଥିବା ବେଳେ ଆମ ଦେଶରେ ଏଠି ଆମେ କଦାପି ପୁରୁଣାଗୁଡ଼ାକୁ ଆଉ ଅଧିକ ଦିନ ଅଣ୍ଟିରେ ପୂରାଇ ବସି ରହିପାରିବା ନାହିଁ । ପୁରୁଣା ଆବର୍ତ୍ତ ଭିତରୁ ବାହାରି ଆସିବାଲାଗି ଆମକୁ ଅବଶ୍ୟ ମାର୍ଗ ଖୋଜିବାକୁ ହେବ, ମାର୍ଗ ବାହାର କରିବାକୁ ହେବ ଏବଂ ସମ୍ଭବତଃ ସର୍ବୋପରି ଆମର ଚଳନ୍ତି ମୂଳ ବିଶ୍ୱାସଗୁଡ଼ାକୁ ବଦଳାଇବାକୁ ପଡ଼ିବ । ତେବେ ପୁରୁଣାଗୁଡ଼ାକୁ ଭାଙ୍ଗିଦେଇ ବାହାରି ଆସିବା ଅପେକ୍ଷାକୃତ ଅଧିକ ସହଜ ହୋଇଯିବ ।

 

ତା ୧୯.୦୭.୧୯୭୬ ରିଖ

Image

 

ଦକ୍ଷିଣ ଆଫ୍ରିକାର ସମସ୍ୟା

 

ତେହରାନ୍‌ଠାରେ କେନିଆଦେଶର ଏକ ସମ୍ୱାଦପତ୍ରକୁ ସାକ୍ଷାତ ଦେଇ ଇରାନ୍‌ର ଶାହା ମନ୍ତବ୍ୟ ପ୍ରକାଶ କରିଛନ୍ତି ଯେ ଦକ୍ଷିଣ ଆଫ୍ରିକାର ଶ୍ୱେତକାୟମାନଙ୍କୁ ଦିନେ ନା ଦିନେ ସତ୍ୟ ସହିତ ବୁଝାମଣା କରିନେବାକୁ ହିଁ ପଡ଼ିବ । ଅର୍ଥାତ୍‌ ସେହି ଦେଶରେ ବହୁମତର ଶାସନ ଦିନେ ନା ଦିନେ ଅବଶ୍ୟ ପ୍ରବର୍ତ୍ତିତ ହେବ ଓ ସେଠି ଶ୍ୱେତକାୟମାନଙ୍କୁ ତାହାକୁ ଅବଶ୍ୟ ମାନିନେବାକୁ ପଡ଼ିବ । ଶାହା ଆହୁରି କହିଛନ୍ତି, ଭବିଷ୍ୟତରେ ଯାହା ହେବାକୁ ଯାଉଛି, ତାହାକୁ କଦାପି ଅଟକାଇ ରଖାଯାଇ ପାରିବନାହିଁ । ଶୀଘ୍ର ହେଉ ଅଥବା ବିଳମ୍ୱରେ ହେଉ, ଯାହା ଆସୁଛି, ତାହା ଅବଶ୍ୟ ଆସିବ । ଭବିଷ୍ୟତରେ ସେହି ଯୁଗରେ ସମସ୍ତେ ବୁଦ୍ଧିଦ୍ୱାରା କାମ ନେବେ, ଖିଆଲି ଭାବପ୍ରବଣତା ଏବଂ ତ୍ରାସମୂଳ ପ୍ରତିକ୍ରିୟା ମୋଟେ କାମ ଦେବନାହିଁ । ତେଣୁ ଦକ୍ଷିଣ ଆଫ୍ରିକାରେ ବାସ କରୁଥିବା ଶ୍ୱେତକାୟମାନଙ୍କୁ କୌଣସି ପ୍ରକାର ସନ୍ଦେହ ନରଖି ଏହି କଥାଟି ଅବଶ୍ୟ ଜାଣି ରଖିବାକୁ ହେବ ଯେ, ଆଗାମୀ ନୂତନ ପରିବର୍ତ୍ତନଟି ଅନୁସାରେ ସେମାନଙ୍କୁ ଅବଶ୍ୟ ନିଜକୁ ଖାପ ଖୁଆଇ ନେବାକୁ ପଡ଼ିବ ।

 

ସମସ୍ତେ ଯଦି ବୁଦ୍ଧି ଦ୍ୱାରା କାର୍ଯ୍ୟ ନେଇଥାନ୍ତେ, ତେବେ ପୃଥିବୀର ଭାଗ୍ୟ ଗତ ଶତାଦ୍ଦୀ ଶତାଦ୍ଦୀ ଧରି ଯେପରି ଅନ୍ୟଭାବରେ ତିଆରି ହୋଇ ଆସିଛି, ତାହା ଆଦୌ ଆବଶ୍ୟକ ହୋଇନଥାନ୍ତା । କୌରବମାନେ ଯଦି ବୁଦ୍ଧିର ସହିତ କାର୍ଯ୍ୟ କରିଥାନ୍ତେ, ତେବେ ମହାଭାରତର ଯୁଦ୍ଧ ଅନାବଶ୍ୟକ ହୋଇପଡ଼ିଥାନ୍ତା । ଇଉରୋପୀୟ ଶିଳ୍ପପ୍ରଧାନ ଦେଶଗୁଡ଼ିକ ଯଦି ସେତେବେଳେ ବୁଦ୍ଧିର ସହିତ କାର୍ଯ୍ୟ ନେଇଥାନ୍ତେ, ତେବେ ସାମ୍ରାଜ୍ୟବାଦ ମଧ୍ୟ ଅନାବଶ୍ୟକ ହୋଇପଡ଼ିଥାନ୍ତା ଏବଂ ପୃଥିବୀରେ ଦୁଇ ଦୁଇଟା ମହାସମର ବି ଲଢ଼ିବାକୁ ପଡ଼ିନଥାନ୍ତା । ଉପନିବେଶଗୁଡ଼ାକ ନିଜ ନିଜର ସ୍ୱାଧୀନତା ହାସଲ କରିବାଲାଗି ଆଉ ଗୋଟିଏ ଗୋଟିଏ ସଂଗ୍ରାମ ଲଢ଼ିବାକୁ ବାଧ୍ୟ ହୋଇନଥାନ୍ତେ । ବୁଦ୍ଧିଦ୍ୱାରା କାମ ନିଆଯାଇ ପାରୁଥିଲେ ବର୍ତ୍ତମାନ ପୃଥିବୀର ରାଜନୀତି ଅନେକ ପରିମାଣରେ ଅନ୍ୟ ପ୍ରକାରର ହୋଇଥାନ୍ତା; ନେତୃତ୍ୱଗୁଡ଼ାକ ଅନ୍ୟ ପ୍ରକାରର ହୋଇଥାନ୍ତା, ପୃଥିବୀର ରାଷ୍ଟ୍ରଗୁଡ଼ାକୁ ଆଉ ପ୍ରଚାର ବିଭାଗରେ ଅଜସ୍ର ପଇସା ଖରଚ କରିବାକୁ ପଡ଼ୁନଥାନ୍ତା । ଇରାନ୍‌ର ଶାହା ବୁଦ୍ଧିରେ କାମ ନେବା ବିଷୟରେ ଯାହା କହିଛନ୍ତି, ତାହା ଯଥାର୍ଥରେ ସତ କହିଛନ୍ତି-

 

ଆମର ଏ ଯୁଗଟା ବୁଦ୍ଧିର ଯୁଗ, ବୁଦ୍ଧିଆମାନଙ୍କର ଯୁଗ । ଏ ଯୁଗରେ ରାଜନୀତିଟା ହୁଏତ ଅଧିକତର ପରିମାଣର ସେହି ବୁଦ୍ଧିକୌଶଳ ଦ୍ୱାରା ହିଁ ଚାଲେ । ମାତ୍ର ବୁଦ୍ଧିରେ ପ୍ରାୟ କୌଣସିକାମ ନିଆଯାଏ ନାହିଁ । କୋଉଟା ଅବଶ୍ୟମ୍ଭାବୀ, ସେକଥାଟାର ସିଦ୍ଧାନ୍ତ କରିବା ବିଷୟରେ ମଧ୍ୟ ଦୁର୍ଦ୍ଦାନ୍ତ ମତଭେଦମାନ ରହିଥାଏ ।

 

ପୁଣି କୋଉଟା ଅବଶ୍ୟମ୍ଭାବୀ ଓ କୋଉଟା ଅବଶ୍ୟମ୍ଭାବୀ ନୁହେଁ, ଏ ବିଷୟରେ ମଧ୍ୟ ପାତ୍ର ପାତ୍ର ମଧ୍ୟରେ ଅନେକ ଭିନ୍ନ ମତ ରହିବ, ଭିନ୍ନ ଦୃଷ୍ଟି ମଧ୍ୟ ରହିବ । ବିଶ୍ୱବାସୀ ଅନେକଙ୍କ ସହିତ ଦକ୍ଷିଣ ଆଫ୍ରିକାର ବହୁମତ କୃଷ୍ଣକାୟମାନେ ଯାହାକୁ ଅବଶ୍ୟମ୍ଭାବୀ ବୋଲି ଭାବୁଛନ୍ତି, ସେହି ଦେଶକୁ ନିଜ ପରାକ୍ରମ ଭିତରେ ରଖି ଶାସନ କରୁଥିବା ଅଳ୍ପସଂଖ୍ୟକ ଶ୍ୱେତକାୟମାନେ ଯେ ସେକଥାକୁ ମୋଟେ ଅବଶ୍ୟମ୍ଭାବୀ ବୋଲି ମନେ କରୁନଥିବେ, ସେକଥା ମଧ୍ୟ ସତ । ଏବଂ ଏଇଥି ସକାଶେ ସଂଗ୍ରାମର ଆବଶ୍ୟକତା ହୁଏ, ନୃସିଂହ ଅବତାରର ଲୋଡ଼ା ପଡ଼େ, ବିଦ୍ରାଭଙ୍ଗର ପ୍ରୟୋଜନ ହୁଏ । ଦକ୍ଷିଣ ଆଫ୍ରିକାରେ ଏକ ସରକାର ନାମରେ ଆଜି ଯାହା ଚାଲୁଛି, ସେମାନେ ଅନୁଗ୍ରହ କଲେ ବା କେବେ ବୁଦ୍ଧିଦ୍ୱାରା କାମ ନେବାକୁ ଆରମ୍ଭ କଲେ ଯାଇ ସେଠାରେ ମଣିଷ ବର୍ଣ୍ଣନିର୍ବିଶେଷରେ ମଣିଷ ବୋଲି ସ୍ୱୀକୃତ ହେବ ବୋଲି ଯଦି କେହି ବିଚାରୁଥାନ୍ତି, ତେବେ ସେହି ବିଚାରକୁ କେବଳ ଏକ ଭୁଲ ବିଚାର ବୋଲି କହିବାକୁ ପଡ଼ିବ । ଶ୍ୱେତକାୟମାନେ ନିଜକୁ କୌଣସି ମାଲିକ ବୋଲି ନଭାବି ମଣିଷ ବୋଲି ଭାବିଲେ ଯାଇ ଦକ୍ଷିଣ ଆଫ୍ରିକାରେ ଦେଖା ଦେଇଥିବା ସମସ୍ୟା ଦୂର ହୋଇପାରିବ ।

 

ତା ୧୯.୦୭.୧୯୭୬ ରିଖ

Image

 

Unknown

ଆଫ୍ରିକାର ରାଜନୀତିକ ଚକ୍ର

 

ଆଫ୍ରିକାକୁ ଅନ୍ଧାରର ମହାଦେଶ ବୋଲି ଯେଉଁ ଯୁଗରେ କୁହାଯାଉଥିଲା, ସେହି ଯୁଗ କୁଆଡ଼େ ଅତିକ୍ରାନ୍ତ ହୋଇ ରହିଲାଣି । ସେହି ଯୁଗର ରାଜନୀତି, ରାଷ୍ଟ୍ରକୂଟନୀତି ଓ ସାମ୍ରାଜ୍ୟଗୁଡ଼ାକ ମଧ୍ୟ ସେମାନଙ୍କ ମାଲିକମାନଙ୍କ ସମେତ କୁଆଡ଼େ ଅତୀତର ପୋଇ ରହିଲେଣି । ସମଗ୍ର ପୃଥିବୀ ଅପେକ୍ଷିତ ଏକ ନୂତନ ସମ୍ୱନ୍ଧ ଯୁଗ ଲାଗି ପ୍ରସ୍ତୁତ ହେଉଛି । ନାନାପ୍ରକାରର ନୀରବ ତଥା ସରଳ ବିପ୍ଳବ ଯୁଗର ଚକଗୁଡ଼ାକୁ ସମ୍ପୂର୍ଣ୍ଣ ଏକ ନୂତନ ଆଭିମୁଖ୍ୟ ଦେଇ ପରିଚାଳିତ କରିନେଉଛି । କିନ୍ତୁ ଆଫ୍ରିକାରେ କ’ଣ ଏପର୍ଯ୍ୟନ୍ତ ରାତି ପାହି ନାହିଁ ? ଆଧୁନିକ କେତେକ ଇତିହାସକାର ଆଫ୍ରିକାକୁ ଆଗାମୀର ପ୍ରତିଶ୍ରୁତ ମହାଦେଶ ବୋଲି ଯେଉଁ ଭବିଷ୍ୟବାଣୀ କହିଥିଲେ, ସେହି ଭବିଷ୍ୟବାଣୀ କ’ଣ ମିଛ ହେବାକୁ ଯାଉଛି ?

 

ଆଫ୍ରିକା ମହାଦେଶ ଉପରେ ଶିଖରୁ ପାଦଯାଏ ଏକ ବିହଙ୍ଗଦୃଷ୍ଟି ବୁଲାଇ ଆଣିଲେ ଅନେକ ସମୟରେ ପ୍ରାୟ ତାହାହିଁ ମନେ ହେଉଛି । ଆଫ୍ରିକାରେ ସବୁ ଦେଶ ଗୋଟିଏ ଗୋଟିଏ ସ୍ୱାଧୀନ ରାଷ୍ଟ୍ରରେ ପରିଣତ ହୋଇଛନ୍ତି ସତ, ମାତ୍ର ସେମାନେ ଆପଣାର ସମ୍ମିଳିତ ଭାଗ୍ୟଟି ବିଷୟରେ ଯେପରି ଆଜିଯାଏ ବି ଯଥେଷ୍ଟ ପରିମାଣରେ ସଚେତନ ହୋଇନାହାନ୍ତି । ସମଗ୍ର ମହାଦେଶକୁ ଆମେ ଏକ ଶ୍ରେଣୀବିଭାଗର ସାହାଯ୍ୟରେ ତିନିଭାଗ କରି ଦେଖିପାରିବା । ସବା ଉପରେ ଉତ୍ତର ଭାଗରେ ଆରବ ଆଫ୍ରିକା-ପଶ୍ଚିମରେ ମରକ୍‌କୋଠାରୁ ପୂର୍ବରେ ସୋମାଲିଆ ହୋଇ ଆଫ୍ରିକାର ପ୍ରାୟ ପେଟ ଭିତରକୁ ଏଥିଓପିଆ ପର୍ଯ୍ୟନ୍ତ ବିସ୍ତୃତ ହୋଇ ରହିଛି । ଏକଦା ମିଶରର ସ୍ୱର୍ଗତ ଅବଦୁଲ ଗାମେଲ ନାସେରଙ୍କୁ ଏହି ଅଞ୍ଚଳଟିର ନାୟକ ବୋଲି କୁହାଯାଉଥିଲା । କୋଡ଼ିଏ ବର୍ଷ ତଳେ ସୁଏଜ କେନାଲକୁ ମିଶରର ଜାତୀୟ ସମ୍ପତ୍ତି ବୋଲି ଘୋଷଣା କରି ନାସେର ତତ୍କାଳୀନ ବିଶ୍ୱ ରାଜନୀତିରେ ପ୍ରାୟ ଏକ କମ୍ପନ ସୃଷ୍ଟି କରିଥିଲେ । ନାସେରଙ୍କ ପରେ ସେ ଉପଖଣ୍ଡର ଦେଶମାନେ ସତେଅବା ଏପର୍ଯ୍ୟନ୍ତ ପରସ୍ପରର ମୂଳ ଉଖାଡ଼ିବାରେ ତତ୍ପର ହୋଇ ରହିଛନ୍ତି ଓ ତାହାକୁ ହିଁ ସର୍ବଚମତ୍କାର ବିଦ୍ୟା ବୋଲି ବୁଝୁଛନ୍ତି । ପଶ୍ଚିମ ସାହାରାକୁ ନେଇ ମରକ୍‌କୋ ଓ ଆଲଜିରିଆ ମଧ୍ୟରେ ବିବାଦ ଚାଲିଛି, ଇରିଟ୍ରିଆ ନେଇ ତେଣେ ସୋମାଲିଆ ଓ ଏଥିଓପିଆ ମଧ୍ୟରେ ପରୋକ୍ଷ ଯୁଦ୍ଧ ଚାଲିଛି, ସୁଡ଼ାନରେ ଲାଗ ଲାଗ ଗାଦୀନସୀନ ଶାସକଙ୍କୁ ଗାଦୀଚ୍ୟୁତ କରିବା ଲାଗି ହୋଇଥିବା ଷଡ଼ଯନ୍ତ୍ରଗୁଡ଼ାକର ମୂଳକଥା ଜଣାପଡ଼ୁଛି । ଏଥିଓପିଆରେ ରାଜପଦର ବିଲୋପ ସାଧନ କରି ନିଜକୁ ପ୍ରତିଷ୍ଠିତ କରିଥିବା ସୈନିକତନ୍ତ୍ର ଏପର୍ଯ୍ୟନ୍ତ ମଧ୍ୟ ଘରର ମୂଷାଗାଡ଼ଗୁଡ଼ାକୁ ବନ୍ଦ କରିପାରିନାହାନ୍ତି-ଏବଂ ସମସ୍ତଙ୍କ ମଝିରେ ମିଶରର ଶ୍ରୀ ଅନୱାର ସାଦତ୍‌ ନିଜର ଆସନଟିକୁ ସମ୍ଭାଳିବାରେ ପ୍ରାୟ ଉବୁଡ଼ୁବୁ ହୋଇ ରହିଛନ୍ତି ।

 

ତା’ତଳକୁ ମଧ୍ୟଭାଗର ନିଗ୍ରୋ ଆଫ୍ରିକା । ଏକଦା କେନିଆର ରାଷ୍ଟ୍ରପତି ୟୋମୋ କେନିଆଟା ଏହି ଅଞ୍ଚଳର ଲୋକନାୟକ ହୋଇ ରହିଥିଲେ । ମାତ୍ର କେନିଆରେ ଯେଉଁ କେତୋଟି ରାଜନୀତିକ ହତ୍ୟା ଓ ଆତଙ୍କ ଘଟିଲା, ତା’ପରେ କେନିଆଟାଙ୍କର ମୁଠା ପ୍ରାୟ ଆପେ ଆପେ ବନ୍ଦ ହୋଇଯାଇଛି । ତାଙ୍କ ପରେ ସେହି ଅଞ୍ଚଳରେ ଚାଞ୍ଜାନିଆର ଜୁଲିଅସ୍‌ ନାଇରେରେ, ଉଗାଣ୍ଡାର ଇଡ଼ି ଅମିନ ଏବଂ ଜାମ୍ୱିଆର କେନେଥ୍‌ କାଉଣ୍ଡାଙ୍କ ପରି ପ୍ରାୟ ଯାବତୀୟ ପ୍ରକାରର ରାଷ୍ଟ୍ରନାୟକ ଅଛନ୍ତି । ଏମାନଙ୍କର ରାଜନୀତିକ ଦୃଷ୍ଟି ଓ ଅଦୃଷ୍ଟିଗୁଡ଼ାକ ଏତେବେଶୀ ବିପରୀତମୁଖୀ ହୋଇ ରହିଛି ଯେ ଏମାନଙ୍କଠାରୁ ପ୍ରକୃତରେ ଗଠନାତ୍ମକ କିଛି କେବେ ପ୍ରକୃତରେ ଉପୁଜିବ ବୋଲି ହୁଏତ ବିଶ୍ୱାସ ବି ହେଉନାହିଁ । ତା’ପରେ ଦକ୍ଷିଣ ଆଫ୍ରିକାରେ ବହୁସଂଖ୍ୟକ କୃଷ୍ଣକାୟଙ୍କ ଉପରେ ସଂଖ୍ୟାଲଘୁ ଶ୍ୱେତକାୟଙ୍କର ଦୌରାତ୍ମ୍ୟ ଚାଲିଛି । ଦକ୍ଷିଣ ଆଫ୍ରିକାର ଏହି ଅନ୍ୟାୟକୁ ବାହାରେ ସମସ୍ତେ ନିନ୍ଦା କରୁଛନ୍ତି ସତ, ମାତ୍ର କେତୋଟି ବୃହତ୍‌ଶକ୍ତି ସମେତ ପୃଥିବୀର କେତୋଟି ରାଷ୍ଟ୍ର ତାହା ସହିତ ବାଣିଜ୍ୟ ଓ ଅସ୍ତ୍ରଶସ୍ତ୍ରର କାରବାର ବଜାୟ ରଖିଛନ୍ତି । ରୋଡ଼େସିଆର ସ୍ନିଥ୍‌ ସରକାର ସମସ୍ତଙ୍କର ଦେଖନ୍ତାରେ ସବୁ ପ୍ରକାରର ଲମ୍ପଟଗିରି କରିବାରେ ଲାଗିଛି ।

 

ଏସବୁର ଅନ୍ତ କେଉଁଠି ? ଏସବୁର ଶେଷ ପରିଣତି ପ୍ରକୃତରେ କ’ଣ ହେବାକୁ ଯାଉଛି-? ଗୋଟିଏ କଥା ଅବଶ୍ୟ ସ୍ପଷ୍ଟ ହେଉଛି ଯେ ସମଗ୍ର ଆଫ୍ରିକା ମହାଦେଶରେ ରାଜନୀତି ରାଷ୍ଟ୍ରନାୟକମାନଙ୍କର ସ୍ତରରୁ ଲୋକସ୍ତରକୁ ସ୍ପର୍ଶ କରିପାରିନାହିଁ । ବିଗତ କୋଡ଼ିଏ ବର୍ଷ ଭିତରେ ସେଠାରେ ଏହି ଦିଗରେ ହୁଏତ କୌଣସି ଅଗ୍ରଗତି ହୋଇନାହିଁ । କ୍ଷମତାରେ ବସିଥିବା ରାଷ୍ଟ୍ରନାୟକମାନେ ଉପରେ ପାରସ୍ପରିକ ସ୍ଥାନୀୟ ବିବାଦର ସ୍ଥାନୀୟ ମୁଷ୍ଟିଯୁଦ୍ଧମାନ ଲଢ଼ିବାରେ ଲାଗିଛନ୍ତି ଓ ସ୍ଥାନୀୟ ଉତ୍ତେଜନାଗୁଡ଼ାକରେ ପ୍ରାୟ ଏକ ଅନ୍ଧ ବନ୍ଦୀଶାଳା ଭିତରେ ତାତି କରି ରହିଛନ୍ତି ଏବଂ ତେଣେ ଆଫ୍ରିକାର ଜନଗଣ ଏକ ଉପଜାତୀୟ ଅନାଲୋକିତ ସ୍ତରରେ ଏପର୍ଯ୍ୟନ୍ତ ପଡ଼ି ରହିଛନ୍ତି । ଦେଶର ରାଜନୀତିକ ଆହ୍ୱାନ ସେମାନଙ୍କୁ ହୁଏତ ସ୍ପର୍ଶ ବି କରିପାରିନାହିଁ । ସୈନିକ ବିଦ୍ରୋହ ଦ୍ୱାରା ଦେଶର ଭାଗ୍ୟଗୁଡ଼ାକ ଏପାଖ ସେପାଖ ହେବାରେ ଲାଗିଛନ୍ତି । ଦେଶଗୁଡ଼ାକର ଅର୍ଥନୈତିକ କ୍ଷେତ୍ରରେ କୌଣସି ସୁଗଠିତ ପରିବର୍ତ୍ତନର ଯୋଜନା ସମ୍ଭବ ହୋଇନାହିଁ । ଆନୁଷ୍ଠାନିକ ଭାବରେ ରାଜନୀତିକ ସ୍ୱାଧୀନତା ଆସିଥିଲେ ମଧ୍ୟ ରାଜନୀତିର କ୍ଷେତ୍ରରେ କୌଣସି ସ୍ଥିରତା ଆସିନାହିଁ । ଏହାକୁ କ’ଣ ଗୋଟିଏ ମହାଦେଶର ଭାଗ୍ୟ ବୋଲି କୁହାଯିବ ?

 

ତା ୨୧.୦୭.୧୯୭୬ ରିଖ

Image

 

ସର୍ତ୍ତରେ ସାହାଯ୍ୟ

 

ଇତାଲୀ ଦେଶରେ ଏବେ ଯେଉଁ ସାଧାରଣ ନିର୍ବାଚନ ହୋଇଗଲା, ସେଥିରେ କୌଣସି ଗୋଟିଏ ରାଜନୀତିକ ଦଳ ଏକକ ବହୁମତ ହାସଲ କରିପାରିଲା ନାହିଁ । ଦୁଇଟି ଦଳ ଅନ୍ୟ ଦଳଗୁଡ଼ିକ ଅପେକ୍ଷା ଅନେକ ଅଧିକ ଭୋଟ ପାଇଲେ ଓ ଅନେକ ଅଧିକ ସ୍ଥାନ ବି ହାସଲ କଲେ । ସେହି ଦୁଇଟି ଦଳ ହେଉଛନ୍ତି ଇତାଲୀର କମ୍ପ୍ୟୁନିଷ୍ଟ ପାଟି ଏବଂ ଖ୍ରୀଷ୍ଟିଆନ ଡିମୋକ୍ରାଟିକ୍‌ ପାର୍ଟି । ନିର୍ବାଚନରେ ଏମାନେ ପ୍ରତ୍ୟେକେ ପ୍ରାୟ ସମାନ ଶକ୍ତିର ପରିଚୟ ଦେଇଛନ୍ତି ଓ ପ୍ରାୟ ସମାନ ସଂଖ୍ୟକ ସ୍ଥାନ ହାସଲ କରିଛନ୍ତି । ଦୁଇଟିଯାକରୁ କୌଣସି ଗୋଟିଏ ଦଳ ଯେତେବେଳେ ଏକାକୀ ସରକାର ଗଢ଼ିବାଲାଗି ସମର୍ଥ ହେଉନାହାନ୍ତି, ସେତେବେଳେ ଦୁଇଟିଯାକ ଦଳ ଏକତ୍ର ଏକ ମିଳିତ ସରକାର ଗଠନ କଲେ ତାହା ଯେ ସବୁ ଦୃଷ୍ଟିରୁ ଅଧିକ ପ୍ରଶସ୍ତ ଓ ଫଳପ୍ରଦ ହୁଅନ୍ତା, ପର୍ଯ୍ୟବେକ୍ଷକ ଯେକୌଣସି ବ୍ୟକ୍ତି ସେକଥା କହିଦେଇ ପାରିବ; ଏବଂ ଗତ ତିରିଶ ବର୍ଷ ଯାବତ ଇତାଲୀର ରାଜନୀତିକ ଏବଂ ସାମାଜିକ ପରିସ୍ଥିତିକୁ ଲକ୍ଷ୍ୟ କରି ଆସିଥିବା ଯେକୌଣସି ବ୍ୟକ୍ତି ଅବଶ୍ୟ କହିବାକୁ ଇଚ୍ଛା କରିବ ଯେ ଏହିଭଳି ଏକ ମିଳିତ ସରକାର ଗଠନରେ ହିଁ ଦେଶର ସର୍ବାଧିକ କଲ୍ୟାଣ ନିହିତ ହୋଇ ରହିଛି ଏବଂ ଏହି ଦିଗରେ ସବୁଠାରୁ ବଡ଼ ସମର୍ଥକ ସୂଚନା ହେଉଛି ଯେ ଇତାଲୀର ଏହି ଦୁଇ ଦଳ ଏକତ୍ର ସରକାରଟିଏ ଗଢ଼ିବା ସକାଶେ ଅନୁକୂଳ ଦୃଷ୍ଟିସମ୍ପନ୍ନ ହୋଇ ରହିଛନ୍ତି ।

 

କିନ୍ତୁ ଇତାଲୀରେ କୋଉଭଳି ସରକାର ଗଢ଼ାହେବ, ସେହି ସରକାରରେ କୋଉ ଦଳ ରହିବେ ବା ନ ରହିବେ, କିଏ କାହା ସହିତ ମିଶିବ ବା ନ ମିଶିବ, ଏହିସବୁ ବିଷୟକୁ ନେଇ ସେଠାରେ ବାହାରୁ ଅନେକ ପ୍ରକାର ପରୋକ୍ଷ ହସ୍ତକ୍ଷେପ ହେବାକୁ ଆରମ୍ଭ କଲାଣି ଏବଂ ବେଶ୍‌ କେତେପ୍ରକାରର ଚାପ ମଧ୍ୟ ଦିଆଗଲାଣି । ଆଧୁନିକ ପୃଥିବୀରେ ରାଜନୀତିକ ହସ୍ତକ୍ଷେପର ଇତିବୃତ୍ତରେ କୋରିଆ ଓ ଭିଏତ୍‌ନାମ୍‌ ଠାରୁ ଆରମ୍ଭ କରି ଆଫ୍ରିକାର ଆଙ୍ଗୋଲାଯାଏ ଯେଉଁମାନେ ଖଳନାୟକର ଭୂମିକା ଗ୍ରହଣ କରି ଆସିଛନ୍ତି, ଇତାଲୀ ବେଳକୁ ମଧ୍ୟ ଠିକ୍‌ ସେହିମାନେ ମେଘ ପରି ଗଗନମଣ୍ଡଳକୁ ଘୋଟାଇ ଆଣିବା ଲାଗି ଚେଷ୍ଟା କରୁଛନ୍ତି । ପଶ୍ଚିମ ଜର୍ମାନୀର ଚାନ୍‌ସେଲ୍‌ର ବା ପ୍ରଧାନମନ୍ତ୍ରୀ ତାଙ୍କ ସରକାର ତରଫରୁ ଗୋଟିଏ ବିବୃତ୍ତି ଦେଇ କହିଛନ୍ତି ଯେ, ଇତାଲୀର ଖ୍ରୀଷ୍ଟିୟାନ୍‌ ଡିମୋକ୍ରାଟିକ୍‌ ଦଳ ସେଠି ସରକାର ଗଠନ କରିବାରେ ଯଦି କମ୍ୟୁନିଷ୍ଟ ଦଳକୁ ସାଙ୍ଗରେ ନିଅନ୍ତି, ତେବେ ପଶ୍ଚିମ ଜର୍ମାନୀ ଇତାଲୀକୁ କୌଣସି ପ୍ରକାର ଆର୍ଥିକ ସାହାଯ୍ୟ ଦେବନାହିଁ । ପଶ୍ଚିମ ଜର୍ମାନୀର ଏହି ମତଟି ପଛରେ ଆମେରିକା ସରକାରଙ୍କର ମଧ୍ୟ ସମର୍ଥନ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଦ୍ୱିତୀୟ ମହାଯୁଦ୍ଧର ପରଠାରୁ ପଶ୍ଚିମ ଜର୍ମାନୀର ଆମେରିକା ସରକାରୀ ନୀତିଠାରୁ କୌଣସି ଭିନ୍ନ ଓ ସ୍ୱତନ୍ତ୍ର ମତ ଓ ଦୃଷ୍ଟିକୋଣ ଯେ କ୍ୱଚିତ୍‌ ରହିଆସିଛି, ରାଜନୀତି ଗାଆଁର ଜଣେ ପିଲା ମଧ୍ୟ ସେକଥା କହିଦେଇ ପାରିବ । ତେଣୁ ଇତାଲୀକୁ ଆର୍ଥିକ ସାହାଯ୍ୟ ଦେବା ଓ ନ ଦେବା ବିଷୟରେ ପଶ୍ଚିମ ଜର୍ମାନୀର ମତକୁ ଆମେରିକା ସରକାର ସମର୍ଥନ କରୁଛନ୍ତି ଅଥବା ଆମେରିକା ସରକାର ଟିକିଏ ଅନ୍ୟବାଗରେ ଏ ବିଷୟରେ ଆପଣାର ମତଟିକୁ ହିଁ ପଶ୍ଚିମ ଜର୍ମାନୀ ସରକାରଙ୍କ ଜରିଆରେ ପ୍ରକଟ କରିବାକୁ ଇଚ୍ଛା କରୁଛନ୍ତି, ସେକଥା ଠିକ୍‌ କରି କହିପାରିବା ଆଦୌ ସହଜ ନୁହେଁ । ଅନ୍ୟ ସବୁଠାରୁ ସମୟ ଯେପରି ଏହାର ଉତ୍ତରଟିକୁ ବାହାର କରି ଆଣିଛି, ଏହି କ୍ଷେତ୍ରରେ ମଧ୍ୟ ହୁଏତ ତାହାହିଁ ହେବ ।

 

ଇତାଲୀର ଆର୍ଥିକ ଅବସ୍ଥା ବର୍ତ୍ତମାନ ବଡ଼ ସାଂଘାତିକ । ବିଗତ ମହାଯୁଦ୍ଧ ପରେ ଆମେରିକା ତରଫରୁ ଇତାଲୀକୁ ଯେଉଁ ବିପୁଳ ଅର୍ଥ ସାହାଯ୍ୟ ମିଳିଥିଲା, ତାହା ସତ୍ତ୍ୱେ ଇତାଲୀର ଅର୍ଥନୀତି ବର୍ତ୍ତମାନ ବଡ଼ ଟଳମଟଳ ଅବସ୍ଥାରେ ରହିଛି । ଉତ୍ତର ଆଟଲାଣ୍ଟିକ୍‌ ସନ୍ଧି ସଂଗଠନରେ ଇତାଲୀ କୋଉଦିନୁ ଏକ ସଦସ୍ୟ ହୋଇ ରହିଆସିଛି । ଇଉରୋପୀୟ ସାଧାରଣ ବଜାରରେ ମଧ୍ୟ ଇତାଲୀ ପ୍ରାୟ ମୂଳରୁ ନିଜକୁ ଭରତି କରି ରଖିଛି । ଏସବୁ ଅରଜି ମଧ୍ୟ ତଥାପି ଇତାଲୀର ଦୂରବସ୍ଥା ଘୁଞ୍ଚିନାହିଁ, ଆପଣା ଅର୍ଥନୀତି ଲାଗି ଆପଣାର ଏକ ସୁଦୃଢ଼ ଭୂମି ସେହି ଦେଶରେ ଏ ପର୍ଯ୍ୟନ୍ତ ସମ୍ଭବ ହୋଇ ପାରିନାହିଁ । ପୁଞ୍ଜିବାଦୀ ଅର୍ଥନୈତିକ ବ୍ୟବସ୍ଥା ଓ ବରଦାଗୁଡ଼ାକ ପୃଥିବୀସାରା ସବୁଠାରେ ଯେଉଁ ସଙ୍କଟର ସମ୍ମୁଖୀନ ହେଉଛନ୍ତି, ଇତାଲୀକୁ ମଧ୍ୟ ବଡ଼ ଅଶରଣ ଭାବରେ ତାହାରି ଧକ୍‌କା ସହ୍ୟ କରିବାକୁ ପଡ଼ୁଛି । ସେହି ଆର୍ଥିକ ଅନିଶ୍ଚିତତା ଓ ଦୂରବସ୍ଥାର ପୃଷ୍ଠଭୂମି ଉପରେ ହିଁ ଇତାଲୀରେ ଗତ ନିର୍ବାଚନଟି ହୋଇଯାଇଛି । ଏବଂ ପୃଥିବୀର କେତେକ ଦେଶ ସେହି ନିର୍ବାଚନର ଫଳାଫଳଟିକୁ ଗ୍ରହଣ କରିବାକୁ ସମ୍ମତ ହେଉନାହାନ୍ତି । ସେମାନେ ଇତାଲୀରେ ହୁଏତ ଅନ୍ୟ କୌଣସି ପ୍ରକାର ଫଳ ଫଳିବାର ପ୍ରତ୍ୟାଶା ରଖିଥିଲେ ଏବଂ ତାହା ନ ଫଳିବାରୁ ବେଶ୍‌ ଉତ୍ତେଜିତ ହୋଇଉଠିଛନ୍ତି ।

 

ଯିଏ ନିଜ ଦେଶରେ ଗଣତନ୍ତ୍ର ଉପରେ ଆସ୍ଥା ରଖିଥାଏ, ଅନ୍ୟ ଯେକୌଣସି ଦେଶରେ ଗଣତନ୍ତ୍ରର କାର୍ଯ୍ୟକାରିତା ଉପରେ ମଧ୍ୟ ତା’ର ଆସ୍ଥା ଏବଂ ସମ୍ମାନ ରହିଥିବା ଉଚିତ । ଇତାଲୀରେ ନିକଟରେ ଯେଉଁ ନିର୍ବାଚନଟି ହୋଇଗଲା, ସେଥିରେ ବହିଃଶକ୍ତିର କୌଣସି ପ୍ରଭାବ ତାହାର ଫଳାଫଳକୁ ପ୍ରଭାବିତ କରିଥିବାର କୌଣସି ସୂଚନା ଆଦୌ ମିଳିନାହିଁ । ଇତାଲୀର କମ୍ୟୁନିଷ୍ଟ ପାର୍ଟି ଯେ ପୃଥିବୀରେ ଆଉ କୌଣସି ଦେଶ ବା ଦଳର ଆଦୌ ଗୋଡ଼ାଣିଆ ହୋଇ ରହିନାହିଁ, ଏବେ ବର୍ଲିନ୍‌ରେ ଅନୁଷ୍ଠିତ ଆନ୍ତର୍ଜାତିକ କମୁନିଷ୍ଟ ସମ୍ମିଳନୀରୁ ସମସ୍ତଙ୍କୁ ତାହାର ନିଶ୍ଚୟ ଯଥେଷ୍ଟ ପ୍ରମାଣ ମିଳିଥିବ । ଋଷିଆ ସହିତ ସହାବସ୍ଥାନ ଓ ଯଥାସମ୍ଭବ ଉତ୍ତେଜନା ହ୍ରାସ ବିଷୟରେ ଚିନ୍ତା କରୁଥିବା ପଶ୍ଚିମ ଇଉରୋପର କେତୋଟି ଦେଶ ଏବଂ ଆମେରିକା ଇତାଲୀକୁ କାହିଁକି ନାନା ସର୍ତ୍ତ ଦେଇ ଧମକାଇବାକୁ ଓ ଇତାଲୀର ଶାସନଗତ ମଙ୍ଗ ମୋଡ଼ିବାକୁ ଏଡ଼େ ଆଗ୍ରହ ପ୍ରକାଶ କରୁଛନ୍ତି, ତାହାର ମର୍ମପ୍ରବେଶ କରିପାରିବାକୁ ହେଲେ ଆମକୁ ରାଜନୀତିକ ଆସ୍ତରଣଗୁଡ଼ିକର ଆହୁରି ଅଧିକ ଗଭୀରକୁ ଯିବାକୁ ପଡ଼ିବ । ଆପଣାର ଭୂମିରେ ଦୃଢ଼ ହୋଇ ଠିଆ ହୋଇ ପାରିବାଲାଗି ଇତାଲୀ ଯେତେବେଳେ ବାହାରୁ ଆର୍ଥିକ ସାହାଯ୍ୟ ଏକାନ୍ତ ଆବଶ୍ୟକ କରୁଛି, ସେତେବେଳେ ଏହି ସାହାଯ୍ୟ ପଛରେ ବର୍ତ୍ତମାନ ଇତାଲୀର ରାଜନୀତି ଉପରେ ସ୍ୱ-ଅନୁକୂଳ ଚାପ ପକାଇବାକୁ ଇଚ୍ଛା କରିବା ପଛରେ ସାହାଯ୍ୟ କରିବାର ଯଥାର୍ଥ ମନୋଭାବଟି କେତେଦୂର ରହିଛି, ଆମେ ସେ ବିଷୟରେ ମଧ୍ୟ କିଞ୍ଚିତ ବିଚାର କରିପାରିବା ।

 

ତା ୨୩.୦୭.୧୯୭୬ ରିଖ

Image

 

ପୂର୍ବ ଦୃଷ୍ଟି ପୂର୍ବ ରୋଗ

 

ପିଲାଏ ଖେଳିବା ସମୟରେ ଅନେକ ସମୟରେ ବଡ଼ମାନେ ସହିପାରନ୍ତି ନାହିଁ । ପିଲାଙ୍କ ଖେଳକୁ ନେଇ କେତେ ପ୍ରକାରର ଟିଟିକାର କରନ୍ତି, କେତେ ପ୍ରକାରର ଅଶୁଭ ମନ୍ତବ୍ୟ ଦିଅନ୍ତି । ଖେଳାଳୀମାନେ ସିନା ଖେଳନ୍ତି, ଅଖେଳାଳୀମାନେ ମନ୍ତବ୍ୟ ଦିଅନ୍ତି, ଖେଳରେ ଜିତିବାର ଗର୍ବଗୁଡ଼ାକ ସତେ ଅବା ସେହିମାନଙ୍କର ପ୍ରାପ୍ୟ ବୋଲି ଧରି ନେଇଥାନ୍ତି । ଖେଳାଳୀମାନେ ଖେଳରେ ହାରିଲେ ସାଧାରଣତଃ ଅଖେଳାଳୀମାନେ ହିଁ ଅଧିକ ବିଚଳିତ ଓ କ୍ରୁଦ୍ଧ ହୋଇପଡ଼ନ୍ତି । ଏଗୁଡ଼ାକ ସମ୍ଭବତଃ ସବୁ ଯୁଗରେ ରହିଥିଲା । ପ୍ରାୟ ସବୁ ଯୁଗରେ ଖେଳାଳୀମାନେ ଅଖେଳାଳୀମାନଙ୍କୁ ସହି ଆସୁଥିଲେ, ପିଲାମାନେ ବଡ଼ମାନଙ୍କୁ ସହି ଆସୁଥିଲେ । ମାତ୍ର ଖେଳରେ ରାଜନୀତିକୁ ପୂରାଇବା, ରାଷ୍ଟ୍ରୀୟତାକୁ କାରଣ କରି ଖେଳପଡ଼ିଆ ମଝିରେ ଦୁରାତ୍ମତା ଆରମ୍ଭ କରିବା, ଏଗୁଡ଼ାକ ହେଉଛି ଆମ ଏହି ଯୁଗର ବିଶେଷ ଘଟଣା, ବିଶେଷ ସଉକ ।

 

ଏବର୍ଷ ବିଶ୍ୱ ଅଲିମ୍ପିକ୍‌ କ୍ରୀଡ଼ା ଆରମ୍ଭ ହେବା ବେଳକୁ ଅନ୍ୟ ଥର ଅପେକ୍ଷା ଅନେକ ଗୁଣ ବେଶୀ ରାଜନୀତିର ଅନୁପ୍ରବେଶ ଘଟିବାଲାଗି ପ୍ରଶ୍ରୟ ଦିଆଗଲା । ବୃହତ୍‌ଶକ୍ତି ଓ କ୍ଷୁଦ୍ରଶକ୍ତି ସମସ୍ତେ ମିଶି ଏହି ମାମଲାକୁ ସଘନ କରିବାରେ ପାରୁପର୍ଯ୍ୟନ୍ତ ସହାୟତା କଲେ । ଏଥର ଅଲିମ୍ପିକ୍‌ କ୍ରୀଡ଼ା ଯେଉଁ ଦେଶରେ ଅନୁଷ୍ଠିତ ହେଉଛି, ସେହି ଦେଶ ବିଶ୍ୱରାଜନୀତି ଭିତରେ ସାଧାରଣତଃ କୌଣସି ପ୍ରକାର ମୁଖ୍ୟ ଭାଗ ନେଉନଥିବାରୁ ଏବଂ ସମ୍ଭବତଃ ଅନେକ ପରିମାଣରେ ନିଜକୁ ପ୍ରାୟ ଅରାଜନୀତିକ କରି ରଖିଥିବାରୁ ଦୌରାତ୍ମ୍ୟଗୁଡ଼ାକ ହୁଏତ ଅଧିକ ପ୍ରବଳ ହେବାର ଅନୁକୂଳତା ପାଇଲା ।

 

ତାଲୱାନ୍‌ ଦ୍ୱୀପ ପୃଥିବୀରେ ସାନ ଦ୍ୱୀପଟିଏ ହୋଇଥିଲେ ମଧ୍ୟ ସାମ୍ପ୍ରତିକ ବିଶ୍ୱରାଜନୀତିରେ ତାହା ଅନେକ କୀର୍ତ୍ତି ଅର୍ଜନ କରିସାରିଛି । ଚୀନ ସାଧାରଣତନ୍ତ୍ରର ପ୍ରତିଷ୍ଠା ପରେ ପୃଥିବୀର ଏକ ବୃହତ୍‌ଶକ୍ତି ଆମେରିକା ତାଇୱାନ୍‌ ଦ୍ୱୀପକୁ ହିଁ ଅସଲ ଚୀନ ବୋଲି ସ୍ୱୀକାର କଲା, କାରଣ ରାଜନୀତିର ଶୀତଳଯୁଦ୍ଧ ଦୃଷ୍ଟିରୁ ଅସଲ ଚୀନକୁ ଚୀନ ବୋଲି କହିବାକୁ ଆମେରିକା ଅନୁକୂଳ ବୋଲି ମନେ କଲାନାହିଁ । ଏହିପରି ବେଶ୍‌ କେତେବର୍ଷ ଗଲା, ତା’ପରେ ଯାଇ ଆମେରିକା ଚୀନ ସାଧାରଣତନ୍ତ୍ରକୁ ସ୍ୱୀକାର କଲା । ତାଇୱାନ୍‌ରେ ପ୍ରତିଷ୍ଠିତ କଣ୍ଢେଇମାନେ ମଧ୍ୟ କ୍ରମେ ବୁଢ଼ା ହୋଇ ବିଦାୟ ନେଇଗଲେ ଏବଂ ତାଇୱାନ୍‌ ତାଇୱାନ୍‌ ହୋଇ ରହିଲା । ପୂର୍ବର ରାଜନୀତି ଓ କୂଟନୀତିଗୁଡ଼ାକୁ ମଧ୍ୟ ପୃଥିବୀର ଲୋକେ କ୍ରମଶଃ ବେଶ୍‌ ଭୁଲି ଯାଇଥିଲେ । ସମସ୍ତେ ଭାବୁଥିଲେ ଯେ ଆମେରିକା ମଧ୍ୟ ଅବଶିଷ୍ଟ ପୃଥିବୀ ସହିତ ସେହି କଥାଗୁଡ଼ିକୁ ବେଶ୍‌ ଭୁଲି ଯାଇଥିବ ।

 

ମାତ୍ର ଅଲିମ୍ପିକ୍‌ ଖେଳ ଆରମ୍ଭ ବେଳକୁ ପୁଣି ସେହି ପୁରୁଣା ଗଣ୍ଠି ଫିଟିଲା, ପୁରୁଣା ସ୍ମୃତିଗୁଡ଼ାକ ପୁରୁଣା ରୋଗକୁ ପ୍ରକାଶ କରି ଆଣିଲା । ଚୀନ ସାଧାରଣତନ୍ତ୍ର କହିଲେ ଯେ ପୃଥିବୀର ଗୋଟିଏ ଦେଶକୁ ବୁଝାଏ, ପୃଥିବୀଯାକ ଦୀର୍ଘ କୋଉ ଦିନୁ ସମସ୍ତେ ସେହି କଥାଟିକୁ ସ୍ୱୀକାର କରି ନେଇଛନ୍ତି । ଚୀନ ସାଧାରଣତନ୍ତ୍ର ଏହା ଭିତରେ ସଂଯୁକ୍ତ ରାଷ୍ଟ୍ରସଂଘର ସଦସ୍ୟ ହୋଇସାରିଲାଣି । ନିରାପତ୍ତା ପରିଷଦରେ ଅନ୍ୟତମ ବୃହତ୍‌ଶକ୍ତି ରୂପେ ଭେଟୋ କ୍ଷମତାର ଅଧିକାରୀ ହୋଇସାରିଲାଣି ଏବଂ ପ୍ରତ୍ୟେକ କ୍ଷେତ୍ରରେ ତାଇୱାନ୍‌ ବାସ୍ତବିକତାକୁ ହିଁ ମାନିନେବାକୁ ବାଧ୍ୟ ହୋଇଛି । କିନ୍ତୁ ଏଥର ବିଶ୍ୱ ଅଲିମ୍ପିକ୍‌ କମିଟି ପାଖରେ ତାଇୱାନ୍‌ ଅଭିଯୋଗ କରିବସିଲା ଯେ ଚୀନ ସାଧାରଣତନ୍ତ୍ର କହିଲେ ଅଲିମ୍ପିକ୍‌ ଖେଳରେ ତାଇୱାନ୍‌କୁ ହିଁ ବୁଝାଇବା ଉଚିତ ଏବଂ ତାହାକୁ ଯଦି ସେହି ନାମଟିକୁ ଗ୍ରହଣ କରି ଖେଳିବାକୁ ସୁଯୋଗ ଦିଆନଯାଏ, ତେବେ ତାଇୱାନ୍‌ର ଖେଳାଳୀମାନେ ଅଲିମ୍ପକ୍‌ ପ୍ରତିଯୋଗିତାକୁ ବୟକଟ କରିବେ । ଏକଥା ଏକାନ୍ତ ସତ୍ୟ ଯେ ଖେଳାଳୀମାନଙ୍କର ପକ୍ଷରୁ ତାଇୱାନ୍‌ ସରକାର ହିଁ ଏହି ଅଭିଯୋଗ କଲା ଓ ଏହି ଧମକ ଦେଲା । ଖେଳରେ ଯୋଗ ଦେବା ବା ନଦେବା ବିଷୟରେ ଖେଳାଳୀମାନଙ୍କର ମତ ଲୋଡ଼ିବା ପାଇଁ କୌଣସି ଆବଶ୍ୟକତା ହିଁ ନଥିଲା ।

 

ବିଶ୍ୱ ଅଲିମ୍ପିକ୍‌ କମିଟି ଏହି ଅଭିଯୋଗଟିର ବିଚାର କଲେ । ସେମାନେ ଠିକ୍‌ କଲେ ଯେ ଅସଲ ଚୀନ ଓ ସ୍ୱୀକୃତ ଚୀନ ହିଁ ଚୀନ ସାଧାରଣତନ୍ତ୍ର ନାମରେ କ୍ରୀଡ଼ାରେ ଯୋଗ ଦେଇ ପାରିବ । ଏବଂ ତାଇୱାନ୍‌ ତାଇୱାନ୍‌ ନାମରେ ଯୋଗ ଦେବ । ଏହି ନିଷ୍ପତ୍ତିଟି ଉପରେ ଯଦି ବାହାରୁ କୌଣସି ହସ୍ତକ୍ଷେପର ଚକ୍ରାନ୍ତ କରାଯାଇ ନଥାନ୍ତା, ତେବେ ତାଇୱାନ୍‌ ବିଶ୍ୱ ଅଲିମ୍ପିକ୍‌ କମିଟିର ଫଇସଲାକୁ ମାନିନେବାକୁ ହିଁ ସର୍ବୋଚିତ ବୋଲି ବିଚାର କରିଥାନ୍ତା । କିନ୍ତୁ ଯୁକ୍ତରାଜ୍ୟ ଆମେରିକାର ହସ୍ତକ୍ଷେପ ଓ ବିବାଦଟି ସହିତ ପ୍ରତ୍ୟକ୍ଷ ସହଯୋଗ ଗଣ୍ଠିଗୁଡ଼ାକୁ ଆହୁରି ଟାଣ କରି ପକାଇବାକୁ ଆସିଲା । ଯୁକ୍ତରାଜ୍ୟ ଆମେରିକା ଅଡ଼ୁଆଟିକୁ ବଳ ଦେଇ କହିଲା ଯେ ତାଇୱାନ୍‌ ଅଲିମ୍ପିକ୍‌ ଖେଳରେ ଯୋଗ ନଦେଲେ ଆମେରିକା ମଧ୍ୟ ମଁରିଅଲ୍‌ର ଅଲିମ୍ପିକ୍‌ ଛାଉଣୀରୁ ତା’ର ଖେଳାଳୀମାନଙ୍କୁ ହଟାଇ ନେଇଆସିବ । ଆମେରିକା ସହିତ ଆହୁରି କେତୋଟି ଦେଶ ବି ବାହୁଟେକି ବାହାରିଲେ । ତେଣୁ ସବୁ ଅଡ଼ୁଆ ହୋଇଗଲାପରି ଲାଗିଲା । ଅଲିମ୍ପିକ୍‌ କମିଟି ସଙ୍କଟରେ ପଡ଼ିଗଲା ଓ ହୁଏତ କାନାଡ଼ା ସରକାର ବି ପ୍ରମାଦ ଗଣିଲେ । ତଥାପି ଏହାକୁ ଖେଳ ଓ ଖେଳାଳୀମାନଙ୍କର ଭାଗ୍ୟ ବୋଲି କହିବାକୁ ହେବ ଯେ ଶେଷକୁ ସକଳ ପ୍ରକାର ସ୍ୱାଭାବିକ ବିଧି ସହିତ ଅଲିମ୍ପିକ୍‌ କ୍ରୀଡ଼ା ଆରମ୍ଭ ହେଲା । ଅନ୍ତତଃ ୧୯୮୦ ମସିହାରେ ମସ୍କୋଠାରେ ପରବର୍ତ୍ତୀ ଅଲିମ୍ପିକ୍‌ ପର୍ଯ୍ୟନ୍ତ ଆଗ୍ରହୀ ସମସ୍ତେ ଶ୍ୱସ୍ତ ନିଃଶ୍ୱାସ ପକାଇଲେ ।

 

ଖେଳ ଖେଳାଳୀମାନଙ୍କର ହିଁ ହୋଇ ରହିବା ଉଚିତ । ବିଶ୍ୱସ୍ତରରେ ମଧ୍ୟ ଠିକ୍‌ ତାହା ହିଁ ହୋଇ ରହିବା ଉଚିତ । ରାଜନୀତିକ ଦୌରାତ୍ମ୍ୟ ଯେତେବେଳେ ଖେଳରେ ମଧ୍ୟ ପଶିଯାଏ ଏବଂ ସବୁ କଥାରେ ରାଷ୍ଟ୍ରୀୟତାର ମାର୍କା ବାଡ଼େଇ ରଖିବାଟା ଯେତେବେଳେ ଫେଶନ ହୋଇ ରହେ, ସେତେବେଳେ ପୃଥିବୀରେ ଖେଳ ଓ ଖେଳାଳୀମାନଙ୍କ ପ୍ରତି ଭାରି ଅବିଚାର କରାଯାଏ । ରାଜନୀତିକୁ ଯେଉଁମାନେ ପୃଥିବୀର ଏକମାତ୍ର ଖେଳ ବୋଲି ଜାଣନ୍ତି ଓ କ୍ଷମତାଗୁଡ଼ାକୁ ହିଁ ଖେଳର ଏକମାତ୍ର ମୀମାଂସକ ବୋଲି ମାନନ୍ତି, ସେମାନେ ଏହି ପୃଥିବୀର ଅନେକ ଖେଳ ଓ ଅନେକ ସହଜସୂତ୍ରକୁ ନଷ୍ଟ କରିଦେବାରେ ଯେ ନମିତ୍ତ ହୁଅନ୍ତି, ସେକଥା ସେମାନଙ୍କୁ କିଏ ବୁଝାଇ କହିବ ?

 

ତା ୨୪.୦୭.୧୯୭୬ ରିଖ

Image

 

ଜାପାନୀ ପିଲାଙ୍କ ତପସ୍ୟା

 

ଜାପାନ ଦେଶରେ କେତେଜଣ ବିଶେଷଜ୍ଞ ଏବେ ମତ ଦେଇ କହିଛନ୍ତି ଯେ ସେଠାରେ ସ୍କୁଲ ପିଲାଙ୍କର ଦୃଷ୍ଟିଶକ୍ତି କ୍ରମେ ଖରାପ ହୋଇଯାଉଛି । ସେମାନେ କହୁଛନ୍ତି ଯେ, ଏହି ପରିସ୍ଥିତିଟି ପଛରେ କେତୋଟି ପ୍ରଧାନ କାରଣ ରହିଛି । ଜାପାନୀ ପିଲାମାନେ ବଡ଼ ଅତିରିକ୍ତ ପରିମାଣରେ ଟେଲିଭିଜନ ଦେଖୁଛନ୍ତି । ସେଥିଲାଗି ସେମାନଙ୍କର ଆଖି ଉପରେ ଅତିରିକ୍ତ ଚାପ ପଡ଼ୁଛି ଓ ଦୃଷ୍ଟିଶକ୍ତି କ୍ରମଶଃ କ୍ଷୀଣ ହୋଇଯାଉଛି । ଦ୍ୱିତୀୟ କାରଣଟି ହେଉଛି, ଜାପାନୀ ପିଲାମାନେ ଏବେ ବାହାରେ ଖେଳବୁଲ କରିବା ଲାଗି ପ୍ରାୟ କୌଣସି ଫୁରସତ ପାଉନାହାନ୍ତି । ତୃତୀୟତଃ, ଇସ୍କୁଲର ପାଠ କ୍ରମଶଃ ଅଧିକ କଡ଼ା ହେବାରେ ଲାଗିଛି ଓ ତାହାର ଫରମାସିଗୁଡ଼ିକୁ ପୂରଣ କରିବା ଲାଗି ପିଲାମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ୁଚି । ଶେଷ କାରଣଟି ହେଲା, ପିଲାଙ୍କ ପାଠ୍ୟପୁସ୍ତକଗୁଡ଼ିକରେ ଛପା ଅକ୍ଷରଗୁଡ଼ାକ ଆଗ ତୁଳନାରେ ଏବେ ଅଧିକ ଛୋଟ ହୋଇଗଲାଣି-

 

ଏହି ବିଷୟରେ ଏଠିସେଠି ଯେଉଁ ହିସାବମାନ ନିଆଯାଇଛି, ସେଥିରୁ ଜଣାପଡ଼ୁଛି ଯେ, ୧୯୬୫ ମସିହାରେ ୪୨୦୦୦ ଜାପାନୀ ସ୍କୁଲ ପିଲାଙ୍କୁ ନେଇ ଯେଉଁ ଅଧ୍ୟୟନ କରାଯାଇଥିଲା, ସେଥିରେ ଶତକଡ଼ା ୧୬.୫ ଜଣ ଚଷମା ବ୍ୟବହାର କରୁଥିଲେ ବୋଲି ଜଣା ଯାଇଥିଲା । ଏବଂ ପ୍ରାୟ ଦଶବର୍ଷ ପରେ ଅର୍ଥାତ୍‌ ୧୯୭୪ ମସିହାରେ ୫୦.୦୦୦ ସ୍କୁଲ ପିଲାଙ୍କୁ ନେଇ ଯେଉଁ ଅଧ୍ୟୟନଟି ହୋଇଥିଲା, ସେଥିରୁ ଶତକଡ଼ା ୨୭.୭ ଜଣ ଚଷମା ବ୍ୟବହାର କରୁଥିଲେ । ଜାପାନର ଅନ୍ୟାନ୍ୟ ଅଞ୍ଚଳରେ ଅନ୍ୟ ପିଲାଙ୍କୁ ନେଇ ଯଦି ଏହିଭଳି ଅଧ୍ୟୟନମାନ କରାଯାଏ, ତେବେ ହିସାବଗୁଡ଼ାକ ପ୍ରାୟ ସେହିପରି ଅପରିବର୍ତ୍ତିତ ରହିବ ବୋଲି ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି ।

 

ଜାପାନରେ ପିଲାଙ୍କର ପାଠପଢ଼ା ଉପରେ ଯେ ଖୁବ୍‌ ବେଶୀ ଜୋର ଦିଆଯାଏ, ଏଥିରେ କୌଣସି ସନ୍ଦେହ ନାହିଁ । ତାଙ୍କ ପିଲାଏ ଦେଶର ପ୍ରଥମ ଶ୍ରେଣୀୟ ସ୍କୁଲମାନଙ୍କରେ ପଢ଼ନ୍ତୁ ଓ ପରୀକ୍ଷାରେ ଭଲ ଫଳ ଦେଖାଇ ପାରନ୍ତୁ, ସେଠି ଜାଣିବାଶୁଣିବା ପ୍ରାୟ ପ୍ରତ୍ୟେକ ବାପାମାଆ ଠିକ୍‌ ତାହାହିଁ କାମନା କରିଥାନ୍ତି । ପିଲାଏ ଭଲ ପଢ଼ିଲେ ପରୀକ୍ଷାରେ ଭଲ କରିବେ, ପରୀକ୍ଷାରେ ଭଲ ହେଲେ ସେମାନେ ଚାକିରି ଜୀବନରେ ଉଚ୍ଚ ଥାନମାନଙ୍କରେ ଅବସ୍ଥାପିତ ବି ହୋଇପାରିବେ-। ପାଶ୍ଚାତ୍ୟ ପ୍ରତିଦ୍ୱନ୍ଦ୍ୱିତାର ସାମାଜିକ ଦର୍ଶନଟିକୁ ପରିପୂର୍ଣ୍ଣ ନିଷ୍ଠାର ସହିତ ଅନୁସରଣ କରିଥିବା ଜାପାନ ଦେଶରେ ଏକ୍‌ଜିକିଉଟିଭ୍‌ର ଚାକିରି ପାଇବାକୁ ହିଁ ପରମଭାଗ୍ୟ ବୋଲି ବିଚାର କରାଯାଏ-। କହିବା ଅନାବଶ୍ୟକ ଯେ ଦେଶରେ ଏହି ଚାକିରିର ଯେତିକି ସ୍ଥାନ ରହିଛି, ସେଥିଲାଗି ତା’ଠାରୁ ଅଧିକ ସଂଖ୍ୟାରେ ପ୍ରାର୍ଥୀ ରହିଛନ୍ତି । ସମ୍ଭବତଃ ସେଠି ସମସ୍ତେ ସେହି ଆସନଲାଗି ଆଶାୟୀ ହେଉଛନ୍ତି । ଏବଂ ପ୍ରତ୍ୟେକ ବୁଦ୍ଧିମାନ ମଣିଷ ଯାହା କରନ୍ତା, ଇସ୍କୁଲ ଅବସ୍ଥାରୁ ହିଁ ଏହି ଉଦ୍ଦେଶ୍ୟରେ ଆବଶ୍ୟକ ତପସ୍ୟାଟି ଆରମ୍ଭ ହୋଇଯାଉଛି । ପିଲାମାନଙ୍କୁ ଏହି ତପସ୍ୟା ଲାଗି ମଣ କରିବା ହିଁ ବାପାମାଆଙ୍କର ସର୍ବୋଚ୍ଚ ସାଧନା ହୋଇ ରହିଛି ।

 

ତେଣୁ ସାଧାରଣ ସ୍କୁଲମାନଙ୍କରେ ଯେତିକି ପାଠ ପଢ଼ା ହେଉଛି, ସେତିକିରେ ଆଉ କାମ ଚଳିବା ପରି ମୋଟେ ବିଶ୍ୱାସ ହେଉନାହିଁ । ବାପମାଆଙ୍କର ଉତ୍ସାହ ଦ୍ୱାରା ତାଡ଼ିତ ହୋଇ ପିଲାଏ ଇସ୍କୁଲ ଛୁଟି ପରେ ଘରକୁ ଆସି ଘରୋଇ ସ୍କୁଲମାନଙ୍କରେ ପୁଣି ପାଠ ପଢ଼ିବାକୁ ଯାଉଛନ୍ତି-। ଅର୍ଥାତ୍‌ ଯେଉଁ ସମୟରେ ସେମାନେ ଖେଳପଡ଼ିଆକୁ ଖେଳିବାକୁ ଯାଆନ୍ତେ, ଖୋଲା ଆଲୁଅ ଆଉ ଖୋଲାପବନ ଲାଗି ମୁକ୍ତ ହୋଇ ରହନ୍ତେ, ସେହି ସମୟଟି ଘରୋଇ ସ୍କୁଲମାନଙ୍କରେ ପାଠ ପଢ଼ିବାରେ ବ୍ୟୟିତ ହେଉଛି । ଜାପାନର ସାଧାରଣ ସ୍କୁଲମାନଙ୍କରେ ପିଲାଙ୍କର ଏପରି ଅଧିକ ଭିଡ଼ ହୋଇଛି ଯେ ଖେଳଛୁଟି ସମୟରେ ମଧ୍ୟ କାଳେ କୌଣସି ଦୁର୍ଘଟଣା ଘଟିବ ବୋଲି ଶିକ୍ଷକମାନେ ପିଲାମାନଙ୍କୁ ବାହାରକୁ ଖେଳିବାକୁ ମଧ୍ୟ ଛାଡ଼ୁନାହାନ୍ତି । ଏସବୁର ପରିଣାମ ସ୍ୱରୂପ, ଯେଉଁ ଦେଶ କାଳ କାଳ ଧରି ନିଜକୁ ଉଦୟ ସୂର୍ଯ୍ୟର ଦେଶ ବୋଲି କହି ଗର୍ବ କରି ଆସିଥିଲା, ଏହି ଆଧୁନିକ କାଳରେ ପ୍ରୟୋଜନଗୁଡ଼ାକ ଦ୍ୱାରା ବାଧ୍ୟ ହୋଇ ସେହି ଦେଶର ପିଲାମାନେ ସୂର୍ଯ୍ୟକିରଣରୁ ବଞ୍ଚିତ ହୋଇ ରହୁଛନ୍ତି । ତେଣୁ ଚକ୍ଷୁ ହରାଇବାରେ ଲାଗିଛନ୍ତି । ସଭ୍ୟ ଓ ଅଧିକରୁ ଅଧିକ ସଭ୍ୟ ହେବା ଲାଗି ମଣିଷକୁ ଅନେକ ସମୟରେ ଯେଉଁସବୁ ମୂଲ୍ୟ ଗଣିବାକୁ ପଡ଼ିଛି, ଏହାକୁ ମଧ୍ୟ ଆମେ ସେହିପରି ଏକ ମୂଲ୍ୟ ବୋଲି କହିବା କି ?

 

ଟିକିଏ ଅଧିକ ଗଭୀରକୁ ଗଲେ ଆମକୁ ଏହି ସଂକ୍ରାନ୍ତରେ ହୁଏତ ଆହୁରି କେତେକ ପ୍ରଶ୍ନର ସମ୍ମୁଖୀନ ହେବାକୁ ହିଁ ପଡ଼ିବ । ମଣିଷ ପାଠ କାହିଁକି ପଢ଼ିବ ? ଖାଲି ଗୋଟିଏ ନୈପୁଣ୍ୟହୀନ ଅନ୍ଧ ଦଉଡ଼ରେ ସାମିଲ ହେବାଲାଗି ଓ ତାହାରି ପରି ଅନ୍ୟ ଅନ୍ଧମାନଙ୍କଠାରୁ ଆଗକୁ ବଳିଯାଇ ଅଧିକ ହୋଇ ଦିଶିବାକୁ ଓ ଅଧିକ ବୋଲି ସ୍ୱୀକୃତ ହେବାକୁ କ’ଣ ମଣିଷ ପାଠ ପଢ଼ିବ ? ନା ନିଜର ଦେହ, ମନ ଓ ପ୍ରାଣର ପରିପୂର୍ଣ୍ଣ ବିକାଶ କରାଇ ଏସବୁଠାରୁ ଅଧିକ ସମ୍ପଦମୟ ପରବର୍ତ୍ତୀ ଅନ୍ୟ ସ୍ତରଗୁଡ଼ିକ ଲାଗି ଯୋଗ୍ୟ ହେବାକୁ ମଣିଷ ପାଠ ପଢ଼ିବ ? ଆମ ପିଲାଏ ଭବିଷ୍ୟତର କେଉଁ ଯୁଗ ପାଇଁ ପ୍ରସ୍ତୁତ ହେବେ ଓ ସେଥିଲାଗି ପାଠ ପଢ଼ିବେ ? ପୁଞ୍ଜିବାଦୀ ସମାଜରେ ମଣିଷକୁ ଏକାକୀ ବୋଲି କହି ତାକୁ ପ୍ରକୃତରେ ବଡ଼ ଅହଂକାରୀ ଓ ଆତ୍ମକେନ୍ଦ୍ରିକ କରି ରଖାଯାଇଛି । ସଭିଙ୍କ ସହିତ ପ୍ରତିଦ୍ୱନ୍ଦ୍ୱିତାର ରଣରେ ଅବତୀର୍ଣ୍ଣ ନହୋଇ ସଭିଙ୍କ ସହିତ ଏକାଠି ବିକଶିତ ହୋଇପାରିଲେ ମଣିଷର ନିଜ ଗମ୍ଭୀରି ଭିତରେ ଯେ ଅନେକ ଦୁଆର ଖୋଲିଯାଏ ଓ ନିଜ ସଦନଟିକୁ ଯେ ଅନେକ ପ୍ରସାର ଓ ପୂର୍ଣ୍ଣତା ମିଳେ, ବର୍ତ୍ତମାନ ମଣିଷକୁ ସେହି ପାଠଟି ପ୍ରକୃତରେ କେବେ ଯାଇ ମାଲୁମ ହେବ ? ମଣିଷର ଦେହ ମନ ତଧା ପରିବେଶକୁ ସୁନ୍ଦର କରି ଗଢ଼ିପାରିବା ଲାଗି ବିଜ୍ଞାନ ମଣିଷକୁ ଅଧିକରୁ ଅଧିକ ସାଧନ ଯୋଗାଇ ଦେବାରେ ଲାଗିଥିଲେ ମଧ୍ୟ ମଣିଷ ଏହି ବର୍ତ୍ତମାନ ଅଭ୍ୟାସଗୁଡ଼ାକର ଜାଲ ଭିତରେ ଛନ୍ଦି ହୋଇ କେତେଦିନ ଯାଏ ଅବିଜ୍ଞାନୀ ହୋଇ ରହିଥିବ ? ଜାପାନର ପିଲାମାନଙ୍କୁ ଆଜି ଯେଉଁ ତପସ୍ୟା ଲାଗି ବାଧ୍ୟ କରାଯାଉଛି, ତା’ଠାରୁ ଆହୁରି ଅନ୍ୟ ତପସ୍ୟାମାନ ଯେ ମଣିଷର ରହିଛି, ପୁରୁଣା ଓ ସଂସ୍କାରକଠିନ ମନଗୁଡ଼ାକୁ କିଏ ସେକଥା ବୁଝାଇ କହିଦେଇ ପାରିବ ?

 

ତା ୨୬.୦୭.୧୯୭୬ ରିଖ

Image

 

ଅକାରଣ ଅନୁଚିନ୍ତା

 

ଆନ୍ଧ୍ରପ୍ରଦେଶରେ ଏ ବର୍ଷ ଏତେ ବେଶୀ ପିଲା ପରୀକ୍ଷାରେ ଫେଲ୍ ହେଲେ, ଏହି ବ୍ୟାପାରଟା ସେଠି ସରକାରୀ ଶିକ୍ଷାବିଭାଗର ଏକ ବଡ଼ ଚିନ୍ତାରେ ପରିଣତ ହୋଇଛି । ଭାରତବର୍ଷର ଅଧିକସଂଖ୍ୟକ ରାଜ୍ୟରେ ଗତ ବେଶ୍‌ କେତେବର୍ଷ ହେଲା ଯାହା ହୋଇ ଆସିଥିଲା ଓ ଏବର୍ଷ ବି ଅଳ୍ପବହୁତ ଯାହା ହୋଇଛି, ଆନ୍ଧ୍ରପ୍ରଦେଶରେ ସାଧାରଣତଃ ବିଚାର କଲେ ତାହା ହିଁ ହୋଇଛି । ଅର୍ଥାତ୍‌ ପରୀକ୍ଷାରେ ଯେତେ ସଂଖ୍ୟାରେ ପିଲା ପାଶ୍‌ କରିଛନ୍ତି, ତା’ଠାରୁ ଅଧିକ ସଂଖ୍ୟାରେ ପିଲା ଫେଲ୍‌ ହୋଇଛନ୍ତି । ବୋଲିବା ନିଷ୍ପ୍ରୟୋଜନ ଯେ କେବଳ ଗୋଟିଏ ଆନ୍ଧ୍ର ପ୍ରଦେଶରେ ତାହା ହୋଇନାହିଁ । ଓଡ଼ିଶା ସମେତ ଭାରତର ପ୍ରାୟ ସବୁ ରାଜ୍ୟରେ ସେହି କଥା ହୋଇଛି । ଆନ୍ଧ୍ର ପ୍ରଦେଶର ଶିକ୍ଷାବିଭାଗ ଏହି ବ୍ୟାପାରଟିକୁ ନେଇ ଯାହା ଅଧିକ ଦୁଶ୍ଚିନ୍ତା ଏବଂ ଚଞ୍ଚଳତା ପ୍ରକାଶ କରିଛନ୍ତି, ଆମେ ଏହି କ୍ଷେତ୍ରରେ କେବଳ ଏତିକିକୁ କ’ଣ ଏକ ବିଶେଷ କଥା ବୋଲି କହିବା କି ?

 

ଶିକ୍ଷାବିଭାଗ ଆପଣା ବୁଝିବା ଲାଗି କେତେକ ଯୁକ୍ତି ବାଢ଼ି କହୁଛନ୍ତି ଯେ, ପିଲାମାନେ ଏତେ ବେଶୀ ସଂଖ୍ୟାରେ ଫେଲ୍‌ ହୋଇଛନ୍ତି ବୋଲି ସେମାନଙ୍କୁ କିମ୍ୱା ସେମାନଙ୍କର ବାପାମାଆଙ୍କୁ ମୋଟେ ଦାୟୀ କରାଯାଇ ପାରିବ ନାହିଁ । ଆଉଟିକିଏ ସରଳ କରି ବୁଝିବାକୁ ଚେଷ୍ଟା କଲେ କଥାଟି ଏହିପରି ହେବ ଯେ, ପିଲାମାନେ ଅଧିକ ସଂଖ୍ୟାରେ ଫେଲ ହେଉଛନ୍ତି, କାରଣ ସେମାନେ ଭଲ ପାଠ ପଢ଼ୁନାହାନ୍ତି, ଅର୍ଥାତ୍‌ ସେମାନଙ୍କୁ ଭଲକରି ପାଠ ପଢ଼ା ଯାଇନାହିଁ । ଏବଂ ଶିକ୍ଷାବିଭାଗର ବିଚାର ଅନୁସାରେ ଏଥିଲାଗି ସେହି ପିଲାମାନେ ଦାୟୀ ନୁହନ୍ତି ବା ସେମାନଙ୍କର ପିତାମାତା ମଧ୍ୟ ଦାୟୀ ନୁହନ୍ତି, ମାତ୍ର ଯେଉଁମାନେ ସେମାନଙ୍କୁ ଇସ୍କୁଲରେ ପାଠ ପଢ଼ାଇଛନ୍ତି, ଏଥିଲାଗି ସେହିମାନେ ହିଁ ଦାୟୀ । ଅର୍ଥାତ୍‌ ଏଥିପାଇଁ ଶିକ୍ଷକମାନେ ହିଁ ଦାୟୀ । ଶିକ୍ଷାବିଭାଗ କହିଲେ ଆମ ଦେଶରେ ପ୍ରଧାନତଃ ଏକ ଅଫିସକୁ ବୁଝାଏ । ଏଠାରେ ଶିକ୍ଷା ସମ୍ୱନ୍ଧରେ ବିଭିନ୍ନ ମାମଲା ବୁଝିବାକୁ ଅଫିସରମାନେ ଥାଆନ୍ତି-ବଡ଼ ଓ ସାନ ଉଭୟ କିସମର ଅଫିସରମାନେ ଥାଆନ୍ତି ଏବଂ ସେମାନଙ୍କୁ ନିର୍ଦ୍ଧାରିତ କେତେକ ସୁପରଭାଇଜରି କାମରେ ସାହାଯ୍ୟ କରିବା ଲାଗି କେତେଜଣ କିରାନୀ ଥାଆନ୍ତି । ଏମାନେ କେହି ଶିକ୍ଷକ ନୁହନ୍ତି । ଏମାନେ ଶିକ୍ଷକମାନଙ୍କୁ ନିଯୁକ୍ତି ଦିଅନ୍ତି, ଗୋଟିଏ ଜାଗାରୁ ଉଠାଇ ଆଉ ଗୋଟିଏ ଜାଗାରେ ଥୁଅନ୍ତି; ଏମାନେ ଇସ୍କୁଲମାନଙ୍କୁ ଟଙ୍କା ପଇସା ଦିଅନ୍ତି, ଶିକ୍ଷକମାନଙ୍କୁ ବି ଦରମା ଦିଅନ୍ତି । ମାତ୍ର ପାଠ ପଢ଼ାଇବା କିମ୍ୱାପାଠ ପଢ଼ାଇବା ସହିତ ଏମାନଙ୍କର କୌଣସି ସିଧା ସମ୍ପର୍କ ନଥାଏ ଏବଂ ଅନେକ ସମୟରେ ଉଲ୍ଲେଖଯୋଗ୍ୟ କୌଣସି ଆଗ୍ରହ ବି ନଥାଏ । ଗୋଟିଏ କାରଖାନାକୁ ସୁରୁଖୁରୁ କରି ଚଳାଇବାଲାଗି ମ୍ୟାନେଜରମାନଙ୍କର ଯେତିକି ଆଗ୍ରହ ରହିଲେ କାମ ଚଳିଯାଏ, ଏମାନଙ୍କର ପ୍ରାୟ ସେତିକି ଆଗ୍ରହ ଥାଏ । ତେଣୁ ପିଲାଏ ପରୀକ୍ଷାରେ ଫେଲ ହେଲେ ବୋଲି ସେମାନେ ଶିକ୍ଷକମାନଙ୍କୁ ଦାୟୀ କରିବା ବ୍ୟତୀତ ଏହି ଦିଗରେ ଆଉ ଅଧିକ କିଛି ବିଚାର କରିପାରିଥାନ୍ତେ, ଏକଥା ଆଶା କରିବା ଆଦୌ ଉଚିତ ହେବନାହିଁ ।

 

ଆନ୍ଧ୍ର ପ୍ରଦେଶର ଶିକ୍ଷାବିଭାଗ ଶିକ୍ଷକମାନଙ୍କୁ ପିଲାଙ୍କ ପରୀକ୍ଷା ଫେଲ ଲାଗି ଦାୟୀ କରି ସେହି ଅନୁସାରେ ବିହିତ କେତେକ ପ୍ରତିବିଧାନ ପ୍ରତିବିଧାନ କରିବାକୁ ମଧ୍ୟ ମନସ୍ଥ କରୁଛନ୍ତି । ଅର୍ଥାତ୍‌ ସେମାନଙ୍କର ଏହି ବିଫଳତା ସକାଶେ ଶାସ୍ତିବିଧାନ କରିବେ ବୋଲି ବିଚାର କରୁଛନ୍ତି । ଯେଉଁମାନେ ଅଯୋଗ୍ୟ ଶିକ୍ଷକ, ସେମାନଙ୍କୁ ଶାସ୍ତି ଦିଆଯିବାର କୁଆଡ଼େ ବ୍ୟବସ୍ଥା ହେବ । ଖୁବ୍‌ ସମ୍ଭବ ସେମାନଙ୍କୁ ଶିକ୍ଷାକ୍ଷେତ୍ରରୁ ଅନ୍ତର ହୋଇ ଯିବାଲାଗି କହି ଦିଆଯିବ । ଏ କଥାରେ କୌଣସି ସନ୍ଦେହ ନାହିଁ ଯେ ଆନ୍ଧ୍ରପ୍ରଦେଶର ହାଇସ୍କୁଲମାନଙ୍କରେ ପ୍ରାୟ ଲକ୍ଷାଧିକ ଶିକ୍ଷକ ଶିକ୍ଷକତା କରୁଥିବେ । ସେମାନେ କେତେଦୂର ଯୋଗ୍ୟ ଅଥବା କେତେଦୂର ଅଯୋଗ୍ୟ, ସେହି କଥାର ବିଚାର କେଉଁମାନେ କରିବେ, କିପରି ଭାବରେ କରିବେ, ଏକ ସର୍ବମାନ୍ୟ ବୈଜ୍ଞାନିକ ପଦ୍ଧତିରେ ତାହା କରିବେ, ଅଥବା ଉପରସ୍ଥ କେତେଜଣଙ୍କର ଏକ ସାଧାରଣ ଧାରଣା ଅନୁସାରେ ତାହା କରିବେ, ସେ ବିଷୟରେ ଏପର୍ଯ୍ୟନ୍ତ କିଛି ସ୍ଥିର କରାଯାଇନାହିଁ । ମାତ୍ର ଏତିକିରେ ହିଁ ସମଗ୍ର ରାଜ୍ୟର ଶିକ୍ଷକ ମହଲରେ ପ୍ରାୟ ଏକ ଚହଳ ପଡ଼ିଯାଇଛି । ଶିକ୍ଷା ସହିତ ଏତେ ସ୍ତରରେ ଏତେ ମଣିଷ ଓ ଏତେ ସଂସ୍ଥା ସମ୍ପୃକ୍ତ ଥାଉ ଥାଉ କେବଳ ଶିକ୍ଷକମାନଙ୍କ ପ୍ରତି କାହିଁକି ଶାସ୍ତିବିଧାନ କରାଯିବ, ସେ ବିଷୟରେ ଖବରକାଗଜରେ କେତେ କେତେ ପତ୍ର ପ୍ରକାଶ ପାଉଛି ।

 

କୌଣସି ରାଷ୍ଟ୍ର ଅଥବା ସମାଜରେ ଅନୁସୃତ ହେଉଥିବା ଶିକ୍ଷା ଏପରି ଗୋଟିଏ ବ୍ୟାପାର, ଯେଉଁଥିରେ କି ସଫଳତା ବା ବିଫଳତାକୁ ମାପିବାକୁ ହେଲେ ଆମକୁ ଏକାବେଳେକେ ଅନେକ ବିଷୟରେ ବିଚାର କରିବାକୁ ପଡ଼ିବ । ଶିକ୍ଷାଳୟରେ ତଥା ଶିକ୍ଷଣର କ୍ଷେତ୍ରରେ ଯଦି ଶିକ୍ଷକକୁ ଆବଶ୍ୟକ ସ୍ୱାଧୀନତା ଦିଆଯାଉଥାନ୍ତା, ତା’ର ସମର୍ଥତାକୁ ଆବଶ୍ୟକ ସମ୍ମାନ ଓ ସ୍ୱୀକୃତି ଦିଆଯାଉଥାନ୍ତା, ତେବେ ତାହା ହୁଏତ ଅନ୍ୟ ପ୍ରକାର କଥା ହୁଅନ୍ତା ଓ ସେହି କ୍ଷେତ୍ରରେ ପିଲାଙ୍କ ପରୀକ୍ଷାରେ ଖରାପ ଫଳ ନିମିତ୍ତ ଶିକ୍ଷକମାନଙ୍କୁ ଦାୟୀ କରିବା ପଛରେ ହୁଏତ ଅଧିକ ଯୁକ୍ତି ରହନ୍ତା । ଗତ ପ୍ରାୟ ତିରିଶବର୍ଷ ହେଲା ଶିକ୍ଷାର ଆନୁଷ୍ଠାନିକ ବ୍ୟବସ୍ଥା ଓ ବରାଦଗୁଡ଼ାକ ଯେପରି ଭାବରେ ଚାଲି ଆସିଛି, ଶିକ୍ଷା ବିଷୟରେ ସମ୍ପୃକ୍ତ ସମସ୍ତଙ୍କର ଯେପରି ଭାବରେ ଅସ୍ପଷ୍ଟତାମାନ ରହି ଆସିଛି ଓ ଶିକ୍ଷାର ଯାବତୀୟ ଯୋଜନାରେ ଯେତେ ଅସୁସ୍ଥକର ବହିଃପ୍ରଭାବ ପଡ଼ିବାକୁ ପ୍ରଶ୍ରୟ ଦିଆଯାଇଛି, ସେହି ସ୍ଥଳରେ ଏଥିରୁ ଆହୁରି ଅନେକ ବିଫଳତା ସହିବାକୁ ମଧ୍ୟ ଆମକୁ ପ୍ରସ୍ତୁତ ରହିବାକୁ ପଡ଼ିବ ଏବଂ ବିଫଳତା ଏଡ଼ିବାକୁ ହେଲେ ଆମକୁ ଆମ ପ୍ରଚଳିତ ଅବ୍ୟବସ୍ଥାଗୁଡ଼ିକର ମୂଳଦୁଆଗୁଡ଼ାକୁ ଜାଣିବାକୁ ହେବ, ନୂଆ ଲାଗି ପ୍ରସ୍ତୁତ ହେବାକୁ ପଡ଼ିବ, ଅର୍ଥାତ୍‍ ବଦଳିବାକୁ ପଡ଼ିବ-। ପୁରୁଣା ମ୍ୟାନେଜର ଓ ସୁପରଭାଇଜରମାନେ କଦାପି ନୂଆ ନିର୍ମାଣରେ ନେତୃତ୍ୱ ନେଇପାରିବେ ନାହିଁ । କାରଣ ବିଫଳତାର ଅକାରଣ ଯାବତୀୟ ଅନୁଚିନ୍ତା ସେମାନଙ୍କୁ ଏଦିଗରେ କୌଣସି ବାଟ ବତାଇ ପାରିବନାହିଁ । ଦୃଷ୍ଟି ନୂଆ ହୋଇ ପାରିଲେ ଯାଇ ନୂତନ ସମ୍ଭାବନାଗୁଡ଼ିକୁ ଆଖି ପାଇବ ।

 

ତା ୨୭.୦୭.୧୯୭୬ ରିଖ

Image

 

ନିର୍ଦ୍ଦୟର ଦୟା

 

ପଶୁମାନଙ୍କ ପ୍ରତି ନିର୍ଦ୍ଦୟ ହେବା ଉଚିତ ନୁହେଁ-ଏହି ନୀତିବାଦଟିକୁ ପ୍ରଚାର ଏବଂ ସକ୍ରିୟ କରିବା ସକାଶେ ବିଶ୍ୱବ୍ୟାପୀ ଗୋଟିଏ ବଡ଼ ଅନୁଷ୍ଠାନ ରହିଛି । ଏହି ଅନୁଷ୍ଠାନରେ ବିଭିନ୍ନ ଦେଶରେ ସହସ୍ରାଧିକ ସଭ୍ୟ ରହିଛନ୍ତି । ଭାରତବର୍ଷରେ ମଧ୍ୟ ସେହି ଅନୁଷ୍ଠାନର ଗୋଟିଏ ଜାତୀୟ ଶାଖା ରହିଛି । ଏହି ଶାଖାର ସଭ୍ୟମାନେ ବର୍ଷକୁ ବର୍ଷ ଅଧିବେଶନରେ ଏକତ୍ର ହୁଅନ୍ତି, ଇତର ପ୍ରାଣୀମାନଙ୍କ ପ୍ରତି ପୃଥିବୀଯାକର ମଣିଷ କିପରି କେତେ କେତେ ନିର୍ଦ୍ଦୟ ଆଚରଣ କରୁଛନ୍ତି-ଅଧିବେଶନ ଗୁଡ଼ିକରେ ତାହାରି ଚର୍ଚ୍ଚା ହୁଏ, କେତେକ ପ୍ରସ୍ତାବ ମଧ୍ୟ ଗୃହୀତ ହୁଏ । ଏବେ ଅଳ୍ପଦିନ ତଳେ ଏହି ଅନୁଷ୍ଠାନଟିର ଭାରତୀୟ ଶାଖାର ସଭାପତି ଏକ ବିବୃତ୍ତି ଦେଇ କହିଛନ୍ତି ଯେ, ସର୍କସମାନଙ୍କରେ ବିଭିନ୍ନ କ୍ରୀଡ଼ା ପ୍ରଦର୍ଶନରେ ପଶୁମାନଙ୍କୁ ବ୍ୟବହାର କରାଯିବା ଛଳରେ ସେମାନଙ୍କ ପ୍ରତି ବଡ଼ ନିର୍ଦ୍ଦୟତା ପ୍ରକାଶ କରାଯାଉଛି । ପ୍ରାଣୀମାନଙ୍କ ପ୍ରତି ଦୟା ଆଚରଣ କରିବା ଦୃଷ୍ଟିରୁ ସେ ମନ୍ତବ୍ୟ ପ୍ରକାଶ କରି କହିଛନ୍ତି ଯେ ସର୍କସମାନଙ୍କରେ ପଶୁମାନଙ୍କୁ ବ୍ୟବହାର କରାଯିବା ଆଦୌ ଉଚିତ ନୁହେଁ । ଏହି ଦିଗରେ ତାଙ୍କର ସଂସ୍ଥା ଶୀଘ୍ର ଏକ ଅନୁକୂଳ ଜନମତ ସୃଷ୍ଟି କରିବ ଏବଂ ସେଥିଲାଗି ଏକ ଆନ୍ଦୋଳନ ଚଳାଇବ ବୋଲି ସିଏ ସୂଚନା ମଧ୍ୟ ଦେଇଛନ୍ତି ।

 

ଦୟା ହେଉଛି ଏକ ମହତ ଗୁଣ । ପ୍ରାଣୀ ମାତ୍ରକେ ସବୁରି ପ୍ରତି ଆମର ସଦୟ ବ୍ୟବହାର କରିବା ଯେ ଉଚିତ, ଏଥିରେ କେହି କଦାପି ଆପତ୍ତି କରିବେ ନାହିଁ । ଦୟାକୁ ନେଇ ସଂସାରରେ ଅନେକ ସାଧୁ ବାଣୀର ପ୍ରଚାର କରାଯାଇଛି, ଦୟାକୁ ପରମୋଧର୍ମ ବୋଲି କୁହାଯାଇଛି । ଭଗବାନଙ୍କୁ ଦୟାର ଅବତାର ବୋଲି ବର୍ଣ୍ଣନା କରାଯାଇଚି ଏବଂ ଆମେ ଦୟାଳୁ ଆଚରଣ କଲେ ଭଗବାନଙ୍କର ପ୍ରିୟ ହୋଇପାରିବା ବୋଲି ଉତ୍ସାହବାଣୀ ମଧ୍ୟ ଦିଆଯାଇଛି । ଏହି ବିଷୟରେ ଈଷତ ଅନ୍ୟପ୍ରକାର ଗୁରୁତ୍ୱ ଆରୋପ କରୁଥିବା ଆଉ କେତେ ଲୋକ କହନ୍ତି ଯେ ଇତିହାସରେ ମନୁଷ୍ୟ ତା’ର ସଜ୍ଞାତି ଅନ୍ୟ ମନୁଷ୍ୟମାନଙ୍କ ପ୍ରତି ହିଁ ସବୁଠାରୁ ଅଧିକ ନିର୍ଦ୍ଦୟ ଆଚରଣ କରି ଆସିଛି । ଏହି ନିର୍ଦ୍ଦୟତାକୁ ଜାତି, ଦେଶପ୍ରେମ, ରାଷ୍ଟ୍ରୀୟତା ଓ ଧର୍ମସଂସ୍ଥାପନ ଆଦି କେତେ ବଢ଼ିଆ ବାହାନା ଦେଇ ସମର୍ଥନ ବି କରାଯାଇଛି । ମନୁଷ୍ୟ ପ୍ରତି ମନୁଷ୍ୟର ନିର୍ଦ୍ଦୟତାକୁ ରୋକିବା ଲାଗି ପୃଥିବୀରେ ଖୁବ୍‌ ବେଶୀ କିଛି କରାଯାଇ ନାହିଁ । ଇତର ପ୍ରାଣୀମାନଙ୍କ ପ୍ରତି ନିର୍ଦ୍ଦୟତା ବିଷୟରେ ମଣିଷର ମୁଣ୍ଡ ଯେତେ ବେଶୀ ବଥାଇଛି, ମଣିଷ ପ୍ରତି ମଣିଷର ନିର୍ଦ୍ଦୟତା ବିଷୟରେ ହୁଏତ ସେତେ ବେଶୀ ଆଦୌ ବଥାଇନାହିଁ ।

 

ଏବଂ ଅନେକ ସମୟରେ, ମଣିଷ ପ୍ରତି ମଣିଷର ନିର୍ଦ୍ଦୟତା ପ୍ରତି ଆଖି ବୁଜି ରହି ପାରିବାର ଏକ ଆଳ ରୂପେ ଇତରପ୍ରାଣୀ ପ୍ରତି ନର୍ଦ୍ଦୟତା ବିଷୟରେ ଅଧିକ ଦୁଃଖି ହେବାକୁ ଏବଂ ତାହାକୁ ହିଁ ଏକ ଅଭିଯାନ ବୋଲି ଗ୍ରହଣ କରିବାକୁ ଅନେକ ବ୍ୟକ୍ତି ଏକ ଉତ୍ସାହ ମଧ୍ୟ ପାଇଛନ୍ତି । ତେଣୁ ସେମାନେ ଯୋଉଠି ଆଗ ଦୟାର ପରିଚୟ ଦେବାର କଥା, ସେଠାରେ ମନଇଚ୍ଛା ନିର୍ଦ୍ଦୟ ହୋଇ ପାରିଛନ୍ତି, ନିର୍ଦ୍ଦୟ ହେବାକୁ ସଂସାର ଧର୍ମର ଆବଶ୍ୟକତା ବୋଲି ମାନି ନେଇଛନ୍ତି-ମାତ୍ର ତେଣେ ଇତରପ୍ରାଣୀଙ୍କ ପ୍ରତି ଦୟାଶୀଳ ହେବା ଲାଗି ବ୍ୟାକୁଳ ହୋଇ ଉଠିଛନ୍ତି । ଏହା ଭିତରେ ଆଉ ଯାହାକିଛି ନିହିତ ହୋଇ ରହିଥାଉ ନା କାହିଁକି, ଏକ ହୃଦୟହୀନ ବିଦ୍ରୂପ ଏବଂ କର୍ତ୍ତବ୍ୟଗତ ବିଡ଼ମ୍ୱନା ନିଶ୍ଚୟ ଲୁକ୍‍କାୟିତ ହୋଇ ରହିଛି । ମଣିଷ ମଣିଷ ପ୍ରତି ନିର୍ଦ୍ଦୟ ହେବା ବିଷୟରେ ଆଦୌ କୌଣସି ପ୍ରକାର ବିଚଳିତ ନହୋଇ ଇତରପ୍ରାଣୀ ପ୍ରତି ଦୟା ଦେଖାଇବା ଲାଗି କାହିଁକି ଯେ ଏତେ ଉଚ୍ଛନ୍ନ ହୋଇ ଉଠେ, ସେକଥାର କାରଣ ଖୋଜିବାକୁ ଗଲେ ଆମକୁ ବର୍ତ୍ତମାନ ଚେତନାର ଗଭୀରରେ ତଥା ସାମୂହିକ ଜୀବନ-ସଂସ୍କାରଗୁଡ଼ାକର ମର୍ମଭିତରେ ଅନେକ ଦୂର ଯାଇ ପାରିବାର ସାହସ ଅର୍ଜନ କରିବାକୁ ପଡ଼ିବ । ଆମେ ଯେଉଁମାନେ ଏପରି ବିଡ଼ମ୍ୱନା ଭିତରେ ପଡ଼ି ରହିଛୁ, ଆମକୁ ମଧ୍ୟ ଅନେକ ଆତ୍ମଅବଲୋକନ କରି ପାରିବାକୁ ପଡ଼ିବ ।

 

ପୃଥିବୀରେ ଖାସ୍‌ କେତେକ ଧର୍ମରେ ଜୀବକୁ ଦୟା ଦେଖାଇବା ବିଷୟରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ସେହି ଧର୍ମର ସନ୍ଦେଶବାହକମାନେ ମନୁଷ୍ୟ ପ୍ରତି ଦୟା ଦେଖାଇବାକୁ ଯେତିକି ମହତ୍ତ୍ୱ ଦେଇଛନ୍ତି, ମନୁଷ୍ୟତର ଅନ୍ୟ ପ୍ରାଣୀଙ୍କ ପ୍ରତି ଦୟା ଦେଖାଇବା ଉପରେ ମଧ୍ୟ ସେତିକି ମହତ୍ତ୍ୱ ଦେଇଛନ୍ତି । ମାତ୍ର ବ୍ୟାବହାରିକ ଜୀବନସ୍ତରକୁ ଆସି ଇତରପ୍ରାଣୀଙ୍କ ପ୍ରତି ଦୟା ଏପରି ଏକ ବିରକ୍ତିକର ବୌଦ୍ଧିକତା ମଧ୍ୟରେ ଆପଣାକୁ ହରାଇ ପକାଇଛି ଯେ ମନୁଷ୍ୟ ପ୍ରତି ହେଉଥିବା ନିର୍ଦ୍ଦୟତାଗୁଡ଼ାକ ପ୍ରତି ପ୍ରାୟ ଏକ ଉଦାସୀନତା ହିଁ ପ୍ରକଟ କରାଯାଉଛି । ଏଗୁଡ଼ାକ କଦାପି ସୂସ୍ଥତା ନୁହେଁ । ଏହା ରୁଗ୍‌ଣତା ।

 

ବିଶେଷତଃ ଭାରତବର୍ଷ ପରି ଏକ ଦେଶରେ, ଯେଉଁଠି ଆମ ଆଖି ଆଗରେ ହଜାର ହଜାର ମନୁଷ୍ୟଜୀବ ପୋକମାଛିଙ୍କଠାରୁ ଅଧିକ ହୀନ ହୋଇ ରହିଥାନ୍ତି ଓ ଆମେ ସମସ୍ତେ ପ୍ରାୟ ଇଚ୍ଛାକୃତ ଭାବରେ ହିଁ ସେଥିରେ ସହଯୋଗ କରିବାରେ ଲାଗିଥାଉ ଓ ତାହାକୁ ହିଁ ସଂସାର ବୋଲି ସହି ନେଉଥାଉ, ସେଠାରେ ଇତରପ୍ରାଣୀମାନଙ୍କ ପ୍ରତି ହେଉଥିବା ନିର୍ଦ୍ଦୟତା ଉପରେ ଯାହାର ଆଗ ଆଖି ପଡ଼େ ଓ ଯିଏ ଆପଣାର ପ୍ରାୟ ସବୁଯାକ ସହୃଦୟତା ଓ ସହାନୁଭୂତିକୁ ସେହିଠାରେ ହିଁ ଅଜାଡ଼ି ଦେବାକୁ ଚାହୁଁଥାଏ, ତାହାକୁ ଆମେ ହୁଏତ ଅରସିକ ବୋଲି କହିବା, ଆନୁପାତିକତାହୀନ ବୋଲି କହିବା ଅଥବା ରୁଗ୍‌ଣ ବୋଲି ବି କହିପାରିବା-। ମଣିଷ ଆଗ ମଣିଷ ଆଡ଼କୁ ହାତ ବଢ଼ାଇ ଶିଖୁ । ମଣିଷ ମଣିଷର ରକ୍ଷକ ହୋଇ ଶିଖୁ । ମଣିଷ ସହିତ ଆପଣାର ସମ୍ୱନ୍ଧକ୍ଷେତ୍ରରେ ଆଗ ଆପଣାର କର୍ତ୍ତବ୍ୟ କରୁ, ମଣିଷ ସହିତ ଏକତ୍ର ଏକ ସ୍ୱାଭାବିକ ଏବଂ ତ୍ରାସମୁକ୍ତ ପାରସ୍ପରିକତା ସହିତ ବାସ କରି ଶିଖୁ, ତା’ପରେ ସେ ହୁଏତ ଅଧିକ ସ୍ୱାଭାବିକ ଭାବରେ ନିଜର ସହାନୁଭୂତିକୁ ଅଧିକ ପ୍ରସାରିତ ମଧ୍ୟ କରିପାରିବ ।

 

ତା. ୨୮.୦୭.୧୯୭୬ ରିଖ

Image

 

ଆକାଶଚାରୀ ବନ୍ଧୁତା

 

ଭାରତବର୍ଷ ଓ ପାକିସ୍ଥାନ ମଧ୍ୟରେ ପୁନର୍ବାର ଉଡ଼ାଜାହାଜ ଚଳାଚଳ ଆରମ୍ଭ ହେଲା । ଗତ ବେଶ୍‌ କେତେବର୍ଷ ହେଲା ଏହି ଚଳାଚଳ ନିଷିଦ୍ଧ ହୋଇ ରହିଥିଲା । ଭାରତର ଉଡ଼ାଜାହାଜକୁ ପାକିସ୍ଥାନର ଆକାଶରେ ଉଡ଼ିବାକୁ ଦିଆଯାଉ ନଥିଲା । କିମ୍ୱା ପାକିସ୍ଥାନର ଉଡ଼ାଜହାଜକୁ ଭାରତର ଆକାଶରେ ଉଡ଼ିବାକୁ ଦିଆଯାଉନଥିଲା । ଏବେ ଉଚ୍ଚସ୍ତରୀୟ ସରକାରୀ କଥାବାର୍ତ୍ତା ଫଳରେ ତାହାର ପୁନଃପ୍ରବର୍ତ୍ତନ ହେଲା । ସମ୍ପୃକ୍ତ ଦୁଇଦେଶର ସରକାରଙ୍କଠାରୁ ଆରମ୍ଭ କରି ଉପକୃତ ଜନସାଧାରଣ ଖୁସୀ ହେଲେ, ଅନେକ ବିବାଦ ଓ ବିସମ୍ୱାଦ ସତେଅବା ମେଣ୍ଟିଗଲାପରି ମନେ ହେଲା ।

 

ଭାରତବର୍ଷ ଓ ପାକିସ୍ଥାନ ମଧ୍ୟରେ ପୁନର୍ବାର ରେଳ ଚଳାଚଳ ମଧ୍ୟ ଆରମ୍ଭ ହେଲା । ଏହି ଚଳାଚଳ ଗତ ବେଶ୍‌ କେତେବର୍ଷ ହେଲା ବନ୍ଦହୋଇ ରହିଥିଲା । ରେଳଲାଇନଗୁଡ଼ାକ ରହିଥିଲା, ମାତ୍ର ତା’ଉପରେ ଯାନଯାତାୟତ ହେଉନଥିଲା । ଏବେ ଅମୃତସରରୁ ଲାହୋର ମଧ୍ୟରେ ଗୋଟିଏ ଏକ୍‌ସପ୍ରେସ୍‌ ଗାଡ଼ି ଚାଲିଲା । ସେଥିପାଇଁ ଏକ ସାନ ଉତ୍ସବଟିଏ ଅନୁଷ୍ଠିତ ହେଲା-। ରାସ୍ତାର ଦୁଇକଡ଼ରେ ଦୁଇଦେଶର ଅଧିବାସୀମାନେ ଠିଆହୋଇ ଏହି ପୁନଃସ୍ଥାପନାକୁ ସ୍ୱାଗତ ଜଣାଇଲେ ଏବଂ ଏହା ସଙ୍ଗେ ସଙ୍ଗେ ଭାରତ ଓ ପାକିସ୍ଥାନ ଭିତରେ ରାଷ୍ଟ୍ରଦୂତ ସ୍ତରରେ ଦ୍ୱିପାକ୍ଷିକ ସମ୍ପର୍କ ମଧ୍ୟ ସ୍ଥାପିତ ହୋଇଗଲା । ଭାରତବର୍ଷ ଲାଗି ପାକିସ୍ଥାନ ତରଫରୁ ରାଜଦୂତ ଇସଲାମାବାଦ ବି ଗଲେ । ଶୁଭକାଙ୍‌କ୍ଷୀ ସମସ୍ତେ ସାଧୁ ସାଧୁ ବୋଲି କହିଲେ । ଭାରତବର୍ଷ ଏବଂ ପାକିସ୍ଥାନର ସମ୍ପର୍କରେ ସଦ୍‌ଭାବର ଏକ ନୂତନ ଅଧ୍ୟାୟର ଆରମ୍ଭ ହେଲା ବୋଲି ପର୍ଯ୍ୟବେକ୍ଷକମାନେ କହିଲେ-

 

ଭାରତବର୍ଷ ଓ ପାକିସ୍ଥାନ ଏହି ଉପମହାଦେଶର ଦୁଇଟି ଦେଶ । ୧୯୪୭ ମସିହାରେ ସେତେବେଳର ଗୋଟିଏ ଦେଶକୁ ଦୁଇଭାଗ କରାଯାଇ ଏହି ଦୁଇଟି ଦେଶର ସୃଷ୍ଟି କରାଯାଇଥିଲା ଏବଂ ସେହିଦିନଠାରୁ ଦୁଇଟି ଦେଶର ସମ୍ପର୍କରେ ଯେପରି ନାନା ଉତ୍‌ଥାନପତନ ହୋଇ ଆସିଛି, ସେଥିରୁ ଆମକୁ ନାନା ବୈଚିତ୍ର୍ୟର ପ୍ରମାଣ ମିଳିପାରିବ । ଏକଦା ଭାରତବର୍ଷ ଓ ପାକିସ୍ଥାନ ମଧ୍ୟରେ ଖାଲି କାଶ୍ମୀରକୁ ହିଁ ଏକମାତ୍ର ଅତୁଟା ସମସ୍ୟା ବୋଲି କୁହାଯାଉଥିଲା ଓ ସେହି ସମସ୍ୟାଟି ଆଗ ତୁଟିଯାଇ ପାରିଲେ ଆଉ କୌଣସି ପ୍ରକାର ସମସ୍ୟା ରହିବ ନାହିଁ ବୋଲି ମଧ୍ୟ କୁହାଯାଉଥିଲା । ଗତ ତିରିଶବର୍ଷ ଭିତରେ ପାକିସ୍ଥାନରେ ରାଜନୀତିକ ଯେତେ ଯାହା ଅଦଳବଦଳ ହେଲା ଓ ରାଷ୍ଟ୍ରୀୟ ସ୍ତରରେ ଯେତେଯାହା ଓଲଟପାଲଟ ଘଟିଲା, ଭାରତବର୍ଷକୁ ବହୁ ସହନଶୀଳତା ଦେଖାଇ ତାହା ସହିତ ନିଜକୁ ଖାପ ଖୁଆଇବାକୁ ପଡ଼ିଲା । ପାକିସ୍ଥାନ ସାମରିକ ମେଣ୍ଟ ଭିତରେ ପଶିଲା, ଭାରତବର୍ଷ ଗୋଷ୍ଠୀ-ନିରପେକ୍ଷତାକୁ ନିଜ ବୈଦେଶିକ ନୀତିର ସର୍ବମୂଳ ଆଧାରଶିଳା ବୋଲି ଗ୍ରହଣ କଲା । ପାକିସ୍ଥାନରେ ସାମରିକ ଶାସନ ଚାଲିଲା, ଭାରତବର୍ଷ ସବୁପ୍ରକାର ଅନ୍ତରାୟ ସତ୍ତ୍ୱେ ତଥାପି ଗଣତନ୍ତ୍ରକୁ ଆପଣାର ଅନ୍ତଃପିଣ୍ଡ କରି ଧରିଲା । ଏତେସବୁ ବିରୋଧ ସତ୍ତ୍ୱେ ଭାରତବର୍ଷ ଆପଣାକୁ ଏକ ସହାନୁଭୂତିଶୀଳ ପଡ଼ୋଶୀ କରି ରଖିବାକୁ ଯଥାସାଧ୍ୟ ଚେଷ୍ଟା କଲା । ସିମଳା ଚୁକ୍ତି ପ୍ରଧାନତଃ ଭାରତ ତରଫର ଉଦ୍ୟମରେ ହିଁ ହୋଇଥିଲା । ସିମଳା ଜଳବାୟୁକୁ ଫେରାଇ ଆଣିବାଲାଗି ଭାରତବର୍ଷ ସତତ ତାହାର ଉଦ୍ୟମଟିକୁ ଅବାରିତ ରଖିଥିଲା ଏବଂ ଏତେଦିନକେ ତାହାର ସେହି ଆଶା ଫଳବତା ହେଲା । ଏସବୁ ସତ୍ତ୍ୱେ ତଥାପି କହିବାକୁ ହେବ ଯେ ଭାରତବର୍ଷ ଏବଂ ପାକିସ୍ଥାନର ପାରସ୍ପରିକ ସମସ୍ୟା କେବଳ ରାଜନୀତିକ କୂଟନୀତିଜ୍ଞତାର ସ୍ତରରେ କଦାପି ତୁଟିବ ନାହିଁ । ଅର୍ଥନୀତି କ୍ଷେତ୍ରରେ ଓ ଉପମହାଦେଶରେ ଏକ ପ୍ରଗତି-ଅଭିଳାଷୀ ସମାଜ ନିର୍ମାଣ କରିବାର କ୍ଷେତ୍ରରେ ଦୁଇଦେଶ ପରସ୍ପର ସହିତ ଯେତେବେଶୀ ସହଯୋଗ କରିପାରିବେ, ସେମାନେ ପରସ୍ପରର ସେତେ ଅଧିକ ନିକଟକୁ ଆସି ପାରିବେ ଏବଂ ଏହି ଭୂଖଣ୍ଡଟିରେ ରହିଥିବା ଯଥାର୍ଥ ସମସ୍ୟାଗୁଡ଼ିକ ବିଷୟରେ ସେତିକି ଅଧିକ ପରିମାଣରେ ସଚେତନ ହୋଇପାରିବେ ।

 

ଭାରତବର୍ଷ ତଥା ପାକିସ୍ଥାନରେ ସର୍ବପ୍ରଧାନ ସମସ୍ୟା ରାଜନୀତିକ ସମସ୍ୟା ନୁହେଁ । ଏହା ଅନ୍ନର ସମସ୍ୟା, ଶିକ୍ଷାର ସମସ୍ୟା, ପୁରୁଣା ଓ ଅଚଳ ସଂସ୍କାର ଏବଂ ସାମନ୍ତବାଦୀ ଦୃଷ୍ଟିକୋଣଗୁଡ଼ାକୁ ଭାଙ୍ଗି ଏକ ନୂତନ ଅନୁରାଗର ସଂସ୍ଥାପନ କରିବାର ସମସ୍ୟା; ଆଧୁନିକ ବିଜ୍ଞାନକୁ ମଣିଷର, ଅର୍ଥାତ୍‌ ସବୁ ମଣିଷଙ୍କର କଲ୍ୟାଣ ଲାଗି ପ୍ରୟୋଗ କରିପାରିବାର ସମସ୍ୟା ଏବଂ ଏହିସବୁ କ୍ଷେତ୍ରରେ ହିଁ ଦୁଇଦେଶ ମଧ୍ୟରେ ଅଧିକ ସହଯୋଗ ପ୍ରତିଷ୍ଠିତ ହେବା ଉଚିତ, ସେହିସବୁ ସହଯୋଗ ଅଧିକ ସକ୍ରିୟ ହେବା ଉଚିତ ଏବଂ ରାଜନୀତି ଉପରେ ମଧ୍ୟ ସେହି ସକ୍ରିୟତାର ଏକ ସ୍ପଷ୍ଟ ପ୍ରଭାବ ପଡ଼ିପାରିବା ଉଚିତ । ବର୍ତ୍ତମାନ ଏହିଗୁଡ଼ାକ ଉପରେ ରାଜନୀତିର ହିଁ ପ୍ରଭାବ ପଡ଼ିବାରେ ଲାଗିଛି । ତେଣୁ ବୈଜ୍ଞାନିକ ସହଯୋଗ ସମେତ ଆହୁରି ଅନ୍ୟ ଅନେକ କ୍ଷେତ୍ରର ସହଯୋଗ ଲାଗି ଏଠି ଯେଉଁ ଅନୁକୂଳ ଜଳବାୟୁଟି ଉପମହାଦେଶରେ ସର୍ବଦା ମହଜୁଦ ହୋଇ ରହିବା ଉଚିତ, ସେଇଟି ଆଦୌ ସମ୍ଭବ ହୋଇପାରୁନାହିଁ । ବର୍ତ୍ତମାନ ଆକାଶର ମାର୍ଗରେ, ରେଳ ଯାତାୟତରେ ଏବଂ ଦୂତ ବିନିମୟର କ୍ଷେତ୍ରରେ ଯେଉଁ ବନ୍ଧୁତାଟିର ସୂତ୍ରପାତ ହେଲା, ତାହା ଆପଣକୁ କ୍ରମେ ଅଧିକ ପ୍ରସାରିତ କରି ପ୍ରକୃତ ସହଯୋଗ-କ୍ଷେତ୍ରଗୁଡ଼ିକୁ ମଧ୍ୟ ଅଚିରେ ସ୍ପର୍ଶ କରିବ-ବର୍ତ୍ତମାନ ଏହାହିଁ ଆଶା ରହିଲା ।

 

ତା ୩୦.୭.୧୯୭୬ ରିଖ

Image

 

ପାଲେଷ୍ଟାଇନ୍‌ ସମସ୍ୟା

 

ପୃଥିବୀର କୋଡ଼ିଏଟି ଦେଶର ପ୍ରତିନିଧିଙ୍କୁ ନେଇ ଗଠିତ ହୋଇଥିବା ଗୋଟିଏ କମିଟି ପାଲେଷ୍ଟାଇନ୍‌ ସମସ୍ୟାର ଅଧ୍ୟୟନ କରି ଏବେ ଯେଉଁ ରିପୋର୍ଟଟି ଜାତିସଂଘରେ ପେଶ୍‌ କରିଥିଲା, ତାହା ନିକଟରେ ନିରାପତ୍ତା ପରିଷଦରେ ଏକ ସ୍ୱତନ୍ତ୍ର ପ୍ରସ୍ତାବ ଆକାରରେ ଉପସ୍ଥାପିତ ଓ ଆଲୋଚିତ ହୋଇଥିଲା । ସବୁ ସରିବା ପରେ ପ୍ରସ୍ତାବଟି ସଂଖାଧିକ୍ୟ ପାଇଲା ଓ ଗୃହୀତ ହୋଇଗଲା । ଭଦ୍ରଲୋକମାନେ ସଂସାରରେ ଯାହା ସାଧାରଣତଃ କରିଥାନ୍ତି, ବ୍ରିଟେନ, ଫ୍ରାନ୍‌ସ୍‌, ଇତାଲୀ ଏବଂ ସୁଇଡ଼େନ୍‌ ପ୍ରସ୍ତାବର ବିପକ୍ଷ ବା ସପକ୍ଷ କୌଣସି ପଟେ ଭୋଟ ଦେଲେ ନାହିଁ ଓ ନିରପେକ୍ଷ ରହିଲେ । ଆମେରିକା କେବଳ ବିପକ୍ଷରେ ଯେ ଭୋଟ ଦେଲା ତା’ ନୁହେଁ, ନିଜର ଭୋଟ କ୍ଷମତା ପ୍ରୟୋଗ କରି ବହୁମତ ଦ୍ୱାରା ସମର୍ଥିତ ଓ ଗୃହୀତ ହୋଇଥିବା ପ୍ରସ୍ତାବଟିକୁ ନାକଚ କରିଦେଲା । ବହୁମତ ଉପରେ ପ୍ରହାର କଲା ।

 

କୋଡ଼ିଏଟି ରାଷ୍ଟ୍ରର ପ୍ରତିନିଧି ପାଲେଷ୍ଟାଇନ୍‌ ବିଷୟରେ ଯେଉଁ ରିପୋର୍ଟଟି ଦେଇଥିଲେ, ସେଥିରେ ୧୯୭୭ ମସିହା ଜୁନ୍‌ ପହିଲା ସୁଦ୍ଧା କ୍ରମେ ପାଲେଷ୍ଟାଇନ୍‌ ସମସ୍ୟାଟିର ସମାଧାନ କରିବା ବିଷୟରେ ଏକ ଠୋସ୍‌ କଳ୍ପନା କରାଯାଇଥିଲା । ସର୍ବମୂଳ ସିଦ୍ଧାନ୍ତ ହିସାବରେ ତାହା ପାଲେଷ୍ଟାଇନ୍‌ ଭୂମି ଉପରେ ପାଲେଷ୍ଟାଇନ୍‌ ଅଧିବାସୀମାନଙ୍କର ଅଧିକାରକୁ ହିଁ ସ୍ୱୀକାର କରିଥିଲା-। ତେଣୁ ପର୍ଯ୍ୟାୟକ୍ରମେ ସେମାନେ ସେମାନଙ୍କର ସ୍ୱଭୂମିକୁ ଫେରି ଆସିବେ, ସେଠାରେ ଆତ୍ମଶାସନ ତଥା ଆତ୍ମନିୟନ୍ତ୍ରଣର ପୂର୍ଣ୍ଣ ଅଧିକାର ପାଇବେ ଏବଂ ବର୍ତ୍ତମାନ ସେହି ଭୂମିକୁ ଅଧିକାର କରି ରହିଥିବା ଇସ୍ରାଏଲ୍‌ ସୈନ୍ୟବାହିନୀ ଏବଂ ଇସ୍ରାଏଲୀ ସାମରିକ ଶାସକମାନେ ମଧ୍ୟ ପର୍ଯ୍ୟାୟକ୍ରମେ ସେଠାରୁ ହଟି ଚାଲିଯିବେ । ବିବରଣୀଟିରେ ଏହିସବୁ ପ୍ରସ୍ତାବ ଦିଆଯାଇଥିଲା । ବିବରଣୀଟିକୁ ଆଧାର କରି ତିଆରି ହୋଇଥିବା ପ୍ରସ୍ତାବଟି ଯେ ନିରାପତ୍ତା ପରିଷଦରେ ଅଧିକ ଭୋଟରେ ଗୃହୀତ ହୋଇଗଲା, ଏହାକୁ ସଂପୃକ୍ତ ସମସ୍ତେ ପାଲେଷ୍ଟାଇନ୍‌ ଅଧିବାସୀଙ୍କର ଆକାଙ୍‌କ୍ଷା ସପକ୍ଷରେ ଏକ ନୈତିକ ବିଜୟ ବୋଲି ଜାଣିଲେ ।

 

ନିଜ ସରକାର ପ୍ରସ୍ତାବଟି ଉପରେ କୁଠାରପ୍ରହାର କରୁଛନ୍ତି ବୋଲି କହିବାକୁ ଯିବା ପୂର୍ବରୁ ଯୁକ୍ତରାଜ୍ୟ ଆମେରିକା ସରକାରଙ୍କ ତରଫରୁ ଜାତିସଂଘରେ ବସିଥିବା ପ୍ରତିନିଧି ନିରାପତ୍ତା ପରିଷଦର ଏହି ପ୍ରସ୍ତାବଟିରେ ଆଦୌ କୌଣସି ଭାରସାମ୍ୟ ନାହିଁ ବୋଲି ଘୋଷଣା କରିଥିଲେ ଏବଂ ତାଙ୍କ ସରକାର ପ୍ରସ୍ତାବଟିର ବିରୁଦ୍ଧରେ ବୋଲି ଜଣାଇ ଦେଇଥିଲେ । ସିଏ ଯୁକ୍ତି ଦର୍ଶାଇ କହିଥିଲେ ଯେ ପାଲେଷ୍ଟାଇନ୍‌ ଅଧିବାସୀଙ୍କର ରାଜନୀତିକ ସ୍ୱାର୍ଥଗୁଡ଼ିକ ପ୍ରକୃତରେ କ’ଣ ବା କ’ଣ ନୁହେଁ, ସେକଥା ବିଚାର କରିବାଲାଗି ପରିଷଦର ଆଦୌ କୌଣସି କ୍ଷମତା ନାହିଁ । ପଶ୍ଚିମ ଏସିଆ ବିଷୟରେ ଯେଉଁ ସମାଧାନଟି ହେବ, ସେଥିରେ ପାଲେଷ୍ଟାଇନ୍‌ର ଅଧିବାସୀମାନେ ପ୍ରକୃତରେ କିଭଳି ଭୂମିକା ଗ୍ରହଣ କରିବେ, ସେ ବିଷୟରେ ମଧ୍ୟ ନିରାପତ୍ତା ପରିଷଦର କୌଣସି ନିର୍ଣ୍ଣୟ ଦେବାଲାଗି ଆଦୌ ଅଧିକାର ନାହିଁ ବୋଲି ସେ କହିଥିଲେ । ଆମେରିକା ସରକାରଙ୍କର ମତରେ କୁଆଡ଼େ ଏହିସବୁ କଥା ସପୃକ୍ତ ପକ୍ଷମାନେ ହିଁ ଠିକ୍‌ କରିବେ, ଏକାଠି ବସି ନିର୍ଣ୍ଣୟ କରିବେ, ଆଲୋଚନା କରି ସେଗୁଡ଼ିକର ସଂଜ୍ଞାନିରୂପଣ କରିଦେବେ । ତା’ପରେ ଯାଇ କୁଆଡ଼େ ସେଇଟି ଏକ ପ୍ରସ୍ତାବ ଆକାରରେ ନିରାପତ୍ତା ପରିଷଦକୁ ଆସିପାରିବ ଓ ଗୃହୀତ ହୋଇପାରିବ ।

 

ଆମେରିକାର ପ୍ରତିନିଧି ଯାହା କହିଲେ, ଆଇନ ଅନୁସାରେ ବିଲକୁଲ ଠିକ୍‌ କଥା କହିଲେ । ୧୯୪୮ ମସିହାରେ ଯେତେବେଳେ ଜାତିସଂଘର ଏକ ଅଧିବେଶନରେ ଇହୁଦୀମାନଙ୍କ ଲାଗି ପାଲେଷ୍ଟାଇନ୍‌କୁ ଏକ ଭୂମି ବୋଲି ସ୍ୱୀକାର କରାଗଲା ଏବଂ ଆମେରିକା ସରକାରଙ୍କ ବିଶେଷ ସମର୍ଥନ ଦ୍ୱାରା ଏକଥାଟି ହେଲା, ସେତେବେଳେ ଏହିସବୁ ଆଇନ ଯୁକ୍ତି ପୁଣି କୁଆଡ଼େ ଥିଲା ? ସେତେବେଳେ ଜାତିସଂଘରେ ଆରବ ଦେଶଗୁଡ଼ିକର କୌଣସି ପ୍ରତିନିଧି ନଥିଲା । ଜାତିସଂଘ କହିଲେ ଆମେରିକା ସମେତ ଇଉରୋପର କେତେକ ରାଷ୍ଟ୍ରର ପ୍ରତିନିଧିଙ୍କୁ ହିଁ ବୁଝାଉଥିଲା । ଜାତିସଂଘର ସ୍ୱୀକୃତିପ୍ରସ୍ତାବ ଦ୍ୱାରା ତେଣେ ମଧ୍ୟପ୍ରାଚ୍ୟର ଭାଗ୍ୟ ଓ ମାନଚିତ୍ରରେ ଯେଉଁସବୁ ପରିବର୍ତ୍ତନ କରାଗଲା, ସେଥିଲାଗି ସଂପୃକ୍ତ ପକ୍ଷଗୁଡ଼ିକୁ କିଛି ପଚରା ହୋଇନଥିଲା । ନୂଆ ଇସ୍ରାଏଲ ଭୂମିରୁ ବାସଚ୍ୟୁତ ହୋଇ ବିତାଡ଼ିତ ହେବାକୁ ଯାଉଥିବା ପାଲେଷ୍ଟାଇନ୍‌ ଅଧିବାସୀମାନଙ୍କୁ କିଛି ପଚରା ହୋଇ ନଥିଲା କିମ୍ୱା ଆରବ ଦେଶଗୁଡ଼ିକର ଶାସକମାନଙ୍କୁ କିଛି ପଚରା ହୋଇନଥିଲା । ସେମାନେ ପାଲେଷ୍ଟାଇନ୍‌ର ଇହୁଦୀମାନଙ୍କ ସହିତ ଏକତ୍ର ବସି ଆଗ ଗୋଟିଏ ସମାଧାନ ବା ନିର୍ଣ୍ଣୟରେ ଆସି ପହଞ୍ଚନ୍ତୁ ଏବଂ ତା’ପରେ ଯାଇ ଜାତିସଂଘରେ କୌଣସି ତଦନୁରୂପ ପ୍ରସ୍ତାବ ଗୃହୀତ ହୋଇପାରିବ, ଆମେରିକାର ସରକାର ଏଭଳି କୌଣସି ଆବଶ୍ୟକତା ସେତେବେଳେ ହୃଦୟଙ୍ଗମ କରି ନଥିଲେ । ଇହୁଦୀମାନଙ୍କ ଲାଗି ଏକ ସ୍ୱତନ୍ତ୍ର ଭୂମି ଅବଶ୍ୟ ମିଳିବା ଉଚିତ ବୋଲି ବିଶ୍ୱସଭାର ପ୍ରତିନିଧିମାନେ ଉପଲବ୍‌ଧି କଲେ ଏବଂ ତାହାରି ବଳରେ ହିଁ ଇସ୍ରାଏଲ୍‌ ଦେଶ ଜନ୍ମଗ୍ରହଣ କଲା । ପାଲେଷ୍ଟାଇନ୍‌ର ଅଧିବାସୀମାନେ ହିଁ ପାଲେଷ୍ଟାଇନ୍‌କୁ ଫେରିଆସିବା ଉଚିତ ଓ ଇସ୍ରାଏଲ୍‌ର ସାମରିକ ଆଧିପତ୍ୟ ସେଠାରୁ ଅଚିରେ ଉଠିଆସିବା ଉଚିତ ବୋଲି ପୃଥିବୀର ବିବେକ ଅତ୍ୟନ୍ତ ସ୍ପଷ୍ଟଭାବରେ କହୁଥିବା ବେଳେ ଓ ସେହି ମର୍ମରେ ବିଶ୍ୱ ପ୍ରତିନିଧିସଭାମାନଙ୍କରେ ଏକାଧିକ ପ୍ରସ୍ତାବ ଗୃହୀତ ହେଉଥିବା ବେଳେ ଆମେରିକା ସରକାର ତାଙ୍କ ଯୁକ୍ତିର ଭାରସାମ୍ୟଟିକୁ ଏପରି ଉତ୍ତେଜିତ ହୋଇ କାହିଁକି ହରାଇ ବସୁଛନ୍ତି ? ସମ୍ଭବତଃ ତାଙ୍କର ଭେଟୋ କ୍ଷମତାଟା ହିଁ ତାଙ୍କୁ ଏପରି ଏକଜିଦିଆ ଓ ଅବୁଝା ହେବାରେ ଭାରି ସାହାଯ୍ୟ କରୁଛି ।

 

କହିବା ଅନାବଶ୍ୟକ ଯେ ଇସ୍ରାଏଲ୍‌ର ପ୍ରତିନିଧି ନିରାପତ୍ତା ପରିଷଦରେ ଏହି ଆଲୋଚନାଟି ସମୟରେ ଏହାକୁ ବର୍ଜନ କରିଥିଲେ ଓ ବାହାରୁ ଥାଇ ମାସେକାଳ ଗତିବିଧି ପର୍ଯ୍ୟବେକ୍ଷଣ କରୁଥିଲେ । ହୁଏତ ଆମେରିକାର ଭେଟୋ ଉପରେ ସର୍ବଶେଷ ଭରସା ରଖି ସିଏ ମଧ୍ୟ ଏପରି ଅକାତର ଭାବରେ ନିରାପତ୍ତା ପରିଷଦର ପ୍ରସ୍ତାବଟିକୁ ‘‘ଆରବ ଜଗତର ଶିକ୍ଷାରେ ପଡ଼ି ଜାତିସଂଘର ଏହି ଶୋଚନୀୟ ଆଚରଣ’’ ବୋଲି ବର୍ଣ୍ଣନା କରିଥିଲେ । ସମସ୍ୟା ସମସ୍ୟା ହୋଇ ରହିଲା, ସଙ୍କଟଗୁଡ଼ାକ ମଧ୍ୟ ପୂରାପୂରି ସଙ୍କଟ ହୋଇ ରହିଲା ।

 

ତା ୩୧.୦୭.୧୯୭୬ ରିଖ

Image

 

ଇସ୍ରାଏଲ୍‌ର ଚିନ୍ତା

 

୧୯୬୭ ମସିହାରେ ଇସ୍ରାଏଲ ଏବଂ ଆରବ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ବୃହତ୍‌ଶକ୍ତିମାନଙ୍କର ପ୍ରାୟ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଯେଉଁ ସାତଦିନିଆ ଲଢ଼େଇ ଲାଗିଥିଲା, ସେଥିରେ ଭୂମି ଜିଣିବା ଦୃଷ୍ଟିରୁ ଇସ୍ରାଏଲ୍‌ର ହିଁ ଜୟଲାଭ ହୋଇଥିଲା । ଜର୍ଡ଼ାନ ନଦୀର ପଶ୍ଚିମ ପଟରେ ଥିବା ଅଞ୍ଚଳଟି ଯାହାକୁ ରାଜନୀତିକ ନାମକରଣ ଅନୁସାରେ ପାଲେଷ୍ଟାଇନ୍‌ ବୋଲି କୁହାହୋଇ ଆସୁଛି ଓ ଯାହା ଶାସନକ୍ଷେତ୍ରରେ ଜର୍ଡ଼ାନ ଦେଶରେ ଅବସ୍ଥିତ ରହିଥିଲା, ସେହି ଦିନଠାରୁ ସେଇଟି ଇସ୍ରାଏଲ୍‌ର ଅଧିକାରକୁ ଆସିଲା ଏବଂ ସେହିଦିନଠାରୁ ତାହା ଇସ୍ରାଏଲ୍‌ ଅଧୀନରେ ହିଁ ରହିଛି । ସମ୍ପୃକ୍ତ ପକ୍ଷମାନେ ପୂର୍ବ ସୀମାକୁ ହଟିଯିବେ ଓ ପାଲେଷ୍ଟାଇନ୍‌ ଇସ୍ରାଏଲୀ ଅଧିକାରରୁ ମୁକ୍ତ ହେବ–ପାଲେଷ୍ଟାଇନ୍‌ ମୁକ୍ତି ସାମ୍ମୁଖ୍ୟକୁ ଜାତିସଂଘରେ ପ୍ରାୟ ଏକ ରାଷ୍ଟ୍ରୀୟ ପ୍ରତିନିଧିତ୍ୱର ପାହିଆ ମିଳିଥିଲେ ମଧ୍ୟ ତଥାପି ତାହା ଫଳବତୀ ହୋଇ ପାରିନାହିଁ ଓ ସେହି ଅଞ୍ଚଳଟି ଇସ୍ରାଏଲ୍‌ର ଅଧିକାରରେ ରହିଛି ।

 

ଜର୍ଡ଼ାନ ରାଜ୍ୟର ଏକ ପ୍ରଦେଶ ହୋଇ ରହିଥିବାବେଳେ ପାଲେଷ୍ଟାଇନ୍‌ର ଶାସନ ଜର୍ଡ଼ାନ ରାଜ୍ୟର ଅର୍ଥାତ୍‌ ଜର୍ଡ଼ାନ ରାଜାଙ୍କର ନିୟମ ଅନୁସାରେ ହେଇଥିଲା । ତଥାକଥିତ ନିର୍ବାଚନଗୁଡ଼ାକ ମଧ୍ୟ ଠିକ୍‌ ସେହି ରାତିରେ ହେଉଥିଲା । ଯେଉଁମାନେ ରାଜାଙ୍କୁ ଟିକସ ଦେଉଥିଲେ, ଅର୍ଥାତ୍‌ ଆର୍ଥିକ ଦୃଷ୍ଟିରୁ ଯେଉଁମାନେ ଉପର ସ୍ତରରେ ଥିଲେ, ସେହିମାନେ ହିଁ ଭୋଟ ଦେଇ ପାରୁଥିଲେ । ନାରୀମାନେ ଭୋଟ ଦେବାର ଅଧିକାର ପାଇବା କଥା କେହି ଚିନ୍ତା କରିପାରୁ ନ ଥିଲେ । ସବୁଯାକ ଆରବ ଦେଶରେ ସ୍ତ୍ରୀମାନଙ୍କ ବିଷୟରେ ଯେଉଁ ଶାସ୍ତ୍ରମତ ନିୟମଗୁଡ଼ିକର ପ୍ରଚଳନ ରହିଛି, ତାହାରି ଅନୁସାରେ ସେମାନେ ପର୍ଦା ଭିତରେ ରହୁଥିଲେ, ବୁର୍ଖା ପିନ୍ଧୁଥିଲେ ।

 

ଧର୍ମଶାସ୍ତ୍ର ଅନୁସାରେ ନାରୀକୁ ରକ୍ଷା କରିବା ପୁରୁଷର କର୍ତ୍ତବ୍ୟ ହୋଇଥିବାରୁ ପୁରୁଷ ସେହି କର୍ତ୍ତବ୍ୟଟି ତୁଲାଇବା ଲାଗି ତାକୁ ପରଦା ଭିତରେ ରଖିବାକୁ ହିଁ ସବୁଠାରୁ ଅଧିକ ନିରାପଦ ମନେ କରୁଥିଲା । ପାଲେଷ୍ଟାଇନ୍ ଇସ୍ରାଏଲ୍‌ ଶାସନାଧୀନକୁ ଆସିବା ପରେ ବୁର୍ଖା ଓ ପରଦା କ୍ରମଶଃ ଲୋପ ପାଇଲାଣି । ଗ୍ରାମାଞ୍ଚଳରେ ସ୍ତ୍ରୀମାନେ ସୁନା ମୋହରକୁ ବାଳରେ ଗୁନ୍ଥି ମୁହଁ ଉପରେ ତଥାପି ପିନ୍ଧୁଛନ୍ତି । ଘରେ ଯେଉଁ ମୋହର ଚୋରି ଯାଉଥାନ୍ତା, ନାରୀର ମୁହଁ ଉପରେ ରହି ତାହା ସୁରକ୍ଷିତ ରହିପାରୁଛି । ଧର୍ମର କଟକଣା ଅନୁସାରେ ଡକାଏତକୁ ମଧ୍ୟ ନାରୀଠାରୁ ସ୍ୱର୍ଣ୍ଣ ଅପହରଣ କରିବା ମନାହୋଇ ରହିଛି ।

 

ପ୍ରାୟ ନଅବର୍ଷ ପାଲେଷ୍ଟାଇନ୍‌କୁ ଆପଣା ମାର୍ଗରେ ନିୟନ୍ତ୍ରଣରେ ରଖିବା ପରେ ଏଥର ଇସ୍ରାଏଲ୍‌ ସରକାର ସେହି ଅଞ୍ଚଳର ବାଇଶିଟି ମ୍ୟୁନିସିପାଲିଟି ଲାଗି ନିର୍ବାଚନ କରାଇଥିଲେ । ନିର୍ବାଚନରେ ଖାଲି ଧନାଢ଼୍ୟ ଟିକସଦାତାମାନେ ଭୋଟ ଦେଇନଥିଲେ । ଯେଉଁମାନଙ୍କର ଆୟ ଅପେକ୍ଷାକୃତ ଅନେକ କମ୍‌, ସେହିପରି ନିମ୍ନ ମଧ୍ୟବିତ୍ତ ଓ ଦରିଦ୍ର ଶ୍ରେଣୀର ଲୋକମାନେ ମଧ୍ୟ ଭୋଟ ଦେବାର ଅଧିକାର ପାଇଥିଲେ ଏବଂ ସବୁଠାରୁ ବଡ଼ କଥା ହେଉଛି ଯେ, ଆରବ ପରମ୍ପରାର ରାଜନୀତିକ ଇତିହାସରେ ଏକ ନୂତନ ମୋଡ଼ ପ୍ରବର୍ତ୍ତନ କରି ସେଠି ଆରବ ରମଣୀମାନେ ମଧ୍ୟ ଭୋଟ ଦେବାକୁ ଯୋଗ୍ୟ ବୋଲି ଘୋଷିତ ହୋଇଥିଲେ । ସେହି ଅଞ୍ଚଳର ବାଇଶି ହଜାର ସ୍ତ୍ରୀଲୋକ ସର୍ବପ୍ରଥମ ଥରପାଇଁ ଭୋଟ କେନ୍ଦ୍ରକୁ ଯାଇଥିଲେ ଓ ଭୋଟ ଦେଇଥିଲେ-। ମୋଟ ଅଠାଅଶୀ ହଜାର ଭୋଟଦାତାଙ୍କ ମଧ୍ୟରୁ ଶତକଡ଼ା ୭୨ ଜଣରୁ ଅଧିକ ଭୋଟଦାନ କରିଥିଲେ । ଭୋଟ ଦେବାର ଉପଯୁକ୍ତ ବୋଲି ଘୋଷିତ ହୋଇଥିବା ସ୍ତ୍ରୀଲୋକମାନଙ୍କ ମଧ୍ୟରୁ ଶତକଡ଼ା ପ୍ରାୟ ସତୁରୀ ଜଣ ଭୋଟ ଦେଇଥିଲେ । ନିର୍ବାଚନର ଫଳାଫଳ ପ୍ରକାଶ ପାଇବା ପରେ ଯାହା ଜଣାପଡ଼ିଲା, ସେଥିରୁ ସ୍ପଷ୍ଟ ହୋଇଯାଉଛି ଯେ ଜାତୀୟବାଦୀ ତଥା ପାଲେଷ୍ଟାଇନ୍‌ ମୁକ୍ତି ସାମ୍ମୁଖ୍ୟକୁ ସମର୍ଥନ କରୁଥିବା ପ୍ରାର୍ଥୀମାନେ ହିଁ ସର୍ବାଧିକ ମତରେ ମ୍ୟୁନିସିପାଲିଟିଗୁଡ଼ିକୁ ନିର୍ବାଚିତ ହୋଇ ଆସିଲେ । ଇସ୍ରାଏଲ୍‌ ଯାହା କେବେ ପ୍ରତ୍ୟାଶା କରିନଥିଲା, ତହାହିଁ ଘଟିଲା । ପାଲେଷ୍ଟାଇନ୍‌ ଅଧିକୃତ ଅଞ୍ଚଳରେ ଇସ୍ରାଏଲ୍‌ ନାନାପ୍ରକାର ଦୌରାତ୍ମ୍ୟ କରୁଛି ବୋଲି ଅଭିଯୋଗମାନ ମିଳିତ ଜାତିସଂଘର ଆଲୋଚନାସ୍ତର ଯାଏ ଆସିଯାଇଥିଲା । ଏହାରି ଏକ ପ୍ରତିସଙ୍କେତ ସ୍ୱରୂପ ପାଶ୍ଚାତ୍ୟ ସମ୍ୱାଦସଂସ୍ଥାଗୁଡ଼ିକୁ ଏକ ଅନ୍ୟ ପ୍ରମାଣ ଦେବାରୁ ମତଲବରେ କୁଆଡ଼େ ଇସ୍ରାଏଲ୍‌ ଏଥର ସମସ୍ତଙ୍କୁ ଭୋଟ ଅଧିକାର ଦେଇ ନିର୍ବାଚନ କରାଇଲା ବୋଲି ସମୀକ୍ଷକମାନେ ଅନୁମାନ କରୁଛନ୍ତି ।

 

ପୁନଶ୍ଚ ପାଲେଷ୍ଟାଇନ୍‌ ମୁକ୍ତି ସାମ୍ମୁଖ୍ୟର ବିରୁଦ୍ଧରେ ଆପଣାର ପକ୍ଷ-ସମର୍ଥନକାରୀ ଏକ ସ୍ଥାନୀୟ ନେତୃଗୋଷ୍ଠୀର ବିକାଶ କରାଇବାର ଅଭିପ୍ରାୟ ମଧ୍ୟ ଇସ୍ରାଏଲ୍‌ର ରହିଥିଲା ବୋଲି ଆହୁରି କେତେଲୋକ କହୁଛନ୍ତି । ସେସବୁ ଯାହାହେଉ ପଛକେ, ଇସ୍ରାଏଲ୍‌ର ସବୁ ମସୁଧା ପ୍ରାୟ ପଣ୍ଡ ହିଁ ହୋଇଗଲା ।

 

ପାଲେଷ୍ଟାଇନ୍‌ ଉପରେ ଇସ୍ରାଏଲ୍‌ର ଅଧିକାର ଆସିବା ପରେ ସେଠାରେ ନାରୀମାନେ ପରଦା ଭିତରୁ ବାହାରକୁ ଆସୁଛନ୍ତି, ଇସ୍ରାଏଲୀ ଅଧିକାର ବିରୁଦ୍ଧରେ ପ୍ରତିବାଦ କରି ରାସ୍ତାକୁ ବାହାରିଛନ୍ତି, ସେମାନଙ୍କ ମଧ୍ୟରୁ କେତେଜଣ ଗରିଲା ପ୍ରତିରୋଧ ସମରରେ ପ୍ରତ୍ୟକ୍ଷ ଅଂଶଗ୍ରହଣ ବି କରିଛନ୍ତି । ସେମାନଙ୍କ ମଧ୍ୟରୁ ଆଉ କେତେକ ଏହି ଅଭିଯୋଗରେ କାରାବରଣ କରିଛନ୍ତି; ଏବଂ ପାଲେଷ୍ଟାଇନ୍‌ରେ ଏକ ଗୁପ୍ତ ନାରୀ ଆନ୍ଦୋଳନ ସକ୍ରିୟ ହୋଇ ରହିଛି ବୋଲି ସୂଚିତ କରାଇ ଦେଇ ସାମୟିକ ପତ୍ରିକା ଓ ପୁସ୍ତିକାମାନ ମଧ୍ୟ ପ୍ରକାଶ ପାଇଛି । ପାଲେଷ୍ଟାଇନର ଭବିଷ୍ୟତ ଯାହା ହେଉ ନା କାହିଁକି, ଏହି ଜାଗରଣ ସମଗ୍ର ଆରବ ଜଗତର ଆଭିମୁଖ୍ୟରେ ଯେ ଏକ ନୂତନ ସଚଳତାର ସଞ୍ଚାର କରିବ, ସେଥିରେ ଆଦୌ କୌଣସି ସନ୍ଦେହ ନାହିଁ ।

 

ତା ୦୧.୦୮.୧୯୭୬ ରିଖ

Image

 

ବସତିର ବ୍ୟବସ୍ଥା

 

ଆମେ ସମସ୍ତେ ବାସ କରୁଥିବା ଏହି ପୃଥିବୀରେ ପ୍ରାୟ ଅଧେ ମଣିଷଙ୍କର ଯେ ବସତି ନାହିଁ, ଏକଥା କହିଲେ ଆମଭିତରୁ ଅନେକେ ହୁଏତ ବିଶ୍ୱାସ ବି କରିବେ ନାହିଁ । ନାନା କାରଣରୁ ପୃଥିବୀରେ ରାଜନୀତି ହିଁ ଯେପର୍ଯ୍ୟନ୍ତ ସାଧାରଣ ଜୀବନର ଓ ବିଶେଷ କରି ଶିକ୍ଷିତ ଲୋକମାନଙ୍କର ସର୍ବପ୍ରଧାନ ଆଗ୍ରହକ୍ଷେତ୍ର ହୋଇ ରହିଥିଲା, ସେପର୍ଯ୍ୟନ୍ତ ବସତିର ସମସ୍ୟା ପୃଥିବୀର ଏକ ବାସ୍ତବ ସମସ୍ୟା ବୋଲି ହୁଏତ ଗଣା ବି ହେଉନଥିଲା । ସମ୍ୱାଦପତ୍ରରେ, ପୃଥିବୀର ଅଧ୍ୟୟନ କେନ୍ଦ୍ରମାନଙ୍କରେ ଓ ଏପରିକି ତଥାକଥିତ ଗବେଷଣା କ୍ଷେତ୍ରରେ ମଧ୍ୟ ଏହି ସମସ୍ୟାଟି ପ୍ରାୟ ସ୍ଥାନ ପାଉନଥିଲା । ପୃଥିବୀର ଭବିଷ୍ୟ କହିଲେ ଆମେ ଅନେକେ କେତେ କେତେ ବଡ଼ ଆଦର୍ଶର ଆକାଶ-କଳ୍ପନାମାନ କରୁଥିଲେ, ମାତ୍ର ଏହି ବର୍ତ୍ତମାନ ଉପରେ ଯେ ଭବିଷ୍ୟତ ଗଢ଼ାହେବ ଏବଂ ମନୁଷ୍ୟକୁ ଭବିଷ୍ୟଲାଗି ଆଗ୍ରହୀ କରିବା ପୂର୍ବରୁ ତାକୁ ଯେ ତା’ର ବର୍ତ୍ତମାନ ବିଷୟରେ ମଧ୍ୟ ଯଥେଷ୍ଟ ପ୍ରତ୍ୟୟ ଆଣି ଦେବାକୁ ହେବ, ସେକଥା ମଥା ଥିବା ଲୋକମାନେ ପ୍ରାୟ ଚିନ୍ତା କରୁନଥିଲେ ।

 

ଏହି ଚିନ୍ତା ଏବେ ଆରମ୍ଭ ହେଲା । ମଣିଷଜାତି କହିଲେ ଯେ ପୃଥିବୀର ସବୁ ମଣିଷଙ୍କୁ ବୁଝାଏ, ସେକଥା ଏବେ ଆମ ଅନେକଙ୍କର ମୁଣ୍ଡରେ ପଶିଲା । ଗାନ୍ଧିଜୀ ବୋଧହୁଏ ପୃଥିବୀର ରାଜନୀତି ଓ ଅର୍ଥନୀତିରେ ସର୍ବୋଦୟର କଥାଟି ଆଣି ଥୋଇଲେ । ଅନ୍ତ୍ୟୋଦୟର ଅର୍ଥରେ ଆମେ ସର୍ବୋଦୟକୁ ବୁଝିବାକୁ ଆରମ୍ଭ କଲୁ । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପୃଥିବୀର ସ୍ୱାଧୀନ ଦେଶଗୁଡ଼ିକୁ ନେଇ ମିଳିତ ଜାତିସଂଘର କଳ୍ପନା ଓ ସ୍ଥାପନା ହେଲା । ସେହି ବିଶ୍ୱ ଅନୁଷ୍ଠାନର ବିଭିନ୍ନ ଶାଖା-ସଂସ୍ଥା ସମଗ୍ର ପୃଥିବୀର ବର୍ତ୍ତମାନ ଜୀବନସ୍ଥିତି ବିଷୟରେ ଅଧିକରୁ ଅଧିକ ଦୃଷ୍ଟି ଆକର୍ଷଣ କରାଇଲା, ବର୍ତ୍ତମାନ ବିଷୟରେ ଆମକୁ ଅଧିକ ସଚେତନ କରାଇ ଆଣିଲା । ଖାଦ୍ୟ, ଶିକ୍ଷା, ସ୍ୱାସ୍ଥ୍ୟ ଓ ବସତି ପ୍ରଭୃତି ପ୍ରକୃତ ସମସ୍ୟାଗୁଡ଼ିକର ସମ୍ମୁଖୀନ ହେବାଲାଗି ଆମକୁ ଅଧିକ ପ୍ରସ୍ତୁତକଲା ।

 

ପୃଥିବୀ ସ୍ତରରେ ଏହିସବୁ ବିଷୟରେ ହିସାବ ଓ ପରିସଂଖ୍ୟାନମାନ ନିଆଗଲା, ତୁଳନାତ୍ମକ ଅଧ୍ୟୟନ ଓ ଭବିଷ୍ୟାନୁମାନ ବି କରାଗଲା । ଏହିପରି ଗୋଟିଏ ତୁଳନାତ୍ମକ ବିବରଣୀରୁ ଆମେ ଜାଣିବାକୁ ପାଉଛୁ ଯେ ଭାରତବର୍ଷର ଚାରୋଟିଯାକ ବୃହତ୍ତମ ସହରରେ ଶତକଡ଼ା ଅନ୍ତତଃ ୬୭ଜଣ ଲୋକ ସହରତଳି ପଲା ଓ କୁଡ଼ିଆଗୁଡ଼ିକରେ ବାସ କରନ୍ତି । କଲିକତା ସହରରେ ଶହେରେ ୭୯ ଜଣ ଲୋକ ଏହିପରି ଭାବରେ ବାସ କରୁଛନ୍ତି, ଏହା ବ୍ୟତୀତ ରାସ୍ତା କଡ଼ରେ ରହୁଥିବା ଓ ଶୋଉଥିବା ଲୋକମାନେ ତ ଅଲଗା ଅଛନ୍ତି । ଠିକ୍‌ ସେହିପରି ପାକିସ୍ଥାନର ସହରମାନଙ୍କରେ ଶତକଡ଼ା ୫୯ ଜଣ ଲୋକ ଅସ୍ଥାୟୀ ପଲା ଘରେ ବାସ କରୁଛନ୍ତି ଓ ଗାଆଁମାନଙ୍କରେ ଶହେରେ ୬୧ ଜଣ ସେହିପରି ଅବସ୍ଥାରେ ରହିଛନ୍ତି, ସେଠି ଗୋଟିଏ ବଖରାରେ ହାରାହାରି ତିନି ଜଣ ମଣିଷ ବାସ କରୁଛନ୍ତି । ସେହି କ୍ଷେତ୍ରରେ ଆଉ ଗୋଟିଏ ଦେଶ ଫ୍ରାନସ୍‌ରେ ଶହେରେ ମୋଟେ ଶତକଡ଼ା ତିନିଜଣ ଏଭଳି ଅବସ୍ଥାରେ ଅଛନ୍ତି । ଏସିଆର ଗୋଟିଏ ଦେଶ ଇରାନ୍‌ରେ, ଯେଉଁଠି କି ଭାରତ ଓ ପାକିସ୍ଥାନ ପରି ଲୋକସଂଖ୍ୟାର ଏତେବେଶୀ ଚାପ ନାହିଁ, ସହରଗୁଡ଼ିକରେ ଶତକଡ଼ା ୪୩ ଜଣ ଏବଂ ଗାଆଁମାନଙ୍କରେ ଶତକଡ଼ା ୪୯ ଜଣ ଲୋକ ଏଭଳି ଶୋଚନୀୟ ଅବସ୍ଥାରେ ବାସ କରୁଛନ୍ତି । ସାନ ଦେଶ ଡେନ୍‌ମାର୍କ୍‌ରେ ଶହେରେ ମୋଟ ୦.୪ ଜଣ ଲୋକଙ୍କୁ ଏହି ଅବସ୍ଥା ଭୋଗ କରିବାକୁ ହେଉଛି । ଯାହାକୁ ଆମେ ଏକ ନୂତନ ନାମ ଦେଇ ଏବେ ତୃତୀୟ ପୃଥିବୀ ବୋଲି କହୁଛୁ, ସେଠାରେ ହୁଏତ ଶତକଡ଼ା ୯୮ ଜଣ ଲୋକଙ୍କ ସକାଶେ ଶୌଚାଦି ଲାଗି କୌଣସି ସ୍ୱାସ୍ଥ୍ୟକର ବ୍ୟବସ୍ଥା ନାହିଁ । ହିସାବ ଅନୁସାରେ ସେଠାରେ ହାରାହାରି ପଚାଶଜଣ ଲୋକଙ୍କ ଲାଗି ଗୋଟିଏ ମାତ୍ର ପାଇଖାନା କହିଛି ।

 

ଭାରତବର୍ଷର ଅନୁମିତ ୬୦ କୋଟି ମଣିଷଙ୍କ ମଧ୍ୟରୁ ୪୮ କୋଟି ଏହାର ପ୍ରାୟ ଛଅଲକ୍ଷ ଗ୍ରାମରେ ବାସ କରୁଛନ୍ତି । ଆମ ଦେଶରେ ବର୍ତ୍ତମାନ ଗ୍ରାମାଞ୍ଚଳରେ ପ୍ରାୟ ସାଢ଼େ ଛଅକୋଟି ବାସଗୃହର ଅଭାବ ରହିଛି । ଗୋଟିଏ ବାସଯୋଗ୍ୟ ଅଥଚ ଅଳ୍ପବ୍ୟୟ-ସାପେକ୍ଷ ଘର ତିଆରି କରିବା ଲାଗି ଯଦି ଆନୁମାନିକ ଚାରିହଜାର ଟଙ୍କା ଲୋଡ଼ା ହୁଏ, ତେବେ ଉକ୍ତ ଅଭାବଟିର ପୂରଣ କରିବାକୁ ବର୍ତ୍ତମାନ ପଚିଶି ହଜାର କୋଟି ଟଙ୍କା ଖର୍ଚ୍ଚ କରିବା ଆବଶ୍ୟକ ହେବ । ଏହି ଅର୍ଥପରିମାଣ କେଉଁଠାରେ ଆସିବ ?

 

୧୯୭୪-୭୫ର ମୂଲ୍ୟସୂଚୀ ଅନୁସାରେ ଯଦି ଜଣେ ଲୋକର ମାସିକ ଆବଶ୍ୟକତା ମେଣ୍ଟାଇବା ସକାଶେ ୫୫ଟଙ୍କା ଦରକାର ହୁଏ, ତେବେ ସେହି ହିସାବ ଅନୁସାରେ ଆମ ଦେଶର ଗ୍ରାମାଞ୍ଚଳରେ ଅଧିକରୁ ଅଧିକ ମଣିଷ ଦାରିଦ୍ର୍ୟ ସୀମାରେଖାର ଆହୁରି ତଳକୁ ରହିଛନ୍ତି । ଗ୍ରାମାଞ୍ଚଳରେ ଯେଉଁମାନଙ୍କର ବସତି ନାହିଁ, ସେମାନଙ୍କ ମଧ୍ୟରୁ କୃଷିଶ୍ରମିକଙ୍କର ସଂଖ୍ୟା ହେଉଛି ସବୁଠାରୁ ଅଧିକ । ସମଗ୍ର ଦେଶରେ ମୁଣ୍ଡପିଛା ବର୍ଷକୁ ଆୟ ୫୯୦ ଟଙ୍କା ହୋଇଥିବା ବେଳେ ଏହି କୃଷିଶ୍ରମିକମାନଙ୍କର ସେହି ଆୟ ମାତ୍ର ୨୫୩ ଟଙ୍କାର ରହିଛି । ଏମାନେ ପୁଣି ଋଣଭିତରେ ବୁଡ଼ି ରହିଛନ୍ତି । କାରଣ ସେମାନେ ଖାଇବା ପ୍ରଭୃତି ଅତ୍ୟାବଶ୍ୟକ କ୍ଷେତ୍ରରେ ଯାହା ଖରଚ କରୁଛନ୍ତି, ତାହାଠାରୁ ଅନେକ କମ୍‌ ରୋଜଗାର କରୁଛନ୍ତି । ଏପରି ଅବସ୍ଥାରେ ଯେ ସେମାନେ ଆପଣା ସଞ୍ଚୟରୁ ଆପଣା ବସତିର ବ୍ୟବସ୍ଥା କରିବେ, ଏପରି ଭାବିବା ହିଁ ସେମାନେ ଆପଣା ସଞ୍ଚୟରୁ ଆପଣା ବସତିର ବ୍ୟବସ୍ଥା କରିବେ, ଏପରି ଭାବିବା ହିଁ ସେମାନଙ୍କ ପ୍ରତି ବିଦ୍ରୂପ କରିବାପରି ହେବ ।

 

ତଥାପି ବସତି ଦରକାର ଏବଂ ଏଥିଲାଗି ଜାତୀୟ ସରକାରଙ୍କୁ କାର୍ଯ୍ୟକାରୀ ଉପାୟମାନଙ୍କର ଚିନ୍ତା କରିବାକୁ ପଡ଼ିବ । ଗତ ପଚିଶିବର୍ଷର ଅର୍ଥନୀତିକୁ ଯେଉଁମାନେ ସହଜଲାଭ ଉଠାଇଛନ୍ତି, ପ୍ରାୟ ରାତି ରାତି ଧନୀ ହୋଇଛନ୍ତି, ସେମାନଙ୍କ ଉପରେ ଟିକସ ବସାଇ ଏହି ପୁଞ୍ଜି ସଂଗ୍ରହ କରାଯାଇପାରିବ ବୋଲି ମଧ୍ୟ ଏକ ବିଚାର ରହିଛି । ଧନୀ ଲାଭବାନମାନଙ୍କର ମଧ୍ୟ ଏହି ସମସ୍ୟାଟିର ସମାଧାନ ଦିଗରେ ଏକ ଅବଦାନ ରହିଛି ।

 

ତା ୦୨.୦୮.୧୯୭୬ ରିଖ

Image

 

ଜାଳେଣି, ଜଙ୍ଗଲ ଓ ମରୁଭୂମି

 

ଆମ ପୃଥିବୀରେ ଆଜି ପେଟ୍ରୋଲ ନେଇ ସମସ୍ୟା ସୃଷ୍ଟି ହେଉଛି, ରାଜନୀତି ସୃଷ୍ଟି ହେଉଛି । ଏଇଟିକୁ କେନ୍ଦ୍ରକରି ଆନ୍ତର୍ଜାତିକ ସମ୍ୱନ୍ଧ ଓ ଆନ୍ତର୍ଜାତିକ ଭାରସାମ୍ୟରେ କେତେ ଉଠାପଡ଼ା ଲାଗିଛି । ତଥାପି ଏ କଥାଟି ଆମକୁ ସ୍ୱୀକାର କରିବାକୁ ହେବ ଯେ ଏହି ପୃଥିବୀରେ କୋଟି କୋଟି ମଣିଷ ଆଜି ମଧ୍ୟ ପେଟ୍ରୋଲଠାରୁ ଅନେକ ଦୂରରେ ରହିଛନ୍ତି, ସେମାନେ ଜାଳେଣିକାଠ ଓ ଘଷିସ୍ତରରେ ହିଁ ରହିଛନ୍ତି, ତାହାହିଁ ସେମାନଙ୍କ ଜୀବନ ବଜେଟରେ ଆଜି ମଧ୍ୟ ଏକ ମୁଖ୍ୟ ସ୍ଥାନ ଅଧିକାର କରି ରହିଛି ।

 

ପୃଥିବୀର ସବୁଯାକ ଜଙ୍ଗଲରେ ମୋଟ ଯେତେ କାଠଗଛ କଟା ହେଉଛି, ତାହାର ଅଧେ ଅଂଶ ଜାଳ ଏବଂ ଶୀତ ଋତୁରେ ଉତ୍ତାପର ଚାହିଦା ମେଣ୍ଟାଇବାରେ ହିଁ ବ୍ୟବହୃତ ହେଉଛି । ପୃଥିବୀର ଦରିଦ୍ର ଦେଶମାନେ ଓ ଧନାଦେଶଗୁଡ଼ିକର ଦରିଦ୍ର ଲୋକମାନେ ଜାଳ ଓ ଉତ୍ତାପ ଲାଗି ଜାଳେଣିକାଠ ଉପରେ ହିଁ ନିର୍ଭର କରୁଛନ୍ତି । ଏବେ ଜାଳେଣିକାଠର ମୂଲ୍ୟ କ୍ରମଶଃ ବଢ଼ିବାରେ ଲାଗିଥିବାରୁ ଦରିଦ୍ର ଜନସମୂହର ଆୟର ବେଶ୍‌ ଏକ ବଡ଼ ଅଂଶ ଏହି ଜାଳେଣିରେ ହିଁ ଖର୍ଚ୍ଚ ହୋଇଯାଉଛି । ସହର ଓ ଗ୍ରାମ ଉଭୟ ଅଞ୍ଚଳରେ ଅନେକ ଲୋକ ସମୟ ସମୟରେ ପେଟରୁ କାଟି ମଧ୍ୟ ଜାଳେଣିର ଚିନ୍ତା କରୁଛନ୍ତି । ଏସିଆ, ଆଫ୍ରିକା ଏବଂ ଲାଟିନ୍‌ ଆମେରିକାରେ ଏହି ଘଟଣା ଘଟୁଛି । ଏକ ହିସାବରୁ ଜଣାଯାଉଛି ଯେ ଆଫ୍ରିକାର ଏକ ଅଞ୍ଚଳରେ ଲୋକମାନଙ୍କର ଆୟର ଶତକଡ଼ା ୩୦ ଭାଗ ଏବଂ ଆଉ ଏକ ଅଞ୍ଚଳରେ ଶତକଡ଼ା ୨୫ ଭାଗ ଜାଳେଣି ବାବତରେ ଖର୍ଚ୍ଚ ହୋଇଯାଉଛି । ଏପରିକି କାଠମାଣ୍ଡୁରେ, ଯେଉଁଠି ଦୁଇବର୍ଷ ତଳେ ବୋଝେକାଠକୁ ଛଅ ବା ସାତ ଟଙ୍କା ପଡ଼ୁଥିଲା, ବର୍ତ୍ତମାନ ସେଥିଲାଗି ପ୍ରାୟ କୋଡ଼ିଏ ଟଙ୍କା ଦେବାକୁ ହେଉଛି । ଅନୁମାନ କରାଯାଉଛି ଯେ କେବଳ ଗୋଟିଏ ଦେଶ ଆମ ଭାରତବର୍ଷରେ ବର୍ଷକୁ ତିରିଶିରୁ ଚାଳିଶି କୋଟି ଟନ ପର୍ଯ୍ୟନ୍ତ ଗୋବର ଘଷିହୋଇ ଜଳୁଛି । ଆଫ୍ରିକା ମହାଦେଶର ଏଥିଓପିଆ ଓ ଆଉ କେତେକ ଅଞ୍ଚଳ, ଏସିଆର ଇରାକ୍‌ ଏବଂ ଲାଟିନ୍‌ ଆମେରିକାର ଆଣ୍ଡିଜ୍‌ ପାର୍ବତୀୟ ଉପତ୍ୟକା, ବଲିଭିଆ ଏବଂ ପେରୁରେ ମଧ୍ୟ ଗୋବର ଖତରୂପେ ବିଲକୁ ନଯାଇ ଜଳିବାକୁ ରୋଷେଇ ଘରକୁ ଆସିଛି ।

 

ଜାଳେଣିକାଠ ଲାଗି ଜଙ୍ଗଲ କଟା ହେଉଛି ଏବଂ ଜଙ୍ଗଲ କଟା ହେବାରୁ ବୃଷ୍ଟିପାତର ପରିମାଣ କମିଯିବାରେ ଲାଗିଛି । ପୃଥିବୀରେ ଅଳ୍ପବୃଷ୍ଟିର ଅଞ୍ଚଳ ବୃଦ୍ଧି ପାଉଛି ଓ ମରୁଭୂମି ମାଡ଼ି ମାଡ଼ି ଚାଲିଛି ଏବଂ ଏହିଗୁଡ଼ାକ ହିଁ ବର୍ତ୍ତମାନ ବିଶ୍ୱସାରା ବିଶେଷଜ୍ଞ, ବୈଜ୍ଞାନିକ ଏବଂ ଅର୍ଥନୀତିଜ୍ଞମାନଙ୍କର ପ୍ରଧାନ ଚିନ୍ତାର ବିଷୟ ହେବାକୁ ଆରମ୍ଭ କଲାଣି । ଏକ ଗବେଷଣା ଅନୁଷ୍ଠାନ ସଂଗ୍ରହ କରିଥିବା ତଥ୍ୟ ଅନୁସାରେ ଭାରତବର୍ଷରେ ପ୍ରତି ବର୍ଷ ଶତକଡ଼ା ଏକଭାଗ କୃଷିଯୋଗ୍ୟ ଆବାଦଭୂମି ମରୁଭୂମିରେ ପରିଣତ ହୋଇଯାଉଛି । ଜଙ୍ଗଲର ଗଛଗୁଡ଼ାକ କଟା ହୋଇଯିବା ଫଳରେ ପ୍ରତ୍ୟେକ ବର୍ଷ ବର୍ଷାଦ୍ୱାରା ମୋଟ ଛଅହଜାର କୋଟି ଟନ୍‌ ମାଟି ଧୋଇ ହୋଇଯାଉଛି ବୋଲି ମଧ୍ୟ ଆମକୁ କୁହାଯାଉଛି । ଏହି ସମସ୍ୟାଟି ଖାଲି ଭାରତବର୍ଷର ନୁହେଁ, ସମଗ୍ର ପୃଥିବୀର ବି ଏକ ସମସ୍ୟାରେ ପରିଣତ ହେଲାଣି ।

 

ସଂଯୁକ୍ତ ରାଷ୍ଟ୍ରସଂଘ ତରଫରୁ ଏହିବର୍ଷ ଏହି ସମସ୍ୟାଟିର ଚର୍ଚ୍ଚା କରିବା ଲାଗି ବିଶ୍ୱସ୍ତରରେ ବୈଜ୍ଞାନିକମାନଙ୍କର ଏକ ସମ୍ମିଳନୀ ମଧ୍ୟ ଡକାଯାଉଛି । ବର୍ତ୍ତମାନ ଭୂପୃଷ୍ଠରେ ତିନିଭାଗରୁ ଭାଗେ ଅଞ୍ଚଳରେ ମରୁଭୂମି ରହିଛି ଏବଂ ପୃଥିବୀର ମୋଟ ଭୂମିର ଶତକଡ଼ା ପାଞ୍ଚଭାଗ ଅଞ୍ଚଳ ପ୍ରାୟ ଅନାବାଦୀ ଶୁଷ୍କଭୂମିରେ ପରିଣତ ହୋଇସାରିଲାଣି । ବିଶେଷଜ୍ଞମାନେ ମତ ଦେଇ କହୁଛନ୍ତି ଯେ ଏବେ ଆମ ପୃଥିବୀରେ ଯେପରି ଜଙ୍ଗଲମାନଙ୍କରୁ ଗଛସବୁ କଟା ହେବାରେ ଲାଗିଛି, ରାଜସ୍ଥାନ ଏବଂ ସାହାରାର ମରୁଭୂମି ସେହି କାରଣରୁ ବର୍ଷକୁ ବର୍ଷ ବଢ଼ିବାରେ ଲାଗିଛି । ଶୁଷ୍କ ଅଞ୍ଚଳର ଆୟତନ ମଧ୍ୟ ବଢ଼ିବାରେ ଲାଗିଛି । ଆମ ଦେଶରେ ପ୍ରଥମ ପଞ୍ଚବାର୍ଷିକ ଯୋଜନା ପ୍ରସ୍ତୁତ କରାଗଲାବେଳେ ବିଶେଷଜ୍ଞମାନେ କହିଥିଲେ ଯେ ରାଜସ୍ଥାନର ଥର୍‍ ମରୁଭୂମି ବର୍ଷକୁ ପ୍ରାୟ ଗୋଟାଏ କିଲୋମିଟର ହାରରେ ବଢ଼ି ବଢ଼ି ଚାଲିଛି, ଅର୍ଥାତ୍‌ ବର୍ଷକୁ ତେର ହଜାର ହେକ୍‌ଟାର ଉର୍ବର ଆବାଦ ଜମିକୁ ମରୁଭୂମିର ଗ୍ରାସ ମଧ୍ୟରେ ଯାଇ ପଡ଼ିବାକୁ ହେଉଛି । ସେହିକଥା କୁହାହେବା ପରେ ଇତିମଧ୍ୟରେ କୋଡ଼ିଏ ବର୍ଷ ଚାଲିଗଲାଣି-। ମାତ୍ର ମରୁଭୂମି ବଢ଼ିବାର ବେଗଟିକୁ ଆଜି ମଧ୍ୟ ହ୍ରାସ କରାଯାଇ ପାରିନାହିଁ ।

 

ଏହି ବିପଦଟିର ତେବେ କିପରି ପ୍ରତିକାର କରାଯାଇପାରିବ ? ବର୍ତ୍ତମାନ ବିଶେଷଜ୍ଞମାନେ ସେହି କଥା ଚିନ୍ତା କରୁଛନ୍ତି । ଧନୀ ଜଗତକୁ ଯେତେବେଳେ ପେଟ୍ରୋଲର ଅଭାବ ପଡ଼ିଛି, ପେଟ୍ରୋଲ ଦ୍ୱାରା ଆମେ ପୃଥିବୀରେ ସବୁମଣିଷଙ୍କର ଜାଳେଣି ଚାହିଦା ମେଣ୍ଟାଇ ଦେଇପାରିବା ବୋଲି କଳ୍ପନା କରିବା ହିଁ ବର୍ତ୍ତମାନ ପରିସ୍ଥିତିରେ ତୁଚ୍ଛା ଭୁଲ ହେବ । ବିକଳ୍ପ ହିସାବରେ ବିଶେଷଜ୍ଞମାନେ ଗୋବରରୁ ଗ୍ୟାସ୍‌ ବାହାର କରି ତାହାକୁ ଜାଳେଣି ରୂପେ ବ୍ୟବହାର୍ଯ୍ୟ କରିବାର ଚିନ୍ତା କରୁଛନ୍ତି ଏବଂ ତାହା ସଙ୍ଗେ ସଙ୍ଗେ ସେମାନେ ଜଙ୍ଗଲର ଆୟତନର ବି ବୃଦ୍ଧି ସାଧନ କରିବା ପାଇଁ ପରାମର୍ଶ ଦେଉଛନ୍ତି । ଅର୍ଥାତ୍‌ ଆମକୁ ଅଧିକ ଗଛ ଲଗାଇବାକୁ ହେବ । ଯେତିକି ଗଛ କାଟୁଛୁ, ତା’ଠାରୁ ଅଧିକ ଗଛ ଲଗାଇବାକୁ ପଡ଼ିବ । ପୃଥିବୀର ଏକାଧିକ ଦେଶରେ ବୃକ୍ଷରୋପଣର ଏହି କାର୍ଯ୍ୟକ୍ରମକୁ ପ୍ରାୟ ଏକ ରାଷ୍ଟ୍ରୀୟ ଓ ଜାତୀୟ କାର୍ଯ୍ୟକ୍ରମ ଓ ଅଭିଯାନ ରୂପେ ଗ୍ରହଣ କରାଯାଇଛି । ଏଥିରେ ହିସାବ ଓ ପ୍ରତ୍ୟଶା ଅନୁସାରେ ପ୍ରାୟ କେଉଁଠାରେ ଯଥେଷ୍ଟ ଫଳ ମିଳିନାହିଁ । ତଥାପି ପ୍ରତିକାର ହିସାବରେ ଆମକୁ ଏହି କାର୍ଯ୍ୟକ୍ରମଟି ଉପରେ ଜୋର୍‌ ଦେବାକୁ ହିଁ ପଡ଼ିବ ଓ ତାହାକୁ ସଫଳ କରିବାର ଉପାୟମାନ ଚିନ୍ତା କରିବାକୁ ପଡ଼ିବ ।

 

ତା ୦୩.୦୮.୧୯୭୬ ରିଖ

Image

 

ତୃତୀୟ ପୃଥିବୀ ଓ ସହଯୋଗ

 

ଅର୍ଥନୈତିକ ବିକାଶ ଦୃଷ୍ଟିରୁ ଯଦି ଆଧୁନିକ ପୃଥିବୀର ଏକ ସମୀକ୍ଷା କରାଯାଏ, ତେବେ ଏଥିରେ କୌଣସି ସନ୍ଦେହ ରହିବ ନାହିଁ ଯେ ପୃଥିବୀରେ ବିକାଶମୁଖୀ ଦେଶଗୁଡ଼ିକର ସଂଖ୍ୟାଠାରୁ ଅନେକ ବେଶୀ । ଏହି ବିକାଶମୁଖୀ ଦେଶମାନେ ପ୍ରଥମେ ବର୍ତ୍ତମାନର ବିକଶିତ ଏବଂ ଅଗ୍ରଗାମୀ ଦେଶଗୁଡ଼ିକର ଉପନିବେଶ ହୋଇ ରହିଥିଲେ । ସେଗୁଡ଼ିକ ଲାଗି କଞ୍ଚାମାଲ ଯୋଗାଇ ଦେଉଥିଲେ । ଶସ୍ତା ଶ୍ରମିକଶକ୍ତି ଯୋଗାଇ ଦେଉଥିଲେ ଏବଂ ଯନ୍ତ୍ରଜାତ ଦ୍ରବ୍ୟଗୁଡ଼ିକ ଲାଗି ଏକ ସହଜଲଭ୍ୟ ବଜାର ମଧ୍ୟ ଯୋଗାଇ ଦେଉଥିଲେ । ବିଂଶ ଶତାଦ୍ଦୀର ଚତୁର୍ଥ ଶତକରୁ ଉପନିବେଶଗୁଡ଼ିକ ରାଜନୀତିକ ସ୍ୱାଧୀନତା ହାସଲ କଲେ । ତା’ପରେ ସେଗୁଡ଼ିକର ଅର୍ଥନୀତିକୁ ନୂତନ କରି ଗଢ଼ିବାର ବେଳ ଆସିଲା । ସେଥିଲାଗି ମୂଳଧନ ଦରକାର ହେଲା; ଯନ୍ତ୍ରକୌଶଳ ଦରକାର ହେଲା ଓ ଆଧୁନିକ ଯନ୍ତ୍ରବିଦ୍ୟାରେ ପ୍ରଶିକ୍ଷିତ କାରିଗର ଦରକାର ହେଲେ, ଏବଂ ସେହିସବୁ ଲାଗି ନବସ୍ୱାଧୀନ ଦେଶ ଗୁଡ଼ିକୁ ବିକଶିତ ରାଷ୍ଟ୍ର ଗୁଡ଼ିକ ଉପରେ ନିର୍ଭର କରିବାକୁ ପଡ଼ିଲା । ଦ୍ୱିତୀୟ ମହାଯୁଦ୍ଧ ପରେ ସମଗ୍ର ପୃଥିବୀରେ ପାରସ୍ପରିକ ସହଯୋଗର ଯେଉଁ ନୂତନ ପର୍ଯ୍ୟାୟ ଆସି ପହଞ୍ଚିଲାପରି ବୋଧ ହେଉଥିଲା, ତାହାରି ଫଳରେ ପୃଥିବୀରେ ଅର୍ଥନୈତିକ ସହଯୋଗର ପରିବେଶ ମଧ୍ୟ ବଢ଼ିବ ବୋଲି ଅନେକ ଆଶା ବି କରାଯାଇ ପାରିଲା ।

 

ଆନ୍ତର୍ଜାତିକ ଆଲୋଚନା ଓ ଆନ୍ତର୍ଜାତିକ ସହଯୋଗର ସର୍ବପ୍ରଧାନ ସନ୍ତକରୂପେ ସଂଯୁକ୍ତ ରାଷ୍ଟ୍ରସଂଘର ଗଠନ ହେଲା । ବିକାଶମୁଖୀ ଦେଶଗୁଡ଼ିକ ଲାଗି ବିକଶିତ ଦେଶଗୁଡ଼ିକର ସାହାଯ୍ୟ ଯେପରି ପ୍ରକୃଷ୍ଟରୂପେ କାମରେ ଲାଗିପାରିବ, ସେଥିଲାଗି ଜାତିସଂଘରେ ସ୍ୱତନ୍ତ୍ର ଶାଖା ଅନୁଷ୍ଠାନମାନ ରହିଲା । ମାତ୍ର ତା’ପରେ ନାନା କାରଣରୁ ପୃଥିବୀରେ ମେଣ୍ଟର ଯୁଗ ଆସିଲା, ଦ୍ୱିପକ୍ଷୀୟ ସାହାଯ୍ୟକୁ ହିଁ ଅଧିକ ଲାଭଜନକ ବୋଲି ମନେ କରାଗଲା ଏବଂ ଦାତା ଓ ଗ୍ରହୀତା ଉଭୟେ ଉନ୍ନୟନମୂଳକ ସାହାଯ୍ୟ ଅପେକ୍ଷା ସାମରିକ ସାହାଯ୍ୟକୁ ହିଁ ଅଧିକ ମନ କଲେ, ସେଥିଲାଗି ଅଧିକ ଉତ୍ସାହ ଦେଖାଇଲେ । ଏହି ଶୀତଳଯୁଦ୍ଧ ଫଳରେ ବିକାଶମୁଖୀ ଦେଶଗୁଡ଼ିକ ହିଁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେଲେ । ଉନ୍ନୟନ ବ୍ୟାହତ ହେଲା, ଲୋକନିର୍ମାଣର କାର୍ଯ୍ୟକ୍ରମ ଭିତରେ କ୍ଷମତା ରାଜନୀତି ପଶିଗଲା ।

 

ଅତ୍ୟନ୍ତ ସୁଖର କଥା ଯେ ବିକାଶମୁଖୀ ଦେଶମାନେ ଏହି କଥାଟିକୁ କ୍ରମେ ଅଧିକରୁ ଅଧିକ ପରିମାଣରେ ହୃଦୟଙ୍ଗମ କରୁଛନ୍ତି । ବିକଶିତ ରାଷ୍ଟ୍ରଗୁଡ଼ିକ ଉପରେ ଏକାନ୍ତ ନିର୍ଭରଶୀଳ ହୋଇ ରହିଥିବା ପର୍ଯ୍ୟନ୍ତ ସେମାନଙ୍କର ବିକାଶ ଯେ ଆଦୌ ଯଥେଷ୍ଟ ତ୍ୱରାନ୍ୱିତ ହୋଇ ପାରିବନାହିଁ, ସେମାନେ ସେକଥା ବୁଝିଲେଣି । ତେଣୁ ସେମାନେ କ୍ରମେ ପରସ୍ପର ଉପରେ ନିର୍ଭର କରିବାର ଉପାୟମାନ ଚିନ୍ତା କରୁଛନ୍ତି । ଗତ ଏପ୍ରିଲ ମାସରେ କିଉବାର ରାଜଧାନୀ ହାଭାନାଠାରେ ହୋଇଥିବା ବିକାଶମୁଖୀ ରାଷ୍ଟ୍ରମାନଙ୍କର ଏକ ସମ୍ମିଳନୀରେ ଏହି ବିଷୟରେ ନିର୍ଦ୍ଦିଷ୍ଟ ଆଲୋଚନାମାନ କରାଯାଇଛି । ବିକାଶଶୀଳ ଦେଶଗୁଡ଼ିକରେ ଉନ୍ନୟନମୂଳକ କାର୍ଯ୍ୟ ଲାଗି ବିକଶିତ ରାଷ୍ଟ୍ରମାନଙ୍କର ମରଜି ଉପରେ ନିର୍ଭର କରିବା ଦ୍ୱାରା ଯେ ଖୁବ୍‌ ବେଶୀ ଫଳ ମିଳିନାହିଁ ତାହା ସମସ୍ତେ ସ୍ୱୀକାର କରିଛନ୍ତି । ସେହି ନିର୍ଭରଶୀଳତା ଦ୍ୱାରା ବିକାଶଶୀଳ ରାଷ୍ଟ୍ରଗୁଡ଼ିକ ପ୍ରାୟ ବାଧ୍ୟ ହେଲାପରି ଅନାବଶ୍ୟକ ଆନ୍ତର୍ଜାତିକ ରାଜନୀତିକ ପ୍ରତିଦ୍ୱନ୍ଦ୍ୱିତା ଭିତରେ ଗୁଡ଼ାଇତୁଡ଼ାଇ ହୋଇଯାଇଛନ୍ତି । ପ୍ରକୃତ ଅଗ୍ରାଧିକାରଗୁଡ଼ିକୁ ଯଥେଷ୍ଟ ଅଗ୍ରାଧିକାର ଦେବାର ବୁଦ୍ଧିଟିକୁ ମଧ୍ୟ ଅନେକ ସମୟରେ ସେମାନେ ହରାଇ ବସିଛନ୍ତି ।

 

ଏଇ ବିକାଶକାମୀ ଦେଶ ହିସାବରେ ଭାରତବର୍ଷ ଯେ ଏହି କ୍ଷେତ୍ରରେ ଏକ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ, ଆଦୌ କୌଣସି ସନ୍ଦେହ ନାହିଁ । ବର୍ତ୍ତମାନ ମଧ୍ୟ ଭାରତବର୍ଷର କୋଡ଼ିଏ ହଜାର ବିଶେଷଜ୍ଞ ପୃଥିବୀର ବିଭିନ୍ନ ଦେଶରେ ବିଭିନ୍ନ ପରିକଳ୍ପନାରେ କାର୍ଯ୍ୟ କରୁଛନ୍ତି । ଏହି ଦିଗରେ ଭାରତ ବିକାଶମୁଖୀ ଦେଶଗୁଡ଼ିକ ମଧ୍ୟରେ ସର୍ବପ୍ରଥମ ସ୍ଥାନରେ ରହିଛି ଏବଂ ସମଗ୍ର ପୃଥିବୀରେ ଚତୁର୍ଥ ସ୍ଥାନରେ ରହିଛି । ହାଭାନାର ସମ୍ମିଳନୀରେ ସ୍ଥିର କରାହୋଇଛି ଯେ ବିକାଶଶୀଳ ଦେଶଗୁଡ଼ିକ ମଧ୍ୟରେ ଯାନ୍ତ୍ରିକ କୌଶଳର ପାରସ୍ପରିକ ଆଦାନପ୍ରଦାନକୁ ସୁସଂଗଠିତ କରି ପାରିବାଭଳି ଭାରତବର୍ଷରେ ଏହାର ଏକ ଆଞ୍ଚଳିକ କେନ୍ଦ୍ର ରହିବ । ଏଥିଲାଗି ଆବଶ୍ୟକ ଜମି, ଘରବାଡ଼ି ଏବଂ ଅନ୍ୟାନ୍ୟ ପୂର୍ବପ୍ରସ୍ତୁତି ସକାଶେ ଯାହା ଖର୍ଚ୍ଚ ଦରକାର, ଭାରତବର୍ଷ ସେଥିଲାଗି ଏହା ଭିତରେ ଦଶଲକ୍ଷ ଡଲାର ଦେଇସାରିଲାଣି ।

 

ବିକଶିତ ଦେଶମାନଙ୍କରୁ ଯାନ୍ତ୍ରିକ ଓ କାରିଗରୀ ସାହାଯ୍ୟ ପାଇବା ଦିଗରେ ବିକାଶଶୀଳ ରାଷ୍ଟ୍ରମାନେ ଗତ ଦଶବର୍ଷ ହେଲା ବର୍ଷକୁ ହାରାହାରି ପ୍ରାୟ ଶହେ କୋଟି ଡଲାର ଖର୍ଚ୍ଚକରି ଆସିଛନ୍ତି । କହିବା ବାହୁଲ୍ୟ ଯେ ବିକଶିତ ଦେଶଗୁଡ଼ିକ ଆପଣାର ସର୍ବୋଚ୍ଚ କୋଟୀର ପ୍ରଶିକ୍ଷିତମାନଙ୍କୁ ଆପଣ ଦେଶର ଉତ୍ପାଦନ କ୍ଷେତ୍ରରେ ହିଁ ନିଯୁକ୍ତ କରିଛନ୍ତି ଓ କେବଳ ଦ୍ୱିତୀୟ ଶ୍ରେଣୀର କାରିଗରମାନଙ୍କୁ ବିକାଶଶୀଳ ଦେଶମାନଙ୍କୁ ପଠାଇଛନ୍ତି । ଏହିସବୁ ନାନା କାରଣରୁ ଏହି ବ୍ୟବସ୍ଥାଟି ଦ୍ୱାରା ବିକାଶଶୀଳ ଦେଶମାନେ ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି ଓ ତେଣେ ଅଭିଳଷିତ ସର୍ବୋତ୍କୃଷ୍ଟ ସାହାଯ୍ୟଟିକୁ ମଧ୍ୟ ପାଇପାରୁନାହାନ୍ତି । ଏହିସବୁ ବିଷୟରୁ ରକ୍ଷା ପାଇବା ଲାଗି ତୃତୀୟ ପୃଥିବୀ ପାରସ୍ପରିକ ସହଯୋଗର ଯେଉଁ ନୂତନ ସମ୍ଭାବନାଟିର ଉଦ୍‌ଘାଟନ କରି ବାହାରିଛନ୍ତି, ତାକୁ ପ୍ରକୃଷ୍ଟ ରୂପେ କାର୍ଯ୍ୟକାରୀ କରିପାରିବାରେ ଅନେକ ପ୍ରାଥମିକ ଅସୁବିଧାମାନ ରହିଛି ସତ, ମାତ୍ର ଏହା ଯେ ଆମ ପୃଥିବୀକୁ ଏକ ନୂତନ ଦିଗ୍‌ଦର୍ଶନ ଦେବାକୁ ଯାଉଛି ଓ ବିଶ୍ୱ-ରାଜନୀତିକୁ ମଧ୍ୟ ପ୍ରଭାବିତ କରିବାକୁ ଯାଉଛି, ସେଥିରେ କୌଣସି ସନ୍ଦେହ ନାହିଁ ।

 

ତା ୦୬.୦୮.୧୯୭୬ ରିଖ

Image

 

ତିରିଶ ହଜାର କୋଟି

 

ଆମର ଏହି ସାନ ପୃଥିବୀଟିରେ ଅନେକ ଦେଶ, ଅନେକ ରାଷ୍ଟ୍ର, ଅନେକ ଆଦର୍ଶ ଓ ଅନେକ ବାଦ । ଆଗ କାଳରେ ମଧ୍ୟ ଏଠାରେ ଅନେକ ଆଦର୍ଶ ଓ ଅନେକ ବାଦ ରହିଥିଲା ସତ, ମାତ୍ର ଆଦର୍ଶଗୁଡ଼ାକ ରାଷ୍ଟ୍ରୀୟତା ସହିତ ସାଧାରଣତଃ ଗଅଁଠାଇ ହୋଇ ରହିନଥିଲା । ତେଣୁ କ୍ଷମତାଠାରୁ ଦୂରରେ ରହିଥିଲା । ଏହା ଫଳରେ ସେଗୁଡ଼ାକ ଆମ ପୃଥିବୀ ଲାଗି ସେତେ ବିପଜ୍ଜନକ ନଥିଲା । ପୁଣି ଭୌଗୋଳିକ ଦୂରତାମାନ ସେତେବେଳେ ଏକ ସମସ୍ୟା ହୋଇ ରହିଥିବାରୁ କ୍ଷମତାଶୀଳ ଶାସକ ଓ ରାଷ୍ଟ୍ରଶକ୍ତିମାନଙ୍କର ଦୌରାତ୍ମ୍ୟ ମଧ୍ୟ ଆଦୌ ଏତେ ବେଶୀ ଉତ୍କଟ ହେଉନଥିଲା । ନେପୋଲିଅନ୍‌, ଜୁଲିଅସ୍‌ ସିଜର୍‌ ଓ ଚେଙ୍ଗିଜ୍‌ ଖାଁ, ଏମାନେ ସେଯୁଗର ଲୋକଜୀବନରେ ବ୍ୟତିକ୍ରମ ହୋଇ ରହିଥିଲେ ।

 

ଏ ଯୁଗରେ ସବୁକିଛି ଅନେକ ବଦଳି ଗଲାଣି; ଆହୁରି ବଦଳି ଯିବାରେ ଲାଗିଛି । ଲୋକଜୀବନ କହିଲେ ରାଷ୍ଟ୍ରଦ୍ୱାରା ନିୟନ୍ତ୍ରିତ ଜୀବନକୁ ବୁଝାଉଛି । ବୈଜ୍ଞାନିକ ବୁଦ୍ଧି ଓ ଯନ୍ତ୍ରକୌଶଳର ଅନୁଗ୍ରହରୁ ଏହି ନିୟନ୍ତ୍ରଣଗୁଡ଼ାକ ଯଥାସମ୍ଭବ ଅଧିକ ଉତ୍କଟ ମଧ୍ୟ ହୋଇ ପାରୁଛି । ପୃଥିବୀରେ ବୃହତ୍‌ରାଷ୍ଟ୍ର ଅଛନ୍ତି, କ୍ଷୁଦ୍ର ରାଷ୍ଟ୍ରଗୁଡ଼ିକ ମଧ୍ୟ ଅଛନ୍ତି । ବୃହତ୍‌ରାଷ୍ଟ୍ରମାନଙ୍କୁ ବିଶ୍ୱରାଜନୀତିରେ ବୃହତ୍‌ଶକ୍ତି ବୋଲି କୁହାଯାଉଛି । ବୃହତ୍‌ଶକ୍ତି ଅର୍ଥାତ୍‌ ଅତିରିକ୍ତ ପରିମାଣରେ ଯୁଦ୍ଧାସ୍ତ୍ର ଓ ଯୁଦ୍ଧ ସରଞ୍ଜାମର ଉତ୍ପାଦନ କରୁଥିବା ଓ ସେଗୁଡ଼ିକର ଅଧିକାରୀ ହୋଇ ବସିଥିବା ରାଷ୍ଟ୍ରଶକ୍ତି । ତଥାକଥିତ କ୍ଷୁଦ୍ର ଶକ୍ତିମାନେ ଆପଣାର ଅସ୍ତିତ୍ୱଗତ ନିରାପତ୍ତାଲାଗି ଅନେକ ସମୟରେ ସେହି ବୃହତ୍‌ଶକ୍ତିମାନଙ୍କ ଉପରେ ନିର୍ଭର କରୁଛନ୍ତି, ଆପଣାକୁ ସୁରକ୍ଷିତ ରଖିବା ଲାଗି ସେହିମାନଙ୍କର ଅନୁଗାମୀ ହୋଇ ରହିଛନ୍ତି, ନାନାପ୍ରକାରେ ସେହିମାନଙ୍କ ଉପରେ ନିର୍ଭର କରି ରହିଛନ୍ତି । ଏହି ନିର୍ଭରଶୀଳତା କ୍ଷୁଦ୍ରମାନଙ୍କୁ ଅଧିକ ନିର୍ଭରଶୀଳ କରିବାରେ ଲାଗିଛି, ସେମାନଙ୍କୁ ଅଧିକ ଦୁର୍ବଳ କରି ପକାଉଛି ଏବଂ ଅନ୍ୟ ପକ୍ଷରେ, ଠିକ୍‌ ସେହି ନ୍ୟାୟଟି ଅନୁସାରେ ବୃହତ୍‌ମାନେ ଅଧିକ ବୃହତ୍‌ ଓ ଅଧିକ ବଳଶାଳୀ ହେବାରେ ଲାଗିଛନ୍ତି । ଆଧୁନିକ ପୃଥିବୀର ଅତୁଳ ସମ୍ପଦ ସତ୍ତ୍ୱେ ପୃଥିବୀ ଦିନକୁଦିନ ଅଧିକ ବିପନ୍ନ ହେବାରେ ଲାଗିଛି ।

 

ଜାତିସଂଘର ଏକ ଅନୁଧ୍ୟାନ ରିପୋର୍ଟରୁ ଏବେ ଜାଣିବାକୁ ମିଳୁଛି ଯେ ୧୯୭୭ ମସିହା ବେଳକୁ ସମଗ୍ର ପୃଥିବୀରେ ଅସ୍ତ୍ରଶସ୍ତ୍ର ବାବଦକୁ ଖର୍ଚ୍ଚ ପ୍ରାୟ ତିରିଶି ହଜାର କୋଟି ଡଲାରରେ ଆସି ପହଞ୍ଚି ଯାଇଥିବ । ପୁଣି, ପରବର୍ତ୍ତୀ ପାଞ୍ଚରୁ ଆଠବର୍ଷ ଭିତରେ ଏହି ଖର୍ଚ୍ଚ ଦୁଇଗୁଣ ହୋଇଯାଇପାରେ ବୋଲି ମଧ୍ୟ ଆଶଙ୍କା କରାଯାଉଛି । ରିପୋର୍ଟରେ ଦୁଃଖପ୍ରକାଶ କରି କୁହାଯାଇଛି ଯେ ପୃଥିବୀବ୍ୟାପୀ ସାମରିକ କାର୍ଯ୍ୟକ୍ରମଗୁଡ଼ାକ ବର୍ତ୍ତମାନ ଏତେଦୂର ଆଗେଇଯାଇଛି ଯେ ବିକାଶମୂଳକ କାର୍ଯ୍ୟକ୍ରମ ଓ ସର୍ବୋପରି ଜନସଂଖ୍ୟା ନିୟନ୍ତ୍ରଣର କାର୍ଯ୍ୟକ୍ରମ ତଦ୍ଦ୍ୱାରା ଅନେକ ପରିମାଣରେ ବାଧାପ୍ରାପ୍ତ ହେଉଛି । ଗବେଷଣା କ୍ଷେତ୍ରରେ ମଧ୍ୟ ସାମରିକ ଗବେଷଣା ବାବତରେ ଖର୍ଚ୍ଚ ବର୍ତ୍ତମାନ ସର୍ବାଗ୍ର ସ୍ଥାନ ଅଧିକାର କରିଛି । ଏଥିରେ ବର୍ଷକୁ ପ୍ରାୟ କୋଡ଼ିଏ ହଜାର କୋଟି ଖରଚ ହେଉଛି ଓ ଏଥିଲାଗି ଶିଳ୍ପ କ୍ଷେତ୍ରରେ ଅଧିକ ଉନ୍ନତ ରାଷ୍ଟ୍ରମାନଙ୍କରେ ପ୍ରାୟ ଚାରିଲକ୍ଷ ବୈଜ୍ଞାନିକ ଏବଂ ଇଂଜିନିଅରଙ୍କୁ ନିଯୁକ୍ତ କରି ରଖାଯାଇଛି । ଇଉରୋପରେ କେତେକ ବୃହତ୍‌ଶକ୍ତି ଓ ଆମେରିକା ମିଶି ୧୯୭୦ରୁ ୧୯୭୨ ଭିତରେ ବାର୍ଷିକ ହାରାହାରି ପ୍ରାୟ ବାର ହଜାର କୋଟି ଡଲାର ଯୁଦ୍ଧ ଖର୍ଚ୍ଚରେ ଲଗାଇଛନ୍ତି ଏବଂ ଏକ ତୁଳନାତ୍ମକ ଦୃଷ୍ଟିରୁ ଦେଖିଲେ, ଏହି ରାଷ୍ଟ୍ରଗୁଡ଼ିକ ଉନ୍ନୟନମୂଳକ ସାହାଯ୍ୟ ବାବତକୁ ହାରାହାରି ମାତ୍ର ଏଗାରଶହ କୋଟି ଟଙ୍କା ବ୍ୟୟ କରିଛନ୍ତି ।

 

ବୃହତ୍‌ଶକ୍ତିମାନେ ଗୋଟିଏ ଆଡ଼କୁ ଭୟ କରୁଛନ୍ତି । ସେମାନେ ପରସ୍ପର ଦ୍ୱାରା ସଂନ୍ତ୍ରସ୍ତ ହୋଇ ରହିଛନ୍ତି ଏବଂ ସେହି ଅନୁସାରେ ପୃଥିବୀର ଅନ୍ତଃରାଷ୍ଟ୍ରୀୟ ରାଜନୀତି ପ୍ରଧାନତଃ ଭୟର ରାଜନୀତି ହୋଇ ରହିଛି । ଏହି ବୃହତ୍‌ଶକ୍ତିମାନେ ପରସ୍ପରକୁ ଭୟ କରି ହିଁ ସାମରିକ ମେଣ୍ଟମାନ ଗଠନ କରିଛନ୍ତି ଏବଂ ଯେଉଁ ପକ୍ଷରେ ଯେତେବଡ଼ ସୈନ୍ୟବାହିନୀ ଓ ଯେତେ ଉତ୍କଟ ମାରଣାସ୍ତ୍ରମାନ ରହିବ, ସିଏ ସେତିକି ଅଧିକ ସୁରକ୍ଷିତ ହୋଇ ରହିବ ବୋଲି ପ୍ରାୟ ବିଭ୍ରାନ୍ତଙ୍କ ପରି ବିଶ୍ୱାସ କରୁଛନ୍ତି । ସେହି ବିଭ୍ରାନ୍ତି ପୃଥିବୀଯାକକୁ ଖାଇଯିବାରେ ଲାଗିଛି । ବଡ଼ ରାଷ୍ଟ୍ରମାନଙ୍କଠାରୁ ଶିଖି ଓ ସେହିମାନଙ୍କ ପରାମର୍ଶରେ ପଡ଼ି ସାନ ରାଷ୍ଟ୍ରମାନେ ବି କ୍ରମେ ଅସ୍ତ୍ରଶସ୍ତ୍ର ଉପରେ ଅଧିକ ଭରସା କରି ଶିଖଲେଣି । ଅନେକ ଦେଶରେ ଶତାଦ୍ଦୀ ଶତାଦ୍ଦୀ ଧରି ଅଶିକ୍ଷା, ଅନାହାର ଏବଂ ବ୍ୟାଧି ଅଧିକସଂଖ୍ୟକ ଲୋକଙ୍କର ଜୀବନରେ ଚିର ସହଚର ହୋଇ ରହିଛି । ମାତ୍ର ସେହିସବୁ ଦେଶର ରାଷ୍ଟ୍ରୀୟ କର୍ତ୍ତାମାନେ ମଧ୍ୟ ଅସ୍ତ୍ର ବଢ଼ାଇ, ମେଣ୍ଟରେ ପଶି ଆପଣାର ସ୍ଥାନକୁ ଦୃଢ଼ କରିବାରେ ଲାଗିଛନ୍ତି । ଅସ୍ତ୍ରଶସ୍ତ୍ରଗୁଡ଼ାକ ଦ୍ୱାରା ହିଁ ନ୍ୟାୟ ଅନ୍ୟାୟର ବିଚାର ହେଇଛି । ସମସ୍ୟାଗୁଡ଼ାକର ସମାଧାନ କରି ବସିଲାବେଳକୁ ବନ୍ଧୁକଗୁଡ଼ାକ ପାଖକୁ ଆଗ ହାତ ବାହାରିଯାଉଛି ।

 

ଏସବୁର ଅନ୍ତ କେଉଁଠି ? ଖାଲି ରାଜନୀତି ଯେ ରାଜନୀତିକୁ ନିର୍ଭୁଲ ଭାବରେ ଚଳାଇ ପାରିବନାହିଁ, ଖାଲି ଅସ୍ତ୍ରଶସ୍ତ୍ରର ପରସ୍ପର ମୁକାବିଲା ଦ୍ୱାରା ଯେ ପୃଥିବୀରେ ଶାନ୍ତିପ୍ରତିଷ୍ଠା କଦାପି ହେଉନାହିଁ, ଆଧୁନିକ ଇତିହାସରୁ ଅଧିକରୁ ଅଧିକ ମନୁଷ୍ୟ କ୍ରମେ ସେହିକଥା ଶିଖୁଛନ୍ତି । ତାହାହିଁ ଆମ ପୃଥିବୀ ଲାଗି ପ୍ରାୟ ଏକମାତ୍ର ଆଶାର କଥା, ଏକମାତ୍ର ଭରସାର ସ୍ଥଳ । ପୃଥିବୀକୁ ମଣିଷଲାଗି ଅଧିକ ସୁନ୍ଦର କରି ଗଢ଼ିବାରେ ଆଗ୍ରହ ଯେତିକି ବୃଦ୍ଧି ପାଉଥିବ, ଅସ୍ତ୍ର ଆଡ଼କୁ ଆଗ୍ରହ ଓ ଅସ୍ତ୍ର ଉପରେ ବିଶ୍ୱାସ ସେତିକି ହ୍ରାସ ହେବାରେ ଲାଗିଥିବ ବୋଲି ପ୍ରକୃତରେ କୁହାଯାଇପାରିବ କି ?

 

ତା ୦୭.୦୮.୧୯୭୬ ରିଖ

Image

 

Unknown

ଚୀନରେ ଭୂକମ୍ପ

 

ଚୀନରେ ଏବେ ପ୍ରବଳ ଭୂକମ୍ପ ହୋଇଯାଇଛି । ଲକ୍ଷ ଲକ୍ଷ ମନୁଷ୍ୟ ମୃତାହତ ହୋଇଛନ୍ତି । ଏକଥା ଭୂକମ୍ପ-ବିଜ୍ଞାନ କେନ୍ଦ୍ରଗୁଡ଼ିକରୁ ଚୀନଦେଶର ବାହାରେ ଆଗ ଜଣାପଡ଼ିବା ପରେ ଯାଇ ଚୀନଦେଶର ସରକାରୀ ରେଡ଼ିଓରୁ ଆମେ ସେକଥା ଜାଣିବାକୁ ପାଇଲୁ । ସେଥିଲାଗି ବିଜ୍ଞାନର ଏହି ବିଶ୍ୱାୟତନତାକୁ ହିଁ ସର୍ବପ୍ରଥମେ ଧନ୍ୟବାଦ ଦେବାକୁ ପଡ଼ିବ ।

 

ଘରେ ନିଆଁ ଲାଗିଗଲେ ସମସ୍ତେ ସାହାଯ୍ୟ ଲାଗି ହୁରି ପକାନ୍ତି । ଗାଆଁଯାକ ସମସ୍ତେ ଏହି ବିପଦରେ କିଛି ନା କିଛି ସାହାପକ୍ଷ ହେବାଲାଗି ଦୌଡ଼ିଆସନ୍ତି । ଘର ଓ ପର ପ୍ରାୟ କୌଣସି ଭେଦ ରହେ ନାହିଁ । ବିପଦବେଳେ ହିଁ ମନୁଷ୍ୟ ତା’ର ପ୍ରତିବେଶୀକୁ ଲୋଡ଼େ, ଗୋଟଏ ସମୂହ ଆଉ ଗୋଟିଏ ସମୂହକୁ ଲୋଡ଼େ । ଗୋଟିଏ ଦେଶ ବି ଆଉ ଗୋଟିଏ ଜାତିକୁ ଲୋଡ଼ିଥାଏ । ପୃଥିବୀରେ ଭୌଗୋଳିକ ଦୂରତାଗୁଡ଼ାକ ବିଜ୍ଞାନ ଓ ବୈଜ୍ଞାନିକ ସଂଯୋଗ ସ୍ଥାପନ ଫଳରେ ଯେତିକି ଯେତିକି ହ୍ରାସ ହୋଇ ଆସୁଛି, ପୃଥିବୀର ଗୋଟିଏ ଦେଶ ବା ଗୋଟିଏ ଜନଗୋଷ୍ଠୀ ଆଉ ଗୋଟିଏ ଦେଶ ଓ ଜନଗୋଷ୍ଠୀକୁ ସାହାଯ୍ୟ କରିବାର ପ୍ରବୃତ୍ତି ମଧ୍ୟ ସେତିକି ଅଧିକ ହେବାରେ ଲାଗିଛି । ଏହା ଅତ୍ୟନ୍ତ ସ୍ୱାଭାବିକ ଭାବରେ ହେଉଛି, ପୂର୍ବ କାଳର ମଣିଷର ଛୋଟ ମନର ସୀମା-ସଚେତନତାଗୁଡ଼ାକୁ ଭାଙ୍ଗି ଦେଇ ଯାଉଛି । ଏହାକୁ ଆଧୁନିକ କାଳର ଏକ ସୁସ୍ଥ ଓ ଶୁଭ ଲକ୍ଷଣ ବୋଲି କୁହାଯାଉଛି । ଆଧୁନିକ ମନୁଷ୍ୟ ଲାଗି ଆଧୁନିକ ପୃଥିବୀ ଓ ଆଧୁନିକ ବିଜ୍ଞାନର ହୁଏତ ସର୍ବଶ୍ରେଷ୍ଠ ବରଦାନ ବୋଲି କୁହାଯାଉଛି ।

 

ତେଣୁ ଚୀନରେ ପ୍ରବଳ ଭୂମିକମ୍ପ ହେଲା ବୋଲି ଯେପରି ଯନ୍ତ୍ରଗୁଡ଼ାକ ସାହାଯ୍ୟରେ ବାହାର ପୃଥିବୀ ଜାଣିବାକୁ ପାଇଲା, ସେତେବେଳେ ଅନେକ ସ୍ଥାନରେ ଅନେକ ଲୋକ ବ୍ୟଥିତ ହୋଇପଡ଼ିଲେ, ସହଜପ୍ରବୃତ୍ତ ହୋଇ ସହାନୁଭୂତି ପ୍ରକାଶ କଲେ, ସମଦୁଃଖୀ ହେବାକୁ ଇଚ୍ଛା କଲେ-। ଗତ କେତେବର୍ଷ ଭିତରେ ଯୁଗୋସ୍ଲାଭିଆ, ଚିଲି ଓ ତୁରସ୍କରେ ଭୂମିକମ୍ପ ହେଲାବେଳେ ଯାହା ଘଟିଥିଲା, ଚୀନରେ ଭୂମିକମ୍ପ ହେଲାବେଳକୁ ମଧ୍ୟ ଠିକ୍‌ ସେହିକଥା ଘଟିଲା । ଭାରତର ପ୍ରଧାନମନ୍ତ୍ରୀ ସମବେଦନା ପ୍ରକାଶ କରି ବାର୍ତ୍ତା ପଠାଇଲେ । ଆହୁରି କେତେ ରାଷ୍ଟ୍ର ତ୍ରାଣସାହାଯ୍ୟ ପଠାଇବାକୁ ଚିନ୍ତା କଲେ । ଚୀନ ସରକାରଙ୍କ ପକ୍ଷରୁ ଘୋଷଣା କରାଗଲା ଯେ ଚୀନବାସୀ ଏହି ବିପର୍ଯ୍ୟୟର ଆପଣା ବଳରେ ସମ୍ମୁଖୀନ ହେବାକୁ ବଦ୍ଧପରିକର, ତେଣୁ ବାହାରର କୌଣସି ସାହାଯ୍ୟ ସେମାନଙ୍କର ଦରକାର ନାହିଁ । ଭୂମିକମ୍ପର କ୍ଷୟକ୍ଷତି ସୁମାରି କରିବା ଲାଗି ଯେଉଁ ବିଦେଶୀ ସାମ୍ୱଦିକମାନେ ରାଜଧାନୀ ପିକିଙ୍ଗ୍‌ ଅଞ୍ଚଳକୁ ଯାଇଥିଲେ, ସେମାନଙ୍କୁ ପାରମ୍ପରିକ ଭଦ୍ରଭାବରେ ସେଠାରୁ ବାହାରି ଆସିବାକୁ ନିର୍ଦ୍ଦେଶ ଦିଆଗଲା । ଅର୍ଥାତ୍‌, ଆମ ସାଂପ୍ରତିକ ପୃଥିବୀର ଇତିହାସରେ ଯାହା କେବେ ଘଟି ନଥିଲା, ଚୀନ ବେଳକୁ ତାହା ଘଟିଲା ।

 

କିନ୍ତୁ କାହିଁକି ଘଟିଲା ? ଆତ୍ମନିର୍ଭରଶୀଳତା ଓ ଆତ୍ମବିଶ୍ୱାସ ଯେ ବୀରର ଗୁଣ, ଏଥିରେ ଆଦୌ କୌଣସି ସନ୍ଦେହ ନାହିଁ । ୧୯୪୯ ମସିହାରେ ନୂତନ ଚୀନର ସ୍ଥାପନା ପରେ ଚୀନ ଯେପରି ଦୃଢ଼ବିଶ୍ୱାସ ଏବଂ ଅବିଚଳିତ ଭବିଷ୍ୟଦୃଷ୍ଟି ସହିତ ଗୋଟିଏ ଏତେବଡ଼ ଜନସମୂହକୁ ଗଡ଼ି ଆସିଛି, ପ୍ରାୟ ଏକ ସୁନିୟନ୍ତ୍ରିତ ପରୀକ୍ଷାଗାର ମଧ୍ୟରେ ଆପଣାର ସାମାଜିକ ଆଦର୍ଶଟିକୁ କାର୍ଯ୍ୟକାରୀ କରି ଆସିଛି, ତାହା ଆଗାମୀ ଅନେକ ବର୍ଷ ପର୍ଯ୍ୟନ୍ତ ସମୀକ୍ଷକମାନଙ୍କୁ ବିସ୍ମିତ କରିଦେଉଥିବ । ତଥାପି ସେହି ପ୍ରୟୋଗ ଏବଂ ପ୍ରୟାସରେ ଏତେ ପରଭୟ କାହିଁକି ପଶିକରି ରହିବ ? ଚୀନ ଇତିହାସର ଅଫିମଯୁଦ୍ଧ ଠାରୁ ଆରମ୍ଭ କରି ଆମେରିକାର ଫର୍ମୋଜା ଅଭିନୟ ପର୍ଯ୍ୟନ୍ତ ବାହାର ପୃଥିବୀର ଏକାଧିକ ନ୍ୟସ୍ତସ୍ୱାର୍ଥ ଯେପରି ଭାବରେ ଚୀନ ସହିତ ବିଶ୍ୱାସଘାତକତା କରି ଆସିଛନ୍ତି, ସେଥିରୁ ଆମେ ଚୀନ-ରାଜନୀତିର ଏହି ପରିତ୍ରାସକୁ ବେଶ୍‌ ଭଲ କରି ବୁଝିପାରିବା ସିନା, ମାତ୍ର ତାହାକୁ ଯଥାର୍ଥ ଓ ଠିକ୍‌ ବୋଲି କହିପାରିବା କିପରି ? ରାଜନୀତି ଓ ରାଜନୀତିକ ଯୋଜନାଗୁଡ଼ାକର କ୍ଷେତ୍ରପରି ଚୀନ ବିପଦ ସମୟରେ ମଧ୍ୟ କାହିଁକି ତଥାପି କାହାରି ସାହାଯ୍ୟ ନ ଲୋଡ଼ି ଏକୁଟିଆ ଆପଣା କଷ୍ଟକୁ ଓ ଆପଣା କ୍ରୋଧକୁ ଆପେ ପିଇବାର ଅମନୀୟତା ଦେଖାଇବ, ଆଧୁନିକ ମନର ବୁଝିବା ଭଳି ତାହା ପଛରେ ଆଦୌ କୌଣସି କାରଣ ନାହିଁ ।

 

ଚୀନର ପୁରୁଣା ନେତୃତ୍ୱଗୁଡ଼ାକ କ୍ରମେ ପୁରୁଣା ହୋଇଯାଉଛି । ତଥାପି ପୁରୁଣା ପରମ୍ପରାଗୁଡ଼ାକ ସତେ ଯେପରି ନୂଆ ନେତୃତ୍ୱର କାନମୁଣ୍ଡାକୁ କାମୁଡ଼ି କରି ଧରିଛି । ମାନବିକ ସ୍ତରରେ ମିତ୍ରତା ଓ ସମ୍ପର୍କ ଓ ସହଯୋଗ ସ୍ଥାପନ କରି ପୃଥିବୀଯାକ ନାନା ଦେଶରେ ଯଦି ମଣିଷ ରାଜନୀତିକ କଠିନ ସମସ୍ୟାଗୁଡ଼ିକର ସମାଧାନ ଦିଗରେ ମଧ୍ୟ ଆବଶ୍ୟକ ସହଜତା ଅର୍ଜନ କରିପାରିଛି, ତେବେ ଚୀନଦେଶର ଲୋକମାନଙ୍କୁ ମଧ୍ୟ ଚୀନର ସରକାର କାହିଁକି ସେହି ସୁଯୋଗରୁ ବଞ୍ଚିତ କରି ରଖିବେ ?

 

ତା ୦୮.୦୮.୧୯୭୬ ରିଖ

Image

 

ଚାରି ବର୍ଷରେ ଥରେ

 

ଚାରି ବର୍ଷରେ ଥରେ ଗୋଟିଏ ଲେଖାଏ ଅଧିବର୍ଷ ଆସେ । ଏହି ବର୍ଷମାନଙ୍କରେ ବରଷଟି ସହିତ ଦିନଟିଏ ଅଧିକ ଗଣାହୁଏ ଏବଂ ଏହି ଅଧିବର୍ଷଗୁଡ଼ିକରେ ପୃଥିବୀର କୌଣସି ନା କୌଣସିଠାରେ ବିଶ୍ୱସ୍ତରରେ ଏକ କ୍ରୀଡ଼ାପ୍ରତିଯୋଗିତା ଅନୁଷ୍ଠିତ ହୁଏ । ଗ୍ରୀକ୍‌ ଇତିହାସ ବା ପୌରାଣିକ ଉପାଖ୍ୟାନରୁ ଶଦ୍ଦଟିଏ ନେଇ ଏହାକୁ ଆମେ ସମସ୍ତେ ଓଲିମ୍ପିକ୍‌ କ୍ରୀଡ଼ା ବୋଲି କହିଥାଉ । ପ୍ରାଚୀନ ଗ୍ରୀସ୍‌ଦେଶରେ ଓଲିମ୍ପିଆ ପ୍ରାଙ୍ଗଣରେ ଯେଉଁ କ୍ରୀଡ଼ାପ୍ରତିଯୋଗିତା ଅନୁଷ୍ଠିତ ହେଉଥିଲା, ସେଥିରେ ବିଭିନ୍ନ ଦେଶ ଅଂଶଗ୍ରହଣ କରିବାର କୌଣସି ପ୍ରଶ୍ନ ହିଁ ନଥିଲା । କାରଣ ଦେଶ କହିଲେ, ଆମେ ବର୍ତ୍ତମାନ ତାହାକୁ ଯେଉଁ ଅର୍ଥରେ ବୁଝୁ, ସେତେବେଳେ ସେସବୁର ଜନ୍ମ ହିଁ ହୋଇନଥିଲା । ସେତେବେଳେ ଖେଳାଳୀମାନେ ଆସୁଥିଲେ, ପ୍ରତିଯୋଗିତା କରୁଥିଲେ, କ୍ରୀଡ଼ାବିତ୍‌ମାନଙ୍କର ହିଁ ସମାଦର ହେଉଥିଲା, ଅର୍ଥାତ୍‌ କ୍ରୀଡ଼ାର ସମାଦର ହେଉଥିଲା । ଏକ ସୁସ୍ଥ ସୁନ୍ଦର ଶରୀରକୁ ଗ୍ରୀସ୍‌ ସଂସ୍କୃତିରେ ବଡ଼ ଉଚ୍ଚ ସ୍ଥାନ ଦିଆଯାଉ ଥିଲା ।

 

ଏବେ ଓଲିମ୍ପିକ କ୍ରୀଡ଼ା ନାମରେ ପ୍ରତ୍ୟେକ ଚାରି ବର୍ଷରେ ଯେଉଁ ପ୍ରତିଯୋଗିତା ଓ ପୁରସ୍କାର ପ୍ରାପ୍ତିର ବନ୍ଦୋବସ୍ତ କରାଯାଉଛି, ସେଥିରେ ବିଭିନ୍ନ ଦେଶ ଯୋଗଦାନ କରୁଛନ୍ତି; ନିଜ ଦେଶର ପତାକାଗୁଡ଼ିକୁ ଧରି ସମବେତ ପ୍ରତିଯୋଗୀମାନେ ଖେଳ ଆରମ୍ଭରେ ଶୋଭାଯାତ୍ରା କରି ଯାଉଛନ୍ତି । ପୁରସ୍କାରଗୁଡ଼ାକୁ ମନେରଖିଲାବେଳେ ଆମେ ବିଜେତା ବ୍ୟକ୍ତିମାନଙ୍କର ନାମକୁ ହୁଏତ ଏକାବେଳକେ ପାସୋରି ପକାଉଛୁ, ମାତ୍ର ଦେଶଗୁଡ଼ାଙ୍କୁ ହିଁ ବିଜେତା ବୋଲି ମନେରଖୁଛୁ । କ୍ରୀଡ଼ା ଶେଷରେ ଅମୁକ ଦେଶ ଏତେଟା ସୁନା, ଏତେଟା ରୂପା ଓ ଏତେଟା ପିତଳ ପଦକ ପାଇଲା ବୋଲି ଖବରକାଗଜରେ ପ୍ରକାଶ ପାଉଛି । ଏବର୍ଷ ଆମ ଦେଶ କୌଣସି ପଦକ ପାଇଲା ନାହିଁ ବୋଲି ଅଖେଳାଳୀ ଆମେ କେତେ ମଣିଷ ମିଛ ଦୁଃଖ କରୁଛୁ ଅଥବା ଆମ ଦେଶ ଆରଥର ଅପେକ୍ଷା ଅଧିକ ପଦକ ପାଇଲା ବା ବିଶ୍ୱ ରାଜନୀତିରେ ଆମର ପ୍ରତିଦ୍ୱନ୍ଦୀ ସମୁକ ଦେଶ ଅପେକ୍ଷା ଦୁଇଗଣ୍ଡା ଅଧିକ ପଦକ ପାଇଲା ବୋଲି ମିଛ ଗର୍ବ ବି ଅନୁଭବ କରୁଛୁ ।

 

ଏହି ପରମ୍ପରାଟି ଦ୍ୱାରା ପ୍ରଣୋଦିତ ହୋଇ ଗୋଟିଏ ଗୋଟିଏ ଦେଶର ସରକାର ବି ଏବେ କ୍ରୀଡ଼ା ବିଷୟରେ ଅଧିକ ଉତ୍ସାହ ଦେଖାଇଲେଣି, ଅଧିକ ପ୍ରଲୋଭନର ବରାଦ ବି କଲେଣି । ସୁନାପଦକ ପାଇ ଯିଏ ଦେଶ ଲାଗି ଖ୍ୟାତି ଅର୍ଜନ କରୁଛି, ଅନେକ ଦେଶରେ ତା’ ଲାଗି ଘର ତିଆରି କରି ଦିଆଯାଉଛି, ସିଏ କୌଣସି କାମ ନ କଲେ ମଧ୍ୟ ସରକାରଙ୍କ ତରଫରୁ ତା’ ଲାଗି ଦରମା ଖଞ୍ଜି ଦିଆଯାଉଛି । ସିଏ ତା’ ନିଜ ଦେଶରେ ଗୋଟାଏ ଭି.ଆଇ.ପି ହୋଇ ରହୁଛି । ଖେଳାଳୀମାନେ ଓଲିମ୍ପିକ୍‌ ଖଳରେ ଯୋଗଦେବାକୁ ଗଲାବେଳେ ସତେ ଅବା ଦେଶ ଲାଗି କୌଣସି ଯୁଦ୍ଧ ଲଢ଼ିବାକୁ ଯାଉଥିବା ପରି ଦେଶର ସର୍ବୋଚ୍ଚ ଶାସକମାନଙ୍କୁ ସାକ୍ଷାତ କରି ସେମାନଙ୍କର ଆରଶୀର୍ବାଦ ବି ଗ୍ରହଣ କରୁଛନ୍ତି ଏବଂ ବଡ଼ ବଡ଼ ଘୋଡ଼ାଦୌଡ଼ରେ ଯେପରି ହୁଏ, ଅଲିମ୍ପିକ୍‌ ଖେଳରେ କିଏ ସୁନା ମେଡ଼ାଲ ପାଇବ, ସେହି ବିଷୟ ନେଇ ପୃଥିବୀର କେତେ କେତେ ଜାଗାରେ ଦଲାଲମାନଙ୍କ ମଧ୍ୟରେ ବାଜି ମରାମରି ହେଉଛି, ଲକ୍ଷ ଲକ୍ଷ ସୁମାରିରେ ଟଙ୍କା ବି ପଣ ରଖାଯାଉଛି । ନ୍ୟାୟତଃ, ଜିତୁଥିବା ଖେଳାଳୀକୁ ସେହି ଅର୍ଥଜୟକାରୀ ଦଲାଲ ପକ୍ଷରୁ ମଧ୍ୟ କିଛି ଅଂଶରେ ଅବଶ୍ୟ ମିଳୁଛି ।

 

ଗତ ମାସରେ କାନାଡ଼ାର ମଁରିଆଲ ସହରରେ ୧୯୭୬ ମସିହାର ଓଲିମ୍ପିକ୍‌ କ୍ରୀଡ଼ା ଆରମ୍ଭ ହୋଇ ଉଦ୍‌ଯାପିତ ବି ହୋଇଯାଇଛି । ସବୁ ବର୍ଷପରି ଏ ବର୍ଷ ମଧ୍ୟ ଏହି କ୍ରୀଡ଼ାକୁ କୋଉ ଦେଶର ଖେଳାଳୀଙ୍କୁ ଆସିବାକୁ ଅନୁମତି ଦିଆଯିବ କି ନଯିବ, ସେହି ବିଷୟରେ ବିଶ୍ୱ ଓଲିମ୍ପିକ କମିଟିକୁ ଅନେକ ଗମ୍ଭୀର ବିଚାର କରିବାକୁ ପଡ଼ିଛି । ମିଳିତ ଜାତିସଂଘରେ ଯେପରି କୌଣସି ରାଷ୍ଟ୍ରକୁ ସଦସ୍ୟ ରୂପେ ଗ୍ରହଣ କରାଯିବାର ଅଥବା ନ ଯିବାର ବିଚାର କରାଯାଏ, ପ୍ରାୟ ସେହିପରି-। କେବଳ ଏତିକି ଅନ୍ତର ରହିଛି ଯେ ଜାତିସଂଘରେ କେତୋଟି ଅଧିକ ମହତ୍ତ୍ୱଶାଳୀ ସଦସ୍ୟ ଆପଣା ହାତରେ ଭେଟୋକ୍ଷମତା ରଖି ମୀମାଂସାଗୁଡ଼ାକୁ ଯେପରି ଏପାଖ ସେପାଖ କରିପାରୁଛନ୍ତି, ଓଲିମ୍ପିକ୍‌ କମିଟିରେ ସେଭଳି କୌଣସି ବ୍ୟବସ୍ଥା ନାହିଁ ।

 

କମ୍ୟୁନିଷ୍ଟ ଚୀନକୁ ଓଲିମ୍ପିକ୍‌ରେ ଅଂଶଗ୍ରହଣ ଲାଗି ଅନୁମତି ଦିଆଯିବା ସଙ୍ଗେ ସଙ୍ଗେ ତାଇୱାନ ଦ୍ୱୀପକୁ ସେଥିଲାଗି ଅନୁମତି ଦିଆଯିବ କି ନାହିଁ, କମିଟିକୁ ବଡ଼ ସତର୍କତାର ସହିତ ସେହି କଥାଟିର ବିଚାର କରିବାକୁ ପଡ଼ିଲା । ଏମିତି ଆଉ ଥରେ ଦକ୍ଷିଣଆଫ୍ରିକାର ବି ବିଚାର କରିବାକୁ ପଡ଼ିଥିଲା । ଆଉ ଥରେ ଇସ୍ରାଏଲ୍‌ ବିଷୟରେ ବିଚାର କରିବାକୁ ପଡ଼ିଥିଲା ଏବଂ ସବୁଯାକ ପ୍ରସଙ୍ଗରେ କ୍ରୀଡ଼ାକୁ ରାଜନୀତି ସହିତ ଏକାଠି ବାନ୍ଧିବୁନ୍ଧି ବିଚାର କରି ଦେଖିବାକୁ ପଡ଼ିଥିଲା । ଦେଶଗୁଡ଼ାକ କୌଣସି ଖେଳ ଖେଳନ୍ତି ନାହିଁ, ଖେଳାଳୀମାନେ ହିଁ ଖେଳ ଖେଳନ୍ତି । ତେଣୁ ଯେଉଁଠି ଖେଳର ପ୍ରତିଯୋଗିତା ହେଉଛି, ତାହା ବିଶ୍ୱସ୍ତରରେ ହେଉଥାଉ ପଛକେ, ସେଠାରେ ମଧ୍ୟ ଖେଳାଳୀମାନଙ୍କର ହିଁ ଗଣନା ହେବା ଉଚିତ, ଦେଶଗୁଡ଼ାକର ଗଣନା ହେବା ଉଚିତ ନୁହେଁ ଏବଂ ଦେଶଗୁଡ଼ାକ ଯେଉଁସବୁ ରାଜନୀତିର ଅଡ଼ୁଆ ଭିତରେ ଛନ୍ଦିହୋଇ ପଡ଼ିଛନ୍ତି, ସେଗୁଡ଼ାକର ତ ମୋଟେ ବିଚାର ହେବା ଉଚିତ ନୁହେଁ । ଖେଳ ଭିତରେ କୌଣସି ପୁଞ୍ଜିବାଦୀ ଦୁରାଗ୍ରହ ଅଥବା ଲାଭଖୋରୀର ପ୍ରବେଶ ହେବା ବି ଆଦୌ ଉଚିତ ନୁହେଁ ।

 

ତା ୧୩.୦୮.୧୯୭୬ ରିଖ

Image

 

ଇତିହାସର ସମସ୍ୟା

 

ଆମେରିକା ସରକାରଙ୍କର ବୈଦେଶିକ ବ୍ୟାପାର ବିଭାଗର ସଚିବ ଶ୍ରୀଯୁକ୍ତ ହେନରି କିସିଞ୍ଜର୍‌ ଏବେ ଦକ୍ଷିଣ ଆଫ୍ରିକାର ସମସ୍ୟା ବିଷୟରେ ତାଙ୍କ ସରକାରଙ୍କ ମତକୁ ପ୍ରକାଶ କରି ଏକ ବିବୃତ୍ତିରେ କହିଛନ୍ତି ଯେ ଆମେରିକା ସରକାର ଦକ୍ଷିଣ ଆଫ୍ରିକାରେ ବହୁମତ ପ୍ରତିନିଧିମୂଳକ ଶାସନର ପ୍ରତିଷ୍ଠା ହେଉ ବୋଲି ସର୍ବଦା ଚାହିଁ ଆସିଛନ୍ତି ଓ ଏବେ ମଧ୍ୟ ତାହା ହିଁ ଚାହାନ୍ତି । ଦକ୍ଷିଣ ଆଫ୍ରିକାରେ ଏହି ପରିବର୍ତ୍ତନଟି ଶୀଘ୍ର ହେଉ ବୋଲି ଆମେରିକା ସରକାର ଚାହାନ୍ତି । ଶାନ୍ତିପୂର୍ଣ୍ଣ ଭାବରେ ହେଉ ବୋଲି ମଧ୍ୟ ଚାହାନ୍ତି ।

 

ଦକ୍ଷିଣ ଆଫ୍ରିକାରେ ଯାହାକୁ ଗୋଟାଏ ରାଜନୀତିକ ସମସ୍ୟା ବୋଲି କୁହାଯାଉଛି, ତାହା ମୂଳତଃ ଇତିହାସର ଗୋଟିଏ ବଡ଼ ସମସ୍ୟା ଏବଂ ଏକ ମାନବିକ ସମସ୍ୟା ହୋଇଥିବାରୁ ହିଁ, ଯାହାକୁ ଦକ୍ଷିଣ ଆଫ୍ରିକା ସରକାରଙ୍କର ଏକ ଆଭ୍ୟନ୍ତରୀଣ ସମସ୍ୟା ବୋଲି ଅନେକ ସମୟରେ ଦାବୀ କରାଯାଉଛି, ତାହା ବସ୍ତୁତଃ ସମଗ୍ର ପୃଥିବୀର ଏକ ସମସ୍ୟା । ଇତିହାସର ଏକ ଯୁଗରେ ୟୁରୋପର ଏକ ଉଗ୍ର ବିଶ୍ୱାସ ସାରା ପୃଥିବୀରେ ସାମ୍ରାଜ୍ୟବାଦ ନାମରେ ଆପଣାକୁ ଦୃଢ଼ ପ୍ରତିଷ୍ଠିତ କରିଥିଲା । ଶ୍ୱେତାଙ୍ଗମାନେ ଉଚ୍ଚତର, ଅର୍ଥାତ୍‌ ସେମାନଙ୍କର ସଭ୍ୟତା ଉଚ୍ଚତର, ସେମାନଙ୍କର ଧର୍ମ ଉଚ୍ଚତର ଏବଂ ସେମାନଙ୍କର ଭାଷା ଉଚ୍ଚତର ବୋଲି ସେତେବେଳର ପୃଥିବୀରେ ଦର୍ପଭରେ ଘୋଷଣା କରାଯାଇଥିଲା । ସମସ୍ତ ପୃଥିବୀକୁ ସଭ୍ୟ ଓ ଯୋଗ୍ୟ କରିବାର, ଅର୍ଥାତ୍‌ ଯୋଗ୍ୟତରମାନଙ୍କ ଭାଷାରେ କହିଲେ, ସମଗ୍ର ପୃଥିବୀକୁ ଶାସନ କରିବାର ଭାର ସେହି ଶ୍ୱେତାଙ୍ଗମାନଙ୍କର ରହିଛି ବୋଲି ସେତେବେଳେ ବିଶ୍ୱସାରା ଡିଣ୍ଡିମ ବାଜୁଥିଲା । ସାମ୍ରାଜ୍ୟବାଦର ଯୁଗଟି ସଂପୂର୍ଣ୍ଣ ଭୋଗ କରିବା ଲାଗି ସାମ୍ରାଜ୍ୟବାଦୀମାନଙ୍କୁ ଦୁଇଟି ମହାଯୁଦ୍ଧ ଭିଆଇ ପ୍ରାୟ ତାହାରି ଦ୍ୱାରା ହିଁ କ୍ରମନିଃଶେଷିତ ହେବାକୁ ପଡ଼ିଲା । ସାମ୍ରାଜ୍ୟ ଭାଙ୍ଗି ବିଶ୍ୱସାରା ମଣିଷ ସ୍ୱାଧୀନ ହେଲେ । ଭବିଷ୍ୟତକୁ ନୂତନ ଦୃଷ୍ଟିରେ ଚାହିଁ ଶିଖିଲେ । ନୂତନ କେତେ କେତେ ସହଯୋଗର ଅବସରମାନ ସୃଷ୍ଟି ହେଲା । ପୃଥିବୀଯାକ ବଦଳିଲା । ଇଉରୋପ ବଦଳିଲା, ମାତ୍ର ଦକ୍ଷିଣ ଆଫ୍ରିକାର ଶ୍ୱେତାଙ୍ଗମାନେ ତଥାପି ବଦଳିଲେ ନାହିଁ । ସେମାନେ ଆଫ୍ରିକାକୁ ତଥାପି ଅନ୍ଧକାରର ମହାଦେଶ ବୋଲି ଭାବୁଥିଲେ ଏବଂ ତାହାରି ମଧ୍ୟରେ ଏକମାତ୍ର ସୂର୍ଯ୍ୟ ରୂପେ ସ୍ୱୀକୃତ ହେବାକୁ ଜିଦ୍‌ କରି ବସିଲେ । ସେହି ଜିଦ୍‌ ଏବେ ବି ରହିଛି । ବିଶ୍ୱପ୍ରଗତିକୁ ସେହି ମରହଟୀ ଷ୍ଟାନଲି ଓ ଲିଭିଙ୍ଗଷ୍ଟୋନ୍‌କୁ ବୁଜୁଳା ଭିତରେ ବାନ୍ଧି ରଖିବାକୁ ଇଚ୍ଛା କରୁଛି । ଦକ୍ଷିଣ ଆଫ୍ରିକାର ସମସ୍ୟା ମୂଳତଃ ସେହି ସମସ୍ୟା । ଲୋକଶାସନ କହିଲେ ଯେଉଁ ମୂଳନୀତିଗୁଡ଼ିକୁ ବୁଝାଏ, ଏହା ପ୍ରଧାନତଃ ତାହାରି ସମସ୍ୟା । ସ୍ୱେଚ୍ଛାଚାରୀ ଓ ମାରଫତାଦାରୀ ଯାବତୀୟ ଅବିଚାରର ଅନ୍ତ କରି ମନୁଷ୍ୟ ସମାଜ ଲାଗି ଏକ ଆଧୁନିକ ନୂତନ ମୂଳଦୁଆ ଗଢ଼ିବା ଲାଗି ପୁରାତନ ସହିତ ଯେଉଁ ଯୁଦ୍ଧ କରିବାକୁ ପଡ଼େ, ଏହି ସମସ୍ୟା ସର୍ବମୂଳତଃ ତାହାରି ସମସ୍ୟା । ଦକ୍ଷିଣ ଆଫ୍ରିକାରେ ଆଜି ସେହି ଯୁଦ୍ଧ କୁହୁଳି ଉଠିଲାଣି; ସତେ ଅବା ତାହାରି ମୁହୂର୍ତ୍ତଟି ଆସି ପହଞ୍ଚି ଗଲାପରି ମନେ ହେଉଛି ।

 

ଦକ୍ଷିଣ ଆଫ୍ରିକାରେ ଇପ୍‌ସିତ ପରିବର୍ତ୍ତନଟି ଶୀଘ୍ର ହେବା ଉଚିତ, ଏହି ଇଚ୍ଛାଟିକୁ ପ୍ରକଟ କରି ହେନେରି କିସିଞ୍ଜର୍ ଯେଉଁ କଥାଟିକୁ କହିଛନ୍ତି, ତାହା ପଛରେ ଏକ ଅନ୍ୟତମ ବୃହତ୍‌ ଶକ୍ତି ତାଙ୍କ ଆମେରିକାର ସକ୍ରିୟ ଓ ସୁନିଷ୍ଠ ସହଯୋଗ ରହିଥିଲେ ଦକ୍ଷିଣ ଆଫ୍ରିକାର ସରକାର ସମ୍ଭବତଃ ପୃଥିବୀକୁ କୋଉଦିନୁ ବାଟ ଛାଡ଼ି ଦେଇ ସାରନ୍ତେଣି । ଆମେରିକାର ତଥାକଥିତ ପରରାଷ୍ଟ୍ରନୀତି ଯଦି କୂଟନୈତିକ, ତାତ୍କାଳିକ, ନାନା ଅବୁଦ୍ଧି ଓ ଉତ୍ତେଜନା ଦ୍ୱାରା ପରିଚାଳିତ ନହୋଇ ଯୁଗ ଏବଂ ଜନମାନସର ଆକାଙ୍‌କ୍ଷାଗୁଡ଼ିକ ଦ୍ୱାରା ପ୍ରଭାବିତ ହେଉଥାଆନ୍ତା, ତେବେ ଦକ୍ଷିଣ ଆଫ୍ରିକାର ସମସ୍ୟାଟି କେଉଁ ଦିନୁ ସମାହିତ ହୋଇ ସାରନ୍ତାଣି ।

 

ଡକ୍ଟର କିସିଞ୍ଜର୍ ପୁଣି ଶାନ୍ତିପୂର୍ଣ୍ଣ ଉପାୟରେ ଦକ୍ଷିଣ ଆଫ୍ରିକାରେ ଯାବତୀୟ ପରିବର୍ତ୍ତନ ଘଟୁ ବୋଲି କହିଛନ୍ତି । ପୃଥିବୀର ଶାନ୍ତିପୂର୍ଣ୍ଣ ପରିବର୍ତ୍ତନରେ ବୃହତ୍‌ଶକ୍ତିମାନଙ୍କ ଭିତରେ ଆମେରିକା ମଧ୍ୟ ସାଂପ୍ରତିକ ଇତିହାସରେ ପ୍ରାୟ ସର୍ବଦା ଏକ ବାଧକ ଓ ଅନ୍ତରାୟ ପରି କାର୍ଯ୍ୟ କରି ଆସିଛି । ଭିଏତ୍‌ନାମ୍‌ରେ ଏକଦା ଏକ ଶାନ୍ତିପୂର୍ଣ୍ଣ ଓ କୋଳାହଳଶୂନ୍ୟ ଅପେକ୍ଷାକୃତ ଅଧିକ ସୁସ୍ଥ ପରିବର୍ତ୍ତନର ବାଟକୁ ଆମେରିକା ସରକାରଙ୍କର ନିର୍ବୋଧ ହସ୍ତକ୍ଷେପ ଫଳରେ ଏକ ରୀତିମତ ଯୁଦ୍ଧରେ ପରିଣତ କରି ଦିଆଯାଇଛି । ବୃହତ୍‌ଶକ୍ତିମାନେ ପୃଥିବୀର ଯାବତୀୟ ବାସଭୂମିକୁ ସତେଅବା ନିଜର ଚାରଣ ଭୂମି ପରି ଜ୍ଞାନ କରି ତା’ ଭିତରକୁ ଚରିବାକୁ ବାହାରୁଥିବା ପର୍ଯ୍ୟନ୍ତ ପୃଥିବୀର କୌଣସି ପରିବର୍ତ୍ତନ ଆଉ ଯାହା ହେବ ପଛକେ, ଅନ୍ତତଃ ଶାନ୍ତପୂର୍ଣ୍ଣ ହୋଇ ପାରିବ ନାହିଁ-। ଦକ୍ଷିଣ ଆଫ୍ରିକାରେ ଆମେରିକାର କେତେ ବାଣିଜ୍ୟିକ ସ୍ୱାର୍ଥ ରହିଛି, ଦକ୍ଷିଣ ଆଫ୍ରିକାର ଶ୍ୱେତାଙ୍ଗ ସଂଖ୍ୟାଲଘୁ ସରକାରଙ୍କ ସହିତ ଆମେରିକା ସରକାରଙ୍କର କେତେ ଗୁରୁତ୍ୱପୂର୍ଣ୍ଣ ଦେଣନେଣର ସଂପର୍କ ରହିଛି ଏବଂ ସର୍ବୋପରି ସ୍ୱାଭାବିକ ଯେକୌଣସି ପରିବର୍ତ୍ତନର ବାଟକୁ ଉଗାଳି ରଖିବାକୁ ନିରାପତ୍ତା ପରିଷଦର ବୈଠକରେ ଆମେରିକା ହାତରେ ଭେଟୋ କ୍ଷମତା ପ୍ରୟୋଗ କରିବାର ଅଧିକାର ରହିଛି । ଏଗୁଡ଼ାକ ଯେ ମୁଖ୍ୟତଃ ଅଶାନ୍ତିର ହିଁ ଦ୍ୟୋତକ, ଆଧୁନିକ ପୃଥିବୀକୁ ଦେଖୁଥିବା ଯେକୌଣସି ମଣିଷ ଆଖିବୁଜି ବି ସେକଥା କହି ଦେଇ ପାରିବ ।

 

ତା୨୧.୦୮.୧୯୭୬ରିଖ

Image

 

ବିନା କାରଣ ବିନା ସର୍ତ୍ତ

 

ମାତ୍ର ଅଳ୍ପ କେତେଦିନ ତଳେ ଇଂଲଣ୍ଡ ଓ ଉଗାଣ୍ଡା ମଧ୍ୟରେ ସଂପୂର୍ଣ୍ଣ ଔପଚାରିକ ଭାବରେ କୂଟନୈତିକ ସଂପର୍କକୁ ଛିନ୍ନ କରି ଦିଆଯାଇଥିଲା । ସେଥିଲାଗି ଯେକୌଣସି ନିର୍ଦ୍ଦିଷ୍ଟ ବା ସ୍ଥାୟୀ କାରଣ ଥିଲା, ସେକଥା ସଂପୂର୍ଣ୍ଣ ଭାବରେ କୁହାଯାଇପାରିବ ନାହିଁ । କାରଣ ଥିଲା; ଦୁଇଟି ରାଷ୍ଟ୍ର ଏବଂ ସେଇ ରାଷ୍ଟ୍ରଗୁଡ଼ିକର ବହୁ ପ୍ରଚାରିତ ବନ୍ଧୁତା ଏବଂ ଠିକ୍‌ ସେହିପରି ବହୁ ପ୍ରଚାରିତ ଶତ୍ରୁତାଗୁଡ଼ାକ ପଛରେ ସର୍ବଦା ପ୍ରାୟ ଯେତିକି କାରଣ ଥାଏ, ଏ କ୍ଷେତ୍ରରେ ମଧ୍ୟ ସେତିକି କାରଣ ଥିଲା । ବନ୍ଧୁତା ଚ୍ଛିନ୍ନ କରାଇ ଦେବାର ଉପଚାରଟିକୁ ଇଂଲଣ୍ଡ ଏବଂ ଉଗାଣ୍ଡା ଦୁଇ ଦେଶର ସରକାର ପ୍ରାୟ ସମାନ ଗମ୍ଭୀର ଭାବରେ ଗ୍ରହଣ କରିଥିଲେ । ଆପାତ କାରଣଗୁଡ଼ିକୁ ଦର୍ଶାଇ ଦେଇ ବିଶ୍ୱ ମନକୁ ବୁଝାଇବା ସକାଶେ ମୋଟେ କୌଣସି ତ୍ରୁଟି କରାଯାଇ ନଥିଲା ।

 

ପ୍ରାୟ ସପ୍ତାହକ ତଳେ ସେହି ପର୍ଯ୍ୟାୟଟିର ଅନ୍ତ ହୋଇଗଲା । ଉଗାଣ୍ଡାର ରାଷ୍ଟ୍ରପତି ସୈନ୍ୟାଧ୍ୟକ୍ଷ ଶ୍ରୀଯୁକ୍ତ ଅମିନ ହଠାତ୍‌ ଦିନେ ଘୋଷଣା କରି କହିଲେ ଯେ ସିଏ ବର୍ତ୍ତମାନ ବିନା କୌଣସି ସର୍ତ୍ତରେ ଇଂଲଣ୍ଡ ସହିତ କୂଟନୈତିକ ସମ୍ପର୍କ ସ୍ଥାପନ କରିବା ଲାଗି ପୂର୍ଣ୍ଣ ଭାବରେ ପ୍ରସ୍ତୁତ ଅଛନ୍ତି । କହିବା ବାହୁଲ୍ୟ ଯେ ଏହି ମନ୍ତବ୍ୟରେ କୌଣସି କ୍ଷେତ୍ରରେ କୌଣସି ପ୍ରକାର ବିସ୍ମୟ ପ୍ରକାଶ କରାଗଲା ନାହିଁ । ଯିଏ ଉଗାଣ୍ଡାର ଇଡ଼ି ଅମିନଙ୍କୁ ବୁଝିଛନ୍ତି ଏବଂ ଯେଉଁମାନେ ଆଧୁନିକ ରାଷ୍ଟ୍ରଗୁଡ଼ାକର ତଥାକଥିତ କୂଟନୀତି ଏବଂ ତଥାକଥିତ ସଂପର୍କଗୁଡ଼ାକୁ ବୁଝିଛନ୍ତି, ସେମାନେ ସେହି ବିଷୟରେ କଦାପି ବିସ୍ମିତ ହେବେ ନାହିଁ ।

 

ଇଂଲଣ୍ଡ ଏବଂ ଉଗାଣ୍ଡାର ସଂପର୍କ ବେଶ୍‌ ଏକ ବିଚିତ୍ର ସଂପର୍କ । ଔପନିବେଶିକ ଯୁଗରେ ଉଗାଣ୍ଡା ବ୍ରିଟିଶ ସାମ୍ରାଜ୍ୟର ଅନ୍ତର୍ଭୁକ୍ତ ହୋଇ ରହିଥିଲା । ଇଂଲଣ୍ଡ କ୍ରମଶଃ ଆଫ୍ରିକା ଛାଡ଼ି ଚାଲିଯିବାର ପର୍ଯ୍ୟାୟରେ କେନିଆ, ଉଗାଣ୍ଡା ଓ ଟାଙ୍ଗାନିକା ଏକ ସମୟରେ ସ୍ୱାଧୀନ ବୋଲି ଘୋଷିତ ହେଲେ । ଉଗାଣ୍ଡାରେ ଲୋକ ଶାସନକୁ ସମାପ୍ତ କରି ଇଡ଼ି ଅମିନ ସର୍ବପ୍ରଥମେ ସାମରିକ ଶାସନର ପ୍ରବର୍ତ୍ତନ କଲେ । ଉଗାଣ୍ଡାର ସାଧାରଣ ଅଧିବାସୀ ଏହି ପରିବର୍ତ୍ତନ ବିଷୟରେ କ’ଣ ଭାବିଲେ କେଜାଣି ସ୍ୱୟଂ ଇଡ଼ି ଅମିନ ଏହାକୁ ଉଗାଣ୍ଡାରେ ଏକ ନବଯୁଗର ଆରମ୍ଭ ବୋଲି କହିଲେ-। ତା’ପରେ ଯାହା ଇଚ୍ଛା ତାହା କରିବାକୁ ଆରମ୍ଭ କଲେ । ନୂଆ ଉଗାଣ୍ଡାର ନିର୍ମାଣ କରିବା ନାଆଁରେ ସିଏ କଂସେଇ ପରି ହୋଇ ସେଠି ମଣିଷ ମାରିବାକୁ ଲାଗିଲେ । ଯିଏ ତାଙ୍କର ବିଚାରଠାରୁ ଭିନ୍ନ ଅନ୍ୟ ପ୍ରକାର ବିଚାର କଲା, ସିଏ ହାଣ ଖାଇଲା, ହରଣଚାଳ ହୋଇଗଲା । ଆଫ୍ରିକାର କେତେକ ରାଷ୍ଟ୍ରନେତା ବର୍ତ୍ତମାନ ମଧ୍ୟ ଉଗାଣ୍ଡା ଦେଶକୁ ଏକ ନିର୍ମମ କଂସେଇଖାନା ବୋଲି କହୁଛନ୍ତି । ଯେଉଁ ପରମ ଉତ୍ସାହ ସହିତ ଅଧୀନସ୍ଥ ଅନ୍ୟ ସୈନ୍ୟମାନଙ୍କ ସାହାଯ୍ୟରେ ଇଡ଼ି ଅମିନ ଏସବୁ କଲେ, ସେଇ ଉତ୍ସାହକୁ ସାଂପ୍ରତିକ ଇତିହାସରେ ଆମେ କେବଳ ହିଟ୍‌ଲରର ଉତ୍ସାହ ସହିତ ତୁଳନା କରିପାରିବା । ଏହା ଏକ ପରମ ସଂଯୋଗର ବିଷୟ ଯେ ଇଡ଼ି ଅମିନ ପ୍ରକାଶ୍ୟ ଭାବରେ ଆପଣାକୁ ଆଫ୍ରିକା ମହାଦେଶରେ ସେହି ହିଟ୍‌ଲରଙ୍କର ଜଣେ ଅନୁଗାମୀ ବୋଲି ଘୋଷଣା କରି ସାରିଛନ୍ତି । ରାଜଧାନୀ କାମ୍ପାଲାର ଏକ ମୁଖ୍ୟ ପ୍ରଶସ୍ତ ରାସ୍ତାରେ ହିଟ୍‌ଲରଙ୍କର ଗୋଟିଏ ଶୋଭନୀୟ ମୂର୍ତ୍ତିର ପ୍ରତିଷ୍ଠା ମଧ୍ୟ ହେବାକୁ ଯାଉଛି ।

 

ଜଣେ ବ୍ରିଟିଶ ଲେଖକ ଉଗାଣ୍ଡାକୁ ବୁଲି ଆସି ଉଗାଣ୍ଡା ବିଷୟରେ ଯେଉଁ ବହି ଲେଖିଥିଲେ, ସେଥିରେ ସେ ଇଡ଼ି ଅମିନ, ଉତ୍ତେଜିତ ହୋଇ ପଡ଼ିବା ଭଳି ଖୋଦ ତାଙ୍କରି ବିଷୟରେ କିଛି ଲେଖିଥିଲେ ବୋଲି ଅମିନ ତାଙ୍କୁ ପ୍ରାଣଦଣ୍ଡର ଆଦେଶ ଦେଇଥିଲେ । ଇଂଲଣ୍ଡ ଏବଂ ଉଗାଣ୍ଡା ମଧ୍ୟରେ ଉତ୍ତପ୍ତ କଳିଗୁଡ଼ାକ ପ୍ରାୟ ସେହିଠାରୁ ହିଁ ଆରମ୍ଭ ହେଲା । ବୈମନସ୍ୟର ନିଆଁ ପ୍ରାୟ ସେହିଠାରୁ କୁହୁଳିବାକୁ ଆରମ୍ଭ କଲା । ଆଫ୍ରିକା ଏକତା ସଂଗଠନର ମୁଖ୍ୟ ହିସାବରେ ଇଡ଼ି ଅମିନ ନିର୍ବାଚିତ ହେବା ପରେ ତାଙ୍କ ସ୍ୱେଚ୍ଛାଚାରଗୁଡ଼ାକ ସମ୍ଭବତଃ ଯଥେଚ୍ଛାଚାର ସହିତ ବୃଦ୍ଧି ପାଇବାକୁ ଆରମ୍ଭ କଲା । ଶ୍ରୀଯୁକ୍ତ ଅମିନ ଉଗାଣ୍ଡାର ପାସ୍‌ପୋର୍ଟ ନଥିବାରୁ ଯେଉଁ ଏସିଆବାସୀଙ୍କୁ ଦେଶରୁ ନିକାଲି ଦେଲେ, ସେମାନେ ସମସ୍ତେ ବ୍ରିଟିଶ ପାସ୍‌ପୋର୍ଟ ଧରି ଉଗାଣ୍ଡା ଭିତରେ ପ୍ରବେଶ କରିଥିଲେ । ଉଗାଣ୍ଡାରୁ ସେମାନଙ୍କୁ ନିକାଲି ଦିଆଯିବା ମାତ୍ରକେ ସେମାନେ ମଧ୍ୟ ସିଧା ଇଂଲଣ୍ଡକୁ ଚାଲି ଯାଇଥିଲେ । ଏଥିରେ ଅର୍ଥାତ୍‌, ଇଂଲଣ୍ଡ ଯେ ସେମାନଙ୍କୁ ଦେଶରେ ସ୍ଥାନ ଦେଲା, ସେହି ଘଟଣାଟି ଅମିନଙ୍କ ମନରେ କମ୍‌ ବିରକ୍ତି ସୃଷ୍ଟି କରି ନଥିବ । ଇଂଲଣ୍ଡରୁ କେତେକ ଯୁବକ ଯେ ଆଙ୍ଗୋଲା ଓ ରୋଡ଼େସିଆ ଆସି ସେଠାରେ କୃଷ୍ଣକାୟମାନଙ୍କର ସ୍ୱାଧୀନତା ଆନ୍ଦୋଳନ ବିରୋଧରେ ଲଢ଼ୁଥିଲେ, ଇଂଲଣ୍ଡ ଯେ ଦକ୍ଷିଣ ଆଫ୍ରିକାର ବର୍ଣ୍ଣବିଦ୍ୱେଷନୀତି ସତ୍ତ୍ୱେ ଦକ୍ଷିଣ ଆଫ୍ରିକାର ନାନା ସ୍ୱାର୍ଥ ଓ ଆଗ୍ରହକୁ ଅନ୍ତର୍ଜାତିକ କ୍ଷେତ୍ରରେ ପ୍ରାୟ ଘଣ୍ଟ ଘୋଡ଼ାଇ ରଖିଥିଲା, ଇଡ଼ି ଅମିନ ସେଇଟାକୁ ମଧ୍ୟ କମ୍‌ ବିରକ୍ତିକର ବୋଲି ଅନୁଭବ କରି ନଥିବେ । ଏବଂ ଅପର ପଟେ ଇଂଲଣ୍ଡ ମଧ୍ୟ ଇଡ଼ି ଅମିନଙ୍କର ଖିଆଲ ଓ ଉତ୍ତପ୍ତତାଗୁଡ଼ାକରେ କମ୍‌ ସନ୍ତାପିତ ହୋଇନଥିବ ।

 

ତେଣୁ ଇଂଲଣ୍ଡ ଓ ଉଗାଣ୍ଡା ମଧ୍ୟରେ ଖୁବ୍‌ସମ୍ଭବ ଦୁଇ ପକ୍ଷର ଇଚ୍ଛାକୁ ବ୍ୟକ୍ତ କରି କୂଟନୈତିକ ସମ୍ପର୍କ ଯେ ଚ୍ଛିନ୍ନ ହୋଇଯାଇଥିଲା, ସେଥିରେ କେହି କଦାପି ବିସ୍ମିତ ହୋଇ ନଥିଲେ । କିନ୍ତୁ ତା’ପରେ ମାତ୍ର ତିନି ଚାରିମାସ ନ ଯାଉଣୁ ଇଡ଼ି ଅମିନଙ୍କର ପୁଣି ଅନ୍ୟ ଚୈତନ୍ୟଟିର ଉଦୟ ହେଲା କିପରି ଓ ସିଏ ପୁଣି ବିନା ସର୍ତ୍ତରେ ଇଂଲଣ୍ଡ ସହିତ ପୁଣି ବାନ୍ଧବଘର ଖୋଲିବା ଲାଗି ରାଜି ହୋଇଗଲେ କିପରି ? ତାଙ୍କୁ କୌଣସି ରାଜନୀତିକ ବିବେକ ତାହା କରିବାକୁ ବାଧ୍ୟ କଲା ନା ଉଗାଣ୍ଡାର ଇଂଲଣ୍ଡ ସହିତ ଯେଉଁ ବାଣିଜ୍ୟିକ ସ୍ୱାର୍ଥମାନ ରହିଛି, ତାହା ହିଁ ଅମିନଙ୍କୁ ଆପଣା ନୀତିରେ ପଛକୁ ଫେରି ଆସିବାକୁ ବାଧ୍ୟ କଲା ? ଏଥର ଇଡ଼ି ଅମିନ ବନ୍ଧୁତାର ପୁନଃସ୍ଥାପନା ପାଇଁ ଯେଉଁ ନିଷ୍ପତ୍ତିଟି କରିବା ଲାଗି ବାଧ୍ୟ ହେଲେ, ତାହା ବି ପ୍ରକୃତରେ କେତେଦିନ ପର୍ଯ୍ୟନ୍ତ ସ୍ଥାୟୀ ହୋଇ ରହିବ ? ଇତିହାସ କହିବ ଯେ, ସୈନ୍ୟାଧ୍ୟକ୍ଷମାନଙ୍କର ନିଷ୍ପତ୍ତିଗୁଡ଼ାକ ଅଧିକାଂଶ ସମୟରେ ସ୍ଥାୟୀ ହୋଇ ରହେ ନାହିଁ । ଖିଆଲଗୁଡ଼ାକ ବଦଳି ଯାଉଥିବା ସଙ୍ଗେ ସଙ୍ଗେ ସେମାନଙ୍କର ନିଷ୍ପତ୍ତିଗୁଡ଼ାକ ବଦଳି ଯିବାରେ ଲାଗିଥାଏ । କେବଳ ନିଜ ଖିଆଲର ଆବଶ୍ୟକତାରେ ପଡ଼ି ସେମାନେ ଯେଉଁସବୁ ନିଷ୍ପତ୍ତି କରିଥାନ୍ତି, ସେହିପରି ଆଉ କୌଣସି ଖିଆଲ ଦ୍ୱାରା ପ୍ରଭାବିତ ହୋଇ ସେଗୁଡ଼ାକ ବଦଳିଯାଏ । ଗୋଟାଏ ଦେଶର ଭାଗ୍ୟ ଏହିପରି ନାଚିବାରେ ଲାଗିଥାଏ, ରାଜନୀତି ମଧ୍ୟ ନାଚୁଥାଏ ଏବଂ ସେହି ନାଚିବାଟାକୁ ହିଁ ପ୍ରଗତିଶୀଳତା ବୋଲି କୁହାଯାଏ । ନିଜର ଆୟୁଃକାଳରେ ରାଷ୍ଟ୍ରପତି ଇଡ଼ି ଅମିନ ଏହିପରି କେତେ କେତେ ପ୍ରଗତିଶୀଳତାର କେତେଭଳି ପରିଚୟ ଦେଇସାରିଲେଣି । ତେଣୁ ତାଙ୍କୁ ଓ ତାଙ୍କ କାର୍ଯ୍ୟକଳାପଗୁଡ଼ିକୁ ସମସ୍ତେ ଜାଣି ସାରିବେଣି-

 

ତା ୨୨.୦୮.୧୯୭୬ ରିଖ

Image

 

ମିଶର ଓ ଇସ୍ରାଏଲ୍‌

 

ଇସ୍ରାଏଲ୍‌ ଓ ମିଶର ଅନେକ ବର୍ଷରୁ ପରସ୍ପରର ଶତ୍ରୁ ହୋଇ ରହି ଆସିଛନ୍ତି । ଇସ୍ରାଏଲ୍‌ ଏକ ଦେଶ ହିସାବରେ ଜନ୍ମଗ୍ରହଣ କରିବା ଦିନଠାରୁ ଇସ୍ରାଏଲ୍‌ ଓ ମିଶର ମଧ୍ୟରେ ରହିଥିବା ସମ୍ପର୍କ ଏକ ଶତ୍ରୁତାର ହିଁ ସମ୍ପର୍କ ହୋଇ ରହିଆସିଛି । ଆମେରିକା ସରକାର ମଧ୍ୟପ୍ରାଚ୍ୟରେ ଶତ୍ରୁତାର ହ୍ରାସ କରିବାଲାଗି ତାଙ୍କ ବୁଦ୍ଧିରେ ସବୁପ୍ରକାର ଚେଷ୍ଟା କରି ଆସିଛନ୍ତି । ଶ୍ରୀଯୁକ୍ତ କିସିଞ୍ଜର୍‌ ତାଙ୍କର ଏହି ଉଦ୍ୟମଟି ଲାଗି ହିଁ ଗତବର୍ଷ ତାଙ୍କର ସବୁଠାରୁ ଅଧିକ ଗସ୍ତକ୍ରମ ଏହି ମଧ୍ୟପ୍ରାଚ୍ୟ ଅଞ୍ଚଳରେ ପକାଇଛନ୍ତି, ମଧ୍ୟପ୍ରାଚ୍ୟରେ ଦେଇଥିବା ମୋଟ ସମୟ ମଧ୍ୟରୁ ମିଶର ଓ ଇସ୍ରାଏଲ୍‌ ଲାଗି ହିଁ ସେ ସର୍ବାଧିକ ସମୟ ଦେଇଛନ୍ତି । ସେହି ଉଦ୍ୟମ ଫଳରେ ସେ ଜେନେଭାଠାରେ ଗତବର୍ଷ ମିଶର ଏବଂ ଇସ୍ରାଏଲ୍‌ ମଧ୍ୟରେ ଏକ ଏକପାଖିଆ ସ୍ୱତନ୍ତ୍ର ରାଜିନାମା ମଧ୍ୟ କରିଦେଇ ପାରିଲେ । ତାହାଫଳରେ ଆହୁରି ଅନେକ ଲାଭ ମଧ୍ୟରେ କିସିଞ୍ଜରଙ୍କର ସବୁଠାରୁ ବଡ଼ ଏହି ଲାଭଟି ଅବଶ୍ୟ ହେଲା ଯେ ସେ ଆରବଦେଶଗୁଡ଼ିକ ମଧ୍ୟରେ ଏକ ମନୋମାଳିନ୍ୟ ଘଟାଇ ଦେଇ ପାରିଲେ, ଏକ ଦୂରତାକୁ ବେଶ୍‌ ଠିଆ କରାଇଦେଇ ପାରିଲେ । ତା’ପରେ ମଧ୍ୟପ୍ରାଚ୍ୟର ପରିସ୍ଥିତି ଯେପରି ଭାବରେ ଓ ଯେଉଁ ଆଡ଼କୁ ଗତି କରିଛି; ସେଥିରେ ଶ୍ରୀଯୁକ୍ତ କିସିଞ୍ଜର୍‌ ଏବଂ ତାଙ୍କ ଆମେରିକା ସରକାର ନିଶ୍ଚୟ ଭାରି ପ୍ରସନ୍ନ ଅନୁଭବ କରିଥିବେ । ଏହାକୁ ସେମାନଙ୍କର ଏକ କୂଟନୈତିକ ବିଜୟ ବୋଲି ଅନୁଭବ କରିଥିବେ ।

ଏହି କୂଟନୈତିକ ବିଜୟର ଏକ ଦ୍ୱିତୀୟ କରାମତି ରୂପେ ଏବେ ଆମେରିକା ତରଫରୁ ମିଶର ଓ ଇସ୍ରାଏଲ୍‌ ଉଭୟ ଦେଶକୁ ଗୋଟିଏ ଗୋଟିଏ ଆଣବିକ ଚୂଲୀ ସ୍ଥାପନ କରିବା ଲାଗି ଆବଶ୍ୟକ ଅର୍ଥ ଓ ଆବଶ୍ୟକ ଯନ୍ତ୍ରକୌଶଳ ଯୋଗାଇଦେବା ଲାଗି ସ୍ଥିର କରାଯାଇଛି । ଏହି ଦିଗରେ ଏହି ସମ୍ୱନ୍ଧରେ ଦ୍ୱିପକ୍ଷୀୟ ରାଜିନାମାମାନ ହୋଇସାରିଛି ଓ ଏହାଦ୍ୱାରା ମିଶର ଏବଂ ଇସ୍ରାଏଲ୍‌ ଉଭୟପକ୍ଷ ଖୁସି ହୋଇଛନ୍ତି ବୋଲି ଖବରକାଗଜରେ ପ୍ରଚାରିତ ହୋଇଛି । ଏକତରଫା ଜେନେଭା ରାଜିନାମା ଫଳରେ ଗତବର୍ଷ ମିଶର ଏବଂ ଇସ୍ରାଏଲ୍‌ ଯେତେ ପରିମାଣରେ ଖୁସି ହୋଇଥିଲେ, ଆଣବିକ ଚୂଲୀ ସ୍ଥାପନ କରିବାର ଲାଇସେନ୍‌ସ ପାଇବା ଫଳରେ ସେମାନେ ଯେ ତାହାଠାରୁ ଆହୁରି ଅଧିକ ପରିମାଣରେ ଖୁସି ହେବେ, ସେଥିରେ କୌଣସି ସନ୍ଦେହ ନାହିଁ ।

ମାତ୍ର କେଉଁ କୂଟନୈତିକ ବିଜୟ ଫଳରେ ଆମେରିକା କେତେ ଖୁସି ହେବ କିମ୍ୱା ଇସ୍ରାଏଲ୍‌ ଅଥବା ମିଶର କେତେ ଖୁସି ହେବେ, ମଧ୍ୟପ୍ରାଚ୍ୟ ପରିସ୍ଥିତିର ଏକ ଭଦ୍ର ସମାଧାନ ତାହା ଉପରେ ଆଦୌ ନିର୍ଭର କରୁନାହିଁ । ଏକଥାଟି ପ୍ରାୟ ଆଖିବୁଜି କହିଦେଇ ହେବ ଯେ ଆମେରିକା ତରଫରୁ ମିଶର ଓ ଇସ୍ରାଏଲ୍‌ ଖୁସି ହେବାର ଏହି ବ୍ୟବସ୍ଥାଟି ଫଳରେ ସେହି ଦୁଇଟି ଦେଶ ପରସ୍ପରଠାରୁ ଆହୁରି ଅଧିକ ଦୂରକୁ ଚାଲିଯିବେ ଏବଂ ମଧ୍ୟପ୍ରାଚ୍ୟର ଶାନ୍ତି ସତେ ଅବା ଆହୁରି ଅଧିକ ସୁଦୂରପରାହତ ହୋଇ ରହିବ । ଦୂର ଶତ୍ରୁପକ୍ଷ ମିଶର ଓ ଇସ୍ରାଏଲ୍‌ ଏବେ ଆଣବିକ ଚୂଲା ପାଇବା ଫଳରେ ସାମରିକ ମର୍ଯ୍ୟାଦାବୋଧ ଅର୍ଥାତ୍‌ ସାମରିକ ଦାମ୍ଭିକତା ଏବଂ ଅନମନୀୟତାର କ୍ଷେତ୍ରରେ ଆପାଣାକୁ ସତେଅବା ଏକାବେଳକେ ଦଶପାହାଚ ଅଧିକ ଉପରକୁ ଉଠିଯିବାପରି ଅନୁଭବ କରିବେ ଓ ତେଣୁ ପରସ୍ପରଠାରୁ ପୂର୍ବଅପେକ୍ଷା ଆହୁରି କୋଡ଼ିଏ ପାହାଚ ଅଧିକ ଦୂରବର୍ତ୍ତୀ ହୋଇ ରହିବେ । ଦୂରତା ବୃଦ୍ଧି ପାଉଥିବା ସଙ୍ଗେ ସଙ୍ଗେ ଓ ଶତ୍ରୁ ସହିତ ଯୁଝିବାର ସାମର୍ଥ୍ୟଗୁଡ଼ାକ ବି ବୃଦ୍ଧି ପାଉଥିବା ସଙ୍ଗେ ସଙ୍ଗେ ଅଭିଳଷିତ ସମାଧାନମାନ ମଧ୍ୟ ହାତରୁ ଖସି ଖସି ଯାଉଥିବ, ଅନମନୀୟତାଗୁଡ଼ାକ ବାହାରୁ ବଳ ପାଇ ଅଧିକ ଉଗ୍ର ହେବାରେ ଲାଗିଥିବେ ।

ମଧ୍ୟପ୍ରାଚ୍ୟର ପରିସ୍ଥିତି ପ୍ରଧାନତଃ ଏହି କାରଣରୁ ହିଁ ପ୍ରକୃତରେ ଏକ ଦୁର୍ଭାଗ୍ୟଜନକ ପରିସ୍ଥିତି । ଏବଂ ଗତ ପ୍ରାୟ ତିରିଶି ବର୍ଷ ହେଲା ତାହା କ୍ରମଶଃ ଅଧିକରୁ ଅଧିକ ଦୁର୍ଭାଗ୍ୟଜନକ ହେବାରେ ଲାଗିଛି । ବୃହତ୍‌ଶକ୍ତିମାନେ ଏହି ଦୁର୍ଭାଗ୍ୟଟିକୁ ଜାରିକରି ରଖିବାରେ ପ୍ରାୟ ଏକ ସିଦ୍ଧହସ୍ତ ଭୂମିକା ଗ୍ରହଣ କରିଛନ୍ତି । ଅସ୍ତ୍ରଶସ୍ତ୍ର ଦ୍ୱାରା କୌଣସି ସମସ୍ୟାର ସମାଧାନ ହୋଇ ପାରେନାହିଁ ବୋଲି ସେମାନେ ଭଲକରି ବୁଝିଥିଲେ ମଧ୍ୟ ନାନା ତାତ୍କାଳିକ ବ୍ୟବହାରିକତାର ବଶବର୍ତ୍ତୀ ହୋଇ ସେମାନେ ମଧ୍ୟପ୍ରାଚ୍ୟରେ ଅଧିକରୁ ଅଧିକ ଅସ୍ତ୍ରଶସ୍ତ୍ର ଆଣି ଖୁବ୍‌ ଦେଇଛନ୍ତି, ତାହାରି ଦ୍ୱାରା ହିଁ ସେମାନେ ଆପଣାକୁ ନାନା ଭାବେ ଉପକୃତ କରିବା ସଙ୍ଗେ ସଙ୍ଗେ ସଂପୃକ୍ତ ପକ୍ଷଗୁଡ଼ିକ ମଧ୍ୟ ଅଧିକ ଉଗ୍ର ଓ ଅଧିକ ରାଜନୀତିକ ବିବେକଶୂନ୍ୟ ହୋଇ ରହିବାରେ ଭାରି ସାହାଯ୍ୟ କରିଛନ୍ତି । ଏଥିପାଇଁ ଆମେ ବୃହତ୍‌ଶକ୍ତିମାନଙ୍କୁ ଦୋଷ ଦେବା ନା ମଧ୍ୟପ୍ରାଚ୍ୟର ରାଷ୍ଟ୍ରମୁଖ୍ୟମାନଙ୍କୁ ଦୋଷ ଦେବା ? କାହାକୁ ଅଧିକ ଦୋଷ ଦେବା ? ବାରୁଦ ବାଣ୍ଟିବାକୁ ଆସିଥିବା ମାଙ୍କଡ଼କୁ ଅଧିକ ଦୋଷ ଦେବା ନା ବାରୁଦ ମାଗୁଥିବା ଓ ଅଧିକ ବାରୁଦ ପାଇବା ଲାଗି ଓ୍ୱାଶିଙ୍ଗ୍‌ଟନ୍‌ ବା ଜେନେଭାଠାରେ ଅଝଟ ଲଗାଇଥିବା ବିଲେଇମାନଙ୍କୁ ଅଧିକ ଦୋଷ ଦେବା ? ବୃହତ୍‌ଶକ୍ତିମାନେ ଯେଉଁଦିନଠାରୁ ଆପଣା ଆପାଣାକୁ ସମଗ୍ର ପୃଥିବୀର ତତ୍ତ୍ୱାବଧାରକ ବୋଲି ବିଶ୍ୱାସ କରିବାକୁ ଲାଗିଲେ ଓ ସେହିମାନଙ୍କର ଛାୟା ଲୋଡ଼ି ବାହାରିବାକୁ ପୃଥିବୀରେ ନାନା ଭାଗରେ କଳହରତ ଦେଶଗୁଡ଼ିକ ବାହାରିଲେ ଓ ବାହାରୁ ଭଲଲୋକ ଡାକିଆଣି କଳହ ବଢ଼ାଇବାକୁ ମନ କଲେ, ପୃଥିବୀର ସମସ୍ୟାଗୁଡ଼ାକ ସେହିଦିନଠାରୁ ସତେ ଅବା ସମାଧାନର ବାହାର ହୋଇଯିବାକୁ ଲାଗିଲା । ମଧ୍ୟପ୍ରାଚ୍ୟର ସ୍ଥାନୀୟ ଖେଳ ଓ ସ୍ଥାନୀୟ ସମସ୍ୟାଟି ବିଷୟରେ ମଧ୍ୟ ଆମେ ପ୍ରାୟ ସେହିକଥା କହିପାରିବା ।

ତା ୨୩.୦୮.୧୯୭୬ ରିଖ

Image

 

ବିଶ୍ୱ-ଅର୍ଥନୈତିକ ବ୍ୟବସ୍ଥା

 

ଥରେ ପାକିସ୍ଥାନର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ଜୁଲଫିକର ଅଲି ଭୂଟ୍ଟୋ ପୃଥିବୀର ରାଷ୍ଟ୍ରମୁଖ୍ୟମାନଙ୍କର ଏକ ଶୀର୍ଷସ୍ତରୀୟ ବୈଠକ ଲାଗି ଆହ୍ୱାନ ଦେଇଥିଲେ । ବିଶ୍ୱର ଆର୍ଥିକ ବ୍ୟବସ୍ଥା ପରିବର୍ତ୍ତିତ ପରିସ୍ଥିତି ଦୃଷ୍ଟିରୁ ନୂତନ ରୀତିରେ ନିରୂପତି ହେବା ଉଚିତ ବୋଲି ଆଗୁଆ ମତ ଦେବାପାଇଁ ବୋଧହୁଏ ଭୂଟ୍ଟୋ ଏହିପରି ଏକ ସମ୍ମିଳନୀର ଆବଶ୍ୟକତା ରହିଛି ବୋଲି କହି ପକାଇଥିଲେ । ପୁଣି ଠିକ୍‌ ସେହି ସମୟରେ ପାକିସ୍ଥାନ ପରିଭ୍ରମଣରେ ଯାଇଥିବା ଇଣ୍ଡୋନେସିଆର ବହିବ୍ୟାପାର ବିଭାଗର ମନ୍ତ୍ରୀ ଶ୍ରୀଯୁକ୍ତ ଆଡ଼ାମ୍‌ ମାଲିକ ମଧ୍ୟ କରାଚୀଠାରେ ଏକ ବିବୃତି ଦେଇ ଶ୍ରୀ ଭୂଟ୍ଟୋଙ୍କର ଉକ୍ତ ଆବେଦନଟି ପ୍ରତି ସମର୍ଥନ ଜଣାଇଥିଲେ । ବିଶ୍ୱର ବିକାଶଶୀଳ ପ୍ରତ୍ୟେକ ରାଷ୍ଟ୍ର ଏହି ପ୍ରସ୍ତାବଟିର ନିଶ୍ଚୟ ସ୍ୱାଗତ କରିବେ ବୋଲି ଶ୍ରୀଯୁକ୍ତ ମାଲିକ ଆଶା ବି ପ୍ରକାଶ କରିଥିଲେ ।

 

କିନ୍ତୁ ପ୍ରତ୍ୟେକ ରାଷ୍ଟ୍ର ଅଥବା ଦେଶର ଜୀବନରେ ପରିବର୍ତ୍ତନ ଦୁଇଟି ପର୍ଯ୍ୟାୟରେ ଆସେ । ପ୍ରଥମଟି ହେଉଛି ରାଜନୀତିକ ପରିବର୍ତ୍ତନ ଏବଂ ତା’ପରେ ଏକ ନୂତନ ଅର୍ଥନୈତିକ ବ୍ୟବସ୍ଥାର ପ୍ରଣୟନ ଦ୍ୱାରା ସମ୍ଭବ କରାଯାଉଥିବା ଏକ ସାମାଜିକ ପରିବର୍ତ୍ତନ । ପ୍ରାୟ ପଚାଶବର୍ଷ ତଳେ ପୃଥିବୀର ଅଧିକରୁ ଅଧିକ ଅଞ୍ଚଳ କ୍ଷୁଦ୍ର ଓ ବୃହତ୍‌ ଏକାଧିକ ସାମ୍ରାଜ୍ୟର ଅଧୀନରେ ଗୋଟିଏ ଗୋଟିଏ ଉପନିବେଶ ହୋଇ ରହିଥିଲେ । ସେତେବେଳେ ମଧ୍ୟ ତତ୍କାଳୀନ ପୃଥିବୀର କେତେଜଣ ପ୍ରବୀଣ ରାଷ୍ଟ୍ରମୁଖ୍ୟ ଏବଂ ଏପରି କି ସାମ୍ରାଜ୍ୟମୁଖ୍ୟ ଏକ ନୂତନ ଅର୍ଥନୈତିକ ଏବଂ ରାଜନୀତିକ ବିଶ୍ୱବ୍ୟବସ୍ଥା ବିଷୟରେ ଆନୁଷ୍ଠାନିକ ଭାବରେ ଚର୍ଚ୍ଚା କରିଥିଲେ, ସଂଗଠନ ଓ ସନନ୍ଦମାନ ବି ତିଆରି କରିଥିଲେ । ଦ୍ୱିତୀୟ ମହାଯୁଦ୍ଧ ସମୟରେ ତିଆରି ହୋଇଥିବା ଆଟଲାଣ୍ଟିକ ଚାର୍ଟରକୁ ଆମେ ଏହି କିସମର ଏକ କଳ୍ପନା ବୋଲି କହିପାରିବା । ଏହାକୁ ଇଉରୋପ ଓ ଆମେରିକାର କେତେଜଣ ରାଷ୍ଟ୍ରମୁଖ୍ୟ ଏକାଠି ବସି ତିଆରି କରିଥିଲେ, ସାରା ପୃଥିବୀକୁ ଆଖି ଆଗରେ ରଖି ତିଆରି କରିଥିଲେ ସତ, ମାତ୍ର ଉପନିବେଶଗୁଡ଼ାକ ବିଷୟରେ ସେମାନେ କୌଣସି ପ୍ରକାରର ପରିବର୍ତ୍ତନର ଚିନ୍ତା ହିଁ କରିନଥିଲେ । ଶାନ୍ତି, ସ୍ୱାଧୀନତା, ସମ୍ପନ୍ନତା ଏବଂ ବୈଜ୍ଞାନିକ ସଭ୍ୟତା-ଏଗୁଡ଼ାକ ଖାଲି ତତ୍କାଳୀନ ମାଲିକ ଦେଶମାନଙ୍କର ହିଁ ପ୍ରାପ୍ୟ ଓ ସାରା ପୃଥିବୀର ବ୍ୟବସ୍ଥା କହିଲେ ସେହିମାନଙ୍କ ମାଲିକାନାକୁ ଚିରଞ୍ଜୀବୀ କରି ରଖିବାର ଏକ ବ୍ୟବସ୍ଥାକୁ ଯେ ଅବଶ୍ୟ ବୁଝାଇବ, ଠିକ୍‌ ଏହିପରି ଏକ ଭ୍ରମକୁ ମୂଳଭିତ୍ତି କରି ସେମାନେ ଆପଣାର ସ୍ୱପ୍ନଗୁଡ଼ିକୁ ଦେଖିଥିଲେ-। କହିବା ବାହୁଲ୍ୟ, ସେହି ସ୍ୱପ୍ନଗୁଡ଼ାକ ଫଳି ପାରିଲାନାହିଁ, ଇତିହାସର ତତ୍ତୁଲ୍ୟ ଆହୁରି ଅନେକ ହାସ୍ୟାସ୍ପଦ ଘଟଣା ପରି ଏହା ମଧ୍ୟ ହାସ୍ୟାସ୍ପଦ ହୋଇ ରହିଲା ।

 

ଔପନିବେଶିକ ଯୁଗ ପରେ ରାଜନୀତିକ ସ୍ୱାଧୀନତାର ଯୁଗ ଆସିଲା । ଏହାକୁ ରାଜନୀତିକ ବିପ୍ଳବର ଯୁଗ ବୋଲି ବି କୁହାଯାଇପାରିବ । ଏହା ଫଳରେ ପୃଥିବୀର ଅନେକ ଜାତି ଆଧୁନିକ ରାଜନୀତିକ ମାନଚିତ୍ର ଉପରେ ଆପଣାର ଏକ ସ୍ୱାଧୀନ ସ୍ଥାନର ଅଧିକାରୀ ହେଲେ । ପୃଥିବୀ ଯେ ଗୋଟିଏ, ମନୁଷ୍ୟଜାତିର ଯେ ଗୋଟିଏ ଭାଗ୍ୟ, ଇତିହାସରେ ସମ୍ଭବତଃ ସର୍ବପ୍ରଥମ ଥର ପାଇଁ ବଡ଼ ସାନ ସବୁ ସମୂହ ଓ ସବୁ ରାଷ୍ଟ୍ର ସ୍ୱୀକାର କରିବାକୁ ଆରମ୍ଭ କଲେ । ରାଜନୀତିକ ପରିବର୍ତ୍ତନ ଆର୍ଥିକ ତଥା ବୃହତ୍ତର ସାମାଜିକ ପରିବର୍ତ୍ତନ ଆଡ଼କୁ ବାଟ କଢ଼ାଇ ନେବାର କଥା । ପ୍ରତ୍ୟେକ ଦେଶରେ ଏହି ପରିବର୍ତ୍ତନଟି ଲାଗି ଆବଶ୍ୟକ ମୂଳଦୁଆଟି ପଡ଼ିବା କଥା ଏବଂ ଏକ ଅନୁକୂଳ ଆଭିମୁଖ୍ୟ ସୃଷ୍ଟି ହେବା କଥା । କିନ୍ତୁ ରାଜନୀତିର ଯେକୌଣସି ପର୍ଯ୍ୟବେକ୍ଷକ ଆଖି ବୁଲାଇଦେବା ମାତ୍ରକେ ଏହି କଥାଟିକୁ ଅବଶ୍ୟ ଦେଖିପାରିବ ଯେ ନବସ୍ୱାଧୀନ କେତେକ ଦେଶରେ ଏ ପର୍ଯ୍ୟନ୍ତ ସେହି ଅତ୍ୟାବଶ୍ୟକ ସ୍ଥିରତାଟି ଆଦୌ ଆସିପାରିନାହିଁ । ସେଠି ରାଜନୀତିକ କ୍ଷମତା ପାଇଁ ଲଢ଼ାଇ ଚାଲିଛି । ଜନଗଣଙ୍କୁ ମିଛ ପ୍ରତିଶ୍ରୁତିମାନ ଦିଆଯାଉଛି, ମିଛ ଘୃଣାଗୁଡ଼ାକର ପ୍ରଚାରଦ୍ୱାରା ମିଛ ଉତ୍ତେଜନାମାନ ସୃଷ୍ଟି କରି ରଖାଯାଉଛି । ଅର୍ଥନୀତି ଏବଂ ସମାଜର ନୂତନ ବିଧାନ ବିଷୟରେ ହୁଏତ ଚିନ୍ତା କରିବାକୁ ବେଳ ନାହିଁ । ଅନ୍ତଃପୁରରେ ଗାଦି ପାଇଁ ଭିଡ଼ାଓଟରା ଲାଗିଥିବା ପର୍ଯ୍ୟନ୍ତ ଜନଜୀବନର ଭାଗ୍ୟ ବିଷୟରେ ଥିର ହୋଇ ଚିନ୍ତା କରିବାକୁ ବେଳ କାହିୁଁ ଆସିବ ?

 

ପୃଥିବୀର ପ୍ରଚଳିତ ଅର୍ଥନୈତିକ ବ୍ୟବସ୍ଥାକୁ ବଦଳାଇ ଏକ ନୂଆ ଅର୍ଥନୈତିକ ବ୍ୟବସ୍ଥା ସୃଷ୍ଟିପାଇଁ ୮୬ଟି ଦେଶକୁ ନେଇ ଗଠିତ ହୋଇଥିବା ନିରପେକ୍ଷ ରାଷ୍ଟ୍ରଗୋଷ୍ଠୀ ପକ୍ଷରୁ ଧାରାବାହିକ ଉଦ୍ୟମ ହୋଇଆସୁଛି । ବିଶେଷତଃ ନିକଟରେ କଲମ୍ୱୋଠାରେ ଉଦ୍‌ଯାପିତ ହୋଇଯାଇଥିବା ଏହାର ୫ମ ଶୀର୍ଷ ସମ୍ମିଳନୀରେ ଏଥିପାଇଁ ନିର୍ଦ୍ଦିଷ୍ଟ ପ୍ରସ୍ତାବମାନ ଗୃହୀତ ହୋଇଯାଇଛି । ଅବଶ୍ୟ ପାକିସ୍ତାନ ଏହି ସଂସ୍ଥାର ସଭ୍ୟ ନୁହେଁ । ପ୍ରଥମ ଥରପାଇଁ ନୂଆ କରି ଏହି ନିରପେକ୍ଷ ରାଷ୍ଟ୍ରଗୋଷ୍ଠୀ ଭିତରେ ପ୍ରବେଶ କରିବା ଲାଗି ପାକିସ୍ତାନ ପକ୍ଷରୁ ପରୋକ୍ଷଭାବେ ଯେଉଁ ଉଦ୍ୟମ ହୋଇଥିଲା, ତାହା ବ୍ୟର୍ଥ ହୋଇଯାଇଛି । ନିରପେକ୍ଷ ରାଷ୍ଟ୍ରଗୋଷ୍ଠୀ, ଅର୍ଥାତ୍‌ ଜାତିସଂଘର ଦୁଇତୃତୀୟାଂଶରୁ ଅଧିକ ସଭ୍ୟରାଷ୍ଟ୍ର ସଭ୍ୟଭାବେ ରହିଥିବା ପୃଥିବୀର ଏହି ସଂଖ୍ୟାଗରିଷ୍ଠ ଅନୁଷ୍ଠାନର ସ୍ୱୀକୃତି ଓ ସ୍ୱାଗତ ହାସଲ କରିପାରୁ ନଥିବା ପାକିସ୍ତାନ ଭଳି ଏକ ସାମରିକ ମେଣ୍ଟଭୁକ୍ତ ରାଷ୍ଟ୍ର ପକ୍ଷରୁ ନିରପେକ୍ଷ ଶୀର୍ଷ ସମ୍ମିଳନୀର ଅବ୍ୟବହିତ ପୂର୍ବରୁ ଏଭଳି ଏକ ଅନୁରୂପ ଶୀର୍ଷ ସମ୍ମିଳନୀ ଆହ୍ୱାନ କରିବାର କାରଣ କ’ଣ ହୋଇପାରେ ? ବରଂ ଇଏ ତ ପୃଥିବୀର ସଂଖ୍ୟାଗରିଷ୍ଠ ସମର୍ଥନକ୍ରମେ ଗୃହୀତ ହୋଇଥିବା ଅର୍ଥନୈତିକ ପୁନର୍ଗଠନର ପଦକ୍ଷେପକୁ ସମର୍ଥନ କରିପାରନ୍ତା । କିନ୍ତୁ ପାକିସ୍ଥାନର ଏହି ଉଦ୍ୟମ ଯେ ସମ୍ପୂର୍ଣ୍ଣ ରାଜନୈତିକ ଉଦ୍ଦେଶ୍ୟମୂଳକ, ଏଥିରେ ସନ୍ଦେହ ନାହିଁ । ସମ୍ଭବତଃ ନିରପେକ୍ଷ ସମ୍ମିଳନୀ ପୂର୍ବରୁ ଏଥିରେ ପ୍ରବେଶ କରିବାପାଇଁ ପ୍ରକାରାନ୍ତରେ ଏକ ପ୍ରସ୍ତୁତି ଆରମ୍ଭ କରିବା ଏହି ବିବୃତ୍ତିର ଯେ ଉଦ୍ଦେଶ୍ୟ ଥିଲା, ଏକଥା ଯେକୌଣସି ରାଜନୀତି-ସଚେତନ ମଣିଷ କହିଦେଇ ପାରିବ । ତେଣୁ ସେଥିପ୍ରତି କେହି କର୍ଣ୍ଣପାତ କଲେ ନାହିଁ କି କରିବା ଦରକାର ହେଲାନାହିଁ ।

 

ତା୨୪.୦୮.୧୯୭୬ ରିଖ

Image

 

ତୃତୀୟ ପୃଥିବୀ-ନୂଆ ପୃଥିବୀ

 

ଗୋଷ୍ଠୀନିରପେକ୍ଷତା କହିଲେ କେବଳ ଗୋଷ୍ଠୀଗୁଡ଼ିକର ବାହାରେ ରହିବାକୁ ବୁଝାଏ ନାହିଁ, ଅର୍ଥାତ୍‌ ତଥାକଥିତ ମେଣ୍ଟଗୁଡ଼ାକର ବାହାରେ ରହିବାଟାକୁ ହିଁ ବୁଝାଏ ନାହିଁ । ଗୋଷ୍ଠୀ-ନିରପେକ୍ଷତା କହିଲେ ଯାବତୀୟ ପ୍ରକାରର ରାଜନୀତିକ ଏବଂ ଅର୍ଥନୈତିକ ଚାପର ବାହାରେ ରହିବାକୁ ମଧ୍ୟ ବୁଝାଏ । କଲମ୍ୱୋଠାରେ ହୋଇଥିବା ଗୋଷ୍ଠୀ-ନିରପେକ୍ଷ ଦେଶର ଶିଖର ସମ୍ମିଳନୀରେ ଭାଷଣ ଦେଇ ମିଶରର ରାଷ୍ଟ୍ରପତି ଶ୍ରୀଯୁକ୍ତ ଆନ୍‌ୱାର ସାଦାତ୍‌ ଏହି ମନ୍ତବ୍ୟଟି ଦେଇଛନ୍ତି ।

 

ରାଜନୀତିକ ଏବଂ ଅର୍ଥନୈତିକ ଚାପ-ଏଗୁଡ଼ାକ ହେଉଛି ପୁରୁଣା ପୃଥିବୀର କଥା, ପୁରୁଣା ପୃଥିବୀଟିର ପନ୍ଥା ଓ ପୁରୁଣା ପୃଥିବୀଟିର ଚାଲାକି । ଭୌଗୋଳିକ ଅର୍ଥରେ ସାମ୍ରାଜ୍ୟଗୁଡ଼ାକର ଲୋପ ହୋଇଯାଇଥିଲେ ମଧ୍ୟ ସାମ୍ରାଜ୍ୟବାଦର ସେହି ପୁରୁଣା ଆଗ୍ରହଟା ଏବେ ଅର୍ଥନୈତିକ ତଥା ରାଜନୀତିକ ନାନା ଦୃଶ୍ୟ ଓ ଅଦୃଶ୍ୟ ଚାପର ଆଶ୍ରୟ ନେଇ ପୃଥିବୀକୁ ସେହିପରି ପୁରୁଣା କରି ରଖିବାକୁ ଇଚ୍ଛା କରୁଛି । ଏହି ଚାପଗୁଡ଼ାକୁ ଉତ୍ତେଜିତ ପୋଷକତା ଦେବାଲାଗି ପୃଥିବୀର ସାମ୍ରାଜ୍ୟଆଗ୍ରହୀମାନେ ଆପଣାର ସାମରିକ ଶକ୍ତିଗୁଡ଼ାକୁ ଆଖିବୁଜା ବଢ଼ାଇବାରେ ଲାଗିଛନ୍ତି । ସାମ୍ରାଜ୍ୟବାଦର ଅମଳରେ ସେମାନେ ଆପଣାଲାଗି ଯେଉଁ ଅନୁକୂଳତାର ଅର୍ଥନୈତିକ ଡିହଟି ଗଢ଼ିବାକୁ ସମର୍ଥ ହୋଇଥିଲେ, ସେହିଗୁଡ଼ାକର ଅରୀତିଗୁଡ଼ାକୁ ପ୍ରୟୋଗ କରି ସେମାନେ ପୃଥିବୀର ଅର୍ଥନୀତିକୁ ସେହିପରି ପୁରୁଣା କରି ରଖିବାକୁ ଚେଷ୍ଟା କରୁଛନ୍ତି, ନିର୍ଭରଶୀଳମାନଙ୍କୁ ଅଧିକ ନିର୍ଭରଶୀଳ କରି ରଖିବାର ଷଡ଼ଯନ୍ତ୍ରମାନ କରୁଛନ୍ତି । ପୃଥିବୀର ରାଜନୀତି କହିଲେ ବର୍ତ୍ତମାନ ମଧ୍ୟ ଆନୁଷ୍ଠାନିକ ଯାବତୀୟ କ୍ଷେତ୍ରରେ ପ୍ରାୟ ସେହି ଊନବିଂଶ ଶତାଦ୍ଦୀର ଚାପ ପକାଇ ବାଧ୍ୟ କରିବାର ନୀତିକୁ ବୁଝାଉଛି । ସେଗୁଡ଼ାକୁ ଉନ୍ନତ ଓ ଅଳ୍ପଉନ୍ନତ ପ୍ରାୟ ସବୁଯାକ ଦେଶ ଅନୁସରଣୀୟ ଶାସ୍ତ୍ର ପରି ଗ୍ରହଣ କରିନେବାର ପ୍ରବୃତ୍ତି ଦେଖାଉଛନ୍ତି । ସମସ୍ତଙ୍କର ସମର୍ଥନରେ ମିଳିତ ଜାତିସଂଘ ନାମରେ ଗୋଟିଏ ଚଉପାଢ଼ୀ ରହିଛି ସତ, ମାତ୍ର ଚାପଗୁଡ଼ାକ ଦ୍ୱାରା ହିଁ ପୃଥିବୀରେ ନାନାବିଧ ସାମରିକ ତଥା ଅଣସାମରିକ ଲଘୁଚାପ ମଣ୍ଡଳ ଏବଂ ଗୁରୁଚାପ ମଣ୍ଡଳର ସୃଷ୍ଟି କରାଯାଉଛି । ଖାଲି ମେଣ୍ଟଗୁଡ଼ାକରୁ ବାହାରେ ରହିଲେ ତାହା କଦାପି ଯଥେଷ୍ଟ ହେବନାହିଁ, ମାତ୍ର ଏହି ରାଜନୀତିକ ଏବଂ ଅର୍ଥନୀତିକ ଚାପଗୁଡ଼ାକ ମଧ୍ୟରୁ ବି ମୁକ୍ତ ରହିବାକୁ ପଡ଼ିବ, ରାଷ୍ଟ୍ରପତି ସାଦାତ୍‌ ଆମକୁ ସେହି ଚିନ୍ତାଟି କରିବା ଲାଗି ଉଦ୍‌ବୋଧନ ଦେଇଛନ୍ତି ।

 

ତୃତୀୟ ପୃଥିବୀ କେବଳ ମେଣ୍ଟଗୁଡ଼ାକର ବାହାରେ ରହିବ ନାହିଁ, କେବଳ ଚାପଗୁଡ଼ାକର ବାହାରେ ରହି ଆପଣାର ଭିନେଘର କରି ରହିବ ନାହିଁ । ମାତ୍ର ଭବିଷ୍ୟତର ପୃଥିବୀ ଯେପରି ସକଳ ପ୍ରକାର ବ୍ୟୂହରୁ ମୁକ୍ତ ରହିପାରିବ, ସକଳ ପ୍ରକାର ଚାପରୁ ମୁକ୍ତ ରହି ଯେପରି ପୃଥିବୀର ପ୍ରତ୍ୟେକ ଜାତି ଓ ପ୍ରତ୍ୟେକ ଦେଶ ଆପଣାର ସୁସ୍ଥ ବିକାଶ ଲାଗି ଏକ ସ୍ୱାଭାବିକ ପରିସର ପାଇପାରିବେ, ପୃଥିବୀର ପ୍ରତ୍ୟେକ ଦେଶ ଯେପରି ପରସ୍ପରର ପ୍ରତିବେଶୀ ହୋଇ ରହିପାରିବେ, ଅର୍ଥାତ୍‌ ପ୍ରତ୍ୟେକ ଜନସମୂହ ଯେପରି ପରସ୍ପରର ବନ୍ଧୁ ଓ ସହଯୋଗୀ ହୋଇ ରହିପାରିବେ, ଗୋଷ୍ଠୀ-ନିରପେକ୍ଷତାର ଆନ୍ଦୋଳନଟି କ୍ରମେ ତାହାରି ଅଧିକରୁ ଅଧିକ ନିକଟବର୍ତ୍ତୀ ହେବାଲାଗି ଆପଣାକୁ ପରିଚାଳିତ କରି ନେଉଥିବା ପରି ମନେ ହେଉଛି । ଏହି ନବସ୍ୱାଧୀନ ଦେଶଗୁଡ଼ିକ ସତେଅବା ସେହିପରି ଏକ ବିଶ୍ୱବ୍ୟବସ୍ଥାକୁ ହିଁ ଆପଣାର ଦୀର୍ଘ ସ୍ୱାଧୀନତା ସଂଗ୍ରାମର ପୂର୍ଣ୍ଣ ପରିଣତି ବୋଲି ଅନୁଭବ କରୁଛନ୍ତି । ସେହି କାରଣରୁ ହିଁ ଗୋଷ୍ଠୀନିରପେକ୍ଷତା ଆମ ସାଂପ୍ରତିକ ପୃଥିବୀର ପ୍ରଚଳିତ ଓ ସ୍ୱୀକୃତ ରାଜନୀତିକ ଓ ଅର୍ଥନୈତିକ ଛାଞ୍ଚଗୁଡ଼ାକ ଆଗରେ ପ୍ରକୃତରେ ଏତେ ଖାପଛଡ଼ା ଖାପଛଡ଼ା ଲାଗୁଛି ।

 

ପୃଥିବୀରେ ଯେତେବେଳେ ମାତ୍ର କେତୋଟି ଦେଶ ସ୍ୱାଧୀନ ଥିଲେ ଏବଂ ପୃଥିବୀର ଅଧିକାଂଶ ଜନସମୂହ ବିଭିନ୍ନ ସାମ୍ରାଜ୍ୟର ଉପନିବେଶଗୁଡ଼ିକରେ ପ୍ରଜା ହୋଇ ରହିଥିଲେ, ସେତେବେଳେ ଯେଉଁ ରାଜନୀତି ଓ ଅର୍ଥନୀତି ତତ୍କାଳୀନ ପୃଥିବୀକୁ ସୁହାଉଥିଲା, ତାହା ବର୍ତ୍ତମାନ ସବୁ ମଣିଷଙ୍କୁ ନେଇ ଗଢ଼ା ହେବାକୁ ଯାଉଥିବା ଏକ ଅନ୍ୟ ପୃଥିବୀଲାଗି ମୋଟେ ସୁହାଇବ ନାହିଁ । ତଥାପି ଏଥିରେ ନିରାଶ ହେବାର କୌଣସି କାରଣ ନାହିଁ ଯେ ପୃଥିବୀର କେତୋଟି ଶକ୍ତି ନାନାବିଧ ଚାପ ଓ ଚକ୍ରର ପ୍ରୟୋଗ କରି ସେହିଗୁଡ଼ିକୁ ହିଁ ସ୍ଥାୟୀ କରି ରଖିବାକୁ ଇଚ୍ଛା କରିବେ । ସେସବୁ ଚାପ ସତ୍ତ୍ୱେ ତଥାପି ତୃତୀୟ ପୃଥିବୀକୁ ଅଗ୍ରସର ହେବାକୁ ହେବ । ତୃତୀୟ ପୃଥିବୀକୁ ସର୍ବକାଳ ଲାଗି ଏକ ତୃତୀୟ ପୃଥିବୀ କରି ରଖିବାକୁ ନୁହେଁ, ପୃଥିବୀଯାକ ମଣିଷଙ୍କୁ ଗୋଟିଏ ପୃଥିବୀର ଅନ୍ତର୍ଭୁକ୍ତ କରି ରଖିବାକୁ ହିଁ ତୃତୀୟ ପୃଥିବୀରୁ ଏକ ବିକଳ୍ପ ଉଦ୍ୟମ ହେବ । ଅତ୍ୟନ୍ତ ଦୃଢ଼ ଭାବରେ ଏହି ଉଦ୍ୟମ ହେବ । ମିଳିତ ଜାତିସଂଘର ଆଧାରରେ ଯେଉଁ ସମଗ୍ର ମାନବିକ ସ୍ୱପ୍ନଟି ନିହିତ ହୋଇ ରହିଛି, ଯେଉଁ ନୂତନ ସମ୍ୱନ୍ଧର ଆବେଦନଟି ରହିଛି, ତୃତୀୟ ପୃଥିବୀର ମଧ୍ୟ ତାହା ହିଁ ସ୍ୱପ୍ନ ହୋଇ ରହିବ । ତାହାର ଯାବତୀୟ ଆବେଦନ କେବଳ ଆତ୍ମରକ୍ଷାମୂଳକ ଏକ ସତର୍କ ତାତ୍କାଳିକତା ନହୋଇ ଏକ ନୂତନ ଓ କାମ୍ୟତର ପୃଥିବୀକୁ ସମ୍ଭବ ପରାଇ ଆଣିବାଲାଗି ପୂର୍ଣ୍ଣନିର୍ଭୀକ ଭାବରେ ଉଦ୍ଦିଷ୍ଟ ହୋଇ ରହିବ ଏବଂ ଏହି ନୂତନ ପୃଥିବୀର ପଥପ୍ରଦର୍ଶକ ହେବ ଭାରତ, କାରଣ ସ୍ୱାଧୀନ ଭାରତର ଏହାହିଁ ଏକମାତ୍ର ସର୍ବୋତ୍ତମ ଲକ୍ଷ୍ୟ ।

 

ତା ୨୭.୦୮.୧୯୭୬ ରିଖ

Image

 

ଗୋଷ୍ଠୀମୁକ୍ତତା ଓ ବିଶ୍ୱଶାନ୍ତି

 

ଗୋଷ୍ଠୀମୁକ୍ତ ଦେଶଗୁଡ଼ିକର ଶିଖର ସମ୍ମିଳନୀରେ ଭାଷଣ ଦେଇ ଆଫଗାନିସ୍ଥାନର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ଦାଉଦ କହିଛନ୍ତି ଯେ ଗୋଷ୍ଠୀମୁକ୍ତ ହୋଇ ରହିବା କେବଳ ଗୋଷ୍ଠୀ ଓ ମେଣ୍ଟଗୁଡ଼ାକରୁ ନିଜକୁ ବଞ୍ଚାଇ ରଖିବାର ଏକ ପ୍ରତିବିଧାନମୂଳକ ପନ୍ଥା ନୁହେଁ, ଗୋଷ୍ଠୀନିରପେକ୍ଷତା ହେଉଛି ବିଶ୍ୱଶାନ୍ତି ଲାଗି ହୁଏତ ଏକ ପ୍ରଶସ୍ତତମ ବାଟ । ଯେତେବେଳେ ଯୁଦ୍ଧ କହିଲେ ବିଶ୍ୱଯୁଦ୍ଧକୁ ବୁଝାଇବାକୁ ଆରମ୍ଭ କଲାଣି, ସେତେବେଳେ ଶାନ୍ତି କହିଲେ ନ୍ୟାୟତଃ କେବଳ ବିଶ୍ୱଶାନ୍ତିକୁ ହିଁ ବୁଝାଇବ ଏବଂ ବିଶ୍ୱଶାନ୍ତିକୁ ବାଦ ଦେଇ ଯେଉଁ ସବୁ ତଥାକଥିତ କୂଟନୈତିକ ଶାନ୍ତିର ପ୍ରତିଷ୍ଠା କରାହେବାରେ ଲାଗିଥିବ, ତାହାକୁ ପ୍ରକୃତରେ ଶାନ୍ତି ନ କହି ଶୀତଳଯୁଦ୍ଧ ବୋଲି ହିଁ କହିବାକୁ ପଡ଼ିବ ।

ମେଣ୍ଟ, ସାମରିକ ଭୟପ୍ରଦର୍ଶନ ଓ ପ୍ରତିଯୋଗିତାମୂଳକ ଆଦର୍ଶବାଦ ଜରିଆରେ ବିଭିନ୍ନ ପ୍ରକାରର ଗୋଷ୍ଠୀ ଗଢ଼ି ଓ ପୃଥିବୀକୁ ସ୍ୱାର୍ଥଗତ ନାନା ସାହିରେ ବିଭକ୍ତ କରି ଏପର୍ଯ୍ୟନ୍ତ ଯାହା ପ୍ରତିଷ୍ଠା କରାଯାଇଛି, ତାକୁ ଆମେ ସେହି ଶୀତଳଯୁଦ୍ଧ ବୋଲି ହିଁ କହିବା । ଯେଉଁମାନେ ଶିଳ୍ପ, ଯନ୍ତ୍ରକୌଶଳ ଏବଂ ବୈଜ୍ଞାନିକ ବୁଦ୍ଧିର ପ୍ରୟୋଗ କ୍ଷେତ୍ରରେ ଅନେକ ଆଗକୁ ଯାଇ ସାରିଛନ୍ତି, ହୁଏତ ସେହିମାନଙ୍କର ହିଁ ଶାନ୍ତି ନାମରେ ଶୀତଳ ଯୁଦ୍ଧର ଫାଶ ମେଲାଇ ତାହାରି ମଧ୍ୟରେ ନିଜ ସହିତ ପୃଥିବୀର ଯଥାସମ୍ଭବ ଆଉ ସମସ୍ତଙ୍କୁ ଲଟରପଟର କରିବା ଲାଗି ସମୟ ଅଛି, ସମ୍ୱଳ ମଧ୍ୟ ରହିଛି । ମାତ୍ର ପୃଥିବୀର ଯେଉଁ ପ୍ରାୟ ତିନିଭାଗରୁ ଭାଗେ ଦେଶ ଏବେ ସ୍ୱାଧୀନ ହୋଇଛନ୍ତି, ଆପଣା ଲାଗି ଏକ ସୁନ୍ଦର ଭବିଷ୍ୟତର ବିଶ୍ୱାସ ପୋଷଣ କରିଛନ୍ତି, ସେମାନଙ୍କର ଶୀତଳ ଯୁଦ୍ଧଲାଗି ସମ୍ୱଳ କାହିଁ ? ସମୟ ବା କାହିଁ ? ତୃତୀୟ ପୃଥିବୀର ବିଚାରଟି ସେମାନଙ୍କର ମୁଣ୍ଡରୁ ବାହାରିଛି । ଗୋଷ୍ଠୀନିରପେକ୍ଷତାର ଆନ୍ଦୋଳନଟି ସେହିମାନଙ୍କର ପ୍ରୟୋଜନରୁ ହିଁ ଜନ୍ମଲାଭ କରିଛି । ଯେଉଁମାନେ ମେଣ୍ଟଗୁଡ଼ାକର ଅନ୍ତରାଳରେ ପୃଥିବୀ ସାରା ଅସ୍ତ୍ରର ଭଣ୍ଡାର ମେଲାଇ ଦେଇଛନ୍ତି, ସେମାନଙ୍କର ବରାଦ ଅନୁସାରେ ଯଦି ପୃଥିବୀର ସକଳ ଦେଶ ମେଣ୍ଟ ଭିତରେ ହିଁ ରହିଥାନ୍ତେ, ପରସ୍ପର ସହିତ ଅସ୍ତ୍ରରେ ପ୍ରତିଯୋଗିତା କରିଥାନ୍ତେ, ତେବେ ପୃଥିବୀ ଏହା ମଧ୍ୟରେ କେତୋଟି ବ୍ୟୂହରେ ବିଭକ୍ତ ହୋଇ ସାରନ୍ତାଣି । ଶ୍ରୀଯୁକ୍ତ ଅର୍‌ୱେଲ୍‌ ତାଙ୍କର ‘୧୯୮୪’ ଉପନ୍ୟାସରେ କାଳକ୍ରମେ ପୃଥିବୀ ଗୋଟାଯାକ ଦୁଇ ବା ତିନୋଟି ଏକାଧିନାୟକତ୍ୱରେ ବିଭକ୍ତ ହୋଇଯିବ ବୋଲି ଯେଉଁ ଭବିଷ୍ୟ କଳ୍ପନା କରିଥିଲେ, ୧୯୮୪ ମସିହାର ବହୁ ପୂର୍ବରୁ ହିଁ ହୁଏତ ସେଇଟି ଘଟି ସାରନ୍ତାଣି । ପୃଥିବୀର ମେଣ୍ଟ ଓ ମେଣ୍ଟରାଜନୀତି ଭିତରେ ଘାଣ୍ଟି ହୋଇ ରହିଥିବା ଏବଂ ଆପଣାର ନ୍ୟସ୍ତସ୍ୱାର୍ଥ ଏବଂ ଅଭ୍ୟସ୍ତ ପ୍ରଭାବଗୁଡ଼ିକର ସୁରକ୍ଷାକୁ ବିଶ୍ୱବାସୀଙ୍କର ବିକାଶଠାରୁ ଅଧିକ ଜରୁରୀ ବୋଲି ମନେକରୁଥିବା ମେଣ୍ଟନାୟକମାନେ ଯେତେ ଯାହା ଅସ୍ୱୀକାର କଲେ ମଧ୍ୟ ଏହି କଥାଟି ଅବଶ୍ୟ ସ୍ୱୀକାର କରିବାକୁ ହେବ ଯେ, ଗୋଷ୍ଠୀ-ନିରପେକ୍ଷ ଆନ୍ଦୋଳନଟିର ହିଁ ପୃଥିବୀକୁ ସେପରି ଏକ ଭୟାବହ ପ୍ରମାଦରୁ ମୁକ୍ତ କରି ରଖିବାରେ ହୁଏତ ସବୁଠାରୁ ଅଧିକ ଅବଦାନ ରହିଛି ଏବଂ ଏକଥା ମଧ୍ୟ ସତ ଯେ ଗୋଷ୍ଠୀମୁକ୍ତ ଆନ୍ଦୋଳନ ସମ୍ମୁଖରେ ହିଁ ଆନ୍ତର୍ଜାତିକ ସହଯୋଗ ଓ ସହାବସ୍ଥାନ ଦୃଷ୍ଟିରୁ ବିଚାର କରି ଦେଖିଲେ ସବୁଠାରୁ ସୁସ୍ଥ ଅଭିକ୍ରମଟି ରହିଛି ।

ମାତ୍ର, ଅନ୍ୟ ପକ୍ଷରୁ ବିଚାର କରି ଦେଖିଲେ ଗୋଷ୍ଠୀମୁକ୍ତତାର ଆନ୍ଦୋଳନ ଲାଗି ଏକ ବିଶ୍ୱଶକ୍ତି ରୂପେ ପ୍ରତିଷ୍ଠିତ ହେବା ସକାଶେ ଆହୁରି ଅନେକ ପଥ ଅତିକ୍ରମ କରିବାକୁ ବାକୀ ରହିଛି । ବାନ୍ଦୁଙ୍ଗ୍‌ଠାରୁ ଆରମ୍ଭ କରି କଲମ୍ୱୋ ପର୍ଯ୍ୟନ୍ତ ଏହି ଆନ୍ଦୋଳନଟି ଯେତିକି ଦୂର ଅଗ୍ରସର ହୋଇପାରିଛି, ତାହା କଦାପି କିଛି କମ୍‌ ବାଟ ନୁହେଁ ଏବଂ ଏଥିଲାଗି ସଂପୃକ୍ତ ନେତୃତ୍ୱକୁ ଆଦୌ କମ୍‌ ପ୍ରତିକୂଳତା ମଧ୍ୟ ଦେଇ ଆସିବାକୁ ହୋଇନାହିଁ । ଏହି ପଥଟି ପ୍ରଧାନତଃ ଏକ ପ୍ରତିକୂଳ ସ୍ରୋତକୁ ପହଁରି ପାରି ହେବାର ପଥ ହୋଇ ରହି ଆସିଛି । ମାତ୍ର ଦ୍ୱିତୀୟ ମହାଯୁଦ୍ଧ ପରେ ଦୁଇ ବୃହତ୍‌ଶକ୍ତିଙ୍କର ଅନୁଗ୍ରହରୁ ପୃଥିବୀଯାକ ଦୁଇଭାଗ କରି ରଖିବାର ମହାଧୂମ୍‌ଧାମ ଆରମ୍ଭ ହେଲାବେଳେ ଏହି ଗୋଷ୍ଠୀନିରପେକ୍ଷତାର ଅନ୍ୟ ଆକାଙ୍‌କ୍ଷାଟି ହିଁ ଏକ ତୃତୀୟ ସମ୍ଭାବନାର ସଂକେତ ଦେବାକୁ ସାହସ କରିଛି ଓ ପୃଥିବୀର ରାଜନୀତିକ ଦୃଷ୍ଟି ଓ ରାଜନୀତିକ ବିବେକକୁ ସମ୍ପୂର୍ଣ୍ଣ ଏକ ନୂତନ ପ୍ରସ୍ଥ ଯୋଗାଇଦେଇ ପାରିଛି ।

ଗୋଷ୍ଠୀନିରପେକ୍ଷତା ହିଁ ବିଶ୍ୱଶାନ୍ତି ଲାଗି ଅନୁକୂଳ ଜଳବାୟୁ ଯୋଗାଇଦେଇ ପାରିବ । କାରଣ ଏଥିରେ ନୂଆ ପ୍ରକାରର କୌଣସି ସାମ୍ରାଜ୍ୟବାଦୀ ପୁରୁଣା ଅହଙ୍କାରକୁ ସାବ୍ୟସ୍ତ କରି ରଖିବାରେ ଆଦୌ କୌଣସି ଅପଚକ୍ରାନ୍ତ ନାହିଁ । ଗୋଷ୍ଠୀମୁକ୍ତ ଦେଶଗୁଡ଼ିକ ଆଗାମୀ ଅନେକବର୍ଷ ଲାଗି ଆପଣାର ନାନା ଅର୍ଥନୈତିକ ତଥା ରାଜନୀତିକ ବିକାଶଗତ ସମସ୍ୟାଗୁଡ଼ିକୁ ନେଇ ଅତ୍ୟନ୍ତ ବ୍ୟସ୍ତ ରହିବେ ଏବଂ ଏହିସବୁ କ୍ଷେତ୍ରରେ ଆପଣା ଲାଗି ସୁସ୍ଥ ଓ ସ୍ୱକୀୟ ଉତ୍ତରଟିଏ ଖୋଜି ବାହାର କରିବା ଲାଗି ସେମାନଙ୍କ ଆଗରେ ରହିଥିବା ଆହ୍ୱାନଟି ସେମାନଙ୍କଠାରୁ ସର୍ବାଧିକ ଏକାଗ୍ରତା ଦାବୀ କରିବ । ପ୍ରତ୍ୟେକ ଦେଶ ସ୍ୱତନ୍ତ୍ର ହେବେ, ଆପଣାର ସ୍ୱକୀୟ ବାଟରେ ବିକାଶଲାଭ କରିବେ,-କୌଣସି ଭୟ ବା କୌଣସି ଅପସାହସରେ ପୃଥିବୀକୁ ଭ୍ରଷ୍ଟ କରିନେବାକୁ ପୃଥିବୀରେ କୌଣସି ବୃହତ୍‌ ଦୌରାତ୍ମ୍ୟ ଅତ୍ୟୁଗ୍ର କ୍ଷମତା ନେଇ ରହି ନଥିବ,-ତେବେଯାଇ ପୂର୍ଣ୍ଣ ଶାନ୍ତି ଆସିବ । ଗୋଷ୍ଠୀମୁକ୍ତ ଦେଶମାନେ ଏହିପରି ଏକ ଶାନ୍ତି ଲାଗି ଶକ୍ତିଶାଳୀ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି-

ତା ୩୧.୦୮.୧୯୭୬ ରିଖ

Image

 

ବହିଃଆକ୍ରମଣର ଆଶଙ୍କା

 

ଏବେ ଶ୍ରୀଲଙ୍କାର ରାଜଧାନୀ କଲମ୍ୱୋଠାରେ ଗୋଷ୍ଠୀନିରପେକ୍ଷ ଦେଶଗୁଡ଼ିକର ରାଷ୍ଟ୍ରମୁଖ୍ୟମାନଙ୍କୁ ନେଇ ଯେଉଁ ଶିଖର-ସମ୍ମିଳନୀ ହୋଇଗଲା, ସେଥିରେ ଦେଇଥିବା ଏକ ଭାଷଣରେ ଯୁଗୋସ୍ଳାଭିଆର ସଭାପତି ମାର୍ଶାଲ୍‌ ଟିଟୋ ଗୋଷ୍ଠୀନିରପେକ୍ଷ ରାଷ୍ଟ୍ରଗୁଡ଼ିକର ନିରାପତ୍ତା ଏବଂ ସ୍ୱାଧୀନତା ଉପରେ ବହିଃଆକ୍ରମଣର ବିପଦ ରହିଛି ବୋଲି ଉପସ୍ଥିତ ସମସ୍ତଙ୍କୁ ସତର୍କ କରାଇ ଦେଇଛନ୍ତି । ଗୋଷ୍ଠୀନିରପେକ୍ଷତାକୁ ଏକ ପନ୍ଥା ରୂପେ ଗ୍ରହଣ କଲେ ଆନ୍ତର୍ଜାତିକ ନାନା କ୍ଷେତ୍ରରୁ କେତେଭଳି ପ୍ରକୋପ ଯେ ସହ୍ୟ କରିବାକୁ ହୁଏ, ମାର୍ଶାଲ୍‌ ଟିଟୋ ସେକଥା ଏକାଧିକବାର ଓ ଏକାଧିକ ପ୍ରକାରେ ଅଙ୍ଗେ ନିଭାଇଛନ୍ତି । ଇଉରୋପଯାକ ଗୋଟାସୁଦ୍ଧା ଭୂଖଣ୍ଡରେ ଗୋଷ୍ଠୀଗତତା ଏବଂ ତଦନୁରୂପ ବ୍ୟୂହନିର୍ମାଣର ଜୟଧ୍ୱଜାମାନ ଉଡ଼ୁଥିବାବେଳେ ସେହିମାନଙ୍କର ସମୁଦ୍ର ଭିତରେ ପ୍ରାୟ ଗୋଟିଏ ଏକୁଟିଆ ଦ୍ୱୀପ ପରି ମାର୍ଶଲ୍‌ ଟିଟୋ ନିଜ ଦେଶର ଗୋଷ୍ଠୀନିରପେକ୍ଷ ଅର୍ଥାତ୍‌ ସ୍ୱାଧୀନ ସ୍ଥିତିଟିକୁ ତଥାପି ବଜାୟ ରଖିବାକୁ ଆପ୍ରାଣ ଚେଷ୍ଟା କରିଛନ୍ତି ଓ ସେହି ଚେଷ୍ଟାରେ ସଫଳ ମଧ୍ୟ ହୋଇଛନ୍ତି । ତେଣୁ ସିଏ କଲମ୍ୱୋଠାରେ ଯେଉଁ ସତର୍କବାଣୀ ଶୁଣାଇଛନ୍ତି, ତାହାକୁ କେବଳ ଏକ ଉତ୍ସବକାଳୀନ ବକ୍ତୃତା ବୋଲି କଦାପି ଉଡ଼ାଇ ଦେଇ ହେବନାହିଁ ।

 

ଗୋଷ୍ଠୀନିରପେକ୍ଷତା ପ୍ରତି ବସ୍ତୁତଃ ଅନେକ ପ୍ରକାରର ବିପଦ ରହିଛି । ଗୋଷ୍ଠୀନିରପେକ୍ଷ ଦେଶଗୁଡ଼ିକ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଏବେ ସ୍ୱାଧୀନ ହୋଇଥିବା ଦେଶ । ସେମାନଙ୍କ ମଧ୍ୟରୁ ଅନେକେ ଏ ପର୍ଯ୍ୟନ୍ତ ଆପଣାଲାଗି ଏକ ସ୍ୱତନ୍ତ୍ର ବାଟ ପାଇନାହାନ୍ତି । ଆପଣା ଆପଣାର ଅନେକ ରାଜନୀତିକ ତଥା ଅର୍ଥନୈତିକ ସମସ୍ୟାର ଗହନ ଭିତରେ ସେମାନେ ଆପଣାଲାଗି ଅନୁକୂଳ ବାଟଟିଏ ପାଇବେ ବୋଲି ଉଦ୍ୟମ ଚଳାଇଛନ୍ତି । ବାହାରୁ ବୃହତ୍‌ ଶକ୍ତିମାନଙ୍କଠାରୁ ସେମାନଙ୍କ ପାଖକୁ ନାନା ପ୍ରଲୋଭନ ଆସି ପହଞ୍ଚୁଛି । ବୃହତ୍‌ଶକ୍ତିମାନେ ହିଁ ପୃଥିବୀକୁ ଦୁଇଟି ବା ତତୋଽଧିକ ଗୋଷ୍ଠୀରେ ବିଭକ୍ତ କରି ରଖିବାକୁ ଇଚ୍ଛା କରୁଛନ୍ତି । ସେମାନେ ଆପଣାର ଶିବିରବୃଦ୍ଧିକୁ ହିଁ ବିଶ୍ୱଶାନ୍ତିର ନିଶ୍ଚିତତମ ପ୍ରମାଣ ବୋଲି ଭାବୁଛନ୍ତି । ତେଣୁ ବୈଦେଶିକ ରାଜନୀତିରେ ଆପଣା ଶିବିରକୁ ଅଧିକରୁ ଅଧିକ ମୁଣ୍ଡ ସୁମାରି କରି ନେଇଆସିବାକୁ ସେମାନେ ସର୍ବୋତ୍ତମ ଚତୁରତା ଏବଂ ସର୍ବୋତ୍ତମ ସଫଳତା ବୋଲି ମଧ୍ୟ ଭାବୁଛନ୍ତି । ତୃତୀୟ ପୃଥିବୀକୁ ଏସବୁ ପ୍ରତି ସାବଧାନ ରହିବାକୁ ପଡ଼ିବ । ମାର୍ଶଲ୍‌ ଟିଟୋ ସଂପୃକ୍ତ ସମସ୍ତଙ୍କୁ ଏହି ବିଷୟରେ ହିଁ ଚେତାଇ ଦେଇଛନ୍ତି ।

 

ସାବଧାନ ନ ରହିଲେ ନିରପେକ୍ଷ ରାଷ୍ଟ୍ରଗୁଡ଼ିକର ନିରାପତ୍ତା ପ୍ରତି ବିପଦ ଆସିବ, ସ୍ୱାଧୀନତା ପ୍ରତି ବିପଦ ଆସିବ । ମାତ୍ର ନିରପେକ୍ଷ ତୃତୀୟ ପୃଥିବୀର ରାଷ୍ଟ୍ରମାନେ କ’ଣ କରି ବା କିପରି ଭାବରେ ଏହି ବିପଦର ପ୍ରତିବିଧାନ କରିପାରିବେ, ସେମାନେ କିପରି ଭାବରେ ଯଥାର୍ଥରେ ସାବଧାନ ରହିପାରିବେ ? ଏହି ସାବଧାନ ରହିବାର ଭୟକୁଣ୍ଡଳୀ ଭିତରେ ପଡ଼ି ତ ଇଉରୋପର ଗୋଟିକ ପରେ ଗୋଟିଏ ଦେଶ ଦୁଇ ବୃହତ୍‌ଶକ୍ତି ବ୍ୟୂହ ମଧ୍ୟରୁ ହୁଏତ ଗୋଟିଏ ପାଖକୁ ଆଉଜି ପଡ଼ିଛନ୍ତି । ରାଜନୀତିରେ ଆଉଜି ପଡ଼ିଛନ୍ତି, ଅର୍ଥନୀତିରେ ଆଉଜି ପଡ଼ିଛନ୍ତି । ସାମରିକ ପକ୍ଷ ଏବଂ ବିପକ୍ଷ ଗଠନର କ୍ଷେତ୍ରରେ ମଧ୍ୟ ସେହିପରି ଆଉଜି ପଡ଼ିଛନ୍ତି ଏବଂ ତାହାରି ପରିଣାମ ସ୍ୱରୂପ ବର୍ତ୍ତମାନ ପୃଥିବୀଯାକ କେତେ କେତେ ଦେଶ ଓ କେତେ କେତେ ଶାସକ ଏପାଖ ଅଥବା ସେପାଖର ହୋଇ ଚିନ୍ତା କରି ନ ପାରିଲେ ନିଜର ଆଦୌ କୌଣସି ସ୍ଥିତିର ହିଁ ଚିନ୍ତା କରିପାରୁ ନାହାନ୍ତି । ସେହି ମେଣ୍ଟର ଜାଲ ଭିତରେ ପଡ଼ି ପୃଥିବୀର ଭାଗ୍ୟ ବିପନ୍ନ ହୋଇପଡ଼ିଛି । ମନୁଷ୍ୟ ସମାଜର ଆଗ୍ରହଗୁଡ଼ାକ ବଡ଼ ବିକୃତ ହୋଇପଡ଼ିଛି । ଆଦର୍ଶଗୁଡ଼ାକୁ ନାନା ସ୍ୱାର୍ଥର ତାଡ଼ନାରେ ବିକୃତ କରାଯାଇଛି ଏବଂ ସଂଯୁକ୍ତ ରାଷ୍ଟ୍ରସଂଘ ମଜଭୁତ ହୋଇ ରହିଥିଲେ ମଧ୍ୟ ମେଣ୍ଟର ବଡ଼ ମୁଣ୍ଡମାନେ ସାନ ବଡ଼ ନାନା ସ୍ଥାନୀୟ ଯୁଦ୍ଧ ଓ ବିବାଦର ଭିଆଣ କରିପାରୁଛନ୍ତି । ଏହିଗୁଡ଼ିକରୁ ବାହାରେ ରହିବାର ସଂକଳ୍ପ ନେଇ ହିଁ ଗୋଷ୍ଠୀ ନିରପେକ୍ଷତା ଜନ୍ମଲାଭ କରିଛି । କିନ୍ତୁ ଏହି ବହୁ ଆକାଙ୍‌କ୍ଷିତ ଗୋଷ୍ଠୀନିରପେକ୍ଷତା ବା ନବଜନ୍ମ ପାଇଥିବା ତୃତୀୟ ପୃଥିବୀକୁ ଉକ୍ତ ଆକ୍ରମଣ- ଆଶଙ୍କାରୁ ମୁକ୍ତ କରିବା ଆଜିର ଏକ ପ୍ରଧାନ ସମସ୍ୟା ହୋଇପଡ଼ିଛି । ନୂତନ ସଂଗ୍ରାମର ଅଭିନବ ଆଭିମୁଖ୍ୟ ହୋଇ ପଡ଼ିଛି ।

 

ତା ୦୧.୦୯.୧୯୭୬ ରିଖ

Image

 

ପଗ୍‌ୱାଶ୍‌ ସମ୍ମିଳନୀ

 

ଏ ବର୍ଷ ପଗ୍‌ୱାଶ୍‌ ସମ୍ମିଳନୀ ଏହି ମାସରେ ଜର୍ମାନୀର ବର୍ଲିନ୍‌ ସହରରେ ବସୁଛି । ପଗ୍‍ୱାଶ୍‌ ହେଉଛି କାନାଡ଼ାର ଗୋଟିଏ ଗ୍ରାମ; ଏବେଯାଏ ତାହା ବିଶ୍ୱବାସୀଙ୍କ ଲାଗି ଅଜ୍ଞାତ ହୋଇ ରହିଥିଲା । ପ୍ରାୟ କୋଡ଼ିଏ ବର୍ଷ ତଳେ ପୃଥିବୀଯାକର ବୈଜ୍ଞାନିକ ସେହି ଗ୍ରାମରେ ଏକତ୍ର ହୋଇଥିଲେ ଓ ବୈଜ୍ଞାନିକ ଶକ୍ତିକୁ, ବିଶେଷ କରି ଅଣୁଶକ୍ତିର ଉଦ୍ଭାବନଗୁଡ଼ିକୁ ମଣିଷର ମଙ୍ଗଳ ଲାଗି କିପରି ବ୍ୟବହାର କରାଯାଇ ପାରିବ, ସେହି ବିଷୟରେ ଆଲୋଚନା କରିଥିଲେ । ଏହି ସମ୍ମିଳନୀ କୌଣସି ରାଷ୍ଟ୍ର ତରଫରୁ ଡକାଯାଇ ନ ଥିଲା ବା କୌଣସି ଦେଶର ସରକାରୀ ପ୍ରତିନିଧି ଏଥିରେ ଯୋଗଦେଇ ନ ଥିଲେ । ଏପରି ଏକ ସମ୍ମିଳନୀର କେତେଦୂର ଯଥାର୍ଥ ଆବଶ୍ୟକତା ରହିଛି, ସେହି ବିଷୟରେ ରାଷ୍ଟ୍ରୀୟତାକୁ ହିଁ ରାଜନୀତି ବୋଲି ସମଝୁଥିବା କର୍ତ୍ତାମାନେ ସେତେବେଳେ ଭାରି ସଂଶୟ ପ୍ରକାଶ କରିଥିଲେ । ହୁଏତ କିଞ୍ଚିତ୍‌ ନାକ ବି ଟେକିଥିଲେ । ସେତେବେଳେ ପୃଥିବୀର ରାଜନୀତି ପ୍ରାୟ ପଶ୍ଚିମ ରାଷ୍ଟ୍ରଗୁଡ଼ିକର ରାଜନୀତି ହୋଇ ରହିଥିଲା । ସେହିମାନେ ହିଁ ଦ୍ୱିତୀୟ ମହାଯୁଦ୍ଧ ଲଢ଼ିଥିଲେ; ସେହି ଯୁଦ୍ଧରେ ସେହିମାନେ ଜିତିଥିଲେ, ସେଇମାନେ ବି ହାରିଥିଲେ । ତୃତୀୟ ପୃଥିବୀ ଜନ୍ମଲାଭ କରି ଆସୁଥିଲା । ପାଶ୍ଚତ୍ୟ ରାଷ୍ଟ୍ରମାନେ କ୍ରମଶଃ ଦୁଇଟି ଶିବିରରେ ବିଭକ୍ତ ହୋଇ ଆସୁଥିଲେ । ମେଣ୍ଟଗୁଡ଼ାକର ମୂଳଦୁଆ ପଡ଼ୁଥିଲା । ଯୁଦ୍ଧବେଳେ ଜନ୍ମିଥିବା ନୂଆ ନୂଆ ସଂଶୟ ଓ ଭୟଗୁଡ଼ାକ କ୍ରମେ ନୂଆ ନୂଆ ଘୃଣା ଓ ନୂଆ ନୂଆ ବିଚ୍ଛିନ୍ନତା ସୃଷ୍ଟି କରିବାରେ ଲାଗିଥିଲା । ଜିତିବାବାଲାଙ୍କ ଶିବିରରେ ଏକ ଦୃଢ଼ ଭ୍ରମ ପ୍ରାୟ ଏକ ବିଶ୍ୱାସରୂପେ ବଦ୍ଧ ହୋଇ ବସିବାକୁ ଯାଉଥିଲା ଯେ ଅଣୁବୋମା ସକାଶେ ହିଁ ସେମାନେ ଯୁଦ୍ଧରେ ଜୟଲାଭ କରିଛନ୍ତି । ଅସ୍ତ୍ରଶସ୍ତ୍ର ଉପରେ ମଣିଷର ବିଶ୍ୱାସ ଦୃଢ଼ ହେବାରେ ଲାଗିଥିଲା ଏବଂ ବିଭାଜିତ ହୋଇଯାଉଥିବା ଦୁଇ ଶିବିର ଅଣୁଶକ୍ତି ଓ ଅଣୁବୋମାର ପ୍ରତିଦ୍ୱନ୍ଦ୍ୱିତାରେ ଉନ୍ମତ୍ତପ୍ରାୟ ହୋଇ ମାତି ରହିଥିଲେ । ସେତିକିବେଳେ ପଗ୍‌ୱାଶ୍‌ ସମ୍ମିଳନୀର ଜନ୍ମ ।

 

ପଗ୍‌ୱାଶ୍‌ ସମ୍ମିଳନୀରେ ଶିବିରଗତ କୌଣସି ଭେଦ ରଖାଯାଇ ନଥିଲା । ବୈଜ୍ଞାନିକମାନଙ୍କର ପୁଣି ଶିବିର କିପରି କହିବ ଓ କାହିଁକି ବା ରହିବ ? ବିଭିନ୍ନ ଦେଶର ବୈଜ୍ଞାନିକମାନେ ସମ୍ପୂର୍ଣ୍ଣ ଭାବରେ ବୈଜ୍ଞାନିକ ରୂପେ ଏକତ୍ର ହେଲେ, ବିଚାର ବିନିମୟ କଲେ, କେଉଁ ଦେଶରେ ଗବେଷଣା କେଉଁ ଦିଗରେ କେତେଦୂର ଯାଇଛି, ସେଗୁଡ଼ିକ ବିଷୟରେ ତଥ୍ୟର ଆଦାନପ୍ରଦାନ କଲେ । ପୃଥିବୀର ସାଂପ୍ରତିକ ଇତିହାସରେ ଏକ ନୂଆ ପରମ୍ପରାର ସୃଷ୍ଟି ହେଲା । ବିଜ୍ଞାନ ଯେ ସର୍ବଦେଶର, ବୈଜ୍ଞାନିକମାନେ ଯେ ରାଷ୍ଟ୍ରାୟତ୍ତ ସମ୍ପତ୍ତି ନୁହନ୍ତି ଓ ସେମାନଙ୍କର ଯେ ବିଶ୍ୱବିବେକର କ୍ଷେତ୍ରରେ ଅବଶ୍ୟ ଏକ ଅବଦାନ ରହିଛି, ଏହି ସତ୍ୟଟିର ପ୍ରତିଷ୍ଠା ହେଲା । ଏହି ବିଜ୍ଞାନଯୁଗରେ ଗୋଟିଏ ଦେଶରେ ବିଜ୍ଞାନର କ୍ଷେତ୍ରରେ ଯାହା ଘଟୁଛି, ବିଶ୍ୱ ସାରା ପ୍ରତ୍ୟେକ ଦେଶରେ ତାହାର ତଦନୁରୂପ ପ୍ରତିକ୍ରିୟା ଫଳୁଛି, ବିଜ୍ଞାନ ଭିତରେ ରାଜନୀତିକ ଘୃଣାଗୁଡ଼ାକୁ ପୂରାଇ ଦେଇ ତାହାକୁ ଅନେକ ସମୟରେ ଏକ ଅମଙ୍ଗଳ ଓ ଆତଙ୍କରେ ପରିଣତ କରିଦିଆଯାଉଛି ଏବଂ ଏହି ବିଷୟରେ ବୈଜ୍ଞାନିକମାନଙ୍କର ଯେ ଏକ ଦାୟିତ୍ୱ ରହିଛି, ପଗ୍‌ୱାଶ୍‌ ସମ୍ମିଳନୀ ତାହାକୁ ଏକ ବାସ୍ତବ ସତ୍ୟରେ ପରିଣତ କଲା । ସବୁ ଦେଶର ସବୁ ମଣିଷଙ୍କର ଏହି ବୈଜ୍ଞାନିକ ଯୁଗରେ ଯେ କେବଳ ଗୋଟିଏ ନିୟତି ରହିଛି, ଏହି ବିଷୟରେ ପଗ୍‌ୱାଶ୍‌ ସମ୍ମିଳନୀ ସାରା ପୃଥିବୀର ନିଦ ଭଙ୍ଗାଇ ଦେଲା ।

 

ସେହିଦିନଠାରୁ ପଗ୍‌ୱାଶ୍‌ ସମ୍ମିଳନୀ ଆହୁରି ଅନେକବାର ବସିଲାଣି । ପୃଥିବୀର ଅନେକ ସ୍ଥାନରେ ବସିଲାଣି । ତଥାପି ସମ୍ମିଳନୀର ନାମକୁ ସେହି ପଗ୍‌ୱାଶ୍‌ ସମ୍ମିଳନୀ ହିଁ ରଖାଯାଇଛି । ଏବର୍ଷ ବର୍ଲିନ୍‌ଠାରେ ଯେଉଁ ସମ୍ମିଳନୀ ବସୁଛି, ତାହାକୁ ବର୍ଲିନ୍‌ ସମ୍ମିଳନୀ ବୋଲି କୁହାନଯାଇ ପଗ୍‌ୱାଶ୍‌ ସମ୍ମିଳନୀ ବୋଲି ହିଁ କୁହାଯାଉଛି । ଗାଆଁର ନାମକୁ ଅମର କରି ରଖାଯାଇଛି ।

 

ଯେତେବେଳେ ପ୍ରଥମ ପଗ୍‌ୱାଶ୍‌ ସମ୍ମିଳନୀ ବସିଥିଲା, ସେତେବେଳେ ଆଣବିକ ଶକ୍ତିର ହୁକୁମତ ପୃଥିବୀର କେବଳ ଦୁଇଟି ଶକ୍ତି ହାତରେ ଥିଲା । ଦୁଇ ବଢ଼ି ପାଞ୍ଚ ହେଲା । ପାଞ୍ଚ ବଢ଼ି ପଚାଶ ହେବାକୁ ହୁଏତ ବେଶି ବେଳ ନାହିଁ । ଯେଉଁମାନଙ୍କ ପାଖରେ ଆଣବିକ ଅସ୍ତ୍ରଶସ୍ତ୍ର ଓ ଯନ୍ତ୍ରକୌଶଳ ରହିଛି, ସେମାନେ କ୍ରମେ ନିଜନିଜର ଗୋଷ୍ଠୀବିରାଦରମାନଙ୍କ ଦେଶରେ ମଧ୍ୟ ଆଣବିକ ଚୁଲା ବସାଇବାକୁ ଆରମ୍ଭ କଲେଣି । ଏତଦ୍‌ବ୍ୟତୀତ ପ୍ରଥମ ପର୍ଯ୍ୟାୟରେ ପଗ୍‌ୱାଶ୍‌ ସମ୍ମିଳନୀ କେବଳ ପାଶ୍ଚତ୍ୟ ଜଗତଟିର କଥା ହିଁ ଚିନ୍ତା କରୁଥିଲା । ବର୍ତ୍ତମାନ ତୃତୀୟ ପୃଥିବୀ ଏକ ତୃତୀୟଶକ୍ତି ଓ ବିଶ୍ୱଶକ୍ତି ରୂପେ ଜନ୍ମଲାଭ କଲାଣି । ଏହି ପୃଥିବୀର କେତେକ ଦେଶରେ ଆଣବିକ ଶକ୍ତିର ଗବେଷଣା ମଧ୍ୟ ହେଉଛି । ତେଣୁ ପଗ୍‌ୱାଶ୍‌ ସମ୍ମିଳନୀରେ ଏହିସବୁ ଦେଶର ବୈଜ୍ଞାନିକମାନେ ମଧ୍ୟ ସ୍ଥାନ ପାଇଲେଣି । ବିଶ୍ୱଶାନ୍ତି ଲାଗି ବିଶ୍ୱର ବୈଜ୍ଞାନିକମାନେ କୌଣସି ରାଷ୍ଟ୍ରର ପ୍ରତିନିଧି ହିସାବରେ ନୁହେଁ; ମାତ୍ର ପୃଥିବୀର ବର୍ତ୍ତମାନ ତଥା ଭବିଷ୍ୟ ବିଷୟରେ ବିଜ୍ଞାନର ଏକ ଅନସ୍ୱୀକାର୍ଯ୍ୟ ଦାୟିତ୍ୱ ରହିଛି ବୋଲି ଅନୁଭବ କରୁଥିବା ବୈଜ୍ଞାନିକ ହିସାବରେ ଚିନ୍ତା କରୁଛନ୍ତି, ପୃଥିବୀବାସୀ ଆମ ସମସ୍ତଙ୍କୁ ପୃଥିବୀ ଉପରେ ଆଚ୍ଛନ୍ନ କରି ରହିଥିବା ବିପଦଟି ବିଷୟରେ ସଚେତନ କରିଦେଉଛନ୍ତି ଓ ଆନ୍ତର୍ଜାତିକ ସହଯୋଗ ଦ୍ୱାରା ଏହି ବିପଦ ଭିତରୁ ବାହାରି ଆସିବାର ବାଟ ଦେଖାଇବାକୁ ଚେଷ୍ଟା କରୁଛନ୍ତି । ପଗ୍‌ୱାଶ୍‌ ସମ୍ମିଳନୀ କହିଲେ ଏକ ପ୍ରତୀକ ରୂପେ ଏହି ସବୁଯାକ କଥାକୁ ବୁଝାଏ । ରାଷ୍ଟ୍ରଗୁଡ଼ିକର ଆଣବିକ ନୀତିକୁ ନିୟନ୍ତ୍ରଣ କରିବା ଲାଗି ଏହି ସମ୍ମିଳନୀର କୌଣସି କର୍ତ୍ତ୍ୱତ୍ୱ ନାହିଁ ସତ; ମାତ୍ର ବିଶ୍ୱବାସୀଙ୍କର ବିବେକକୁ ଏକ ନିର୍ଦ୍ଦିଷ୍ଟ ଦୃଢ଼ତର ବଳ ଯୋଗାଇ ଦେବାରେ ତାହାର ନିଶ୍ଚୟ ଏକ ମହତ୍ତ୍ୱପୂର୍ଣ୍ଣ ଅବଦାନ ରହିଛି ଏବଂ ଏହି ବିଶ୍ୱଜନ-ବିବେକ ହିଁ ପରିଶେଷରେ ବିଶ୍ୱର ରାଷ୍ଟ୍ରନୀତିଗୁଡ଼ିକୁ ନିୟନ୍ତ୍ରଣ କରିବାକୁ ସମର୍ଥ ହେବ ।

 

ତା ୦୩.୦୯.୧୯୭୬ ରିଖ

Image

 

ଭେଳାରୁ ଭେଳା ବୁଡ଼ିବ

 

ଯୁକ୍ତରାଜ୍ୟ ଆମେରିକାର ଭୌଗୋଳିକ ଅବସ୍ଥିତି ଭାରତ ମହାସାଗରଠାରୁ ଅନେକ ଦୂରରେ । ମାତ୍ର ସେହି ଯୁକ୍ତରାଜ୍ୟ ଆମେରିକାର ଉପସ୍ଥିତିକୁ ଅନୁଭୂତ କରାଇବା ଲାଗି ଭାରତ ମହାସାଗରରେ ସେହି ଦେଶର ସରକାରଙ୍କର ସପ୍ତମ ନୌଭେଳା ମହଯୁଦ ରହିଛି । ଏହି ନୌଭେଳା କହିଲେ କେତେଗୁଡ଼ିଏ ଜାହାଜକୁ ବୁଝାଉଛି ଏବଂ ଏହି ଜାହାଜଗୁଡ଼ିକରେ ଯୁଦ୍ଧାସ୍ତ୍ରମାନ ମହଜୁଦ ହୋଇ ରହିଛି । ଭାରତ ମହାସାଗର ଅଞ୍ଚଳଟି ଏହି ନୌଭେଳାର ବିଚରଣଭୂମି ହୋଇ ରହିଛି । ମହାସାଗରଗୁଡ଼ାକ ତ କାହାରି ସମ୍ପତ୍ତି ନୁହନ୍ତି । ଏକ ପାରସ୍ପରିକ ରାଜିନାମା ଅନୁସାରେ ପୃଥିବୀରେ ସ୍ୱୀକୃତ ହୋଇସାରିଛି ଯେ ଉପକୂଳଠାରୁ ମାତ୍ର କେତେ ମାଇଲ ଦୂର ପର୍ଯ୍ୟନ୍ତ ଅବସ୍ଥିତ ସମୁଦ୍ରକୁ ସେହି ଦେଶଟିର ଅଞ୍ଚଳ ବୋଲି କୁହାଯାଇ ପାରିବ । ତା’ପରେ ରହିଥିବା ସମୁଦ୍ର କାହାରି ସମ୍ପତ୍ତି ନୁହେଁ, ତେଣୁ ଆମେରିକା ଭଳି ଏକ ଶକ୍ତିଶାଳୀ ରାଷ୍ଟ୍ର ଧରି ନେଇଛି ଯେ ତାହା ଅପେକ୍ଷାକୃତ ଅଧିକ ଶକ୍ତିଶାଳୀମାନଙ୍କର ସମ୍ପତ୍ତି । ଶାନ୍ତିଭଙ୍ଗକାରୀମାନଙ୍କର ସମ୍ପତ୍ତି । କୌଣସି ପ୍ରକାର ଆନ୍ତର୍ଜାତୀୟ ନିୟମର ଉଲଂଘନ ନ କରି ସେମାନେ ସେହି ମହାସାଗରଗୁଡ଼ିକରେ ପଇଁତରା ମାରିପାରିବେ, କୌଣସି ଅଞ୍ଚଳରେ ଅବସ୍ଥିତ ଦେଶଗୁଡ଼ିକୁ ଭୟ ପ୍ରଦର୍ଶନ କରିବା ଉଦ୍ଦେଶ୍ୟରେ ସେମାନେ ସେଠାରେ କୁଚକାୱାଜ୍‌ ମଧ୍ୟ କରିପାରିବେ ।

 

ଅଗଷ୍ଟ ମାସର ମଧ୍ୟଭାଗରେ କୋରିଆ ଦେଶରେ, ଅର୍ଥାତ୍‌ ଉତ୍ତର ଏବଂ ଦକ୍ଷିଣ କୋରିଆ ମଧ୍ୟରେ ସମ୍ୱନ୍ଧ ହଠାତ୍‌ ଉତ୍ତେଜନାପୂର୍ଣ୍ଣ ହୋଇଉଠିଲା । ଉତ୍ତର କୋରିଆ ଏବଂ ଦକ୍ଷିଣ କୋରିଆ ଦୁଇ ଦେଶକୁ ମିଶାଇ ପୂର୍ବପରି ଗୋଟିଏ ଦେଶରେ ପରିଣତ କରିବାର ଉଦ୍ୟମ ଗତ କେତେଦିନ ହେଲା ବିଶେଷ ଭାବରେ ହୋଇ ଆସୁଥିଲା । ଭିଏତ୍‌ନାମ୍‌ ଯୁଦ୍ଧର ସମାପ୍ତି ଘଟିବା ପରେ ଦୁଇ ଭିଏତ୍‌ନାମ୍‌ ଗୋଟିଏ ଦେଶରେ ପରିଣତ ହେବାର ମସୁଧା କଲେ ଓ କ୍ରମେ ଗୋଟିଏ ଦେଶରେ ଯେ ପରିଣତ ହେଲେ, ସେହି ଘଟଣାଟି ଉତ୍ତର କୋରିଆ ଏବଂ ଦକ୍ଷିଣ କୋରିଆକୁ ଏହି ଦିଗରେ ଅଧିକ ମୂର୍ତ୍ତ ପଦକ୍ଷେପମାନ ଗ୍ରହଣ କରିବାଲାଗି ନିଶ୍ଚୟ ଅନେକ ଉତ୍ସାହ ପ୍ରଦାନ କରିଥିବ-। ଦକ୍ଷିଣ କୋରିଆର ଅଧିବାସୀ ନିଶ୍ଚୟ ପୁନର୍ବାର ଗୋଟିଏ କୋରିଆରେ ପରିଣତ ହେବାକୁ ଇଚ୍ଛା କରୁଥିବେ, ମାତ୍ର ଦକ୍ଷିଣ କୋରିଆର ସରକାର ଯୁକ୍ତରାଜ୍ୟ ଆମେରିକା ସରକାରଙ୍କର ଆଜ୍ଞାପାଳନକାରୀ କଣ୍ଢେଇ ହୋଇ ରହିଛନ୍ତି । ଦକ୍ଷିଣ ଭିଏତ୍‌ନାମ୍‌ର ତଥାକଥିତ ଶାସକମାନଙ୍କୁ ଯେପରି ଯୁକ୍ତରାଜ୍ୟ ଆମେରିକାର ସରକାର ହିଁ ପ୍ରତିଷ୍ଠା ଓ ପ୍ରାଣ ଦେଇ ରଖିଥିଲେ, ଦକ୍ଷିଣ କୋରିଆର ସରକାରଙ୍କୁ ମଧ୍ୟ ପ୍ରାୟ ସେହିପରି କରି ରଖାଯାଇଛି । ଦକ୍ଷିଣ କୋରିଆରେ ଆମେରିକା ସରକାରଙ୍କର କେତେ ହଜାର ସୈନ୍ୟ ମୁତୟନ ହୋଇ ରହିଛନ୍ତି । ଦକ୍ଷିଣ କୋରିଆ ଏବଂ ଉତ୍ତର କୋରିଆ ମଝିରେ ରହିଥିବା କୃତ୍ରିମ ସୀମାଟିକୁ ତିନୋଟିଯାକ ପଥରେ ଜଗିକରି ରହିଛନ୍ତି । ରକ୍ଷାକବଚଟି ଆମେରିକା ସରକାରଙ୍କ ତରଫରୁ ମିଳିଯାଉଥିବା ପର୍ଯ୍ୟନ୍ତ ଦକ୍ଷିଣ କୋରିଆ ସରକାର ଦୃଢ଼ ଭାବରେ ତିଷ୍ଠି ରହି ପାରୁଛନ୍ତି ।

 

ଏହାରି ମଧ୍ୟରେ ଦକ୍ଷିଣ କୋରିଆ ଓ ଉତ୍ତର କୋରିଆ ମଧ୍ୟରେ ହଠାତ୍‌ ଏକ ଉତ୍ତେଜନାପୂର୍ଣ୍ଣ ବାତାବରଣ ସୃଷ୍ଟି ହୋଇଗଲା ଓ ସେଠାରେ ଥିବା ଆମେରିକାର ଜଗୁଆଳି ସୈନ୍ୟବାହିନୀ ମଧ୍ୟ ସେଇଟି ସହିତ ଜଡ଼ିତ ହୋଇପଡ଼ିଲେ । ଆମେରିକାର ଦୁଇଜଣ ଅଫିସର ନିହତ ହେଲେ । ଉତ୍ତର କୋରିଆ ତରଫରୁ ମଧ୍ୟ କେହି ସୈନ୍ୟସାମନ୍ତ ଅବଶ୍ୟ ନିହତ ହୋଇଥିବେ । ଆମେରିକା ସରକାର ଏହି ମୁହାଁମୁହିଁ ଫଳରେ ଅତ୍ୟନ୍ତ କ୍ଷିପ୍ତ ହୋଇଉଠିଲେ । ପୃଥିବୀବାସୀ ସମସ୍ତେ ଭାବିଲେ ପୁଣି ଆମେରିକା ତରଫରୁ ଏଠାରେ ମଧ୍ୟ ଠିକ୍‌ ଭିଏତନାମ ପରି ଗୋଟିଏ ଯୁଦ୍ଧ ଆରମ୍ଭ ହୋଇଯିବ । ଭାରତ ମହାସାଗରରେ ନିଯୁକ୍ତ ହୋଇ ରହିଥିବା ଆମେରିକା ତରଫର ସପ୍ତମ ନୌଭେଳାଟି ଉତ୍ତର ଅଭିମୁଖୀ ହୋଇ ଯାତ୍ରା କରିବାକୁ ଆରମ୍ଭ କଲା ଓ ଉଚିତ ସମୟରେ କୋରିଆର ସମୀପବର୍ତ୍ତୀ ସାଗରଜଳରେ ଯାଇ ପହଞ୍ଚି ବି ଗଲା । ଭଣ୍ଡାରଟା ପାଖରେ ଆସି ପହଞ୍ଚିଯିବା ମାତ୍ରକେ ଭଣ୍ଡାରଟାକୁ ଖୋଲିଦେବାକୁ ଆଉ କେତେ ସମୟ ଲାଗିଥାନ୍ତା ? ତେଣୁ ବିଶ୍ୱରାଜନୀତି ପ୍ରକୃତରେ କେତେ କ’ଣ ଘଟିବ ବୋଲି ଅପେକ୍ଷା କରି ରହିଲା, କେତେ କ’ଣ ଘଟିବ ବୋଲି ଆଶଙ୍କା କଲା ।

 

ଆମେରିକା ସରକାରଙ୍କର ବକ୍ତବ୍ୟ ହେଉଛି ଯେ ପୃଥିବୀର ଆଉଗୋଟିଏ ବୃହତ୍‌ ଶକ୍ତି ମଧ୍ୟ ଭାରତ ମହାସାଗରରେ ଆପଣାର ଅସ୍ତ୍ରଭେଳା ଏବଂ ସୈନ୍ୟସାମନ୍ତ ନେଇ ଉପସ୍ଥିତ ରହିଛି ବୋଲି ସେଠାରେ ଶାନ୍ତିଭଙ୍ଗ ଏବଂ ଉତ୍ତେଜନା ସୃଷ୍ଟି ବିଷୟରେ ଆଗରୁ ବିପଦ ରହିଥିବାରୁ ଶାନ୍ତିରକ୍ଷା ଏବଂ ଭାରସାମ୍ୟ ବଜାୟ ରଖିବା ଦୃଷ୍ଟିରୁ ଆମେରିକାକୁ ମଧ୍ୟ ପ୍ରତିବିଧାନ ସ୍ୱରୂପ ଏହିଭଳି ପନ୍ଥାଟିଏ ଅବଲମ୍ୱନ କରିବାକୁ ପଡ଼ୁଛି । ଯେତେଦୂର ମନେହେଉଛି, ଜନ୍‌ ଫଷ୍ଟର୍‌ ଡଲେସ୍‌ ଦୀର୍ଘ ଅନେକ ବର୍ଷ ହେଲା ଇହଧାମରୁ ବିଦାୟ ନେଇ ଯାଇଥିଲେ ମଧ୍ୟ ଆମେରିକା ସରକାରଙ୍କର ବହିଃବ୍ୟାପାରୀୟ ରାଜନୀତିର କ୍ଷେତ୍ରରେ ତାଙ୍କର କାଳ ଏପର୍ଯ୍ୟନ୍ତ ପୂରିନାହିଁ । ସେହି କାରଣରୁ ହିଁ ଆମେରିକା ସରକାର ପୃଥିବୀର ସବୁଠାରେ ନିଜର ସଶସ୍ତ୍ର ଓ ସବଳ ଉପସ୍ଥିତିକୁ ଏକାନ୍ତ ଆବଶ୍ୟକ ବୋଲି ବିବେଚନା କରୁଛନ୍ତି । ଏବଂ ଅନ୍ୟ ସମାନ୍ତର ବୃହତ୍‌ଶକ୍ତିଟି ସହିତ ପ୍ରତିଦ୍ୱନ୍ଦ୍ୱିତାରେ ଅବତରଣ କରିବାକୁ ହିଁ ଏକମାତ୍ର ସକାରାତ୍ମକ ଆନ୍ତର୍ଜାତିକ ଭୂମିକା ବୋଲି ଗ୍ରହଣ କରୁଛନ୍ତି । ଏବଂ ସେହି ଦୁର୍ବିବେଚନାର ଦୁର୍ଯୋଗଟିକୁ ସମଗ୍ର ପୃଥିବୀ ଭୋଗ କରିବାକୁ ବାଧ୍ୟ ହେଉଛି ।

 

ଏହି ଭେଳା ସଂସାରକୁ ରକ୍ଷା କରିବ ନାହିଁ, ଏହି ଭେଳା ଭେଳା ବୁଡ଼ାଇବ । ସଂସାର ଯାକର ମଣିଷ ଅନ୍ୟ ଏକ ମୂଲ୍ୟବୋଧ ଦେଇ ଆପଣାର ଭବିଷ୍ୟକୁ ବିଚାର କରିବାକୁ ଯାଉଥିବା ବେଳେ ଏହି ଭେଳାଗୁଡ଼ିକ ହିଁ ଆମ ସଂସାରର ଭବିଷ୍ୟତ ଅସ୍ତ୍ରଗୁଡ଼ାକର କରାମତି ଉପରେ ହିଁ ସତେଅବା ନିର୍ଭର କରୁଛି ବୋଲି ଭାବିବା ଲାଗି ଆମକୁ ବାଧ୍ୟ କରାଇବାରେ ଲାଗିଥିବ । ଆମର ପୁରୁଣା ଭୀରୁତା ଓ ପୁରୁଣା ଦୂରତାଗୁଡ଼ାକୁ ଆନ୍ତର୍ଜାତିକ ରାଜନୀତିରେ ତାହା ଆହୁରି ଅଧିକ ଜବର କରି ରଖିବାରେ ସାହାଯ୍ୟ କରିବ । ଭବିଷ୍ୟତ ବିଷୟରେ ସର୍ବବିଧ ଭାରସାମ୍ୟକୁ ତାହା ବଡ଼ ନିର୍ମମ ଭାବରେ ଦୋହଲାଇ ଦେଇ ଯାଉଥିବ ।

 

ତା ୦୪.୦୯.୧୯୭୬ ରିଖ

Image

 

ରକ୍ତପାତ ଅନିବାର୍ଯ୍ୟ କି ?

 

ରୋଡ଼େଶିଆ, ଯାହାକୁ କି ରୋଡ଼େଶିଆବାସୀ ଆପଣା ଲାଗି ଯଥାର୍ଥ ସ୍ୱାଧୀନତା ହାସଲ କରିବା ପରେ ଜିମ୍ୱାବୁଏ ବୋଲି କହିବେ, ସେହି ଦେଶରେ ରକ୍ତପାତ ଅନିବାର୍ଯ୍ୟ କି ? ଅର୍ଥାତ୍‌ ଅଧିକ ଯଥାର୍ଥ ଭାବରେ କହିଲେ, ଏପର୍ଯ୍ୟନ୍ତ ଯେତିକି ଅତ୍ୟାଚାର ସେଠାରେ ହୋଇସାରିଛି, ତାହା ଅପେକ୍ଷା ଆହୁରି ଅଧିକ ରକ୍ତପାତ ଅନିବାର୍ଯ୍ୟ କି ? ଜନସାଧାରଣଙ୍କୁ ଯେତିକି ନିର୍ଯାତିତ କରାଗଲାଣି, ତାହା ଅପେକ୍ଷା ଅଧିକ ନିର୍ଯାତନା ଅନିବାର୍ଯ୍ୟ କି ? କାରଣ ରୋଡ଼େଶିଆରେ ଯେ ଦିନେ ନା ଦିନେ ନ୍ୟାୟର ପ୍ରତିଷ୍ଠା ହେବ ଅର୍ଥାତ୍‌ ସଂଖ୍ୟାଗରିଷ୍ଠ ପ୍ରତିନିଧିଶାସନ ପ୍ରତିଷ୍ଠିତ ହେବ, ସେଥିରେ କୌଣସି ସନ୍ଦେହ ନାହିଁ । ସମସ୍ତ ପୃଥିବୀ ବର୍ତ୍ତମାନ ଅନ୍ୟାୟରୁ ନ୍ୟାୟ ଆଡ଼କୁ ଗତି କରୁଛି । କୌଣସି ତଥାକଥିତ ବୃହତ୍‌ଶକ୍ତି ଅଥବା ଏକାଧିପତ୍ୟ-ଶକ୍ତି ତାହାର ଗତିରୋଧ ଯେ କରିପାରିବ ନାହିଁ, ଆମର ଏହି ଗତ ଦଶ ବର୍ଷ ଭିତରେ ଭିଏତ୍‌ନାମ୍‌ ସମେତ ଆହୁରି କେତେକ ସ୍ଥାନରେ ତାହା ସ୍ପଷ୍ଟ ଭାବରେ ପ୍ରମାଣିତ ହୋଇସାରିଛି । ତେଣୁ ଦକ୍ଷିଣାଞ୍ଚଳ ଆଫ୍ରିକାରେ ସଂଖ୍ୟାଲଘୁ ଶାସନର ବି ଥାଟ ଭାଙ୍ଗିଯିବ, ନ୍ୟାୟର ପ୍ରତିଷ୍ଠା ହେବ । ସେତିକିବେଳେ ଯାଇ ଅସଲ ସ୍ୱାଧୀନତା ଆସିବ । ପ୍ରତିକୂଳ ଶକ୍ତିଗୁଡ଼ିକ ଏହି ପ୍ରକ୍ରିୟାଟିକୁ କିଞ୍ଚିତ୍‌ ଅଧିକ ବିଳମ୍ୱ କରିଦେଇ ପାରିବେ ସତ, ମାତ୍ର ତାହାକୁ କଦାପି ସବୁଦିନଯାଏ ଉଗାଳି ରଖିପାରିବେ ନାହିଁ ।

 

ରୋଡ଼େଶିଆର ଶେଷ ସଂଗ୍ରାମଟି ଲାଗି ରୋଡ଼େଶିଆର ସଂଖ୍ୟାଧିକ ଅଧିବାସୀ ଆଜି ତିଆରି ହୋଇ ରହିଛନ୍ତି । ପଡ଼ୋଶୀ ଦେଶଗୁଡ଼ିକରେ ସଂଗ୍ରାମୀମାନଙ୍କର ଛାଉଣି ପଡ଼ିଛି, ସେଠାରେ ସେମାନଙ୍କୁ ଗରିଲାଯୁଦ୍ଧରେ ତାଲିମ ଦିଆଯାଉଛି । ସମସ୍ତ ଆଫ୍ରିକା ମହାଦେଶ ଏବଂ ସମସ୍ତ ତୃତୀୟ ପୃଥିବୀ ଏହି ସ୍ୱାଧୀନତା-ଯୁଦ୍ଧଟି ଲାଗି ନିଜର ସକ୍ରିୟ ସହାନୁଭୂତି ବ୍ୟକ୍ତ କରି ସାରିଲାଣି ଏବଂ ତେଣେ ରୋଡ଼େଶିଆର ଏକତରଫା ଶାସକ ଶ୍ରୀଯୁକ୍ତ ଇଆନ୍‌ ସ୍ମିଥ୍‌ ମଧ୍ୟ ଏହି ସଂଗ୍ରାମର ସମ୍ମୁଖୀନ ହେବାଲାଗି ଅସ୍ତ୍ରଗୁଡ଼ିକୁ ଦାଢ଼ କରିବାକୁ ଆରମ୍ଭ କଲେଣି । ଧର୍ଷଣର ଦାନ୍ତଗୁଡ଼ାକୁ ପୂର୍ବାପେକ୍ଷା ଅଧିକ ଦାଢ଼ କଲେଣି । ତେଣୁ ଉଭୟ ପକ୍ଷ ଯେ ଏକ ଭୀଷଣ ରକ୍ତପାତ ପାଇଁ ସଚେତନ ଭାବରେ ପ୍ରସ୍ତୁତ ହେଲେଣି, ସେଥିରେ ଆଦୌ କୌଣସି ସନ୍ଦେହ ନାହିଁ । ମାତ୍ର ଏହି ରକ୍ତପାତ ପ୍ରକୃତରେ ଅନିବାର୍ଯ୍ୟ କି ? ଏହା ହେଉଛି ଆଜିର ଏକ ମୁଖ୍ୟ ପ୍ରଶ୍ନ ।

 

ବାହାରୁ ଯଥାସମ୍ଭବ ଅଧିକ ନିଷ୍ପକ୍ଷ ଭାବରେ ଲକ୍ଷ୍ୟ କରି ଦେଖିଲେ, ରୋଡ଼େଶିଆ ପରିସ୍ଥିତି ଏହିପରି ହୋଇ ରହିଛି ବୋଲି ଆମେ ଜାଣିବାକୁ ପାଇବା: ସେଠାରେ ୧୯୬୫ ମସିହାଠାରୁ ସଂଖ୍ୟାଲଘୁ ଗୋରାମାନେ ନିଜର ସ୍ୱାଧୀନତା ଘୋଷଣା କରିଛନ୍ତି । ସେଠାରେ ଯେପରି ଆଉ କେହି ହେଲେ ନାହାନ୍ତି, କେବଳ ପ୍ରାୟ ତିନି ଲକ୍ଷ ଗୋରା ଅଛନ୍ତି, ଏହିପରି ଗୋଟିଏ ଭ୍ରମକୁ ଯାବୁଡ଼ି କରି ଧରି ସେମାନେ ଏକତରଫା ଭାବରେ ସ୍ୱାଧୀନତା ଘୋଷଣା କରିଛନ୍ତି । ଦେଶର ନାଗରିକ କହିଲେ ସେଠି କେବଳ ଗୋରାମାନଙ୍କୁ ହିଁ ବୁଝାଉଛି । ଷାଠିଏ ଲକ୍ଷ କଳାଲୋକଙ୍କୁ ନାଗରିକ ବୋଲି ସ୍ୱୀକାର କରାଯାଉନାହିଁ । ଅର୍ଥନୈତିକ ଯାବତୀୟ ସୁବିଧା ଓ ସମ୍ଭାବନା ସେଠାରେ କେବଳ ଗୋରାମାନଙ୍କ ହାତରେ ହିଁ ରହିଛି । ଦେଶରେ ପ୍ରକୃତ ଗଣତନ୍ତ୍ର ଓ ପ୍ରତିନିଧି ଶାସନର ପ୍ରତିଷ୍ଠା ହେଲେ ବର୍ତ୍ତମାନ ଗୋରାମାନଙ୍କ ହାତରେ ରହିଥିବା ଏକଚାଟିଆ ସୁବିଧାସୁଯୋଗଗୁଡ଼ାକ ଯେ କଦାପି ରହିବନାହିଁ, ଗୋରାମାନେ ସର୍ବପ୍ରଥମେ ଏହି ପ୍ରମାଦଟିକୁ ଗଣୁଛନ୍ତି ଓ ତେଣୁ ସେହି ଦେଶର ଯାବତୀୟ ରାଜନୀତିକ ପରିବର୍ତ୍ତନକୁ ଆଗକୁ ଯିବାକୁ ଦେଉନାହାନ୍ତି । ଗୋରାମାନେ ଏକ ଶତାଦ୍ଦୀରୁ ଅଧିକ ଅବଧି ହେଲା ସେଠାରେ ମାଲିକ ହୋଇ ରହିଛନ୍ତି ଏବଂ ବହୁସଂଖ୍ୟାର ଶାସନ ପ୍ରତିଷ୍ଠା ହେଲେ ସେମାନଙ୍କର ସେହି ମାଲିକାନାଗୁଡ଼ାକ ଯେ କଦାପି ରହିବ ନାହିଁ, ସେ ବିଷୟଟିକୁ ସେମାନେ ଭଲକରି ଜାଣିଛନ୍ତି । ମାଲିକ ହୁଏତ ସବୁ କରିପାରିବ, ମାତ୍ର ମାଲିକାନାଟିକୁ କଦାପି ଛାଡ଼ିପାରିବ ନାହିଁ । ମାଲିକ ସବୁ କରିପାରିବ, ମାତ୍ର ମଣିଷ ହେବାକୁ ଇଚ୍ଛା କରିବ ନାହିଁ, ଅର୍ଥାତ୍‌ ଅନ୍ୟ ମଣିଷଙ୍କ ସହିତ ସମାନ ହୋଇ କଦାପି ବସିପାରିବ ନାହିଁ । ତେଣୁ ଯୁଗେ ଯୁଗେ ଇତିହାସରେ ମାଲିକମାନଙ୍କୁ ସେମାନଙ୍କର ଅହଙ୍କାରୀ ଆସନଗୁଡ଼ିକରୁ ତଡ଼ିବାକୁ ହିଁ ପଡ଼ିଛି । ସେତେବେଳେ ହିଂସା ଅହିଂସା ମଧ୍ୟରେ ବିଚାର କରିବାକୁ ବେଳ ହୋଇନାହିଁ । ଯେଉଁଠି ମଣିଷ ମଣିଷ ଏକାଠି ବସି ସମସ୍ୟାଟିର ସମାଧାନ କରିଦେଇ ପାରିଥାନ୍ତେ, ସେଠାରେ ଯେ ହିଂସାତ୍ମକ ସଂଗ୍ରାମର ଆଶ୍ରୟ ନିଆଯାଇଛି, ସେଥିଲାଗି ଏହି ଅନିଚ୍ଛୁକ ମାଲିକମାନେ ହିଁ ଚିରଦିନ ଦାୟୀ ହୋଇ ରହିଥିବେ ।

 

ଆନୁମାନିକ ହିସାବଗୁଡ଼ିକରୁ ଜଣାଯାଉଛି ଯେ ରୋଡ଼େଶିଆ ବାହାରେ ବିଭିନ୍ନ ପଡ଼ୋଶୀ ଦେଶରେ ରୋଡ଼େଶିଆର ମୁକ୍ତିସଂଗ୍ରାମ ଲାଗି ପ୍ରାୟ ଦଶ ହଜାର ରୋଡ଼େଶିଆବାସୀ ଅସ୍ତ୍ରଶସ୍ତ୍ରରେ ଓ ଗରିଲା ଯୁଦ୍ଧରେ ପ୍ରଶିକ୍ଷିତ ହେଉଛନ୍ତି । ଇଆନ୍‌ ସ୍ମିଥ୍‌ଙ୍କ ଗୋରା ସରକାର ଅନୁମାନ କରିନେଇ ସାରିଲେଣି ଯେ, ଆଗାମୀ ନଭେମ୍ୱର ମାସରେ ରୋଡ଼େଶିଆରେ ଯେତେବେଳେ ବର୍ଷାଋତୁ ହୋଇଥିବ, ଗରିଲା ସଂଗ୍ରାମୀ ବାହିନୀ ସେତିକିବେଳେ ହିଁ ବାହାରୁ ରୋଡ଼େଶିଆ ମଧ୍ୟକୁ ପ୍ରବେଶ କରିବ ଏବଂ ଚୂଡ଼ାନ୍ତ ସଂଗ୍ରାମଟିକୁ ଆରମ୍ଭ କରିଦେବ । ଏଥିମଧ୍ୟରେ ଗରିଲାମାନଙ୍କର ତତ୍ପରତା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଲାଣି । ସେମାନେ ବିଭିନ୍ନ ପଟୁ ରୋଡ଼େଶିଆ ମଧ୍ୟରେ ପ୍ରବେଶ କଲେଣି । ବିଶେଷତଃ ପୂର୍ବ ଓ ପୂର୍ବୋତ୍ତର ଦିଗରୁ ଏହିସବୁ ଅନୁପ୍ରବେଶ ଘଟୁଛି । ଗରିଲାମାନେ ଏହି କେତେଦିନ ଭିତରେ ରୋଡ଼େଶିଆକୁ ଦକ୍ଷିଣଆଫ୍ରିକା ସହିତ ଯୋଗ କରୁଥିବା ରାସ୍ତା ଓ ରେଳରାସ୍ତାଗୁଡ଼ିକ ଉପରେ ଏକାଧିକବାର ଆକ୍ରମଣ ବି କରିସାରିଲେଣି ।

 

ତେଣୁ ରକ୍ତପାତ ଅନିବାର୍ଯ୍ୟ କି ?-ପୁନର୍ବାର ଏହି ପ୍ରଶ୍ନଟି ଉଠିଛି । ରୋଡ଼େଶିଆରେ ବର୍ତ୍ତମାନ ଯେଉଁ ଶାସନ ଚାଲିଛି ଏବଂ ପୃଥିବୀର ଅଧିକାଂଶ ଜନସମୂହ ଯାହାକୁ ଶାସନ ନକହି ଅନ୍ୟାୟ ବୋଲି କହୁଛନ୍ତି, ରୋଡ଼େଶିଆର ଗୋରାଶାସନମୁଖ୍ୟ ତାହାକୁ ହିଁ ବହୁମତର ଶାସନ ବୋଲି କହୁଛନ୍ତି । ରୋଡ଼େଶିଆରେ ବର୍ତ୍ତମାନ ବହୁମତର ଶାସନ ପ୍ରତିଷ୍ଠିତ ହୋଇ ରହିଛି ବୋଲି ସେ ଯେ ପ୍ରକୃତରେ ଅନୁଭବ କରୁଛନ୍ତି, ସେ ଏବେ ଅତି ସ୍ପଷ୍ଟଭାବରେ ତାହା କହିଛନ୍ତି । କାରଣ ଏପର୍ଯ୍ୟନ୍ତ ସେ ଅତିରିକ୍ତ ଭାବରେ ଅସ୍ତ୍ରଶସ୍ତ୍ର ଉପରେ ହିଁ ବିଶ୍ୱାସ କରୁଛନ୍ତି । କଳାମାନଙ୍କ ଅପେକ୍ଷା ତାଙ୍କ ଗୋରା ସୈନ୍ୟବାହିନୀ ହାତରେ ଅଧିକ ଅସ୍ତ୍ରବଳ ରହିଛି । ଦକ୍ଷିଣ ଆଫ୍ରିକାର ଗୋରାସରକାର ମଧ୍ୟ ତାଙ୍କର ଆଉ ଏକ ପ୍ରଧାନ ଭରସା ହୋଇ ରହିଛି । ପୁନଶ୍ଚ, ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରୁ ଯେଉଁମାନେ ଉପରେ ତାଙ୍କର ନିନ୍ଦାବାଦ କରୁଥିଲେ ମଧ୍ୟ ଭିତରେ ତାଙ୍କରି ସରକାର ସହିତ ବାଣିଜ୍ୟ ବେପାର କରୁଛନ୍ତି ଓ ତାଙ୍କର ଯାବତୀୟ ଦାମ୍ଭିକତାକୁ ମୁହଁଦେବାରେ ଲାଗିଛନ୍ତି, ସେମାନେ ଯେ ରୋଡ଼େଶିଆରେ ସ୍ଥିତାବସ୍ଥାଟିକୁ ବଜାୟ ରଖିବାରେ ନିଶ୍ଚୟ ସହାୟକ ହେବେ, ଇଆନ୍‌ ସ୍ମିଥ୍‌ଙ୍କର ଏହି ବିଶ୍ୱାସଟି ଏବେ ମଧ୍ୟ ଦୃଢ଼ ହୋଇ ରହିଛି । ଏହି ବିଶ୍ୱାସ, ଏହି ଦମ୍ଭ ଓ ଏହି ଭରସାଗୁଡ଼ାକୁ ଭଙ୍ଗାଇବା ସକାଶେ କ’ଣ ରକ୍ତପାତ ଏକାନ୍ତ ଅନିବାର୍ଯ୍ୟ ?

 

ତା ୦୫.୦୯.୧୯୭୬ ରିଖ

Image

 

ଧନଠାରୁ ମନ ବେଶି ଲୋଡ଼ା

 

ନିକଟରେ ଶିକ୍ଷାବିଭାଗର ଏକ ସମାରୋହରେ, ଓଡ଼ିଶାର ଶିକ୍ଷାମନ୍ତ୍ରୀ ଆମକୁ ଅସଲ ବାଟଟି ଅର୍ଥାତ୍‌ ଅସଲ ବାଧାଟି ବିଷୟରେ ସଚେତନ କରାଇଦେଇ କହିଛନ୍ତି ଯେ ଏକ ନୂତନ ପ୍ରଗତିକାମୀ ସମାଜ ଗଢ଼ିବା ଲାଗି ଆମ ଦେଶରେ ଯେଉଁ ସାର୍ବଜନୀନ ଶିକ୍ଷାର ପ୍ରୟୋଜନ ରହିଛି, ତାହାକୁ କାର୍ଯ୍ୟକାରୀ କରିବା ପାଇଁ ଧନର ଆବଶ୍ୟକତା ଅବଶ୍ୟ ରହିଛି ସତ, ମାତ୍ର ମନର ଆବଶ୍ୟକତା ତା’ଠାରୁ ଅନେକ ଅଧିକ ରହିଛି । ମନ ଥିଲେ ଧନ ଆପେ ଆପେ ଆସେ ବୋଲି ଆମର ଭାଷାମାନଙ୍କରେ ବହୁଦିନରୁ ଏକ ବୋଲି ପ୍ରଚଳିତ ରହିଛି । ଗତ ପ୍ରାୟ ଦୁଇଟି ଦଶକ ହେଲା ପ୍ରଧାନତଃ ସମ୍ୱଳର ଅଭାବରୁ ହିଁ ଶିକ୍ଷାକ୍ଷେତ୍ରରେ ଆମର ନୂତନ ଯୋଜନାଗୁଡ଼ାକ ସମୁଚିତ ଭାବରେ କାର୍ଯ୍ୟକାରୀ ହୋଇପାରୁ ନାହିଁ ବୋଲି ନାନା ଅବସରରେ କୁହାହୋଇ ଆସୁଥିଲା । ଅର୍ଥାତ୍‌ ମନ ପ୍ରସ୍ତୁତ ହୋଇ ରହିଛି, ମାତ୍ର ଆବଶ୍ୟକ ଧନ ମିଳିପାରୁ ନାହିଁ ବୋଲି ମନ ଅନୁସାରେ କାର୍ଯ୍ୟ ହୋଇପାରୁ ନାହିଁ, ଅନେକ କ୍ଷେତ୍ରରେ ଏହି କଥା କୁହାହୋଇ ଆସୁଥିଲା ।

 

ଶିକ୍ଷାମନ୍ତ୍ରୀ ଆମକୁ ତାଙ୍କ ମନ୍ତବ୍ୟଟିରେ ଆଉ କଥାଟିର ସ୍ମରଣ କରାଇ ଦେଇଛନ୍ତି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଅଧ୍ୟାପକ ନୁରୁଲ୍‌ ହାସାନ୍‌ ମଧ୍ୟ ଗତବର୍ଷଟି ମଧ୍ୟରେ ଆମକୁ ଏକାଧିକବାର ସେହି କଥାଟି କହିଛନ୍ତି । ଧନଠାରୁ ମନ ଅଧିକ ଲୋଡ଼ା ହେଉଛି ; ତେଣୁ ଯେତିକି ମନର ଆବଶ୍ୟକତା ରହିଛି, ଏହି କ୍ଷେତ୍ରରେ ଅନେକ ସମୟରେ ଅଥବା ଅଧିକାଂଶ ସମୟରେ ସେହି ମନଟି ସମ୍ପୃକ୍ତ ଆମ ସମସ୍ତଙ୍କ ପକ୍ଷରେ ଯେ ସମ୍ଭବ ହୋଇପାରୁ ନାହିଁ, ଶିକ୍ଷାମନ୍ତ୍ରୀଙ୍କର ବକ୍ତୃତାରୁ ସେହିପରି ଏକ ଆଶଙ୍କା ପ୍ରକାଶ ପାଉଛି କି ? ଯେତେବେଳେ ମନ ଅଛି, ସେତେବେଳେ ଧନ ନାହିଁ, ଅର୍ଥାତ୍‌ ଯେତେବେଳେ ଶିକ୍ଷାଲାଗି ମନ ଅଛି ବୋଲି ବୋଧ ହେଉଛି, ସେତେବେଳେ ଶିକ୍ଷା ଲାଗି ଆବଶ୍ୟକ ଧନ ହାତକୁ ଆସି ପାରୁନାହିଁ ଏବଂ ଯେତେବେଳେ ଧନ ସକାଶେ କଦାପି କିଛି ଅଟକି ଯିବନାହିଁ ବୋଲି ବିଶ୍ୱାସ କରି ହେଉଛି, ସେତେବେଳେ ହଠାତ୍‌ ମନଟା ସତେଅବା ସାଙ୍ଗରେ ନ ଥିବାପରି ମନେହେଉଛି । ଏହି ଦୁଇଟି ସ୍ଥିତି ମଧ୍ୟରେ ଆମେ କେଉଁଟିକୁ ଅଧିକ କାମ୍ୟ ଅଥବା ଅପେକ୍ଷାକୃତ କମ୍‌ ବିପଜ୍ଜନକ ବୋଲି କହିପାରିବା ?

 

ଅନ୍ତତଃ ଶିକ୍ଷାକ୍ଷେତ୍ରରେ ଆମେ ଦୁଇଟିଯାକକୁ ହିଁ ସମାନ ଭାବରେ ଦୟନୀୟ ବୋଲି କହିବା । ବିଶେଷତଃ ଯେତେବେଳେ ଆମେ ଶିକ୍ଷା ଲାଗି ଯଥେଷ୍ଟ ପରିମାଣରେ ନିଶ୍ଚୟ ଅର୍ଥ ବ୍ୟୟ କରିପାରିବା ବୋଲି ସଙ୍କଳ୍ପ କରିବାର ଏକ ସାମର୍ଥ୍ୟାବସ୍ଥାକୁ ଆସିଗଲୁଣି, ସେତେବେଳେ ଆମ ଭିତରେ ଯଦି ମନର ଅଭାବ ପରିଲକ୍ଷିତ ହୁଏ, ତେବେ ତାହାକୁ ସମ୍ପୃକ୍ତ ଆମ ସମସ୍ତଙ୍କର ହିଁ ଦୁର୍ଭାଗ୍ୟ ବୋଲି କହିବାକୁ ହେବ । ଅର୍ଥାତ୍‌ ଶିକ୍ଷା ଲାଗି ଯେ ଆମର ଏକ ଅପରିହାର୍ଯ୍ୟ ଆବଶ୍ୟକତା ରହିଛି, ଆମେ ସେହି କଥାଟିକୁ ଏକ ସ୍ୱାଧୀନ ଦେଶ ରୂପେ ଜନ୍ମଗ୍ରହଣ କରିବା ଦିନରୁ ହିଁ ଉପଲବ୍‌ଧି କରିଆସିଛୁ । ଶିକ୍ଷାକୁ ବଦଳାଇ ଏକ ଅନ୍ୟ ପରିବେଶ ସୃଷ୍ଟି କରିବା ଲାଗି ଓ ସେଥିଲାଗି ଆବଶ୍ୟକ ଯାବତୀୟ ପ୍ରସାରଣ ଲାଗି ଆମର ଯେତେ ଅର୍ଥ ଲୋଡ଼ା ହେବ ବୋଲି ଆମେ ଅନୁମାନ କରୁଛୁ, ତାହା ଆମ ପାଖକୁ ଆସିବା ବିଷୟରେ କ୍ରମେ ଆମର ବିଶ୍ୱାସ ବି ହୋଇଗଲାଣି । ମାତ୍ର ଠିକ୍‌ ସେତିକିବେଳେ ଯଦି ମନର ଅଭାବ ଘଟେ, ତେବେ ସେହି ଅଭାବ ଯେଉଁଠାରେ ଯେଉଁ ସ୍ତରରେ ରହିଥାଉ ପଛକେ, ଆମ ଜାତୀୟ ଭାଗ୍ୟ ଓ ଜାତୀୟ ଆକାଙ୍‌କ୍ଷା-କ୍ଷେତ୍ରରେ ତାହାକୁ କେବଳ ନିରାଶାଜନକ ବୋଲି ହିଁ କହିବାକୁ ହେବ ।

 

ଯେଉଁଠି ମନ ଆଦୌ ପ୍ରସ୍ତୁତ ନାହିଁ ବୋଲି ଆମେ ସମସ୍ତେ ଭଲକରି ଜାଣିଛୁ, ଏ ପର୍ଯ୍ୟନ୍ତ ଅଧିକାଂଶ ସ୍ଥଳରେ ଆମେ ସେହିଠାରେ ହିଁ ଅଧିକ ଅର୍ଥ ଅଜାଡ଼ିବାରେ ଲାଗିଛୁ । ଯେଉଁଠାରେ ସେହି ପୁରୁଣା ଗଣ୍ଠିଗୁଡ଼ାକ ଜବର ହୋଇ ପଡ଼ିଛି, ପୁରୁଣା ଉଦାସୀନତାଗୁଡ଼ାକ ସବୁପ୍ରକାର ନୂତନ ଉଦ୍ୟମକୁ ପ୍ରାୟ ପଣ୍ଡ କରିବାରେ ଲାଗିଛି, ସତେ ଅବା କେଉଁ ପୂରାତନ ପ୍ରେମର ବଶବର୍ତ୍ତୀ ହୋଇ ଆମର ଧନଗୁଡ଼ାକ ପ୍ରଧାନତଃ ସେହିଠାରେ ହିଁ ଅଜଡ଼ା ହେବାରେ ଲାଗିଛି । ପୁରୁଣା ଯନ୍ତ୍ରଗୁଡ଼ାକ ଉପରେ ସତେ ଅବା ସବୁଯାକ ସ୍ନେହ ଅଜଡ଼ା ହେବାରେ ଲାଗିଛି । ତାହା ଫଳରେ ପୁରୁଣାଗୁଡ଼ାକ ଅଧିକ ଚକଚକ ହୋଇ ଦେଖାଯାଉଛି, ସତେ ଅବା ନୂଆ ହୋଇଗଲା ପରି ଏକ ଭ୍ରମ ଉତ୍ପନ୍ନ କଲା ପରି ଲାଗୁଛି । ଆମର କଳ୍ପିତ ଚିତ୍ରଟି ଅନୁସାରେ ଯେଉଁଗୁଡ଼ାକର ମିଆଦ ସମ୍ପୂର୍ଣ୍ଣ ହୋଇଯାଇ ସାରନ୍ତାଣି, ଏବେ ସେହିମାନଙ୍କର ଜୟନ୍ତୀ ବି ପାଳିତ ହେଉଛି ଏବଂ ସେହି ଅବସରରେ ତଥାପି ନୂଆର କଥାଗୁଡ଼ାକୁ ପଲଟା ହେବାରେ ଲାଗିଛି । ଆମ ନୂତନ ଶିକ୍ଷାର ପ୍ରବର୍ତ୍ତନ ଲାଗି ଯେଉଁ ପୁରୁଣା ଯନ୍ତ୍ରଗୁଡ଼ାକ ଆଦୌ କୌଣସି କାମ ଦେବନାହିଁ ବୋଲି ଆମେ ସମସ୍ତେ ଭଲକରି ଜାଣିଛୁ, ଆମେ ସତେ ଅବା ପୁରୁଣା ଅଭ୍ୟସ୍ତତାଗୁଡ଼ାକୁ ଆଦୌ ଛାଡ଼ିପାରୁ ନ ଥିଲା ପରି ସେହି ଯନ୍ତ୍ରଗୁଡ଼ାକ ଉପରେ ବଡ଼ ଅସହାୟ ଅଥବା ଅନ୍ୟସହାୟଶୂନ୍ୟ ଭାବରେ ନିର୍ଭର କରିବାରେ ଲାଗିଛୁ । ସେହି ଯନ୍ତ୍ରଗୁଡ଼ାକ ହିଁ ଆମର ଗଣକ ହୋଇ ରହିଛନ୍ତି, ଆମର ଘଟକ ହୋଇ ରହିଛନ୍ତି, ଏବଂ ଅନ୍ତରାଳରୁ ରଜ୍ଜୁଗୁଡ଼ାକ ଧରି ରଖିଥିବାରୁ ଆମର ପରିଚାଳକ ବି ହୋଇ ରହିଛନ୍ତି । ସେମାନଙ୍କୁ ମୁରୁଛି ବା ସେମାନଙ୍କୁ ବାଦ୍‌ଦେଇ ଆମେ ଦଣ୍ଡେହେଲେ କିଛି କରିପାରିବୁ ନାହିଁ ବୋଲି ଏକ ଦୃଢ଼ ପ୍ରତ୍ୟୟ ସହିତ ହିଁ ସେମାନେ ବଞ୍ଚି ରହିଛନ୍ତି ଏବଂ ଏଗୁଡ଼ାକ ଏହିପରି ବକ୍ରହୋଇ ରହିଥିବା ପର୍ଯ୍ୟନ୍ତ ଅର୍ଥବଳ ବା ଧନ ଆମର କ’ଣ କରିପାରିବ ?

 

ଏବଂ ଯେଉଁମାନେ ତଥାପି କିଛି ନୂଆର ପ୍ରୟୋଗ କରୁଛନ୍ତି, ଚତୁର୍ଦ୍ଦିଗର ଭୁଷୁଡ଼ା ଘର ଭିତରେ ଯେଉଁମାନେ ତଥାପି ନୂଆ କେତୋଟି ଗଛ ରୋପି ବଞ୍ଚାଇ ରଖିବାକୁ ପ୍ରୟାସ କରୁଛନ୍ତି, ସେଇଠି ସେମାନଙ୍କୁ ଯନ୍ତ୍ର ଉପେକ୍ଷା କରିବାରେ ଲାଗିଛି । ସେମାନଙ୍କ ମନରେ ପ୍ରକୃତରେ କେତେ ବଳ ଓ କେତେ ଧୈର୍ଯ୍ୟ ରହିଛି, କର୍ତ୍ତାମାନେ ସେହି କଥାର ପରୀକ୍ଷା କରିବାରେ ଯନ୍ତ୍ରଗୁଡ଼ିକର ସାହାଯ୍ୟରେ ସେମାନଙ୍କୁ ଉପେକ୍ଷା କରିବାରେ ଲାଗିଛନ୍ତି, ସହାନୁଭୂତି ସହିତ ଉପେକ୍ଷା କରିବାରେ ଲାଗିଛନ୍ତି । ଏହିପରି ଏକ ଅନୁଭୂତି ମଧ୍ୟ ହେଲାଣି । ତେଣୁ ଅତି ସାବଧାନତାର ସହିତ ଏହି ସମସ୍ୟାଟିର ସମାଧାନ କରିବାକୁ ହେବ । ଅନ୍ତତଃ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶିକ୍ଷାକ୍ଷେତ୍ରରେ ଏକ ନିର୍ଦ୍ଦିଷ୍ଟ ବିପ୍ଳବ ଆଣିବା ପାଇଁ ଯେଉଁ ବ୍ୟାକୁଳତା ପ୍ରକଟ କରୁଛନ୍ତି, ତାକୁ ସାହସର ସହିତ କାର୍ଯ୍ୟକାରୀ କରାଇବାକୁ ପଡ଼ିବ । ସେ ଅନୁସାରେ ମନଗୁଡ଼ିକୁ ମଧ୍ୟ ତୁରନ୍ତ ସଜାଡ଼ି ନେବାକୁ ହେବ-

 

ତା ୦୭.୦୯.୧୯୭୬ ରିଖ

Image

 

Unknown

ସତର୍କତା ଲୋଡ଼ା

 

ଶ୍ରୀଲଙ୍କାର ରାଜଧାନୀ କଲେମ୍ୱୋ ସହରରେ ଏବେ ଗୋଷ୍ଠୀନିରପେକ୍ଷ ଦେଶଗୁଡ଼ିକର ଯେଉଁ ଶିଖର ସମ୍ମିଳନୀ ବସିଥିଲା, ସେଥିରେ ଏପର୍ଯ୍ୟନ୍ତ ଗୋଷ୍ଠୀନିରପେକ୍ଷ ଗୋଷ୍ଠୀର ବାହାରେ ରହିଥିବା କେତେକ ଦେଶ ସଦସ୍ୟରୂପେ ଗୃହୀତ ହେବା ଲାଗି ଇଚ୍ଛାପ୍ରକାଶ କରିଥିଲେ । ସେମାନଙ୍କର ଏହି ଇଚ୍ଛାଟି ବିଷୟରେ ସମ୍ମିଳନୀର ଅଧିବେଶନରେ ବିଚାର ହୋଇଥିଲା ଓ ସେହି ବିଷୟରେ ଏକ ନିଷ୍ପତ୍ତି ବି ଗ୍ରହଣ କରାଗଲା ।

ଗୋଷ୍ଠୀ-ନିରପେକ୍ଷତାର ଆନ୍ଦୋଳନ ଯେତେବେଳେ ପ୍ରଥମ ପର୍ଯ୍ୟାୟରେ ଥିଲା, ସେତେବେଳେ ଆନ୍ତର୍ଜାତିକ ରାଜନୀତିର ମତିଗତି ଗୋଷ୍ଠୀ ବାନ୍ଧିବାର ପକ୍ଷରେ ହିଁ ରହିଥିଲା । ଦୁଇ ବୃହତ୍‌ଶକ୍ତିଙ୍କର ଉତ୍ସାହ ଦ୍ୱାରା ସାରା ପୃଥିବୀ ସତେ ଅବା ଦୁଇଭାଗରେ ବିଭକ୍ତ ହୋଇଯିବ ବୋଲି ମନେ ହେଉଥିଲା । ମେଣ୍ଟ ଭିତରେ କ୍ରମଶଃ କେତେ ବିଭେଦ ଆରମ୍ଭ ହୋଇଗଲା । କମ୍ୟୁନିଷ୍ଟ ଚୀନର ଆବିର୍ଭାବ ଫଳରେ ପ୍ରତିଷ୍ଠିତ ଓ ପ୍ରାଚୀନ ଶତ୍ରୁତାଗୁଡ଼ାକ ହଠାତ୍‌ ବଦଳି ବଦଳି ଗଲା । ଦ୍ୱିତୀୟ ମହାଯୁଦ୍ଧ ପରବର୍ତ୍ତୀ ଉତ୍ତେଜନାଗୁଡ଼ାକ ଶୀତଳ ହୋଇଆସିବା ସଙ୍ଗେ ସଙ୍ଗେ ମେଣ୍ଟ ଲାଗି ରହିଥିବା ଉତ୍ସାହଗୁଡ଼ାକ ମଧ୍ୟ କମି କମି ଆସିବାକୁ ଲାଗିଲା । ମେଣ୍ଟଗୁଡ଼ାକ ଗଢ଼ାହୋଇ ସାମରିକ ତତ୍ପରତା ବୃଦ୍ଧି ପାଉଥିବା ସମୟରେ ଆନ୍ତର୍ଜାତିକ ରାଜନୀତି କେବଳ ଇଉରୋପ ଓ ଆମେରିକାର ସ୍ଥାନୀୟ ରାଜନୀତିଗୁଡ଼ାକୁ ବୁଝାଉଥିଲା । ତୃତୀୟ ପୃଥିବୀ ଜନ୍ମଗ୍ରହଣ କରିବା ସଙ୍ଗେ ରାଜନୀତି ବଡ଼ ହେଲା, ଅଧିକ ପ୍ରସାରିତ ହେଲା । ପୃଥିବୀର ଭାଗ୍ୟ ସହିତ ଆଫ୍ରିକା ଓ ଏସିଆ ବି ସାମିଲ ହେଲା । ଏହି ନୂତନ ପରିପ୍ରେକ୍ଷୀ ଓ ନୂତନ ସମ୍ପର୍କର ପୃଷ୍ଠଭୂମିରେ ସତେ ଯେପରି ମେଣ୍ଟଗୁଡ଼ାକର ଆଉ କୌଣସି ପ୍ରୟୋଜନ ହିଁ ରହିଲା ନାହିଁ ।

ସେହିଦିନଠାରୁ ପୃଥିବୀ ବଦଳି ଯାଇଛି ଏବଂ ପ୍ରଧାନତଃ ତାହାରି ଏକ ପରିଣାମ ସ୍ୱରୂପ ପୃଥିବୀର ଅଧିକରୁ ଅଧିକସଂଖ୍ୟକ ଦେଶ ବର୍ତ୍ତମାନ ଗୋଷ୍ଠୀନିରପେକ୍ଷ ଶିବିରର ହିଁ ଅନ୍ତର୍ଭୁକ୍ତ ହୋଇ ଆସିବାକୁ ଇଚ୍ଛା କରୁଛନ୍ତି । ଏହା ଏକ ଶୁଭ ଲକ୍ଷଣ । ମାତ୍ର ଏହି କ୍ଷେତ୍ରରେ ଯଥେଷ୍ଟ ସାବଧାନତା ଅବଲମ୍ୱନ କରିବାର ପ୍ରୟୋଜନ ରହିଛି । ଗୋଷ୍ଠୀନିରପେକ୍ଷ ଗୋଷ୍ଠୀର ଅର୍ନ୍ତଭୁକ୍ତ ସଦସ୍ୟ ଦେଶଗୁଡ଼ିକର ସଂଖ୍ୟା ଅକାରଣରେ ଅତିଗୁଡ଼ାଏ ହୋଇ ରହିଲେ ତଦ୍ଦ୍ୱାରା ଗୋଷ୍ଠୀନିରପେକ୍ଷତା ଆନ୍ଦୋଳନର ଶକ୍ତିବୃଦ୍ଧି ପାଇବା ପରିବର୍ତ୍ତେ ଅଧିକ ବାଧାପ୍ରାପ୍ତ ହେବନାହିଁ ତ-? ଏଥିରେ ଅକାମ୍ୟ ଅନେକ ଉପାଦାନ ବାହାରୁ ଆସି ଗୋଷ୍ଠୀନିରପେକ୍ଷତାର ଆୟତନଟିକୁ ଦୂଷିତ କରିପକାଇବ ନାହିଁ ତ ? ମୁଖାପିନ୍ଧା ଅଥବା ଚାନ୍ଦ୍ରାୟଣ ବ୍ରତ ପାଳନ କରି କେତେକ ଦେଶ ଗୋଟାସୁଦ୍ଧା ଆପଣାର ସ୍ୱଭାବକୁ ବଦଳାଇ ଦେଇ ସାରିଲେଣି ବୋଲି କହି ଏହା ଭିତରକୁ ପଶି ଆସିବେ ନାହିଁ ଓ ଏହାରି ଭିତରେ ରହି ଆତତାୟୀର ଭୂମିକା ଗ୍ରହଣ କରିବେ ନାହିଁ ତ ? ଗୋଷ୍ଠୀନିରପେକ୍ଷତାର ଆନ୍ଦୋଳନକୁ ଦବାଇବାକୁ ଯାଇ ପୃଥିବୀର କେତେକ ଶକ୍ତି ଯେତେବେଳେ ବିଫଳ ହୋଇ ପଡ଼ିଲେ ବୋଲି ହୃଦୟଙ୍ଗମ କଲେଣି, ସେତେବେଳେ ଅନ୍ୟ ଏକ ରଣକୌଶଳ ଅବଲମ୍ୱନ କରି ସେମାନେ ସେମାନଙ୍କର ଅନୁଚାରୀ କେତୋଟି ଦେଶକୁ ଗୋଷ୍ଠୀନିରପେକ୍ଷ ଗୋଷ୍ଠୀର ସଦସ୍ୟ ବନାଇ ସେହିମାନଙ୍କ ଜରିଆରେ ଏହି କ୍ଷେତ୍ରରେ ଏକ ଚତୁର ଅନୁପ୍ରବେଶ କାମନା କରୁନାହାନ୍ତି ତ ? ନୂତନ ସଦସ୍ୟମାନଙ୍କୁ ଗ୍ରହଣ କରିବା ବିଷୟରେ ନୀତି ନିର୍ଦ୍ଧାରଣ କରିବା ସମୟରେ କଲମ୍ୱୋ ସମ୍ମିଳନୀରେ ନିଶ୍ଚୟ ଏହିସବୁ ଦିଗ ଉପରେ ଦୃଷ୍ଟିପାତ ହୋଇଛି ।

ଗୋଷ୍ଠୀନିରପେକ୍ଷତାର ଆଭିମୁଖ୍ୟକୁ ଏଥର ସାମରିକ ମେଣ୍ଟ ଗଢ଼ି ରହିଥିବା ଓ ସାମରିକ ମେଣ୍ଟଗୁଡ଼ାକରେ ପ୍ରାୟ ପୂର୍ବପରି ବିଶ୍ୱାସ ରଖିଥିବା କେତେକ ଦେଶର ଶାସକମାନେ ଆପଣାର ନୈତିକ ସମର୍ଥନ ଜଣାଇଛନ୍ତି । କଲମ୍ୱୋ ସମ୍ମିଳନୀକୁ ସେମାନେ ସ୍ୱାଗତ କରିଛନ୍ତି ଓ ସେଥିରେ ଗୃହୀତ ହୋଇଥିବା କେତେକ ପ୍ରସ୍ତାବକୁ ଅଭିନନ୍ଦନ ଜଣାଇଛନ୍ତି । ରାଜନୀତି ଭିତରେ ଯେଉଁ ଅଂଶଟିକୁ କୂଟନୀତି ବୋଲି କୁହାଯାଏ, ସେହି ଦୃଷ୍ଟିରୁ ଏହି ପ୍ରଶଂସାସୂଚକ ଦୃଷ୍ଟିକୋଣଟିକୁ ବେଶ୍‌ ବୁଝିହେଉଛି ସତ, ମାତ୍ର ପୃଥିବୀର ଅଧିକାଂଶ ମଣିଷ ସଚରାଚର ଯେଉଁ ସାଧାରଣ ବୁଦ୍ଧିଟି ଦ୍ୱାରା ପରିଚାଳିତ ହୋଇଥାନ୍ତି ଓ ପୃଥିବୀରେ ଘଟୁଥିବା ଘଟଣାଗୁଡ଼ିକର ସଦର ମଫସଲଗୁଡ଼ିକୁ ବୁଝିବାକୁ ଚେଷ୍ଟା କରନ୍ତି, ସେହି ଦୃଷ୍ଟିରୁ କଥାଟିକୁ ପ୍ରକୃତରେ ମୋଟେ ବୁଝିହେଉ ନାହିଁ । ଯିଏ ଗୋଷ୍ଠୀନିରପେକ୍ଷତାକୁ ବିଶ୍ୱ ପକ୍ଷରେ କଲ୍ୟାଣକର ବୋଲି ବିଶ୍ୱାସ କରୁଛି, ସିଏ ତଥାପି ଗୋଷ୍ଠୀ ଗଢ଼ୁଛି କିପରି, ଗୋଷ୍ଠୀ ଭିତରେ ରହିଛି କାହିଁକି ଓ ସାମରିକ ଶକ୍ତିର ଏକ ଅମଙ୍ଗଳ ପ୍ରତିଯୋଗିତା ମଧ୍ୟରେ ପୃଥିବୀଗୋଟାକୁ ଏପରି ଅଣନିଃଶ୍ୱାସୀ କରି ରଖିଛି ବା କାହିଁକି ?

ବର୍ତ୍ତମାନ ସମୟ ଆସିଛି, ଯେତେବେଳେ ପୃଥିବୀର ଅଧିକରୁ ଅଧିକ ଦେଶ ଆପଣାକୁ ବିଶ୍ୱପରିବାରର ଏକ ଅଂଶ ବୋଲି ବିଚାର କରିବେ । ସେମାନେ ଭୟ ଦ୍ୱାରା, ପାରସ୍ପରିକ ପ୍ରତିଦ୍ୱନ୍ଦ୍ୱିତା ଦ୍ୱାରା ପ୍ରେରିତ ନହୋଇ ଅଧିକତର ପରିମାଣରେ ସହଯୋଗ ଦ୍ୱାରା ପ୍ରେରିତ ହେବେ-। ସେତେବେଳେ ପ୍ରତ୍ୟେକ ସ୍ୱତନ୍ତ୍ର ଦେଶ ଆଉ ଗୋଟିଏ ଦେଶର ଅସ୍ତ୍ରବଳ, ଅର୍ଥବଳ ଏବଂ ପ୍ରଭାବମଣ୍ଡଳର ଅଧୀନ ହୋଇ ରହିବାକୁ ଆପଣା ସ୍ୱତନ୍ତ୍ରତାର ଅପମାନ ବୋଲି ଅନୁଭବ କରିବ, ସେତେବେଳେ ବୃହତ୍‌ଶକ୍ତିମାନଙ୍କ ଦ୍ୱାରା ପୂର୍ଣ୍ଣ ନିଷ୍ଠାର ସହିତ ପ୍ରତିଷ୍ଠିତ ହୋଇ ରହିଥିବା ବର୍ତ୍ତମାନର ଏହି ରାଜନୀତିକ ସାମନ୍ତବାଦର ଅବସାନ ଘଟିବ । ସେତେବେଳେ ଗୋଷ୍ଠୀନିରପେକ୍ଷତାର ଆନ୍ଦୋଳନ ଯଥାର୍ଥ ସଫଳତା ଲାଭ କରିବ, ଏହି ଆନ୍ଦୋଳନ ଆଉ ମାତ୍ର କେତୋଟି ଦେଶର ଆନ୍ଦୋଳନ ହୋଇ ନ ରହି ଏକ ବିଶ୍ୱଅଭିଳାଷରେ ପରିଣତ ହୋଇଯିବ ।

ତା ୧୦.୦୯.୧୯୭୬ ରିଖ

Image

 

ଅଧିକାର ଓ ଅଧିକାରଭଙ୍ଗ

 

ଦକ୍ଷିଣକୋରିଆରେ ସେହି ଦେଶର ସରକାର କେତେକ ଲୋକଙ୍କୁ ସେମାନଙ୍କର ମାନବିକ ଅଧିକାରଗୁଡ଼ିକରୁ ବଞ୍ଚିତ କରି ରଖିଛନ୍ତି ବୋଲି ଯୁକ୍ତରାଜ୍ୟ ଆମେରିକାର ଫୋର୍ଡ଼ ସରକାର ତାଙ୍କ ଉପରେ କୋପ ପ୍ରକାଶ କରିଛନ୍ତି । ଉତ୍ତର-ଆୟାର୍ଲାଣ୍ଡ୍‌ ଅର୍ଥାତ୍‌ ଅଲଷ୍ଟର୍‌ରେ ଅନେକ ଲୋକଙ୍କୁ ସେହି ମାନବିକ ଅଧିକାରଗୁଡ଼ିକରୁ ବଞ୍ଚିତ କରି ରଖାଯାଇଛି ବୋଲି ଜାତିସଂଘର ମାନବ ଅଧିକାର ସମ୍ପର୍କୀୟ ବିଶେଷ କମିଶନ ଅଲଷ୍ଟର୍‌ ସରକାରଙ୍କୁ ଚେତାବନୀ ଦେଇଛନ୍ତି । ଜାତିସଂଘ ପ୍ରାୟ ପ୍ରତିଷ୍ଠିତ ହେବା ଦିନଠାରୁ ମାନବିକ ଅଧିକାରର ସୁରକ୍ଷା ଲାଗି ଏକ ବିଶେଷ କମିଶନ ନିଯୁକ୍ତ ହୋଇ ରହିଛି । ପୃଥିବୀର ବାସ୍ତବ ରାଜନୀତିକ ପରିସ୍ଥିତି ଯେପରି ହୋଇ ରହିଛି, ସେହି ଦୃଷ୍ଟିରୁ ଉକ୍ତ କମିଶନ କେବଳ ପୋଲିସ ବା ପ୍ରହରୀ ପରି କାର୍ଯ୍ୟ କରିବା ବ୍ୟତୀତ ଆଉ କିଛିହେଲେ କରିପାରୁ ନାହାନ୍ତି । ଅର୍ଥାତ୍‌ କେଉଁ ଦେଶରେ ସରକାର ମାନବିକ ଅଧିକାରର ପ୍ରୟୋଗରେ ଖିଲାପ କରୁଛନ୍ତି, କମିଶନ ମୁଖ୍ୟ ଭାବରେ ସେହିଗୁଡ଼ାକର ହିଁ ତଦନ୍ତ କରି ଦେଖୁଛନ୍ତି-। କେଉଁଠୁ ଏହି ବିଷୟରେ ଅଭିଯୋଗମାନ ଆସିଲେ ସେସବୁ ପ୍ରତି କର୍ଣ୍ଣପାତ କରୁଛନ୍ତି, ସେଗୁଡ଼ିକ ବିଷୟରେ ସରଜମିନ ଅନୁସନ୍ଧାନ କରୁଛନ୍ତି ଓ ଜାତିସଂଘର ସେକ୍ରେଟାରୀ ଜେନେରାଲଙ୍କ ପାଖରେ ବିବରଣୀଟିଏ ଦାଖଲ କରୁଛନ୍ତି । ବହୁ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଜାତିସଂଘ ଅନ୍ୟ ଅନେକ କ୍ଷେତ୍ରରେ ଯେପରି ଅକ୍ଷମ ଓ ଅକର୍ତ୍ତବ୍ୟ ହୋଇ ରହିଛି, ଏ କ୍ଷେତ୍ରରେ ମଧ୍ୟ ଠିକ୍‌ ସେହିପରି ରହିଛି ।

 

ମାନବିକ ଅଧିକାରର ସର୍ବମୂଳ ସୂତ୍ରଟି ହେଉଛି ଯେ ମଣିଷ ଆଗ ମଣିଷ । ତା’ପରେ ଯାଇ ନାଗରିକ । ତେଣୁ, ସିଏ ଏଠି ମଣିଷର ସମ୍ମାନ ପାଇବ, ମଣିଷ ପରି ଅବସର ପାଇବ । ମଣିଷ ଯେତେବେଳେ କୌଣସି ନା କୌଣସି ଦେଶରେ ଜନ୍ମଗ୍ରହଣ କରିଛି, ସାନରୁ ବଡ଼ ହୋଇଛି, ତାକୁ ସେହି ଦେଶର ଜଣେ ନାଗରିକ ହୋଇ ଅବଶ୍ୟ ଜୀବନଯାପନ କରିବାକୁ ହେବ ସତ; ମାତ୍ର ସେହି କ୍ଷେତ୍ରରେ ରାଷ୍ଟ୍ରର ମଧ୍ୟ ଏକ କର୍ତ୍ତବ୍ୟ ରହିଛି । ରାଷ୍ଟ୍ର ତା’ର ପ୍ରତ୍ୟେକ ନାଗରିକଙ୍କୁ ଆଗ ମଣିଷ ବୋଲି ସ୍ୱୀକାର କରିବ, ରାଷ୍ଟ୍ରର ଅଭିବୃଦ୍ଧିକୁ ମାନବିକ ଅଭିବୃଦ୍ଧିର ଅଧୀନ କରି ରଖିବ, ରାଷ୍ଟ୍ରନୀତି ବା ରାଜନୀତିକୁ ସୁସ୍ଥ ଓ ମହିମାନ୍ୱିତ ଏକ ଜୀବନନୀତିର ଅଧୀନ କରି ରଖିବ । ଦୁର୍ଭାଗ୍ୟର ବିଷୟ, ପୃଥିବୀର ଅଧିକାଂଶ ରାଷ୍ଟ୍ର ତାହା କରିପାରନ୍ତି ନାହିଁ । ରାଷ୍ଟ୍ରୀୟ ଦାୟିତ୍ୱ କହିଲେ ରାଷ୍ଟ୍ରଜୀବନର ଯନ୍ତ୍ରବିତ୍‌ମାନେ ପ୍ରଧାନତଃ ରାଷ୍ଟ୍ରୀୟ କ୍ଷମତା ବୋଲି ବୁଝନ୍ତି, ଅଧିକରୁ ଅଧିକ କ୍ଷମତାକୁ ନିଜ ସକାଶେ ଯେକୌଣସି ପ୍ରକାରେ ଠୁଳ କରି ଆଣିବାକୁ ବୁଝନ୍ତି ଓ ସେହି କ୍ଷମତାକୁ ମାନବିକତା ଉପରେ ଲଦିଦେଇ କାର୍ଯ୍ୟହାସଲ କରିବାକୁ ହିଁ ଅସଲ ସଫଳତା ବୋଲି ବିଚାରନ୍ତି । ତେଣୁ ପୃଥିବୀର ଅଧିକାଂଶ ଦେଶରେ ମଣିଷ ମଣିଷ ହୋଇ ଗଢ଼ିହେବା ପରିବର୍ତ୍ତେ ଆଗ ଜଣେ ବାଧ୍ୟ ନାଗରିକ ଭାବରେ ତିଆରି ହୁଏ । ଆପଣାର ଆଖିକୁ ବନ୍ଦ କରି ରଖି ତାକୁ ଯୋଗାଇ ଦିଆଯାଉଥିବା ଆଖିରେ ବାସ୍ତବକୁ ଦେଖିବା ଲାଗି ତାକୁ ମନ୍ତୁରାଇ ଦିଆଯାଏ । ସେଇଥିରୁ ପ୍ରମାଦ ହୁଏ ।

 

ମାନବିକ ଅଧିକାର ଉପରେ ଆଉ ଗୋଟିଏ ପ୍ରମାଦ ଆସେ ସଂଖ୍ୟାଲଘୁ ଉପରେ ସଂଖ୍ୟାଧିକ ଗୋଷ୍ଠୀର ତଥାକଥିତ ବହୁମତ ଲାଭ କରିଥିବା ଦୌରାତ୍ମ୍ୟରୁ । ଅନେକ ସ୍ଥାନରେ ଆଉ କୌଣସି ଅଧିକ ବିକଳ୍ପ ଅଭାବରେ ବହୁମତର ଶାସନକୁ ହିଁ ଏକମାତ୍ର ମତ ଓ ଏକମାତ୍ର ଶାସନ ବୋଲି ଜାରି କରି ରଖାଯାଏ । ରାଷ୍ଟ୍ରର କ୍ଷେତ୍ରରେ ଏହି ବହୁମତର ହାତରେ ହିଁ ଲାଠି ଥାଏ, ଗୁଳି ଥାଏ; ଦେଶର ଶିକ୍ଷା ବ୍ୟବସ୍ଥାର ଚକମାନେ ସେହିମାନଙ୍କ ଚାହିଦା ଅନୁସାରେ ଚାଲୁଥାନ୍ତି । ବହୁମତ ହିଁ ଯାବତୀୟ ଜୀବନକୁ ଏକ ସ୍ୱୀକୃତ ଶୈଳୀ ଯୋଗାଇଦିଏ । ସବୁ ପ୍ରଚାର ସତ୍ତ୍ୱେ ତଥାପି ଅଳ୍ପମତ ବୋଲି ମଧ୍ୟ ଏକ ବାସ୍ତବିକତା ବିଦ୍ୟମାନ ରହିଥାଏ । କିନ୍ତୁ ସେମାନଙ୍କର ମତର କୌଣସି ସ୍ୱୀକୃତ ମୂଲ୍ୟ ନଥାଏ । ସେମାନେ କବାଟ ଦେଇ କାନ୍ଦନ୍ତି । ଉତ୍ତର ଆୟର୍ଲାଣ୍ଡ ଓ ଦକ୍ଷିଣ କୋରିଆରେ ଗଣତନ୍ତ୍ର ଶାସନ ଚାଲୁଛି ଏବଂ ସେହି ଶାସନର ଆଢ଼ୁଆଳରେ ବହୁମତର ଦୌରାତ୍ମ୍ୟ ହିଁ ଚାଲିଛି । ସେସବୁ ଦେଶରେ ଯେଉଁମାନେ କ୍ଷମତାରେ ଅଛନ୍ତି, ସେଇମାନଙ୍କର ଭାଷା, ସେଇମାନଙ୍କର ଧର୍ମ ଓ ସେହିମାନଙ୍କର ରାଜନୀତିକ ମତବାଦ ହିଁ ସେଠାରେ ଏକମାତ୍ର ଧର୍ମ, ଭାଷା ଓ ରାଜନୀତି ହୋଇ ଚଳୁଛି । ବାକୀ ଯେଉଁମାନେ ରହିଲେ, ସେମାନେ ଗୋଟିଏ ଦେଶରେ କାହିଁକି ଅଳ୍ପମତ ହୋଇ ରହିଲେ ବା ବେଳଥାଉଁ କାହିଁକି ଭେକ ନ ବଦଳାଇଲେ, ସେଥିଲାଗି ସେମାନଙ୍କୁ ଭର୍ତ୍ସନା ଦିଆଯାଏ । ସେମାନେ ଭାଗ୍ୟ ଆଦରି ରହନ୍ତି । ଜାତିସଂଘର ମାନବିକ ଅଧିକାର କମିଟି ସକାଳ ଅବଶ୍ୟ ହେବ ବୋଲି ସୂଚନା ଦେଇ ମଝିରେ ମଝିରେ କୁଆରାବ ଦେଇ ଯାଇଥାଏ ସତ, ମାତ୍ର ବହୁମତରେ ବାଟ ଚାଲୁଥିବା ଓ ବହୁମତରେ ଧର୍ଷଣ ଲଗାଇଥିବା ଆମର ଏହି ପୃଥିବୀରେ ତା’ଠାରୁ ଆଉ ଅଧିକ କିଛି ହୋଇପାରେ ନାହିଁ ।

 

ଜର୍ମାନୀର ଜଣେ ରାଜନୀତି-ସମୀକ୍ଷକ କେତେବର୍ଷ ତଳେ ମନ୍ତବ୍ୟ ଦେଇ ଥରେ କହିଥିଲେ ଯେ କୌଣସି ଦେଶରେ ପ୍ରଚଳିତ ଗଣତନ୍ତ୍ରରେ ବହୁମତ ଅଳ୍ପମତକୁ କିପରି ବ୍ୟବହାର ଦେଖାଉଛି ଓ ଦେଶର ରାଜନୀତି ଓ ସ୍ୱୀକୃତିର କ୍ଷେତ୍ରରେ ତାହାକୁ ପ୍ରକୃତରେ କ’ଣ କିପରି ସ୍ଥାନ ଦେବାକୁ ସମର୍ଥ ହୋଇଛି, ସେହି ଦୃଷ୍ଟିରୁ ହିଁ ସେହି ଗଣତନ୍ତ୍ରର ସର୍ବୋତ୍ତମ ଓ ଯଥାର୍ଥ ପରୀକ୍ଷା ହୋଇପାରିବ । ଏହି କଷଟିରେ ପୃଥିବୀର କେତୋଟି ଦେଶ ଉତ୍ତୀର୍ଣ୍ଣ ହୋଇପାରିବେ, ତାହାହିଁ ସବୁଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ ବିଷୟ । ଯେଉଁଠି ବହୁମତର ଶାସନ ବି ଚଳୁନାହିଁ, ଅର୍ଥାତ୍‌ ଜଣେ ବ୍ୟକ୍ତି ଅଥବା ଗୋଟିଏ ଦଳର ଏକାଧିନାୟକତ୍ୱ ଚାଲିଛି, ଅଥବା ଯେଉଁଠି ଅଳ୍ପମତ ହିଁ ଖଣ୍ଡାବଳରେ ବହୁମତର ଆସନକୁ ଗ୍ରହଣ କରି ଏକାପାଖିଆ ଶାସନ ଲଗାଇଛି, ମାନବିକ ଅଧିକାରର ପାଞ୍ଜି ଭିତରେ ସେହିସବୁ ଦେଶର ନାଁ ଆସିବାକୁ ଆହୁରି ଅନେକ ସମୟ ବାକି ଅଛି । ସେମାନେ ପ୍ରକାଶ୍ୟ ଭାବରେ ହିଁ ମାନବିକ ଅଧିକାରର ଭଙ୍ଗ କରୁଛନ୍ତି ।

 

ତା ୧୧.୦୯.୧୯୭୬ ରିଖ

Image

 

ତୁମେ ମାର ଯେତେ ମାଡ଼ ମାରିବ

 

ଦକ୍ଷିଣ ଆଫ୍ରିକାରେ ଯେଉଁମାନେ ସଂଖ୍ୟାଗରିଷ୍ଠ ଗୋଷ୍ଠୀ ହୋଇ ରହିଥିଲେ, ମାତ୍ର ଦେଶର ଶାସନରେ ତଥାପି ଯେଉଁମାନଙ୍କର କୌଣସି ଭାଗ ନଥିଲା, ଦକ୍ଷିଣ ଆଫ୍ରିକାର ନୂଆ ଇତିହାସ ବର୍ତ୍ତମାନ ସେହିମାନଙ୍କ ଦ୍ୱାରା ଗଢ଼ାହେବାକୁ ଯାଉଛି । ଦକ୍ଷିଣ ଆଫ୍ରିକାରେ ରାଷ୍ଟ୍ରକୁ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ବୋଲି କୁହାଯାଏ ଏବଂ ଯେଉଁମାନେ ସେହି ଦେଶକୁ ଏକଚାଟିଆ ଭାବରେ ଶାସନ କରନ୍ତି, ସେହିମାନେ ହିଁ ବଡ଼ ହାସ୍ୟାସ୍ପଦ ଭାବରେ ଆପଣାର ଦେଶକୁ ଏକ ଗଣତନ୍ତ୍ର ଦ୍ୱାରା ଶାସିତ ଦେଶ ବୋଲି କହିଥାନ୍ତି ।

ଏହି ବର୍ବର ଗଣତନ୍ତ୍ରର ଫିସାଦ ଅନୁସାରେ ମୁଷ୍ଟିମେୟ ଶ୍ୱେତକାୟ ପରିବାର ସମଗ୍ର ଦେଶକୁ ଶାସନ କରନ୍ତି । କୃଷ୍ଣକାୟମାନେ ସଭ୍ୟ ନୁହନ୍ତି, ଶ୍ୱେତକାୟ ଏବଂ କୃଷ୍ଣକାୟମାନେ ଏକତ୍ର ଗୋଟିଏ ସମାଜ ବା ଗୋଟିଏ ଦେଶରେ ସମାନ ମଣିଷରୂପେ ସ୍ୱୀକୃତ ହେଲେ ଓ ସମାନ ନାଗରିକ ରୂପେ ଜୀବନ ବଞ୍ଚିଲେ ତାହା ଏକ ଅସ୍ୱାସ୍ଥ୍ୟକର କଥା ହେବ ଏବଂ ସଭ୍ୟତାକୁ ନଷ୍ଟ କରିଦେବ–ଏହିପରି କେତେଟା ବ୍ୟାଧିତ ମତ ଉପରେ ଦକ୍ଷିଣ ଆଫ୍ରିକାର ଶ୍ୱେତକାୟ ସଂଖ୍ୟାଲଘୁ ଶାସକଗୋଷ୍ଠୀ ତିଷ୍ଠି ରହିଛନ୍ତି । ସମଗ୍ର ପୃଥିବୀ ଆମର ଏହି ଯୁଗରେ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ଗୋଟିଏ ମନୁଷ୍ୟସମାଜର ସତ୍ୟକୁ ଗ୍ରହଣ କରିବା ଦିଗରେ ଅଗ୍ରସର ହେଉଥିବାବେଳେ ଦକ୍ଷିଣ ଆଫ୍ରିକା ପୃଥିବୀରେ କାଳର ଘଡ଼ିକୁ ପଛକୁ ମୋଡ଼ିବାରେ ଲାଗିଛି । ଦକ୍ଷିଣ ଆଫ୍ରିକା ସମଗ୍ର ମାନବସମାଜ ବିରୁଦ୍ଧରେ ଯୁଦ୍ଧଘୋଷଣା କରିଛି ।

ଦକ୍ଷିଣ ଆଫ୍ରିକାର ପୋଲିସ ଏବଂ ବିଚାର ବିଭାଗର ମନ୍ତ୍ରୀ ଜେମସ୍‌ କ୍ରୁଗର୍‌ ଏବେ ଅଳ୍ପଦିନ ତଳେ ଗୋଟିଏ ବିବୃତିରେ କହିଛନ୍ତି ଯେ ଦକ୍ଷିଣ ଆଫ୍ରିକାର ସରକାର ସେହି ଦେଶରେ ବାସ କରୁଥିବା କଳାଲୋକଙ୍କ ଉତ୍‌ଥାନ ପାଇଁ ଯାହାସବୁ କରୁଛି, ଆଫ୍ରିକାର କଳା ଲୋକମାନେ ସେଥିଲାଗି ସରକାରଙ୍କ ପାଖରେ ପ୍ରକୃତରେ କୃତଜ୍ଞ ହୋଇ ରହିଛନ୍ତି । କଳାଲୋକମାନେ ଯେ କୃତଜ୍ଞ ହୋଇ ରହିଛନ୍ତି, ଗତ କେତେ ମାସ ହେଲା ତା’ର ସମସ୍ତ ଲକ୍ଷଣ ଦକ୍ଷିଣ ଆଫ୍ରିକାର ନାନାସ୍ଥାନରେ ପ୍ରକଟ ହୋଇ ଆସୁଛି । ଅଳ୍ପ କେତେମାସ ତଳେ ଏହି କୃତଜ୍ଞତା ପ୍ରଦର୍ଶନ ସୋଭେଟୋ ସହରରୁ ଆରମ୍ଭ ହୋଇଛି, ଯେଉଁଠାରେ କି ସ୍କୁଲପିଲାଙ୍କ ଶୋଭାଯାତ୍ରା ଉପରେ ସରକାରଙ୍କ ତରଫରୁ ଗୁଳି ଓ ଲାଠିମାଡ଼ ହୋଇ କେତେଜଣଙ୍କର ପ୍ରାଣହାନି ଘଟିଛି । ଅନେକ ଛାତ୍ରଙ୍କ ସମେତ ଶହ ଶହ କଳାଲୋକଙ୍କୁ ଧରି ନିଆଯାଇ ଜେଲଗୁଡ଼ାକୁ ଭର୍ତ୍ତି କରାଯିବାରେ ଲାଗିଛି ଏବଂ ଯେଉଁମାନେ ଜେଲରେ ଅଛନ୍ତି, ସେମାନଙ୍କର ମୁକ୍ତି ଦାବୀ କରି ଖାଲି ସୋଭେଟୋରେ ନୁହେଁ, ଦକ୍ଷିଣ ଆଫ୍ରିକାର ବିଭିନ୍ନ ଅଞ୍ଚଳରେ ପ୍ରତିବାଦ ଶୋଭାଯାତ୍ରାମାନ ବାହାରୁଛି । ଶୋଭାଯାତ୍ରା ଉପରେ ସରକାରୀ ପୋଲିସଙ୍କର ଗୁଳି ଚାଲୁଛି, ବହୁ ସଂଖ୍ୟାରେ ଲୋକ ହତାହତ ହେଉଛନ୍ତି । ଏହି କେତେଦିନ ହେଲା ସେହି ଦେଶରେ ଏଭଳି ଘଟଣା ପ୍ରାୟ ପ୍ରତ୍ୟେକ ଦିନ ଲାଗିରହିଛି ।

ଦେଶର ବିଭିନ୍ନ ଅଞ୍ଚଳରୁ ଶୋଭାଯାତ୍ରାମାନ ଲମ୍ୱି ଲମ୍ୱି ଏହା ଭିତରେ ରାଜଧାନୀ କେପ୍‌ଟାଉନ୍‌ ପର୍ଯ୍ୟନ୍ତ ଆସି ପହଞ୍ଚିଲାଣି । କେପ୍‌ଟାଉନରେ ମଧ୍ୟ ନିରସ୍ତ୍ର ଶୋଭାଯାତ୍ରାକାରୀ କଳାଲୋକଙ୍କ ଉପରେ ଗୁଳି ଚାଲିଲାଣି ଓ ଲୋକହତ୍ୟା ହେଲାଣି । ମନେ ହେଉଛି, ଏହିପରି ଭାବରେ ଦକ୍ଷିଣ ଆଫ୍ରିକାରେ ଯେଉଁ ନିଆଁ ଜଳୁଛି, ପୂର୍ଣ୍ଣସଫଳ ନ ହୋଇ ତାହା ଆଉ କଦାପି ନିଭିବ ନାହିଁ । ଦକ୍ଷିଣ ଆଫ୍ରିକାରେ ଏକ ପୂର୍ଣ୍ଣ ପରିବର୍ତ୍ତନ ନ ଘଟାଇ ଏ ନିଆଁ ଆଉ କଦାପି ନିଭିବ ନାହିଁ । ଦକ୍ଷିଣ ଆଫ୍ରିକାରେ କେବଳ କଳାଲୋକମାନେ ପ୍ରତିବାଦ କରି ଏବେ ଶୋଭାଯାତ୍ରାରେ ବାହାରୁ ନାହାନ୍ତି, ସେମାନଙ୍କ ସହିତ ଭାରତୀୟମାନେ ବି ବାହାରିଲେଣି । ରାଜଧାନୀ କେପ୍‌ଟାଉନ୍‌ରେ ଏବେ ଯେଉଁ ଶୋଭାଯାତ୍ରା ଦକ୍ଷିଣ ଆଫ୍ରିକାର ବର୍ଣ୍ଣବିଦ୍ୱେଷ ନୀତି ବିରୁଦ୍ଧରେ ପ୍ରତିବାଦ କରି ବାହାରିଥିଲା ଏବଂ ଯେଉଁ ଶୋଭାଯାତ୍ରା ଉପରେ ସରକାରଙ୍କ ତରଫରୁ ଗୁଳିମାଡ଼ ହେଲା, ତାହା ସବୁ ଜାତିର ଲୋକଙ୍କର ଏକ ମିଶ୍ର ଶୋଭାଯାତ୍ରା ଥିଲା ବୋଲି ସମ୍ୱାଦରୁ ଜଣାଯାଇଛି ।

ପ୍ରିଟୋରିଆରେ ଭାରତୀୟମାନେ ଏକ ନୂତନ ରାଜନୀତିକ ଦଳ ଗଢ଼ିଛନ୍ତି । ବର୍ଣ୍ଣବିଦ୍ୱେଷ ନୀତି ବିରୁଦ୍ଧରେ ଲଢ଼ିବାକୁ ହିଁ ଏହି ଦଳ ଆପଣାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଘୋଷଣା କରିଛନ୍ତି । ଭାରତୀୟମାନଙ୍କର ଏକାଧିକ ସଂଗଠନ ଦକ୍ଷିଣ ଆଫ୍ରିକାରେ ସବୁଦିନେ ରହିଥିଲା ସତ, ମାତ୍ର ସେମାନେ ସରକାରଙ୍କ ପାଖରୁ କେବଳ ଭାରତୀୟମାନଙ୍କର ଦାବୀ ପୂରଣକୁ ହିଁ ନିଜର ମୁଖ୍ୟ ଲକ୍ଷ୍ୟ ବୋଲି ମାନିଥିଲେ । ଅନ୍ୟ ଭାଷାରେ କହିଲେ, କଳାଲୋକଙ୍କ ଭାଗ୍ୟ ସହିତ ଆପଣାର ଭାଗ୍ୟକୁ ସେମାନେ ଏପର୍ଯ୍ୟନ୍ତ ସମ୍ମିଳିତ କରିପାରିନଥିଲେ । ବର୍ତ୍ତମାନ ସେଇ ଦୁର୍ଭାଗ୍ୟଜନକ ପର୍ଯ୍ୟାୟଟି ପାର ହୋଇ ଯାଇଥିବା ପରି ମନେହେଉଛି ।

ଏଥର ସଂଗ୍ରାମୀମାନଙ୍କର ଶିବିର ଗୋଟିଏ ଶିବିରରେ ପରିଣତ ହେବ, ବର୍ଣ୍ଣଦ୍ୱେଷ ଦ୍ୱାରା ପୀଡ଼ିତ ବିଭିନ୍ନ ଜାତି ଗୋଟିଏ ସଂଗ୍ରାମର ପତାକା ତଳେ ଏକତ୍ରିତ ହେବେ ଏବଂ ବିଜୟ ଅଧିକ ତ୍ୱରାନ୍ୱିତ ହେବ, ଅଧିକ ସୁନିଶ୍ଚିତ ହୋଇ ଆସିବ । ସେ ପର୍ଯ୍ୟନ୍ତ ଆହୁରି ଅନେକ ମାଡ଼ ହେବ, ଆହୁରି ଅନେକ ଗୁଳି ଚାଲିବ, ସଭ୍ୟତାରକ୍ଷକ ବର୍ବରମାନେ ଆହୁରି ବର୍ବର ହେବେ, ଆହୁରି ନିର୍ବୋଧ ହେବେ । ତଥାପି ଇତିହାସରେ ସବୁଠାରେ ଯାହା ହୋଇଛି, ତାହା ହିଁ ହେବ । ମଣିଷ ମଣିଷର ନିକଟବର୍ତ୍ତୀ ହେବ । ମଣିଷ ମଣିଷ ସହିତ ଏହି ପୃଥିବୀରେ ଏକାଠି ଘର କରି ରହିବ । ନିଶାଖୋରମାନଙ୍କର ନିଶା ଭାଙ୍ଗିଯିବ, ଚକ୍ରାନ୍ତ ପଣ୍ଡ ହୋଇଯିବ ।

ତା ୧୨.୦୯.୧୯୭୬ ରିଖ

Image

 

ଲେବାନନ୍‌ରେ ସିରିଆ କାହିଁକି ପଶିଲା ?

 

ଲେବାନନ୍‌ରେ ବେଶ୍‌ କେତେବର୍ଷ ହେଲା ଯେଉଁ ବିବାଦ ଲାଗିଥିଲା, ତାହା ପ୍ରଧାନତଃ ଏକ ଗୃହବିବାଦ ହୋଇ ରହିଥିଲା । ସେଠାରେ ରହିଥିବା ଖ୍ରୀଷ୍ଟିଆନ୍‌ ଗୋଷ୍ଠୀ ସେହି ଦେଶର ଆରବଗୋଷ୍ଠୀ ସହିତ ଗୃହବିବାଦରେ ଲିପ୍ତ ହୋଇ ରହିଥିଲେ । ପାଲେଷ୍ଟାଇନ୍‌ ଗରିଲାମାନେ ସ୍ୱଭାବତଃ ଆରବ ବାସିନ୍ଦାମାନଙ୍କର ସହାନୁଭୂତି ଲାଭ କରୁଥିଲେ । ପାଲେଷ୍ଟାଇନ୍‌ ମୁକ୍ତି ସଙ୍ଗଠନ ଲେବାନନ୍‌ର ବିଭିନ୍ନ ଛାଉଣିକୁ ଭିତ୍ତିକରି ଇସ୍ରାଏଲ୍‌ ସହିତ ଯେଉଁ ଭଙ୍ଗାରୁଜା ଗରିଲାଯୁଦ୍ଧ ଚଳାଇଥିଲା, ଲେବାନନ୍‌ ଦେଶରେ ତାହାକୁ ସକ୍ରିୟ ସମର୍ଥନ କରୁଥିବା ଆରବମାନେ ଆପଣାକୁ ବାମପନ୍ଥୀ ବୋଲି କହୁଥିଲେ । ଏବଂ ଅନ୍ୟ ପକ୍ଷରେ ଲେବାନନ୍‌ର ଯେଉଁ ଖ୍ରୀଷ୍ଟିଆନ୍‌ମାନେ ଏହି ବାମପନ୍ଥୀଙ୍କ ବିରୁଦ୍ଧରେ ସଂଘବଦ୍ଧ ହେଲେ, ବିଶପ୍‌ ଓ ପାଦ୍ରୀମାନଙ୍କର ଆଶୀର୍ବାଦ ନେଇ ଅସ୍ତ୍ର ଧରିଲେ, ନିଜକୁ ସେମାନେ ଫାଲାଞ୍ଜିଷ୍ଟ ବୋଲି କହୁଥିଲେ ।

 

ପ୍ରାୟ ଆରମ୍ଭରୁ ହିଁ ସିରିଆର ସରକାର ଅର୍ଥାତ୍‌ ସରିଆର ରାଷ୍ଟ୍ରପତି ଆସାଦ୍‌ ପାଲେଷ୍ଟାଇନ୍‌ ମୁକ୍ତି ସାମ୍ମୁଖ୍ୟର ଗରିଲା ଏବଂ ଲେବାନନ୍‌ର ବାମପନ୍ଥୀମାନଙ୍କୁ ସମର୍ଥନ କରି ଆସିଥିଲେ । ଏବଂ ମଧ୍ୟପ୍ରାଚ୍ୟର ରାଜନୀତି ଓ ସମର-ଶିବିରଗୁଡ଼ିକର ଅନୁଧ୍ୟାନ କରୁଥିବା ସମସ୍ତେ ତାହାକୁ ହିଁ ସ୍ୱାଭାବିକ ବୋଲି ବିଚାର କରୁଥିଲେ । ଏକ ସଙ୍ଗତିର ସହିତ ସେତେବେଳେ ମଧ୍ୟପ୍ରାଚ୍ୟରେ ବିଭିନ୍ନ ଶକ୍ତିର ଗତିପଥ ଓ ପ୍ରବୃତ୍ତିଗୁଡ଼ିକୁ ବେଶ୍‌ ବୁଝି ହେଉଥିଲା । ଏପରି ସମୟରେ ହଠାତ୍‌ ଦିନେ ଫ୍ରାନ୍‌ସ୍‌ ସରକାର ଗୋଟିଏ ବିବୃତ୍ତି ଦେଇ ବସିଲେ ଯେ ଦରକାର ହେଲେ ଲେବାନନ୍‌ରେ ଶାନ୍ତିରକ୍ଷା ଓ ସମର ଦମନ ଲାଗି ଫ୍ରାନ୍‌ସ୍‌ରୁ ସୈନ୍ୟବାହିନୀ ଲେବାନନ୍‌ ଯିବାକୁ ପ୍ରସ୍ତୁତ ଅଛନ୍ତି । ପ୍ରାୟ ସେହି ବିବୃତ୍ତିରୁ ହିଁ ଆନ୍ତର୍ଜାତିକ ପରିପ୍ରେକ୍ଷୀ ଉପରେ ଲେବାନନ୍‌ର ରାଜନୀତି ହଠାତ୍‌ ଅନ୍ୟ ଏକ ମୋଡ଼ ନେଲାପରି ମନେହେଲା । ହଠାତ୍‌ ରଙ୍ଗଗୁଡ଼ାକ ସତେଅବା ବଦଳି ଗଲାପରି ଲାଗିଲା । ଏବଂ ସବୁଠାରୁ କୌତୁହଳର ବିଷୟ ହେଉଛି ଯେ ଲେବାନନ୍‌କୁ ସୈନ୍ୟ ପଠାଇବା ଲାଗି ଫ୍ରାନ୍‌ସ୍‌ର ପ୍ରସ୍ତାବରେ ଯୁକ୍ତରାଜ୍ୟ ଆମେରିକାର ସରକାର ଆପଣାର ସମର୍ଥନ ମଧ୍ୟ ଜଣାଇଲେ । ଗୃହବିବାଦରେ ଆନ୍ତର୍ଜାତିକ ଷଡ଼ଯନ୍ତ୍ରର ଡେଣା ଲାଗିଗଲା ।

 

ଠିକ୍‌ ସେହି ସମୟରେ ପୁରୁଣା ରାଷ୍ଟ୍ରପତିଙ୍କୁ ଗାଦିଚ୍ୟୁତ କରି ତାଙ୍କ ଜାଗାରେ ଆଉ ଜଣଙ୍କୁ ନୂଆ ରାଷ୍ଟ୍ରପତି କରି ବସାଇବା ଲାଗି ଲେବାନନ୍‌ରେ ଏକ ନୂତନ ତାମସା ଆରମ୍ଭ ହୋଇଗଲା । ରାଷ୍ଟ୍ରପତି ଫ୍ରାନ୍‌ଜିଏଙ୍କ ସ୍ଥାନରେ ଶ୍ରୀଯୁକ୍ତ ସାର୍କିସ୍‌ଙ୍କୁ ନୂଆ ରାଷ୍ଟ୍ରପତି କରି ବସାଇବାର ଚକ୍ରାନ୍ତ ପଶିଗଲା । ଫ୍ରାନ୍‌ଜିଏ ଯିବାକୁ ଇଚ୍ଛା କଲେନାହିଁ । ଏବଂ ସବୁଠାରୁ ମଜାକଥା ହେଉଛି ଯେ ସେ ଏପର୍ଯ୍ୟନ୍ତ ମଧ୍ୟ ଆସନ ଛାଡ଼ିନାହାନ୍ତି; ଏବଂ ଯେତେଦୂର ମନେ ହେଉଛି ଲେବାନନ୍‌ର ରାଜନୀତି ଦୁଇ ଭାଗରେ ବିଭକ୍ତ ହୋଇ ଭାଗେ ଫ୍ରାନ୍‌ଜିଏଙ୍କର ରାଷ୍ଟ୍ରପତି ପଦରେ ରହିବାକୁ ସମର୍ଥନ କରୁଛି ଓ ଆଉ ଭାଗେ ତାଙ୍କୁ ବାହାର କରି ସାର୍କିସ୍‌ଙ୍କୁ ବସାଇବାକୁ ଇଚ୍ଛା କରୁଛି-। ସାର୍କିସ୍‌ଙ୍କର ରାଷ୍ଟ୍ରପତି ପଦରେ ରହିବାକୁ ସିରିଆ ପକ୍ଷ ସମର୍ଥନ କରୁଛି । ଏବଂ ସିରିଆ ଲେବାନନ୍‌ର ବିବାଦର ପରିଣାମକୁ ଆପଣା ଆଡ଼କୁ ଆଉଜାଇ ନେବାର ପ୍ରୟାସକୁ ଲେବାନନ୍‌ରେ ଯେଉଁମାନେ ସମର୍ଥନ କରୁଛନ୍ତି, ସେମାନେ ଫ୍ରାନ୍‌ଜିଏଙ୍କୁ ନ ଚାହିଁ ଶ୍ରୀଯୁକ୍ତ ସାର୍କିସ୍‌ଙ୍କୁ ଚାହୁଁଛନ୍ତି ।

 

ସିରିଆ ଲେବାନନ୍‌କୁ ସୈନ୍ୟବାହିନୀ ପଠାଇ ସେଠାରେ ହସ୍ତକ୍ଷେପ କରିବା ପଛରେ ପ୍ରକୃତରେ କେଉଁ କାରଣ ରହିଛି ? ପର୍ଯ୍ୟବେକ୍ଷକ ଓ ସମୀକ୍ଷକମାନେ କିଏ କେତେପ୍ରକାରେ ଅନୁମାନ କରୁଛନ୍ତି । ସିରିଆର ସରକାର ଏବଂ ଶ୍ରୀଯୁକ୍ତ ଆସାଦ୍‌ଙ୍କ ତରଫରୁ ମଧ୍ୟ ଏ ସମ୍ପର୍କରେ ଏକ କୈଫିୟତ ଦିଆଯାଇଛି । ସିରିଆ ସରକାର କହିଛନ୍ତି, ଲେବାନନ୍‌ରେ ଗୃହଯୁଦ୍ଧର ଗତି କ୍ରମଶଃ ଏପରି ଅବସ୍ଥା ଧାରଣ କରୁଥିଲା ଯେ ତାହାର ପରିଣାମ ସ୍ୱରୂପ ସେହି ଦେଶକୁ ଦୁଇ ଭାଗରେ ବିଭକ୍ତ ହିଁ ହେବାକୁ ପଡ଼ିଥାନ୍ତା । ଧର୍ମ ଅନୁସାରେ ଦେଶର ବିଭାଜନ ହୋଇଥାନ୍ତା । ଗୋଟିଏ ଭାଗରେ ଖ୍ରୀଷ୍ଟିୟାନ୍‌ମାନେ ରହିଥାନ୍ତେ ଓ ଆଉ ଗୋଟାଏ ପାଖରେ ଆରବମାନେ ରହିଥାନ୍ତେ । ଧର୍ମକୁ ଭିତ୍ତି କରି ଲେବାନନ୍‌ର ବିଭାଜନ ହୋଇଥିଲେ ତାହାର ପ୍ରତିକ୍ରିୟା କୁଆଡ଼େ ସିରିଆ ଉପରେ ବି ପଡ଼ିଥାନ୍ତା, ସିରିଆଲାଗି ପ୍ରମାଦ ସୃଷ୍ଟି କରିଥାନ୍ତା ଏବଂ ନୂତନ ନାନା କଳହର ମଞ୍ଜିକୁ ଆଣି ବୁଣି ଦେଇଥାନ୍ତା । ସିରିଆକୁ ଏହି ଦୁର୍ଗତିରୁ ରକ୍ଷା କରିବା ଉଦ୍ଦେଶ୍ୟରେ ସିରିଆ ସରକାର କୁଆଡ଼େ ବାଧ୍ୟ ହୋଇ ଲେବାନନ୍‌କୁ ସୈନ୍ୟବାହିନୀ ପଠାଇଲେ ଏବଂ ସେଠି ଗୃହଯୁଦ୍ଧରେ ହସ୍ତକ୍ଷେପ କଲେ ।

 

କିନ୍ତୁ ହସ୍ତକ୍ଷେପକାରୀ ସୈନ୍ୟବାହିନୀ ଫାଲାଂଜିଷ୍ଟମାନଙ୍କୁ ସମର୍ଥନ କଲେ, ବାମପନ୍ଥୀମାନଙ୍କ ସହିତ ଯୁଦ୍ଧ କଲେ, ଅର୍ଥାତ୍‌ ପାଲେଷ୍ଟାଇନ୍‌ ମୁକ୍ତି ସାମ୍ମୁଖ୍ୟ ବିରୁଦ୍ଧରେ ଯୁଦ୍ଧ କଲେ-। ମଧ୍ୟପ୍ରାଚ୍ୟର ନାନା ବିବାଦର ଇତିହାସରେ ଯାହା ହୋଇନଥିଲା, ତାହା ଘଟିଲା । ସିରିଆ ନୂଆ ମୁଖା ପିନ୍ଧି ମଧ୍ୟପ୍ରାଚ୍ୟର ରାଜନୀତିରେ ପ୍ରାୟ ଏକ ବିଡ଼ମ୍ୱନା ସୃଷ୍ଟି କରିଦେଲା । କିନ୍ତୁ ତଦ୍ଦ୍ୱାରା ଲେବାନନ୍‌ର ଗୃହବିବାଦ ଶାନ୍ତ ହୋଇପାରିଲା କି ? ଏକଥା ଅବଶ୍ୟ ସତ ଯେ ସେଠାରେ ଶକ୍ତିର ଭାରସାମ୍ୟଟି ଏକପାଖିଆ ହୋଇ ଢଳିଗଲା । ଫାଲାଂଜିଷ୍ଟମାନେ ଅଧିକ ଦୌରାତ୍ମ୍ୟର ସହିତ ଆରବମାନଙ୍କୁ ହତ୍ୟା କରିପାରିଲେ । ପାଲେଷ୍ଟାଇନ୍ ଗରିଲାମାନଙ୍କୁ ଅଧିକ ବିପର୍ଯ୍ୟୟ ସହିବାକୁ ପଡ଼ିଲା । ଇସ୍ରାଏଲ୍‌ ଏପର୍ଯ୍ୟନ୍ତ ସେମାନଙ୍କର ଅସଲ ଶରବ୍ୟ ହୋଇ ରହିଥିଲା । ସେହି ଶରବ୍ୟଟିକୁ ଆପାତତଃ ଭୁଲିଯାଇ ସେମାନେ ବର୍ତ୍ତମାନ ଲେବାନନ୍‌ରେ ଫାଲାଂଜିଷ୍ଟ ଏବଂ ସିରିଆର ସୈନ୍ୟବାହିନୀ ସହିତ ଲଢ଼ିବାକୁ ବାଧ୍ୟ ହେଲେ । ମଧ୍ୟପ୍ରାଚ୍ୟରେ ସଂଘର୍ଷର କେନ୍ଦ୍ରଗୁଡ଼ାକ ହିଁ ବଦଳିଗଲା, କିନ୍ତୁ ତଥାପି ଗୃହଯୁଦ୍ଧ ବନ୍ଦ ହୋଇପାରିଲା କି ? ସିରିଆକୁ ଆଜି ନହେଲେ ମଧ୍ୟ ଦିନେ ନା ଦିନେ ଏକଥା ଭାବିବାକୁ ପଡ଼ିବ । ବହିଃଶକ୍ତିମାନଙ୍କର ଯନ୍ତ୍ର ପରି ହୋଇ ଆପଣାର ଆଚରଣରେ ଏତେ ବିରୋଧିତା ଦେଖାଇଥିବା ଦ୍ୱାରା ସିରିଆର ପ୍ରକୃତରେ କେତେ ଲାଭ ହେଲା କେତେ କ୍ଷତି ହେଲା ସିରିଆ ନିଜେ ଦିନେ ତାହା ବିଚାର କରିବ ।

 

ତା ୧୩.୦୯.୧୯୭୬ ରିଖ

Image

 

ଆନ୍ତର୍ଜାତିକ ଆଇନ

 

ଭାରତୀୟ ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଏବେ ଗୋଟିଏ ବିବୃତି ଦେଇ କହିଛନ୍ତି ଯେ ଆନ୍ତର୍ଜାତିକ ଆଇନ ଏବେ ଆଉ କେବଳ ଇଉରୋପୀୟ ଆଇନ ହୋଇ ରହିପାରିବ ନାହିଁ । ଇଉରୋପର କୌଣସି ସ୍ଥାନରେ ଅନୁଷ୍ଠିତ ହୋଇଥିବା ଏକ ଆନ୍ତର୍ଜାତିକ ଆଇନ ସମ୍ମିଳନୀରେ ଯୋଗ ଦେଲାବେଳେ ସେ ଏହି ବିବୃତିଟି ଦେଇଛନ୍ତି । ବିବୃତିଟି ପ୍ରକୃତରେ ସ୍ୱାଗତଯୋଗ୍ୟ ।

 

ଏକଦା ପୃଥିବୀ କହିଲେ ଅନ୍ତତଃ ଇଉରୋପରେ ସେହି ଇଉରୋପକୁ ହିଁ ବୁଝାଉଥିଲା । ଏହି ଇଉରୋପରୁ ସନ୍ଧାନୀମାନେ ବାହାରି କୁଆଡ଼େ ସର୍ବପ୍ରଥମେ ପୃଥିବୀଟାକୁ ଆବିଷ୍କାର କରିଥିଲେ । ଆବିଷ୍କାର କରିଥିଲେ, ଅର୍ଥାତ୍‌ ସେହିସବୁ ଭୂଖଣ୍ଡ ଆଗରୁ ଥିଲା, ସେମାନେ ପ୍ରଥମଥର ପାଇଁ ସେହିସବୁ ଭୂଖଣ୍ଡରେ ଯାଇ ପହଞ୍ଚିଥିଲେ । ଆଗରୁ ଆମେରିକା ଥିଲା, ଭାରତବର୍ଷ ଥିଲା, ଅଷ୍ଟ୍ରେଲିଆ ବି ଥିଲା । ତଥାପି ଇଉରୋପର ଇତିହାସ ଓ ଭୂଗୋଳ ବହିଗୁଡ଼ାକରେ ଏସବୁ ଆବିଷ୍କାର କଥା ଯେପରି ଭାବରେ ଲେଖାହେଲା ସେଥିରେ ମନେହେଲା ଯେପରି ଇଉରୋପୀୟମାନେ ହିଁ ଏହିସବୁ ଦେଶରେ ପହଞ୍ଚିବା ପରେ ଯାଇ ଏହିସବୁ ଦେଶର ଜନ୍ମପାଞ୍ଜି ଲେଖାହେଲା । ଏହିସବୁ ଦେଶରେ ଯେ ମଣିଷ ଥିଲେ, ସଭ୍ୟତା ଥିଲା, ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ବି ଥିଲା, ତାହା ସ୍ୱୀକାର କରିବାକୁ ଇଉରୋପର ପଣ୍ଡିତମାନଙ୍କୁ ମଧ୍ୟ ବେଶ୍‌ କେତେ ଦଶକ ଲାଗିଲା, ଶାସକମାନଙ୍କୁ ତ ଆହୁରି ଅଧିକକାଳ ଲାଗିଲା ।

 

ଇଉରୋପୀୟମାନେ ଇଉରୋପ ବାହାରକୁ ଆସି ଅନ୍ୟ ମହାଦେଶୀୟ ଅଞ୍ଚଳଗୁଡ଼ିକୁ ଜୟ କରିବା ପରେ ଯାଇ ଆଇନର ଇତିହାସରେ ଆନ୍ତର୍ଜାତିକ ଆଇନ ବୋଲି କଥାଟିଏ ଶୁଣିବାକୁ ମିଳିଲା । ଆଗରୁ ସେଠି ପ୍ରତ୍ୟେକ ଦେଶରେ ଆଇନ ଥିଲା । ପ୍ରାୟ ପ୍ରତ୍ୟେକ ଦେଶରେ ରାଜା ବି ଥିଲେ । ସେହି ଦେଶଗୁଡ଼ିକରୁ ବଣିକମାନେ ରାଜା ଓ ସମ୍ରାଟମାନଙ୍କର ଆଶୀର୍ବାଦ ନେଇ ବୃହତ୍ତର ପୃଥିବୀକୁ ବଣିଜ କରି ବାହାରିଲେ । ସାମାଜ୍ୟ-ସ୍ଥାପନାର ଗୋଳ ଆରମ୍ଭ ହୋଇଗଲା । ଯେଉଁମାନେ ବଣିଜ କରି ବାହାରିଥିଲେ, ବଣିଜ ଏବଂ ବିପଣିଗୁଡ଼ାକର କ୍ଷେତ୍ରକୁ ନେଇ ସେହିମାନଙ୍କ ଭିତରେ ହିଁ ବିବାଦ ହେଲା, ଛଡ଼ାଛଡ଼ି ଆରମ୍ଭ ହୋଇଗଲା, ନ୍ୟାୟମୀମାଂସା ଲାଗି ବଳପ୍ରୟୋଗ ହେଲା । ଆଟଲାଣ୍ଟିକ ମହାସାଗରରେ ଇଂଲଣ୍ଡ ଓ ସ୍ପେନ୍‌ ମଧ୍ୟରେ ଯୁଦ୍ଧ ହେଲା, ଭାରତବର୍ଷରେ ଇଂଲଣ୍ଡ ଓ ଫ୍ରାନସ୍‌ ମଧ୍ୟରେ ଯୁଦ୍ଧ ହେଲା, ଆଫ୍ରିକା ଏବଂ ଚୀନରେ ଲଢ଼େଇନାଟ ଲାଗିଥିବା ପରି ପ୍ରାୟ ଇଉରୋପଯାକର ସବୁ ଦେଶ ଆସି ଏକଜୁଟ ହୋଇଯାଇଥିଲେ ଏବଂ ପରସ୍ପରକୁ ନ୍ୟୁନତମ ସଂଯମ ଓ ନିୟମ ମଧ୍ୟରେ ରଖିବାକୁ ସେମାନେ ଆପୋଷ ରାଜିନାମାରେ କାଳକ୍ରମେ ଯେଉଁସବୁ ଆଇନ କଲେ, ତାହାକୁ ହିଁ ଆନ୍ତର୍ଜାତିକ ଆଇନ ବୋଲି କୁହାଗଲା । ପୃଥିବୀର ଯେଉଁ ଅଂଶଗୁଡ଼ାକ ଓ ଯେଉଁ କୋଟି କୋଟି ମଣିଷ ସେତେବେଳେ ଉପନିବେଶ ହୋଇ ରହିଥିଲେ, ଆନ୍ତର୍ଜାତିକ ଆଇନର ବୃତ୍ତ ଭିତରେ ସେମାନଙ୍କର ପ୍ରବେଶ କରିବାର କୌଣସି ପ୍ରଶ୍ନ ହିଁ ନ ଥିଲା । ସାମ୍ରାଜ୍ୟଗୁଡ଼ାକର ଅନ୍ତର୍ବିବାଦ ମେଣ୍ଟାଇବାକୁ ଯେଉଁ ଆଇନମାନ ହୋଇଥିଲା, ସେହିଗୁଡ଼ାକୁ ଆନ୍ତର୍ଜାତିକ ଆଇନ ବୋଲି କୁହାଯାଉଥିଲା । ଏହି ଆଇନକୁ କାର୍ଯ୍ୟକାରୀ କରିବା ଲାଗି ବା ବଳବତ୍ତର କରି ରଖିବା ଲାଗି ଯଥେଷ୍ଟ କ୍ଷମତାପ୍ରାପ୍ତ ପ୍ରାୟ କୌଣସି ସଂସ୍ଥା ନ ଥିଲା । ସେଥିଲାଗି ଆର୍ନ୍ତଜାତିକ ଆଇନଗୁଡ଼ାକ ରହିଥିବା ସତ୍ତ୍ୱେ ମଝିରେ ମଝିରେ ଇଉରୋପୀୟ ଦେଶଗୁଡ଼ିକୁ ପରସ୍ପର ମଧ୍ୟରେ ଯୁଦ୍ଧ କରିବାକୁ ପଡ଼ୁଥିଲା । ଇତିହାସରେ ଅନ୍ତତଃ ଦୁଇଥର ଏଗୁଡ଼ାକୁ ମହାଯୁଦ୍ଧର ଆଖ୍ୟା ଦିଆଯାଇଛି ।

 

୧୯୪୫ ମସିହାରେ ସଂଯୁକ୍ତ ଜାତିସଂଘର ପ୍ରତିଷ୍ଠା ହେଲା । ସାମ୍ରାଜ୍ୟଗୁଡ଼ାକ ଭାଙ୍ଗିଯିବା ପରେ ଏସିଆ ଓ ଆଫ୍ରିକାର ଅନେକ ଦେଶ ଆସି ସେହି ସଂଘରେ ସମ୍ମିଳିତ ହେଲେ । ସମସ୍ୟା ଏବଂ ଆକାଙ୍‌କ୍ଷାର ଭାରକେନ୍ଦ୍ରଗୁଡ଼ାକ ଅତି ସତ୍ତ୍ୱର ଭାବରେ ବଦଳିଗଲେ । ଆନ୍ତର୍ଜାତିକ ଯାହାକିଛି କହିଲେ ଏଣିକି ସମଗ୍ର ପୃଥିବୀକୁ ବୁଝାଇଲା । ସମଗ୍ର ପୃଥିବୀରେ ବାସ କରୁଥିବା କୋଟି କୋଟି ମଣିଷଙ୍କର ଜୀବନବ୍ୟାପାରକୁ ବୁଝାଇଲା । ସମଗ୍ର ପୃଥିବୀର ମାନଚିତ୍ର ଭିତରେ ଇଉରୋପ ସତେ ଅବା ଏଡ଼େ ଟିକିଏ ହୋଇ ଦିଶିଲା । ଇଉରୋପର ସ୍ଥାନୀୟ ସ୍ୱାର୍ଥଗୁଡ଼ାକ ବି ପୂର୍ବ ଓ ପଶ୍ଚିମ ଦୁଇ ଭାଗରେ ବିଭକ୍ତ ହୋଇ ଇଉରୋପକୁ ଆହୁରି ଅଧିକ ସାନ କରି ପକାଇଲା । ଏହି ପରିପ୍ରେକ୍ଷୀରେ ରାଜନୀତି ବଦଳିଲା, ସହଯୋଗର ସଂଜ୍ଞା ବଦଳିଲା, ଦେଶ ଦେଶ ମଧ୍ୟରେ ସ୍ଥାପିତ ହେଉଥିବା ସମ୍ୱନ୍ଧଗୁଡ଼ାକର ସଂଜ୍ଞା ମଧ୍ୟ କ୍ରମେ ବଦଳିଯିବାକୁ ଲାଗିଲା ।

 

ଏଣୁ ଆନ୍ତର୍ଜାତିକ ଆଇନ କହିଲେ ଏବେ କେବଳ ଇଉରୋପର ଆଇନଗୁଡ଼ାକୁ ବୁଝାଇବ କାହିଁକି ? ପ୍ରଧାନ ବିଚାରପତି ଶ୍ରୀଯୁକ୍ତ ରାୟ ବର୍ତ୍ତମାନ ସେହି ସନ୍ଦର୍ଭରେ ହିଁ ଏହି ପ୍ରଶ୍ନଟିର ଉତ୍‌ଥାପନ କରିଛନ୍ତି । ଯେପର୍ଯ୍ୟନ୍ତ ସାରା ପୃଥିବୀ ଇଉରୋପୀୟ ଆଇନଗୁଡ଼ାକୁ ଆନ୍ତର୍ଜାତିକ ଆଇନବୋଲି ମାନିନେବାକୁ ବାଧ୍ୟ ହେଉଥିଲା, ସେତେବେଳେ ତାହା ଅନ୍ୟକଥା ଥିଲା-। ଇଉରୋପୀୟ ବାଣିଜ୍ୟକୁ ହିଁ ସେତେବେଳେ ଆନ୍ତର୍ଜାତିକ ବାଣିଜ୍ୟ ବୋଲି କୁହାଯାଉଥିଲା-। ୟୁରୋପର ସ୍ୱାର୍ଥଚୁକ୍ତିଗୁଡ଼ାକୁ ଆନ୍ତର୍ଜାତିକ ବୋଲି କୁହାଯାଉଥିଲା । ଇଂଲଣ୍ଡର ମହାମାନ୍ୟ ଚର୍ଚ୍ଚିଲ୍‌ ମଧ୍ୟ ଠିକ୍‌ ସେହି ବ୍ୟାକରଣ ଅନୁସାରେ ଆଟଲାଣ୍ଟିକ୍‌ ସନନ୍ଦକୁ ମଧ୍ୟ ଭବିଷ୍ୟତ ପୃଥିବୀ ଲାଗି ଉଦ୍ଦିଷ୍ଟ ଏକ ଆନ୍ତର୍ଜାତିକ ସନନ୍ଦ ବୋଲି କହିଥିଲେ । ବର୍ତ୍ତମାନ କାଳ ଦ୍ୱାରା ବାଧ୍ୟ ହୋଇ ସେଗୁଡ଼ାକ ପୁରୁଣା କଥା ହୋଇ ସାରିଲାଣି । ପୃଥିବୀରେ ସାନ ବଡ଼ ସବୁ ଦେଶ ଓ ସବୁ ଜାତିକୁ ସ୍ୱତନ୍ତ୍ର ଓ ସ୍ୱଚ୍ଛନ୍ଦ ହୋଇ ଅଥଚ ପରସ୍ପରର ସହଯୋଗୀ ଭାବରେ ବଞ୍ଚିବାର ଏକ ଅବସର ସୃଷ୍ଟି କରିବା ଲାଗି ମିଳିତ ଜାତିସଂଘର ଗଠନ ହୋଇଛି । ଠିକ୍‌ ସେହିପରି ସମସ୍ତ ପୃଥିବୀର ସବୁ ଦେଶ ଓ ସବୁ ଜାତିକୁ ସ୍ୱତନ୍ତ୍ର ଓ ଭୟମୁକ୍ତ ହୋଇ ଅଥଚ ପରସ୍ପରର ସହଯୋଗୀ ଭାବରେ ବଞ୍ଚିବାର ଓ ଉତ୍ତରୋତ୍ତର ଅଗ୍ରସର ହେବାର ଏକ ସାମ୍ମୁଖ୍ୟ ଯୋଗାଇ ଦେବାକୁ ହିଁ ଆନ୍ତର୍ଜାତିକ ଆଇନ୍‌ର ପ୍ରଣୟନ କରାଯିବା ଉଚିତ ।

 

ତା ୧୮.୦୯.୧୯୭୬ ରିଖ

Image

 

ଅନେକ ଆଶାର ଦ୍ୱୀପ

 

ଦକ୍ଷିଣ ଆଫ୍ରିକାରେ ବୋତ୍‌ସ୍ୱାନା ହେଉଛି ଏକ ସ୍ୱାଧୀନ ରାଜ୍ୟ । ୧୯୬୬ ମସିହାରୁ ବୋତ୍‌ସ୍ୱାନା ଏକ ସ୍ୱାଧୀନ ରାଜ୍ୟରୂପେ ପ୍ରତିଷ୍ଠିତ ହୋଇଛି । ଏହି ରାଜ୍ୟର ଚତୁଃସୀମାରେ ଦକ୍ଷିଣ ଆଫ୍ରିକାର ଶ୍ୱେତକାୟ ପରାକ୍ରାନ୍ତ ତଥାକଥିତ ଗଣରାଜ୍ୟ, ଜିମ୍ୱାଓ୍ୱେ ବା ଶ୍ରୀଯୁକ୍ତ ଇଆନ୍‌ ସ୍ମିଥ୍‌ଙ୍କର ରୋଡ଼େସିଆ ଏବଂ ନାମିବିୟା ଅବସ୍ଥିତ । ନାମିବିୟା ବା ପୂର୍ବର ଦକ୍ଷିଣ ପଶ୍ଚିମ ଆଫ୍ରିକା ଏକଦା ଦକ୍ଷିଣଆଫ୍ରିକାର ମାରଫତରେ ରହିଥିଲା । ମାରଫତଦାରୀର ଏକ ମିଆଦ ବି ଥିଲା ଓ ସେହି ମିଆଦ ଆନ୍ତର୍ଜାତିକ ସ୍ତରରେ ନିର୍ଦ୍ଧାରିତ ହୋଇଥିଲା । ମିଆଦ କେଉଁଦିନୁ ପୂରିଗଲାଣି, କିନ୍ତୁ ଦକ୍ଷିଣଆଫ୍ରିକା ତାକୁ ଆପଣା ମାରଫତରୁ ଛାଡ଼ିବାକୁ ରାଜି ହେଉନାହିଁ । ତେଣେ ମିଳିତ ଜାତିସଂଘରେ କେତେ ବଚସା ଓ ଗର୍ଜନତର୍ଜନ ହେଉଛି, କିନ୍ତୁ ସ୍ଥିତାବସ୍ଥା ସତେଅବା ଦୃଢ଼ ହୋଇ ରହିଛି ।

 

ଚାରିପାଖରେ ଘୃଣା, ସ୍ୱାର୍ଥାନ୍ଧତା ଏବଂ ବର୍ଣ୍ଣବିଦ୍ୱେଷ ଏବଂ ତାହାରି ମଧ୍ୟରେ ବୋତ୍‌ସ୍ୱାନା ରାଜ୍ୟ ଆପଣାର ଏକ ସ୍ୱକୀୟ ରୀତିରେ ଆପଣାକୁ ପରିଚାଳିତ କରି ଆଣୁଛି । ସେହି ଦେଶରେ କଳା ଗୋରା, ମିଶ୍ର ଓ ଭାରତୀୟ ସମସ୍ତେ ଏକତ୍ର ଗୋଟିଏ ଦେଶର ନାଗରିକ ରୂପେ ବାସ କରୁଛନ୍ତି, ସମସ୍ତଙ୍କର ସମାନ ଅଧିକାର ରହିଛି ଓ କର୍ତ୍ତବ୍ୟମାନ ରହିଛି । ହୋଟେଲମାନଙ୍କରେ ସେମାନେ କୌଣସି ପ୍ରକାର ବାରଣ ନ ରଖି ଗୋଟିଏ ଟେବୁଲରେ ବସି ପାରୁଛନ୍ତି । ସେହି ଗୋଟିଏ ସିନେମା ଘରକୁ ସମସ୍ତେ ଯାଇପାରୁଛନ୍ତି ଏବଂ ସମସ୍ତଙ୍କ ଲାଗି ଅଲଗା ଅଲଗା ସନ୍ତରଣ ସ୍ଥାନର ଆଦୌ କୌଣସି ବ୍ୟବସ୍ଥା କରିବାକୁ ପଡ଼ିନାହିଁ । ସେହି ଦେଶରେ କୌଣସି କୋଠାର ଉପର ମହଲାଗୁଡ଼ିକର ଉପରକୁ ଯିବାଲାଗି କଳା ଓ ଗୋରା ଭେଦରେ ଅଲଗା ଅଲଗା ସିଡ଼ି ନାହିଁ, ସହରମାନଙ୍କରେ ଅଲଗା ଅଲଗା ଶୌଚସ୍ଥାନ ନାହିଁ-ଦକ୍ଷିଣ ଆଫ୍ରିକାରେ ଯେପରି ରହିଛି; ଗୋରା ଓ ଅନ୍ୟ ଲୋକଙ୍କ ସକାଶେ ଅଲଗା ଅଲଗା ଯାନବାହନର ବ୍ୟବସ୍ଥା ମଧ୍ୟ ନାହିଁ । ଅର୍ଥାତ୍‌ ବର୍ଣ୍ଣ ଓ ବଂଶାନୁକ୍ରମର କୌଣସି ପ୍ରକାର ବାରଣ ରଖାଯାଇ ନାହିଁ ।

 

ଭୌଗୋଳିକ ବିସ୍ତାରରେ ବୋତ୍‌ସ୍ୱାନା ଫ୍ରାନ୍‌ସ୍‌ଠାରୁ କିଞ୍ଚିତ୍‌ ବଡ଼ ହେବ । ଏବେ ଆମେରିକାର ଗୋଟିଏ ସମ୍ୱାଦ ସଂସ୍ଥା ବୋତ୍‌ସ୍ୱାନାକୁ ହିଁ ଆଫ୍ରିକା ମହାଦେଶର ସବୁଠାରୁ ଅଧିକ ପରିମାଣରେ ଗଣତନ୍ତ୍ର ଦ୍ୱାରା ଶାସିତ ହେଉଥିବା ଏକ ରାଜ୍ୟ ବୋଲି ଘୋଷଣା କରିଛି । ଆଫ୍ରିକାର ଅନ୍ୟାନ୍ୟ କେତେକ ସ୍ଥାନରେ ପ୍ରଜାଶାସନ ଏବଂ ପ୍ରତିନିଧି ଶାସନ ରହିଛି ସତ, ମାତ୍ର ତଥାପି ପ୍ରଜାତିଗତ ନାନା ଘୃଣା ଓ ବିଦ୍ୱେଷ ଦ୍ୱାରା ଗୋଟିଏ ଗୋଟିଏ ଦେଶ ପ୍ରାୟ ତିନି ଚାରି ଖଣ୍ଡରେ ବିଭକ୍ତ ହୋଇ ରହିଛି । ଅଧିକାଂଶ ଦେଶରେ ପ୍ରାୟ ଗୋଟିଏ ମାତ୍ର ରାଜନୀତିକ ଦଳ ରହିଛି ଓ ସେହି ଦଳ ହିଁ କ୍ଷମତାରେ ରହି ଦେଶର ଶାସନ କରୁଛନ୍ତି । ବିରୋଧୀ ଦଳ ପ୍ରାୟ କେଉଁଠି ହେଲେ ନାହାନ୍ତି । ସେମାନେ ହୁଏତ ବନ୍ଦୀଶାଳା ଭିତରେ ରହିଛନ୍ତି, ଅଥବା ବାହାରେ ରହିଥିଲା ନାମକୁ ମାତ୍ର ଅଛନ୍ତି, ଶାସକମାନଙ୍କର ଅନୁଗ୍ରହରୁ ଅଛନ୍ତି । ଆଫ୍ରିକାର ମୋଟ ୪୬ଟି ସ୍ୱାଧୀନ ଦେଶ ମଧ୍ୟରୁ ଯେଉଁ ପ୍ରାୟ ଅଧଡଜନେ ଦେଶରେ ଏକାଧିକ ରାଜନୀତିକ ଦଳ ଅଳ୍ପବହୁତ ସକ୍ରିୟ ହୋଇ ରହିଛନ୍ତି, ବୋତ୍‌ସ୍ୱାନା ସେମାନଙ୍କ ଭିତରୁ ଗୋଟିଏ, ପ୍ରାୟ ଏକ ବ୍ୟତିକ୍ରମ ରୂପେ ଗୋଟିଏ । ଏହି ୧୯୭୪ ମସିହାରେ ସେଠାରେ ଯେଉଁ ସାଧାରଣ ନିର୍ବାଚନ ହୋଇଥିଲା, ସେଥିରେ ବିଜୟୀ ଡିମୋକ୍ରାଟିକ୍‌ ପାର୍ଟି ସହିତ ଆଉ ତିନୋଟି ବିରୋଧୀ ଦଳ ନିର୍ବାଚନ ଲଢ଼ୁଥିଲେ-। ଏହି ଲଢ଼ିବାରେ ସେମାନଙ୍କ ଉପରେ କୌଣସି କଟକଣା ନଥିଲା । ସବୁ ଦଳଗୁଡ଼ିକୁ ପ୍ରଚାର ନିମିତ୍ତ ବୋତ୍‌ସ୍ୱାନାର ଜାତୀୟ ରେଡ଼ିଓ ସଂସ୍ଥା ଏବଂ ସମ୍ୱାଦପତ୍ର ସମାନ ଭାବରେ ଛାଡ଼ି ଦିଆଯାଇଥିଲା ।

 

ବୋତ୍‌ସ୍ୱାନାର ମଧ୍ୟ ଏକ ଦେଶ ହିସାବରେ ଏକାଧିକ ସମସ୍ୟା ରହିଛି । ସର୍ବପ୍ରଥମ ସମସ୍ୟାଟି ହେଉଛି ଭୌଗୋଳିକ ଅବସ୍ଥିତିର ସମସ୍ୟା । ଏହାର ଚାରିପାଖରେ ରାବଣ ଓ ମହୀରାବଣମାନଙ୍କର ରାଜ୍ୟ ତାହାକୁ ଘେରି ରହିଛି । ଆର୍ଥିକ କ୍ଷେତ୍ରରେ ବୋତ୍‌ସ୍ୱାନାକୁ ଦକ୍ଷିଣ ଆଫ୍ରିକା ଉପରେ ହିଁ ନିର୍ଭର କରିବାକୁ ପଡ଼ୁଛି । ସମୁଦ୍ରକୁ ବାହାରି ପାରିବାକୁ ବାଟ ନାହିଁ । ତେଣୁ ଯାବତୀୟ ରପ୍ତାନି ତଥା ଆମଦାନୀ ସେହି ଦକ୍ଷିଣ ଆଫ୍ରିକା ବାଟେ ହିଁ କରିବାକୁ ପଡ଼ୁଛି । ବୋତ୍‌ସ୍ୱାନାର କର୍ମନିଯୁକ୍ତ ମୋଟେ ଲୋକଙ୍କର ଅଧେ ଭାଗ ଦକ୍ଷିଣ ଆଫ୍ରିକାର ଖଣିମାନଙ୍କରେ କାର୍ଯ୍ୟ କରୁଛନ୍ତି ।

 

ବର୍ଣ୍ଣବିଦ୍ୱେଷୀ ଦକ୍ଷିଣ ଆଫ୍ରିକା ଓ ରୋଡ଼େସିଆ ସହିତ ଆର୍ଥିକ କ୍ଷେତ୍ରରେ ନାନା ଭାବେ ବାନ୍ଧି ହୋଇ ରହିଥିଲେ ମଧ୍ୟ ବୋତ୍‌ସ୍ୱାନା ତଥାପି ସେହିସବୁ ଦୂଷିତତାରୁ ଆପଣାକୁ ମୁକ୍ତକରି ରଖିଛି । ରାଜନୀତି ଏବଂ ବୈଦେଶିକ ନୀତି କ୍ଷେତ୍ରରେ ଆପଣାର ସ୍ୱକୀୟ ନୀତିଟିକୁ ତଥାପି ସମ୍ଭବ କରିପାରୁଛି । ବୋତ୍‌ସ୍ୱାନାର ରାଷ୍ଟ୍ରପତି ଶ୍ରୀଯୁକ୍ତ ସେରେତ୍‌ସେ ଖାମା ଅତି ସ୍ପଷ୍ଟ ଭାବରେ ଆପଣାର ଅଧିକ ଶକ୍ତିଶାଳୀ ପ୍ରତିବେଶୀମାନଙ୍କର ବର୍ଣ୍ଣବିଦ୍ୱେଷ ନୀତି ଏବଂ ସଂଖ୍ୟାଲଘୁ ଶାସନର ବର୍ବରତା ବିରୁଦ୍ଧରେ ଆପଣାର ମତ ବ୍ୟକ୍ତ କରିପାରିଛନ୍ତି । କୃଷ୍ଣକାୟ ଆଫ୍ରିକା ତରଫରୁ ରୋଡ଼େସିଆ ବିରୁଦ୍ଧରେ ଯେଉଁ ଗରିଲାଯୁଦ୍ଧ ଆରମ୍ଭ ହୋଇଛି, ମୋଜାମ୍ୱିକ୍‌, ଜାମ୍ୱିଆ ଏବଂ ତାଞ୍ଜାନିୟାର ରାଷ୍ଟ୍ରପତିମାନଙ୍କ ସହିତ ସମ୍ମିଳିତ ହୋଇ ସେରେତ୍‌ସେ ଖାମା ମଧ୍ୟ ତାହାର ସମର୍ଥନ କରିଛନ୍ତି, ପୃଷ୍ଠପୋଷକତା କରିଛନ୍ତି । ଆଫ୍ରିକାରେ ଶ୍ୱେତ ସଂଖ୍ୟାଲଘିଷ୍ଠ ଶାସନଗୁଡ଼ାକ ସକାଶେ ଯେ ଆଦୌ କୌଣସି ଭବିଷ୍ୟତ ନାହିଁ, ଶ୍ରୀଯୁକ୍ତ ଖାମା ଅଳ୍ପଦିନ ତଳେ ବଡ଼ ସ୍ପଷ୍ଟଭାବରେ ସେହି କଥାଟି କହି ଦେଇଛନ୍ତି ।

 

ଏତେବଡ଼ ଦେଶରେ ମୋଟେ ସାତଲକ୍ଷ ଲୋକ ବାସ କରୁଛନ୍ତି । ଦେଶର ପାଞ୍ଚଭାଗରୁ ଚାରିଭାଗ ସ୍ଥାନ ହେଉଛି ଶୁଷ୍କ ଅର୍ଦ୍ଧ-ମରୁଭୂମି ଅଞ୍ଚଳ । ପାଣିର ଉତ୍କଟ ଅଭାବରୁ ଦେଶର ଅନେକ ଭାଗକୁ ଆବାଦ କରିବା ମଧ୍ୟ ସମ୍ଭବ ହୁଏ ନାହିଁ । ତଥାପି ଆଫ୍ରିକାର ପରିସ୍ଥିତି ଦୃଷ୍ଟିରୁ ବୋତ୍‌ସ୍ୱାନାକୁ ଅନେକ ସମୀକ୍ଷକ ଅନେକ ଆଶାର ଦ୍ୱୀପ ବୋଲି କହିଛନ୍ତି । ବୋତ୍‌ସ୍ୱାନା ଯାହା ହୋଇଥାଉ ପଛକେ, କୌଣସି ପ୍ରକାର ବର୍ଣ୍ଣବିଦ୍ୱେଷ ନ ଥାଇ ମଧ୍ୟ ଗୋଟିଏ ଦେଶରେ ଅନେକ ଜାତି ଓ ଅନେକ ବର୍ଣ୍ଣ ଗୋଟିଏ ଜାତୀୟ ଉଦ୍ୟମରେ ଯେ ସମ୍ମିଳିତ ହୋଇ ପାରନ୍ତି, ବୋତ୍‌ସ୍ୱାନା ତାହାରି ଏକ ପ୍ରମାଣିକ ଦୃଷ୍ଟାନ୍ତ ହୋଇ ରହିଛି । ଦକ୍ଷିଣ ଆଫ୍ରିକା ଓ ରୋଡ଼େସିଆ ଏହା ସମ୍ଭବ ନୁହେଁ ବୋଲି କାଳ କାଳ ଧରି କହିଆସୁଛନ୍ତି । ସଭ୍ୟତାର ସୁରକ୍ଷା ନାମରେ ମନୁଷ୍ୟ ସହିତ ସକଳ ପ୍ରକାରର ଅମାନୁଷିକତା କରିବାରେ ବି ଲାଗିଛନ୍ତି । କାଳର ଗତି ଅନୁସାରେ ବୋତ୍‌ସ୍ୱାନାର ଏହି ଏକକ ପ୍ରତୀକଟି ହିଁ ଯେ କ୍ରମଶଃ ଅଧିକ ପ୍ରସାର ଲାଭ କରିବ, ଦକ୍ଷିଣ ଆଫ୍ରିକା, ନାମିବିୟା ଏବଂ ରୋଡ଼େସିଆକୁ ବି ସଂକ୍ରମିତ କରି ଆଣିବ, ସମଗ୍ର ପୃଥିବୀ ଲାଗି ବୋତ୍‌ସ୍ୱାନା ସେହି ଆଶାର ପ୍ରତୀକ ହୋଇ ରହିଛି; ଶ୍ରୀଯୁକ୍ତ ଖାମା ବିଭୀଷଣ ହୋଇ ରହିଛନ୍ତି ।

 

ତା ୧୯.୦୯.୧୯୭୬ ରିଖ

Image

 

ଶିକ୍ଷକମାନଙ୍କ ଶପଥ

 

ଓଡ଼ିଶା ରାଜ୍ୟର ଗୋଟିଏ ଅଞ୍ଚଳରେ ଶତାଧିକ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ପ୍ରାଥମିକ ଶିକ୍ଷାର ଅଗ୍ରଗତି ସଙ୍ଗେ ସଙ୍ଗେ ସମାଜର ଉନ୍ନତି ସକାଶେ କାର୍ଯ୍ୟ କରିବାକୁ ଏକ ସ୍ୱତନ୍ତ୍ର ଉତ୍ସବରେ ସମବେତ ହୋଇ ଗୋଟିଏ ପଞ୍ଚସୂତ୍ରୀ ଶପଥପତ୍ର ପାଠ କରିଛନ୍ତି-। ଏହି ପାଞ୍ଚୋଟିଯାକ ସୂତ୍ର ହେଲା ସମୟାନୁବର୍ତ୍ତୀ ହେବ, ପ୍ରତିଦିନ ଏକଘଣ୍ଟା ବିଦ୍ୟାଳୟ ତଥା ଗ୍ରାମର ଉନ୍ନତି ସକାଶେ କାର୍ଯ୍ୟ କରିବା; ପ୍ରତ୍ୟେକ ସପ୍ତାହରେ ଅନ୍ତତଃ ପାଞ୍ଚଟି କରି ସ୍ଥାୟୀ ବୃକ୍ଷରୋପଣ କରିବା, ପ୍ରତିବର୍ଷ ଅତିକମ୍‌ରେ ଦଶଜଣ ବ୍ୟକ୍ତିଙ୍କୁ ସାକ୍ଷର କରିବା, ନିଜ ବିଦ୍ୟାଳୟର କାର୍ଯ୍ୟ ବାହାରେ ପ୍ରତିଦିନ ଅତିକମ୍‌ରେ ଗୋଟିଏ ପରିବାରର ଲୋକଙ୍କୁ ପରିବାର ନିୟନ୍ତ୍ରଣ କରିବା ଲାଗି ବୁଝାଇବା ।

 

ଏହି ଶପଥପତ୍ର ଏକ ଅଭିନବ ଶପଥପତ୍ର ଏବଂ ଯେକୌଣସି ଦୃଷ୍ଟିରୁ ବିଚାର କଲେ ମଧ୍ୟ ଏହା ଏକ ପ୍ରଶଂସନୀୟ ଉଦ୍ୟମ । ଆମ ଦେଶର ଶିକ୍ଷକମାନେ ଯେ କ୍ରମେ ଅଧିକରୁ ଅଧିକ ପରିବେଶସଚେତନ ହେବାରେ ଲାଗିଛନ୍ତି, ଏଥିରୁ ସେହି କଥାର ହିଁ ସଙ୍କେତ ମିଳୁଛି । ଏଗୁଡ଼ାକ ଅବଶ୍ୟ ହେଉ ଏବଂ ଶିକ୍ଷକମାନେ ଏଥିଲାଗି ଅବଶ୍ୟ ସମୟ ଦିଅନ୍ତୁ । ତଥାପି ଏସବୁ କହିଲା ବେଳେ ଆଉ ଗୋଟିଏ କଥା ନିଶ୍ଚୟ ମନେରଖିବାକୁ ହେବ । ଶିକ୍ଷକମାନେ ଆଗ ଶିକ୍ଷକ ହୁଅନ୍ତୁ, ତାପରେ ଏସବୁ ହୁଅନ୍ତୁ । ସେମାନେ ଯଦି ଆଦୌ ଶିକ୍ଷକଟିଏ ନହୋଇ ଏହିସବୁ ନାନା କାଳହିତକର କାର୍ଯ୍ୟରେ ମନ ଦେବେ ଓ ସମୟ ବି ଦେବେ, ତେବେ ଗ୍ରାମବାସୀଙ୍କ ଉପରେ ଏହାର ଆଦୌ କୌଣସି ସ୍ଥାୟୀ ପ୍ରଭାବ ପଡ଼ିବ ନାହିଁ । ଅନେକ ସମୟରେ ଏଗୁଡ଼ାକ କେବଳ ଏକ ଉତ୍ସବ ପରି ହୋଇ ରହିଯିବ । କରୁଥିବା ଲୋକଙ୍କୁ ଆନନ୍ଦ ଦେବ, ଆମୋଦ ଦେବ, ମାତ୍ର ଯାହା ଲାଗି ବା ଯେଉଁମାନଙ୍କ ଲାଗି ଉଦ୍ଦିଷ୍ଟ ହୋଇ ଏସବୁ କରାଯାଉଥିବ, ସେମାନେ ଅତ୍ୟନ୍ତ ସଜ୍ଞାନ ଭାବରେ ଏଗୁଡ଼ାକର ଉପେକ୍ଷା କରିବାରେ ହିଁ ଲାଗିଥିବେ । ଗୋଷ୍ଠୀ ଉନ୍ନୟନ ଯୋଜନାରେ ଆମ ଦେଶରେ ଏକଦା ଯେପରି ପ୍ରାୟ ଉତ୍ସବ ଭଳି ଅନେକ କାର୍ଯ୍ୟ ହେବାରେ ଲାଗିଥିଲା ଓ ଜନସାଧାରଣ ସେଗୁଡ଼ାକୁ ପ୍ରଧାନତଃ ଉପେକ୍ଷା କରିବାରେ ଲାଗିଥିଲେ, ପ୍ରାୟ ସେହିପରି ।

 

ଶିକ୍ଷକମାନେ ଯଦି ଆଗ ଶିକ୍ଷକ ହେବେ, ଆପଣାର ଧନ୍ଦାଟି ବିଷୟରେ ସଚେତନ ହେବେ, ଆଧୁନିକ ପିଲାର ଯଥାର୍ଥ ଶିକ୍ଷା ଓ ବିକାଶ ଲାଗି ଯେତେ ଯାହା ସହାୟତା ଓ ମାର୍ଗଦର୍ଶନର ଆବଶ୍ୟକତା ରହିଛି, ଯଦି ଶିକ୍ଷକମାନେ ସେହି ବିଷୟରେ ଯଥେଷ୍ଟ ପରିମାଣରେ ସଚେତ ହେବେ, ତେବେ ସେମାନେ ସ୍କୁଲ ବାହାରକୁ ଅର୍ଥାତ୍‌ ସ୍କୁଲର କାର୍ଯ୍ୟକ୍ରମ ବାହାରକୁ ନଯାଇ ମଧ୍ୟ ଯେଉଁସବୁ କାର୍ଯ୍ୟ କରିବେ ବୋଲି ସ୍ୱେଚ୍ଛାକୃତ ଭାବରେ ଶପଥପତ୍ର ପାଠ କରିଛନ୍ତି ସେଗୁଡ଼ିକର ସଫଳତା ଦିଗରେ ମଧ୍ୟ ଅନେକ ସାହାଯ୍ୟ କରିପାରିବେ । ଯଥାର୍ଥ ଶିକ୍ଷା କେବଳ ପଠିତ ପାଠକୁ ଘୋଷି ପରୀକ୍ଷାରେ ସେଗୁଡ଼ାକୁ ଉଦ୍‌ଗାର କରି ବର୍ଷଗୁଡ଼ାକ ଉତ୍ତୀର୍ଣ୍ଣ ହୋଇଯିବା ମଧ୍ୟରେ ସୀମିତ ନୁହେଁ । ସ୍କୁଲ କହିଲେ ମଧ୍ୟ ଏବେ ଏକ ବୃହତ୍‌ ଶିକ୍ଷା ବିଭାଗର ପରିଦର୍ଶକମାନଙ୍କ ଲାଗି ଏକ ଦର୍ଶନୀୟ ସ୍ଥାନ ପ୍ରସ୍ତୁତ କରି ରଖିବାକୁ ହିଁ ମଧ୍ୟ ବୁଝାଏ ନାହିଁ । ଏଗୁଡ଼ାକୁ ହୁଏତ ବୁଝାଏ, ତଥାପି ଏହାଠାରୁ ଆହୁରି ଅନେକ ଅଧିକ କଥାକୁ ବୁଝାଏ । ଆଧୁନିକ ଶିକ୍ଷକ ସେହି ବିଷୟରେ ସର୍ବପ୍ରଥମେ ସଚେତ ହୁଅନ୍ତୁ । ଆପଣାକୁ ସେ ସର୍ବୋପରି ଏକ ବେତନଭୋଗୀ ଦରିଦ୍ର କର୍ମଚାରୀ ଅପେକ୍ଷା ଆହୁରି ଅଧିକ ବୋଲି ଅନୁଭବ କରନ୍ତୁ । ତାଙ୍କର ଆଖି ଆହୁରି ଅଧିକ ଦେଖିବାକୁ ସମର୍ଥ ହେଉ, ତାଙ୍କର ଚକ୍ରବାଳଗୁଡ଼ାକ ଆହୁରି ଅଧିକ ପ୍ରସାରିତ ହେଉ । ଏହି ଦେଶର କୌଣସି ଏକ ସାନ ଗାଁରେ ରହି ନିଜର କାର୍ଯ୍ୟ କରୁଥିଲେ ମଧ୍ୟ ସିଏ ଆପଣାକୁ ନିଜର ଦୃଷ୍ଟିଭିତରେ ଏହି ସମଗ୍ର ଦେଶ ଓ ଏପରିକି ସମସ୍ତ ଜଗତ ମଧ୍ୟକୁ ପ୍ରସାରିତ କରିଦିଅନ୍ତୁ । ଗୋଟିଏ କଥାରେ କହିଲେ, ଏକ ସ୍ୱାଧୀନ ଓ ପ୍ରଗତିକାମୀ ଦେଶରେ ଶିକ୍ଷକ ହେବା ଲାଗି ଯେତେ ଯାହା ଦକ୍ଷତା ଓ ଦୃଷ୍ଟାନ୍ତର ଅର୍ଜନକୁ ବୁଝାଇବା ଉଚିତ, ଆମ ସାନଗାଆଁର ଶିକ୍ଷକଙ୍କ ଲାଗି ମଧ୍ୟ ତାହା ହିଁ ଆକାଙ୍‌କ୍ଷା ହୋଇ ରହୁ, ବ୍ରତ ହୋଇ ରହୁ ଏବଂ ଯେଉଁସବୁ ଶପଥ ଗ୍ରହଣ କରିବା ଲାଗି ଆଦୌ କୌଣସି ଉତ୍ସବ ବା କୋଳାହଳ କରିବାକୁ ନ ପଡ଼ିବ, ଆମ ଶିକ୍ଷକମାନେ ସେହିଭଳି ଶପଥମାନ ଗ୍ରହଣ କରନ୍ତୁ । ଜଣେ ଶିକ୍ଷକ ହିସାବରେ ମୁଁ ମାସକୁ ମୋ’ନିଜର ଜ୍ଞାନବୃଦ୍ଧି ଓ ବିକାଶ ଲାଗି ଯଦି ଅନ୍ତତଃ ଖଣ୍ଡେ ନୂଆ ବହି ପଢ଼ିବାର ଶପଥ ଗ୍ରହଣ କରେ, ତେବେ ସେଥିଲାଗି ମୋତେ ଆଦୌ କୌଣସି କୋଳାହଳ କରିବାକୁ ପଡ଼ିବ ନାହିଁ । କୌଣସି ପ୍ରକାର ଉତ୍ସବ କରିବାକୁ ପଡ଼ିବ ନାହିଁ । ମୁଁ ଯେତିକି ଅଛି ବା ମୋର ଯେତିକି ଜ୍ଞାନ ରହିଛି, ମୋତେ ସେଥିରେ କେବଳ ଏକ ଅନ୍ତର୍ଗତ ଅସନ୍ତୋଷ ହିଁ ଅନୁଭବ କରିବାକୁ ପଡ଼ିବ । ମୋ’ ନିଜ ଭିତରେ ଆହୁରି ଟିକିଏ ଉନ୍ମୋଚିତ ହେବାଲାଗି ସମ୍ମତ ହେବାକୁ ପଡ଼ିବ । ମୁଁ ଯେପରି ଆତ୍ମକେନ୍ଦ୍ରୀ ହୋଇ ରହିଛି, ତାହାକୁ ଛାଡ଼ି ଆପଣାକୁ ଏକ ବୃହତ୍ତର ଆହ୍ୱାନର ପରିପ୍ରେକ୍ଷୀରେ ଦେଖି ଶିଖିବାକୁ ପଡ଼ିବ । ମୋର ସଚେତନତାଗୁଡ଼ିକୁ ଅତୀତର ନାନାବିଧ ଗାଡ଼ରୁ ବାହାର କରିଆଣି ଭବିଷ୍ୟ ଆଡ଼କୁ ପ୍ରଲମ୍ୱିତ ହୋଇଯିବାକୁ ପଡ଼ିବ । ତେବେ କେହି ନ କହିଲେ ମଧ୍ୟ ମୁଁ ବହି ପଢ଼ିବି, ଅଧିକ ଜାଣିବି, ଅଧିକ ହେବି । ଶତାଧିକ ଅନ୍ୟମାନଙ୍କ ସହିତ ଉତ୍ସବ କରି କୌଣସି ଶପଥ ଗ୍ରହଣ ନ କଲେ ମଧ୍ୟ ତଥା ତଥାପି ମୋ’ର ଜୀବନ ଏକ ନିର୍ଦ୍ଦିଷ୍ଟ ଶପଥ ଦ୍ୱାରା ଚାଳିତ ହେବାରେ ଲାଗିଥିବ ।

 

ବର୍ତ୍ତମାନ ବିଦ୍ୟାଳୟକୁ ଯେଉଁ ପିଲାଏ ଆସୁଛନ୍ତି ବା ଆସିବେ, ସେମାନଙ୍କୁ ଯଥାର୍ଥ ଭାବରେ ଜାଣି ଯଥାର୍ଥ ଭାବରେ ସାହାଯ୍ୟ କରି ପାରିବାକୁ ହେଲେ ଆମ ଶିକ୍ଷକମାନଙ୍କୁ ଅନେକ ଅଧିକ ଜାଣିବାକୁ ହେବ-ଶିଶୁକୁ ବୁଝିବା ଲାଗି ତାକୁ ନିଜ ଭିତରେ ଅନେକ ନୂତନ ଗବାକ୍ଷ ଖୋଲିବାକୁ ହେବ, ପୁରୁଣା କାଳର ଅନେକ ଦୂରତାକୁ ଛାଡ଼ି ଆସିବାକୁ ପଡ଼ିବ । ଶିକ୍ଷକମାନେ ସେଇଥିଲାଗି ଆଗେ ଶପଥ ନିଅନ୍ତୁ । ସଭାରେ ନୁହେଁ, ସେ ନିଜ ପାଖରେ ଶପଥ ନିଅନ୍ତୁ, ପ୍ରତ୍ୟହ ଶପଥ ନିଅନ୍ତୁ । ତେବେ ସେ ନିଜ ପାଖରେ ମଧ୍ୟ ପୂର୍ବାପେକ୍ଷା ଅନେକ ଅଧିକ ପରିମାଣରେ ସମ୍ମାନାସ୍ପଦ ହୋଇପାରିବେ, ସମଗ୍ର ଦେଶ ସେତେବେଳେ ତାଙ୍କଠାରୁ ଆହୁରି ଆଶା କରିପାରିବ, ତାଙ୍କୁ ସ୍ୱତଃ ସମ୍ମାନ ଦେବ ।

 

ତା ୨୦.୦୯.୧୯୭୬ ରିଖ

Image

 

ଦୁଃଖୀ ଜାପାନୀ ପିଲା

 

ଜାପାନରେ ଅନେକ ହାଇସ୍କୁଲ ଅଛି, ଅନେକ ବିଶ୍ୱବିଦ୍ୟାଳୟ ଅଛି । ମାତ୍ର ଲୋକଚକ୍ଷୁରେ, ବିଶେଷ କରି କାର୍ଯ୍ୟ ଯୋଗାଇ ଦେଉଥିବା ଅର୍ଥାତ୍‌ ନିଯୁକ୍ତି ଦେଉଥିବା ସଂସ୍ଥାମାନଙ୍କ ଆଖିରେ ସବୁ ହାଇସ୍କୁଲ ଓ ସବୁ ବିଶ୍ୱବିଦ୍ୟାଳୟକୁ ସମାନ ସ୍ଥାନ ଓ ସମାନ ମୂଲ୍ୟ ଆଦୌ ଦିଆଯାଏ ନାହିଁ । କେତୋଟି ନିର୍ଦ୍ଦିଷ୍ଟ ହାଇସ୍କୁଲ ଓ କେତୋଟି ନିର୍ଦ୍ଦିଷ୍ଟ ବିଶ୍ୱବିଦ୍ୟାଳୟକୁ ଅଧିକ ମର୍ଯ୍ୟାଦା ଦିଆଯାଏ, ଅଧିକ ସ୍ୱୀକୃତି ଦିଆଯାଏ । ଅର୍ଥାତ୍‌ ସେହିସବୁ ସ୍କୁଲ ଏବଂ ବିଶ୍ୱବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହୋଇ ବାହାରିଥିବା ଛାତ୍ରଛାତ୍ରୀମାନଙ୍କୁ ଆଗ ଚାକିରି ମିଳିଯାଏ, ନିଶ୍ଚିତ ଭାବରେ ମିଳେ । ଦେଶର ବଡ଼ ବଡ଼ ଚାକିରିରେ ନିଯୁକ୍ତି ଦିଆଗଲାବେଳକୁ ଆଗ ସେହିସବୁ ହାଇସ୍କୁଲ ଓ ସେହିସବୁ ବିଶ୍ୱବିଦ୍ୟାଳୟକୁ ଖୋଜାପଡ଼େ । ଏଥିରୁ ସହଜରେ ବୁଝି ହେବ ଯେ ଜାପାନର ଛାତ୍ରଛାତ୍ରୀମାନେ ଭବିଷ୍ୟତରେ ସହଜରେ ଭଲ ଚାକିରି ପାଇବାର ଆଶାରେ ସେହିସବୁ ନିର୍ଦ୍ଦିଷ୍ଟ ସ୍କୁଲ ଏବଂ ବିଶ୍ୱବିଦ୍ୟାଳୟରେ ଭର୍ତ୍ତି ହେବାକୁ ହିଁ ଜୀବନର ଉଚ୍ଚତମ ଅଭିଳାଷ କରି ରଖିଥାନ୍ତି । ସମସ୍ତଙ୍କ ପାଇଁ ସେସବୁ ଅନୁଷ୍ଠାନରେ ଯଥେଷ୍ଟ ସ୍ଥାନ ନ ଥାଏ; ତେଣୁ ଭର୍ତ୍ତି ହେବା ବେଳକୁ ତୁମୁଳ ପ୍ରତିଯୋଗିତା ଚାଲେ, ପ୍ରାୟ ଏକ ସଂହାରକାରୀ ପ୍ରତିଯୋଗିତା ମଧ୍ୟ ଚାଲେ ।

 

ଏହିସବୁ ସ୍କୁଲ ଓ ବିଶ୍ୱବିଦ୍ୟାଳୟରେ ଭର୍ତ୍ତି ହେବାର ପରୀକ୍ଷାଟିରେ ବସିବା ପୂର୍ବରୁ ଜାପାନର ଛାତ୍ରଛାତ୍ରୀମାନଙ୍କୁ କଠୋର ପ୍ରସ୍ତୁତି କରିବାକୁ ପଡ଼େ । ସ୍କୁଲମାନଙ୍କରେ ଯେତିକି ପଢ଼ାହୁଏ, ସେତିକି କଦାପି ଯଥେଷ୍ଟ ହୁଏ ନାହିଁ । ତେଣୁ ଘରୋଇ ଭାବରେ, ସ୍ୱତନ୍ତ୍ର ଭାବରେ ବିଶେଷ ଶିକ୍ଷକ ରଖି ପାଠଗୁଡ଼ାକ ସାଧ୍ୟ କରିବାକୁ ପଡ଼େ । ସ୍କୁଲ ଛୁଟି ହେବା ପରେ ପିଲାଏ ପୁଣି ଏହିସବୁ ବିଶେଷ ସ୍କୁଲକୁ ଯାଆନ୍ତି । ଅମୁକ ସ୍କୁଲ ବା ଅମୁକ ବିଦ୍ୟାଳୟରେ ଭର୍ତ୍ତି ହେବାକୁ ହେଲେ ଯାହାସବୁ ପଢ଼ିବାକୁ ହେବ, ସେସବୁ ବିଶେଷ ସ୍କୁଲରେ କେବଳ ସେହିଗୁଡ଼ାକ ହିଁ ପଢ଼ାଯାଏ । ପ୍ରବେଶିକା ପରୀକ୍ଷାର ପୂର୍ବବର୍ତ୍ତୀ ମାସଗୁଡ଼ିକରେ ଯେତେବେଳେ ପିଲାମାନେ ସେହି ପରୀକ୍ଷା ସକାଶେ ଆକଣ୍ଠପ୍ରାଣ ହୋଇ ଲାଗିଥାନ୍ତି, ସେତେବେଳେ ସେମାନଙ୍କୁ ଆଉ ବାହାରେ କେଉଁଠି ହେଲେ ଦେଖିବାକୁ ହିଁ ମିଳେ ନାହିଁ । ସେମାନେ ରାସ୍ତା ଉପରେ ନ ଥାନ୍ତି, ପାର୍କରେ ନଥାନ୍ତି, ଖେଳ ପଡ଼ିଆରେ ବି ନ ଥାନ୍ତି । ସେମାନେ ନିଜେ ନିଷ୍ଠାପର ଭାବରେ ଆବଶ୍ୟକ ବହିଗୁଡ଼ାକୁ ଘୋଷୁଥାନ୍ତି ଅଥବା ସେମାନଙ୍କ ପିତାମାତା ସେଥିଲାଗି ସେମାନଙ୍କୁ ବାଧ୍ୟ କରି ରଖିଥାନ୍ତି ।

 

ପିଲାମାନଙ୍କ ଭିତରେ ଅନେକ ସମୟରେ ‘‘ଚାରିରେ ପାସ୍‌ ଓ ପାଞ୍ଚରେ ଫେଲ୍‌’’ ବୋଲି କୁହାକୁହି ହେଉଥିବାର ଶୁଣାଯାଏ । ଅର୍ଥାତ୍‌, ସେମାନେ ବିଶ୍ୱାସ କରନ୍ତି ଯେ ଯଦି ତୁମେ ଦିନକୁ ଚାରିଘଣ୍ଟା ବା ତା’ଠାରୁ କମ୍‌ ସମୟ ଶୋଇବ, ତେବେ ଯାଇ ପ୍ରବେଶିକା ପରୀକ୍ଷାରେ ପାସ୍‌ କରିପାରିବ, ଯଦି ପାଞ୍ଚଘଣ୍ଟା ବା ତା’ଠାରୁ ଅଧିକ ଶୋଇବ, ତେବେ ନିଶ୍ଚୟ ଫେଲ୍‌ ହେବ । କେବଳ ପାଠପଢ଼ା ଉପରେ ନିର୍ଭର କରି ନ ପାରି ଅନେକ ବାପମାଆ ପରୀକ୍ଷାର୍ଥୀ ପିଲାମାନଙ୍କୁ ସାଙ୍ଗରେ ନେଇ ନିକଟ ବା ଦୂରରେ ଥିବା ବିଶେଷ ମନ୍ଦିରମାନଙ୍କୁ ମଧ୍ୟ ଯାଇଥାନ୍ତି । ସେମାନେ ଭଗବାନଙ୍କୁ ଦୁଃଖ ଜଣାଇବାକୁ ଓ ତାଙ୍କର ସାହାଯ୍ୟ ନେବାକୁ ଯାଆନ୍ତି । ସେଠାରେ ଥିବା ଦେବତାମାନଙ୍କୁ ପ୍ରାର୍ଥନା କଲେ ବାଞ୍ଛିତ ଫଳ ମିଳିଯାଏ ବୋଲି ଲୋକବିଶ୍ୱାସ ରହିଥାଏ । ସେଠାରେ ସେମାନେ ନିର୍ଦ୍ଦିଷ୍ଟ ପ୍ରାର୍ଥନାବାକ୍ୟଗୁଡ଼ିକୁ ଖଣ୍ଡେ କାଠପଟା ଉପରେ ଲେଖି ଠାକୁରଙ୍କର ବେଦୀ ଉପରେ ଅଥବା ପବିତ୍ର ବୃକ୍ଷଗୁଡ଼ିକରେ ବାନ୍ଧିଦେଇ ଆସନ୍ତି । ମତେ ଅମୁକ ସ୍କୁଲ ବା ଅମୁକ ବିଶ୍ୱବିଦ୍ୟାଳୟର ପ୍ରବେଶିକା ‘ପରୀକ୍ଷାରେ ପାସ୍‌ କରାଇ ଦିଅ’ ବୋଲି ଗୁହାରି କରି ଆସନ୍ତି ।

 

ଭଗବାନ ଯେତେ ଦୟାକୁ ହେଲେ ମଧ୍ୟ ତଥାପି ସମସ୍ତଙ୍କର ଦୁଃଖ ଦୂର କରିପାରନ୍ତି ନାହିଁ । ସ୍କୁଲମାନଙ୍କରେ ଶିକ୍ଷକମାନେ କୁଆଡ଼େ କେବଳ ଭଲ ପଢ଼ୁଥିବା ପିଲାମାନଙ୍କ ପ୍ରତି ଦୃଷ୍ଟି ଦିଅନ୍ତି । ପଛୁଆମାନଙ୍କୁ ଉପେକ୍ଷା କରନ୍ତି ଏବଂ ସେହି କାରଣରୁ ଗୋଟିଏ ଶ୍ରେଣୀଘରେ ପାଠ ପଢ଼ୁଥିଲେ ମଧ୍ୟ ଭଲ ପଢ଼ୁଥିବା ପିଲାମାନେ ପାଠରେ ଦୁର୍ବଳ ପିଲାମାନଙ୍କ ସହିତ ଆଦୌ ମିଶିବାକୁ ଚାହାନ୍ତି ନାହିଁ । କେବଳ ଭଲ ପିଲାଙ୍କର, ଅର୍ଥାତ୍‌ ଭଲ ପଢ଼ୁଥିବା ପିଲାଙ୍କର ହିଁ କୌଣସି ଭବିଷ୍ୟ ଅଛି ବୋଲି ବିଶ୍ୱାସ କରାଯାଏ । ଅନ୍ୟମାନେ ଅନେକ ସମୟରେ ବଞ୍ଚି ରହିବାକୁ ହିଁ ବୃଥା ବୋଲି ଭାବନ୍ତି । ଅନେକ ସମୟରେ ତାହା ଅତ୍ମହତ୍ୟା ରୂପରେ ଆତ୍ମପ୍ରକାଶ କରିଥାଏ । ଜାପାନ ଦେଶରେ ମୋଟ ଯେତେ ଲୋକ ବର୍ଷକୁ ଆତ୍ମହତ୍ୟା କରନ୍ତି, ତା’ ଭିତରୁ ଅପେକ୍ଷାକୃତ ଅନେକ ଭାଗ ହେଉଛନ୍ତି ଛାତ୍ର । ପରୀକ୍ଷାରେ କଣ ହେବ ବା ନ ହେବ ସେହି ଆଶଙ୍କା ମଧ୍ୟ କୌଣସି କାରଣ ନ ଥାଇ ବି ଅନେକଙ୍କୁ ଅତ୍ମହତ୍ୟା ଆଡ଼କୁ ଟାଣିନିଏ, ଅନେକ ମାନସିକ ତ୍ରାସରୋଗର ସୃଷ୍ଟି କରେ । ଅପେକ୍ଷାକୃତ ଅଧିକ ଭଲ ପଢ଼ୁଥିବା ପିଲାମାନଙ୍କୁ ହିଁ ଏହିସବୁ ତ୍ରାସବ୍ୟାଧି ଆସି ଗ୍ରାସ କରିଥାଏ । ଜାପାନର ପିଲାମାନଙ୍କୁ ଏହିସବୁ ଦୁଃଖ ପ୍ରତ୍ୟେକ ବର୍ଷ ଭୋଗିବାକୁ ହୁଏ । ମାତ୍ର ଏ ସବୁରେ କିପରି କୌଣସି ପରିବର୍ତ୍ତନ କରାଯାଇ ପାରିବ, ସେକଥା କାହାର ବୁଦ୍ଧିକୁ ପଇଟେ ନାହିଁ । ତେଣୁ, ଯାହା ଚାଲିଛି, ତାହାରି ହିଁ ପୁନରାବୃତ୍ତି ହେବାରେ ଲାଗିଥାଏ । ପ୍ରାଥମିକ ସ୍କୁଲମାନଙ୍କରେ ଜାପାନରେ ଶିକ୍ଷାର ପରିବେଶଟିକୁ ଯେପରି ଭାବରେ ବରାଦ କରି ରଖାଯାଇଥାଏ, ତାହାକୁ ଅନେକ ସମୟରେ ହୁଏତ ସର୍ବୋତ୍କୃଷ୍ଟ ବୋଲି କୁହାଯାଇପାରିବ । ପ୍ରାୟ ଏକ ପାରମ୍ପରିକ ଅଭ୍ୟାସ ଅନୁସାରେ ସେହି ଦେଶରେ ଛାତ୍ରମାନଙ୍କର କୌଣସି ଶୃଙ୍ଖଳାଗତ ସମସ୍ୟା ନଥାଏ । ଅର୍ଥାତ୍‌ ଅନ୍ୟାନ୍ୟ ଦେଶରେ ଯାହା ଶିକ୍ଷକର ସବୁଠାରୁ ଅଧିକ ସମୟ ନିଏ, ଯାହା ସବୁଠାରୁ ଅଧିକ ଶିରପୀଡ଼ାର କାରଣ ହୁଏ, ଜାପାନରେ ତାହାକୁ ଏକ ସମସ୍ୟାରୂପେ ହିଁ ଦେଖିବାକୁ ମିଳେ ନାହିଁ । ପ୍ରାଥମିକ ସ୍ତରରେ ପ୍ରାୟ ସବୁ ପିଲାଙ୍କ ମଧ୍ୟରେ ସଙ୍ଗୀତ ଓ ସୂକ୍ଷ୍ମକଳାର କେତେ ବିଚକ୍ଷଣତା ପୂରି ରହିଥାଏ । କ୍ଲାସମାନଙ୍କରେ ଅତ୍ୟନ୍ତ କୁଶଳତା ସହିତ ଟେଲିଭିଜନ ଜରିଆରେ ଶିକ୍ଷା ଦିଆଯାଏ । ପାଠ୍ୟପୁସ୍ତକ ମାଗଣା ମିଳେ, ପ୍ରତିବର୍ଷ ନୂଆ ବହି ମିଳେ । ପହଁରିବା ପୋଖରୀଠାରୁ ଆରମ୍ଭ କରି ଚମତ୍କାର ଖେଳପଡ଼ିଆ ପର୍ଯ୍ୟନ୍ତ ଜାପାନର ପ୍ରାଥମିକ ବିଦ୍ୟାଳୟରେ ସବୁକିଛି ଥାଏ ।

 

ସେହି ପିଲାଏ ବଡ଼ ହୋଇ ଏକ ପ୍ରତିଦ୍ୱନ୍ଦ୍ୱତାଭିତ୍ତିକ ସମାଜ ଲାଗି ମଣ ହେବାକୁ ଯାଇ ବ୍ୟାଧିରେ ପଡ଼ନ୍ତି, ଜୀବନର ଅନେକ ମୂଲ୍ୟ ଓ ସମ୍ପଦକୁ ହରାଇ ବସନ୍ତି ଏବଂ ଗୋଟିଏ ମେସିନ୍‌ ଲାଗି ପ୍ରସ୍ତୁତ ହେବାର ସନ୍ତପ୍ତତାରେ ଅନେକ ସମୟରେ ସେହି ମେସିନ୍‌ ଦ୍ୱାରା ହିଁ ଆପଣାକୁ ପେଷିଦିଅନ୍ତି । ଏଣୁ ଆଜି ଭାରତରେ ଶିକ୍ଷାବ୍ୟବସ୍ଥାର ପରିବର୍ତ୍ତନ କଥା ପଡ଼ିଥିଲାବେଳେ ଏହିସବୁ ସମସ୍ୟା ସମ୍ପର୍କରେ ମଧ୍ୟ ଭାବିବା ଦରକାର ।

 

ତା ୨୧.୦୯.୧୯୭୬ ରିଖ

Image

 

ପୁନରାବର୍ତ୍ତନ

 

ପୂର୍ବପାକିସ୍ଥାନ ବୋଲି କୁହାହୋଇ ଆସୁଥିବା ଅସ୍ୱାଭାବିକ ଖଣ୍ଡଟିକୁ ଯିଏ ଗୋଟିଏ ଦେଶ ବୋଲି ପରିଚିତ କରାଇ ତାହାକୁ ସୋନାର ବାଂଲା ନାମରେ ସମ୍ୱୋଧନ କରିଥିଲେ, ସିଏ ଆଜି ଆଉ ତାଙ୍କର ସମୁଚିତ ସ୍ଥାନଟିରେ ନାହାନ୍ତି ସତ, ମାତ୍ର ବାଂଲାଦେଶ ଆମର ପଡ଼ୋଶୀ ରୂପେ ଏବେ ମଧ୍ୟ ରହିଛି । ଗଙ୍ଗାନଦୀ ଓ ବ୍ରହ୍ମପୁତ୍ରର ପାଣି ଆଦି ମଧ୍ୟ ବାଂଲାଦେଶ ବାଟଦେଇ କୀକଦ୍ୱୀପରେ ସମୁଦ୍ରକୁ ସ୍ପର୍ଶ କରୁଛି ଏବଂ ବାଂଲାଦେଶର ନୂଆ ଶାସକମାନେ ଅତ୍ୟନ୍ତ ସଚେତନ ଭାବରେ ଆପଣାର ଅତୀତଟିଠାରୁ ଛିନ୍ନ କରି ଆଣି ଏକ ସ୍ୱାଧୀନ ଓ ସ୍ୱତନ୍ତ୍ର ସତ୍ତା ରୂପେ ଆକାଶରେ ଉଡ଼ି ପୃଥିବୀ ଲୋକଙ୍କ ଚକ୍ଷୁରେ ଆପଣାର ଅବସ୍ଥିତିଟିକୁ ପକ୍‌କା କରିନେବାକୁ ଚାହୁଁଛନ୍ତି । ଯାହାକୁ ସେମାନେ ସବୁଦିନ ସ୍ମରଣ କରୁଥାନ୍ତେ ଓ ଅନୁଭବ କରୁଥାନ୍ତେ, ଆପଣାର ସେହି ଚେରଗୁଡ଼ାକୁ ସେମାନେ ଅତ୍ୟନ୍ତ ଦୃଢ଼ସଂକଳ୍ପ ହୋଇ ଏକାବେଳକେ ଭୁଲିଯିବାକୁ ଠିକ୍‌ କରି ନେଇଛନ୍ତି ।

 

ବାଂଲାଦେଶର ରେଡ଼ିଓରୁ ଏବେ ପ୍ରାୟ ସଂକୀର୍ତ୍ତନ କଲା ପରି ଭାରତବିରୋଧୀ ପ୍ରଚାର ଆରମ୍ଭ ହୋଇଛି । ଭାରତର ଅବସ୍ଥିତି ବାଂଲାଦେଶକୁ ଯେ କେଡ଼େ ବିରକ୍ତିକର ଏକ ପରିସ୍ଥିତିରେ ଆଣି ପକାଇଛି, ବାଂଲାଦେଶର ସବୁ ଗୋଷ୍ଠୀ ଯାଇ ସେଠାରେ ଗୁଡ଼େଇ ହୋଇ ରହିଥିବା ପରି ମନେହେଉଛି । ଫରାକ୍‌କା ବନ୍ଧର ଅବସ୍ଥିତି ପ୍ରକୃତରେ ବାଂଲାଦେଶକୁ କେତେଦୂର ଜଳ-ଅନାଟନରେ ପକାଇବ, ସେଇଟା ଯେପରି ବାଂଲାଦେଶର ‘‘ଉତ୍ତେଜିତ ଓ ବିରକ୍ତ’’ ମାନଙ୍କ ଲାଗି ବଡ଼ କଥା ହୋଇ ରହିନାହିଁ । ଏହିପରି ଏକ ଉପଲକ୍ଷ୍ୟର ସୃଷ୍ଟି ହୋଇଥିବାରୁ ସେମାନେ ଯେ ଏକ ଅବସର ପାଇ ଗୋଟିଏ କଥାକୁ ଗଣ୍ଠିକରି ଏକାବେଳକେ ପଚିଶିଟା କଥା କହିପାରୁଛନ୍ତି; ହୁଏତ ତାହା ହିଁ ସେମାନଙ୍କୁ ବଡ଼ ଆରାମଦାୟକ ବୋଧ ହେଉଛି ।

 

ଏକଦା ପାକିସ୍ଥାନରୁ ସେହିପରି ଭାରତବିରୋଧୀ ପ୍ରଚାରର ଅଖଣ୍ଡ ସଂକୀର୍ତ୍ତନ ହେଉଥିଲା । ସେତେବେଳେ ପାକିସ୍ଥାନ ଦୁଇଖଣ୍ଡରେ ଦୁଇଭାଗ ହୋଇ ରହିଥିଲା । ସେହି ଦେଶ ଉପରେ ସୈନ୍ୟ ଓ ସେନାପତିମାନେ ଶାସନ କରୁଥିଲେ । ରାଜନୀତିକୁ ରୋଷେଇଶାଳ ପରି ବ୍ୟବହାର କରି ଏବଂ ରାଷ୍ଟ୍ରକୁ ସତେ ଅବା ଏକ ଭଣ୍ଡାରଘର ପରି ଭାବି ସେମାନେ ଆପଣାର ଦିହକଯାକ ଆପଣା ଲାଗି ଅନ୍ନବ୍ୟଞ୍ଜନ ପ୍ରସ୍ତୁତ କରି ରଖିବାରେ ଲାଗିଥିଲେ । ଏହି ବ୍ୟଭିଚାରଗୁଡ଼ାକ ଲାଗି ତଥାକଥିତ ଭାରତବିରୋଧୀ ପ୍ରଚାର ଏବଂ ତଥାକଥିତ କାଶ୍ମୀର ସମସ୍ୟା ପ୍ରାୟ ଏକ ଛତା ପରି କାର୍ଯ୍ୟ କରୁଥିଲା । ସେ ଦେଶରେ ଯେଉଁସବୁ ଆର୍ଥିକ ଓ ରାଜନୈତିକ ଦୁର୍ଗତି ଲାଗି ରହିଥିଲା, ସାମରିକ ଶାସନ ବିରୁଦ୍ଧରେ ସାଧାରଣ ଜୀବନର ବିବେକଗୁଡ଼ାକ ଯେପରି କୁହୁଳି ଆସିବାକୁ ମନ କରୁଥିଲେ, ଦେଶଟାଯାକକୁ ସେହିଗୁଡ଼ାକରୁ ବିସ୍ମୃତ କରି ରଖିବାକୁ ତତ୍କାଳୀନ ଶାସକମାନଙ୍କୁ ଭାରତ-ଘୃଣା ଓ ଭାରତବିରୋଧୀ ଯାବତୀୟ ପ୍ରଚାର ସହାୟତା କରୁଥିଲା । ଏହି ଦୃଷ୍ଟିରୁ ବିଚାର କରି ଦେଖିଲେ ପାକିସ୍ଥାନର ଏକ ପ୍ରତିବେଶୀ ହିସାବରେ ଭାରତବର୍ଷର ଉପସ୍ଥିତି ପାକିସ୍ଥାନର ଶାସକମାନଙ୍କ ଲାଗି ପ୍ରକୃତରେ ଏକ ଲାଭଦାୟକ ଦୈବବିଧାନ ହୋଇ ରହିଥିଲା ।

 

ପରିସ୍ଥିତିର ଆବର୍ତ୍ତନ ଅନୁସାରେ ପାକିସ୍ଥାନରୁ ସାମରିକ ଶାସନର ବିଲୋପ ହେଲା । ଇତିମଧ୍ୟରେ ଆମ ସଂସାରର ଚଳଣିଗୁଡ଼ାକ ବଦଳି ଯାଇଥିବାରୁ ହୁଏତ ଯେତେ ଇଚ୍ଛା ଥିଲେ ମଧ୍ୟ ଲୋକଜୀବନକୁ ବିସ୍ମୃତ କରିରଖିବା ଆଉ ଶାସକମାନଙ୍କ ପକ୍ଷରେ ସମ୍ଭବ ହେଲା ନାହିଁ । ତେଣୁ ସଂକୀର୍ତ୍ତନ ବନ୍ଦ ହୋଇ ଆସିଲା, ଭାରତବିରୋଧୀ ପ୍ରଚାରର ଉତ୍ତେଜନାଗୁଡ଼ାକ ସମ୍ଭବତଃ ସ୍ୱୀକୃତି ନ ପାଇ କ୍ରମଶଃ ନୀରବ ହୋଇଆସିଲା । ଶାସକମାନେ ବି ବାଧ୍ୟ ହୋଇ ଶାସିତମାନଙ୍କୁ ମଣିଷ ପରି ଦେଖିବାକୁ ଆରମ୍ଭ କଲେ, ରାଜନୀତିକ ଘୃଣାପ୍ରଚାରରେ ସେମାନଙ୍କୁ ଈନ୍ଧନ ରୂପେ ବ୍ୟବହାର କରିବା ଆଉ ସମ୍ଭବ ହେଲା ନାହିଁ । ପାକିସ୍ଥାନର ଅସଲ ସମସ୍ୟା ଯେ ମଣିଷର ସମସ୍ୟା, ଅଭାବ, ଅଜ୍ଞାନ ଏବଂ ଅଳ୍ପତାର ସମସ୍ୟା, କ୍ରମେ ଶାସକମାନେ ବି ଏକଥା ହୃଦୟଙ୍ଗମ କଲେ । ବାହାରୁ ସାମରିକ ମେଣ୍ଟଗୁଡ଼ାକରୁ ମିଳୁଥିବା ବଳଗୁଡ଼ାକ ବି କ୍ରମେ ବଜାରରେ ଭାରି ଅନାକର୍ଷକ ହୋଇପଡ଼ିଲା । ତେଣୁ କାଶ୍ମୀର ସମସ୍ୟା ବି ଥଣ୍ଡା ହୋଇଗଲା, ନେତୃତ୍ୱ ଅନ୍ତର୍ମୁଖୀ ହେଲା, ଗୃହମୁଖୀ ହେଲା । ଘୃଣାର ବୃତ୍ତଟି ସତେ ଅବା ପୂରା ମୁଣ୍ଡଳା ବୁଲି ଆସିଲା ।

 

ବାଂଲାଦେଶରେ ବର୍ତ୍ତମାନ ସାମରିକ କର୍ତ୍ତାମାନଙ୍କର ଶାସନ ଚାଲିଛି, ଯେଉଁମାନେ କି ହତ୍ୟାରେ ବିଜୟଲାଭ କରିଛନ୍ତି । ଆହୁରି ହତ୍ୟାର ଏକ ଆଶଙ୍କା ଓ ଆତଙ୍କକୁ ପାଳଭୂତ କରି ବାନ୍ଧି ସେମାନେ ଦେଶରେ ଲୋକଶାସନର କ୍ଷେତ୍ରଗୁଡ଼ାକୁ ରଜ୍ଜୁ ପରି ଆପଣା ହାତକୁ ସାଉଁଟି ଆଣିବାରେ ଲାଗିଛନ୍ତି । ସେଖ୍‌ ମୁଜିବଙ୍କ ଅମଳରେ ଯେଉଁ ବିଦେଶୀ ମନ୍ତ୍ରଦାତାମାନେ ବାଂଲାଦେଶ ଭିତରକୁ ପ୍ରବେଶ କରିପାରୁ ନ ଥିଲେ, ବର୍ତ୍ତମାନ ସେମାନେ ସୁରାଖ ପାଇ ହୁଏତ ସଦୁପଦେଶ ଦେବାକୁ ଆରମ୍ଭ କଲେଣି, ବାଂଲାଦେଶକୁ ନୂଆ କୂଟନୀତି ଶିଖାଇବାକୁ ହୁଏତ ଶ୍ରଦ୍ଧା ବି କଲେଣି । ଯାହାସବୁ ଲୋକଙ୍କର ପ୍ରକୃତ ସମସ୍ୟା, ଅସ୍ତ୍ରଧାରୀମାନଙ୍କର ସେସବୁ ଆଡ଼କୁ ଦୃଷ୍ଟି ଦେବାକୁ ହିଁ ବେଳ ନାହିଁ । ବାଂଲାଦେଶର ଅର୍ଥନୀତି ଗତ ତିରିଶିବର୍ଷ ହେଲା କେବଳ ଅବହେଳା ଏବଂ ଅବଜ୍ଞାର ହିଁ ଶିକାର ହୋଇ ରହିଆସିଛି । ଗତ ତିରିଶି ବର୍ଷରେ ବିକାଶର କ୍ଷେତ୍ରରେ ତାହା ହୁଏତ ଗୋଟିଏ ସୋପାନ ବି ଉପରକୁ ଉଠିପାରି ନାହିଁ । ବର୍ତ୍ତମାନର ଶାସକମାନେ ସେସବୁ ଭିତରକୁ ପଶିବା ଲାଗି ଅର୍ଥାତ୍‌ ଗୃହମୁଖୀ ହେବାକୁ ହୁଏତ ସାମର୍ଥ୍ୟ ପାଉନାହାନ୍ତି । ତେଣୁ ଲୋକମାନଙ୍କୁ ବିସ୍ମୃତ କରି ରଖିବାକୁ ଘୃଣାପ୍ରଚାରର ପ୍ରୟୋଜନ ହେଉଛି ଏବଂ ପ୍ରତିବେଶୀ ଭାରତ ସେହି ପ୍ରୟୋଜନ-ପୂରଣର ଶରବ୍ୟ ହୋଇଛି ।

 

ଏହି ବୃତ୍ତଟି ସମ୍ପୂର୍ଣ୍ଣ କେବେ ହେବ ଓ କିପରି ହେବ ? ପାକିସ୍ଥାନରେ ଯେଉଁପରି ଓ ଯେବେ ହୋଇଥିଲା, ବାଂଲାଦେଶରେ କ’ଣ ସେହିପରି ଓ ସେତିକି ଦିନରେ ହେବ ? ସାମରିକ ଶାସନର ଅନ୍ତ ହୋଇ ସ୍ୱାଭାବିକ ପ୍ରତିନିଧି ଶାସନ ପ୍ରତିଷ୍ଠିତ ହେବା ପରେ ଯାଇ ତାହା ସମ୍ଭବ ହେବ ? ପୃଥିବୀର ପ୍ରାୟ ପ୍ରତ୍ୟେକ ସ୍ଥାନରେ ସାମରିକ ଶାସକମାନେ ପ୍ରଧାନତଃ ଯାହାରି ବଳରେ ତିଷ୍ଠି ରହିଥାନ୍ତି, ବାଂଲାଦେଶରେ ବି ସେମାନେ ତାହାକୁ ହିଁ ଅବଲମ୍ୱନ କରି ଧରିବେ । ବାଂଲାଦେଶର ରେଡ଼ିଓରୁ ଆହୁରି ଅଧିକ ଭର୍ତ୍ସନା ଏବଂ ଅସୂୟାର ବର୍ଷଣ ହେବ ଏବଂ ବାଂଲାଦେଶରେ ପ୍ରତିନିଧିମୂଳକ ସ୍ୱାଭାବିକ ଶାସନ ପ୍ରତିଷ୍ଠିତ ହୋଇ ସ୍ୱାଭାବିକ କର୍ତ୍ତବ୍ୟବୋଧର ଜାଗୃତି ଘଟିଲେ ଯାଇ ହୁଏତ ଅପପ୍ରଚାରର ବୃତ୍ତଟି ସଂପୂର୍ଣ୍ଣ ହେବ । ଏଥିଲାଗି କେତେ ବର୍ଷ ଲାଗିବ ? ରାଜନୀତିର କୌଣସି ଗଣନା ଦ୍ୱାରା ଏହା କଦାପି ହେବ ନାହିଁ । ମାତ୍ର ଯେଉଁ ମୌଳିକ ବିଶ୍ୱାସ ରାଜନୀତିକୁ ମନୁଷ୍ୟର ଏକ ଆଗ୍ରହକ୍ଷେତ୍ରରେ ପରିଣତ କରିଥାଏ, ସେହି ବିଶ୍ୱାସ କହୁଛି ଯେ ଯାହା ସବୁଠାରେ ହୋଇଛି, ବାଂଲାଦେଶରେ ମଧ୍ୟ ତାହା ନିଶ୍ଚୟ ହେବ ।

 

ତା ୨୨.୦୯.୧୯୭୬ ରିଖ

Image

 

ଭେଟୋ ଉପରେ ଭେଟୋ

 

ପ୍ରାୟ ବରଷକ ତଳେ, ଯେତେବେଳେ ଉତ୍ତର ଓ ଦକ୍ଷିଣ ଭିଏତ୍‌ନାମ୍‌ ଦୁଇଟା ଅଲଗା ଦେଶ ହୋଇ ରହିଥିଲେ, ସେତେବେଳେ ସେମାନେ ମିଳିତ ଜାତିସଂଘର ପ୍ରାର୍ଥୀ ହେବାଲାଗି ଆବେଦନ କରିଥିଲେ । ଉତ୍ତର ଓ ଦକ୍ଷିଣ କୋରିଆକୁ ଜାତିସଂଘର ସଦସ୍ୟ ଭାବରେ ନିଆ ନ ଯିବା ପର୍ଯ୍ୟନ୍ତ ଆମେରିକା କଦାପି ଭିଏତ୍‌ନାମ୍‌ର ସଦସ୍ୟତାକୁ ସମର୍ଥନ କରିବ ନାହିଁ ବୋଲି ଆପତ୍ତି ଦେଖାଇଥିଲା ଓ ନିରାପତ୍ତା ପରିଷଦରେ ସଦସ୍ୟତାର ସପକ୍ଷରେ ପ୍ରାୟ ସବୁଯାକ ଭୋଟ ରହିଥିଲେ ମଧ୍ୟ ଆମେରିକା ସରକାର ଭେଟୋ କ୍ଷମତା ପ୍ରୟୋଗ କରି ସେହି ନିଷ୍ପତ୍ତିଟିକୁ ରଦ୍ଦ କରି ଦେଇଥିଲେ ।

 

ଏହା ମଧ୍ୟରେ ଭିଏତ୍‌ନାମ୍‌ରେ ଇପ୍‌ସିତ ପରିବର୍ତ୍ତନଟି ଘଟିଲା । ଦକ୍ଷିଣ ଓ ଉତ୍ତର ଉଭୟ ଭିଏତ୍‌ନାମ ମିଶି ଗୋଟିଏ ଭିଏତ୍‌ନାମ୍‌ରେ ପରିଣତ ହେଲେ । ଦୁଇଖଣ୍ଡ ଗୋଟିଏ ସମଗ୍ରରେ ପରିଣତ ହେଲା । ବିଗତ ଭିଏତ୍‌ନାମ୍‌ ଯୁଦ୍ଧର କ୍ଷତଗୁଡ଼ାକୁ ଯଥାସମ୍ଭବ ଭୁଲି ଗୋଟିଏ ଦେଶ ପୁନର୍ବାର ଗୋଟିଏ ପ୍ରାଣ ଓ ଗୋଟିଏ ସଂକଳ୍ପରେ ଆପଣାକୁ ନିର୍ମାଣ କରି ବାହାରିଲା । ଗୋଟିଏ ଦେଶ ହିସାବରେ ମନୁଷ୍ୟର ଦରବାରରେ ବସିବାକୁ ମନ ବଳାଇଲା । ଜାତିସଘଂର ସଭ୍ୟ ହେବାଲାଗି ପୁନର୍ବାର ଆବେଦନ କଲା ଏବଂ ସେହି ଆବେଦନଟି ଏବେ ନିରାପତ୍ତା ପରିଷଦରେ ପୁନର୍ବାର ବିଚାର ହେବାକୁ ଆସିଥିଲା । ଭୋଟ ଗ୍ରହଣ ହୋଇନଥିଲେ ମଧ୍ୟ ତଥାପି ପରିଷଦର ସବୁଯାକ ସଦସ୍ୟ ଯେ ଜାତିସଂଘ ଭିତରେ ଭିଏତ୍‌ନାମ୍‌ର ପ୍ରବେଶକୁ ସମର୍ଥନ କରିବେ, ତାହା ଆଲୋଚନାରୁ ସ୍ପଷ୍ଟ ହୋଇ ଯାଉଥିଲା । ଯେଉଁଦିନ ଭୋଟ ଗ୍ରହଣ ହୋଇଥାନ୍ତା, ଠିକ୍‌ ତାହାରି ପୂର୍ବଦିନ ଜାତିସଂଘରେ ଥିବା ଆମେରିକା ସରକାରଙ୍କର ପ୍ରତିନିଧି ଶ୍ରୀଯୁକ୍ତ ସ୍କ୍ରାଣ୍ଟନ୍‌ ସାଧାରଣରେ ଏକ ବିବୃତି ଦେଲେ । ସେହି ବିବୃତିରେ ସେ ଭିଏତ୍‌ନାମ୍‌ ଜାତିସଂଘରେ ସଦସ୍ୟରୂପେ ସ୍ୱୀକୃତ ହେବା ବିଷୟରେ ତାଙ୍କ ସରକାରଙ୍କର ମନୋଭାବଟିକୁ ବ୍ୟକ୍ତ କରିଦେଲେ । ତାହାରି ଫଳରେ ସମସ୍ତଙ୍କର ସବୁ ପ୍ରତ୍ୟାଶାର ବେକ ମୋଡ଼ି ଦିଆଗଲା । ଯେଉଁଦିନ ନିରାପତ୍ତା ପରିଷଦରେ ଭୋଟ ଗ୍ରହଣ ହେବାର ଥିଲା, ସେଦିନ ଭୋଟ ଗ୍ରହଣ ନହୋଇ ଭବିଷ୍ୟତକୁ ଘୁଞ୍ଚାଇ ଦିଆଗଲା । ଗୋଟିଏ ଅଧ୍ୟାୟର ଏହିପରି ଇତି ହେଲା ।

 

ଶ୍ରୀଯୁକ୍ତ ସ୍କ୍ରାଣ୍ଟନ୍‌ ତାଙ୍କ ବିବୃତିରେ କହିଲେ ଯେ ଏଥର ମଧ୍ୟ ନିରାପତ୍ତା ପରିଷଦରେ ଭିଏତ୍‌ନାମ୍‌କୁ ଜାତିସଂଘର ସଦସ୍ୟ କରିନେବା ପ୍ରସ୍ତାବଟିର ସପକ୍ଷରେ ସଂଖ୍ୟାଧିକ ଭୋଟ ରହିଲେ ଆମେରିକା ସରକାର ଭେଟୋ କ୍ଷମତାର ପ୍ରୟୋଗ କରି ତାହାକୁ ନାକଚ କରିଦେବେ । ଗତଥର ଯେଉଁପରି କରିଥିଲେ, ଏଥର ମଧ୍ୟ ସେହିପରି କରିବେ । ଆରଥର କୋରିଆକୁ କାରଣ ବୋଲି ଦର୍ଶା ଯାଇଥିଲା ଏବଂ ଭିଏତ୍‌ନାମ୍‌ ସେତେବେଳେ କୋରିଆପରି ଦୁଇଭାଗ ହୋଇ ରହିଥିଲା । ଏଥର ତାଙ୍କ ସରକାରଙ୍କ ତରଫରୁ ଶ୍ରୀ ସ୍କ୍ରାଣ୍ଟନ୍‌ ଆଉଗୋଟିଏ କାରଣ ଦେଖାଇଲେ ।

 

ସିଏ ତାଙ୍କ ବିବୃତିରେ କହିଲେ ଯେ ଭିଏତ୍‌ନାମ୍‌ ଯୁଦ୍ଧ ଅବସାନ ହେଲାପରେ ଭିଏତ୍‌ନାମ୍‌ରେ ଆମେରିକାର ଯେଉଁ ସୈନ୍ୟମାନେ ନିଖୋଜ ହୋଇ ରହିଛନ୍ତି, ସେମାନଙ୍କର ପତ୍ତା କରିବାରେ ଭିଏତ୍‌ନାମ୍‌ର ସରକାର ଆମେରିକା ସରକାରଙ୍କ ସହିତ ସନ୍ତୋଷଜନକ ଭାବରେ କୌଣସି ସହଯୋଗ କରୁନାହାନ୍ତି । ତେଣୁ, ତାହାରି ଏକ ପ୍ରତିକ୍ରିୟା ସ୍ୱରୂପ ଆମେରିକା ସରକାର ଭିଏତ୍‌ନାମ୍‌କୁ ଜାତିସଂଘ ଭିତରେ ପ୍ରବେଶ କରାଇ ନ ଦେବାକୁ ହିଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି ଏବଂ ପରିଷଦର ଅନ୍ୟ ସଦସ୍ୟମାନେ ସେହି ପ୍ରବେଶର ସପକ୍ଷରେ ଗଲେ ଓ ତାହାହିଁ ବହୁମତ ହେବାକୁ ଯାଉଛି ବୋଲି ଜଣା ପଡ଼ିଲେ ଆମେରିକା ସରକାର ଭେଟୋ ଅସ୍ତ୍ର ମାରି ସେହି ବହୁମତକୁ ପଣ୍ଡ କରିଦେବାକୁ କଦାପି ପଶ୍ଚାତ୍‌ପଦ ହେବ ନାହିଁ ।

 

ଜାତିସଂଘର ସଦସ୍ୟ ହେବାକୁ ଗଲେ ଯେ ଆମେରିକା ସରକାରଙ୍କର ସନ୍ତୋଷଭାଜନ ହେବାକୁ ପଡ଼ିବ, ଏହା ଏକ ବିଚିତ୍ର ବିଚାର । ଆଧୁନିକ ବିଶ୍ୱ ପରିପ୍ରେକ୍ଷୀରେ ଏହା ଏକ ନାବାଳକୀ ବିଚାର ଏବଂ ବିଶ୍ୱର ଭବିଷ୍ୟତ ଦୃଷ୍ଟିରୁ ଏକ ମାରାତ୍ମକ ଓ ବିପଜ୍ଜନକ ବିଚାର ମଧ୍ୟ । ଯେଉଁ ମୂଳ ବିଚାରଗୁଡ଼ାକୁ ନେଇ ଜାତିସଂଘର ପ୍ରତିଷ୍ଠା ହୋଇଥିଲା, ସେଇଟି ହେଉଛି ଏଗୁଡ଼ିକର ଏକାନ୍ତ ବିରୁଦ୍ଧ ବିଚାର । ଏହି ବିଚାରକୁ କେବଳ ଏକ ରୂଢ଼ିଗତ କାରଣରୁ ଉତ୍ସାହ ଦିଆଯାଉଥିବା ପର୍ଯ୍ୟନ୍ତ ସେଥିରୁ ପୃଥିବୀ ଲାଗି ଅଶୁଭ ହିଁ ଉପୁଜିବ । ଜାତିସଂଘର ମୂଳ ଉଦ୍ଦେଶ୍ୟଗୁଡ଼ିକ ପଣ୍ଡ ହୋଇଯିବ ।

 

ଏହି ଭେଟୋକୁ ପଣ୍ଡ କରିବାକୁ ଆହୁରି କୌଣସି ଭେଟୋର ପ୍ରୟୋଗ ହୋଇ ପାରିବା ଉଚିତ । ଏକ ଅଧିକ ଶକ୍ତିଶାଳୀ ଭେଟୋର ପ୍ରୟୋଗ ହୋଇପାରିବା ଉଚିତ । ଭିଏତ୍‌ନାମ୍‌ ଯୁଦ୍ଧରେ ଆମେରିକା ଲିପ୍ତ ହୋଇ ରହିଥିବା ସମୟରେ ତାହାର ସେହି ଅନମନୀୟତାକୁ ତଥାପି ନମନୀୟ କରିଦେବା ଭଳି ଏପରି କିଛି ଘଟିଲା, ଯାହା ଫଳରେ ସେନାପତି ଓ ଶିଳ୍ପପତିମାନଙ୍କର ମୋଟେ ଇଚ୍ଛା ନଥିଲେ ମଧ୍ୟ ଆମେରିକା ସରକାରଙ୍କୁ ଭିଏତ୍‌ନାମ୍‌ କ୍ଷେତ୍ରରୁ ଓହରି ଆସିବାକୁ ପଡ଼ିଲା । କମ୍ୟୁନିଷ୍ଟ ଚୀନକୁ ଜାତିସଂଘ ଭିତରେ ପୂରାଇ ନ ଦେବାକୁ ଆମେରିକା ସରକାର କେତେ କେତେ ଥର ଭେଟୋ ପ୍ରୟୋଗ କଲେ ଓ ଚକଗୁଡ଼ାକୁ ଅଟକାଇ ରଖିଥିଲେ । ମାତ୍ର ସମୟ ଆସିଲା, ଯେତେବେଳେ ସେହି ନାବାଳକତାକୁ ଛାଡ଼ିବାକୁ ହିଁ ପଡ଼ିଲା । ଭେଟୋ ଉପରକୁ ଭେଟୋ ବାଜି ପାରମ୍ପରିକ ଜିଦ୍‌ଗୁଡ଼ାକୁ ଅକାମି କରିଦେଲା । ଭିଏତ୍‌ନାମ୍‌କୁ ଜାତିସଂଘର ଅନ୍ତର୍ଭୁକ୍ତ କରିବା ଲାଗି ସେହିପରି ହୁଏତ ଭେଟୋ ଉପରେ ଭେଟୋର ପ୍ରୟୋଗ ହେବା ଉଚିତ । ଆମେରିକାର ଜନମତ ଏହି ଭେଟୋ ଉପରେ ଭେଟୋର ପ୍ରୟୋଗ କରିଥିଲା । ଆମେରିକା ସରକାରଙ୍କୁ ତାହାହିଁ ଭିଏତ୍‌ନାମ୍‌ ଯୁଦ୍ଧରୁ ବାହାରି ଆସିବା ଲାଗି ବାଧ୍ୟ କରିଥିଲା । ବର୍ତ୍ତମାନ ସେହି ଜନମତ, ଅର୍ଥାତ୍ ଜନଶକ୍ତି-ବିଶେଷକରି ଛାତ୍ରଶକ୍ତି ଓ ଯୁବଶକ୍ତି ଆମେରିକାକୁ ପୁନର୍ବାର ବାଟକୁ ଆଣିପାରିବ । ସେମାନଙ୍କ ପଛରେ ସେତେବେଳେ ବିଶ୍ୱ ଜନମତ ରହିଥିଲା, ବିଶ୍ୱର ବିବେକ ସେହିମାନଙ୍କ ତରଫରେ ରହିଥିଲା । ତାହା ବର୍ତ୍ତମାନ ମଧ୍ୟ ରହିଛି ।

 

ତା ୨୪.୦୯.୧୯୭୬ ରିଖ

Image

 

ଏବେ ବି ଆଶାବାଦୀ

 

ଦକ୍ଷିଣ ଆଫ୍ରିକାର ଗୋରା ଶାସକ ଫଷ୍ଟର୍‌ ଏବଂ ରୋଡ଼େସିଆର ଗୋରା ଅଧିକାରୀ ଇଆନ୍‌ ସ୍ମିଥ୍‌ ଏବେ ବି ଆଶାବାଦୀ ହୋଇ ରହିଛନ୍ତି । ତେଣେ ସେମାନଙ୍କ ଘରେ ନିଆଁ ଲାଗିଲାଣି-। ଅନ୍ୟାୟ ବିରୁଦ୍ଧରେ ବିଦ୍ରୋହ କ୍ରମେ ପ୍ରବଳରୁ ପ୍ରବଳତର ହେଲାଣି । ଭାଗ୍ୟବାଦର ବାଟକୁ ଛାଡ଼ି ସେଠାରେ ମଣିଷ ଅଧିକ ଆଲୋକକାମୀ ହେଲାଣି, ଅର୍ଥାତ୍‌ ଅଧିକ ସକ୍ରିୟ ହେଲାଣି-। ତଥାପି ସେହି ଦୁଇଟି ଦେଶର ଶାସକମାନେ ଏବେବି ଆଶାବାଦୀ ହୋଇ ରହିଛନ୍ତି । ପୃଥିବୀର ବିବେକକୁ ଛାଡ଼ି ତଥାପି ଯେ ମନୋମୁଖୀ ବର୍ବର ହୋଇହେବ, ତଥାପି ଯେ ବହୁମତ ଉପରେ ଅଳ୍ପମତର ଆଧିପତ୍ୟଗୁଡ଼ାକୁ ଚଳାଇଦେଇ ହେବ, ଏହିସବୁ ବିଷୟରେ ସେମାନେ ଭାରି ଆଶାବାଦୀ ହୋଇ ରହିଛନ୍ତି ।

 

ସପ୍ତାହକ ତଳେ ଫଷ୍ଟର୍‌ ଆଉ ଇଆନ୍‌ ସ୍ମିଥ୍‌ଙ୍କ ମଧ୍ୟରେ ଏକ ସାକ୍ଷାତକାର ହୋଇଯାଇଛି । ସେମାନେ କେଉଁସବୁ ବିଷୟରେ କଥାବାର୍ତ୍ତା କରିଛନ୍ତି ଓ କେଉଁସବୁ ମୀମାଂସାରେ ଆସି ପହଞ୍ଚିଛନ୍ତି, ସେସବୁ କଥା ବାହାରକୁ କିଛି ଜଣା ପଡ଼ିନାହିଁ । କିନ୍ତୁ ସେମାନଙ୍କର ଦୁଇଟିଯାକ ଭାଗ୍ୟ ଯେ ବିଧିର ନିର୍ଦ୍ଦେଶକ୍ରମେ ପରସ୍ପର ସହିତ ଜଡ଼ିତ ହୋଇ ରହିଛନ୍ତି, ସେମାନେ ସେହି କଥାଟିକୁ ଆମ ସମସ୍ତଙ୍କ ଲାଗି ବଡ଼ ସ୍ପଷ୍ଟ କରିଦେଇଛନ୍ତି । ବିପଦବେଳେ ପ୍ରକୃତ ବନ୍ଧୁକୁ ଲୋଡ଼ିବାକୁ ପଡ଼େ । ଦକ୍ଷିଣ ଆଫ୍ରିକା ଓ ରୋଡ଼େସିଆର ଚିରାଚରିତ ଶାସନବ୍ୟବସ୍ଥା ଉପରେ ଯେ ବିପଦ ପଡ଼ିଛି, ସେହି କଥାଟିକୁ ଫଷ୍ଟର୍‌ ଓ ସ୍ମିଥ୍‌ ଦୁହେଁ ଅନୁଭବ କରିଥିବାପରି ଜଣାଯାଉଛି ।

 

ଦକ୍ଷିଣ ଆଫ୍ରିକା ଓ ରୋଡ଼େସିଆରେ ଆଜି ଯାହା ବିରୁଦ୍ଧରେ ବିଦ୍ରୋହ ଘୋଷଣା ହୋଇଛି, ତାହା ଆମ ପୃଥିବୀରେ ଏକ ଅତି ପୁରୁଣା କଥା । ଯେଉଁମାନଙ୍କ ହାତରେ କ୍ଷମତା ଥାଏ, ଯେଉଁମାନଙ୍କ ପାଖରେ ବନ୍ଧୁକ ଥାଏ, ଅନ୍ୟମାନଙ୍କ ତୁଳନାରେ ଯେଉଁମାନେ ଅଧିକ ଐଶ୍ୱର୍ଯ୍ୟଶାଳୀ ହୋଇ ରହିଥାନ୍ତି ଓ ଅନ୍ୟମାନଙ୍କର ଦୁର୍ଗତ ଅବସ୍ଥା ସହିତ ତୁଳନା କରି ଆପଣାକୁ ଗୌରବଶାଳୀ ମନେ କରୁଥାନ୍ତି, ସେମାନେ ଆପଣାକୁ ସର୍ବଦା ଆଶାବାଦୀ କରି ରଖିଥାନ୍ତି ଏବଂ ଏହି ଆଶାବାଦଟି ଯେତେବେଳେ ରାଜନୀତିର କ୍ଷେତ୍ରରେ ମଧ୍ୟ ଅବତୀର୍ଣ୍ଣ ହୁଏ, ରାଷ୍ଟ୍ରର ଅଧିକାରୀ ହୋଇ ଶାସନ କରିବାକୁ ଲାଗେ, ସେତେବେଳେ ଦକ୍ଷିଣ ଆଫ୍ରିକା ଓ ରୋଡ଼େସିଆରେ ଯାହା ଫଳୁଛି ତାହାହିଁ ଫଳିବାକୁ ଆରମ୍ଭ କରେ ।

 

ସାମ୍ରାଜ୍ୟବାଦର ଯୁଗରେ ସାମ୍ରାଜ୍ୟବାଦୀମାନେ ବି ଠିକ୍‌ ଏହିପରି ଦୁର୍ଦ୍ଧର୍ଷ ଆଶାବାଦୀ ହୋଇ ରହିଥିଲେ । ସେମାନଙ୍କର ପତାକାଗୁଡ଼ାକୁ ହିଁ ସେମାନେ ବିଶ୍ୱର ସବୁ ପତାକାରେ ପରିଣତ କରି ରଖିବାକୁ ଇଚ୍ଛା କରିଥିଲେ । ଇଉରୋପରୁ ଧର୍ମପ୍ରଚାରକମାନେ ଯେତେବେଳେ ଅନ୍ଧାରଗୁଡ଼ାକୁ ବିନାଶ କରି ପୃଥିବୀବାସୀଙ୍କୁ ଆଲୋକ ବିତରଣ କରିବାକୁ ଦିଗଦିଗନ୍ତ ଖେଦି ଯାଇଥିଲେ, ସେତେବେଳେ ସେମାନେ ଭାରି ଆଶାବାଦୀ ଥିଲେ । ପୃଥିବୀଯାକର ଯାବତୀୟ ଧର୍ମ ଓ ଉପାସନାକୁ ସେମାନେ ଅନ୍ଧବିଶ୍ୱାସ କହୁଥିଲେ । କାରଣ ନିଜର ଧର୍ମମାର୍ଗଟିକୁ ହିଁ ଏକମାତ୍ର ଯଥାର୍ଥ ଧର୍ମ ବୋଲି ମାନି ନେଇଥିଲେ । ସେମାନଙ୍କର ଏହି ଦୁର୍ଦ୍ଦମ ଆଶାବାଦର ଅନୁଗ୍ରହରୁ ଏକଦା ସାମ୍ରାଜ୍ୟବାଦ ଓ ଧର୍ମପ୍ରଚାରର ଉତ୍ସାହ ମଧ୍ୟରେ ହୁଏତ ଆଦୌ କୌଣସି ଭେଦ ଲକ୍ଷ୍ୟ କରାଯାଇ ପାରୁନଥିଲା । ଆଫ୍ରିକାର ଜଙ୍ଗଲ ଓ ଜଙ୍ଗଲିମାନଙ୍କୁ ସେତେବେଳେ ସାମ୍ରାଜ୍ୟବାଦୀ ଯେଉଁ ଆଖିରେ ଦେଖିଥିଲା, ଧର୍ମପ୍ରଚାରକ ମଧ୍ୟ ପ୍ରାୟ ସେହି ଆଖିରେ ଦେଖୁଥିଲା ଏବଂ ଦୃଷ୍ଟିଗତ ସେହି ଗୋଟିଏ ଶିବିରରେ ରହି ହିଁ ସେମାନେ ଯାହାକିଛି ଦେଖୁଥିଲେ ।

 

ଦକ୍ଷିଣ ଆଫ୍ରିକାରେ ଗୋରାମାନଙ୍କର ପ୍ରାଦୁର୍ଭାବ ପ୍ରତିଷ୍ଠିତ ଶାସନ ରୂପେ ଆପଣାକୁ ଜାରି କରି ରଖିବା ଦିନଠାରୁ ଏହି ଆଶାବାଦ ହିଁ ବର୍ଣ୍ଣବାଦୀ ଶାସକମାନଙ୍କୁ ସେଠି ଅଧିକରୁ ଅଧିକ ଅନ୍ଧ କରି ରଖି ଆସିଛି ଏବଂ ସେଇଥିଲାଗି ମାତ୍ର କେତେ ହଜାର ଗୋରାଲୋକ ସେଠାରେ ଲକ୍ଷ ଲକ୍ଷ କଳା ମଣିଷଙ୍କୁ ତୁଣ୍ଡି ବନ୍ଧାଇ ରଖିଛନ୍ତି । ଅର୍ଥନୀତି, ରାଜନୀତି, ଧର୍ମ ଓ ସମାଜଦୃଷ୍ଟି ସମସ୍ତେ ଏହି ଆଶାବାଦ ଫଳରେ ହିଁ ବର୍ବରତାକୁ ବି ସଭ୍ୟତା ବୋଲି କହି ବଡ଼ାଇ କରି ଆସିଛନ୍ତି । ସେମାନଙ୍କର ବିଚାରଗୁଡ଼ାକର ପରାକ୍ରମ ହେତୁ ଯେ ସେମାନେ ସଫଳ ଭାବରେ ଆସନସ୍ଥ ହୋଇ ରହିଛନ୍ତି, ସେକଥା ଆଦୌ ନୁହେଁ । ଦକ୍ଷିଣ ଆଫ୍ରିକାର ଅର୍ଥନୀତିକୁ ଆପଣା ହାତରେ ରଖି ସେମାନେ ଏହା ସମ୍ଭବ କରିଛନ୍ତି, ଅସ୍ତ୍ରଶସ୍ତ୍ର ବଳରେ ହିଁ ସେମାନେ ଆପଣାର ପରାକ୍ରମଗୁଡ଼ାକୁ ସାବ୍ୟସ୍ତ କରି ରଖି ପାରିଛନ୍ତି । ସମଗ୍ର ଆଫ୍ରିକା ଶୋଇ ରହିଥିବା ପର୍ଯ୍ୟନ୍ତ ସେମାନେ ଆପଣାର ବର୍ବରତାରେ ପ୍ରାୟ ଦଉଡ଼ିକଟା ଭାବରେ ଅଗ୍ରସର ହୋଇପାରିଛନ୍ତି ।

 

ଆଫ୍ରିକାର ନିଦ ଭାଙ୍ଗି ସାରିଲାଣି ଏବଂ ଫଷ୍ଟର୍‌ ଓ ଇଆନ୍‌ ସ୍ମିଥ୍‌ଙ୍କର ନିଦ ଭଙ୍ଗିବା ବାକୀ ରହିଛି । ନେପୋଲିଅନ୍‌ ବି ତାଙ୍କ ସମୟରେ ଏକଦା ଭାରି ଆଶାବାଦୀ ହୋଇ ସଂସାର ଦିଗ୍‌ବିଜୟ କରି ବାହାରିଥିଲେ । ସାନ କର୍ସିକା ଦ୍ୱୀପରୁ ଏହି ବିଜୟର ସ୍ୱପ୍ନ ଦେଖି ସେ ଫ୍ରାନ୍‌ସ୍‌ ଆସିଥିଲେ, ପୁଣି ଫ୍ରାନ୍‌ସ୍‌ରୁ ପ୍ରାୟ ସଂପୂର୍ଣ୍ଣ ଇଉରୋପକୁ ଗର୍ଭସାତ୍‌ କରିସାରିବା ପରେ ସେ ଆଫ୍ରିକାଯାଏ ମଧ୍ୟ ଯାଇଥିଲେ । ଯେତେବେଳେ ସେ ତରବାରୀକୁ ହିଁ ପୃଥିବୀର ସର୍ବସିଦ୍ଧିଦାୟକ ଶକ୍ତି ବୋଲି ବିଶ୍ୱାସ କରୁଥିଲେ, ସେହି ବିଶ୍ୱାସ ତାଙ୍କୁ ବଡ଼ ଉଗ୍ରଭାବରେ ଆଶାବାଦୀ କରି ରଖିଥିଲା । ନେପୋଲିଅନ୍‌ ବି ଦିନେ ହାରିଲେ । ତାଙ୍କର ଉଗ୍ରତା ଓ ଆଶାବାଦର ବି ଦିନେ ଦିନ ସରିଲା । ତରବାରୀର ଶକ୍ତି ଯେ ସମର୍ଥତମ ଶକ୍ତି ନୁହେଁ, ଶେଷ ଜୀବନରେ, ଏକ ନିର୍ଜନ ଦ୍ୱୀପରେ ବନ୍ଦୀ-ଜୀବନ ଯାପନ କରୁଥିବା ସମୟରେ ସେ ନାକ ଘଷି କାନ ମୋଡ଼ି ହେଲାପରି ତାହା ସ୍ୱୀକାର କରିଥିଲେ ।

 

ପୃଥିବୀର ଆଶାବାଦୀମାନେ ନେପୋଲିଅନ୍‌ଙ୍କ ଏହି ମୋହଭଙ୍ଗରୁ ଯଦି କିଛି ଶିଖିଥାନ୍ତେ, ତେବେ ଆମର ପୃଥିବୀ ମଣିଷଲାଗି ଆଜି ମଧ୍ୟ କଦାପି ଏତେବେଶୀ ଦୁର୍ବହ ହୋଇ ରହିନଥାନ୍ତା । ଆମ ପୃଥିବୀରେ ଫଷ୍ଟର୍‌, ଏବଂ ଇଆନ୍‌ ସ୍ମିଥ୍‌ଙ୍କ ପରି ସାନ ଓ ସ୍ଥାନୀୟ ନେପୋଲିଅନ୍‌ ଓ ହାନିବାଲ୍‌ମାନେ କଦାପି ସମ୍ଭବ ହେଉନଥାନ୍ତେ । କିନ୍ତୁ ସକଳ ବର୍ବରତାର ଯେଉଁପରି ମୋହଭଙ୍ଗ ହୋଇଛି, ସେମାନଙ୍କର ମଧ୍ୟ ହୁଏତ ଠିକ୍‌ ସେହିଭଳି ମୋହଭଙ୍ଗ ହେବାର ସମୟ ଆସି ପହଞ୍ଚିଲାଣି । ସେହି ସମୟଟିକୁ ସେମାନେ ନିଜେ ଠିକ୍‌ କରିବେ ନାହିଁ, ଅସଲ ଆଫ୍ରିକା ହିଁ ସେଇଟିକୁ ଠିକ୍‌ କରିବ ।

 

ତା ୨୫.୦୯.୧୯୭୬ ରିଖ

Image

 

ଅବାଞ୍ଛିତ ସହର

 

ଆମ ପୃଥିବୀରେ ଆଗେ ରାଜଧାନୀ ଥିଲା, ଜନପଦ ଥିଲା, ଗ୍ରାମବସତିମାନ ଥିଲା । ଆଜିକାଲିର ଅର୍ଥରେ ଏବେ ଯେଉଁସବୁ ଅଞ୍ଚଳକୁ ସହର ବୋଲି କୁହାଯାଉଛି, ଆଗେ ସେସବୁ ନ ଥିଲା । ଶିଳ୍ପଯୁଗର ସଂକ୍ରମଣ ସଙ୍ଗେ ସଙ୍ଗେ ସହରର ଆବିର୍ଭାବ ହେଲା । ଗାଆଁ ଛାଡ଼ି ଲୋକମାନେ ସହରକୁ ଧାଇଁଲେ, ସମସ୍ତେ ସହରରେ ରୁଣ୍ଡ ହେଲେ । ସେହି ପ୍ରକ୍ରିୟାଟି ଏବେ ମଧ୍ୟ ଲାଗି ରହିଚି । ଆଗେ ଯାହା କେବଳ ଇଉରୋପରେ ସୀମାବଦ୍ଧ ହୋଇ ରହିଥିଲା, ଏବେ ତାହା ସମଗ୍ର ପୃଥିବୀକୁ ବ୍ୟାପିଗଲାଣି । ଏସିଆ, ଆଫ୍ରିକା ଏବଂ ଲାଟିନ୍‌ ଆମେରିକା ପ୍ରଭୃତି ମହାଦେଶରେ ତାହା କ୍ରମେ ଏକ ସର୍ବପ୍ରଧାନ ସମସ୍ୟା ରୂପେ ଦେଖାଦେବାକୁ ଆରମ୍ଭ କଲାଣି ।

 

ଗତ କେତେଦିନ ତଳେ ସ୍କଟ୍‌ଲାଣ୍ଡ୍‌ର ଏଡ଼ିନ୍‌ବରାଠାରେ ଏହି ଆଧୁନିକ ସହର ସଂକ୍ରାନ୍ତୀୟ ଯାବତୀୟ ସମସ୍ୟାର ଚର୍ଚ୍ଚାଲୋଚନା କରିବାକୁ ଏକ ଆନ୍ତର୍ଜାତିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ସମ୍ମିଳନୀ ଇଉନେସ୍କୋର ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା । ସମ୍ମିଳନୀ ସମ୍ପୃକ୍ତ ଆମ ସମସ୍ତଙ୍କୁ ପ୍ରାୟ ଏକ ଚେତାବନୀ ଦେଇ କହିଛି ଯେ, ବିକାଶଶୀଳ ଦେଶମାନଙ୍କରେ ଥିବା ବୃହତ୍‌ ସହରଗୁଡ଼ିକ ଏଭଳି ଦ୍ରୁତଭାବରେ ଆହୁରି ବୃହତ୍‌ ହେବାରେ ଲାଗିଛନ୍ତି ଯେ, ଆକାରବୃଦ୍ଧିର ଏହି ବେଗଟିକୁ ମନ୍ଥର କରି ଆଣିବାକୁ ଉପାୟମାନ ଚିନ୍ତା କରା ନ ଗଲେ ଓ ସେଗୁଡ଼ିକୁ ପ୍ରକୃତରେ କାର୍ଯ୍ୟକାରୀ କରା ନ ଗଲେ ସେହି ସହରମାନ ଖୁବ ଶୀଘ୍ର ଗୋଟିଏ ଗୋଟିଏ ଅତିକାୟ ନଗରୀରେ ପରିଣତ ହୋଇଯିବେ ଏବଂ ତଦ୍ଦ୍ୱାରା ଆମର ସାମୂହିକ ଜୀବନକ୍ଷେତ୍ରରେ ଯେଉଁସବୁ ଅସ୍ୱାସ୍ଥ୍ୟକର ସମସ୍ୟା ଉପୁଜିବ, ସେଗୁଡ଼ିକୁ ମଧ୍ୟ ଆୟତ୍ତରେ ରଖିବା ଭାରି କଷ୍ଟକର ହୋଇପଡ଼ିବ ।

 

ବିକାଶଶୀଳ ପୃଥିବୀ କହିଲେ ମୋଟାମୋଟି ଏସିଆ, ଆଫ୍ରିକା ଓ ଲାଟିନ୍‌ ଆମେରିକା-ଏହି ତିନୋଟି ମହାଦେଶକୁ ବୁଝାଏ । ମିଳିତ ଜାତିସଂଘ ଦ୍ୱାରା ଅଧ୍ୟୟନ କରାଯାଇ ପ୍ରସ୍ତୁତ ହୋଇଥିବା ଗୋଟିଏ ରିପୋର୍ଟରେ କୁହାଯାଉଛି ଯେ ୧୯୮୦ ମସିହା ସୁଦ୍ଧା ସମଗ୍ର ପୃଥିବୀରେ ଅନେକ ନିୟୂତ ଲୋକସଂଖ୍ୟାବିଶିଷ୍ଟ ସର୍ବମୋଟ ୫୯ଟି ସହର ରହିବ । ଏଥରୁ ୩୧ଟି ସହର କେବଳ ବିକାଶଶୀଳ ଦେଶମାନଙ୍କରେ ରହିବ ଏବଂ ଏଥିରୁ ଅଧିକାଂଶ ଏସିଆ ମହାଦେଶର ଦେଶଗୁଡ଼ିକରେ ହିଁ ରହିବେ । ୧୯୭୦ ମସିହାରେ ମଧ୍ୟ ଏସିଆ ମହାଦେଶର ବଡ଼ ସହରଗୁଡ଼ିକରେ ପ୍ରାୟ ଅଣଆୟତ୍ତ ଭାବରେ ଲୋକଗହଳି ପରିଦୃଷ୍ଟ ହେବାକୁ ଆରମ୍ଭ କଲାଣି ବୋଲି ପ୍ରସ୍ତୁତ ବିବରଣୀଟିରେ କୁହାଯାଇଛି । ଦିନକୁ ଦିନ ଅଧିକରୁ ଅଧିକ ମଣିଷ ଗ୍ରାମାଞ୍ଚଳ ଛାଡ଼ି ସହରମାନଙ୍କୁ ବାହାରି ଆସିବେ । ସହରର ବପୁକୁ ବଡ଼ ଅସ୍ୱାସ୍ଥ୍ୟକର ଭାବରେ ବଢ଼ାଇବାକୁ ଲାଗିବେ ଏବଂ ଏହାର ଉପସର୍ଗ ସ୍ୱରୂପ ବେକାର ମଣିଷଙ୍କର ସଂଖ୍ୟା ବି ବଢ଼ିବ, ଦାରିଦ୍ର୍ୟ ବଢ଼ିବ ଏବଂ ଏଗୁଡ଼ିକ ଏପରି ବିପଜ୍ଜନକ ଅନୁପାତରେ ବଢ଼ିବାକୁ ଲାଗିବେ ଯେ ବିଭିନ୍ନ ଦେଶର ସରକାରମାନେ ଭୂସଂସ୍କାର ଏବଂ ଅଧିକରୁ ଅଧିକ ଶ୍ରମିକଙ୍କୁ କାର୍ଯ୍ୟ ଯୋଗାଇ ପାରୁଥିବା ସଘନ ଶିଳ୍ପୋଦ୍ୟୋଗର ବ୍ୟବସ୍ଥାଗୁଡ଼ିକୁ ନିଷ୍ଠାର ସହିତ ତ୍ୱରାନ୍ୱିତ ନ କଲେ ଅବସ୍ଥା କ୍ରମେ ଅତ୍ୟନ୍ତ ସାଂଘାତିକ ହୋଇ ପଡ଼ିବ ।

 

ଆମ ଭାରତବର୍ଷରେ ସହରଗୁଡ଼ିକ କିପରି ଭାବରେ ବଢ଼ୁଛି, ତାହାର ଏକ ସୂଚନା ପାଇବାକୁ ମଧ୍ୟ ଆମେ କେତେକ ହିସାବର ସାହାଯ୍ୟ ନେଇପାରିବା । ୧୯୭୧ ମସିହାରେ ଆମ ଦେଶରେ ଯେଉଁ ଜନଗଣନା ନିଆଯାଇଥିଲା, ସେଥିରୁ ଜଣାଯାଉଛି ଯେ ଭାରତବର୍ଷର ପ୍ରତ୍ୟେକ ପାଞ୍ଚଜଣରେ ଜଣେ ଲୋକ ସହରରେ ବାସ କରୁଛି । ଏହି ଶତାଦ୍ଦୀ ଆରମ୍ଭରେ ପ୍ରତ୍ୟେକ ଦଶଜଣରେ ଜଣେ ମଣିଷ ସହରରେ ବାସ କରୁଥିଲା ଏବଂ ଏହି ସତୁରୀ ବର୍ଷର ଅବଧି ମଧ୍ୟରେ ଦେଶର ମୋଟ ସାଧାରଣ ଜନସଂଖ୍ୟାର ଶତକଡ଼ା ୧୩୦ ବୃଦ୍ଧି ଘଟିଥିବା ସମୟରେ, ସହରରେ ବାସ କରୁଥିବା ଲୋକସଂଖ୍ୟାର କ୍ଷେତ୍ରରେ ଏହି ବୃଦ୍ଧି ଶତକଡ଼ା ୩୨୪ ହୋଇଛି । କେବଳ ପ୍ରାକୃତିକ ବୃଦ୍ଧି ଦ୍ୱାରା ଏପରି କଦାପି ଘଟିନାହିଁ । ଗ୍ରାମାଞ୍ଚଳ ଛାଡ଼ି ହଜାର ହଜାର ମଣିଷ ସହରାଞ୍ଚଳକୁ ଚାଲି ଆସିଛନ୍ତି ବୋଲି ଏହି କଥାଟି ଘଟିଛି ।

 

ଆନ୍ତର୍ଜାତିକ ସ୍ତରରେ ମିଳିତ ଜାତିସଂଘ ତରଫରୁ ଏହି ସମସ୍ୟାଟି ଉପରେ ଯେ ଅନୁଧ୍ୟାନ ହେଲାଣି, ତାହା ଅତ୍ୟନ୍ତ ସୁଖର କଥା । ମାତ୍ର ଏକଥା ମଧ୍ୟ ସତ ଯେ ମିଳିତ ଜାତିସଂଘ କେବଳ ଆନ୍ତର୍ଜାତିକ ହିସାବଗୁଡ଼ାକୁ ପ୍ରସ୍ତୁତ କରିଦେବ, ବିଶେଷଜ୍ଞମାନଙ୍କ ସାହାଯ୍ୟରେ ଆବଶ୍ୟକ ପରାମର୍ଶ ବି ଦେବ । ମାତ୍ର ପ୍ରତ୍ୟେକ ଦେଶର ସ୍ତରରେ ହିଁ ପ୍ରକୃତରେ ଏହି ସମସ୍ୟାଟିର ସମ୍ମୁଖୀନ ହେବାକୁ ପଡ଼ିବ । ପ୍ରତ୍ୟେକ ରାଷ୍ଟ୍ରର ଅନୁସୃତ ନୀତି ଓ ଦୂରଦୃଷ୍ଟି ହିଁ ଏହି ସମସ୍ୟାଟିକୁ ଆହୁରି ଜଟିଳ କରି ପକାଇବ ନଚେତ୍‌ ତା’ର ସମାଧାନ ଦିଗରେ ଏକ ବଳିଷ୍ଠ ପଦକ୍ଷେପ ମଧ୍ୟ ଗ୍ରହଣ କରିପାରିବ । କେଉଁ ରାଷ୍ଟ୍ର ଆପଣାର ଅର୍ଥନୀତିର ବ୍ୟବସ୍ଥାଟିକୁ କିପରି ଚଳାଉଛି, ସେହି ଅର୍ଥନୀତିରେ ମନୁଷ୍ୟ ଓ ମାନବୀୟ ଜୀବନକୁ କେନ୍ଦ୍ର କରି ଧରାଯାଇଛି ନା ବିତ୍ତବୃଦ୍ଧି ଉପରେ ହିଁ ସମଗ୍ର ଉତ୍ସାହ ଓ ଉଦ୍ୟମଗୁଡ଼ିକ ଶେଷ କରି ଦିଆଯାଉଛି, ଏହି ସମସ୍ୟାର ସମ୍ମୁଖୀନ ହେବା ସେଇଟି ଉପରେ ମଧ୍ୟ ନିର୍ଭର କରିବ; ଅର୍ଥନୈତିକ ଆଦର୍ଶ ସହିତ ଏଠାରେ ଜାତୀୟ ଆଦର୍ଶର ଏକ ପ୍ରଶ୍ନ ବି ରହିଛି । ବିକାଶଶୀଳ ଦେଶଗୁଡ଼ିକର ରାଷ୍ଟ୍ରମାନେ ବିକଶିତ ଦେଶଗୁଡ଼ିକର ଗୁଳାରେ ପଡ଼ିବା ଲାଗି ଅବଶ୍ୟ ବାଧ୍ୟ ହେବେ । ମାତ୍ର ଆପଣାର ଭୂମିଟିକୁ ଜାଣି ତାହାରି ଅନୁସାରେ ଏକ ସୁସ୍ଥ ଅର୍ଥନୀତି ଓ ପରିବେଶନୀତି ଗ୍ରହଣ କଲେ ସେମାନେ ଅନେକ ପରିହାର୍ଯ୍ୟ ପ୍ରମାଦ ଓ ସଂକଟରୁ ଆପଣାକୁ ଅନେକ ପରିମାଣରେ ରକ୍ଷା କରିପାରିବେ । ତେଣୁ ଏହି କ୍ଷେତ୍ରରେ ସାବଧାନତା ସଙ୍ଗେ ସଙ୍ଗେ ଏକ ଦୂରଦୃଷ୍ଟି ଲାଗି ମଧ୍ୟ ସମାନ ପରିମାଣରେ ଆବଶ୍ୟକତା ରହିଛି ।

 

ତା ୨୯.୦୯.୧୯୭୬ ରିଖ

Image